spot_img
Home Blog Page 29

ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ଵର ଓ କଟକ: ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ହୋମଯଜ୍ଞ, ମନ୍ତ୍ର ଧ୍ବନିରେ କମ୍ପୁଛି ପୂଜା ମଣ୍ଡପ । ଦୁର୍ଗାପୂଜା ପାଇଁ ଦୁଲୁକୁଛି ଭୁବନେଶ୍ଵର । ସମସ୍ତ ପେଣ୍ଡାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପଟିଆଗଡ଼ରେ ଉତ୍ତରାଖଣ୍ଡ କେଦାରନାଥ ତୋରଣରେ ପୂଜା ପାଉଛନ୍ତି ମାଆ । ଲୋକଙ୍କ ମନମୋହୁଛି ଡମଣା ପୂଜା ପେଣ୍ଡାଲ । ତୋରଣରେ ଚାରିଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନେତ୍ରୀ ମନ୍ଦିରର ଛାପ ଦିଆଯାଇଛି । ତୋରଣ ପାହାଚରେ ଚଢି ସେଲ୍ଫି ଉଠାଉଛନ୍ତି ଦର୍ଶକ । ଏହା ସହ ମୀନାବଜାରର ମଜା ନେଉଛନ୍ତି । ଝାରପଡ଼ାରେ ବି ଲାଗିଛି ଲୋକଙ୍କ ଭିଡ଼ । …

ସେପଟେ ଦୁର୍ଗାପୂଜା ପାଇଁ କମ୍ପୁଛି କଟକ । ସହରର ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା ଓ ଶିବ ପାର୍ବତୀ । ଆଜି ବିଭିନ୍ନ ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ସକାଳୁ ଭୋଗ ଓ ବ୍ରତ ଧରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ମହିଳା ଭକ୍ତ । ପରିବାର ଓ ଜଗତର ମଙ୍ଗଳ କାମନା କରିଛନ୍ତି । ପରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା । ସେପଟେ କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପାଖରେ ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । …

ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଲାଗିଛି ଖଚାଖଚ ଭିଡ଼ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତର ୨୫ ଦିନ ପରେ ବି ମିଳିନି କ୍ଷତିପୂରଣ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତକୁ ବିତିଲାଣି ୨୫ ଦିନ । ହେଲେ ଏଯାଏଁ ଅନେକ ଚାଷୀଙ୍କୁ ମିଳିନି କ୍ଷତିପୂରଣ । ଗତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦୁରା ସମେତ ବୋରିଗୁମ୍ମା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ଏବେ ବି ବହୁ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଲଗାଣ ବର୍ଷା ପରେ ଜମିରେ ୫ ଦିନ ଧରି ବନ୍ୟା ପାଣି ଜମି ରହିଥିଲା । ଫଳରେ ବ୍ୟାପକ ଚାଷ ନଷ୍ଟ ହୋଇଯାଇଛି । ହେଲେ ଏବେ ବି ଅନେକ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ଯାହାକୁ ମିଳିଛି ତାହା କେବଳ ନାମକୁ ମାତ୍ର । ଗୋଟିଏ ଏକର ଚାଷ କରିବାକୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାର ୬୫୦୦ ରୁ ୮୫୦୦ ଟଙ୍କା ଦେଉଛନ୍ତି । ଏତେ କମ୍ ଟଙ୍କାରେ ଚାଷୀ କିପରି ଋଣ ସୁଝିବେ ? କିପରି ପରିବାର ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଋଣ ଛାଡ଼ ନେଇ ଦାବି କରାଯାଉଛି । ଅନ୍ୟପଟେ ପ୍ରାୟ ୭୦ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆସରିଲାଣି । ବଳକା ଚାଷୀଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

 

 

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ପୁଣି ଏନକାଉଣ୍ଟର l ଝାରସୁଗୁଡା ସ୍ଥିତ ଆମଦର ଜଙ୍ଗଲରେ ଏନକାଉଣ୍ଟର  l ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ଆହତ l ଆଜି ସକାଳେ ଆମଦର ଜଙ୍ଗଲ ନିକଟରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍‌ ବେଳେ ଓରିଏଣ୍ଟ ପୋଲିସ ବଣ୍ଟି ପ୍ରସାଦ ସାମ୍ନାସାମ୍ନି ହୋଇଥିଲେ । ଅପରେସନ୍ ସମୟରେ ବଣ୍ଟି ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା । ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା । ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରଜରାଜନଗର ସିଏଚ୍‌ସି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ହନୁମାନ ନଗରର ବାସିନ୍ଦା ବଣ୍ଟି । ତା ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଏବଂ ବେଆଇନ ବନ୍ଧୁକ କାରବାର ଭଳି ୧୭ଟି ସଙ୍ଗୀନ ମାମଲା ରହିଛି । ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଜାରି ରହିଛି ।….

ଧର୍ମୋପଦେଶ ବେଳେ ପାଦ୍ରୀଙ୍କ ଉପରେ ପଡ଼ିଲା କ୍ରୁଶ

ନନ୍ଦିଘୋଷ ବ୍ୟୁରୋ: ଇକ୍ୱେଡରରେ ଲାଇଭ୍‌ ମାସ୍‌ ବେଳେ ଅଘଟଣ । ଧର୍ମୋପଦେଶ ଦେଉଥିବା ସମୟରେ ପାଦ୍ରୀଙ୍କ ଉପରେ ପଡ଼ିଲା ବିଶାଳ କ୍ରୁଶ, ଚାଲିଗଲା ଜୀବନ । ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଫାଦର ପାଟ୍ରିସିଓ ଆଲଫ୍ରେଡୋ ସାଞ୍ଚେଜ୍ ମୋଲିନାରି ଜୀବନର କ୍ଷଣସ୍ଥାୟୀତା ଉପରେ ଦେଇଥିଲେ ମୂଲ୍ୟବାନ ବାର୍ତ୍ତା ।

ଗୁଆକିଲ୍‌ର ଚର୍ଚ୍ଚ ଅଫ୍ ଆୱାର୍ ଲେଡି ଅଫ୍ ପର୍ପେଚୁଆଲ୍ ହେଲ୍ପରେ ଲାଇଭ୍‌ଷ୍ଟ୍ରିମ୍‌ ମାଧ୍ୟମରେ ଚାଲିଥିବା ପ୍ରାର୍ଥନା ସଭାରେ ଏହି ଅଘଟଣ ଘଟିଥିଲା । ପାଦ୍ରୀ ବେଦୀ ପଛରେ ଠିଆ ହୋଇ ଧର୍ମୋପଦେଶ ଦେଉଥିବା ବେଳେ ତାଙ୍କ ପଛରେ ଲାଗିଥିବା ବଡ଼ କ୍ରୁଶଟି ହଠାତ୍ ତାଙ୍କ ଉପରେ ପଡ଼ିଯାଇଥିଲା । ଘଟଣା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ ସହାୟତା କରିବା ସହ ଆମ୍ବୁଲାନ୍ସ ଡାକିଥିଲେ । ତେବେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସବୁଠାରୁ ଦୁଃଖଦ ବିଷୟ ହେଉଛି, ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ପାଦ୍ରୀ ଜୀବନର ମୂଲ୍ୟ ଓ ମୃତ୍ୟୁର ଅନିଶ୍ଚିତତା ବିଷୟରେ କହୁଥିଲେ । ସେ ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ୍‌ରେ ଅଧିକ ସମୟ ନଷ୍ଟ ନକରି ଈଶ୍ୱର ଓ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଶେଷ ବାର୍ତ୍ତା ଏବେ ଘଟଣାଟିକୁ ଆହୁରି ମର୍ମସ୍ପର୍ଶୀ କରିଛି ।

ଚାଲିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା

ଗଞ୍ଜାମ : ଚାଲିଛି ଗଞ୍ଜାମ ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା । ଆଜି ନବମୀ ତିଥିରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା। ଗତକାଲି ମହାଷ୍ଟମୀରେ ୨ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା। ରବିବାର ଭୋରରୁ ମାଁଙ୍କ ଦ୍ବାରଫିଟା ନୀତି ପରେ ମାଁଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ମଙ୍ଗଳ ଆଳତୀ, ମଇଲମଲାଗି, ପଞ୍ଚସୂତ୍ର ଅଭିଶେକ ପରେ ମାଁ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।  ସୂର୍ଯ୍ୟାସ୍ତ ସମୟରେ ମାଁଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ମଧ୍ୟରାତ୍ରୀରେ ମାଁଙ୍କ ମହାଦୀପ ଉଠିଥିଲା । ସାରା ବିଶ୍ବର କଲ୍ୟାଣ ନିମନ୍ତେ ଓ ସମସ୍ତଙ୍କୁ ନିରୋଗ ରଖିବା ପାଇଁ ମହାଦୀପ ଉଠିଥିଲା।

ସେପଟେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଁଙ୍କ ମହାଗୌରୀ ଓ ମହାକାଳୀ ବେଶ ଦର୍ଶନ କରି କୃତ୍ୟକୃତ୍ୟ ହୋଇଥିଲେ ଭକ୍ତ । ମଧ୍ୟରାତ୍ରରେ ମନ୍ଦିରରେ ମହାଦୀପ ଉଠିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ଜମିଥିଲା ପ୍ରବଳ ଭିଡ଼ । ନବରାତ୍ର ପୂଜା ଚାଲୁଥିବା ବେଳେ ମାଁଙ୍କୁ ଦର୍ଶନ କଲେ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ମନ୍ଦିରକୁ କାହିଁ କେଉଁ ଆଡୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

ସେପଟେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସରିଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା : ଆସ୍ଥା ଓ ପରମ୍ପରାର ମହାପର୍ବ। ଶାକ୍ତ ଉପାସନାର ପ୍ରମୁଖ ପୀଠ କଳାହାଣ୍ଡି। ଘଣ୍ଟ, ଶଙ୍ଖ, ଢୋଲ ଓ ନିଶାନର ଗର୍ଜନ ଭିତରେ ଭକ୍ତଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ୱରୀ। ସମ୍ପନ୍ନ ହେଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା।  ଭବାନୀପାଟଣାରେ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର।  ଘୁମୁରାର ତାଳେ ତାଳେ ମାଙ୍କ ଆଗମନ । ଭୋରରୁ  ଭକ୍ତିମୟ ହୋଇଥିଲା ପରିବେଶ। ପରମ୍ପରା ଅନୁଯାୟୀ, ମହାଷ୍ଟମୀର ରୀତିନୀତି ପରେ ମାଁଙ୍କ ବିଜୟ ପ୍ରତିମା ଛତରଙ୍କୁ ଫାଶୀଡଙ୍ଗରରେ ଥିବା ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ରୀତିନୀତି ତନ୍ତ୍ର ବିଧି ପରେ ଆଜି ନବମୀ ତିଥିର ପ୍ରତ୍ୟୁଷରୁ ମାଙ୍କ ମନ୍ଦିର ବାହୁଡ଼ା ଯାତ୍ରା ହୋଇଥିଲା।

ଜେନାଖାଲରୁ ଭୋର୍ ୫ଟାରେ ମନ୍ଦିର ଅଭିମୁଖେ ବାହାରିଥିଲା  ମାଁ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର। ଜେନା ବାଦ୍ୟ ଓ ବୀରବାଦ୍ୟ ଘୁମୁରା ତାଳେ ତାଳେ ମାଆଙ୍କୁ ପାଛୋଟି ନେଇଥିଲେ ଶ୍ରଦ୍ଧାଳୁ ।  ମାଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମାଙ୍କୁ ସ୍ୱାଗତ କରିଥିଲେ। ମାନସିକଧାରୀଙ୍କ ପଶୁ ବଳିରେ ରକ୍ତରଞ୍ଚିତ ହେଲା ଜେନାଖାଲ। ବୋଦା, ଛେଳି ଓ କୁକୁଡ଼ା  ବଳିରେ ରକ୍ତରଞ୍ଜିତ ହେଲା ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା। ନିର୍ଦ୍ଧାରିତ ସମୟର ପ୍ରାୟ ୪ଘଣ୍ଟା ପୂର୍ବରୁ ଛତର ମନ୍ଦିର ଭିତରକୁ ପ୍ରବେଶ କରିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୫ଟି ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇଥିଲା । ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସମ୍ପନ୍ନ ହୋଇଛି ମାଁ ମାଣିକେଶ୍ୱରୀଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରା।

ଏହି ମହାପର୍ବରେ ପଶୁବଳିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପରମ୍ପରାର ସୁରକ୍ଷା ଓ ସମୟ ସହ ପରିବର୍ତ୍ତନ ଭିତରେ ସମନ୍ୱୟ କେବେ ହେବ, ତାହା ଉପରେ  ନଜର।

ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି NH-୫୫

ଢେଙ୍କାନାଳ : ନିଶା ଦ୍ରବ୍ୟ ଚାଲାଣର କରିଡର୍ ସାଜିଛି ଏନଏଚ-୫୫। ଦାମୀ ଗାଡ଼ିରେ ହେଉଛି ଗଞ୍ଜେଇ ଚାଲାଣ। ବିପଦରେ ଯୁବପିଢ଼ିଙ୍କ ଭବିଷ୍ୟତ। କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ରେ ନୀଳ ଜହରର ଚୋରାଚାଲାଣ ହେଉଥିବା  ଅଭିଯୋଗ । ଯାହା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି। ଫୁଲବାଣୀ, ସମ୍ବଲପୁର, କୋରାପୁଟ ଓ ବୌଦ୍ଧରୁ ଦାମୀ ଗାଡ଼ିରେ ନୀଳ ଜହର ଚାଲାଣ ହେଉଥିବା ବେଳେ ଏନଏଚ-୫୫ ଦେଇ ବାଲେଶ୍ୱର, ଭଦ୍ରକ ସହ ପଶ୍ଚିମବଙ୍ଗ ଯାଉଥିବା ସୂଚନା। ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଏହାକୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି…।

ସେପଟେ ଢେଙ୍କାନାଳ ସହର ଭିତରେ ମଧ୍ୟ ନିଶାଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ସ୍କୁଲ ନିକଟ ଦୋକାନରେ  ନିଶାଯୁକ୍ତ ଗୋଗୋ ସିଗାରେଟ୍ ବିକ୍ରି ହେଉଛି । ଯାହା ଅବକାରୀ ବିଭାଗର ନିୟମିତ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗକୁ ନେଇ ତଦନ୍ତ ହେବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି। ଏହାସହ ନୀଳ ଜହରର ଚୋରାଚାଲାଣ ରୋକିବାକୁ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ରାତି ତମାମ ଯାଞ୍ଚ ସହ ହାଇୱେ ପାଟ୍ରୋଲିଂ କରାଯାଉଛି। ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ଏସପି କହିଛନ୍ତି।

କେବେ ନୀଳ ଜହରର ଚୋରାଚାଲାଣ ଉପରେ ଲାଗିବ ବ୍ରେକ ? ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କି ପୋଲିସ ଓ ଅବକାରୀ ବିଭାଗ। ତା ଉପରେ ନଜର।

ପ୍ରଥମ ଓଡ଼ିଆ ଭାବେ ପ୍ରଜ୍ଞାନ ଓଝାଙ୍କୁ ଟିମ୍ ଇଣ୍ତିଆର ମୂଖ୍ୟ ଚୟନକର୍ତ୍ତା ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ । ଟିମ୍ ଇଣ୍ତିଆକୁ ମିଳିଲା ନୂଆ ମୂଖ୍ୟ ଚୟନକର୍ତ୍ତା । ସୋମବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼ (BCCI) ନୂଆ ମୂଖ୍ୟ ଚୟନକର୍ତ୍ତା ଭାବେ ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଭାରତୀୟ ବରିଷ୍ଠ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଓଝା ବର୍ତ୍ତମାନ ଅଜିତ ଅଗରକରଙ୍କ ସ୍ଥାନ ନେବେ। ସବୁଠୁ ବଡ଼ କଥା ପ୍ରଥମ ଓଡ଼ିଆ ଭାବେ ଓଝା ଭାରତୀୟ କ୍ରିକେଟ୍ ଦଳରେ ଏହି ବଡ଼ ଦାୟିତ୍ଵ ସମ୍ଭାଳିବେ। ବୋର୍ଡ଼ ପକ୍ଷରୁ ପୂର୍ବତନ ମୂଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରାଯାଇଛି । ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଦଳ ତିନୋଟି ICC ଟ୍ରଫି, ଦୁଇଟି ଏସିଆ କପ୍ ଓ ଏସୀୟ ଗେମ୍ସରେ ସୂର୍ଣ୍ଣ ପଦକ ହାତେଇଥିଲା ।

ଏହା ସହ ଓ୍ଵେଷ୍ଟ ଜୋନରୁ ଖାଲି ପଡ଼ିଥିବା ଚୟନକର୍ତ୍ତା ଟିମରେ ରମେଶ ପାଓ୍ଵାରଙ୍କୁ ସାମିଲ୍ କରାଯାଇଛି। ରମେଶ ପୱାର ଭାରତ ପାଇଁ ଦୁଇଟି ଟେଷ୍ଟ ଓ ୩୧ଟି ଦିନିକିଆ ଖେଳିଥିଲେ। ଖେଳରୁ ସନ୍ୟାସ ନେବା ପରେ ସେ ପ୍ରଶିକ୍ଷକ ଜଗତରେ ଏଣ୍ଟ୍ରି ମାରିଥିଲେ । ସେ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ମୁମ୍ବାଇ ଓ ଗୁଜରାଟ ଦଳ ପାଇଁ ମଧ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ମହିଳା ଦଳର ପ୍ରଶିକ୍ଷକ ଥିବା ସମୟରେ, ଭାରତ ଏସିଆ କପ୍ ସହ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା।

 

ରାଜାବଗିଚା ହତ୍ୟା ଘଟଣା

କଟକ : କଟକ ରାଜାବଗିଚା ଅଞ୍ଚଳରେ ନାବାଳକ ସୁମନ୍ତ ସାହୁଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ଭିଡିଓ ଫୁଟେଜ । ସ୍କୁଟିରେ ସୁମନ୍ତଙ୍କୁ ନେଇ ଯିବା ବେଳର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ରବିବାର ସକାଳ ୭ ଟା ୪୨ ସମୟରେ ଦୁଇଜଣ ଯୁବକ ତାଙ୍କୁ ସ୍କୁଟି ରେ ବସାଇ ନେଇଥିବା ବେଳେ ସକାଳ ୯ ଟା ରୁ ୯.୩୦ ବେଳେ ଛୁରୀ ଭୁସି ସୁମନ୍ତଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଘଟଣାରେ ଜଣକୁ ଅଟକ ରଖାଯାଇଥିବା ବେଳେ ଆଉ ଜଣେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି ଡିସିପି । ସମସ୍ତେ ନାବାଳକ। ସକାଳ ସାତଟାରୁ ନଅଟା ମଧ୍ଯରେ ହତ୍ୟାକାଣ୍ଡ ଘଟିଛି । ଏକାଧିକ ସିସିଟିଭି ଫୁଟେଜ ତର୍ଜମା କରାଯାଇଛି । ମୃତକ ଓ ଅଭିଯୁକ୍ତ ପରସ୍ପର ପରିଚିତ ଥିବା ବେଳେ ସମସ୍ତେ ଗାଡିରେ ସାଙ୍ଗ ହୋଇ ଆସିବା, ଚାହା ପିଇବା ଘଟଣା ଭିଡିଓ ରୁ ନଜର ଆସିଛି । ସେମାନଙ୍କ ମଧ୍ଯରେ ପୂର୍ବ ଶତୃତା ଥିବା ଜଣା ପଡିଛି । ଗୋଟିଏ ମୋବାଇଲ ଜବତ ହୋଇଛି । ତାର ତର୍ଜମା କରାଯାଉଛି । ସାମାଜିକ ଗଣମାଧ୍ୟମରେ ତ୍ରିକୋଣୀୟ ପ୍ରେମ ଓ ଚାଟିଂକୁ ନେଇ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୁରାକ ପାଇଛି ।….

ଯାଞ୍ଚ ପାଇଁ ବିଭିନ୍ନ ପୁଜା ମଣ୍ଡପ କଡ଼ ଦୋକାନରେ ଅଚାନକ ରେଡ

ଭୁବନେଶ୍ବର: ପୂଜା ବଜାରରେ ବିକ୍ରି ହେଉଛି କି ଅସ୍ବାସ୍ଥ୍ୟକର ଖାଦ୍ୟ ? ଯାଞ୍ଚ ପାଇଁ ବିଭିନ୍ନ ପୁଜା ମଣ୍ଡପ କଡ଼ରେ ଅଚାନକ ରେଡ । ଫୁଡ୍ ସେଫଟି ଟିମ୍ ବିଭିନ୍ନ ପୁଜା ମଣ୍ଡପ କଡ଼ ଦୋକାନରେ ଛାପା ମାରିଛି । ବିକ୍ରି ହେଉଥିବା ଖାଦ୍ୟ ଅପମିଶ୍ରିତ କିମ୍ବା ନିମ୍ନମାନର ଥିଲେ ସେସବୁକୁ ଜବତ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ । ନୟାପଲ୍ଲୀ, ବରମୁଣ୍ଡାରେ ମଣ୍ଡପ କଡ଼ରେ ଥିବା ହୋଟେଲ ଓ ଫାଷ୍ଟଫୁଡ଼ ଦୋକାନରେ ବ୍ୟାପକ ଯାଞ୍ଚ ହୋଇଛି ।  FSSAI ତରଫରୁ ରଙ୍ଗ ମିଶା ଖାଦ୍ୟ ପୂଜା ପାଇଁ ଟାର୍ଗେଟ ଥିଲା । ସେହି ଆଧାରରେ ସରପ୍ରାଇଜ ଚେକ୍ କରାଯାଉଛି । ବିଭିନ୍ନ ପୁଜା ମଣ୍ଡପରେ ଚଢାଉ ହେଉଥିବା କହିଛନ୍ତି ଅଧିକାରୀ । ଅନେକ ଜାଗାରୁ ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ପ୍ରଥମେ ଦୋକାନୀମାନଙ୍କୁ ସଚେତନ କରାଯାଉଛି । ଆଗାମୀ ସମୟରେ ପୁଣି ନିମ୍ନମାନର ଖାଦ୍ୟ ବିକ୍ରି କଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛନ୍ତି ଫୁଡ୍ ସେଫଟି ଅଧିକାରୀ ।…