spot_img
Home Blog Page 2909

ମସ୍କୋ ଉପରେ ଆକ୍ରମଣ, ରାତି ଅଧରେ ଡ୍ରୋନ ଆଟାକ

ମସ୍କୋ: ମସ୍କୋ ଉପରେ ହମଲା । ଅଧରାତିରେ ଡ୍ରୋନ୍ ଆଟାକ । ଋଷ ରାଜଧାନୀର ଦୁଇ ଅଫିସ ଟାଓ୍ୱାର ଉପରେ ୟୁକ୍ରେନ ଡ୍ରୋନ୍ ହମଲା କରିଥିବା ବେଳେ ଦୁଇଟି ବ୍ଲକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କେହି ମୃତାହତ ହୋଇ ନଥିବା ମସ୍କୋ ମେୟର ସୂଚନା ଦେଇଛନ୍ତି । ହମଲା ପରେ ମସ୍କୋର ବନୁକୋଭ ଏୟାରପୋର୍ଟ ବନ୍ଦ କରିଦିଆଯାଇଛି । ବିମାନ ଉଡାଣ ବନ୍ଦ ରହିଥିବା ବେଳେ ଅବତରଣ ପାଇଁ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି । ଆକ୍ରମଣ କରିଥିବା ଡ୍ରୋନକୁ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିବା ବେଳେ ଆଟାକ ପାଇଁ ୟୁକ୍ରେନକୁ ଦାୟୀ କରିଛି କ୍ରେମଲିନ । ୟୁକ୍ରେନ ସୀମାଠାରୁ ପ୍ରାୟ ୫ ଶହ କିମି ଦୂରରେ ହୋଇଥିବା ଏହି ଆକ୍ରମଣକୁ ଆତଙ୍କୀ ହମଲା ବୋଲି କ୍ରେମଲିନ କହିଛି । ଆମେରିକା ଓ ନାଟୋ ସହଯୋଗୀଙ୍କ ବିନା ମସ୍କୋ ଉପରେ ଏଭଳି ଆକ୍ରମଣ କରିବା ୟୁକ୍ରେନ ପକ୍ଷେ ସହଜ ନୁହେଁ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି ।

ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୦ ଘଣ୍ଟା ପରେ ବି ଲିଭିନି ନିଆଁ

କୋଲକାତା: ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ୨୦ ଘଣ୍ଟା ପରେ ବି ଲିଭିନି ନିଆଁ । ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି ୧୭ଟି ଦମକଳ ଗାଡ଼ି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସ୍ଥିତ ବାରାଇପୁର ମଲ୍ଲିକପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଗତକାଲି ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ରାତିରୁ ହିଁ ନିଆଁ ଲିଭା କାମରେ ଲାଗିଛନ୍ତି ଟିମ୍‌ । କିନ୍ତୁ ୨୦ ଘଣ୍ଟା ପରେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି ।

ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା, ପୋଲିସ ଗାଡ଼ିକୁ ଅଟକ ରଖିଲେ ଗାଁ ଲୋକେ

ପିପିଲି: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଗାଡ଼ିକୁ ଅଟକ ରଖିଲେ ଗାଁ ଲୋକେ । ପିପିଲି ଥାନା ଜୟପୁରଶାସନ ଗାଁର ଜଣେ ଯୁବକକୁ ପୋଲିସ ଥାନାକୁ ନେଉଥିବା ବେଳେ ଭ୍ୟାନ୍‌ ଅଟକାଇଲେ ଗାଁ ଲୋକ । ମହିଳା ଓ ପୁରୁଷ ମିଶି ପ୍ରାୟ ଦେଢ଼ ଘଣ୍ଟା ଅଟକ ରଖିବା ପରେ ପୋଲିସ ଭ୍ୟାନକୁ ଛାଡ଼ିଥିଲେ । ସୂଚନା ଅନୁସାରେ ଧଉଳି ଥାନା ଅଂଚଳର ଏକ ମାମଲାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗାଁରେ ଲୁଚି ରହିଥିବା ପୋଲିସ ଖବର ପାଇ ରେଡ୍ କରିଥିଲା । ଧଉଳି ଅଞ୍ଚଳର ଏକ ଉଦଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସେମାନେ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ଶନିବାର ରାତିରେ ପିପିଲି ପୋଲିସ ସହାୟତାରେ ଗାଁ ମେଳଣ ପଡ଼ିଆ ଠାରେ ଚଢାଉ କରିଥିଲା । ଦୁଇଜଣ ଯୁବକ ଏକ ବାଇକକୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ବେଳେ ଗାଁର ଜଣେ ଯୁବକକୁ ପୋଲିସ ଧରିଥିଲା । ପରେ ତାକୁ ଭ୍ୟାନରେ ବସାଇ ଥାନାକୁ ନେବାକୁ ଉଦ୍ୟମ ବେଳେ ବିରୋଧ କରିଥିଲେ ଗାଁ ଲୋକ । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଥାନାଧିକାରୀ ପହଞ୍ଚି ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଯୁବକ ସମେତ ଜବତ ବାଇକକୁ ଧରି ପୋଲିସ ସେଠାରୁ ରାତି ସାଢେ ୧୧ଟାରେ ଥାନାକୁ ଫେରିଥିଲା । ପରେ ଯୁବକ ସମେତ ଜବତ ବାଇକକୁ ଧଉଳି ପୁଲିସ ସାଥିରେ ନେଇଥିବା ସୂଚନା ମିଳିଛି ।

ଇଞ୍ଜିନ ବଦଳାଯିବା ପରେ ଛାଡିଲା ଇସ୍ପାତ ଏକ୍ସପ୍ରେସ

ବଲାଙ୍ଗୀର: ଇଞ୍ଜିନ ବଦଳାଯିବା ପରେ ଛାଡିଲା ଇସ୍ପାତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ । କଣ୍ଟାବାଞ୍ଜିରୁ ହାଓ୍ବଡା ଯିବା ବେଳେ ଅଟକିଲା ଇସ୍ପାତ ଏକ୍ସପ୍ରେସ । ସଇଁତଳା ଷ୍ଟେସନରେ ଟେକ୍ନିକାଲ ଟିମ୍ ପହଞ୍ଚି ତଦାରଖ କରିଥିଲେ । ଆଜି ସକାଳ ୫ଟା ୪୫ରେ ଟ୍ରେନର ଇଞ୍ଜିନରେ ତ୍ରୁଟି ଦେଖା ଦେଇଥିଲା । ଫଳରେ ଯାତ୍ରୀମାନେ ହଇରାଣ ହୋଇଥିଲେ । ତେବେ ମରାମତି ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

ସାମ୍ନାକୁ ଆସିଲା ଏନସିଆରବିର ବିଚଳିତ କଲା ଭଳି ତଥ୍ୟ, ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା NCRBର ବିଚଳିତ କଲା ଭଳି ତଥ୍ୟ । ଦିନକୁ ନିଖୋଜ ହେଉଛନ୍ତି ୧ ହଜାର ୨୭୩ ମହିଳା । ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ୮୭ ଜଣ । ମଣିପୁରରେ ୨ ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସାରା ଦେଶରେ ଆକ୍ରୋଶ ପ୍ରକାଶ ପାଇଛି । ସମସ୍ତେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି । ଦେଶରେ ପ୍ରତ୍ୟେକ ଦିନ ୨୪୬ ଯୁବତୀ ଏବଂ ୧୦୨୭ ମହିଳା ନିଖୋଜ ହେଉଛନ୍ତି । କଠୋର ଆଇନ ସତ୍ତ୍ବେ ପ୍ରତିଦିନ ୮୭ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି । ଗତ ୫ ବର୍ଷରେ ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୨୧ରେ ରାଜସ୍ଥାନରେ ସର୍ବାଧିକ ୬ ଦଶମିକ ୩୩୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।

ସେହିପରି ମଧ୍ୟପ୍ରଦେଶରେ ୨ ହଜାର ୯୪୭, ଉତ୍ତରପ୍ରଦେଶରେ ୨ ହଜାର ୮୪୫ଟି ମାମଲା ରୁଜୁ ହୋଇଥିଲା । ଏନସିଆରବିର ୨୦୨୧ ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଗତ ୩ ବର୍ଷ ହେଲା ଶୀର୍ଷରେ ରହିଛି । ୨୦୧୮ରେ ମଧ୍ୟପ୍ରଦେଶରୁ ସର୍ବାଧିକ ୫ ହଜାର ୪୩୩ ଦୁଷ୍କର୍ମ ମାମଲା ଆସିଥିଲା । ଉତ୍ତରପ୍ରଦେଶ ଦ୍ଵିତୀୟ ଏବଂ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିଲା । ୨୦୨୧ରେ ଦେଶରେ ୩୧, ୬୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହା ୨୮ ହଜାର ୪୬ ଥିଲା । ତେବେ ପୀଡ଼ିତାଙ୍କ ସଂଖ୍ୟା ୨୮ ହଜାର ୨୫୩ ଥିଲା । ୨୦୧୯ରେ ୩୨ ହଜାର ୩୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୫ ବର୍ଷ ଭିତରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି, ବିଳମ୍ବିତ ରାତିରେ ଚୋରି କଲେ ଦୁର୍ବୃତ୍ତ

ଟାଙ୍ଗୀ: ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର ଲୁଟି ନେଇଛନ୍ତି । ହୁଣ୍ଡି ସୁରକ୍ଷିତ ଥିବା ବେଳେ, ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜୁଛି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷାରେ ନିସ୍ତାର ମିଳିବ ନାହିଁ । ଅଗଷ୍ଟ ୧ ଏବଂ ୨ରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧ ତାରିଖରେ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଯାଜପୁର ଏବଂ ଭଦ୍ରକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ବର୍ଷା ସମୟରେ ସହରାଞ୍ଚଳରେ ଆକସ୍ମିକ ବନ୍ୟା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବ । ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଗୋଟିଏ ଲଘୁଚାପ ଦୁର୍ବଳ ହେବା ପରେ ଗତକାଲି ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାର ସ୍ଥଳଭାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ସ୍ଥଳଭାଗରେ ସୃଷ୍ଟି ହୋଇଥିବାରୁ ୩ ଦିନ ପର୍ଯ୍ୟନ୍ତ ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ

ନୂଆଦିଲ୍ଲୀ: ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ । ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି । ଅଭିଯୁକ୍ତମାନଙ୍କଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରଣାଳୟର ଡିଜି ଅଫିସରେ ଯୁଗ୍ମ ନିର୍ଦ୍ଦେଶକ ଓ ସିନିୟର ଟେକ୍ନିକାଲ ଆସିଷ୍ଟାଣ୍ଟ ଭାବେ ନୂଆଦିଲ୍ଲୀରେ ନିଯୁକ୍ତି ପାଇଥିଲେ । ମନ୍ତ୍ରଣାଳୟର ଆଉ ଜଣେ ଯୁଗ୍ମ ନିର୍ଦ୍ଦେଶକ ଯିଏ ଏବେ ଚେନ୍ନାଇର କର୍ପୋରେଟ ଭବନରେ ଅଫିସିଆଲ ଲିକ୍ୟୁଡେଟର ଭାବେ କାମ କରୁଛନ୍ତି, ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ୩ ସରକାରୀ ବାବୁଙ୍କ ବ୍ୟତୀତ ମୁମ୍ବାଇରେ ଘରୋଇ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରିଜର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସିବିଆଇ କାବୁ କରିଛି । ଗିରଫ ଅଧିକାରୀମାନେ ଘରୋଇ କମ୍ପାନୀଠାରୁ ଲାଞ୍ଚ ନେଇ ବେଆଇନ କାମ କରୁଥିଲେ । କମ୍ପାନୀ ବେଆଇନ ଓ ଅନିୟମିତତା କରୁଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାର ଫାଇଲ ଗୁଡ଼ିକ ଯାଞ୍ଚ କରୁଥିଲା । ଏହାକୁ ରଫାଦଫା କରିବା ପାଇଁ ଖୋଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଲାଞ୍ଚ ନେଉଥିଲେ ।

ପୁଣି ଇତିହାସ ରଚିଲା ଇସ୍ରୋ, ଶ୍ରୀହରିକୋଟାରୁ PSLV-C56 ରକେଟର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଇସ୍ରୋ । ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ସାଟେଲାଇଟ୍ ଉତକ୍ଷେପଣ । PSLV-C56 ରକେଟରେ ୭ଟି ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରିଛି ଇସ୍ରୋ । ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ । ଭାରତର କମର୍ସିଆଲ ମିଶନ ହେଉଛି PSLV-C56 ।

ମଣିପୁରରେ ଟିମ୍ ଇଣ୍ଡିଆ, ଆଜି ଦ୍ୱିତୀୟ ଦିନରେ ଗ୍ରାମାଞ୍ଚଳରେ ସ୍ଥିତି ସମୀକ୍ଷା କରିବେ ବିରୋଧୀ ସାଂସଦ

ଇମ୍ଫାଲ: ଆଜି ଦ୍ୱିତୀୟ ଦିନରେ ମଣିପୁରରେ ସ୍ଥିତି ସମୀକ୍ଷା କରିବ ଟିମ୍‌ ଇଣ୍ଡିଆ । ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି । କ୍ୟାମ୍ପରେ ଥିବା ଲୋକଙ୍କ ଦୁଃଖ ବୁଝିଛନ୍ତି । ସେମାନେ ସେଠାକୁ ରାଜନୀତି କରିବାକୁ ନୁହେଁ ବରଂ ସମାଧାନର ବାଟ ଖୋଜିବାକୁ ଆସିଛନ୍ତି ବୋଲି କହିଛନ୍ତି । କ୍ୟାମ୍ପରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କ ଭବିଷ୍ୟତ କ’ଣ ହେବ ଜାଣିନାହାନ୍ତି । ତାଙ୍କ ପିଲାମାନେ ଆଗକୁ ପାଠ ପଢିପାରିବେ କି ନାହିଁ ଜାଣିନାହାନ୍ତି । ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ଟିମ୍ । ହିଂସା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସବୁକିଛି ଠିକ୍‌ ହେବ ବୋଲି ଆଶ୍ୱାସନା ଦେଇଛନ୍ତି । ଭାଇରାଲ ଭିଡିଓ ପୀଡିତା ମହିଳାଙ୍କୁ ମଧ୍ୟ ଭେଟିଛନ୍ତି ସାଂସଦ । ଆଜି ପ୍ରଭାବିତ ଗ୍ରାମାଞ୍ଚଳ ଅଞ୍ଚଳ ସ୍ଥିତି ସମୀକ୍ଷା କରିବେ ବିରୋଧୀ ସାଂସଦ । ସେଠାରେ ରିପୋର୍ଟ ଆଣି ସଂସଦରେ ସରକାରଙ୍କୁ ଘେରିବା ସହ ସ୍ଥିତିର ସମାଧାନ ପାଇଁ ତୁରନ୍ତ ଦାବି କରିବେ ବିରୋଧୀ ।