ଭୁବନେଶ୍ୱର : ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବାର ଓ ପବରେ ରେଡ୍ । ସୁପରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ରେଡ୍ କରାଯାଇଛି । ଡିଏସପି ରାଜଶେଖର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଭୁବନେଶ୍ୱରର ବିଭିନ୍ନ ବାର ଓ ପବରେ ମାରାଥନ ରେଡ କରିଛି । ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବା ବେଳେ, କିଛି ବାର ଓ ପବ ନିୟମ ଖିଲାପ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲୁଥିବା ନେଇ ଅଭିଯୋଗ ହେଉଥିଲା । ତେଣୁ ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚେକିଂ କରାଯାଇଛି । ସିସିଟିଭି ଚେକ କରାଯାଇ ବାର ମାଲିକଙ୍କୁ ପଚରାଉଚରା କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ଚେକିଂ ଜାରି ରହିବ ବୋଲି ସୂଚନା ମିଳିଛି । ଦୁଇଦିନ ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ବିନା ଲାଇସେନ୍ସରେ ବେଧଡକ ନିଶା କାରବାର ଚାଲୁଥିବା ନେଇ ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଥିଲା ବିଭାଗ । ସତ୍ୟବିହାରରେ ଥିବା ନୋ ଲିମିଟ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଥିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।
ଦିଲ୍ଲୀରେ ବିଗିଡ଼ିଲା ବାୟୁର ଗୁଣବତ୍ତା, ସଂଧ୍ୟା ୬ଟାରେ ବାୟୁର ମାନ ୪୪୧ ରେକର୍ଡ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ବିଗିଡ଼ିଲା ବାୟୁର ଗୁଣବତ୍ତା। ଗୋଟିଏ ଦିନରେ ଦୁଇ ଦୁଇ ଥର ଜାତୀୟ ରାଜଧାନୀ ଦିଲ୍ଲୀରେ ଲାଗିଲା କଟକଣା। ପ୍ରଦୂଷଣ ନେଇ ଗ୍ରାପ୍ ୩ କଟକଣା ଜାରି କରିବାର କିଛି ଘଣ୍ଟା ମଧ୍ୟରେ ଗ୍ରାପ-୪ କଟକଣା ଜାରି କରାଯାଇଛି। ସଂଧ୍ୟା ୬ଟାରେ ଦିଲ୍ଲୀରେ ବାୟୁର ମାନ ୪୪୧ ରେକର୍ଡ ହୋଇଛି। ଅଧିକାଂଶ ସ୍ଥାନରେ AQI ୪୦୦ ପାର କରିଛି। ଏକ୍ଯୁଆଇ ଭେରି ସିଭିୟର କାଟେଗୋରୀ ସ୍ଥରରେ ପହଞ୍ଚିଥିବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ଏହା ସହ ଦୃଶ୍ୟମାନ ଦୂରତା ବି ହ୍ରାସ ପାଇଛି।ଗତ ମଙ୍ଗଳବାରପରଠାରୁ ସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ ମଙ୍ଗଳବାର ଏକ୍ଯୁଆଇ ୨୮୨ ଥିବାବେଳେ ବୁଧବାର ୨୫୯, ଗୁରୁବାର ୩୦୭ ଓ ଶୁକ୍ରବାର ୩୪୯ ଥିଲା। ଆଜି ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୦୦ ପାଖାପାଖି ରହିଥିବାରୁ ଆସନ୍ତାଦିନରେ ଯେ ଅଧିକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ଏହା ସ୍ପଷ୍ଟ ହୋଇଛି। ୱାଜିରପୁରରେ ୪୪୩, ଜାହାଙ୍ଗିରପୁରୀରେ ୪୩୯, ବିବେକ ବିହାରରେ ୪୩୭, ରୋହିଣୀରେ ୪୩୪, ଆନନ୍ଦ ବିହାରରେ ୪୩୪, ଅଶୋକ ବିହାରରେ ୪୩୧, ସୋନିଆ ବିହାରରେ ୪୨୭ ଥିବା ସୂଚନା ମିଳିଛି।
ଥମୁନି ବିଧାୟକଙ୍କ ଦରମା ବୃଦ୍ଧି ଝଡ଼, ସାଧାରଣରେ ଅସନ୍ତୋଷ
ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ଦରମା, ପେନସନ ଓ ଭତ୍ତା ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଧାୟକମାନେ ଦରମା ବୃଦ୍ଧି ନେଇ ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ଏହାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ଓ ବିରୋଧୀ ସରକାରଙ୍କୁ ଘେରିଲେଣି । ବିଧାୟକଙ୍କ ଦରମା ବୃଦ୍ଧି ବିଲକୁ ଖାରଜ କରିବାକୁ ଯୁବ କଂଗ୍ରେସ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।
ଥମୁନି ବିଧାୟକଙ୍କ ଦରମା ବୃଦ୍ଧି ଝଡ଼ । ଦରମା ବୃଦ୍ଧି ବିଲକୁ ଖାରଜ କରିବାକୁ ଯୁବ କଂଗ୍ରେସର ଦାବି । ରାଜ୍ୟପାଳଙ୍କୁ ଦାବିପତ୍ର ଦେବାକୁ ପ୍ରସ୍ତୁତି । ବିଧାୟକମାନେ ରଖିଲେ ଭିନ୍ନ ଭିନ୍ନ ମତ ।.. ..ବିଧାୟକଙ୍କ ଦରମା ୩ଗୁଣ ହେଲା । କାହିଁକି ଆବଶ୍ୟକ ଠାରୁ ଅଧିକ ବୃଦ୍ଧି ହେଲା ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବର୍ଷକୁ ୫ ହଜାର ଟଙ୍କାରେ ଅନଲିମିଟେଡ ଡାଟା ସହ ଅନଲିମିଟେଡ କଲ ଉପଲବ୍ଧ ହୋଉଥିବା ବେଳେ କାହିଁକି ବିଧାୟକଙ୍କୁ ମାସିକ ଟେଲିଫୋନ ଭତ୍ତା ୫ରୁ ୧୫ ହଜାରକୁ ବୃଦ୍ଧି କରାଗଲା । ବିଦ୍ୟୁତ ଭତ୍ତାକୁ ମଧ୍ୟ ୫ ହଜାରରୁ ୨୦ ହଜାର ଟଙ୍କା ବୃଦ୍ଧି ହେବାର କାରଣ କଣ ? ବିଧାୟକ ମାନଙ୍କୁ ବହି କିଣା ବାବଦକୁ ମାସିକ ୨ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା କାହିଁକି ? ଯୁବ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ଲେଙ୍କା ଏପରି ଅଭିଯୋଗ କରି ବିଜେପି ସରକାର ଉପରେ ବର୍ଷିଛନ୍ତି । ଓଡ଼ିଶା ଭଳି ଗରିବ ରାଜ୍ୟରେ ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ ହେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଏନେଇ ଯୁବ କଂଗ୍ରେସ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ସହ ବିଧାୟକ ଦରମା ବୃଦ୍ଧି ବିଲକୁ ଖାରଜ କରିବାକୁ ଦାବି କରିଛନ୍ତି । ଶାସକ ଦଳ ବିଧାୟକ ବାବୁ ସିଂ କହିଛନ୍ତି ଦରମା ବୃଦ୍ଧି ନେଇ ପ୍ରଶ୍ନ ଉଠିବାରୁ ସେ ତାଙ୍କ ଦରମା ଲୋକଙ୍କୁ ବାଣ୍ଟିଦେବେ ବୋଲି କହିଛନ୍ତି ।
ବିଧାୟକଙ୍କ ଦରମା ଏକାଥରେ ୩ଗୁଣା ବୃଦ୍ଧି ନେଇ ସାଧାରଣରେ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ । ଦରମା ବୃଦ୍ଧି ହେବାର ଆବଶ୍ୟକ ରହିଛି । ଦରଦାମ ବୃଦ୍ଧି ଓ ବିଧାୟକଙ୍କ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଦରମା ବୃଦ୍ଧି କରାଯାଇଛି । ଶାସକ ଦଳ ବିଧାୟକଙ୍କ ଦରମା ବୃଦ୍ଧି କରିବା ନେଇ ପ୍ରସ୍ତାବ ଆଣି ଗୃହରେ ପାରିତ କରିଛି । ଅନ୍ୟପଟେ କଂଗ୍ରେସର ଯୁବ ବିଧାୟକ ପବିତ୍ର ସାଉଁଟା ଦରମା ବୃଦ୍ଧି ନେଇ ଭିନ୍ନ ମତ ରଖିଛନ୍ତି ।
ସାରା ଦେଶରେ ବିଧାୟକ ଦରମା ଏବଂ ଭତ୍ତା ବୃଦ୍ଧି କରିବାରେ ଓଡିଶା ପ୍ରଥମ ରାଜ୍ୟ । ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ନିର୍ବାଚନମଣ୍ଡଳିରେ ବିଧାୟକମାନେ ବାର୍ଷିକ ରିପୋର୍ଟ କାର୍ଡ ଦେବା ପାଇଁ ଦାବି ହୋଇଛି ।
ବ୍ରହ୍ମପୁର ଆକାଶରେ କେବେ ବିମାନ ଉଡ଼ିବ ?
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ କେବ ପାଇବ ବିମାନବନ୍ଦର ରୂପ? କେବେ ହେବ ବ୍ରହ୍ମପୁର ବିମାନ ବନ୍ଦର? ଯାତାୟାତ ହେବ ସୁଗମ । ବଢ଼ିବ ବ୍ଯବସାୟ, ପର୍ଯ୍ଯଟନ ଶିଳ୍ପ । ଏବେ ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଗଲା । ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ଯ ଆଗେଇ ପାରୁନି କାମ । ଯାହାକୁ ନେଇ ସଂସଦରେ ବିଜେଡ଼ି ରାଜ୍ଯସଭା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଗୃହରେ ପ୍ରସଙ୍ଗ ଉଠାଇଥିଲେ । ପୂର୍ବ ସରକାରଙ୍କ ସମୟରେ ଏନେଇ ସମସ୍ତ ବ୍ଯବସ୍ଥା ହୋଇଥିଲେ ସୁଦ୍ଧା ଏବେ ବିଜେପି ସରକାରଙ୍କ ଅବହେଳାରୁ ଆଗେଇ ପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
ବ୍ରହ୍ମପୁର ଆକାଶରେ କେବେ ବିମାନ ଉଡ଼ିବ ? କେବେ ମିଳିବ ଲୋକଙ୍କୁ ଯାତାୟାତ ସୁବିଧା ? ଏବେ ଏସବୁ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ପୂର୍ବ ସରକାରଙ୍କ ସମୟରେ ରଙ୍ଗେଇଲୁଣ୍ଡାରେ ଆରମ୍ଭ ହୋଇଥିଲା ବିମାନ ବନ୍ଦର କାମ । ଏବେ ଡବଲ ଇଞ୍ଜିନ ସରକାରକୁ ଦୁଇବର୍ଷ ପୂରିବାକୁ ବସିଲାଣି । ବଡ଼ ବିମାନ ଯାତାୟାତ ନେଇ ଲୋକଙ୍କ ଦାବିକୁ ଚାପି ଦେଇ ୧୨ଶହ ମିଟର ରନୱେ କରାଗଲା । ତଥାପି ଆଗେଇ ପାରୁନି କାମ । ଯାହାକୁ ନେଇ ବ୍ରହ୍ମପୁରବାସୀଙ୍କ ସମେତ ପୂରା ଦକ୍ଷିଣ ଓଡ଼ିଶାବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି l ବିମାନ ବନ୍ଦରକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ବ୍ରହ୍ମପୁର ବିମାନବନ୍ଦରରେ ପରିବର୍ତ୍ତନ କରିବାକୁ ରାଜ୍ୟସଭାରେ ଦାବି ଉଠାଇଛନ୍ତି ବିଜେଡି ସାସଂଦ ସସ୍ମିତ ପାତ୍ର । ଏହି ବିମାନବନ୍ଦର ହେବା ଫଳରେ ପର୍ଯ୍ୟଟନ ବିକାଶ ସହ ବ୍ୟବସାୟ ଓ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ତେବେ ଏହାରି ପଛରେ ଅନକ କାରଣ ଥିବା କୁହାଯାଇଛି । ସେଠାରେ ଥିବା ସରକାରୀ ଜମିରେ ଘର କରିଥିବା ୩୩ ପରିବାର ସେଠାରୁ ଉଠିଲେ ନାହିଁ । ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କୁ ଉଠାଇବାକୁ ଯେତେ ଯୋଜନା ହେଉଥିଲେ ବି ସମ୍ଭବ ହେଉନି । ମାତ୍ର ୩ ଜଣ ସମ୍ମତି ପତ୍ର ଦେଇଥିଲା ବେଳେ ଅନ୍ୟମାନେ ସେଠାରୁ ଉଠିବା ପାଇଁ ନାରାଜ । ଅନ୍ୟପଟେ କେନାଲ୍ ମୋଡ଼ ବଦଳିବନି ବୋଲି ଆପାତତଃ ସ୍ଥିର ହୋଇଛି । ଶ୍ରମିକ ମିଳୁନଥିବାରୁ କାମ ଧିମେଇ ଯାଇଥିବା ଆଉ ଏକ କାରଣ ହୋଲି କୁହାଯାଉଛି । ଟେଣ୍ଡର, ଏଜେନ୍ସି ଚୟନ, ଡିଜିସିଏ ଅନୁମତି ଆଦି ହେଲା ବେଳକୁ ୨୦୨୬ ପାର ହୋଇଯାଏ ପାରେ ବୋଲି ଚର୍ଚ୍ଚା ହେଉଛି ।
ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ବର୍ଦ୍ଧିତ ଦରମା : ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଚିଠି ଲେଖି ଘୋଷଣା କଲେ ନବୀନ । ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଦରମା କହିଲେ ନବୀନ। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇ ଆସିଛି। ଯେଉଁଥିପାଇଁ ମୁଁ ରାଜ୍ୟବାସୀଙ୍କ ପାଖରେ ଋଣୀ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ। ୨୦୧୫ରୁ ମୋ ପରିବାର କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।
ପରକ୍ରୀୟା ପ୍ରୀତି ପାଇଁ ସ୍ବାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ସ୍ବାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ। ନୟାଗଡ ଖଣ୍ଡପଡା ଥାନା ଅଧିନ ଖଳିସାହି ପଞ୍ଚାୟତର ପୁଆଣିଆ ଗ୍ରାମରେ ଚାଞ୍ଚଲ୍ୟ। ପରକ୍ରୀୟା ପ୍ରୀତି ପାଇଁ ସ୍ୱାମୀର ତଣ୍ଟିକୁ ଚିପି ହତ୍ୟା କରିଛି ସ୍ତ୍ରୀ। ଅଭିଯୋଗ ଅନୁଯାଇ ପୁଆଣିଆଁ ଗାଁର ଆଲୋକ ମହାପାତ୍ରଙ୍କୁ ୬ ମାସ ତଳେ ଜଟଣୀ ଥାନା ଅଞ୍ଚଳର ଲକିକୁ ବିବାହ କରିଥଲେ। ବିବାହର କିଛି ଦିନ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପରକ୍ରୀୟା ପ୍ରୀତିକୁ ନେଇ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ଝଗଡ଼ା ଉଗ୍ର ରୂପ ନେବା ସହ ସ୍ଵାମୀ ଶୋଇଥିବା ସମୟର ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ।ବେଲ୍ଟରେ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ତଦନ୍ତ ଚଳାଇଛି ଖଣ୍ଡପଡା ପୋଲିସ।
ସାହିକୁ ନାହିଁ ପକ୍କା ରାସ୍ତା, କାଜୁ ଜଙ୍ଗଲ ଶେଷ ଭରସା…
ନନ୍ଦିଘୋଷ ବ୍ୟୁରୋ: ସାହିକୁ ନାହିଁ ପକ୍କା ରାସ୍ତା l କାଜୁ ଜଙ୍ଗଲରେ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ବର୍ଷା ହେଲେ ସ୍ଥିତି ସଂଗୀନ। ପାଠ ପଢ଼ିବାକୁ ସ୍କୁଲକୁ ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ। ରାସ୍ତା ନ ଥିବାରୁ ଆବଶ୍ୟକ ବେଳେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ଧେlବାନାଳି ସାହି ବାସିନ୍ଦା ।
ସାହିକୁ ନାହିଁ ପକ୍କା ରାସ୍ତା। କାଜୁ ଜଙ୍ଗଲର ମାଟି ରାସ୍ତା ସାହା ଭରସା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଧେlବାନାଳି ସାହିର । ଏଠାରେ ବସବାସ କରୁଛନ୍ତି ତିରିଶରୁ ଅଧିକ ପରିବାର । ହେଲେ ସାହିକୁ ଯିବାକୁ ରାସ୍ତା ଖଣ୍ଡେ ନାହିଁ l ଫଳରେ କାଜୁ ଜଂଗଲ ଭିତର ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ପିଲାଠୁ ବୟସ୍କ। ଖରାଦିନେ ଯେନତେନ ଚଳି ଯାଉଥିବା ବେଳେ ବର୍ଷା ଦିନେ କିନ୍ତୁ ସ୍ଥିତି ସାଂଘାତିକ। କାଦୁଅ ପଚପଚ ରାସ୍ତାରେ ଯାତାୟାତ ମୁସ୍କିଲ । ଗୁଣ୍ଡୁଣିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏହି ସାହି ପ୍ରତି ପଞ୍ଚାୟତ ନା ବ୍ଲକ ପ୍ରଶାସନ କାହାର ନଜର ନାହିଁ l ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପ୍ରଶାସନ।
ନିର୍ବାଚନ ଆସିଲେ ସାହିକୁ ନେତା ମନ୍ତ୍ରୀଙ୍କ ସୁଅ ଛୁଟେ। ମିଠା ମିଠା ପ୍ରତିଶୃତି ମିଳେ। ମାତ୍ର ନିର୍ବାଚନ ସରିଲେ ପ୍ରତିଶୃତିକୁ ଭୁଲି ଯାଆନ୍ତି ଲୋକ ପ୍ରତିନିଧି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି। ଅନ୍ୟ ପଟେ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ବ୍ଲକ ଅଧିକାରୀଙ୍କ ସହ ଯେlଗାଯେlଗ କରି ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ସରପଞ୍ଚ କହିଛନ୍ତି।
ଉଦଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଆଦିବାସୀ ସଂଗ୍ରହାଳୟ
ନନ୍ଦିଘୋଷ ବ୍ୟୁରୋ: ଉଦଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଆଦିବାସୀ ସଂଗ୍ରହାଳୟ । ଭୂତକୋଠି ପାଲଟିଲାଣି ଘଟଗାଁରେ ଥିବା ମ୍ୟୁଜିୟମ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ । ୫ବର୍ଷ ତଳୁ ନିର୍ମାଣ ସରିଥିଲେ ମଧ୍ୟ ହୋଇପାରୁନି ଉଦଘାଟନ। କେବେ ଶୁଭାରମ୍ଭ ହେବ ତାକୁ ନେଇ ଉଠିଛି ପ୍ରଶ୍ନ?
ଭୂତକୋଠି ପାଲଟିଲାଣି ଆଦିବାସୀ ସଂଗ୍ରହାଳୟ। କୋଟି କୋଟି ଟଙ୍କାରେ ନିର୍ମିତ ସଂଗ୍ରହାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ନିର୍ମାଣକୁ ୫ ବର୍ଷ ପୂରିଥିଲେ ସୁଦ୍ଧା ହୋଇପାରୁନି ଉଦଘାଟନ । କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର ନିକଟରୁ ମାତ୍ର ୨ କିଲୋମିଟର ଦୂର ଘଟଗାଁ ବାଇପାସ୍ ରାସ୍ତା କଡ଼ରେ ନିର୍ମାଣ ହୋଇଛି ଏହି ଆଦିବାସୀ ସଂଗ୍ରହାଳୟ । ଯାହା ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍, କାଚ ଭାଙ୍ଗିସାରିଲେଣି । ପରିସରରେ ଅନାବନା ଗଛ ଉଠିବା ସହିତ ପାଇଖାନା, ବେସିନ, ଟ୍ୟାପ ଇତ୍ୟାଦି ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ।
ପୂର୍ତ୍ତ ବିଭାଗ ଦ୍ବାରା ନିର୍ମିତ ଏହି ତିନିମହଲା କୋଠାକୁ ଦୁଇବର୍ଷ ତଳେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହି ଆଦିବାସୀ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଆଶା କରାଯାଉଥିଲା । କେନ୍ଦୁଝରରେ ବାସ କରୁଥିବା ବିଭିନ୍ନ ଜନଜାତି ଲୋକଙ୍କ କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସମ୍ପର୍କରେ ପରିଚିତ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ମାତ୍ର ଏହାକୁ ଉଦ୍ଘାଟନ କରାଯାଉ ନାହିଁ କି ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ । ଏ ସମ୍ପର୍କରେ ନିକଟରେ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଚାରିବାରୁ ଖାମଖିଆଲି ଭାବରେ ଉଦଘାଟନ ନ ହୋଇଥିଲେ ଉଦଘାଟନ କରିବୁ ବୋଲି ଉତ୍ତର ରଖିଥିଲେ ।
ବନ୍ଦ ହେଲା ସ୍କୁଲ, ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ ଗଢ଼ା
ନନ୍ଦିଘୋଷ ବ୍ୟୁରୋ: ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହୋଇଗଲା ସ୍କୁଲ। ଫଳରେ କିଏ ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପାମା ସଙ୍ଗେ ଡଙ୍ଗରକାମ କରିବାକୁ ଯାଉଛି। କିଛି ପିଲା ସ୍କୁଲ ବାହାରେ ବସି ପାଠ ପଢ଼ୁଛନ୍ତି । ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡିଥିବାବେଳେ କୋମଳମତି ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ?
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। କମ ଉପସ୍ଥାନ ଦର୍ଶାଇ ବନ୍ଦ କରିଦେଲେ ସ୍କୁଲ। ଏବେ ସ୍କୁଲ ବାହାରେ ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତଗଢ଼ା। କିଏ ପାଠ ଛାଡ଼ି ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପା ମା ସହିତ ଡଙ୍ଗର କାମ କରିବାକୁ ଯାଉଛି । ଆଉ କିଛି ପିଲା ଖରା ବର୍ଷା ଶୀତକୁ ଖାତିର ନ କରି ସ୍କୁଲ ବାହାରେ ବହିବସ୍ତାନୀ ଧରି ପଢ଼ୁଛନ୍ତି। ଏ ଦୃଶ୍ୟ ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟର । ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କମ୍ ଉପସ୍ଥାନ ଯୋଗୁଁ ଗତ ୪ ମାସ ହେବ ସ୍କୁଲରେ ଝୁଲୁଛି ତାଲା । ଫଳରେ ଗାଁର କିଛି ପଢୁଆ ଯୁବକ ଯୁବତୀ ପାଳି କରି ପିଲାଙ୍କୁ ଏଭଳି ପଢ଼ାଉଛନ୍ତି । ତେବେ ସ୍କୁଲରେ ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା କାହିଁକି ସ୍କୁଲ ବନ୍ଦ କରିଦିଆଯାଇଛି ତାକୁ ନେଇ ଉଠିଛି ନାନା ପ୍ରଶ୍ନ?
ଗତ ତିନି ବର୍ଷ ତଳେ ମଧ୍ୟ କମ୍ ଉପସ୍ଥାନ ଥିବା ଦର୍ଶାଇ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ବାଦବିବାଦ ପରେ ପୁନର୍ବାର ସ୍କୁଲ ଆରମ୍ଭ ହୋଇଥିଲା। ତେବେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଏପରି ସ୍ଥିତି ଦେଖାଦେଇଛି । ଗତ ୨୦୧୮ରେ କମ୍ ଉପସ୍ଥାନ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରି ପଡୋଶୀ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିଲା । ଫଳରେ ଦୁର୍ଗମ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡିଥିଲେ । ଚଳିତ ବର୍ଷ ଜିଲ୍ଲାର ୧୨ଟି ସ୍କୁଲକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ କରାଯାଇଛି । ତେବେ ଯେଉଁ ସ୍କୁଲ ଗୁଡିକ ଖୋଲିବା ଯୋଗ୍ୟ ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ରାଜ୍ୟସ୍ତରୀୟ କମିଟି ଆବଶ୍ୟକ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

