spot_img
Home Blog Page 3100

AICCର ବଡ଼ ଆକ୍ସନ, ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ୱର: ଏଆଇସିସିର ବଡ଼ ଆକ୍ସନ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବିତ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କଲା AICC । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଆଜି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଛି ।

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର, ନୂଆ ଜୀବନ ପାଇଲା ୧୨ ବର୍ଷର ବାଳକ

ନନ୍ଦିଘୋଷ ବ୍ୟୁରୋ : ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର । ନୂଆ ଜୀବନ ପାଇଲା ୧୨ବର୍ଷର ବାଳକ । ଦୁର୍ଘଟଣାରେ ମେରୁଦଣ୍ଡର ଉପରି ଭାଗ ବେକରୁ ପ୍ରାୟ ଅଲଗା ହୋଇ ଯାଇଥିବା ମୁଣ୍ଡକୁ ଯୋଡ଼ିବାରେ ଚମତ୍କାରିତା ଦେଖାଇଛନ୍ତି ଇସ୍ରାଏସଲ ଡାକ୍ତର । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ନାୟୁ ସଂଯୁକ୍ତ ହୋଇ ରହିଥିବାରୁ ଡାକ୍ତରମାନେ ମୁଣ୍ଡକୁ ଯୋଡିବାରେ ସଫଳ ହୋଇଛନ୍ତି ।

ଏକ ଦୁର୍ଘଟଣାରେ ୧୨ ବର୍ଷୀୟ ସୁଲେମାନ ହାସନ ଗୁରୁତର ଆହତ ହୋଇ ପଡିଥିଲା । ତାକୁ ଡାକ୍ତରଖାନା ଅଣାଯିବା ପରେ ଚିକିତ୍ସା କରୁଥିବା ଡାକ୍ତରମାନେ ସୁଲେମାନଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି କହିଥିଲେ । ମେରୁଦଣ୍ଡରୁ ସୁଲେମାନଙ୍କ ମୁଣ୍ଡକୁ ସଂଯୋଗ କରୁଥିବା ଅଂଶଟି ଅଲଗା ହୋଇ ଯାଇଥିଲା । ଯାହା ଅନ୍ତରୀଣ ଡିକ୍ୟାପିଟେସନ ବୋଲି ଡାକ୍ତରୀ ଭାଷାରେ କୁହାଯାଏ ।

ଏହି ଘଟଣାରେ ୭୦ ପ୍ରତିଶତ ଲୋକ ଘଟଣାସ୍ଥଳରେ କିମ୍ବା ଡାକ୍ତରଖାନା ଅଣାଯିବା ବାଟରେ ମୃତ୍ୟୁବରଣ କରିଥାନ୍ତି । ଭାଗ୍ୟବଳରୁ ମୁଖ୍ୟ ଶିରା କ୍ଷତିଗ୍ରସ୍ତ ହୋଇ ନ ଥିଲା । ରକ୍ତ ସଂଚାଳନ ଚାଲିଥିଲା । ଅନେକ କଷ୍ଟରେ ରଡ, ସ୍କୃ, ବ୍ୟବହାର କରାଯାଇ ସୁଲେମାନଙ୍କ ଅପରେସନ କରାଯାଇଥିଲା । ଏବେ ସେ ସୁସ୍ଥ ହେଉଛନ୍ତି । ଡାକ୍ତର ଓହାଦ ଇନାବ ଓ ଜିବ ଆଶାଙ୍କ ମତରେ ସୁଲେମାନଙ୍କୁ ଏବେ କୌଣସି ସ୍ନାୟୁଜନିତ କିମ୍ବା ସେନ୍ସରୀ ଅସୁବିଧା ଦେଖିବାକୁ ମିଳୁ ନାହିଁ । କିଛି ସମୟ ପର୍ଯ୍ୟନ୍ତ ଫିଜିଓଥେରାପି ଚିକିତ୍ସା ପରେ ସେ ପୂର୍ବ ଭଳି ମୁଣ୍ଡ ଓ ବେକ ହଲାଇ ପାରିବେ ।

ପଶ୍ଚିମବଙ୍ଗରେ ସରିଲା ପଞ୍ଚାୟତ ନିର୍ବାଚନ, ହେଲେ ସରିନି ସାଇଡ ଇଫେକ୍ଚ

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସରିଲା ପରେ ବି ତାର ଏବେ ସାଇଡ ଇଫେକ୍ଟ ଜାରି ରହିଛି । ରାଜନୈତିକ ହିଂସା ଥମୁନି । ଟିଏମସିର ଜଣେ ଦଳୀୟ କର୍ମୀ ତଥା ବୁଥ ସଭାପତିକୁ ହତ୍ୟା କରିଛନ୍ତି ଆଇଏସଏଫ କର୍ମୀ ।

ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଏ ପର୍ଯ୍ୟନ୍ତ ୩୭ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟପଟେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ଇଟଖୋଲା ପଞ୍ଚାୟତ ଗାଜିପଡାର ଟିଏମସି ଦଳ ବୁଥ ସଭାପତି ନାଟୁ ଗାଜି ଗତକାଲି ରାତିରେ ବଜାରରୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଲୁହା ରଡରେ ନିର୍ମମ ମାଡ଼ ମାରି ସଡ଼କରେ ଫିଙ୍ଗି ପଳାଇ ଯାଇଥିଲେ ।

ପରେ ଗୁରୁତର ଭାବେ ରକ୍ତାକ୍ତ ଅବସ୍ଥାରେ ନାଟୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିତ୍ତରଞ୍ଜନ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ନାଟୁଙ୍କ ମୃତ୍ୟୁ ହୋଇଯାଇଥିଲା ।

ଟମାଟୋ ପାଇଁ ସମ୍ପର୍କରେ ଫାଟ ; ରାଗିକି ଛୁଆକୁ ନେଇ ଘର ଛାଡି ପଳାଇଲା ସ୍ତ୍ରୀ

ଭୋପାଲ :  ରକେଟ୍‌ ଭଳି ଟମାଟୋର ଆକାଶଛୁଆଁ ଦରବୃଦ୍ଧି ପାରିବାରିକ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି କରିଛି । ସ୍ବାମୀଙ୍କୁ ଛାଡ଼ି ପିଲାଙ୍କୁ ନେଇ ଘର ଛାଡ଼ି ପାଳାଇଲେ ସ୍ତ୍ରୀ । ଶେଷରେ ପୋଲିସ ବୁଝାସୁଝା କରିବା ପରେ ଓ ସ୍ବାମୀ ଅଧକିଲୋ ଟମାଟୋ ଉପହାର ଦେବା ପରେ ସ୍ତ୍ରୀ ଘରକୁ ଫେରିଛନ୍ତି । ମଧ୍ୟପ୍ରଦେଶରେ ଏଭଳି ଘଟଣା ଘଟିଛି ।

ମଧ୍ୟପ୍ରଦେଶର ସାହୋଲ ଜିଲ୍ଲାରେ ସଞ୍ଜୀବ ବର୍ମା ଓ ତାଙ୍କ ସ୍ତ୍ରୀ ଆରତି ଏକ ଢାବା ଚଳାନ୍ତି । ତେବେ ସ୍ତ୍ରୀଙ୍କୁ ନପଚାରି ତରକାରୀରେ ସଞ୍ଜୀବ ଦୁଇଟି ଟମୋଟୋ ପକାଇ ଦେଇଥିଲେ । ଏଇ କଥାକୁ ନେଇ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ତ୍ରୀ ଆରତି ତାଙ୍କ ଝିଅକୁ ନେଇ ଘର ଛାଡ଼ି ଭଉଣୀ ଘରକୁ ପଳାଇଥିଲେ ।

ଏନେଇ ସଞ୍ଜୀବ ଧାନପୁରୀ ଥାନାରେ ଏତଲା ଦେବା ପରେ ପୋଲିସ ସ୍ତ୍ରୀଙ୍କୁ ଭଉଣୀ ଠାବ କରି ଥାନାକୁ ଆଣିଥିଲା । ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ସ୍ତ୍ରୀ ଆରତିଙ୍କୁ ସ୍ବାମୀ ସଞ୍ଜୀବ ଅଧକିଲୋ ଟମାଟୋ ଉପହାର ଦେଇଛନ୍ତି । ଛୋଟବଡ଼ କଥାକୁ ନେଇ ଆଉ ସ୍ବାମୀ- ସ୍ତ୍ରୀ ଝଗଡ଼ା କରିବେ ନାହିଁ କି ସ୍ତ୍ରୀଙ୍କୁ ନପଚାରି ତରକାରୀରେ ଟମାଟୋ ପକାଇବେ ନାହିଁ ବୋଲି ସଂଜୀବ କହିଛନ୍ତି ।

କାଳ ସାଜିଲା ମୋମୋ ଚ୍ୟାଲେଞ୍ଜ : ୧୫୦ ମୋମୋ ଖାଇ ଜୀବନ ଗଲା

ପାଟନା :  ଜୀବନ ନେଲା ମୋମୋ ଖାଇବା ନିଶା । ଚ୍ୟାଲେଞ୍ଜ କରି ମୋମା ଖାଇବା ଯୁବକଙ୍କ ପାଇଁ କାଳ ସାଜିଲା । ବିହାରର ଗୋପାଳଗଞ୍ଜ ଜିଲ୍ଲା ସିହୋରାଓ ଗାଁରେ ଏପରି ଅଘଟଣ ଘଟିଛି  । ମୋମୋ ଖାଇ ମୃତ୍ୟୁ ଘଟିଥିବା ୨୩ ବର୍ଷୀୟ ଯୁବକ ହେଉଛନ୍ତି  ବିପିନ୍ ପାସଓ୍ୱାନ ।

ସୂଚନା ଅନୁଯାୟୀ ବିପିନ ଏକ ମୋବାଇଲ ଦୋକାନରେ ମେକାନିକ କାମ କରୁଥିଲେ । ଘଟଣା ଦିନ ସେ ସାଙ୍ଗମାନଙ୍କ ସହ ମୋମୋ ଖାଇବାକୁ ଯାଇଥିଲେ । ସେଠାରେ ତାଙ୍କ ସାଙ୍ଗମାନେ ତାଙ୍କୁ ସର୍ବାଧିକ ମୋମୋ ଖାଇବାକୁ ଚ୍ୟାଲେଞ୍ଜ କରିଥିଲେ  । ଏହି ଚ୍ୟାଲେଞ୍ଜରେ ସେ ଗୋଟିଏ କିମ୍ୱା ଦୁଇଟା ପ୍ଲେଟ୍ ନୁହେଁ ବରଂ ୧୦୦ରୁ ଅଧିକ ମୋମୋ ଖାଇଥିଲେ ।

ବିପିନଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ସେ ଚ୍ୟାଲେଞ୍ଜ  ଜିତିବା ପାଇଁ  ପାଖାପାଖି  ୧୫୦ ମୋମୋ ଖାଇଥିଲେ । ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା  । ଆଉ ସେ ମୋମୋ ଖାଇବା ବେଳେ ହଠାତ୍ ଦୋକାନରେ ପଡିଯାଇଥିଲେ  । ପ୍ରଥମେ ସାଙ୍ଗମାନେ ଏହା ଦେଖି ହାସ୍ୟାସ୍ପଦ ବୋଲି ଭାବିଲେ । କିନ୍ତୁ ପରେ ଯେତେବେଳେ ତାଙ୍କ ଚେତା ଫେରି ନଥିଲା ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଗଲେ ।

କିନ୍ତୁ ଚିକିତ୍ସା ପୂର୍ବରୁ ହିଁ ଡାକ୍ତରମାନେ ବିପିନଙ୍କୁ ମୃତ ଘୋଷିତ କରିଥିଲେ  । ସେଠାରୁ ବିପିନଙ୍କ ମୃତଦେହ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ପଠାଯାଇଥିଲା । ମୃତଦେହର ପୋଷ୍ଟମର୍ଟମ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା  ।  ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି  ।

ମନ୍ଦିରକୁ ମାରିଲା ଘଡଘଡି, ଭାଙ୍ଗିଲା ଭୁବନେଶ୍ବରର ରାମେଶ୍ବର ମନ୍ଦିରର ଦଧିନଉତି

ଭୁବନେଶ୍ୱର : ବଜ୍ରପାତରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ବରର ରଥରୋଡ୍‌ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ଘଡ଼ଘଡ଼ି ମାରିବାରୁ ମନ୍ଦିରର ଦଧିନଉତି ଖସି ପଡ଼ିଛି । ସେବାୟତମାନେ ମନ୍ଦିର ଭିତରେ ଥିବା ବେଳେ ସକାଳ ୯ଟାରୁ ୧୦ଟା ଭିତରେ ହଠାତ ଭୀଷଣ ଶବ୍ଦ ଶୁଭିଥିଲା । ପରେ ଦେଖିବା ବେଳ ମନ୍ଦିରର ଦଧିନଉତି ଭାଙ୍ଗି ତଳେ ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏହା ଦେଖି ଭୟଭୀତ ହୋଇପଡିଥିଲେ

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ବିରଳ ସମ୍ମାନରେ ସମ୍ମାନିତ କଲା ଆମେରିକା

ସିଆଟେଲ: ବିଶ୍ୱବ୍ୟାପୀ ମାନବ ଜୀବନର କଲ୍ୟାଣ ସାଧନା ତଥା ପ୍ରସିଦ୍ଧ କାବ୍ୟକୃତି ଶ୍ରୀଗୁରୁ ଭାଗବତ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ପକ୍ଷରୁ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି । ଏକକାଳୀନ ଆମେରିକାର ତିନୋଟି ସ୍ଥାନୀୟ ସରକାରଙ୍କ ପକ୍ଷରୁ ଗୁରୁଜୀଙ୍କୁ ପୃଥକ ପୃଥକ ଭାବେ ସମ୍ମାନିତ କରାଯିବା ସହିତ ଜୁଲାଇ ୧୩ ତାରିଖକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ଏବଂ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି ।

କୌଣସି ଭାରତୀୟ ନାଗରିକ କିମ୍ବା ତାଙ୍କର କୃତି ନିମନ୍ତେ ଏହିପରି ଏକ ଦିବସ ଘୋଷଣା କରାଯିବା ଏହା ପ୍ରଥମ ଏବଂ ଐତିହାସିକ ଘଟଣା ।
ଗୁରୁଜୀ ଏବଂ ତାଙ୍କର ସର୍ବଜନାଦୃତ କାବ୍ୟଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ପ୍ରତି ଉଲ୍ଲେଖନୀୟ ସ୍ୱୀକୃତି ସ୍ୱରୂପ ଏଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ କିଙ୍ଗ କାଉଣ୍ଟି ପକ୍ଷରୁ ଜୁଲାଇ ୧୩ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି । ସିଆଟେଲ ସହର ପକ୍ଷରୁ ଏହି ଦିନଟିକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ରୂପେ ଘୋଷଣା କରାଯାଇଛି । ସିଆଟେଲ ସହର ମେୟର ବ୍ରୁସ ଏ. ହାରେଲ ଗୁରୁଜୀଙ୍କ ହସ୍ତରେ ବିଧିବଦ୍ଧ ଘୋଷଣାପତ୍ର (ପ୍ରୋକ୍ଲେମେସନ୍‍) ଅର୍ପଣ କରି ଏହି ସମ୍ମାନ ପ୍ରଦାନ କରିଥିଲେ ।

ସେହିପରି ସିଟି ଅଫ ବେଲେଭ୍ୟୁ ପକ୍ଷରୁ ଜୁଲାଇ ୧୩ ତାରିଖକୁ ‘ଡଃ ଚନ୍ଦ୍ରଭାନୁ ଶତପଥୀ ଦିବସ’ ରୂପେ ଘୋଷଣା କରାଯାଇଥିବାବେଳେ ୱାଶିଂଟନର ସିନେଟର ମାରିଆ କାଣ୍ଟୱେଲ ୱାଶିଂଟନରେ ଏହି ଦିନଟିକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ପାଳନ କରିବା ନିମନ୍ତେ ଆନୁଷ୍ଠାନିକ ପତ୍ର ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ ଯେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ମୂଳ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ରଚିତ ଶ୍ରୀଗୁରୁ ଭାଗବତ ଭାରତର ଷୋହଳଟି ପ୍ରାନ୍ତୀୟ ଭାଷାରେ ଅନୁବାଦିତ ହୋଇଥିବାବେଳେ ଓଡ଼ିଆ ସମେତ ଭୋଜପୁରୀ, ମୈଥିଳୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ରାଜସ୍ଥାନୀ ଓ ହିନ୍ଦୀ ଭାଷାରେ ସଂଗୀତରେ ରୂପାୟିତ ହୋଇଛି । ଦୈନନ୍ଦିନ ଜୀବନ ଯାତ୍ରା ପଥରେ ସାଧାରଣ ପାଠକ, ଆଧ୍ୟାତ୍ମିକ ଜିଜ୍ଞାସୁ, ବୃଦ୍ଧିଜୀବୀ ଏବଂ ଗୃହିଣୀମାନଙ୍କ ପାଇଁ ଏହାର ଉପାଦେୟତା ଦୃଷ୍ଟିରୁ ଏହି ଗ୍ରନ୍ଥ ସମଗ୍ର ଦେଶ ଓ ବିଦେଶରେ ଲୋକପ୍ରିୟତା ହାସଲ କରିଛି ।

ଏହି ଉପଲକ୍ଷେ ଆୟୋଜିତ ଭବ୍ୟ ଉତ୍ସବରେ ଲେଫଟ୍‍ନାଣ୍ଟ ଗଭର୍ଣ୍ଣର ବ୍ରାଡ଼ ଓୱେନ, ସିନେଟର ବବ ହାସେଗାୱା, ପୂର୍ବତନ କଂଗ୍ରେସ ସଦସ୍ୟ ଜିମ୍‍ ମ୍ୟାକଡର୍ମଟ, ଜାରେଡ଼ ନିଉୱେନହୁଇସ, ବେଲେଭ୍ୟୁ ସିଟି ଡେପୁଟି ମେୟର ଲିସା ମାନିଅନ, କିଙ୍ଗ କାଉଣ୍ଟି ଆଇନୀଜବୀ ଜିମି ମାଟା, ବୁରିଏନ ସିଟି କାଉନସିଲ ସଦସ୍ୟ ବ୍ରାଡ଼ ମିୟାକେ, ବେଲେଭ୍ୟୁ ସିଟି ମେନେଜର ଜେମ୍ସ ବୁଶ, କିଙ୍ଗ କାଉଣ୍ଟି ଆଉଟରିଚ ହିସାଓ ଇନାଗାକି, ଜାପାନର କନସଲ ଜେନେରାଲ ଅନ୍‍ସୁନ୍ତା ଏନଜି ପ୍ରମୁଖ ବହୁ ତୁଙ୍ଗ ପଦାଧିକାରୀ ଯୋଗଦେଇଥିଲେ ।

ଗୁରୁଜୀ ଡଃ ଶତପଥୀ ଏହି ସମ୍ମାନ ନିମନ୍ତେ ଧନ୍ୟବାଦ ପ୍ରଦାନକରି ଧର୍ମମତ ନିର୍ବିଶେଷରେ ଗୁରୁତତ୍ତ୍ୱର ମହତ୍ତ୍ୱ ତଥା ଜୀବନରେ ସମସ୍ତଙ୍କ ପାଇଁ ଗୁରୁଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ଧ ବିଶ୍ୱାସକୁ ପରିହାର କରି ପରିବର୍ତ୍ତିତ ପରିସ୍ଥିତିକୁ ଆଦରିନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଗୁହାଳରେ ପଶି ୪୨ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଅରଦା ଗାଁରେ ଅଜଣା ଜନ୍ତୁ ଆତଙ୍କ। ଗାଁରେ ପଶି ୪୨ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ । ଅଜଣା ଜନ୍ତୁର ପାଦ ଚିହ୍ନ ଠାବ କଲେ ଗ୍ରାମବାସୀ । ଗାଁର ସାଧୁଚରଣ ରାଉତଙ୍କ ଗୁହାଳରେ ପଶି ମେଣ୍ଢା ମାରିଛି ଅଜଣା ଜନ୍ତୁ । ଜଙ୍ଗଲ କଡରେ ଆରଦା ଗାଁ ଥିବାରୁ ଅଜଣାଜନ୍ତୁ ଆକ୍ରମଣ କରୁଥିବା କହିଛନ୍ତି ଗ୍ରାମବାସୀ । ଏକା ସଙ୍ଗେ ଏତେ ସଂଖ୍ୟକ ମେଣ୍ଢା ମରିବା ସାଧାରଣ କଥା ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ଅଜଣାଜନ୍ତୁ ଆକ୍ରମଣକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଚିନ୍ତାରେ ଗୋପାଳକ, ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ

ଦେବଗଡ଼ : ଦେବଗଡ଼ରେ ଗୋରୁଙ୍କ ଶରୀରରେ ଲମ୍ପି ସ୍କିନ ଡିଜିଜ ଆତଙ୍କ  । ଗାଈ ଗୋରୁଙ୍କ ଶରୀରରେ ଚମ ଫୁଲିଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ଫାଟି ମାଂସ ଝାଡ଼ିବା ସହ ଉକ୍ତ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି  । ଫଳରେ ଚିନ୍ତାରେ ଗୋପାଳକ  । ଘଟଣାକୁ ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟରଞ୍ଜନ ରାଉତ ।

ଏହି ରୋଗ ପାଇଁ ପ୍ରତିଷେଧକ ଟୀକା ନଥିବାରୁ ଏହି ଭୁତାଣୁ ଜନିତରୋଗକୁ ଆୟତ୍ତ କରିବା ପାଇଁ ଗୋଟ୍‌ ପକ୍ସ ଭ୍ୟାକସିନ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି  । ଜିଲାରେ ୬୦ ହଜାର ଗୋରୁଙ୍କୁ ଏହି ଚର୍ମ ବିଣ୍ଡି ରୋଗ ପ୍ରତିଷେଧକ ଭାବେ ଗୋଟ୍‌ ପକ୍ସ ଭ୍ୟାକସିନ ଦିଆଯାଇଛି  । ୨୦୧୯ ଗଣନା ଅନୁଯାଇ ଲକ୍ଷେ ୩୦ ହଜାର ଗୋରୁ ରହିଥିବା ବେଳେ ଆହୁରି ପ୍ରାୟ 70 ହଜାର ଗୋରୁ ଟୀକା କରଣରୁ ବଞ୍ଚିତ ଅଛନ୍ତି ।

ଟୁଇନ୍ ସିଟିରେ ତୀବ୍ରରୁ ଅତି ତୀବ୍ର ବର୍ଷା

ଭୁବନେଶ୍ୱର : ଓଡିଶାକୁ ଆସୁଛି ବଡ଼ ବର୍ଷା । ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଛି । ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ ଜାରି ହୋଇଛି । ଟୁଇନ ସିଟିରେ ତୀବ୍ର ରୁ ଅତି ତୀବ୍ର ବର୍ଷା ଲାଗିରହିଛି । ଫଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ ।

ତଳିଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ରେ ପାଣି ଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ସୂଚନା । ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ ହୋଇଚି । ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୮୬.୬ ମିମି, ଢେଙ୍କାନାଳରେ ୭୦ ମିମି ବର୍ଷା ରେକର୍ଡ ହୋଇଛି ।

ସେପଟେ ଆଗକୁ ରହିଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ । ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇଛି । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ପରେ ୧୯ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ଜୁଲାଇ ୨୧ରେ ଅବପାତର ରୂପ ନେବ । ଜୁଲାଇ ୨୨ରେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ଜୁଲାଇ ୧୮ରୁ ୨୭ଯାଏ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।