spot_img
Home Blog Page 3109

ସରିଲା ଶ୍ରୀଜିଉଙ୍କ ସ୍ନାନ ନୀତି, ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ସରିଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି | ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ଥ ନୀତିକାନ୍ତିକୁ ଶେଷ କରିଛନ୍ତି ସେବାୟତ ।  ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଭକ୍ତ-ଭଗବାନ ଏକାକାର । ବଡ଼ଦାଣ୍ଡ ଜନସମୁଦ୍ର । ଘଣ୍ଟ ଘଣ୍ଟା, ମୃଦଙ୍ଗ, କାହାଳୀ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ପରିବେଶ । ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି । ଭୋର ୩ଟା ୩୦ରେ ମଙ୍ଗଳାର୍ପଣ ପରେ ୪ଟା ୪୫ରେ ହୋଇଥିଲା ମଙ୍ଗଳାର୍ପଣ ନୀତି । ବିଜେ କାହାଳୀ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିଥିଲେ । ମଦନମୋହନ ବିଜେ ପରେ ସକାଳ ୮ଟା ୫ରେ ସ୍ନାନବେଦୀରେ ହୋଇଥିଲା ମଙ୍ଗଳ ଆଳତି ।

ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସମେତ ଠାକୁରଙ୍କ ବେଶ ପରେ ୧୦୮ ଗଡ଼ୁ ଜଳ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ମଧ୍ୟାହ୍ନ ୧୨ଟା ୨୦ରେ ଜଳଲାଗି ପୂଜା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସ୍ନାନ । ଶ୍ରୀବଳଭଦ୍ର ୩୩ ଗଡୁ, ଦେବୀ ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ଶ୍ରୀସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିଥିଲେ । ସ୍ନାନ ମଣ୍ଡପରେ ରକ୍ତଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଅପରାହ୍ଣ ୪ଟା ୧୫ରେ ଛେରା ପହଁରା ନୀତି କରିଥିଲେ । ଶେଷରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ହାତୀ ବେଶ ।

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । କିଏ ଭଜନ ଗାନ କରି ତ କିଏ ଗୀତଗୋବିନ୍ଦର ତାଳେତାଳେ ନୃତ୍ୟ ପରବେଷଣ କରିଥିଲେ । କିଏ ଆଣ୍ଠୁମାଡ଼ି ଠାକୁରଙ୍କ ନିକଟରେ କରୁଥିଲେ ଅଳି । ଅସହ୍ୟ ତାତି ଓ ଗୁଳୁଗୁଳିରେ ସବୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଭକ୍ତ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ରୁ ଉର୍ଦ୍ଧ ପ୍ଲାଟୁନ ଫୋର୍ସ ସହ ୨୦୦ରୁ ଉର୍ଦ୍ଧ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡ଼ିତ ହେବେ। କାଲିଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବାକୁ ଥିବାବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ।

୯୪ ବର୍ଷ ବୟସରେ ଭେଟେରାନ ଅଭିନେତ୍ରୀ ସୁଲୋଚନାଙ୍କ ପରଲୋକ

ନୂଆଦିଲ୍ଲୀ: ୪୦ରୁ ୫୦ ଦଶକର ଦିଗ୍ଗଜ ଅଭିନେତ୍ରୀ ଭାବେ ପରିତିତ ସୁଲୋଚନା ଲାଟକରଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁହାଯାଇଥିଲା ଯେ ଅଭିନେତ୍ରୀଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା । ସୁଶୃଷା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ପ୍ରଭାଦେବୀ ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଅଭିନେତ୍ରୀ ସୁଲୋଚନାଙ୍କ ପାର୍ଥିବ ଶରୀର ରଖାଯିବ ।

ଏହାପରେ ଶିବାଜୀ ପାର୍କ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ରକାଶଥାଉକି, ସୁଲୋଚନା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଥିଲେ । ସେହିପରି ହିନ୍ଦି ସିନେମାରେ ମଧ୍ୟ ନିଜର ଚମତ୍କାର ଅଭିନୟ ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦେବାନନ୍ଦଙ୍କଠୁ ନେଇ ରାଜେଶ ଖାନ୍ନାଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ଷ୍ଟାରଙ୍କ ସହ ସେ କାମ କରିଥିଲେ । ଅନେକ ହିନ୍ଦି ସିନେମାରେ ମା ଭୂମିକାରେ ମଧ୍ୟ ନଜର ଆସିଥିଲେ । ୨୫୦ରୁ ଅଧିକ ସିନେମାରେ ସେ କାମ କରିଥିଲେ ।

ଇଣ୍ଟରଲକିଂରେ ତ୍ରୁଟି ପାଇଁ ହୋଇଥିଲା ବାହାନଗା ଦୁର୍ଘଟଣା; ତେବେ ଏହା କ’ଣ ଏବଂ କେମିତି କାର୍ଯ୍ୟ କରିଥାଏ?

ଭୁବନେଶ୍ୱର: ଦଶନ୍ଧିର ବଡ଼ ରେଳ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଚାଲିଗଲା କି ୨୭୫ ଜୀବନ । ରେଳମନ୍ତ୍ରୀ କହିଲେ, ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି, ଏପଟେ ରେଲଓ୍ବେ ବୋର୍ଡ କହିଲା ସିଗନାଲରେ ସମସ୍ୟା ଯୋଗୁ ଭୁଲ ଲାଇନରେ ଗଲା କରମଣ୍ଡଳ । ତେବେ ଏହି ଇଣ୍ଟରଲକିଂ ସିଷ୍ଟମ କଣ ଏବଂ ଏହା କେମିତି କାର୍ଯ୍ୟ କରିଥାଏ? ରେଳ ଟ୍ରାକର ସୁପରିଚାଳନା ଲାଗି ବ୍ୟବହୃତ ହୋଇଥାଏ ଇଣ୍ଟରଲକିଂ ସିଷ୍ଟମ । ରେଳବାଇ ସିଗନାଲିଂ କ୍ଷେତ୍ରେର ଇଣ୍ଟରଲକିଂ ଏକ ବ୍ୟବସ୍ଥା । ଜଙ୍କସନ ବା କ୍ରସିଂର ସୁବ୍ୟବସ୍ଥା ଲାଗି ରହିଥାଏ ଇଣ୍ଟରଲକିଂ । ଲିଭର କିମ୍ବା ଇଲେକ୍ଟ୍ରିକାଲ ବା ମେକାନିକାଲ ଡିଭାଇସକୁ ନେଇ ଇଣ୍ଟରଲକିଂ । ପଏଣ୍ଟ ଓ ସିଗନାଲକୁ କରାଯାଇଥାଏ ଅପରେଟ । ଟ୍ରେନର ଇଗନିସନ ସହ ସଂଯୁକ୍ତ ହୋଇଥାଏ ଇଣ୍ଟରଲକ ଡିଭାଇସ ।

ଟ୍ରାକରେ ଏକାଧିକ ଲାଇନକୁ ସଂଯୋଗ କରିବା ପାଇଁ ପଏଣ୍ଟସ ରହିଥାଏ । ସିଗନାଲ ଦ୍ବାରା ଲୋକୋ ପାଇଲଟକୁ ଟ୍ରେନକୁ ଆଗକୁ ନେବା ଲାଗି ଗ୍ରୀନ ସିଗନାଲ ମିଳିଥାଏ । ଯେଉଁ ଲାଇନର ରୁଟ୍ ସେଟ ହୋଇଥାଏ, ସେହି ଲାଇନ ପାଇଁ ସିଗନାଲ ମିଳିଥାଏ । ଏହି ବ୍ୟବସ୍ଥାକୁ ଇଣ୍ଟରଲକିଂ କୁହାଯାଏ । ଇଣ୍ଟରଲକିଂ ସିଷ୍ଟମ ଟ୍ରେନର ସୁରକ୍ଷା ସୁନିଶ୍ଚିତ କରିଥାଏ । ଇଣ୍ଟରଲକିଂ ଯୋଗୁ ସିଗନାଲ କ୍ଷେତ୍ରରେ ତ୍ରୁଟି ହେବା ସମ୍ଭବ ନୁହେଁ । ଲୁପ ଲାଇନ ଇଣ୍ଟରଲକିଂ ହୋଇଥିଲେ ଲୋକୋ ପାଇଲଟକୁ ଯିବନାହିଁ ଗ୍ରୀନ ସିଗନାଲ । ଯଦି ଲେବଲ କ୍ରସିଂଗେଟଗୁଡିକ ଇଣ୍ଟରଲକ ଦ୍ବାରା ସଂଯୁକ୍ତ ହୋଇଥାଏ ତେବେ ଗେଟ ବନ୍ଦ ବା ଖୋଲିବା ବି ନିୟନ୍ତ୍ରିତ ହୋଇଥାଏ । ଥରେ ଲୋକୋ ପାଇଲଟଙ୍କୁ ସିଗନାଲ ଯିବା ପରେ ବନ୍ଦ କରିବା ଅସମ୍ଭବ । ଲିଭର ଓ ପ୍ୟାନେଲ ଦ୍ବାରା ପରିଚାଳିତ ହୋଇଥାଏ ପଏଣ୍ଟ ଓ ସିଗନାଲ । ମେକାନିକାଲ ବା ଇଲେକ୍ର୍ଟିକାଲ କିମ୍ବା ଇଲେକ୍ଟ୍ରୋମେକାନିକାଲ ଦ୍ବାରା ଇଣ୍ଟରଲକିଂ ହୋଇଥାଏ ।

କେତେ ପ୍ରକାର ରହିଛି ଇଣ୍ଟରଲକିଂ?

. ମେକାନିକାଲ ଇଣ୍ଟରଲକିଂ
. ପ୍ୟାନେଲ ଇଣ୍ଟରଲକିଂ
. ରୁଟ୍ ରିଲେ ଇଣ୍ଟରଲକିଂ
. ସଲିଡ ଷ୍ଟେଟ ଇଣ୍ଟରଲକିଂ

ଇଲେକ୍ଟ୍ରୋନିକ ଇଣ୍ଟରଲକିଂ କ’ଣ?
ସିଗନାଲ ଓ ଟ୍ରାକ ନିୟନ୍ତ୍ରଣ କରିଥାଏ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ । ଏହା ଏକ ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା । ସଫଳତାର ସହ ଟ୍ରାକ ମ୍ୟାନେଜମେଣ୍ଟ କରିଥାଏ ଏହି ବ୍ୟବସ୍ଥା । ଭୁଲଭାଲ ସିଗନାଲ ପ୍ରଦାନ ସମ୍ଭବ ହୋଇ ନଥାଏ । ରେଳ ଟ୍ରାକ ନିରାପଦ ନଥିଲେ ଏହି ସିଷ୍ଟମ ଟ୍ରେନକୁ ଆଗକୁ ଯିବାକୁ ଦେଇ ନଥାଏ । ଇଲେକ୍ଟ୍ରୋନିକ କଣ୍ଟ୍ରୋଲ ସିଷ୍ଟମ ଓ କମ୍ପ୍ୟୁଟର ଦ୍ବାରା ଏହା ପରିଚାଳିତ ହୋଇଥାଏ । ପାରମ୍ପରିକ ମେକାନିକାଲ ଇଣ୍ଟରଲକିଂର ଆଉ ହେଉନାହିଁ ବ୍ୟବହାର । ଟ୍ରେନ ଚଳାଚଳ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ ସିଷ୍ଟମ । ଟ୍ରେନ ସମ୍ପର୍କରେ ସେନସର ଓ ଫିଡବ୍ୟାକ ଡିଭାଇସ ଜରିଆରେ ସୂଚନା ମିଳିଥାଏ । ଏହି ସିଷ୍ଟମ ସହ ଡିଟେକ୍ସନ ସିଷ୍ଟମ, ସିଗନାଲ, ପଏଣ୍ଟ ବା ସୁଇଚ, ଟ୍ରାକ ସର୍କିଟ ସହ ସମ୍ପର୍କିତ ଥାଏ । ସିଗନାଲ ଓ ସୁଇଚକୁ ଆଧାର କରି ରୁଟ ପରିଚାଳନା ହୋଇଥାଏ ।

ବାହାନଗା ଟ୍ରେନ୍ ଦୁର୍ଘଟଣା: ୪୮ ଘଣ୍ଟା ପରେ ଜୀବିତ ଉଦ୍ଧାର ହେଲେ ଯୁବକ

ବାଲେଶ୍ୱର: କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥା ଆଜି ପ୍ରମାଣିତ ହୋଇଛି । ୪୮ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଯୁବକ ଉଦ୍ଧାର । ଦୁର୍ଘଟଣାସ୍ଥଳଠାରୁ କିଛି ବାଟ ଦୂରରୁ ତାଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଦୂରକୁ ଛିଟିକି ପଡ଼ିଥିଲା ବଗି । ସେହି ବଗି ତଳେ ହିଁ ସେ ଫସିରହିଥିଲେ । ଆଜି ରେଲୱେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରିଛନ୍ତି । ଉଦ୍ଧାର ଯୁବକ ହେଲେ ଆସାମ ଅଞ୍ଚଳଳର ଧୋଲାଲ । ଉଦ୍ଧାର ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ହସ୍ପିଟାଲ ପଠାଯାଇଛି ।

ଟ୍ରେନ୍ ଦୁର୍ଘଟଣାରେ ଆହତ ବାଳକର ଇଚ୍ଛା ପୂରଣ କଲେ 5T ସଚିବ, ଦେଲେ ନୂଆ ଡ୍ରେସ୍

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଆହତ ୧୦ ବର୍ଷର ବାଳକର ମନକଥା ପୂରଣ କଲେ 5T ସଚିବ ଭିକେ ପାଣ୍ଡିଆନ । ଏସସିବିରେ ଆହତଙ୍କୁ ଭେଟିବାବେଳେ ସର୍ଜରୀ ଓ୍ବାର୍ଡରେ ବାଲେଶ୍ବରର ଦେବାଶିଷ ପାତ୍ରଙ୍କୁ ଭେଟିଥିଲେ 5T ସଚିବ । ତାର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ନେହରେ କଣ ଦରକାର ବୋଲି ପଚାରିଥିଲେ । ଏହି ସମୟରେ ମୋତେ ଡ୍ରେସ ଦରକାର ବୋଲି କହିଥିଲେ ଦେବାଶିଷ । ୨ ଘଣ୍ଟା ଭିତରେ ଡ୍ରେସ ଦିଆଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଥିଲେ । ପରେ କିଛି ସମୟ ମଧ୍ୟରେ ଦେବାଶିଷଙ୍କୁ ନୂଆ ଡ୍ରେସ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ କୁନି ମୁହଁରେ ହସ ଖେଳିବା ସହିତ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଦେବାଶିଷ ।

 

ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ୧୦ ଟା ସୁଦ୍ଧା ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣ ମୃତ୍ୟୁ ବରଣ କରିଛନ୍ତି । ସେଥିମଧ୍ୟରୁ ୧୦୮ ଜଣଙ୍କ ମୃତଦେହ ଚି଼ହ୍ନଟ ହୋଇଛି । ଶବ ହସ୍ତାନ୍ତର ପକ୍ରିୟା ଜାରି ରହିଛି । ଚାରୋଟି ମୃତଦେହକୁ ତାଙ୍କ ସମ୍ପର୍କୀୟ ଚି଼ହ୍ନଟ କରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ହସ୍ତାନ୍ତର କରାଯିବ । ୨୭୫ ଟି ମୃତଦେହ ମଧ୍ୟରୁ ୧୯୦ ଟି ଭୁବନେଶ୍ୱରକୁ ଅଣାଯାଇଛି । ୧୯୦ ଟି ମୃତଦେହ ପହଞ୍ଚିଥିବା ବେଳେ ଆଉ ୧୦ ଟି ଖୁବ ଶୀଘ୍ର ପହଞ୍ଚିବ ।

୧୮୦ ମୃତଦେହ ମଧ୍ୟରୁ ୨୩ ଟି ମୃତଦେହ ଚି଼ହ୍ନଟ ହୋଇଥିବା ବେଳେ ହସ୍ତାନ୍ତର ପକ୍ରିୟା ଆରମ୍ଭ ହୋଇଯାଇଛି । ଏହା ସହ ଦେଶର ଯେକୌଣସି ସ୍ଥାନରୁ ଏହି ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବସାଇଟ ଏବଂ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି । ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଛି । ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକ ମୃତ୍ୟୁ ସଂଖ୍ୟା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାକୁ ମୁଖ୍ୟ ଶାସନ ସଚିବ ଖଣ୍ଡନ କରିଛନ୍ତି । ଏହା ସହ ସମସ୍ତ କାର୍ଯ୍ୟ ସାମ୍ବାଦିକଙ୍କ ସାମ୍ନାରେ କରାଯାଇଛି ଏଥିରେ ଲୁଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବାହାନଗା ରେଳ ଦୁର୍ଘଟଣାର ହେବ CBI ତଦନ୍ତ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ସରକାରଙ୍କୁ ଏନେଇ ସୁପାରିଶ କରିବ ରେଲଓ୍ବେ ବୋର୍ଡ । ଏନେଇ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ପରେ ଦୁର୍ଘଟଣା ପଛର ସତ ପଦାକୁ ଆସିବ । ଏତେ ବଡ଼ ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ । ପ୍ରକୃତ କାରଣ ଖୁବଶୀଘ୍ର ଜଣାପଡ଼ିବ ।

ବାହାନଗା ବିଭୀଷିକା: ରକ୍ତଦାନ ପାଇଁ ଆଗକୁ ଆସିଲେ ଭୁବନେଶ୍ୱରବାସୀ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏହି ଭୟାନକ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କ ଜୀବନ ଯାଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ୁଛି । ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଲୋକମାନେ ଆଗକୁ ଆସି ରକ୍ତଦାନ କରୁଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ୱରରେ ମଧ୍ୟ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି ଶିବିରରେ ନିଜର ମାନବିକତାର ପରିଚୟ ଦେବାପାଇଁ ରାଜଧାନୀର ଅନେକ ଜନସାଧାରଣଙ୍କର ଲମ୍ବା ଧାଡି ଲାଗିଥିଲା । ତାଙ୍କ ସହିତ ସିନେମା ଜଗତ ସହିତ ଜଡିତ ଥିବା ଅନେକ ମହାନୁଭବ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି । ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣି, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ଟୁଟୁ ନାୟକ, ସଚିକାନ୍ତ ଜେନା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ, ଶୀତଲ ପାତ୍ର, ଓଲିଉଡ଼ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ଅଭିନେତା ଜ୍ୟୋତି ନାୟକ, ରଣବୀର କଲସି ପ୍ରମୁଖ ଶିବିରରେ ଯୋଗଦେଇ ରକ୍ତଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଏବଂ ମାନବିକତାର ପରିଚୟ ଦେଇଥିବାରୁ ସମସ୍ତଙ୍କୁ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ ।

ଦିନ ୩ ଟା ପର୍ଯ୍ୟନ୍ତ ୧୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଆହୁରି ୯୫ ଜଣ ରକ୍ତଦାନ ପାଇଁ ଧାଡିରେ ଥିଲେ । ସନ୍ଧ୍ୟା ୫ ଟା ସୁଦ୍ଧା ୨୫୦ ୟୁନିଟ ରକ୍ତ ସଂଗ୍ରହ ହେବା ଆଶା ରଖିଛନ୍ତି ଆୟୋଜକ । ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ତାଙ୍କ ସହଯୋଗୀଙ୍କ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ଡାକ୍ତର ରଘୁନାଥ ବେହେରା, ଡାକ୍ତର ଗୀତା ମିଶ୍ର ଏବଂ ରେଡକ୍ରସ ର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ ।

ଓଭରସ୍ପିଡିଂର ସମସ୍ୟା ନଥିଲା, ସିଗନାଲିଂରେ ସମସ୍ୟା ଯୋଗୁ ଦୁର୍ଘଟଣା ଘଟିଛି: ରେଲୱେ ବୋର୍ଡ

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡି ନେଇ ରେଲଓ୍ବେ ବୋର୍ଡର ପ୍ରେସମିଟ । କବେଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ରେଲଓ୍ବେ ବୋର୍ଡ ପକ୍ଷରୁ କୁହାଯାଇଛି । ୧୨୮ କିମି ପ୍ରତି ଘଣ୍ଟା ବେଗରେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ । ଲୁପ ଲାଇନରେ ଅଟକି ରହିଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଲୁହା ବୋଝେଇ ମାଲବାହୀ ଟ୍ରେନ ଉପରେ କରମଣ୍ଡଳର ଇଞ୍ଜିନ ଓ କିଛି ବଗି ଚଢ଼ି ଯାଇଥିଲା । ଲୁହା ବୋଝେଇ ଥିବାରୁ ମାଲବାହୀ ଟ୍ରେନ ଘୁଞ୍ଚି ନଥିଲା ।

କରମଣ୍ଡଳ ଏକ୍ସପ୍ରେସର ବଗିଗୁଡ଼ିକ ଅତି ସୁରକ୍ଷିତ, ସହଜରେ ଏହା ଲାଇନଚ୍ୟୁତ ହୁଏନାହିଁ । ୧୨୮ କିମି ପ୍ରତି ଘଣ୍ଟା ସ୍ପିଡରେ ଟ୍ରେନ ଧକ୍କା ହେବା ପରେ ପୂରା ଇଫେକ୍ଟ କରମଣ୍ଡଳ ଉପରେ ପଡ଼ିବା ଯୋଗୁ ଏହାର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସର ବଗି ଅନ୍ୟ ଟ୍ରାକରେ ପଡିଥିଲା । ଡାଉନ ମେନ ଲାଇନରେ ୧୨୬ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାଉଥିବା ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ବଗି ସହ କରମଣ୍ଡଳର ବଗି ପିଟି ହୋଇଥିଲା । ଫଳରେ ଯଶବନ୍ତପୁରର ଶେଷ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା ।

ରେଲଓ୍ବେ ବୋର୍ଡ ପକ୍ଷରୁ କୁହାଯାଇଛି । ଦୁର୍ଘଟଣା ଘଟିବାର ୨୦ ମିନିଟ ମଧ୍ୟରେ ରେସ୍କ୍ୟୁ ଟିମ୍ ପହଞ୍ଚିଥିଲା । ଉଭୟ ଟ୍ରେନକୁ ଗ୍ରୀନ ସିଗନାଲ ମିଳିଥିଲା । ଓଭରସ୍ପିଡିଂର ସମସ୍ୟା ନଥିଲା, ସିଗନାଲିଂରେ ସମସ୍ୟ ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରେଲଓ୍ବେ ସେଫ୍ଟି ବୋର୍ଡ କମିଶନର ତଦନ୍ତର ବିସ୍ତୃତ ରିପୋର୍ଟ ଦେବେ । ରେଲବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର-୧୩୯ ଜାରି କରାଯାଇଛି ।

ବାହାନଗା ଟ୍ରେନ୍ ଟ୍ରାଜେଡିରେ ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨ଶହ ମୃତଦେହ ଚିହ୍ନଟ ହୋଇପାରିନି

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ୍ ଟ୍ରାଜେଡିରେ ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨ଶହ ମୃତଦେହ ଚିହ୍ନଟ ହୋଇପାରିନି ମୃତକଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତାମିଲନାଡୁ ଆନ୍ଧ୍ରପ୍ରଦେଶର ସେମାନଙ୍କ ସଂପର୍କିତ ତଥ୍ୟ ଏସଆରସି ଏବଂ ସୂଚନା ଲୋକସଂପର୍କ ବିଭାଗର ଓ୍ବେବସାଇଟରେ ରହିଛି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଫଟୋ ଓ୍ବେବସାଇଟରେ ଅପଲୋଡ୍ କରାଯାଇଛି srcodisha.nic.in, bmc.gov.in ଏବଂ osdma.org ଓ୍ବେବସାଇଟରେ ମୃତକଙ୍କୁ ଚିହ୍ନଟ କରିପାରିବେ ପରିବାର ଲୋକ

ସର୍ବାଧିକ ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖା ଯାଇପାରିବ। ତେବେ ଶବ ଚିହ୍ନଟ ପାଇଁ ସଂପର୍କୀୟଙ୍କୁ ଅଧିକ ସମୟ ଦେବାକୁ ମୃତଦେହକୁ ଆଉ କିଛି ଦିନ ରଖିବାକୁ ବ୍ୟବସ୍ଥା କରାଯାଉଛି। ଶବକୁ ଅଧିକ ଦିନ ରଖିବାକୁ ସ୍ପେଶାଲ ଫରେନସିକ୍ ଟିମର ସହାୟତା ନିଆଯାଉଛି। ଦିଲ୍ଲୀ ଏମସରୁ ସ୍ବତନ୍ତ୍ର ଟିମ୍ ଆସି ଓଡ଼ିଶାରେ ପହଞ୍ଚିଛି। ସେମାନଙ୍କୁ ରାଜ୍ୟ ଫରେନସିକ୍ ଟିମ୍ ସହାୟତା କରିବ ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି

18003450061 ଟ୍ରୋଲ ଫ୍ରି ନମ୍ବର ଜାରି କରାଯାଇଛି। ମୃତଦେହ ଚିହ୍ନଟ ପାଇଁ ପରିବାର ଲୋକ ଏହି ନମ୍ବରରେ କଲ କରିପାରିବେ। ଅଫିସର ସେମାନଙ୍କୁ ସାହାଯ୍ୟ କରିବେ। ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ। କେବଳ ଓଡ଼ିଶା ଲୋକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର 1929 ରହିଛି ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ମୃତଦେହକୁ ସେମାନଙ୍କ ଗାଁକୁ ପଠାଯିବ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଆହତ ବ୍ୟକ୍ତିଙ୍କ ତାଲିକା ମଧ୍ୟ ଓ୍ବେବସାଇଟରେ ରହିଛି