ଭୁବନେଶ୍ବର: ଦେବଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟକ୍ଷେତ୍ରକୁ ବୁଷ୍ଟର ଡୋଜ୍ । ପ୍ରତିଶ୍ରୁତି ରଖିଲେ 5T ସଚିବ ଭିକେ ପାଣ୍ଡିଆନ୍ । ଦେବଗଡ଼ରେ ୧୦ଟି ବିଭାଗରେ ମିଳିଲା ସ୍ବତନ୍ତ୍ର ଡାକ୍ତରଙ୍କୁ ନିଯୁକ୍ତି । ସର୍ଜରୀ, ଶିଶୁ ବିଭାଗ, ଆନେସ୍ଥାସିଆ, ମାନସିକ, ଅସ୍ଥିଶଲ୍ୟ, ଇଏନଟି, ଚକ୍ଷୁ, ଫୁସଫୁସ, ଭେଷଜ ଓ ଦନ୍ତ ବିଭାଗରେ ନିଯୁକ୍ତି ଦିଆଯାଇଛି । ଦେବଗଡ଼ ଗସ୍ତ ସମୟରେ ଲୋକେ 5T ସଚିବଙ୍କ ନିକଟରେ ଦାବି କରିଥିଲେ । ଯାହାକୁ ପୂରଣ କରିଛନ୍ତି 5T ସଚିବ । କାଉନସିଲିଂ ମାଧ୍ୟମରେ ଏହି ୧୦ଟି ବିଭାଗରେ ଡାକ୍ତରଙ୍କୁ ମିଳିଛି ନିଯୁକ୍ତି ।
ଜାଣନ୍ତୁ ଆସନ୍ତାକାଲି କେତେବେଳେ ବାନ୍ଧିବେ ରାକ୍ଷୀ
ଭୁବନେଶ୍ବର: ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନକୁ ଏବେ ଦ୍ବନ୍ଦ୍ବ ଆରମ୍ଭ ହୋଇଛି । କେଉଁ ବାର ଓ କେଉଁ ସମୟରେ ରକ୍ଷାବନ୍ଧନ ପାଳନ ହେବ ତାକୁ ନେଇ ଏବେ ଭାଇ ଓ ଭଉଣୀ ଚିନ୍ତାରେ । କିଛି ଲୋକ ଆସନ୍ତାକାଲି ରକ୍ଷାବନ୍ଧନ ପାଳନକୁ ବାରଣ କରୁଥିବା ବେଳେ, ଆଉ କିଛି ସପକ୍ଷରେ ଅଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ । ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ ଅଗଷ୍ଟ ରାତି ୯.୦୨ ମିନିଟ ପର୍ଯ୍ୟନ୍ତ ଏହି ଭଦ୍ରାକାଳ ରହିବ । ରାକ୍ଷୀ ସବୁବେଳେ ସଠିକ ସମୟ ଏବଂ ଠିକ ମୁହୂର୍ତ୍ତରେ ବାନ୍ଧିବା ଶୁଭ ହୋଇଥାଏ । ତେବେ ଏଥର ଭଉଣୀ ଟିଏ କେଉଁ ଦିନ କେଉଁ ସମୟରେ ଭାଇ ହାତରେ ରାକ୍ଷୀ ବାନ୍ଧିବେ ସେ ନେଇ ଜ୍ୟୋତିର୍ବିଦମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବୁଧବାର ରାକ୍ଷୀ ବାନ୍ଧିବା ପାଇଁ ଅନେକ ଜ୍ୟାତିଷମାନେ କହିଛନ୍ତି ।
ଜେଲରେ ରହି ପାଠ ପଢ଼ୁଛି ପୁଞ୍ଜିଲାଲ
ବଲାଙ୍ଗୀର: ବଲାଙ୍ଗୀର ଜେଲରେ ସାମ୍ବାଦିକତା ପରୀକ୍ଷା ଦେଉଛି ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟି ଅଧୀନରେ MJMC ପରୀକ୍ଷା ଦେଉଛି ପୁଞ୍ଜିଲାଲ । ପୂର୍ବରୁ ପ୍ରଥମ ସେମିଷ୍ଟର ଦେଇସାରିଥିବା ବେଳେ ମଙ୍ଗଳବାର ଦ୍ବିତୀୟ ସେମିଷ୍ଟର ଦେଇଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପରୀକ୍ଷା ଦାୟିତ୍ଵ ତୁଲାଇଛନ୍ତି । ୱାର୍ଡର ଓ ଅନ୍ୟ ଜେଲ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ମଙ୍ଗଳବାର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଗାମୀ ୪ ଦିନ ଧରି ପରୀକ୍ଷା ଚାଲିବ ।
ବଢ଼ିଲା ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ
ଭୁବନେଶ୍ବର: ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ । ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ପ୍ରତିଶତ ବୃଦ୍ଧି କଲା ସ୍ୱାସ୍ଥ୍ୟ ବିଭାଗ । ତତ୍କାଳ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି । ୨୦୨୧ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ । ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଏନେଇ ଅର୍ଥ ବିଭାଗକୁ ମଧ୍ୟ ଅବଗତ କରାଯାଇଛି ।
ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜଗାଙ୍ଗପୁର ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ଜମି କିଣା ଆରମ୍ଭ ହୋଇଛି । ସୋମବାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଉପସ୍ଥିତିରେ ୪ ଜଣଙ୍କଠାରୁ ୮ ଦଶମିକ ୫ ଡେସିମିଲ ଜମି କିଣାଯାଇଛି । ଓଭର ବ୍ରିଜ ପାଇଁ ୨ ଦଶମିକ ୭୫ ଏକର ଜମି ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଗତ ମାର୍ଚ୍ଚ ମାସରେ 5T ସଚିବ ଭି. କେ ପଣ୍ଡିଆନଙ୍କ ରାଜଗାଙ୍ଗପୁର ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ନେଇ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ଜଣାଇଥିଲେ 5T ସଚିବ । ଏହାପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ କରିବା ପାଇଁ ଆଉ ଜମି ଅଧିଗ୍ରହଣ ନୁହେଁ, ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବେ ବୋଲି ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାପରେ ଗତକାଲିଠାରୁ ଜମି କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଜମି କିଣା ପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ ହେବ ।
ଅଗଷ୍ଟ ୩୧ରୁ ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ପାଇଁ ମଙ୍ଗଳବାର ଜି ଟ୍ରାଏଲ ରନ୍ ସଫଳ ହୋଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ବିମାନ ଚଳାଚଳ ପାଇଁ ଅଗଷ୍ଟ ୭ ତାରିଖରେ ଉତ୍କେଲା ବିମାନବନ୍ଦରକୁ DGCA ଲାଇସେନ୍ସ ଦେଇଥିଲା । ଭୁବନେଶ୍ବର ଓ ଉତ୍କେଲା ବିମାନବନ୍ଦର ମଧ୍ୟରେ ୯ଟି ସିଟ୍ ଥିବା ବିମାନ ଚଳାଚଳ କରିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍। ଟିକେଟର ଦାମ୍ ୯୯୯ ଟଙ୍କା ରହିଛି । ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ । ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ । ଏହା ରାଜ୍ୟର ପଞ୍ଚମ ବିମାନବନ୍ଦର । ଯାହା ସପ୍ତାହର ୭ ଦିନ ଯାକ ବିମାନ ସେବା ଦେବ । ତେବେ ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରୁଛି । ନୂଆ ATCର ପାରାଲାଲ ଅପରେସନ ଆରମ୍ଭ ହୋଇଛି ।
କୋଟା ଛାତ୍ରଙ୍କୁ ସୁପର-୩୦ ଫାଉଣ୍ଡର ଆନନ୍ଦ କୁମାରଙ୍କ ସ୍ପେଶାଲ ମେସେଜ
ନନ୍ଦିଘୋଷ ବ୍ୟୁରୋ: କୋଟା ଛାତ୍ରଙ୍କୁ ସୁପର-୩୦ ଫାଉଣ୍ଡର ଆନନ୍ଦ କୁମାରଙ୍କ ସ୍ପେଶାଲ ମେସେଜ । କୌଣସି ଗୋଟିଏ ପରୀକ୍ଷାରେ ବିଫଳତା ମିଳିବା ଜଣେ ଛାତ୍ରର ପ୍ରତିଭାକୁ ପ୍ରମାଣିତ କରେନାହିଁ । ଜୀବନରେ ସଫଳ ହେବା ପାଇଁ ଗୋଟିଏ ନୁହେଁ ଅନେକ ରାସ୍ତା ରହିଥାଏ । ମାଆ-ବାପା ବି ପିଲାଙ୍କ ଜରିଆରେ ନିଜର ଅଧୁରା ସ୍ବପ୍ନ ପୂରଣ କରିବାକୁ ଚାହାଁନ୍ତି । ରବିବାର ଆଉ ଦୁଇ NEET ଆଶାୟୀଙ୍କ ଆତ୍ମହତ୍ୟା ପରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ରଖିଛନ୍ତି ସୁପର-୩୦ର ଫାଉଣ୍ଡର । ସେ ଏ ନେଇ ଟୁଇଟରରେ ଏକ ପୋଷ୍ଟ କରିଛନ୍ତି । କୋଚିଂ ସେଣ୍ଟରଗୁଡ଼ିକ ସବୁ ପିଲାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ଶିକ୍ଷାକୁ କେବଳ ରୋଜଗାରର ମାଧ୍ୟମ ନକରି ବିଦ୍ୟାର୍ଥୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅପିଲ କରିଛନ୍ତି ଆନନ୍ଦ କୁମାର ।
ଛାତ୍ର ଛାତ୍ରୀଙ୍କୁ ସହ ମନଖୋଲା ଆଲୋଚନା କଲେ 5T ସଚିବ
ଯାଜପୁର: ଯାଜପୁର ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଯାଜପୁରରେ ଛାତ୍ରଛାତ୍ରୀଙ୍କ ସହ ମନଖୋଲା ଆଲୋଚନା କରିଛନ୍ତି 5T ସଚିବ । ଭଲ ପାଠ ପଢ଼ି ଭବିଷ୍ୟତର ସ୍ବପ୍ନ ପୂରଣ କରିବାକୁ ଆହ୍ବାନ ଦେବା ସହ କଲେଜ ରୂପାନ୍ତର କାମରେ ଶ୍ରମଦାନ କରିବାକୁ କହିଛନ୍ତି । ଶ୍ରମଦାନର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଯାଜପୁରର ସମସ୍ତ +୨ ଓ +୩ କଲେଜକୁ 5Tରେ ସାମିଲ କରାଯାଇଛି । ସ୍ମାର୍ଟ କ୍ଲାସରୁମ ସହ ଇ-ଲାଇବ୍ରେରୀ ମିଳିବ । ସେହିପରି ବମ୍ବେ, କୋଲକାତା ଓ ଦିଲ୍ଲୀରେ ଯେଉଁ ସୁବିଧା ମିଳୁଛି, ଯାଜପୁର ଜିଲ୍ଲାର ପିଲାମାନେ ବି ସବୁ ପ୍ରକାର ସୁବିଧା ପାଇବେ ବୋଲି କହିଛନ୍ତି 5T ସଚିବ । ଛାତ୍ରଛାତ୍ରୀମାନେ ଯେପରି ଭଲ ପାଠ ପଢ଼ିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏସବୁ ବ୍ୟବସ୍ଥା କରିଛନ୍ତି । କଲେଜରେ ଏବେକାର ସ୍ଥିତି ଏବଂ ରୂପାନ୍ତର କାମ ପରେ ନୂଆ ଚିତ୍ର ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ କହିଛନ୍ତି 5T ସଚିବ । ସେହିପରି ବ୍ୟାୟାମ କରିବା ସହ ନିଶା ଠାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ସଚିବ ।
ଖାଉଟିଙ୍କୁ ଆଶ୍ବସ୍ତି, ୨ଶହ ଟଙ୍କା କମିବ ଗ୍ୟାସ୍ ଦର!
ନନ୍ଦିଘୋଷ ବ୍ୟୁରୋ: ଖାଉଟିଙ୍କୁ ବଡ଼ ଆଶ୍ବସ୍ତି । ୨ଶହ ଟଙ୍କା ଶସ୍ତା ହେଲା ଘରୋଇ ଏଲପିଜି ଗ୍ୟାସ ଦର । ଉଜ୍ଜଳା ଯେଜାନାରେ ଅନ୍ତର୍ଭୂକ୍ତ ଘରୋଇ ଗ୍ୟାସ ଦର ୨ଶହ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ତେବେ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଘୋଷଣା କରାଯାଇଛି । ଉଜ୍ଜଳା ଯୋଜନାରେ ସରକାର ୨ଶହ ଟଙ୍କାର ସବସିଡି ଘୋଷଣା କରିଛନ୍ତି । ୧୪ କିଲୋ ୨ଶହ ଗ୍ରାମ ସିଲିଣ୍ଡର ଉପରେ ଏହି ସବିସିଡି ଲାଗୁହେବ । ପୂର୍ବରୁ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ୨ଶହ ଟଙ୍କାର ସବସିଡି ପାଉଥିଲେ । ଏବେ ଅତିରିକ୍ତ ୨ଶହ ଟଙ୍କାର ସବସିଡି ପାଇବେ । ୨୦୧୬ରୁ ଉଜ୍ଜଳା ଯୋଜନା କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨୦୨୩ ସୁଦ୍ଧା ୯ କୋଟିରୁ ଅଧିକ ଉପଭୋକ୍ତା ସାମିଲ ହୋଇଛନ୍ତି ।
ଜେଲରୁ ମୁକୁଳିବେ ଇମ୍ରାନ ଖାନ୍
ଇସଲାମବାଦ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଜେଲରୁ ମୁକୁଳିବା ପାଇଁ ବାଟ ଖୋଲିଛି । ତୋଷଖାନା ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହାଦ୍ବାରା ତାଙ୍କୁ ଜାମିନରେ ମୁକୁଳାଇବାକୁ ଆଦେଶ ମିଳିଛି । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ମାମଲାରେ ୩ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ନିମ୍ନ ଅଦାଲତ । ବୁଧବାର କୋର୍ଟରେ ହାଜର ହୋଇଥାନ୍ତେ ଇମ୍ରାନ । ତୋଷଖାନ ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ବର୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

