spot_img
Home Blog Page 2907

ଭୁଲ ହେଲାଣି ବିଜେପି ଅଙ୍କ: ବଦଳିଲା ମିଶନ୍ ୧୨୦ ନାରା, ଏବେ ୮୦ ପ୍ଳସ୍ ଭବିଷ୍ଯବାଣୀ

ଭୁବନେଶ୍ୱର: ଡବଲ୍ ଇଂଜିନର ସ୍ବପ୍ନ ଏବେ ସିଙ୍ଗଲ ଇଂଜିନକୁ ଚାଲି ଆସିଲାଣି । ବିଜେପିର ମିଶନ୍-୧୨୦ ନାରା ଏବେ ବଦଳି ଯାଇଛି । ୨୦୨୪ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ଦଳର ନେତାଙ୍କ ମୁହଁରେ ଏବେ ୮୦ ପ୍ଳସ୍ ଭବିଷ୍ଯବାଣୀ । ଗଲା ନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ ଆଉ ଏବେକାର ରୂପାନ୍ତରଣ ସ୍ରୋତକୁ ଦେଖି ଚମକି ଯାଇଛି ରାଜ୍ୟ ବିଜେପି । ବଡ଼ ବଡ଼ ନେତାଙ୍କ ମୁହଁରୁ ସଂଖ୍ୟା ଗଣିତ ଉଭାନ ହୋଇ ଯାଇଥିବା ବେଳେ ଅନ୍ୟ ନେତା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଦଳର ଫଳାଫଳକୁ ସୀମିତ ରଖିଛନ୍ତି ।

ସେପଟେ ବିଜେପିର ଗଣିତ ଖାତାକୁ ଗପ ଖାତା କହିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ବିଧାୟକ ତାରାବାହାନୀ ପତି କହିଛନ୍ତି ସଂଖ୍ୟା କହିବାକୁ ବିଜେପିକୁ ଟ୍ୟାକ୍ସ ଲାଗୁନି । ୨୪ ମହାସମରରେ ଜନତା ଦେବେ ଜବାବ । ଭୋଟର କହିବେ କିଏ ପାସ୍ କିଏ ଫେଲ୍ । ସେପଟେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ଆକଳନ ବିଜେପି ନେତାଙ୍କୁ ଖୁବ୍ ହତୋତ୍ସାହିତ କଲା ଭଳି । କାରଣ ସେ କହିଛନ୍ତି ନିର୍ବାଚନ ଯେତେ ପାଖେଇ ଆସିବ, ବିଜେପିର ସଂଖ୍ୟା ଆକଳନ ସେତେ ସେତ କମି ଆସିବ । ଆଉ ଫଳାଫଳ ଆସିବା ବେଳକୁ ଏ ସଂଖ୍ୟା ସାତ କିମ୍ବା ଆଠରେ ସୀମିତ ରହିବ ।

ଇଡିର କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ପ୍ରଶ୍ନ, ଅଂକୁଶ ନ ଲାଗିଲେ ଦେଶରେ କେହି ରହିବେନି ସୁରକ୍ଷିତ

ନୂଆଦିଲ୍ଲୀ: ଇଡିର କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଉଠିଲା ପ୍ରଶ୍ନ । ବେଆଇନ ଅର୍ଥ କାରବାର ମାମଲାର ତଦନ୍ତରେ ଇଡି ମାତ୍ରାଧିକ କ୍ଷମତା ଉପଭୋଗ କରୁଛି । ଏଥିରେ ଅଂକୁଶ ନ ଲାଗିଲେ ଦେଶରେ କେହି ସୁରକ୍ଷିତ ରହିବେନି। ଗୁରୁଗ୍ରାମ ଏମଥ୍ରୀଏମ୍ କମ୍ପାନୀ ପକ୍ଷରୁ ଆବେଦନର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏହା କହିଛନ୍ତି । ସର୍ବୋଚ୍ଚ କୋର୍ଟରେ କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବନଶଲ ଓ ପଙ୍କଜ ବଂଶଲଙ୍କ ପକ୍ଷ ରଖିଛନ୍ତି ହରିଶ ସାଲଭେ ଓ ମୁକୁଲ ରୋହତଗି । ସେମାନଙ୍କ ଗିରଫଦାରୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସହଯୋଗ ପରେ ବି ଅଧିକାରର ଉଲ୍ଲଂଘନ ହେଉଥିବା ସାଲଭେ କହିଛନ୍ତି । ତେଣୁ ଇଡିର କ୍ଷମତାରେ ଅଂକୁଶ ଲଗାଇବାକୁ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ସାଲଭେ। ମନି ଲଣ୍ଡରିଂ ତଦନ୍ତ ବେଳେ ପୂର୍ବତନ ବିଚାରପତିଙ୍କୁ ଲାଞ୍ଚ ଦେବା ମାମଲାରେ ବସନ୍ତ ବଂଶଲ ଓ ପଙ୍କଜ ବଂଶଲଙ୍କୁ ଗିରଫ କରାଯାଇଛି ।

ମାଟି ଖୋଳିଲେ ବାହାରିବ ସୁନା କଳସ, ସୁନା ଲୋଭରେ ହୋଇଥିଲା ମାଟି ଖୋଳା

ନୟାଗଡ଼: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ବଞ୍ଚିଛି ଅନ୍ଧବିଶ୍ୱାସ । ଆଜି ଜୀବଜନ୍ତୁ, କାଲି ମଣିଷ ବଳି ଦେବାକୁ ପଛାଇବେନି ଅନ୍ଧ ବିଶ୍ବାସରେ ବିଶ୍ବାସ କରୁଥିବା ଲୋକ । ମାଟି ଖୋଳିଲେ ବାହାରିବ ସୁନା କଳସ । ସୁନା ଲୋଭରେ ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି । ଏ ଦୃଶ୍ୟ ନୟାଗଡ଼ ଦଶପଲ୍ଲା ବ୍ଲକ୍ ବାଣିଗୋଛା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମିଟିଗାଡୁ ଗାଁର । ଗାଁର ରତ୍ନାକର ଜାନିଙ୍କ ଘର ପାଖ ବରଗଛ ତଳେ ସୁନା କଳସ ଥିବା କହିଥିଲେ ବାହାର ରାଜ୍ୟର କିଛି ଗୁଣିଆ ।

ସୁନା ଲୋଭରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କିଛି ଠକ ଗୁଣିଆଙ୍କ ପ୍ରରୋଚନାରେ ପଡ଼ି ବରଗଛ ମୂଳେ ଆରମ୍ଭ ହେଲା ପୂଜା ପାଠ । ଆରମ୍ଭ ହେଲା ମାଟି ଖୋଳା । ହେଲେ ମାଟି ଛଡ଼ା ସୁନାର ଦେଖା ମିଳିଲାନି । ଗାଁର କିଛି ଶିକ୍ଷିତ ବ୍ୟକ୍ତି ଏହାକୁ ବାରଣ କରିଥିଲେ । ହେଲେ ରତ୍ନାକର ଶୁଣିନଥିଲେ । ଶେଷରେ ଗ୍ରାମବାସୀ ଏକାଠି ହୋଇ ଗ୍ରାମସଭା କରି ବାଣିଗୋଛା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ପହଞ୍ଚିବା ବେଳକୁ ରତ୍ନାକର ମାଝୀ ସହିତ ଗୁଣିଆ ଫେରାର । ପୋଲିସ ସମ୍ପୃକ୍ତ ସ୍ଥାନକୁ ସିଜ୍ କରି ତଦନ୍ତ ଜାରି ରଖିଛି ।

ସ୍କୁଲ ଯାଇ ଦୁଇ ଛାତ୍ର ନିଖୋଜ, ଥାନାରେ ଅଭିଯୋଗ କଲେ ପରିବାର ଲୋକ

ଭୁବନେଶ୍ୱର: ସ୍କୁଲ ଯାଇ ଦୁଇ ଛାତ୍ର ନିଖୋଜ । ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି । ସ୍କୁଲ୍ ଯାଇ ଘରକୁ ଫେରି ନାହାଁନ୍ତି ଦୁଇ ନାବାଳକ ଛାତ୍ର। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଚନ୍ଦକା ଥାନା ଅଧିକାରୀ ଖବର ପାଇ ବିଭିନ୍ନ ସ୍ଥାନକୁ ଯାଇ ଖୋଜା ଖୋଜି କରିବା ସହ ପ୍ରତି ଛକରେ ଥିବା ସିସିଟିଭି କ୍ୟାମେରାକୁ ତଦନ୍ତ କରୁଛନ୍ତି ।

ଭିଜିଲାନ୍ସ ପଞ୍ଝାରେ ସିନ୍ଧ୍ରମାଳ ଆରଆଇ

ମାଲକାନଗିରି: ଭିଜିଲାନ୍ସ ପଞ୍ଝାରେ ସିନ୍ଧ୍ରମାଳ ଆରଆଇ । ସିନ୍ଧ୍ରମାଳ ଆରଆଇ ସିମାଞ୍ଚଳ ସାହୁ। ତଦନ୍ତ ଜାରି ରଖିଛି ମାଲକାନଗିରି ଭିଜିଲାନ୍ସ । ରେଡ୍ ହାଣ୍ଡେଡ୍ ଧରାପଡ଼ିଲେ ସିନ୍ଧ୍ରମାଳ ଆରଆଇ। ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆରଆଇ ସୀମାଞ୍ଚଳ ସାହୁ । ଏୟାରଷ୍ଟ୍ରିପ ନିର୍ମାଣରେ ହରାଇଥିବା ଜମି କ୍ଷତିପୂରଣ କରାଇଦେବା ପାଇଁ ୩୫୦୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ୧୦ ହଜାର ପୂର୍ବରୁ ନେଇଥିଲେ। ଏବେ ୨୫ ହଜାର ନେବା ସମୟରେ ଭିଜିଲାନ୍ସ ଧରିଛି ।

ଚନ୍ଦନେଶ୍ବର ବ୍ୟାଙ୍କ୍ ରବରି ଘଟଣାରେ ତନାଘନା, ୬ ଆନ୍ତଃରାଜ୍ୟ ଡକାୟତ ଗିରଫ

ବାଲେଶ୍ୱର: ବାଲେଶ୍ବର ଚନ୍ଦନେଶ୍ଵର ବ୍ୟାଙ୍କ ରବରି ଘଟଣା । ୬ ଆନ୍ତଃରାଜ୍ୟ ଡକାୟତ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ନଗଦ ଟଙ୍କା, ୩୦୦ ଗ୍ରାମ୍ ସୁନା ଅଳଙ୍କାର ଜବତ କରିଛି ବାଲେଶ୍ବର ପୋଲିସ୍ । ୧୦ଟି ମୋବାଇଲ ଓ ୩ଟି ପିସ୍ତଲ ଜବତ । ଗିରଫଙ୍କ ମଧ୍ଯରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ଡକାୟତ ରହିଛନ୍ତି । ଅନ୍ୟ ୧୦ଟି ବ୍ୟାଙ୍କ ଡକାୟତିରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।

ଚଳିତ ବର୍ଷ ଏପ୍ରିଲ ୨୬ ତାରିଖରେ ଘଟିଥିଲା ଏହି ଫିଲ୍ମୀ ଷ୍ଟାଇଲ୍ ରବରୀ । ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟିଥିଲେ ପଶ୍ଚିମବଙ୍ଗ ଲୁଟେରା । ୬ ରୁ ୭ ଜଣ ଦୁର୍ବୁତ୍ତ ଗ୍ରାହକ ସାଜି ବ୍ୟାଙ୍କକୁ ପଶିଥିଲେ । କିଛି ଲୁଟେରା ବାହାର ପଟୁ ବ୍ୟାଙ୍କ ଗେଟ୍ ବନ୍ଦ କରିଦେଇଥିଲେ । ମ୍ୟାନେଜର ଓ ଗ୍ରାହକଙ୍କୁ ବନ୍ଧୁକ ଓ ଛୁରା ଦେଖାଇ ଭୟଭୀତ କରାଇଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ ଦେବା ସହ ଗ୍ରାହକଙ୍କ ପାଖରୁ ମୋବାଇଲ ଛଡାଇ ନେବା ସହ ଟଙ୍କା ଛଡ଼ାଇ ନେଇଥିଲେ । ଏହାପରେ ବ୍ୟାଙ୍କ ଲୁଟ୍ କରିଥିଲେ । ବ୍ୟାଙ୍କ ଲୁଟି ପଶ୍ଚିମବଙ୍ଗ ଅଭିମୁଖେ ବାଇକରେ ଛୁ ମାରିଥିଲେ ଲୁଟେରା । ଘଟଣାସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍, SP ସାଗରିକା ନାଥା, ଜଳେଶ୍ଵର SDPO , ତାଳସାରୀ ମେରାଇନ୍ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ଅଧିକ ତଦନ୍ତ କରିଥିଲେ ।

 

ମଣିପୁରରେ ଥମୁନି ହିଂସା, ଦଙ୍ଗାରେ ଗଲାଣି ଶହେରୁ ଅଧିକ ଜୀବନ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି । ଥୋବଲ ଜିଲ୍ଲାର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍‌ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଭାରି ଭରକମ ଆକ୍ରମଣ କରିଥିଲେ । ଭିଡ଼ ରୋକିବାକୁ ସୁରକ୍ଷାକର୍ମୀ ପ୍ରଥମେ ଟିୟର ଗ୍ୟାସ୍ ପରେ ରବର ଗୋଲି ଫିଙ୍ଗିଥିଲେ । ଲୋକ ତାକୁ ଖାତିର ନକରିବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୨୭ ବର୍ଷୀୟ ଜଣେ ଯୁବକ ରୋନାଲ୍ଡୋଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ୟକ୍ତ ଲୋକ ସେନାର ସବୁ ଗାଡ଼ି ପୋଡିଦେଲେ । ଏହାସହ ୧୦ ଜଣ ଆହତ ହୋଇଛନ୍ତି ।

ମୌତେଇ ସମୁଦାୟର ଏସଟି ମାନ୍ୟତା ଦାବିକୁ ବିରୋଧ କରି ମେ ୩ରେ ପାହାଡି ଜିଲ୍ଲାରେ ଆଦିବାସୀ ଏକଜୁଟ ମାର୍ଚ୍ଚ ଆୟେଜିତ ହୋଇଥିଲା । ସେହିଦିନଠାରୁ ହିଁ ମଣିପୁରରେ ହିଂସା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସୂଚନା ଅନୁସାରେ ମଣିପୁରରେ ୫୩ ପ୍ରତିଶତରୁ ଅଧିକ ଅଛନ୍ତି ମୈତେଇ ସମ୍ପ୍ରଦାୟର ଲୋକ । ଏଥିରେ ଅଧିକାଂଶ ହିନ୍ଦୁ ରହିଛନ୍ତି ।

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ, କଣ୍ଟାମାଳ ଆମ୍ବ ଗାଁରେ ଶୁଣିଲେ ଅଞ୍ଚଳବାସୀଙ୍କ ଦାବି

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କଣ୍ଟାମାଳ ବ୍ଲକର ଆମ୍ବ ଗାଁରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ବର୍ଷକ ଭିତରେ କଣ୍ଟାମାଳ ଅଞ୍ଚଳବାସୀ ପିଇବା ପାଣି ସୁବିଧା ପାଇବେ । ଏହା ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗେଇ ଦେବେ ବୋଲି କହିଛନ୍ତି 5T ସଚିବ । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥରାଶି ପ୍ରଦାନ କରୁଛନ୍ତି ଏହାକୁ ସ୍ବଚ୍ଛ ଭାବରେ ବ୍ୟବହାର କରିବାକୁ କହିଛନ୍ତି 5T ସଚିବ । ଗସ୍ତ ଅବସରରେ ମିଶନ ଶକ୍ତି ମା’ଙ୍କୁ ଭେଟିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର

ଭୁବନେଶ୍ୱର: ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଭାଙ୍ଗିଲେ ଜେଲର । ଠେଙ୍ଗାରେ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ପିଟିଲେ । ଜାମୁଝରି ମୁକ୍ତାକାଶ ଜେଲରେ ଘଟିଛି ଏଭଳି ଘଟଣା । ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବିତ କରିଛି ଜେଲ ବିଭାଗ । ନିଲମ୍ବନ ସହ ବଦଳି ନିର୍ଦ୍ଦେଶ ମଧ୍ୟ ଦେଇଛି ବିଭାଗ । ସୁପରିଟେଣ୍ଡେଣ୍ଟ ଅଶୋକ ବେହେରାଙ୍କୁ ଆକ୍ରମଣ କରିଥିଲେ କେଦାରନାଥ ।

ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁଇ ବସ୍ ମୁହାଁମୁହିଁ ଧକ୍କା, ୧୪ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ୱର: ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁର୍ଘଟଣା । ଦୁଇ ବସ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘରୋଇ ବସ୍ ମନିଷା ଓ ଅରବିନ୍ଦ ବସ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଛି । ମନିଷା ବସଟି ଭଦ୍ରକରୁ ବାଲେଶ୍ବର ଆସୁଥିବା ବେଳେ, ବାଲେଶ୍ବରରୁ ଭଦ୍ରକ ଆସୁଥିବା ଅରବିନ୍ଦ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ବସର ଡ୍ରାଇଭର ଗୁରୁତର ଥିବା ବେଳେ, ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ବ୍ରିଜର ଭୁଲ ଡିଜାଇନ୍ ପାଇଁ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି ।