spot_img
Home Blog Page 2933

ଦିଗପହଣ୍ଡି ବସ୍ ଦୁର୍ଘଟଣାର ତନାଘନା, ପଚରାଉଚରା ପରେ ଗିରଫ ହେଲେ OSRTC ବସ୍ ଡ୍ରାଇଭର

ଦିଗପହଣ୍ଡି: ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ୍ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ କରୁଥିଲେ ଚିକିଟି SDPO ଓ ଦିଗପହଣ୍ଡି ଥାନା ଅଧିକାରୀ । ଗତକାଲି ରାତିରେ ଡ୍ରାଇଭର ସହ ତଦନ୍ତକାରୀ ଟିମ୍ ମଧ୍ୟ ଆଲୋଚନା କରିଥିଲେ । ଆଜି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ । ଦୁର୍ଘଟଣାର ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍ । ଦୁଇ ଜଣ ଇଞ୍ଜିନିୟର ଜଣେ ଅଭିଜ୍ଞ ଡାକ୍ତରଙ୍କ ସମେତ ଏନଫୋର୍ସମେଣ୍ଟ ଡିଏସପି ଏହି ଟିମରେ ସାମିଲ ଅଛନ୍ତି ।

ସେହିପରି MKCG ମେଡିକାଲରେ ଥିବା ଘରୋଇ ମିନି ବସର ଡ୍ରାଇଭରଙ୍କୁ ଭେଟିଛନ୍ତି ତଦନ୍ତକାରୀ ଟିମ୍ । ଘରୋଇ ମିନି ବସର ପରମିଟ ନଥିବା ବେଳେ ଇନସ୍ୟୁରାନ୍ସ ଅବଧୀ ସରିଯାଇଥିଲା । ମିନି ବସ୍ ମାଲିକକୁ ଚିହ୍ନଟ କରାଯାଇଥିବା ବେଳେ, ତାଙ୍କୁ ଖୋଜୁଛି ପୋଲିସ । ଗତକାଲି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୯ ଜଣଙ୍କର ଚିକିତ୍ସା ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଖୋଲିଗଲା ବିରୋଧୀଙ୍କ ଅସଲ ମୁଖା, ସବୁ ସ୍ପଷ୍ଟ କରିଦେଲା ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା

ଭୁବନେଶ୍ୱର: ଖୋଲିଗଲା ବିରୋଧୀଙ୍କ ଅସଲ ମୁଖା । ବିକାଶ ଦିଶୁନି, ମିଛ କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି । ସତ ଜାଣି ସାରିଲେଣି ରାଜ୍ୟବାସୀ । ବିଜେଡି କଥାରେ ନୁହେଁ, କାମରେ ବିଶ୍ୱାସ କରେ ବୋଲି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି । ବିରୋଧୀ ପ୍ରଶ୍ନ କରିଥିଲେ ଯେ କାହା ନିର୍ଦ୍ଦେଶରେ ସବୁ ପ୍ରଶାସନିକ କାମ ହେଉଛି? ଏହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ପରେ ବିରୋଧୀ ପାଇସାରିଛନ୍ତି ବୋଲି କହିଛି ବିଜେଡି ।

ଲୋକ ବାସ୍ତବତା କ’ଣ ଅବଗତ ଅଛନ୍ତି । ଲୋକ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାର ଓ ପ୍ରଶାସନ ସବୁ କାମ କରୁଛନ୍ତି । ସତ କଥାକୁ ବିରୋଧୀ ଯେତେ ମିଛର ଖୋଳପା ପିନ୍ଧାଇବାକୁ ଅପଚେଷ୍ଟା କଲେ ବି ସତ ଗତକାଲି ସାମ୍ନାକୁ ଆସିଯାଇଛି । ମିଛ କହିବା, ଭୁଆଁ ବୁଲାଇବା ପାଇଁ ହିଁ ସେମାନେ ବିରୋଧୀ ଆସନରେ ବସିଛନ୍ତି । କଲରାକୁ ଯେଉଁଥିରେ ବି ବୁଡ଼ାଇଲେ, ପିତା ଲାଗେ । ଲୋକ ସତ ଜାଣି ସାରିଲେଣି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

 

ଚାକିରିରୁ ବିଦା ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ, ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ । ଭିଜିଲାନ୍ସ ରେଡ୍ ବେଳେ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଆୟଠାରୁ ୫୦୬ ପ୍ରତିଶତ ଥିଲା ସମ୍ପତ୍ତି । ଏକକାଳୀନ ୯ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ଭୁବନେଶ୍ବର, ନବରଙ୍ଗପୁରରେ ଏକାଧିକ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ପେଟି ପେଟି ଟଙ୍କା ଓ ଅଚଳାଚଳ ସମ୍ପତ୍ତି ନେଇ ଉତ୍ତର ଦେଇ ନପାରିବା ପରେ ଗିରଫ ହୋଇଥିଲେ ପ୍ରଶାନ୍ତ ରାଉତ ।

ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ନଗଦ ୩ କୋଟି ୨ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବବାଦରେ ୯୨ ଲକ୍ଷ ୩୪ ହଜାର ଟଙ୍କା, ୫ଟି ପ୍ଲଟ୍, ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା, ଏହା ସହ ଦୁଇ ପିଲାଙ୍କ ପାଠ ପଢା ବାବଦରେ ଖର୍ଚ୍ଚ କରିଛନ୍ତି ୮୭ଲକ୍ଷ ଟଙ୍କା । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଜିରୋ ଟଲରାନ୍ସ ନୀତି ଗ୍ରହଣ କରୁଛନ୍ତି । 5T ଓ ମୋ ସରକାର ବ୍ୟବସ୍ଥାରେ ମିଳିଥିବା ଫିଡବ୍ୟାକ୍ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପ୍ରଶାନ୍ତ ରାଉତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୮୮ଜଣ ଅଧିକାରୀଙ୍କ ବିରୋଧରେ ଆକ୍ସନ୍ ନିଆଯାଇଛି । ଏହା ମଧ୍ୟରୁ ୧୮ରୁ ଅଧିକ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୬୦ରୁ ଅଧିକ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି ।

ଭୁବନେଶ୍ୱର ସାଂସଦଙ୍କୁ ବିଜେଡିର ପାଞ୍ଚ ପ୍ରଶ୍ନ, କେବେ ସରିବ ଖୋର୍ଦ୍ଧା-ଭୁବନେଶ୍ବର ଜାତୀୟ ରାଜପଥ ମରାମତି

ଭୁବନେଶ୍ୱର: ବିକାଶରେ ଖୁସି ନାହାନ୍ତି ବିରୋଧୀ, ଭଙ୍ଗୁଆଳି ସାଜିଛି ବିଜେପି । ୪ ବର୍ଷ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବରବାସୀ ତଥା ଓଡ଼ିଶାବାସୀଙ୍କ ପାଇଁ କ’ଣ କରିଛନ୍ତି । ମ୍ୟାଡାମ ଅପରାଜିତାଙ୍କୁ ବିଜେଡିର ୫ ପ୍ରଶ୍ନ । ଇସ୍କନ ସର୍ଭିସ ରୋଡ୍ ଜାତୀୟ ରାଜପଥରେ ବର୍ଷା ଦିନେ ପାଣି ଜମୁଛି । ରୋଗୀ, ଛାତ୍ରଛାତ୍ରୀ ଜନସାଧାରଣ ଅସୁବିଧାରେ ପଡ଼ୁଛନ୍ତି । ଗତ ଚାରି ବର୍ଷ ଧରି ଏଠାରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ପାରୁନି । ଜଳବନ୍ଦୀ ସ୍ଥିତି କେବେ ସୁଧୁରିବ?  ସେ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ସାଂସଦ ? ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥ ଦେଇ ଦୁଇ ଘଣ୍ଟା ଲାଗୁଛି । କାରଣ ରୋଡ୍ ମରାମତି ଚାଲିଥିବାରୁ ଗାଡି ଠିକ୍ ଭାବେ ଯାଇପାରୁନି । ଏହି ଲାଇଫଲାଇନ ରାସ୍ତା କାମ କେବେ ସୁଦ୍ଧା ସରିବ ଉତ୍ତର ରଖନ୍ତୁ ମ୍ୟାଡାମ ସାଂସଦ ।

ତିନି ଚାରି ବର୍ଷ ତଳେ କ୍ୟାପିଟାଲ ରିଜିଅନର ମାଷ୍ଟର ପ୍ଲାନ ହୋଇଥିଲା, ବାସ୍ତବିକ ରୂପ କେବେ ନେବ ? ଟେଲିକମ୍ ଏବେ ଜରୁରୀ ସେବାରେ ପରିଣତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଅନେକ ବ୍ଲକରେ ଡାଟା ସ୍ପିଡ୍ ବା ଟେଲି ଡେନସିଟି ପାଇ ପାରିଲେନି । ଏ ବାବଦରେ ସେ କେନ୍ଦ୍ରକୁ ଜଣାଇଛନ୍ତି କି ? ବ୍ୟଙ୍କିଂ ସେବା ଅଧିକ ରହିଲେ ଜନସାଧାରଣ ଅଧିକରୁ ଅଧିକ ସୁବିଧା ପାଇବେ । ବ୍ୟାଙ୍କଂ ନେଟଓ୍ୱାର୍କ ବଢ଼ାଇବା ପାଇଁ ଭୁବନେଶ୍ୱର ସାଂସଦ ଏ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । କେବଳ ସେତିକି ନୁହେଁ ପୁରୀ ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ସେ ନିଜ ଅନୁଗତଙ୍କ ସହ ସୁପ୍ରିମକୋର୍ଟରେ PIL ଫାଇଲ କରିଥିଲେ, ଯାହା ଖାରଜ ହେଲା । ସେହିପରି ଏକାମ୍ର ପ୍ରକଳ୍ପ ଅଟକାଇବାକୁ ଚେଷ୍ଟା କରିଥିଲେ. ହେଲେ ଆଜି ଯାଏ ସେ କ୍ଷମା ପ୍ରାର୍ଥନା କରି ନାହାନ୍ତି । ଓଡ଼ିଆଙ୍କ ମନରେ ଦୁଃଖ ଦେଇ କାହିଁକି କ୍ଷମା ମାଗି ନାହାନ୍ତି ବୋଲି ପ୍ରଶ୍ନ କଲା ବିଜେଡି । ଆତ୍ମପ୍ରଚାରରେ, ପ୍ରତି ବର୍ଷ ରଙ୍ଗୀନ ରିପୋର୍ଟ କାର୍ଡ ଦେଲେ, ଲୋକଙ୍କ ପେଟ ପୂରିବନି । ଦିଲ୍ଲୀ ଦରବାରରେ ଲୋକଙ୍କ ସ୍ବର ପହଞ୍ଚାଇଥିଲେ ଲୋକଙ୍କ ସମସ୍ୟା ଦୂର ହୁଅନ୍ତା ବୋଲି ବିଜେଡି କହିଛି ।

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ

ବ୍ରହ୍ମପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଦିଗପହଣ୍ଡି ରେଞ୍ଜରଙ୍କ ଗାଡ଼ିରୁ ମିଳିଲା ଲକ୍ଷେ ୫୮ ହଜାର ଟଙ୍କା । ଏତେ ଟଙ୍କା କେଉଁଠୁ ଆସିଲା, ଦେଇପାରିଲେନି ଉତ୍ତର । ଘରେ ଛାପା ମାରିଛି ଭିଜିଲାନ୍ସ । ରେଞ୍ଜନ କାହ୍ନୁଚରଣ ପଟ୍ଟନାୟକଙ୍କ ଘର ସମେତ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁରର ୬ ଜଣିଆ ଟିମ୍‌ ରେଡ୍ କରୁଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ଗାଡ଼ିରୁ ନଗଦ ଲକ୍ଷେ ୫୮ହଜାର ଟଙ୍କା ଏବଂ ସରକାରୀ ବାସଭବନ ସମେତ ଘରୁ ମିଳିଛି ଟଙ୍କା । ରାତି ତମାମ ଭିଜିଲାନ୍ସ ଟିମ ତଦନ୍ତ କରୁଥିବା ବେଳେ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ରାତି ୨ଟା ବେଳେ ୬ ଜଣିଆ ଟିମ୍ ଆସି ଫେରିଛନ୍ତି । ବ୍ରହ୍ମପୁର ତୁଳସୀନଗର ୭ନମ୍ବର ଲାଇନରେ ଚଢ଼ାଉ ଜାରି ରହିଛି । ସ୍ଥାବର ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚାଲିଛି ।

ଶ୍ରୀମନ୍ଦିର ସିଂହଦ୍ବାରର କରାଯାଉଛି ରୂପା ଛାଉଣୀ, ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ପୂର୍ବରୁ ସରିବ କାମ

ପୁରୀ: ବାହୁଡ଼ିବେ ଶ୍ରୀଜିଉ । ସୁନ୍ଦର ହେଉଛି ଶ୍ରୀମନ୍ଦିରର ସିଂହଦ୍ବାର, ହେଉଛି ରୂପା ଛାଉଣୀ । ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପା ଛାଉଣୀ କାର୍ଯ୍ୟ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରୂପା ଛାଉଣୀ କାମ । ସିଂହଦ୍ବାରରେ ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଲଗାସରିଛି । ସେଥିରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଉଛି ।

ବାହୁଡ଼ା ଯାତ୍ରା ପୂର୍ବରୁ ଅର୍ଥାତ୍ ଆଜି ରାତି ସୁଦ୍ଧା ରୂପା ଛାଉଣୀ ସରିବାକୁ ଲକ୍ଷ୍ୟ ରଖାଯାଇଛି । ରୂପା ଛାଉଣୀ ହୋଇଗଲେ ସିଂହଦ୍ବାର ସୁନ୍ଦର ଦିଶିବ । କାଲି ଭକ୍ତ ଦେଖିବେ ସିଂହଦ୍ବାରର ନୂତନ ସୁନ୍ଦର ରୂପା । ମୂଳ ସିଂହଦ୍ୱାର ଭଳି ମାପ, ଓଜନ, ଡିଜାଇନ ଓ ଉତ୍କଳୀୟ କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଅବିକଳ ଭାବେ ସିଂହଦ୍ୱାର ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ୍ କରି ଭକ୍ତଙ୍କ ପାଇଁ କଟକଣା ଲଗାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଛି ।

 

ଦିଗପହଣ୍ଡିରେ ଦୁର୍ଘଟଣା ପାଇଁ ଦାୟୀ କିଏ, ଆଜି ରିପୋର୍ଟ ଦେବେ ୪ ଜଣିଆ ତଦନ୍ତକାରୀ ଟିମ୍

ଦିଗପହଣ୍ଡି: ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦାୟୀ କିଏ । କେମିତି ହେଲା ଏତେ ବଡ଼ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ମିନି ବସକୁ ରାତିରେ ଚଳାଚଳ କରିବାକୁ ଅନୁମତି ଦିଆଯାଇନଥିଲା । ବସଟିର ବୀମା ମଧ୍ୟ ନଥିଲା । ୨୫ ବର୍ଷ ପୁରୁଣା ଗାଡ଼ି ନିୟମ ଉଲ୍ଲଂଘନ କରି ମିନି ବସ୍ ଚାଲିଥିଲା । ଦୁର୍ଘଟଣାରେ ଟେକ୍ନିକାଲ୍ ଓ ଅନ୍ୟାନ୍ୟ ତ୍ରୁଟି କ’ଣ ରହିଛି, ସେନେଇ ସ୍ବତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛି । ଷ୍ଟେଟ ରୋଡ୍ ଟ୍ରାନ୍ସପୋର୍ଟ ଅଥରିଟି ତରଫରୁ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ୪ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି  । ଟିମରେ ଦୁଇଜଣ ଇଞ୍ଜିନିୟରଙ୍କ ସମେତ ଜଣେ ଡାକ୍ତର, ଗଞ୍ଜାମ ଓ ଚିକିଟି RTO ରହିଛନ୍ତି । କେମିତି ହେଲା ଦୁର୍ଘଟଣା, କାହାର ଥିଲା ଦୋଷ । ଏସବୁକୁ ନେଇ ଟିକିନିଖି ତଦନ୍ତ କରାଯାଉଛି ।

ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଟ୍ୟାଙ୍କର ଓ କାର ମୁହାଁମୁହିଁ ଧକ୍କା

ଜୟପୁର: ଟ୍ୟାଙ୍କର‌-କାର ଧକ୍କା, ୩ ମୃତ । ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥ ପୁଙ୍ଗାରଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟାଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଜୟପୁରରୁ ବିଶାଖାପାଟଣା ଅଭିମୁଖେ କାରରେ  ଯାଉଥିବାବେଳେ  ପୁଙ୍ଗାର ନିକଟରେ ଗ୍ୟାସ ଟ୍ୟାଙ୍କର ସହ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଚାଳକ, ଜଣେ ମହିଳା ଏବଂ ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଏନଏଚରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ପଟ୍ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଆନ୍ଧ୍ର ଦେଇ ଗଞ୍ଜାମଠାରୁ ଏସିଡ୍ ବୋଝେଇ ଟ୍ୟାଙ୍କର ଦାମନଜୋଡି ଅଭିମୁଖେ ଆସୁଥିବା ବେଳେ ଜୟପୁରରୁ ଆନ୍ଧ୍ର ଅଭିମୁଖେ କାରରେ ଯାଉଥିଲେ ପରିବାର ।

ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବିସ୍ତୃତି ବର୍ଷା ସମ୍ଭାବନା । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟା ପାଇଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ରାଜ୍ୟରେ ୧ ଜୁନ୍ ୨୬ ଜୁନ୍ ମଧ୍ୟରେ ୧୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସ୍ବାଭାବିକ ବର୍ଷା ୧୭୨. ୨ ତୁଳନାରେ ଏହା ୨୪ ପ୍ରତିଶତ କମ୍ । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ୮.୬ ମିଲିମିଟର ତୁଳନାରେ ୨୬୯ ପ୍ରତିଶତ ଅଧିକ ।

ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ, ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ ଦର୍ଶନ

ପୁରୀ: ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ । ନବମୀ ସନ୍ଧ୍ୟା ଦର୍ଶନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ  ଚାଲିବ । ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଅପରାହ୍ନ ୫ଟା ପରେ ବି ଦର୍ଶନର ସୁଯୋଗ ପାଇବେ । ଅପରାହ୍ନ ୫ଟା ପରେ ବାହୁଡା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ନେଇ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡା଼ ଯାତ୍ରାରେ ମଧ୍ଯ ସମାନ ବ୍ୟବସ୍ଥା କରାଯିବ । ଏଥିସହ ସୁନାବେଶରେ ମଧ୍ୟ ବ୍ୟାପକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ, ରୋପ୍ ବ୍ୟାରିକେଡ ବ୍ୟବସ୍ଥା ସହ ଟ୍ରାଫିକକୁ ଆହୁରି ଶୃଙ୍ଖଳିତ କରାଯିବ ।