spot_img
Home Blog Page 3116

ପ୍ରକାଶ ପାଇଲା OJEE ରେଜଲ୍ଟ, ବି ଫାର୍ମରେ ସୌରଭ କୁମାର ପାତ୍ର ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ-୨୦୨୩ ରେଜଲ୍ଟ । ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିଛନ୍ତି । ଏହାପରେ ଛାତ୍ରଛାତ୍ରୀ ୱେବସାଇଟରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହେବ । ମୋଟ ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ରାଙ୍କ ପାଇଛନ୍ତି । ବି ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି । ସେହିପରି LE-TECH ଡିପ୍ଲୋମାରେ ରଜତ ଶତ୍ରୁସାଲ, LE-TECH ବିଏସସିରେ ରକସିତ୍ ରାଜ ଗୁପ୍ତା, LE-Pharmରେ ଶୁଭ୍ରଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ/ଏମଏସିରେ ଅପୂର୍ବ ସୁନ୍ଦର ନାୟକ, INT.MBA ପ୍ରିୟଙ୍କା ଦେ, ବି.କ୍ୟାଟ୍ ଫିଲ୍ମ ଇଡିଟିଂରେ ସଞ୍ଚଲ ଗୁପ୍ତା, ଏମ୍ ଫାର୍ମରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ, ଏମ୍. ଆର୍କିଟେକରେ ପ୍ରିୟଙ୍କା କେଡିଆ ଟପ୍ପର ହୋଇଛନ୍ତି ।

ସେହିପରି ସିଭିଲ ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ୍ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡ଼ା, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଦିପକ କୁମାର ସ୍ୱାଇଁ, ଇଲୋକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂରେ ଏମ.ଭାର୍ଗବୀ, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏନଭରନମେଣ୍ଟାଲ ଇଞ୍ଜିନିୟରିଂରେ ଶ୍ରୀରାମ ଦିୱାନ, ବାୟୋଟେକନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବ୍ୟୋମକେଶ କାମିଲା ଓ ଟେକ୍ସଟାଇନ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଟପ୍ପର ହୋଇଛନ୍ତି ।

ଚଳିତ ବର୍ଷ ମେ’ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ OJEE ପରୀକ୍ଷା ହୋଇଥିଲା । ଚଳିତବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା । ରାଜ୍ୟରେ ଥିବା ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସଡ ମୋଡରେ ପରୀକ୍ଷା ହୋଇଥିଲା ।

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ, ସୂଚନା ଦେଲେ ନ୍ୟାସନାଲ ମେଡିକାଲ କମିଶନ

କଟକ: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ମେଡିକାଲ କଲେଜ । କଟକସ୍ଥିତ ଡ୍ରିମ୍ସ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ଉତ୍କଳ ବିଶ୍ବବିଦ୍ଯାଳୟ ଅଧିନରେ ଏହା କାର୍ଯ୍ୟ କରିବ । ପ୍ରତିବର୍ଷ ୧୦୦ଟି ସିଟ୍ ଲାଗି ଆଡମିଶନ କରାଯିବ । ଆସେସମେଣ୍ଟ ରିପୋର୍ଟକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି କମିଶନ ।

ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି, ଶ୍ରୀମନ୍ଦିରକୁ ଆଜି ପ୍ରବେଶ କରିଛନ୍ତି ଦଇତାପତି

ପୁରୀ: ଆଗାମୀ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜି ଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜିଠାରୁ ଦୀର୍ଘ ଏକମାସ ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା, ବାହୁଡା଼, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ । ଏନେଇ ଆଜିଠାରୁ ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ । ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠରେ ସେନାପଟା ନିର୍ମାଣ ମଧ୍ଯ କରାଯିବ ।

କ୍ୟାଡେଟଙ୍କ ସହ ହ୍ୟାଣ୍ଡସେକ ପରେ ତଳେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ: ସଭାମଞ୍ଚରେ ଝୁଣ୍ଟିପଡ଼ିଲେ ସୁପରପାଓ୍ବାର ହେଡ୍ । ଏୟାର ଫୋର୍ସ ଏକାଡେମୀର ଏକ ସଭାରେ ଯୋଗ ଦେବା ଅବସରରେ ଝୁଣ୍ଟିଯାଇ ତଳେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କଲୋରାଡୋରେ ଏୟାର ଫୋର୍ସ ଏକାଡେମୀର ଏକ ଉତ୍ସବରେ ଯୋଗଦେଇଥିଲେ ୮୦ ବର୍ଷ ବୟସ୍କ ବାଇଡେନ୍ । ମିଲିଟାରୀ ଏକାଡେମୀର ଗ୍ରାଜୁଏଟମାନଙ୍କୁ ସେ ଉଦବୋଧନ ଦେବା ସହ ଜଣେ କ୍ୟାଡେଟ ସହ ହ୍ୟାଣ୍ଡସେକ୍ କରି ନିଜ ଆସନକୁ ଫେରି ଆସୁଥିବାବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଜଣେ ଏୟାର ଫୋର୍ସ ଅଧିକାରୀ ହାତ ଧରି ଉଠାଇଥିଲେ । ପରେ ସେ ସ୍ବତଃପୂର୍ତ୍ତ ଭାବେ ନିଜ ଆସନକୁ ଯାଇଥିଲେ ।

ଷ୍ଟେଜରେ ଏକ କଳା ସ୍ୟାଣ୍ଡବ୍ୟାଗ ରଖାଯାଇଥିବାରୁ ସେ ଝୁଣ୍ଟି ପଡ଼ିଥିଲେ । ବାଇଡେନ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ହ୍ବାଇଟହାଉସ କମ୍ୟୁନିକେସନ ଡାଇରେକ୍ଟର ବେନ ଲାବୋଲ୍ଟ । ସଭା ପରେ ସେ ଏୟାରଫୋର୍ସ ଓ୍ବାନରେ ହ୍ବାଇଟ ହାଉସକୁ ଫେରିଥିଲେ । ବିମାନରେ ଚଢୁଥିବାବେଳେ ବି ତାଙ୍କ ମୁଣ୍ଡ ଡୋରରେ ମାଡ଼ ହୋଇଯାଇଥିଲା । ତେବେ ତାଙ୍କର କୌଣସି ଆଘାତ ହୋଇ ନଥିଲା ।

ପାରାଦ୍ୱୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା, ଟାକ୍ସିଷ୍ଟାଣ୍ଡର ରେଷ୍ଟ ସେଡରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ପାରାଦ୍ୱୀପ: ପାରାଦ୍ଵୀପ ଆଦର୍ଶ ଥାନା କଡ଼ରେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଯୁବକ ଜଣଙ୍କ ଗତ ୨୫ ଦିନ ହେଲା ସ୍ଥାନୀୟ ରେବିକା ହୋଟେଲରେ କାମ କରୁଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାଖିଆ ଲୋକନାଥପୁରରେ । ଶ୍ରୀଚରଣ ଜେନାଙ୍କ ୨୬ ବର୍ଷର ପୁଅ ଟୁବୁଲି ଜେନା ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଅସହ୍ୟ ଗରମ ଯୋଗୁଁ ଟୁବୁଲି ଓ ହୋଟେଲର କିଛି କର୍ମଚାରୀ ଟ୍ୟାକ୍ସି ଷ୍ଟାଣ୍ଡର ରେଷ୍ଟ ସେଡରେ ଶୋଇଥିଲେ । ମାତ୍ର ହୋଟେଲ ମାଲିକ ସମସ୍ତଙ୍କୁ ଘରେ ଶୋଇବାକୁ ଡାକିବାରୁ ସମସ୍ତେ ଘରେ ଶୋଇବାକୁ ଯାଇଥିଲେ । କିନ୍ତୁ ଟୁବୁଲି ରୁମକୁ ଯାଇଥିଲେ ମଧ୍ୟ ପରେ ବାହାରକୁ ଚାଲିଆସିଥିବା ଜଣାପଡିଛି।

ମୃତ ଟୁବୁଲିଙ୍କ ବେକ କଟା ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି । ଏକ ଛୁରୀ ସାହାଯ୍ୟରେ ତାଙ୍କ ମୁହଁକୁ ବାରମ୍ବାର ଆଘାତ କରାଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମକୁ ଡକାଯାଇଛି । ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ପୋଲିସ ତତ୍ପର ହୋଇପଡ଼ିଥିବା ବେଳେ ଯୁବକଙ୍କ ପରିବାରକୁ ଖବର ଦିଆଯାଇଛି । ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରିଛି ପୋଲିସ ।

ରାଜ୍ୟରେ ଖରାବର୍ଷାର ଲୁଚକାଳି ଖେଳ, ଦିନରେ ତାତି ସହିତ ଅପରାହ୍ନରେ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରାବର୍ଷାର ଲୁଚକାଳି ଖେଳ । ଦିନରେ ତାତି ସହିତ ଅପରାହ୍ନରେ ତାଣ୍ଡବ ରଚୁଛି କାଳବୈଶାଖୀ । ପଶ୍ଚିମରେ ପ୍ରବଳ ଖରା ହେଉଥିବାବେଳେ ଉପକୂଳକୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାକୁ କାଳବୈଶାଖୀ ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ । କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତିକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ ତାରିଖରେ ୧୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଚାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ପଶ୍ଚିମ ଓଡ଼ିଶାକୁ ତାତିରୁ ମିଳିବନି ତ୍ରାହି । ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

ଆଜିଠୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ, ସାମିଲ ହେବେ ୪୯ଟି ରାଷ୍ଟ୍ରର ୬୦୦ରୁ ଅଧିକ ପ୍ରତିନିଧି

ନୂଆଦିଲ୍ଲୀ: ଆଜିଠାରୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ହୋଇପାରେ କଥା କଟାକଟି । ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ଅଧିକାରୀ, ସାମରିକ ଅଧିକାରୀ, କୂଟନୀତିଜ୍ଞ, ଅସ୍ତ୍ରଶସ୍ତ୍ର ନିର୍ମାତା, ନିରାପତ୍ତା ସମୀକ୍ଷକ ଯୋଗଦେବେ । ଆସନ୍ତା ୪ ତାରିଖ ଯାଏ ହେବାକୁ ଥିବା ସମ୍ମିଳନୀରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବ । ସମ୍ମିଳନୀରେ ୪୯ଟି ରାଷ୍ଟ୍ରର ୬୦୦ରୁ ଅଧିକ ପ୍ରତିନିଧି ସାମିଲ ହେବେ । ଏଥିରେ ବହୁ ଦ୍ବିପାକ୍ଷିକ, ବହୁପାକ୍ଷିକ ସାମରିକ ପ୍ରସଙ୍ଗ ସ୍ଥାନ ପାଇବ ।

ତେବେ ଚୀନର ବୈଦେଶିକ ମନ୍ତ୍ରୀ ଲି ସାଙ୍ଗଫୁ ଆମେରିକା ପ୍ରତିପକ୍ଷ ଲିଡ୍ ଅଷ୍ଟିନଙ୍କୁ ସାକ୍ଷାତ କରିବାକୁ କରିଛନ୍ତି ଅଗ୍ରାହ୍ୟ । ତାଇଓ୍ବାନ ସମେତ ସାମ୍ପ୍ରତିକ ବିଶ୍ବ ରାଜନୈତିକ ଘଟଣା କ୍ରମେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଚୀନ ଓ ଆମେରିକା ମଧ୍ୟରେ ଚାଲିଛି କୂଟନୈତିକ ଯୁଦ୍ଧ । ଏହି ସମ୍ମିଳନୀରେ ଚୀନ-ତାଇଓ୍ବାନ ସମ୍ପର୍କ, ନର୍ଥ କୋରିଆର ଏକ ପାଖିଆ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟକ୍ରମ ପ୍ରମୁଖ ସ୍ଥାନ ପାଇବ ।

କେନ୍ଦ୍ର ବିରୋଧରେ ବଳ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିରୋଧରେ ସମର୍ଥନ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍ରିଓ୍ବାଲ । ଗତକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଭେଟିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶକୁ ରାଜ୍ୟସଭାରେ ବିରୋଧ ପାଇଁ କେଜ୍ରିଓ୍ବାଲ ମାଗିଥିବା ସମର୍ଥନକୁ ଗ୍ରୀନ୍ ସିଗନାଲ ଦେଇଥିଲେ ଷ୍ଟାଲିନ । କେନ୍ଦ୍ରର ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳମୁଖ୍ୟଙ୍କୁ ଭେଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲ ଭେଟିଥିବା ବେଳେ ସେମାନେ କେନ୍ଦ୍ର ବିରୋଧରେ ଆପକୁ ସମର୍ଥନ ଦେଇଥିବା ଘୋଷଣା କରିଛନ୍ତି । ସେହିପରି ଏନସିପି, ଶିବସେନା ଉଦ୍ଧବ ଗୋଷ୍ଠୀ, ସିପିଆଇଏମ ସୁପ୍ରିମୋ ମଧ୍ୟ ଆମ ଆଦମୀ ପାର୍ଟିକୁ ସମର୍ଥନ ଜଣାଇଛନ୍ତି । ଗତ ମେ’ ୧୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀରେ ଏକ ଅଧ୍ୟାଦେଶ ପାସ୍ କରିଥିଲେ କେନ୍ଦ୍ର ସରକାର । ସରକାରୀ କର୍ଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ଏହି ଅଧ୍ୟାଦେଶ ଜାରି କରିଥିଲେ ।

କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡିଛି ଚାଷୀ ମହାସଂଘ, ଆଜି କୁରୁକ୍ଷେତ୍ରରେ ମହାପଞ୍ଚାୟତ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଛି ଚାଷୀ ମହାସଂଘ । ଆଜି କୁରୁକ୍ଷେତ୍ରରେ ମହାପଞ୍ଚାୟତ ଡକାଯାଇଥିବା ବେଳେ ଆଗାମୀ ରଣନୀତି ସମ୍ପର୍କରେ ଘୋଷଣା କରାଯିବ । କୁରୁକ୍ଷେତ୍ରରେ ମହାମେଳିରେ ଖାପ୍ ଚୌଧୁରୀ ସମିତି ଗଠନ କରାଯିବ । ସମିତି ସଦସ୍ୟ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କୁ ଭେଟି ଆଲୋଚନା କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅପିଲ କରିବେ । ଦେଶବ୍ୟାପୀ ବିକ୍ଷୋଭ କରାଯିବା ସହ ପୁଣି ଥରେ ଦିଲ୍ଲୀ ବର୍ଡର ସିଲ୍ କରାଯିବ ଚେତାବନୀ ଦେଇଛନ୍ତି ଚାଷୀନେତା ।

ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହେବା ମାତ୍ରେ ଅଭିଯୁକ୍ତକୁ ଗିରଫ କରିବାର ନିୟମ ରହିଛି । ହେଲେ ବ୍ରିଜଭୂଷଣଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇନି ବୋଲି ପ୍ରଶ୍ନ ଉଠିଛି । ସେପଟେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ବଢୁଛି ସମର୍ଥନ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ନିନ୍ଦା କରୁଥିବାବେଳେ ସମର୍ଥନରେ ବାହାରିଛନ୍ତି ହରିଆଣା ବିଜେପି ଏମପି ବ୍ରିଜେନ୍ଦର ସିଂ । ସେପଟେ ରେସଲରଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ।

ଆଜି ଓଜେଇଇ ରେଜଲ୍ଟ, ଦିନ ୧୧ଟାରେ ଓ୍ୱେବସାଇଟରୁ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ଦିନ ୧୧ଟାରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ । ଏହାପରେ ଛାତ୍ରଛାତ୍ରୀ ୱେବସାଇଟରୁ ନିଜ ରେଜଲ୍ଟ ପାଇପାରିବେ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତ ବର୍ଷ ମେ’ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ଚଳିତବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା ।

ରାଜ୍ୟରେ ଥିବା ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସଡ୍ ମୋଡରେ ପରୀକ୍ଷା ହୋଇଥିଲା ।