spot_img
Home Blog Page 3117

ପୁରୀରେ 5T ସଚିବ ଭିକେ ପାଣ୍ଡିଆନ, ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ମାର୍ଗର କରିଛନ୍ତି ଅନୁଧ୍ୟାନ

ପୁରୀ: ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପ୍ରତି ସପ୍ତାହରେ 5T ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ କାମର ଅଗ୍ରଗତି ନେଇ ଅପଡେଟ୍ ନେବା ସହ ଧାର୍ଯ୍ୟ ସମୟରେ କାମ ସାରିବାକୁ ଟାର୍ଗେଟ୍ ଦେଇଛନ୍ତି । ଆଜି ମଧ୍ୟ ସକାଳୁ ସକାଳୁ 5T ସଚିବ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ମାର୍ଗ ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ । ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ପୂର୍ବ ସପ୍ତାହରେ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ ହୋଇଛି କି ନାହିଁ ସମୀକ୍ଷା କରିଛନ୍ତି 5T ସଚିବ । ଆଗାମୀ ୪ ତାରିଖରେ ସ୍ନାନ ପୂର୍ଣ୍ଣିମା ହୋଇଥିବାରୁ ଏହା ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ ପ୍ରକଳ୍ପ କାମ ଶେଷ କରିବା ନେଇ ଦିଆଯାଇଥିବା ଟାର୍ଗେଟ୍ ସମ୍ପର୍କରେ ପଚାରି ବୁଝିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

 

ଭକ୍ତଙ୍କୁ ମିଳିବ ସ୍ୱତନ୍ତ୍ର ଅନୁଭୂତି, ଫୁଲ ଚନ୍ଦନ ସହ ସ୍ୱାଗତ କରାଯିବ

ପୁରୀ: ଭକ୍ତ ନିବାସକୁ ଆସୁଥିବା ଅତିଥି ଓ ଭକ୍ତଙ୍କୁ ମିଳିବ ସ୍ବତନ୍ତ୍ର ଅନୁଭୂତି। ଏଥିପାଇଁ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ୱାଗତ କରାଯିବ। ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଏହାର ଶୁଭାରମ୍ଭ କରିଛନ୍ତି।  ସମସ୍ତ ୪ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତବିନିମୟ କରିଛନ୍ତି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।

ପ୍ରେମିକା ପାଇଁ ଗଲା ପ୍ରେମିକର ଜୀବନ! ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଣପୁର: ପ୍ରେମିକା ପାଇଁ ଗଲା ପ୍ରେମିକର ଜୀବନ। ୧୫ ଦିନ ପରେ ଗାଁକୁ ଆସିଲା ମର ଶରୀର। ପୁଅକୁ ପ୍ରେମିକା ଓ ତାଙ୍କ ବଡ଼ ଭଉଣୀ ମାରିଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆଁ ବରବରା ପଞ୍ଚାୟତ ବାଲିକଣିଆ ଗାଁରେ ଘଟିଛି ଘଟଣା। ଗାଁର ଲକ୍ଷ୍ମଣ ଶବରଙ୍କ ପୁଅ ଦେବରାଜ ଶବର ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ।

ତେବେ ପରିବାର ଲୋକେ ଏହି ବିବାହରେ ରାଜି ନଥିଲେ। ତେଣୁ ଦୁହେଁ ମିଶି ମହାରାଷ୍ଟ୍ର ଚାଲିଯାଇଥିଲେ । ସେଠାରେ ପ୍ରେମିକାର ବଡ ଭଉଣୀ ସହ ରହିଥିଲେ । ଗତମାସରେ ଘରକୁ ଫେରିବା ପାଇଁ କହିବାରୁ ପରିବାର ଲୋକେ ଫୋନ ପେ ଜରିଆରେ ୨ ହଜାର ଟଙ୍କା ପଠାଇଥିଲେ। ତେବେ ତା ପରଦିନ ଦେବ ଆତ୍ମହତ୍ୟା କରିଥିବା ଖବର ଆସିଥିଲା ।

ଦେବରାଜର ମର ଶରୀରକୁ ବ୍ୟବଛେଦ କରାଯାଇ ମହାରାଷ୍ଟ୍ରରୁ ବାଣପୁରକୁ ଅଣାଯାଇଛି । ତାଙ୍କୁ ପ୍ରେମିକା ଓ ତାଙ୍କ ଭଉଣୀ ମିଶି ମାରି ଦେଇଥିବା ବାଣପୁର ଥାନାରେ ମୃତ ଦେବରାଜଙ୍କ ବଡ଼ଭାଇ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବିଶ୍ୱ ପାଣିପାଗ ସଂସ୍ଥାନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବଡ଼ ସଫଳତା। ବିଶ୍ବ ପାଣିପାଗ ସଂସ୍ଥାନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ୧୪୮ ଭୋଟରୁ ୧୧୩ ଖଣ୍ଡ ଭୋଟ୍ ମୃତ୍ୟୁଞ୍ଜୟଙ୍କ ସପକ୍ଷରେ ପଡ଼ିଥିଲା । WMOର ତୃତୀୟ ଭାଇସ୍ ପ୍ରେସିଡେଣ୍ଟ ପୋଷ୍ଟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ରହିଛି ବେଶ୍ ଉଲ୍ଲେଖନୀୟ ଅବଦାନ। ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରେ ଆଇଏମଡି ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଥିଲେ। ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ଭାରତୀୟ ପାଣିପାଗ ବିଭାଗର ଏଡିଜି ସହ ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ। ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଓ ଫନି ଭଳି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍ ଆକଳନ କରି ଚର୍ଚ୍ଚାରେ ଥିଲେ। ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ମୃତ୍ୟୁଞ୍ଜୟ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର।

ବିଜେପି ବିରୋଧରେ ପୁଣି ମେଳି, ଷ୍ଟାଲିନଙ୍କୁ ଭେଟିଲେ କେଜ୍ରିଓ୍ବାଲ

ଚେନ୍ନାଇ: ବିଜେପି ବିରୋଧରେ ପୁଣି ମେଳି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ମାଗିଥିବା ସମର୍ଥନକୁ ଗ୍ରୀନ ସିଗନାଲ ଦେଇଛନ୍ତି ଷ୍ଟାଲିନ । ଏହି ସାକ୍ଷାତ କାର୍ଯ୍ୟକ୍ରମରେ ବି ଉପସ୍ଥିତ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ।

କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ପୂର୍ବରୁ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲ ଭେଟିଥିବା ବେଳେ ସେମାନେ କେନ୍ଦ୍ର ବିରୋଧରେ ଆପ୍ କୁ ସମର୍ଥନ ଦେଇଥିବା ଘୋଷଣା କରିଛନ୍ତି।

ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି। ଗତ ମେ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର। ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଥିଲେ। ଆସନ୍ତାକାଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ କେଜ୍ରିଓ୍ବାଲ ଭେଟିବା କାର୍ଯ୍ୟକ୍ରମ ରହିଛି।

ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଜୋରଦାର୍ ପ୍ରସ୍ତୁତି

ପୁରୀ: ଆସନ୍ତା ୪ ତାରିଖ ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ। ଏଥିପାଇଁ ଆଜି ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ। ମହାପ୍ରଭୁଙ୍କ ପହଣ୍ଡି ନୀତି ଏବଂ ଅନ୍ୟାନ୍ୟ ନୀତି ଶୃଙ୍ଖଳିତ ଭାବେ କରିବା ନେଇ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ। ଭକ୍ତ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅସ୍ଥାୟୀ ବ୍ୟାରିକେଡ଼ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଠାରୁ ଆରମ୍ଭ କରି ଜଳଲାଗି ଓ ଅନ୍ୟାନ୍ୟ ନୀତି ସାରିବାକୁ ଗୁରୁତ୍ବ ଦିଆଯାଇଛି। ଶ୍ରଦ୍ଧାଳୁମାନେ ଯେହେତୁ ବଡଦାଣ୍ଡରୁ ଠିଆ ହୋଇ ଦର୍ଶନ କରିବେ, ତେଣୁ ମହାପ୍ରଭୁଙ୍କ ସମ୍ମୁଖ ଭାଗରେ କୌଣସି ସେବାୟତ ଠିଆ ହେବେ ନାହିଁ ବୋଲି ସେବାୟତ ମାନଙ୍କୁ କୁହାଯାଇଛି ।

ପାତାଳକୁ ଯିବାକୁ ରାସ୍ତା ଖୋଜୁଛି ଚୀନ! ସଙ୍କଟରେ ପଡିବ କି ଦୁନିଆକୁ?

ବେଜିଂ: ପାତାଳକୁ ଯିବାକୁ ରାସ୍ତା ଖୋଜୁଛି ଚୀନ। ୧୦ ହଜାର ମିଟର ତଳକୁ ଗାତ ଖୋଳୁଛି ଚାଇନା । ଏଥିପାଇଁ ଯୋଜନା ମଧ୍ୟ ଆରମ୍ଭ କରିସାରିଛି। ମେ ୩୦ ତାରିଖରୁ ଚୀନର ସିନଜିୟାଙ୍ଗ ପ୍ରାନ୍ତରେ ଥିବା ସବୁଠାରୁ ବଡ ତୈଳ ଭଣ୍ଡାର ପରିସରରେ ଏହି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ମସିହାରେ ଚାଇନାର ରାଷ୍ଟ୍ରପତି, ବିଶେଷଜ୍ଞଙ୍କ ସହ ମିଶି ସେହି ସ୍ଥାନକୁ ଯାଇ ଆଲୋଚନା କରିଥିଲେ। ୨୦୨୩ ରେ ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ ହୋଇଛି|

ଚୀନ ଦିନକୁ ଦିନ ନୂଆ ନୂଆ ପରୀକ୍ଷଣ ଜାରି ରଖିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆଖପାଖର ଦେଶ ଗୁଡିକ। ଆକାଶ ଠାରୁ ନେଇ ଚନ୍ଦ୍ର ପୃଷ୍ଠ ପର୍ଯ୍ୟନ୍ତ ସବୁର ପରୀକ୍ଷଣ ଜାରି ରଖିଛି ଚୀନ୍ । ତେବେ ଏହି ଘଟଣାକୁ ଚୀନ ଦୁନିଆ ଠାରୁ ଲୁଚାଇ ରଖିଛି । ଏପର୍ଯ୍ୟନ୍ତ କେହି ସନ୍ଧାନ ପାଇ ନାହାନ୍ତି ଯେ, ଚୀନ କାହିଁକି ୧୦ ହଜାର ମିଟରର ଗାତ ଖୋଳୁଛି । ଏଭଳି ପରିସ୍ଥିତିରେ ଲୋକମାନେ ବର୍ତ୍ତମାନ ଭୟ କରୁଛନ୍ତି କି ଚୀନର ଏହା ଏକ ନୂଆ ଚାଲ୍ ହୋଇଥାଇପାରେ, ଦୁନିଆକୁ ବିପଦ ମୁଖରେ ପକାଇବା ପାଇଁ ।

ସୂଚନା ଅନୁଯାୟୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହି ପ୍ରସଙ୍ଗରେ ୨୦୨୧ରେ ଏକ ସଭାରେ କହିଥିଲେ ଯେ, ଚୀନ ଭୂଗର୍ଭରେ ଥିବା ଅନେକ ରହସ୍ୟର ସନ୍ଧାନ କରିବ। ତେବେ ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଚୀନ୍ ସ୍ପଷ୍ଟ କରି ନାହିଁ। ତେବେ ଅନେକ ଦେଶ ଏହି ଖବର ପାଇବା ମାତ୍ରକେ ଚୀନ ଉପରେ ନଜର ରଖିବା ଆରମ୍ଭ କରିଦେଇଛନ୍ତି।

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଏୟାର ଷ୍ଟ୍ରିପ ପାଚେରୀ

ମାଲକାନଗିରି: ଏୟାର ଷ୍ଟ୍ରିପ ପାଚେରୀ ଭାଙ୍ଗିବାରୁ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ପାଚେରୀ କାର୍ଯ୍ୟ ଚାଲୁଥିବା ବେଳେ ପ୍ରବଳ ପବନରେ ଭାଙ୍ଗି ଯାଇଥିଲା ଏୟାର ଷ୍ଟ୍ରିପ୍ ପାଚେରୀ। ଗୁରୁତର ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ଅପରାହ୍ନରେ ଭୀଷଣ ପବନ ହୋଇଛି । ଯାହାଫଳରେ ବିଭିନ୍ନ ସ୍ଥାନରେ ବିଶାଳକାୟ ଗଛ ପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡିଥିବାରୁ ଗାଡ଼ି ଅଟକି ରହିଛି। ଅନେକ ଘରର ଟିଣ ଛପର ଉଡ଼ିଯାଇଛି । ଅଗ୍ନିଶମ ବାହିନୀ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି ।

ସେହିପରି ସତୀଗୁଡ଼ା ଡ୍ୟାମରେ ୨ଟି ଡଙ୍ଗା ବୁଡିଯିବାରୁ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜଙ୍କ ଉଦ୍ଧାର କରିବାକୁ କୋରାପୁଟ ଓଡ୍ରାଫ ଟିମକୁ ସତୀଗୁଡ଼ା ପଠାଯାଇଛି । ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ ନେଇ ତତ୍ପରତା ପ୍ରକାଶ କରିଛନ୍ତି ଏସଆରସି । ଆସନ୍ତାକାଲି ସୁଦ୍ଧା ଘରଭଙ୍ଗା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ବିଦ୍ୟୁତ ସରବରାହ ପୁନଃସ୍ଥାପନ ପାଇଁ TPSODLକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ, ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ ସହ ୨୬ ହଜାର ଟଙ୍କା ଜୋରିମାନା ଆଦେଶ। ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୮ ମସିହା ନଭେମ୍ବର ୧୭ ତାରିଖରେ କୋଲିଆରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଦୁଷ୍କର୍ମ କରିଥିଲା । କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ ।

ନାବାଳିକାଙ୍କ ଅସ୍ବାଭାବିକ ହାବଭାବ ଦେଖି ତାଙ୍କ ବଡ଼ ଭଉଣୀ ବାରମ୍ବାର ପଚାରିବାରୁ ନାବାଳିକା ସମସ୍ତ କଥା ପ୍ରକାଶ କରିଥିଲେ । ୨୦୧୮ ମସିହା ନଭେମ୍ବର ୨୩ରେ ଏନେଇ କୋଲିଆରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରଥିଲା। ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା। ୧୫ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୬ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ନଦେଲେ ଆଉ ୧ବର୍ଷ ଜେଲ ଦଣ୍ଡ ପାଇଁ ରାୟ ଶୁଣାଇଛନ୍ତି ବିଚାରପତି ।

ଜୁନ ୨ ତାରିଖ ଦିନ ୧୧ଟାରେ ପ୍ରକାଶ ପାଇବ OJEE ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ଦିନ ୧୧ଟାରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପ୍ରକାଶ କରିବେ। ଏହାପରେ ଛାତ୍ରଛାତ୍ରୀ ୱେବସାଇଟରୁ ନିଜ ରେଜଲ୍ଟ ପାଇପାରିବେ। www.ojee.nic.inରେ ରେଜଲ୍ଟ ଉପଲବ୍ଧ ହେବ।

ଚଳିତ ବର୍ଷ ମେ ୮ରୁ ୧୨ତାରିଖ ହୋଇଥିଲା ପରୀକ୍ଷା। ଚଳିତବର୍ଷ ୫୫ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା। ରାଜ୍ୟରେ ଥିବା ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ। ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେଶଡ ମୋଡ୍ ରେ ହୋଇଥିଲା ପରୀକ୍ଷା।