spot_img
Home Blog Page 2914

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବଢୁଛି ଭିଡ

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା । ଆଜି ପୂର୍ଣ୍ଣିମା ତିଥି ଆରମ୍ଭ ହୋଇଥିବାରୁ ବିଭିନ୍ନ ନଦୀରେ କାଉଡିଆ ଭକ୍ତମାନେ ଜଳଭାର ଉଠାଇ ଶିବାଳୟକୁ ଆସିବେ ।

ଏଥିପାଇଁ ଆରଡିପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ବିଶେଷକରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଘାଟରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିବା ବେଳେ, ନଦୀର ଉଭୟ ପାର୍ଶ୍ବକୁ ପୋଲିସ ଜଗି ରହିଛି ।

ସୁପ୍ରିମକୋର୍ଟ ଖୋଲିବାର ପ୍ରଥମ ଦିନରେ ମଣିପୁର ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ମଣିପୁର ହିଂସା ସମ୍ପର୍କିତ ମାମଲାର ଶୁଣାଣି କରାଯିବ । ସିଜେଆଇଙ୍କ ନେତୃତ୍ୱରେ ସ୍ବତନ୍ତ୍ର ବେଞ୍ଚ ମଣିପୁରରେ ହିଂସା ସହ ଜଡିତ ଏକ ପିଟିସନର ଶୁଣାଣି କରିବେ । ୬ ସପ୍ତାହର ଗ୍ରୀଷ୍ଣକାଳୀନ ଛୁଟିପରେ ଆଜିଠୁ ସୁପ୍ରିମକୋର୍ଟ ଖୋଲିବାକୁ ଥିବାବେଳେ ପ୍ରଥମ ଦିନରେ ମଣିପୁର ମାମଲାର ଶୁଣାଣି କରାଯିବ । ଏହାସହିତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟା ମାମଲାର ମଧ୍ୟ ଶୁଣାଣି ହେବାନେଇ ସୂଚନା ରହିଛି ।

ଛୁଟି ଅବଧିରେ କୋର୍ଟ ୨ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ଆବେଦନ ଗ୍ରହଣ କରିଥିଲେ । ଏହି ସମୟରେ ସମାଜସେବୀ ତିସ୍ତା ସେଟାଲଭାଡଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ । ଅନ୍ୟପଟେ ଗ୍ରୀଷ୍ମ ବିରତି ସମୟରେ ସୁପ୍ରିମକୋର୍ଟର ତିନିଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ କେ.ଏମ ଜୋସେଫ, ଜଷ୍ଟିସ ଅଜୟ ରାଷ୍ଟୋଗି ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟନ ଅବସର ନେଇଛନ୍ତି । ଏବେ ବିଚାରପତିଙ୍କ ସଂଖ୍ୟା ୩୧ କୁ ଖସି ଆସିଛି ।

ବିଚାରପତିଙ୍କ ଅବସର ପରେ କାର୍ଯ୍ୟକାରୀ 15ଟି ବେଞ୍ଚରେ ନୂତନ ମାମଲା ଆବଣ୍ଟନ ପାଇଁ ସର୍ବୋଚ୍ଚ ଅଦାଲତ ମଧ୍ୟ ଏକ ନୂତନ ରୋଷ୍ଟର ବାହାର କରିଛନ୍ତି । ସିଜେଇର ଅଧ୍ୟକ୍ଷତାରେ ଥିବା ପ୍ରଥମ ତିନିଟି କୋର୍ଟ ଏବଂ ଦୁଇଜଣ ବରିଷ୍ଠ ବିଚାରପତି ଯଥାକ୍ରମେ ପିଏଲ୍ ଶୁଣାଣି କରିବେ।

ମଣିପୁର ହିଂସାରେ ୪ ଜଣଙ୍କ ମୃତ୍ୟୁ, ବଢିଲା କର୍ଫ୍ୟୁ ସମୟ

0

ଇମ୍ପାଲ: ମଣିପୁରରେ ବଢୁଛି ହିଂସା । ବିଷ୍ଣୁପୁର ଓ ଚୁରାଚନ୍ଦପୁର ଜିଲ୍ଲାର ସୀମାରେ ହିଂସା ଯୋଗୁଁ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ସ୍ଥାନରେ ଏବେ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ସକାଳ ୫ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ ସମୟକୁ କୋହଳ କରାଯାଇଛି । ତାପରେ ଲୋକେ ଘରୁ ବାହାରିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୃତକଙ୍କ ମଧ୍ୟରେ ଜଣେ କୁକି ସମ୍ପ୍ରଦାୟର ଥିବା ବେଳେ ଅନ୍ୟ ତିନି ଜଣ ମୈତେଇ କମ୍ୟୁନିଟିର ବୋଲି ଜଣାପଡ଼ିଛି ।

ଆକ୍ରମଣକାରୀ ହଠାତ ଆକ୍ରମଣ କରିବାରୁ ଏମାନେ ସମସ୍ତେ ଅପରପକ୍ଷକୁ ଆକ୍ରମଣ କରିଥିଲେ । ମଣିପୁର ହିଂସା ପଛରେ ପଡୋଶୀ ଦେଶର ହାତ ଅଛି ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଥିଲେ । ତାଙ୍କ ମତକୁ ନେଇ ବିବାଦ ବଢିଥିଲା । ବିରୋଧୀ ଏହାକୁ ସମାଲୋଚନା କରିବା ସହ ଯଦି ହିଂସା ପଛରେ ଚୀନର ହାତ ଅଛି । ତେବେ ବିଜେପି ସରକାର ଏଥିପାଇଁ କି ପଦକ୍ଷେପ ନେଇଛନ୍ତି ।

ମଣିପୁର ସୀମାକୁ ଚୀନ ଓ ମିଆଁମାରର ସୀମା ଲାଗିଥିବା ବେଳେ ସୀମା ସେପଟୁ ବିବାଦ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି । ଦିନକୁ ଦିନ ଉଗ୍ର ହେଉଛି ହିଂସା । ସବୁ ପ୍ରକାର ଉଦ୍ୟମ ପରେ ବି ବାରମ୍ବାର ହିଂସା କାହିଁକି ଘଟୁଛି, ଏହାକୁ ନେଇ ଜାରି ରହିଛି ଚର୍ଚ୍ଚା । ମଣିପୁର ଭଳି ଶାନ୍ତିପ୍ରିୟ ରାଜ୍ୟରେ ଗତ କିଛିଦିନ ଧରି ଭୟଙ୍କର ଦଙ୍ଗା ହେଉଛି । ଶତାଧିକ ଲୋକଙ୍କ ପ୍ରାଣହାନି ଘଟିବା ସହ ଅନେକ ଲୋକ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ।

 

ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ଅତର୍କିତ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଝାରସୁଗୁଡ଼ା: ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛରେ ଥିବା ଲେକଚର କଲୋନୀରେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ମୃତକ ହେଲେ କୈଳାସ ମେହେର । କୌଣସି କଥାକୁ ନେଇ କୈଳାସଙ୍କୁ ଲେକଚର କଲୋନୀର କିଛି ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଟାଉନ ଥାନା ଅଧିକାରୀ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକ କୈଳାସଙ୍କ ସମ୍ପର୍କୀୟ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଜୁଲାଇ ୮ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟରେ ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୧ ହଜାର ୩୧୧ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ ।

୮ହଜାର ୧୯୫ ଜଣ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ । ୮ତାରିଖରେ ପରୀକ୍ଷା ସରିବା ପରେ ଫଳ ଖୁବଶୀଘ୍ର ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇରେ ନାମ ଲେଖାଇବାର ସୁଯୋଗ ପାଇବେ । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଗତ ମେ ୨୬ ତାରିଖରୁ ଫର୍ମ ଫିଲଅପ୍ ଆରମ୍ଭ ହୋଇ ଜୁନ୍ ୧ ତାରିଖରେ ଶେଷ ହୋଇଥିଲା ।

୪ ପରେ ବଦଳିବ ପାଗ, ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଗୁଳୁଗୁଳିରୁ ମିଳିବ ତ୍ରାହି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ବିସ୍ତୃତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏଥିପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବିଶେଷକରି ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

୧୬ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୯ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି । ୧୨ ଜିଲ୍ଲାକୁ ବଜ୍ରପାତ ପାଇଁ ଆଲର୍ଟ ଜାରି ହୋଇଛି । କାଲିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବାର ସମ୍ଭାବନା ରହିଛି । ଜୁନ ଆରମ୍ଭରୁ ଏଯାଏଁ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି ।

ମୌସୁମୀ ଦୁର୍ବଳ ଥିଲା, ଏବେ ତାହା ସ୍ବଭାବିକ ସ୍ଥିତିକୁ ଆସୁଛି । ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡିଶାରେ ଅର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଛି । ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି । ୪ ତାରିଖ ପରେ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

IPS ସାଗରିକା ନାଥଙ୍କ ପରିବାରକୁ ବିଚ୍‌ ରାସ୍ତାରେ ଅଟକାଇ ଲୁଟ ଉଦ୍ୟମ

ଭୁବନେଶ୍ବର: IPS ସାଗରିକା ନାଥଙ୍କ ପରିବାର ଠାରୁ ଲୁଟ ଉଦ୍ୟମ । ଘାଟିକିଆ ରାସ୍ତାରେ ବିଳମ୍ବିତ ରାତିରେ ଲୁଟିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ସାଗରିକାଙ୍କ ବାପା ମା’ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନ୍‌କ୍ଲେଭ୍‌ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇବା ସହ ଟଙ୍କା ସୁନା ଛଡ଼ାଇଥିଲେ ।

କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ନଦେବାରୁ ସାଗରିକାଙ୍କ ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏତଲା ପରେ ଘଟଣାର ତଦନ୍ତ କରୁଛି ଭରତପୁର ଥାନା ପୋଲିସ । ପୂର୍ବତନ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ତଥା ବର୍ତ୍ତମାନର ବାଲେଶ୍ବର ଏସ୍‌ପି ଅଛନ୍ତି ସାଗରିକା ନାଥ ।

ହେଲମେଟ ଚେକିଂବେଳେ ପୋଲିସକୁ ଚକମା ଦେବା ହେଲା କାଳ, ମୁକୁଳା ଡ୍ରେନରେ ବାଇକ ପଡ଼ିଯିବାରୁ ଦୁଇ ଅରୋହୀଙ୍କ ମୃତ୍ୟୁ

ବୌଦ୍ଧ: ହେଲମେଟ ଚେକିଂବେଳେ ପୋଲିସକୁ ଚକମା ଦେବା ହେଲା କାଳ । ମୁକୁଳା ଡ୍ରେନରେ ବାଇକ ଗଳି ପଡ଼ିବାରୁ ଦୁଇଜଣ ବାଇକ ଅରୋହୀଙ୍କ ମୃତ୍ୟୁ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପକ୍ଷରୁ ଆଠମଲ୍ଲିକ ପୁରୁଣାକଟକ ରୋଡ଼ ବୁରୁବୁଡା ଠାରେ ହେଲମେଟ ଚେକିଂ ଚାଲିଥିଲା । ପୁରୁଣାକଟକ ପଟୁ ବାଇକରେ ଦୁଇଜଣ ଫାଇନରୁ ବର୍ତ୍ତିବା ପାଇଁ ଦୃତ ଗତିରେ ଆସୁଥିବା ବେଳେ ତିଳେଶ୍ୱର ବଜାର ମଧ୍ୟରେ ଥିବା ମୁକୁଳା ଡ୍ରେନରେ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ । ଫଳରେ ଉଭୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ମଧୁସୂଦନପୁର ଗ୍ରାମର ରମେଶ ଦଳବେହେରା ଓ ମଣିକପୁର ଗ୍ରାମର ଗଣେଶ ପ୍ରଧାନ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ପୂର୍ବରୁ ମଧ୍ୟ ଏପରି ବିଦ୍ରୋହ ଦେଖିଛି, ପୁଣିଥରେ ଦଳକୁ ଛିଡ଼ା କରି ଦେଖାଇବି: ଶରଦ ପୱାର

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ହଟଚମଟ । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି । ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଛନ୍ତି ଯେ ଜନତା କହିବେ ଦଳ କାହାର । ଶରଦ କହିଛନ୍ତି ମୁଁ ଲୋକଙ୍କ ଗହଣକୁ ଯିବି ଏବେ ସମର୍ଥନ ଜୁଟାଇବି । ଏନସିପି ସୁପ୍ରିମୋ ଆଗକୁ କହିଛନ୍ତି, ଅଜିତ ପାଓ୍ବାର ବିଶ୍ବାସଘାତକ ନୁହେଁ ଚୋରି କରିଛନ୍ତି ।

ତାଙ୍କ ରାଜନୈତିକ କ୍ୟାରିୟରରେ ଏଭଳି ଅନେକ ସମସ୍ୟା ଦେଖିଛନ୍ତି  । ଅନେକ ବିଧାୟକ ଏନସିପି ଛାଡି ଯାଇଛନ୍ତି  । କିନ୍ତୁ ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର ଠପ ହୋଇଯାଇଛି  ଅଜିତଙ୍କ ବିଜେପି ସହ ଯିବା ବୟାନ ଉପରେ ଶରଦ କହିଛନ୍ତି ଏନସିପିର ବିଚାରଧାରା ଏହି କଥାର ଅନୁମତି ଦିଏନି ଯେ ବିଜେପି ସହ ମେଣ୍ଟ କରାଯିବ । ଶରଦ ପୱାର କହିଛନ୍ତି ଯେ ମୁଁ ୬ ଜୁଲାଇରେ ସମସ୍ତ ନେତାମାନଙ୍କ ଏକ ବୈଠକ ଡକାଇଥିଲି ।

ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ଥିଲା ଏବଂ ଦଳ ଭିତରେ କିଛି ପରିବର୍ତ୍ତନ କରାଯିବାର ଥିଲା କିନ୍ତୁ ଏହା ପୂର୍ବରୁ କିଛି ନେତା ବିଦ୍ରୋହ କରିଛନ୍ତି । ପ୍ରଧାନମନ୍ତ୍ରୀ କିଛି ଦିନ ତଳେ କହିଥିଲେ ଯେ ଏନସିପି ସମାପ୍ତ ହୋଇଯାଇଥିବା ଦଳ ଅଟେ । ପ୍ରଧାନମନ୍ତ୍ରୀ ଏନସିପିକୁ ଦୁର୍ନୀତିଖୋର ପାର୍ଟି କହୁଥିବା ବେଳେ ସେହି ଦଳରୁ ବିଧାୟକଙ୍କ ସହଯୋଗ କାହିଁକି ଲୋଡିଲେ ବୋଲି ପ୍ରଶ୍ନ କରିଛନ୍ତି ଶରଦ ପାଓ୍ବାର  ।

ଏନସିପି ମୁଖିଆ ଶରଦ ଆଗକୁ କହିଛନ୍ତି, ନେତା ଦଳ ସହ ବିଦ୍ରୋହ କରିବା କୌଣସି ନୂଆ କଥା ନୁହେଁ । ୧୯୮୦ ମସିହାରେ ଯେଉଁ ଦଳର ନେତୃତ୍ୱ କରୁଥିଲି, ତାର ୫୮ ବିଧାୟକ ଥିଲେ. ପରେ ସମସ୍ତେ ଦଳ ଛାଡି଼ ଚାଲିଯାଇଥିଲେ ଏବଂ କେବଳ ୬ ବିଧାୟକ ରହିଥିଲେ । କିନ୍ତୁ ମୁଁ ସଂଖ୍ୟାକୁ ମଜବୁତ କରିଥିଲି ଏବଂ ଯେଉଁମାନେ ମୋତେ ଛାଡିଥିଲେ ସେମାନେ ନିଜ ନିର୍ବାଚନ କ୍ଷେତ୍ରରେ ପରାଜିତ ହୋଇଥିଲେ । ଏଥିର ମଧ୍ୟ କିଛି ନେତା ବିଦ୍ରୋହ କରିଛନ୍ତି । ମୁଁ ଦଳକୁ ପୁଣିଥରେ ଛିଡା କରି ଦେଖାଇବି ବୋଲି ଶରଦ ପୱାର କହିଛନ୍ତି ।

ବୃଥା ଯିବନି ଷ୍ଟେଲନଙ୍କ ପରିଶ୍ରମ, କଟକ କ୍ରୀଡ଼ା ହଷ୍ଟେଲରେ ରହି କ୍ରିକେଟ ପାଇଁ ପ୍ରଶିକ୍ଷଣ ନେବେ

ମାଲକାନଗିରି: ବୃଥା ଯିବନି ପରିଶ୍ରମ । ସାରା ଦେଶ ଦେଖିବ ମାଲକାନଗିରି କୁମୁଟିଗୁଡ଼ା ଷ୍ଟେଲନ ରାଜଙ୍କ ଖୋସଲାଙ୍କ ଲୁକ୍କାୟିତ ପ୍ରତିଭା । ଫାଇଭ -ଟି ସଚିବଙ୍କ ନିର୍ଦ୍ଦେଶରେ ଯୋଗାଇ ଦିଆଗଲା ସହାୟତା । କଟକ କ୍ରୀଡ଼ା ହଷ୍ଟେଲରେ ରହି କ୍ରିକେଟ ପାଇଁ ପ୍ରଶିକ୍ଷଣ ନେବେ ଷ୍ଟେଲନ । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଷ୍ଟେଲନ କ୍ରୀକେଟରେ ନିଜ ଭବିଷ୍ୟତ ଗଠନ କରିବେ ବୋଲି ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଫାଇବ-ଟି ସଚିବଙ୍କୁ ଜଣାଇଥିଲେ । ଫାଇବ-ଟି ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟେଲନଙ୍କ ବିଷୟରେ ଅବଗତ କରାଇଥିଲେ ।

ମୁଖ୍ୟମନ୍ତ୍ରୀ ଏବେ ଷ୍ଟେଲନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ କଟକ କ୍ରୀଡା ହଷ୍ଟେଲରେ ରହି ରାଇଜିଂ ଷ୍ଟାର କ୍ଲବରେ ପ୍ରଶିକ୍ଷଣ ନେବାକୁ ପ୍ରଶାସନ ବ୍ୟବସ୍ଥା କରିଛି । ଏହା ସହ ସେ କଟକର କ୍ରାଇଷ୍ଟ କଲେଜରେ ପାଠ ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେପଟେ ମାଲକାନଗିରି ଜିଲ୍ଲାପାଳ ତାଙ୍କୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ସ୍ବପ୍ନକୁ ସାକର କରିବାକୁ ସୁଯୋଗ ମିଳିଥିବାରୁ ଷ୍ଟେଲନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।