spot_img
Home Blog Page 30

ସୁଧୁରୁନି ଧାନକିଣା ସମସ୍ୟା: ମଣ୍ଡି ଖୋଲିବା ବିଳମ୍ବକୁ ନେଇ ଚିନ୍ତାରେ ଚାଷୀ

ସୁଧୁରୁନି ଧାନକିଣା ସମସ୍ୟା । ପ୍ରଶାସନିକ ତୁତୁ ମେମେ ଭିତରେ ପେଷି ହେଉଛନ୍ତି ଚାଷୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ପ୍ରାୟ ୮୦ ପ୍ରତିଶତ ଖରିଫ ଧାନ ଅମଳ ହୋଇସାରିଲାଣି । ହେଲେ ଏଯାଏଁ ଖୋଲିନି ମଣ୍ଡି । ଆସନ୍ତା ୧୬ ତାରିଖରୁ ମଣ୍ଡି ଖୋଲିବ ବୋଲି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ହେଲେ କିଛି ଚାଷୀଙ୍କୁ ଟୋକନ ଆସିନାହିଁ । ଚାଷୀ ଅଖା ବସ୍ତାରେ ଧାନ ବିକିବେ ନା ଜରି ବସ୍ତାରେ ତାକୁ ନେଇ ବି ଦ୍ଵନ୍ଦ୍ଵରେ ।

ସେପଟେ ଅମଳ ଧାନକୁ ସାଇତି ରଖିବାକୁ ଚାଷୀଙ୍କ ପାଖରେ ଧାନ ବସ୍ତା କି ଗୋଦାମ ଘର ବି ନାହିଁ । ଫଳରେ ଅମଳ ଧାନକୁ ଖଳାରେ ଗଦା କରି ରଖିଛନ୍ତି ଚାଷୀ । ଅଦିନିଆ ବର୍ଷା ଓ କାକରରେ ଧାନ ଭିଜି ନଷ୍ଟ ହୋଇଯିବା ଆଶଙ୍କା ରହୁଛି । ଖାଲି ଏତିକି ନୁହେଁ ମୂଷା ଧାନ ଖାଇଯିବା ଓ ଚୋରି ହୋଇଯିବା ଭୟରେ ଜୀବନକୁ ବାଜି ଲଗାଇ ଚାଷୀ ରାତିରେ ଖଳାରେ ଜଗି ବସୁଛନ୍ତି । ଏପରି ସ୍ଥିତିରେ ଧାର ଉଧାର କରି ଚାଷ କରିଥିବା ଚାଷୀଙ୍କୁ ସାହୁକାର ମାନେ ଅସ୍ତବ୍ୟସ୍ତ କରିଦେଲେଣି । ଯାହାର ସୁଯୋଗ ନେଇ ଦଲାଲ ମାନେ ଗାଁ ଗାଁ ବୁଲି କମ ଦାମରେ ଧାନ କିଣିବାରେ ଲାଗିପଡିଛନ୍ତି । ମଣ୍ଡି ଖୋଲି ନଥିବାରୁ ଧାନ ବେପାରୀ ଓ ଦଲାଲ ମାନେ ଚାଷୀଙ୍କ ଭାଗ୍ୟବିଧାତା ସାଜିଛନ୍ତି । ଦଲାଲ ମାନେ ଚାଷୀଙ୍କ ଠାରୁ କ୍ଵିଣ୍ଟାଲ ପିଛା ୧୮ ଶହରୁ ୨ ହଜାର ଟଙ୍କାରେ ଧାନ କିଣିନେଉଛନ୍ତି । ଫଳରେ ଅନେକ ଚାଷୀ କ୍ଷତି ସହିଲେଣି । ଅନ୍ୟପଟେ ଚଳିତ ବର୍ଷ ଜିଲ୍ଲାରୁ ୧୨ ଲକ୍ଷ ୨୬ ହଜାର କୁଇଣ୍ଟାଲ ଧାନ କିଣାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ l

ଉତ୍କଳ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା: ସଂଗୀତ ମହାବିଦ୍ୟାଳୟ ଅଧ୍ୟାପକ ବହିଷ୍କୃତ

ଉତ୍କଳ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା । ସଂଗୀତ ମହାବିଦ୍ୟାଳୟ ଅଧ୍ୟାପକ ବହିଷ୍କୃତ । ସଂଗୀତ ମହାବିଦ୍ୟାଳୟ ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ । ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ଜେନାଙ୍କ ସୂଚନା ।

ସୂଚନାଯୋଗ୍ୟ ଯେ, ଛାତ୍ରଙ୍କୁ ନିର୍ଯାତନା ମାମଲାରେ କ୍ୟାମ୍ପସରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଆନ୍ଦୋଳନକାରୀ। ଏବେ ଖାରବେଳ ଥାନା ଅଧିକାରୀ କ୍ୟାମ୍ପରେ ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଥିଲେ ।

ସମ୍ବଲପୁରରେ ନାବାଳିକା ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ମାମୁଁ

ସମ୍ବଲପୁରରେ ନାବାଳିକା ମୃତ୍ୟୁ ମାମଲା। ଦୁର୍ଘଟଣାରୁ ମୃତ୍ୟୁ ନା ହତ୍ୟା ଚାଲିଛି ତଦନ୍ତ। ଗତକାଲି ଶାନ୍ତିନଗର ଅଂଚଳର ନାବାଳିକାଙ୍କ ମୃତଦେହ ତାଙ୍କ ଘର ସାମ୍ନାରେ ଥିବା ଏକ ଡ୍ରେନରୁ ଉଦ୍ଧାର କରାଯାଇଥିଲା। ତେବେ ନାବାଳିକାଙ୍କୁ ହତ୍ୟା କରାଯାଇ ତାଙ୍କୁ ଡ୍ରେନରେ ପକାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାମୁଁ।  ଏପଟେ ନାବାଳିକାଙ୍କ ପରିବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। 2014ରେ ନାବାଳିକାଙ୍କ ବାପା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। 3 ବର୍ଷ ପରେ ନାବାଳିକାଙ୍କ ମାଆଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିଲା। ଏବେ ପୁଣି ନାବାଳିକାଙ୍କ ମୃତ୍ୟୁ ସନ୍ଦେହ ବଢ଼ାଇଛି। ସେପଟେ ମୃତ ନାବାଳିକାଙ୍କ ପିଉସୀ ଏହା ହତ୍ୟା ନୁହେଁ ବୋଲି କହିବା ସହ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିନ୍ତୁ ସମ୍ବଲପୁର ପୋଲିସ କହିଛି ଯେ, ପୋଲିସ ତଦନ୍ତ କରୁଛି ଯାହା ସତ୍ୟ ତାହା ସାମ୍ନାକୁ ଆସିବ। ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରୁଥିବା ସମ୍ବଲପୁର ପୋଲିସ ସୂଚନା ଦେଇଛି ।

ହୀରାକୁଦ ଡ୍ୟାମର ସୁରକ୍ଷା ଓ ଦକ୍ଷତା ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଶୂନ୍ୟକାଳରେ ହୀରାକୁଦ ଡ୍ୟାମର ସୁରକ୍ଷା ଓ ଦକ୍ଷତା ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ହୀରାକୁଦ ଡ୍ୟାମରେ ବାଲି ପଟୁ ଜମା ହେଉଛି । ଦିନକୁ ଦିନ ଜଣଭଣ୍ଡାରରେ କମୁଛି ଜଳ ଧାରଣା କ୍ଷମତା। ସେପଟେ ହୀରାକୁଦ କୂଳରେ ସରକାର ବଡ଼ ବଡ଼ କମ୍ପାନୀଙ୍କୁ ହୋଟେଲ କରିବାକୁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା କି ପ୍ରକାର ନିଷ୍ପତ୍ତି ବୋଲି ଗୃହରେ ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଏବେ ସୁଦ୍ଧା ୨୭ ପ୍ରତିଶତ ଜଳଧାରଣା କ୍ଷମତା କମିଲାଣି । ଯାହାକି ଉଦବେଗଜନକ । ସରକାର ତୁରନ୍ତ ଡ୍ୟାମରୁ ବାଲି ପଟୁ କାଢ଼ନ୍ତୁ ବୋଲି ପ୍ରସନ୍ନ ଦାବି କରିଛନ୍ତି । ସେହିପରି ହୀରାକୁଦ ଡ୍ୟାମ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମିକମି ଯାଉଛି । ଖାଲି ପଡ଼ିଥିବା ପଦବୀ ସରକାର ପୂରଣ କରନ୍ତୁ। ଏହାର ଜବାବରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଉପନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବେଶ ଗୁରୁତ୍ତ୍ୱପୂର୍ଣ୍ଣ । ଗୃହରେ ଜବାବ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଡାରୀ କହିଛନ୍ତି ବାଲି ଓ ପଟୁ କାଢ଼ିବା ଓ ବଡ଼ ବଡ଼ ଗଛ ତାଡ଼ିବା କାମ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଓ ବିଭିନ୍ନ ଟେକନିକାଲ ଟିମ ସହ ଆଲୋଚନା କରୁଛନ୍ତି।

ରାତି ଅଧିଆ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଉପରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ରାତି ଅଧିଆ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଉପରେ ଚଢାଉ । ଛଦ୍ମବେଶୀ ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ରାତିଦିନ ଏକ କରିଛନ୍ତି ବାସୁଦେବପୁର ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସୁଦର୍ଶନପୁର ପଞ୍ଚାୟତର ଜଗନ୍ନାଥୀ ଓ ସୁଦର୍ଶନପୁର ବାଘୁଆ ଅଞ୍ଚଳରେ ପୋଲିସ ଚଢାଉ କରିଛି । ଜଗନ୍ନାଥୀ ଗ୍ରାମର ମୁଷା ସାହୁଙ୍କ ଭଡା ଘରେ ରାଜମିସ୍ତ୍ରୀ ଭାବେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ । ଜଗନ୍ନାଥୀ ଗ୍ରାମରେ ରହୁଛନ୍ତି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀ । ସେହିଭଳି ବାଘୁଆ ଗ୍ରାମର ରାମକୃଷ୍ଣ ପଲାଇଙ୍କ ଭଡା ଘରେ ରହୁଛନ୍ତି ୧୧ ଜଣ ସନ୍ଦିଗ୍ଧ ବାଂଲାଦେଶୀ । ଗତକାଲି ରାତି ଅଧିଆ ବାସୁଦେବପୁର ଥାନର IIC ଲୋପାମୁଦ୍ରା ନାୟକ ଏକ ଟିମ ସହିତ ଚଢାଉ କରିଥିଲେ । ଜଣ ଜଣ କରି ୧୧ ଜଣଙ୍କର ଯାଞ୍ଚ କଲେ ଆଧାର ଓ ଭୋଟର କାର୍ଡ । ଜମି ପଟ୍ଟା ଓ ଆଧାର କାର୍ଡ ଧରି ଥାନାକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିଶା ପାଇଁ ହିତାହିତ ଜ୍ଞାନ ଭୁଲିଲା, ପେଟ୍ରୋଲ ଢାଳି ମାଆକୁ ଜାଳି ଦେଲା ସଇତାନ ପୁଅ !

ନନ୍ଦିଘୋଷ ବ୍ୟୁରୋ : ନିଶା ପାଇଁ ମାଆକୁ ପୁଅ ଜାଳି ଦେଇଥିବା ସନ୍ଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବିଲଣା ଗଳଗଣ୍ଡପୁର ଗାଁରେ । ଏହି ଗାଁର ଜୋତ୍ସ୍ନା ନାୟକଙ୍କୁ ଆଜି ସକାଳୁ ତାଙ୍କ ପୁଅ ଦେବାଶିଷ ନାୟକ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ସଂପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ନିଶା ଖାଇବାକୁ ମାଙ୍କୁ ଦୈନିକ ପଇସା ମାଗୁଥିଲା ପୁଅ । ଯାହାକୁ ନେଇ ଦୁଇ ଦିନ ହେବ ମାଆ ପୁଅଙ୍କ ଭିତରେ ଝଗଡା ହେଉଥିଲା । ତେବେ ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଝଗଡା ପରେ ଦେବାଶିଷ ଉତକ୍ଷିପ୍ତ ହୋଇ ନିଜ ମା’କୁ ଜାଳିଦେଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ମା’ଙ୍କୁ ଗ୍ରାମବାସୀ ଉଦ୍ଧାର କରି ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଜ୍ୟୋତ୍ସ୍ନାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସଂପର୍କରେ ଖବର ପାଇବା ପରେ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି ।

ଇଣ୍ଡିଗୋରେ ଭୟଙ୍କର ବିଭ୍ରାଟ : ୨ ଶହରୁ ଅଧିକ ଫ୍ଲାଇଟ ବାତିଲ

ନନ୍ଦିଘୋଷ ବ୍ୟୁରୋ : ଇଣ୍ଡିଗୋ ବିମାନ ଚଳାଚଳରେ ଭୟଙ୍କର ବିଭ୍ରାଟ। ୨ ଶହରୁ ଅଧିକ ଫ୍ଲାଇଟ ବାତିଲ କରାଯାଇଛି। ମୁମ୍ଵାଇ, ଦିଲ୍ଲୀ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଲକାତାରେ ଗୁରୁତର ଭାବେ ପ୍ରଭାବିତ ଏହାର ଅପରେସନ। ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦିଲ୍ଲୀରୁ ୩୦ଟି, ହାଇଦ୍ରାବାଦରୁ ୩୩ଟି, ମୁମ୍ଵାଇରୁ ମଧ୍ୟ ବହୁତ ଫ୍ଲାଇଟ ବାତିଲ ହୋଇଛି।

ଏହି ବିଭ୍ରାଟ ପାଇଁ ଇଣ୍ଡିଗୋ ସ୍ଵୀକାର କରିଛି ଯେ, କମ୍ପାନୀର ଅପରେସନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। ଟେକ୍ନିକାଲ ତ୍ରୁଟି, ସମୟରେ ପରିବର୍ତ୍ତନ, ପ୍ରତିକୂଳ ପାଗ ପରିସ୍ଥିତି, ଭିଡ଼ ଏବଂ ଅପଡେଟ୍ କର୍ମଚାରୀଙ୍କ ରୋଷ୍ଟର ନିୟମରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଚାଲିଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ଏଥିପାଇଁ ୪୮ ଘଣ୍ଟା ଲାଗିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଜିସିଏର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମଧ୍ୟ ହୋଇଛି।

ବିରୂପା ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ : କଟକ ବିରୂପା ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଗତକାଲି ଏକ କାର୍ ନଦୀକୁ ଖସି ପଡ଼ିଥିଲା। ଜଣକୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ସକାଳୁ ସର୍ଚ୍ଚ ଅପରେସନ ପରେ ତାଙ୍କର ମୃତଦେହ ନଦୀରୁ ମିଳିଛି। ମୃତକ ହେଲେ ଉଦିତ ସାହୁ। କାର ନଦୀକୁ ଖସି ପଡ଼ିବା ବେଳେ ସେଥିରେ ଥିଲେ ଉଦିତ ଏବଂ ତାଙ୍କ ସାଙ୍ଗ ଅଂଶୁମାନ। ଅଂଶୁମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଆଜି ଉଦିତଙ୍କ ମୃତ ଶରୀରକୁ ଉଦ୍ଧାର କରିଛି ଓଡ଼ରାଫ ଓ ଅଗ୍ନିଶମ ବାହିନୀ । ଜଗତପୁର ପୋଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କଟକ ବଡ଼ମେଡ଼ିକାଲକୁ ପଠାଇଛି।

ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ : ଆଉ ୫ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି

ନନ୍ଦିଘୋଷ ବ୍ୟୁରୋ : ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ । ଆଉ ୪ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି । ଏଥି ପାଇଁ ପଡିଆ ଠାରୁ ପିଚ, ଗ୍ୟାଲେରୀ ଠାରୁ ବିଭିନ୍ନ ଷ୍ଟାଣ୍ଡ ପ୍ରସ୍ତୁତ ହୋଇ ସାରିଲାଣି। ସେପଟେ ଓସିଏ ଅନୁବନ୍ଧିତ ସଂଗଠନଗୁଡିକ, ସ୍କୁଲ, କଲେଜ ଓ କ୍ଲବଗୁଡିକ ପାଇଁ ଟିକେଟ ବିକ୍ରି ହେଉଛି। ପାଖାପାଖି ୮୦ ସଂଗଠନ ଦୁଇ ଦିନରେ ୧୧ ହଜାର ଟିକେଟ ସଂଗ୍ରହ କରିବେ। ଓସିଏ କନଫରେନ୍ସ ହଲରେ ଓସିଏ ସଦସ୍ୟ ଓ ଏସବିଆଇ ମିଳିତ ଭାବେ ଏହି ଟିକେଟ ବିକ୍ରୀ କରୁଛନ୍ତି। ଏଥର ବାରବାଟୀରେ ପ୍ରଥମଥର ଲାଗି ରେଡ ସଏଲ ପିଚରେ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ ଚୁଡାନ୍ତ ନିଷ୍ପତ୍ତି ନେବା ପରେ ପିଚ କାମ ଜୋରଦାର ହୋଇଛି। ଘାସ କଟାକୁ ମଧ୍ଯ ତ୍ବରିତ ଗତିରେ କରାଯାଇ ପଡିଆକୁ ଚେସ ବୋର୍ଡ ସେଫ୍ ଦିଆ ଯାଉଛି। ସେପଟେ ରାତିରେ ମ୍ୟାଚ ଦିନ କାକର ପଡିବାର ସମ୍ଭାବନା ଥିବାରୁ ପିଚ କ୍ୟୁରେଟର ମାନେ କେମିକାଲ ବ୍ୟବହାର କରିବାକୁ ଯୋଜନା କରିଛନ୍ତି। ଓସିଏ ଅନୁବନ୍ଧିତ ସଂଗଠନଗୁଡିକ ଟିକେଟ ବିକ୍ରୀ ସରିବା ପରେ କାଲିଠୁ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି ହେବ।

ଥାନା ଅଧିକାରୀଙ୍କ ଦବଙ୍ଗଗିିରି : ଥାନା ପରିସରରେ ଏଏସଆଇଙ୍କୁ ମାଡ଼

ନନ୍ଦିଘୋଷ ବ୍ୟୁରୋ : ପୋଲିସକୁ ମାଡ଼ ମାରିଲା ପୋଲିସ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳୁକୁଣ୍ଡ ଥାନାରେ ଏଏସଆଇଙ୍କୁ ମାଡ଼ ଅଭିଯୋଗ । ଥାନା ଅଧିକାରୀ ଦେବାଶିଷ ଶତପଥୀ ଏଏସଆଇ ପ୍ରକାଶ କୁମାର ସିଂହଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏକ ଚାର୍ଜସିଟ ଲେଖାକୁ ନେଇ ଥାନା ଅଧିକାରୀ ଏଏସଆଇଙ୍କୁ ମାଡ ମାରିଥିଲେ । ଏନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏଏସଆଇ ପ୍ରକାଶ କୁମାର ସିଂହ । ମାଡ ମରାଯିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାଜପୁର SDPO ପ୍ରଶାନ୍ତ ମାଝୀ ଅଳୁକୁଣ୍ଡ ଥାନାରେ ପହଁଚି ସିସିଟିଭି ଯାଞ୍ଚ କରିଛନ୍ତି ।