ନନ୍ଦିଘୋଷ ବ୍ୟୁରୋ ; ଆସନ୍ତାକାଲି ଆସିବ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ। ପ୍ରଥମ ଥର ପାଇଁ ରବିବାରରେ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନବମ ଥର ପାଇଁ ନିର୍ମଳା ବଜେଟ ଆଗତ କରିବେ। ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକଙ୍କ ଅଧିକ କ୍ରୟଶକ୍ତି ବୃଦ୍ଧି କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି। ଆୟକରାଦାତାଙ୍କୁ ଟିକସ ଛାଡ଼ ସୀମା ଅଧିକ ମିଳିବ କି? ନିମ୍ନ ମଧ୍ଯବିତ୍ତଙ୍କ ପାଇଁ ସଞ୍ଚୟ ପାଇଁ କିଛି ବାଟ ବାହାରିବ କି? ଟିକସରେ ରିହାତି ଦେଇ ଦରଦାମ ବୃଦ୍ଧିକୁ ରୋକିବାକୁ କିଛି ନୂଆ ଘୋଷଣା ହେବ କି? କେନ୍ଦ୍ର ବଜେଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ଏପରି ଅନେକ କଳ୍ପନାଜଳ୍ପନା। ସେହିପରି ବଜେଟକୁ ନେଇ ଆଶା ଆଶଙ୍କାରେ ଶିଳ୍ପ ସମୁଦାୟ, ରିଅଲ ଇଷ୍ଟେଟ କ୍ଷେତ୍ର, ଏମଏସଏମଇ, ଅଟୋ, ଇଲେକ୍ଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତି ବିଦ୍ଯାକ୍ଷେତ୍ର I ଆମେରିକାର ଟାରିଫ, ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଶିଳ୍ପ ପ୍ରତି ବିଶେଷ ସହାୟତା ଦେବା ଲାଗି ବିଭିନ୍ନ ମହଲରୁ ଆସିଛି ପ୍ରସ୍ତାବ I ମେକ ଇନ ଇଣ୍ଡିଆ କ୍ଷେତ୍ରରେ ଶୁଳ୍କଗତ ପରିବର୍ତ୍ତନ ଲାଗି ରଖାଯାଇଛି ଆଶା I ବିଶ୍ବସ୍ତରରେ ପ୍ରତିଯୋଗିତା କରିବା ଲାଗି ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବା ଲାଗି ଦାବି ହୋଇଛି I ସେହିପରି ଇଭି, ସୌର ଯନ୍ତ୍ରପାତି, ପ୍ରତିରକ୍ଷା, ପ୍ରସ୍ତୁତି, ସେମିକଣ୍ଡକ୍ଟର କ୍ଷେତ୍ରକୁ ଗୁରୁତ୍ବ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି I ପ୍ରତିଯୋଗିତା ବୃଦ୍ଧି, ଧାରାବାହିକ ଯୋଗାଣ, ଦୀର୍ଘସୂତ୍ରୀ ଟିଭି ମାନୁଫାକ୍ଚରିଂ କ୍ଷେତ୍ରକୁ ବି ଗୁରୁତ୍ବ ଦେବାକୁ ହୋଇଛି ଦାବି I ବାଣିଜ୍ୟଗତ ପ୍ରତିବନ୍ଧକ ହଟାଇବା, ଅକ୍ଷୟ ଶକ୍ତିର ବିକାଶ, ହାଇଟେକ ଅଟୋମେସନ, ଡିଜିଟାଲ ଟ୍ରାନ୍ସଫର୍ମେସନ, ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼଼ କରିବା ଲାଗି ବଜେଟରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ I
‘ଦବଙ୍ଗ’ ଡାଇରେକ୍ଟର ଅଭିନବ କଶ୍ୟପଙ୍କ ବିରୋଧରେ ସଲମାନଙ୍କ ମାନହାନୀ ମାମଲା
‘ଦବଙ୍ଗ’ ଡାଇରେକ୍ଟର ଅଭିନବ କଶ୍ୟପଙ୍କ ବିରୋଧରେ ସଲମାନଙ୍କ ମାନହାନୀ ମାମଲା
ନନ୍ଦିଘୋଷ ବ୍ୟୁରୋ: ଦବଙ୍ଗ ଫିଲ୍ମର ଡାଇରେକ୍ଟର ଅଭିନବ କଶ୍ୟପ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପରିବାର ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ । ତାଙ୍କର ଶେଷ ସାକ୍ଷାତକାର ବହୁତ ଚର୍ଚ୍ଚାରେ ରହିଥିଲା । ଯେଉଁଥିରେ ସେ ସଲମାନଙ୍କ ଅଭିନୟରୁ ନେଇ ତାଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇ ଥିଲେ । ଅଭିନବ ତାଙ୍କ କ୍ୟାରେକ୍ଟରକୁ ନେଇ ଗମ୍ଭୀର ଆରୋପ ଲଗାଇଥିଲେ । ଯାହା ଉପରେ ସଲମାନଙ୍କ ରିଆକ୍ଟ ଆସିଥିଲା । ଏବେ ଏହି ଘଟଣାରେ କୋର୍ଟଙ୍କ ଏଣ୍ଟ୍ରି ହୋଇଛି । ଯେଉଁଥିରେ ସଲମାନ ଓ ତାଙ୍କ ପରିବାରକୁ ଆସ୍ବସ୍ତି ମିଳିଛି ।
ଅଭିନବଙ୍କୁ କୋର୍ଟଙ୍କ ଭର୍ତ୍ସନା
ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ କଶ୍ୟପଙ୍କୁ ସଲମାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଅପମାନଜନକ କମେଣ୍ଟ କରିବା ଓ ନକରାତ୍ମକ ଭାବନା ସୃଷ୍ଟି କରିବା ଉପରେ ଅସ୍ଥାୟୀ ରୂପେ ସ୍ଥଗିତାଦେଶ ଲଗାଇଛନ୍ତି । ସଲମାନ କୋର୍ଟରେ ମାନହାନୀ ମାମଲା କରିଛନ୍ତି । ସେ ଚାହୁଁଛନ୍ତି କୋର୍ଟ ବୟାନବାଜି ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାନ୍ତୁ । ସେ ଅଭିନବ କଶ୍ୟପଙ୍କୁ ୯ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହାସହ ବିନା ସର୍ତ୍ତରେ କ୍ଷମା ମାଗିବାକୁ ବି ଦାବି କରିଛନ୍ତି ।
ଅଭିନବ କଶ୍ୟପ ସଲମାନଙ୍କ ବିରୋଧରେ ସେପ୍ଟେମ୍ବରରୁ ଡିସେମ୍ବର ୨୦୨୫ ମଧ୍ୟରେ ୨୬ ଭିଡିଓ ସାକ୍ଷାତାକର ଓ ପୋଡକାଷ୍ଟ ଜାରି କରିଥିଲେ । କୋର୍ଟରେ ଦାୟର ଆବେଦନର ଦାବି କରାଯାଇଛି ଏହି ଭିଡିଓରେ ଡାଇରେକ୍ଟର ତାଙ୍କର ଓ ତାଙ୍କ ପରିବାର ବିରୋଧରେ ଖରାପ କଥା କହିବା, ମିଛ କହିବା ଓ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ଏଥିରେ ଅଭିନବଙ୍କ ବ୍ୟତୀତ ଖୁସବୁ ହଜାରେ ଓ ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମର ନାଁ ରହିଛି ।
ଆବେଦନ ଅନୁସାରେ, ଡାଇରେକ୍ଟର ସଲମାନ ଓ ତାଙ୍କ ପରିବାର ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ । ସେ ସଲମାନଙ୍କ କ୍ୟାରିଅରକୁ ନେଇ ମିଛ ଦାବି କରିଥିଲେ । ଡାଇରେକ୍ଟର ଏକ ସାକ୍ଷାତକାରରେ ଖାନ ପରିବାରକୁ ଦୋଷୀ ବି କହିଥିଲେ । ଏହାସହ ସଲମାନଙ୍କ ଚେହେରା, ତାଙ୍କ ବୟସ ଓ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଅପଶବ୍ଦ ବ୍ୟବହାର କରିଥିଲେ । ଅଭିନବ କଶ୍ୟପ ସଲମାନଙ୍କ ବାପା ସଲିମ ଖାନ, ଦୁଇ ଭାଇ ଅରବାଜ ଓ ସୋହେଲଙ୍କ ବିରୋଧରେ ବି ଅପମାନଜନକ କଥା କହିଥିଲେ ।
କୋର୍ଟଙ୍କ ଆଦେଶ ?
ସଲମାନଙ୍କ ପାକ୍ଷରୁ ଏହା ଦାବି କରାଯାଇଥିଲା, ଏହି ଲୋକମାନେ ଆଗକୁ ଯେମିତି ତାଙ୍କର ଓ ତାଙ୍କ ପରିବାରର ମାନହାନୀ ହେବା ପରି ଟିପ୍ପଣୀ ନଦିଅନ୍ତି ସେଥିପାଇଁ ପ୍ରତିବନ୍ଧକ ଲଗାନ୍ତୁ । ଏହାସହ ସମସ୍ତ ବିବାଦୀୟ କଣ୍ଟେନ ହଟା ଯିବା ସହ ଡାଇରେକ୍ଟର ବିନା ସର୍ତ୍ତରେ କ୍ଷମା ମାଗନ୍ତୁ । କୋର୍ଟ ବି ଅଭିନବଙ୍କ କମେଣ୍ଟସକୁ ବଦନାମୀ କରିବା, ନିଚା ଦେଖାଇବା, ଅପଶବ୍ଦ ବ୍ୟବହାର କରିବା ଓ ଅପମାନିତ କରିବା ମାନିଛନ୍ତି । କୋର୍ଟ କହିଛନ୍ତି, ଏମିତି ଟିପ୍ପଣୀ ସାଧାରଣ ଲୋକଙ୍କ ଆଗରେ ଜଣଙ୍କର ଇମେଜ ଖରାପ କରିଥାଏ । ଅଭିନବ ଓ ଅନ୍ୟମାନଙ୍କ ଟିପ୍ପଣୀ ସଲମାନ ଓ ତାଙ୍କ ପରିବାରର ଇଜ୍ଜତକୁ ତଳେ ପକାଇଛି । କୋର୍ଟ ସ୍ପଷ୍ଟ କରିଛନ୍ତି, କୌଣସି ବ୍ୟକ୍ତି କାହାରି ପରିବାର ବିରୋଧରେ ଅଭଦ୍ର ଓ ଅପମାନଜନକ ଶବ୍ଦ ବ୍ୟବହାର କରିବା ଅନୁଚିତ ।
ବେଲୁଚିସ୍ତାନର ୧୨ ସହର ଉପରେ ବିଏଲଏର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ
ବେଲୁଚିସ୍ତାନର ୧୨ ସହର ଉପରେ ବିଏଲଏର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ
ନନ୍ଦିଘୋଷ ବ୍ୟୁରୋ: ପୁଣି ଅଶାନ୍ତ ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତ । ବେଲୁଚ ଲିବରେଶନ ଆର୍ମୀ (ବିଏଲଏ) ଏକାଥରେ ୧୨ ସହର ଉପରେ କରିଛି ଆତ୍ମଘାତି ଆକ୍ରମଣ । ଏଥିରେ ୧୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ପଲଟା ଆକ୍ରମଣରେ ୫୦ରୁ ଅଧିକ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଉଛି ।
ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ ଅନୁସାରେ, ଶନିବାର ସକାଳେ ଏକା ସାଙ୍ଗରେ ବେଲୁଚିସ୍ତାନର ୫ଟି ପ୍ରମୁଖ ଜିଲ୍ଲା କ୍ବେଟା, ପସନୀ, ମସ୍ତୁଙ୍ଗ, ନୁସ୍କି ଓ ଗ୍ବାଦରରେ ବିଏଲଏ ବିଦ୍ରୋହୀ ଆକ୍ରମଣ କରିଥିଲେ । ଅନ୍ଧାଧୁନ ଗୁଳିମାଡ଼ ସହ ଆତ୍ମଘାତି ଆକ୍ରମଣ କରାଯାଇଥିଲା । କ୍ବେଟାରେ ସ୍ଥିତି ବହୁତ ଅଶାନ୍ତ ରହିଛି । ଯେଉଁଠି ୪ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।
ବିଏଲଏର ‘ଅପରେସନ ହେରଫ’
ଆକ୍ରମଣର ଦାୟିତ୍ବ ବେଲୁଚ ଲିବରେଶନ ଆର୍ମୀ ବା ବିଏଲଏ ନେଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ସେମାନଙ୍କ ଟାର୍ଗେଟରେ ସୈନ୍ୟ ଠିକଣା, ପୋଲିସ ଓ ସାଧାରଣ ପ୍ରଶାସନର ଅଧିକାରୀ ଥିଲେ । ରିପୋର୍ଟ ଅନୁସାରେ, ବିଏଲଏ ଏହି ଆକ୍ରମଣ ସହ ତା’ର କଥାକଥିତ ଆପରେଶନ ହେରଫର 2.0 ଆରମ୍ଭ କରିଦେଇଛି । ମାତୃଭୂମିର ରକ୍ଷା ପାଇଁ ନୂଆ ଆକ୍ରମଣର ପ୍ରସ୍ତୁତି ଚାଲିଥିବା ପୂର୍ବରୁ ବିଏଲଏ ପକ୍ଷରୁ କୁହାଯାଇଥିଲା ।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆକ୍ରମଣ ପରେ ପୂରା ବେଲୁଚିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଏକାଧିକ ସହରରେ ଜରୁରୀକାଳିନ ଟିମ୍ ମୁତୟନ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ତଲାସୀ ଆରମ୍ଭ କରିଦିଆଯାଇଛି । ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ନଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି ।
ଦଶକ ପୁରୁଣା ବିଦ୍ରୋହ
ବେଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ କିଛି ନୂଆ କଥା ନୁହେଁ । ଏକ ଦଶନ୍ଧିରୁ ଏହି ଅଧିକ ହେବ ବେଲୁଚିସ୍ତାନ ବିଦ୍ରୋହର ନିଆଁରେ ଜଳୁଛି । ବେଲୁଚ ସମୁଦାୟ ବର୍ଷ ବର୍ଷ ଧରି ରାଜନୈତିକ ଉପେକ୍ଷା ଓ ଆର୍ଥିକ ଶୋଷଣ ଅଭିଯୋଗ କରି ଆସୁଛନ୍ତି । ଅନ୍ୟପକ୍ଷେ ଏହି ଅଞ୍ଚଳ ଖଣିଜ ସମ୍ପଦରେ ଭରପୂର ରହିଛି । ନିକଟ ଅତୀତରେ ବିଏଲଏ ଅନ୍ୟ ପ୍ରାନ୍ତରୁ ଆସିଥିବା ପାକିସ୍ତାନୀ ନାଗରିକ ଓ ବିଦେଶୀ କମ୍ପାନୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ୨୦୨୫ ମାର୍ଚ୍ଚରେ ବେଲୁଚ ଉଗ୍ରବାଦୀ ୪୫୦ ଯାତ୍ରୀ ଥିବା ଏକ ଟ୍ରେନକୁ ହାଇଜାକ କରି ନେଇଥିଲେ । ଯେଉଁଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

