ଖୋର୍ଦ୍ଧା: ଖୋର୍ଦ୍ଧାରେ ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ଘରେ ଭୁବନେଶ୍ବର କମିଶନରେଟ୍ ପୋଲିସ ଏବଂ ଖୋର୍ଦ୍ଧା ପୋଲିସର ମିଳିତ ଚଢାଉ । ପ୍ରକାଶଙ୍କ ଘରୁ ୩୮ଟି ବିଡ଼ା ଟଙ୍କା ଜବତ କରିଛି ପୋଲିସ । ଜବତ ଟଙ୍କା 19 ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ୍ । ଗତକାଲି ଖଣି, ଗୋତସ୍କରି, ମୋରାମ ଚୋରାଚଳାଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ ଠାବ କରିଥିଲା ଭୁବନେଶ୍ବର ପୋଲିସ । ଆଜି ସ୍ପେଶାଲ ସ୍କ୍ବାର୍ଡ ଓ ତମାଣ୍ଡୋ ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ବନ୍ଧୁକ, ଗୁଳି, ଦାମୀ କାର, ମୋବାଇଲ ଆଦି ଠାବ କରିଛି । ସେମାନଙ୍କ ଭିତରୁ ପ୍ରକାଶ ରାଉତରାୟଙ୍କ ଘରେ ଚଢା଼ଉ ଜାରି ରହିଛି ।
ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ । ଆଜି ଏକ ବଡ ଧରଣର ମାଓ ଗୋପନ ଆଡ୍ଡା ଠାବ କରିଛନ୍ତି ବିଏସଏଫ । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିଓ୍ବାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କମ୍ବିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ଏହାକୁ ଠାବ କରିଥିଲେ । ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଜବାନ । ଡମ୍ପ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । 4ଟି ବନ୍ଧୁକ 42 ଟି ଗୁଳି ଭର୍ତ୍ତି କ୍ୟାଟରିଜ, 16ଟି ହେଣ୍ଡ ଗ୍ରେନେଡ, 2ଟି ମୋଟର ବୋମା, ଗୋଟିଏ ରକେଟ ଲଞ୍ଚର, ଏଲଏମଜି ଗୁଳି, 29ଟି ଜିଲୋଟିନ ଷ୍ଟିକ୍, 30ଟି ଇଲେକ୍ଟ୍ରୋନିକ୍ ଡିଟୋନିଟର ଜବତ ହୋଇଛି । ପୂର୍ବରୁ ଏହିସବୁ ଅଞ୍ଚଳ ମାଓବାଦୀଙ୍କ ଚରା ଭୁଇଁ ହୋଇଥିବା ବେଳେ ଜଙ୍ଗଲ ଭିତରେ ସୁରକ୍ଷିତ ଅବସ୍ଥାରେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲେ ।
ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ହିଂସାକାଣ୍ଡର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ
ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ । ହିଂସାକାଣ୍ଡର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ହାଇକୋର୍ଟର ତିନିଜଣ ପୂର୍ବତନ ବିଚାରରପତିଙ୍କୁ ନେଇ ଗଠିତ କମିଟି ଏହାର ତଦନ୍ତ କରିବ । ହିଂସା ଜର୍ଜରିତ ମଣିପୁରରେ ରିଲିଫ, ଥଇଥାନ ସମ୍ପର୍କରେ ଏହି ଟିମ୍ ତଦନ୍ତ କରିବ । ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲଙ୍କ ନେତୃତ୍ୱରେ ଗଠିତ କମିଟିରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶାଲିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ ରହିବେ । ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ମଣିପୁରବାସୀଙ୍କ ଭରସା ଜିତିବା ସୁପ୍ରିମକୋର୍ଟଙ୍କ ପ୍ରୟାସ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ।
ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାର ଯାଞ୍ଚ ସିବିଆଇ କରିବ । ସ୍ବତନ୍ତ୍ର ଓ ନିରପେକ୍ଷ ଯାଞ୍ଚ ପାଇଁ ସିବିଆଇ ଟିମରେ ଅନ୍ୟ ରାଜ୍ୟର ଡପୁଟି ଏସପି ରାଙ୍କର ୫ଜଣ ଲେଖାଏଁ ଅଫିସର ରହିବେ । ସିବିଆଇ ତଦନ୍ତର ସମୀକ୍ଷା ପାଇଁ ପୂର୍ବତନ ଆଇପିଏସ ଅଫିସ ଦତ୍ତାତ୍ରୟ ପଦସାଲଗିକରଙ୍କୁ ଦାୟିତ୍ବ ଦିଆଯାଇଛି । ଅନ୍ୟ ମାମଲାର ଯାଞ୍ଚ ପାଇଁ ୪୨ଟି ଏସଆଇଟି ଗଠନ କରାଯିବ । ଏସପି ରାଙ୍କର ଅଧିକାରୀ SIT ଟିମର ନେତୃତ୍ବ ନେବେ । ଡିଆଇଜି ରାଙ୍କର ଅଫିସର ୬ଟି ଏସଆଇଟି ତଦନ୍ତର ସମୀକ୍ଷା କରିବେ । ହାଇକୋର୍ଟ ବିଚାରପତିଙ୍କ କମିଟି ଓ ସିବିଆଇ ଯାଞ୍ଚର ସମୀକ୍ଷା କରୁଥିବା ଆଇପିଏସ ଅଫିସର ସମୟ ସମୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଭରସା ଓ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଫେରାଇ ଆଣିବାକୁ ଆମର ପ୍ରୟାସ ରହିବ ବୋଲି କୋର୍ଟ କହିଛନ୍ତି ।
ମିଟର ରିଡରଙ୍କ ହତ୍ୟା ମାମଲାରେ ନୂଆ ମୋଡ଼, ବିଦ୍ୟୁତ ବିଲ୍ ନେଇ ହତ୍ୟା ହୋଇନଥିବା କହିଲା ଟାଟା ପାୱାର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା କୁପାଟି ଗାଁରେ ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ହତ୍ୟା ମାମଲାରେ ନୂଆ ମୋଡ଼ । ବିଦ୍ୟୁତ ବିଲ ନେଇ ହତ୍ୟା ହୋଇନଥିବା ପ୍ରେସ ରିଲିଜ ଜାରି କରିଛି ଟାଟା ପାଓ୍ବାର । ବିଦ୍ୟୁତ ବିଲ୍ ନେଇ ଅଭିଯୁକ୍ତ ସହ ମୃତ ବ୍ୟକ୍ତିଙ୍କର କୌଣସି ବିବାଦ ନଥିଲା ବୋଲି ଟାଟା ପାଓ୍ବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ କେଉଁ କାରଣ ପାଇଁ ମିଟର ରିଡର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଜାରି ରିଖିଛ ପୋଲିସ । କୁପାଟି ଗାଁର ଗୋବିନ୍ଦଙ୍କ ଘର ସମ୍ମୁଖରେ ମୃତ ଦେହ ପଡିଥିବା ବେଳେ ଘରେ ମଧ୍ୟ ଗୋବିନ୍ଦ କିମ୍ଵା ପରିବାର ସଦସ୍ୟ କେହି ନଥିବାରୁ ହତ୍ୟା ଗୋବିନ୍ଦ ହିଁ ଘଟାଇଥିବା ପୋଲିସ ଅନୁମାନ କରିଛି ।
ତାରାସିଙ୍ଗି ପୋଲିସ ଶବ ଜବତ କରି ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଅଟକ ରଖି ତଦନ୍ତ ଚଳାଇଛି । ଟାଟା ପାୱାର ନିଜ ପ୍ରେସ ରିଲିଜରେ କହିଛି ଯେ ମିଟର ରିଡରଙ୍କ ଅକାଳ ମୃତ୍ୟୁରେ ଆମେ ମର୍ମାହତ । କାର୍ଯ୍ୟରେ ଥିବା ସମୟରେ ସେ ନିଜର ପ୍ରାଣ ହରାଇଛନ୍ତି । ଏ ଘଡ଼ିସନ୍ଧି ମୂହୁର୍ତ୍ତରେ ତାଙ୍କ ପରିବାର ଲୋକଙ୍କୁ ଭଗବାନ ଧୌର୍ଯ୍ୟ ଓ ସାହସ ଦିଅନ୍ତୁ । ହତ୍ୟାକାଣ୍ଡରେ ଯିଏ ବି ସାମିଲ ଥିବେ ତାଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନେବାପାଇଁ ପ୍ରଶାସନକୁ ନିବେଦନ କରିବୁ । ତେବେ ଆମ ଅନ୍ତରୀଣ ସମୀକ୍ଷାରୁ ଜଣାଯାଇଛି ଯେ ବିଲ୍ କୁ ନେଇ ଏହି ହତ୍ୟାକାଣ୍ଡ ହୋଇନାହିଁ । ଅଭିଯୁକ୍ତର ବିଲ୍ ସହ କୌଣସି ସମ୍ପର୍କ ନାହିଁ ।
ଟାଟା ପାୱାରର କର୍ମଚାରୀ ଏବଂ ବାଣିଜ୍ୟିକ ସହଯୋଗୀଙ୍କ ସୁରକ୍ଷା ନେଇ ଆମେ ସ୍ଥାନୀୟ ପ୍ରଶାସନ ସହ ଲଗାତାର ସମ୍ପର୍କରେ ଅଛୁ । ଆମର କୌଣସି ବି କର୍ମଚାରୀଙ୍କ ସୁରକ୍ଷାରେ ସାଲିସ କରାଯିବନାହଁ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଆଜି ସକାଳେ, ଗଞ୍ଜାମ ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ କୁପାଟି ଗାଁ ରେ ଘଟିଛି ଏହି ଅମାନବିକ ହତ୍ୟା କାଣ୍ଡ ଘଟିଥିଲା । ଜଣେ ମିଟର ରିଡର ଙ୍କୁ ଗ୍ରାମରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ମୃତକ ଗାଲେରୀ ଗ୍ରାମର ଲଷ୍ମୀନାରାୟଣ ତ୍ରିପାଠୀ ବୋଲି ସୂଚନା । ଲଷ୍ମୀନାରାୟଣ ଆଜି ସକାଳୁ କୂପାଟି ଗାଁ କୁ ମିଟର ରିଡିଙ୍ଗ ଆଣିବା ପାଇଁ ଯାଇଥିଲେ । ବିଦ୍ୟୁତ ବିଲ୍ ଅଧିକ ଆସିଥିବା ଜାଣିବା ପରେ ଘରମାଲିକ ଗୋବିନ୍ଦ ସେଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା ।
ଝିଅକୁ ପୋଲ ଉପରୁ ନଦୀକୁ ଠେଲିଦେଲା ସାବତ ବାପା, ପାଇପରେ ଓହଳି ଏମିତି ଜୀବନ ବଞ୍ଚାଇଲେ ବାଳିକା
ଅମରାବଦୀ: ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଜିଲ୍ଲାରୁ ଏକ ଆଶ୍ଚମ୍ବିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ସାବତ ବାପା ଗୋଦାବରୀ ନଦୀକୁ ଠେଲି ଦେଇଥିଲେ କିନ୍ତୁ ଏହି ସମୟରେ ବାଳିକା ଜଣଙ୍କ ବ୍ରିଜର ତଳେ ଲାଗିଥିବା ପାଇପକୁ ଧରି ଓହଳିଥିଲେ ଏବଂ ପୋଲିସକୁ ୧୦୦ ନମ୍ବରରେ କଲ୍ କରି ନିଜକୁ ବଞ୍ଚାଇରେ ମଧ୍ୟ ସକ୍ଷମ ହୋଇଛନ୍ତି । ଗୁଣ୍ଟୁର ଜିଲ୍ଲାର ଉଲୱା ସୁରେଶ ନିଜ ପତ୍ନୀ ପୁପ୍ପଲା ସୁହାସୀ (୩୬) ଏବଂ ତାଙ୍କ ଦୁଇ ଝିଅ କୀର୍ତ୍ତନା (୧୩) ଏବଂ ଜର୍ସି (୧) ଙ୍କଠାରୁ ପିଛା ଛଡ଼ାଇବା ପାଇଁ ରବିବାର ସକାଳ ଚାରିଟାରେ ୩ଜଣଙ୍କୁ ଗୋଦାବରୀ ନଦୀକୁ ଧକ୍କା ଦେଇ ଦେଇଥିଲେ । ସୁହାସିନୀ ଏବଂ ଜର୍ସି ଗୋଦାବରୀ ନଦୀରେ ପଡ଼ି ନିଖୋଜ ହୋଇଯାଇଛନ୍ତି ।
ଏହି ଅବସରରେ ୧୩ ବର୍ଷୀୟା କୀର୍ତ୍ତନା ବ୍ରିଜ ପାଖରେ ଲାଗିଥିବା କେବୁଲ ପାଇପକୁ ଗୋଟିଏ ହାତରେ ଧରି ନେଇଥିଲେ ଏବଂ ନିଜ ଜୀବନ ବଞ୍ଚାଇଥିଲେ । ଏହି ସମୟରେ ତାଙ୍କର ନଜର ନିଜ ପକେଟରେ ଥିବା ଫୋନ୍ ଉପରେ ପଡ଼ିଥିଲା ଏବଂ ସେ ୧୦୦ ନମ୍ବର ଡାଏଲ କରିଥିଲେ । ତୁରନ୍ତ ପୋଲିସ ସେଠାରେ ପହଞ୍ଚିଯାଇଥିଲା ଏବଂ କୀର୍ତ୍ତନାଙ୍କ ଜୀବନ ବଞ୍ଚାଇଥିଲା । ତେବେ କୀର୍ତ୍ତନାଙ୍କୁ ବଞ୍ଚାଇବାକୁ ଆସିଥିବା ପୋଲିସ କର୍ମଚାରୀମାନେ କୀର୍ତ୍ତନାଙ୍କ ସାହସକୁ ଦେଖି ଆଶ୍ଚମ୍ବିତ ହୋଇଯାଇଥିଲେ । ପ୍ରାୟ ଅଧ ଘଣ୍ଟା ସମୟ ଧରି କୀର୍ତ୍ତନା ପାଇପରେ ଓହଳି ରହି ନିଜ ଜୀବନ ବଞ୍ଚାଇଥିଲେ । ପୋଲିସ କହିବା ଅନୁସାରେ ଘଟଣାଟି ୬ ଅଗଷ୍ଟ ସକାଳ ପ୍ରାୟ ୩ ଟା ୫୦ ସମୟରେ ଘଟିଥିଲା ।
ବାଳିକା ଜଣଙ୍କୁ ଉଦ୍ଧାର କରାଯିବା ପରେ ସେ ପୋଲିସକୁ ନିଜ ଷ୍ଟେଟମେଣ୍ଟରେ କହିଛି ଯେ, ତାର ନାଁ ଲକ୍ଷ୍ମୀ କୀର୍ତ୍ତନା ଅଟେ । ଅଭିଯୁକ୍ତ ସୁରେଶ ଯିଏକି ତାଙ୍କ ମାଆଙ୍କ ସହ ରହୁଥିଲା, ସେମାନଙ୍କୁ ରାଜମୁନ୍ଦରୀ ନେଇକି ଆସିଥିଲା ଏବଂ ଯେବେ ସେମାନେ କାରରେ ରାୱୁଲାପଲେମ ବ୍ରିଜ ଉପରେ ପହଞ୍ଚିଥିଲେ, ସେହି ସମୟରେ ସେଲଫି ନେବା ବାହାନାରେ ସେ ତାଙ୍କୁ ଏବଂ ତାଙ୍କ ମାଆ ଓ ଭଉଣୀଙ୍କୁ ପୋଲ ଉପରୁ ନଦୀକୁ ଧକ୍କା ଦେଇ ଦେଇଥିଲେ । ପୋଲିସ ଦୁଇଟି ଟିମ୍ ଗଠନ କରିଛି, ଗୋଟିଏ ଟିମ୍ ଡଙ୍ଗା ସହାୟତାରେ ଗୋଦାବରୀରେ ବାଳିକା ଜଣଙ୍କର ମାଆଙ୍କ ତଲାସ କରୁଛି ସେହିପରି ଅନ୍ୟ ଏକ ଟିମ୍ ଅଭିଯୁକ୍ତକୁ ଧରିବା ଅଭିଯାନ ଜାରି ରଖିଛି ।

