ଶ୍ରୀହରିକୋଟା: ଚନ୍ଦ୍ରଯାନ-୩ ମହାକାଶଯାନ ବର୍ତ୍ତମାନ ପୃଥିବୀର ୧,୨୭,୬୦୯ କିମି X ୨୩୬ କିମି କକ୍ଷପଥରେ ପହଞ୍ଚିସାରିଛି । ଏହା ଟ୍ରାନ୍ସଲୁନାର ଇଞ୍ଜେକ୍ସନ ପାଇଁ ପ୍ରସ୍ତୁତ ହେଉଛି ବୋଲି ଇସ୍ରୋ ସୂଚନା ଦେଇଛି । ଅଗଷ୍ଟ ପହିଲାରେ ଧାର୍ଯ୍ୟ ହୋଇଥିବା ଟିଲଆଇ ମହାକାଶଯାନକୁ ଚନ୍ଦ୍ର ଆଡ଼କୁ ସ୍ଲିଙ୍ଗସଟ୍ କରିବ । ଏହାପରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଯାତ୍ରା ଆରମ୍ଭ ହେବ । ଚନ୍ଦ୍ରଯାନ-୩ ସଫଳତାର ସହ ଅନ୍ତିମ ପୃଥିବୀ-ବନ୍ଧିତ କକ୍ଷପଥ ବୃଦ୍ଧି ପ୍ରକ୍ରିୟା ଜୁଲାଇ ୨୫ରେ ସମ୍ପନ୍ନ କରିଛି। ବେଙ୍ଗାଲୁରୁର ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟ୍ୱର୍କ (ଇଷ୍ଟ୍ରାକ୍) ଦ୍ବାରା ଏହି ମାନିଉଭର୍ କରାଯାଇଥିଲା। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ଏବଂ ବୁଲିବା ଲାଗି ଯଥାସମ୍ଭବ କ୍ଷମତା ପ୍ରଦର୍ଶନ କରିବାକୁ ଚନ୍ଦ୍ରଯାନ-୩ ମିଶନ ଲକ୍ଷ୍ୟ ରଖିଛି।
ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷବନ୍ଧୁଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ରିଲ୍ ନୁହେଁ ରିଅଲ ଲାଇଫ ଝାମେଲା ପଡ଼ିଛି ପଦାରେ । ଜଣେ ଜଣାଶୁଣା ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ଆଣିଲେ ଅଭିଯୋଗ । ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପୁଣିଥରେ ଠକେଇ, ନିର୍ଯ୍ୟାତନା, ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହେଲା । ପୁରୁଷ ବନ୍ଧୁ ମଧ୍ୟ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସୁଟିଂ ସେଟରେ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ରହିଛି । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେସ୍ ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ ଏ, ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ୬୬ -ଏ, ୬୬-ଇ, ୬୭, ୬୭-ଏ ରେ ମାମଲା ରୁଜୁ ହୋଇଛି ।
ସକ୍ରିୟ ରହିଛି ଲଘୁଚାପ, ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା
ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆଜି ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି ହୋଇଛି । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧିରେ ଧିରେ ସାଧାରଣ ଅବସ୍ଥାନକୁ ଫେରୁଛି । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ପୁଣି ବଢିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।
ଧୋଇଗଲାଣି ସଂସଦର ୬ଟି କାର୍ଯ୍ୟଦିବସ, ସ୍ବାଭାବିକ ହେଉନି ଗୃହ
ନୂଆଦିଲ୍ଲୀ: ୬ ଦିନ ବିତିଲା ହେଲେ ସ୍ବାଭାବିକ ହୋଇପାରୁନି ସଂସଦ । ମଣିପୁର ପ୍ରସଙ୍ଗରେ ଧୋଇଗଲାଣି ୬ଟି କାର୍ଯ୍ୟଦିବସ । ଆଜି ସପ୍ତମ ଦିନରେ ବି ସଂସଦ ସ୍ବାଭାବିକ ହେବା ଆଶା କ୍ଷୀଣ । ମଣିପୁର ପ୍ରସଙ୍ଗରେ ଉତ୍ତର ମାଗି ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡିଆ ମେଣ୍ଟ ଦଳର ସବୁ ସାଂସଦ କଳାପୋଷାକ ପିନ୍ଧି ସଂସଦରେ ନାରାବାଜି କରିଥିଲେ । ଭାଷଣବାଜିରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବୟାନ ନଦେବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ କହିଛନ୍ତି ।
ଦେଶରେ ଗୋଟିଏ ଅଂଶ ଜଳୁଥିବା ବେଳେ ସରକାର କ୍ଷମତା ଅଂହକାରରେ ଅନ୍ଧ ହୋଇଯାଇଥିବା କହି ସମାଲୋଚନା କରିଛି କଂଗ୍ରେସ । ଆସନ୍ତା ୨୩ ଓ ୨୪ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆ ଟିମ ମଣିପୁର ଯିବ ବୋଲି ଜଣାପଡ଼ିଛି । ସେପଟେ ମଣିପୁର ଭାଇରାଲ୍ ଭିଡିଓ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି କେନ୍ଦ୍ର ସରକାର । ଭାଇରାଲ ଭିଡିଓକୁ ନେଇ ସବୁଠୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ବ୍ରିଜଟାଉନରେ କୁଲଦୀପ ଓ ଜାଡେଜା ଯାଦୁ, ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ
ନୂଆଦିଲ୍ଲୀ: ବ୍ରିଜଟାଉନରେ କୁଲଦୀପ ଓ ଜାଡେଜା ଯାଦୁ । ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ । ମାତ୍ର ୨୩ ଓଭରରେ ଲକ୍ଷ୍ୟ ପୂରଣ ସହିତ ମ୍ୟାଚ ଜିତିଲା ଭାରତ । ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଓ୍ବିକେଟରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ଭାରତ । ଭାରତୀୟ ବୋଲରଙ୍କ ଆଗରେ ମାତ୍ର ୨୩ ଓଭର ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ୨୩ ଓଭରରେ ଦଳ ମାତ୍ର ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା । କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ଟି ଓ୍ବେକେଟ ନେଇଥିଲେ । ସେହିପରି ଡେବ୍ୟୁ କରିଥିବା ମୁକେଶ କୁମାରଙ୍କ ସମେତ ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ ।
ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ସର୍ବାଧିକ ୪୩ ରନ କରିଥିଲେ । ଜବାବରେ ୨୩ ଓଭରରେ ଲକ୍ଷ୍ୟ ପୂରଣ କରି ମ୍ୟାଚ ଜିତିନେଇଥିଲା ଭାରତ । ଟିମ୍ ଇଣ୍ଡିଆର ଇଷାନ କିଶାନ ସର୍ବାଧିକ ୫୨ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୯ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଅପରାଜିତ ୧୬ ରନ କରିଥିବାବେଳେ କ୍ୟାପନେଟ ରୋହିତ ଶର୍ମା ୧୨ ରନ କରି ଅପରାଜିତ ରହିଥିଲେ ।
ପଟ୍ଟାମୁଣ୍ଡାଇରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ହେବାକୁ ଯାଉଥିବାବେଳେ କୁମ୍ଭୀର ଟାଣିନେଇଥିବା ସନ୍ଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପୁଣି କୁମ୍ଭୀର ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣିନେଇଥିବା ସନ୍ଦେହ । ପଟ୍ଟାମୁଣ୍ଡାଇ କୁଳସାହି ଗାଁ ବ୍ରାହ୍ମଣୀ ନଦୀ ନିକଟରେ ଘଟିଛି ଅଘଟଣ । ଗତକାଲିଠୁ ନିଖୋଜ ଅଛନ୍ତି ଅମୁଲ୍ୟ ଦାସ । ଗତକାଲି ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ନଦୀ ନିକଟରେ ତାଙ୍କର ବାଡି, ଚପଲ ମିଳିଛି । ଅମୁଲ୍ୟଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତି ଯାଏ ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

