spot_img
Home Blog Page 295

ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅନଲାଇନ୍ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଏହି ଫାଣ୍ଟାସୀ ଗେମିଂ ଉପରେ ତାଲା ପଡ଼ିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହ ଏବେ ଏହି ଗେମିଂ ଉପରେ ତାଲା ପଡ଼ିବାର ରାସ୍ତା ମଧ୍ୟ ପରିଷ୍କାର ହୋଇଯାଇଛି । ସଂସଦର ମୌସୁମୀ ଅଧିବେସନ ଅବସରରେ ଅନଲାଇନ୍ ଗେମିଂ ବିଲ ପାସ ହୋଇଥିଲା । ସଂସଦର ଉଭୟ ଗୃହ, ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଅନଲାଇନ୍ ଗେମିଂ ପ୍ରମୋସନ ଓ ରେଗୁଲେସନ ବିଲକୁ ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ସହିତ ଏବେ ଏହା ଆଇନରେ ପରିଣତ ହୋଇଯାଇଛି ଓ ଏହାର ପ୍ରାବଧାନ ଲାଗୁ ହୋଇଯାଇଛି । ଏହି ବିଲ ଅଗଷ୍ଟ ୦ ତାରିଖରେ ଲୋକସଭା ଓ ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା । ଉଭୟ ଗୃହରେ ବିଲକୁ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥାପନ କରିଥିଲେ ।

ରାଜ୍ୟରେ ନନଷ୍ଟପ୍ ବର୍ଷା: ୨୭ ଯାଏଁ ଭିଜିବ ସାରା ରାଜ୍ୟ

ରାଜ୍ୟରେ ନନଷ୍ଟପ୍ ବର୍ଷା । ୨୭ ଯାଏଁ ଭିଜିବ ସାରା ରାଜ୍ୟ । ଆସୁଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉଏକ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଜାରି ହୋଇଛି ରେଡ୍ ଆଲର୍ଟ I ପୁଣି ୪ ଜିଲ୍ଲା କେଉଁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୨୫ ଜିଲ୍ଲାରେ ପାଇଁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ । ତେବେ ୨୭ ପରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୋଟିଏ ପରେ ଗୋଟିଏ ଲଘୁଚାପ ପରେ ବି ରାଜ୍ୟର କିଛି ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବର୍ଷା  । ତେବେ ମୌସୁମୀ ଋତୁ ଜାରି ରହିଥିବାରୁ ନିଅଣ୍ଟିଆ ଭରଣା ହେବା ଆଶା କରାଯାଉଛି ।

ବର୍ଷାରେ ବେହାଲ ସମ୍ବଲପୁର: ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ

ବର୍ଷାରେ ବେହାଲ ସମ୍ବଲପୁର । ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ଘରେ ବାହାରେ ଲହଡ଼ି ଭାଙ୍ଗୁଛି ଡ୍ରେନପାଣି । ଘରେ ଅପରିଷ୍କାର ପାଣି ପଶି ହନ୍ତସନ୍ତ ଲୋକେ । ଲଗାଣ ବର୍ଷା ଯୋଗୁଁ ଉଛୁଳିଛି ନାଳ ନର୍ଦ୍ଦମା । ଫଳରେ ଡ୍ରେନ ପାଣି ସିଧା ଘର ଭିତରକୁ ପଶିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗି ରହିଥିବାବେଳେ ଘରୁ ବାହାରିବା ମୁସ୍କିଲ ହେଉଛି । ବିଶେଷ କରି ସମ୍ବଲପୁରର ବୁଢ଼ାରାଜା, ପ୍ରଧାନପଡା, ଫାଟକ, ଜଗନ୍ନାଥ କଲୋନୀ, ସାକ୍ଷୀପଡା ଭଳି ସ୍ଥାନ ମାନଙ୍କରେ ଏବେ ଡ୍ରେନ ପାଣି ପଶି ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି ଲୋକେ ।
ପ୍ରବଳ ବର୍ଷାରେ କେବଳ ଘରେ ପାଣି ପଶିଛି ତାହା ନୁହେଁ ସହରର ବିଭିନ୍ନ ରେଳୱେ ଅଣ୍ଡର ପାସ ମାନଙ୍କରେ ଜମିଛି ପାଣି । ଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । ବର୍ଷା ଆଗରୁ ଡ୍ରେନ ସଫେଇ ସହ ସଠିକ ପ୍ଲାନିଂ କରାଯାଇ ନଥିବାରୁ ଏପରି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି ।

ନାହିଁ ନାହିଁରେ ଚାଲିଛି ଭୀମସାର: ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ନାହିଁ ନାହିଁରେ ଚାଲିଛି ଭୀମସାର । ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ବିଶ୍ବାସ ହରାଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ପଶ୍ଚିମ ଓଡ଼ିଶା ତଥା ଛତିଶଗଡ ଓ ଝାଡ଼ଖଣ୍ଡ ଜନସାଧାରଣଙ୍କ ବିଶ୍ୱାସ ଯୋଗ୍ୟ ମେଡ଼ିକାଲ ବୁର୍ଲା ଭୀମସାର । ହେଲେ ଏବେ ଏହା ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି । ୨୦୨୩ ରେ ନିର୍ଦ୍ଦେଶକ ଲଳିତ ମେହେର ଅବସର ନେବା ପରେ ଏ ପର୍ଯ୍ୟନ୍ତ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପାଇ ନାହାନ୍ତି । କେତେବେଳେ ଡାକ୍ତର ପଦ ଖାଲି ରହୁଛି ତ ଆଉ କେତେବେଳେ ମେଡ଼ିକାଲ ସରଞ୍ଜାମ ରୋଗୀ ପାଖରେ ପହଞ୍ଚି ପାରୁନାହିଁ । ମେଡ଼ିକାଲର ଲିଫ୍ଟ ଠାରୁ ବିଭିନ୍ନ ମୌଳିକ ସମସ୍ୟା ଲାଗି ରହୁଥିବାରୁ ରୋଗୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
କେବଳ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି ତାହା ନୁହେଁ ତା ସହ ମେଡ଼ିକାଲ କଲେଜର ଡିନ ଓ ଡାକ୍ତର ଖାନାର ଅଧିକ୍ଷକ ପଦ ମଧ୍ୟ କାମଚଳାରେ ଚାଲିଛି । ଦୀର୍ଘଦୀନ ଧରି ନୂଆ ନିଯୁକ୍ତି ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । କର୍ମଚାରୀ ଅଭାବରୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି । ତେଣୁ ସମସ୍ୟା ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି ।

ହନ୍ତସନ୍ତ କରୁଛନ୍ତି ବୁଲା କୁକୁର: ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା

ହନ୍ତସନ୍ତ କରୁଛନ୍ତି ବୁଲା କୁକୁର । ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ଜଳାନ୍ତକ ଆତଙ୍କରେ ଆତଙ୍କିତ ସହରବାସୀ । ବାଲେଶ୍ୱର ସହରରେ ବଡ଼ ସମସ୍ୟା ପାଲଟିଛି ବୁଲା କୁକୁର । ଅନେକ ଲୋକ କୁକୁରଙ୍କୁ ଆଦର କରିଥାନ୍ତି, ଏପରିକି ବିଭିନ୍ନ ଦୋକାନ ଖାଦ୍ୟ ଦୋକାନ ରେ କୁକୁର ମାନଙ୍କୁ ଖାଇବାକୁ ଦେଉଛନ୍ତି । ତେବେ ଅନେକ ସମୟରେ ପିଲା ଓ ଯାତ୍ରୀଙ୍କୁ ଭୟଭୀତ କରିବା ସହ କାମୁଡ଼ି କ୍ଷତାକ୍ତ କରୁଛନ୍ତି । ବାରବାଟୀ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ୧୮ ଜଣ ଲୋକଙ୍କୁ ଆକ୍ରମଣ କଲେଣି ବୁଲା କୁକୁର । ଏପରିକି ଅନେକ ସମୟରେ ଏହି ବୁଲା କୁକୁରଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି । କୁକୁର ଆକ୍ରମଣରେ ଗୁରୁତର ହୋଇ ଜଣେ ପରେ ଜଣେ ମେଡିକାଲରେ ଭର୍ତ୍ତିହେବା ପରେ ଲୋକେ ପ୍ରଶାସନକୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ପୂର୍ବରୁ ପୌରପାଳିକା ଦ୍ୱାରା କୁକୁର ଧରା ଅଭିଯାନ ହେଉଥିଲା । ସ୍ୱତନ୍ତ୍ର ଗାଡ଼ି ରେ କୁକୁର ଧରିବା ସହିତ ସେମାନଙ୍କ ବନ୍ଧ୍ୟାକରଣ କରାଯାଉଥିଲା । କିନ୍ତୁ ଏହା ଏବେ ବନ୍ଦ ହୋଇଯାଇଛି । ଏପରିକି କୁକୁର ମାମଲାକୁ ନେଇ ସୁପ୍ରିମକୋର୍ଟ ମଧ୍ଯ କ୍ଷୋଭ ପ୍ରକାଶ କରିଛନ୍ତି । ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପରେ ବାହାରେ ଛଡ଼ାଯିବ। ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଦ୍ୟ ଦେବାକୁ ବାରଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ମୁନିସିପାଲଟି ଚେୟାରମ୍ୟାନ କହିଛନ୍ତି, କୁକୁର କାମୁଡ଼ା ଅଭିଯୋଗ ବିଭିନ୍ନ ସ୍ଥାନରୁ ବହୁଳ ମାତ୍ରାରେ ଆସୁଛି । ତେବେ ସରକାର ଯଦି କିଛି ନିୟମ ଆଣନ୍ତି ତେବେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ।

ଅସୁରକ୍ଷିତ ବଡ଼ଦେଉଳ: ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ଉପରେ ଚଢିବାକୁ ଉଦ୍ୟମ

ଅସୁରକ୍ଷିତ ବଡ଼ଦେଉଳ । ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ଉପରେ ଚଢିବାକୁ ଉଦ୍ୟମ । ୫ ଫୁଟ ଉପରକୁ ଚଢିବା ପରେ ଉଦ୍ଧାର କଲେ ସୁରକ୍ଷା କର୍ମୀ । କେତେବେଳେ ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ ହେଉଛି ତ କେତେବେଳେ ଉପରେ ଉଡୁଛି ଡ୍ରୋନ । ସ୍ପାଏ କ୍ୟାମେରା ନେଇ ଭିତରେ ପ୍ରବେଶ କରୁଛନ୍ତି ଲୋକେ । ଗତ କିଛିଦିନ ମଧ୍ୟରେ ଅନେକ ଭକ୍ତ ଶ୍ରୀମନ୍ଦିର ଉପରେ ଚଡିବା ପାଇଁ ଉଦ୍ୟମ କରୁଥିବା ମଧ୍ଯ ନଜର ଆସିଛି । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସୃଷ୍ଟି ହୋଇଛି ଆଶଂକା । ଜିଲ୍ଲା ପୋଲିସ ଓ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଥିବା ସତ୍ତ୍ବେ ସୁରକ୍ଷା ବଳୟକୁ ଭେଦ କରି ଏପରି ଘଟଣା କିପରି ଘଟୁଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ଆଜି ପୁଣି ବେହରଣ ଦ୍ବାର ଦେଇ ଦେଉଳର ପ୍ରାୟ ୫ ଫୁଟ ଉପରକୁ ଚଢିଥିଲେ ଉତ୍ତରପ୍ରଦେଶର ମନୋଜ ସିଂ । ତାଙ୍କୁ କାବୁ କରିବା ପରେ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆନନ୍ଦ ବଜ଼ାରରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯିବା ସହ କିଛି ସ୍ଥାନରେ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ସ୍ଥାନରେ ଲଗାଯିବ ହୋର୍ଡିଂ । ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଦିଗରେ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପକ୍ଷରେ ପରିଚାଳନା କମିଟି ଗଠନ ପରେ ନାଟ ମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଆବଶକୀୟ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏକତରଫା ପ୍ରେମ କରି ବିଫଳ ହେବାରୁ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଏକତରଫା ପ୍ରେମ କରି ବିଫଳ ହେବାରୁ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ଅଂଚଳରେ । ନାବାଳିକା ଜଣଙ୍କ କଲେଜ ଯାଉଥିବା ବେଳେ ମଳୟ ସାମଲ ନାମକ ଜଣେ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୂର୍ବରୁ ଯୁବକ ଜଣଙ୍କ ନାବାଳିକାଙ୍କ ଫୋନ ନମ୍ବର୍ ସଂଗ୍ରହ କରି ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରିଥିଲେ । ହେଲେ ନାବାଳିକା ଜଣଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଥିଲେ । ଶେଷରେ ପ୍ରେମ ନିବେଦନ କରି ଯୁବକ ଜଣଙ୍କ ବିଫଳ ହେବାରୁ ଏଭଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାଙ୍କ ବାପା ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି ।.

୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର: ମଝି ରାସ୍ତାରେ ହନ୍ତସନ୍ତ ହେଉଛନ୍ତି ରୋଗୀ

୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର। କେତେବେଳେ ବିଳମ୍ବରେ ପହଁଚୁଛି ତ ଆଉ କେଉଁଠି ବିଚ ରାସ୍ତାରେ ଖରାପ ହୋଇଯାଉଛି। ଫଳରେ ମଝି ରାସ୍ତାରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ଯାହାର ବାସ୍ତବ ଚିତ୍ର ଆଜି ଦେଖିବାକୁ ମିଳିଛି ଭଦ୍ରକ ଆନନ୍ଦପୁର ରାସ୍ତାର ରାନ୍ଦିଆ ଫିସରୀ ଛକ ନିକଟରେ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଡିମ୍ବିରିଆ ଗ୍ରାମର ଦାସରଥୀ ବାରିକ ନିଜ ଗୁରୁତ୍ତର ଝିଅକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲ ନେଇ ଆସୁଥିବା ବେଳେ ଗାଡି ଖରାପ ହୋଇଯାଇଥିଲା।। ଫଳରେ ତାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ଅନ୍ୟ ଏକ ଗାଡିରେ ଭଦ୍ରକ ମେଡିକାଲକୁ ଆସିବାକୁ ପଡିଥିଲା। ଏପରିକି ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ ପାଇଁ ରାତି ୩ ଟାରୁ ଫୋନ କରାଯାଇଥିବା ବେଳେ ଆମ୍ବୁଲଆନ୍ସ ସକାଳ ୭ ଟାରେ ପହଂଚିଥିବା ଅଭିଯୋଗ ହୋଇଛି। ଗୋଟେ ପଟେ ୧୦୮ ବିଳମ୍ବରେ ପହଂଚିବା ଓ ବିଚ ରାସ୍ତାରେ ଖରାପ ହେବାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ରାସ୍ତାରେ ହଠାତ ଗାଡି ଖରାପ ହେବା ପରେ ରୋଗୀଙ୍କୁ ଅନ୍ୟ ଏକ ଗାଡିରେ ସ୍ଥାନାନ୍ତର କରାଯିବା କଥା କହିଛନ୍ତି ୧୦୮ ଡ୍ରାଇଭର।

ପାଖେଇ ଆସିଲାଣି ଗଣେଶ ପୂଜା: ଚଳଚଞ୍ଚଳ ମୂର୍ତ୍ତି କାରିଗର

ପାଖେଇ ଆସିଲାଣି ଗଣେଶ ପୂଜା । ଚଳଚଞ୍ଚଳ ମୂର୍ତ୍ତି କାରିଗର । ଚିକମିକ ରଙ୍ଗ ଦେଇ ମୂର୍ତ୍ତିକୁ ଦେଉଛନ୍ତି ଶେଷ ସ୍ପର୍ଶ । ପୁରୀ ଜିଲ୍ଲା କାକଟପୁର ଜଗନ୍ନାଥପୁର ଓ ଅସ୍ତରଙ୍ଗ ଅଂଚଳର ହରିଣହୁଳା, ଓସ୍ତପୁର କୁମ୍ଭକାର ଗାଁରେ ଭଳିକି ଭଳି ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି କାରିଗର । ଗ୍ରାହକଙ୍କ ଅର୍ଡର ଅନୁସାରେ ନିର୍ମାଣ କରୁଛନ୍ତି ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ମୁଣ୍ମୟୀ ମୂର୍ତ୍ତି । କାକଟପୁର ଜଗନ୍ନାଥପୁର ଅଂଚଳ ମୂର୍ତ୍ତିର ସ୍ୱତନ୍ତ୍ର ଚାହିଦା ଥିବାରୁ ଜିଲ୍ଲା ତଥା ଜିଲ୍ଲାର କୋଣ ଅନୁକୋଣରୁ ଗ୍ରାହକ ମାନେ ମୂର୍ତ୍ତି କିଣିବାକୁ ଏଠାକୁ ଧାଇଁ ଆସନ୍ତି । କାରିଗର ମାନେ ଭଲ ଦି ପଇସା ବେପାର ଆଶା ରଖି ଅଧିକ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ଗାଁରେ ଚଳଚଞ୍ଚଳ ମୂର୍ତ୍ତି କାରିଗର । ଦିନ ରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ଛୋଟରୁ ବଡ ପର୍ଯ୍ୟନ୍ତ ଭଳିକି ଭଳି ମୂର୍ତ୍ତି ତିଆରି କରୁଛନ୍ତି । କୁଦିଆରୀ ଗାଁରେ ତିଆରି ହେଉଥିବା ମୂର୍ତ୍ତିର ଜଟଣୀ ତଥା ଜଟଣୀ ବାହାରେ ମଧ୍ୟ ବେଶ ଚାହିଦା ରହିଛି । ମୂର୍ତ୍ତି ନେବା ପାଇଁ ଏବେଠାରୁ ବଇନା ଦେଇଗଲେଣି ଗ୍ରାହକ । ହେଲେ ବି ପରିଶ୍ରମ ମୁତାବକ ପାଉଣା ମିଳୁନଥିବା କହିଛନ୍ତି କାରିଗର । ଗଣେଶ ପୂଜା ଠାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଲାଣି ପୁରପଲ୍ଲୀ ।

ପୋଖରୀ ଉନ୍ନତିକରଣ ନାଁରେ ଲୁଟ୍ ଅଭିଯୋଗ

ପୋଖରୀ ଉନ୍ନତିକରଣ ନାଁରେ ଲୁଟ୍ ଅଭିଯୋଗ । ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ମିଲିଭଗତରେ ଅର୍ଥ ହେରଫେର । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ତାରିଣୀ ଗଡିଆ ନାଁରେ କରାଯାଇଛି ଟଙ୍କା ଆତ୍ମସାତ । ୨୦୨୩- ୨୪ ଆର୍ଥିକ ବର୍ଷରେ ତାରିଣୀ ଗଡିଆର ଉନ୍ନତି ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ହେଲେ ତାହା କେବଳ କାଗଜ କଲମରେ ଖର୍ଚ୍ଚ ହୋଇଥିବା ଦେଖିବାକୁ ମିଳିଛି । ଶ୍ରମିକଙ୍କ କାମକୁ ପୂରା କରିଥିଲା ମେସିନ । କିନ୍ତୁ ଟଙ୍କା ଯାଇଥିଲା କାମ କରିନଥିବା ଅନ୍ୟ ଲୋକଙ୍କ ଆକାଉଣ୍ଟକୁ । ପରିତାପର ବିଷୟ ଟଙ୍କା ଯାଇଥିବା ଲୋକଙ୍କ ମଧ୍ୟରୁ କିଛି ଦୃଷ୍ଟିବାଧିତ ଥିବା ବେଳେ କେତେକଙ୍କ ମୃତ୍ୟୁ ଘଟିସାରିଛି ।

ଦୁର୍ନୀତିକୁ ବିରୋଧ କରି RTIରୁ ତଥ୍ୟ ସଂଗ୍ରହ କରି ଜିଲ୍ଲା ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଘଟଗାଁର ଯୁବ ଆଇନଜୀବୀ ଅନୀଲ କୁମାର ଦେହୁରୀ । ଯାହାକୁ ନେଇ ଲୋକପାଳ ତାରିଣୀ ଗଡିଆ ଯାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ଜାଣିବାକୁ ପାଇଥିଲେ କିଛି ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଏଭଳି ଘଟଣା ଘଟିଛି । ତା ପରେ ଆକ୍ସନ ନେଇଛନ୍ତି ଲୋକପାଳ । ମନରେଗା ଯୋଜନାରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ଟଙ୍କାରୁ ୮ ଲକ୍ଷ ୫୧ ହଜାର ୮୪୯ ଟଙ୍କା ଦୁଇଟି ପର୍ଯ୍ୟାୟରେ ୬ ଜଣ ଅଧିକାରୀ ତତ୍କାଳୀନ ଦୁଇଜଣ ଜେଇ, ଜଣେ ବିଡିଓ, ଜଣେ ଏଇଇ ଏବଂ ଜଣେ ବି. ଏଫ.ଓଙ୍କ ଠାରୁ ଆଦାୟ କରିବାକୁ ସେ ସୁପାରିସ କରିଛନ୍ତି । ଏହା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି ଲୋକପାଳ ।