spot_img
Home Blog Page 3124

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର । ଟ୍ରାନ୍ସଜେଣ୍ଡରମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । ସେମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ସହଜ ରାଶି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି କୃଷି ଉଦ୍ୟୋଗ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ କୃଷି ଉଦ୍ୟୋଗରେ ପୁଞ୍ଜିନିବେଶ ସବସିଡି ରାଶି ୫୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ସମ୍ଭାବନାକୁ ଦୃଷ୍ଟିରେ ରଖି ୫୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ୨୦ କୋଟି ଟଙ୍କାର ପ୍ରକଳ୍ପ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଥିଲା । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ବିପୁଳ କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ବାରା କୃଷି ଏବଂ ଆନୁଷଙ୍ଗିକ କୃଷି ସହିତ ଜଡିତ କୃଷକମାନଙ୍କର ଆୟବୃଦ୍ଧି ଘଟିବା ସହିତ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି । ଏହି ମାର୍ଗଦର୍ଶିକା ୨୦୨୩ ମସିହା ଅପ୍ରେଲ ୧ ତାରିଖଠାରୁ ଅନଲାଇନରେ ଆବେଦନ କରିଥିବା ଉଦ୍ୟୋଗୀଙ୍କ ନିମନ୍ତେ ଲାଗୁ କରାଯାଇଛି ।

ବିଶ୍ୱ ମାନଚିତ୍ରରେ ଶ୍ରୀକ୍ଷେତ୍ର ପାଇବ ସ୍ୱତନ୍ତ୍ର ପରିଚୟ, ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ୧୧ ଶହ ୪୨ ଏକର ଜମି ଚିହ୍ନଟ

ପୁରୀ: ବିଶ୍ବ ମାନଚିତ୍ରରେ ଶ୍ରୀକ୍ଷେତ୍ର ପାଇବ ସ୍ବତନ୍ତ୍ର ପରିଚୟ । ସାକାର ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସେଥିମଧ୍ୟରୁ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏକ ପ୍ରମୁଖ ଓ ମହତ୍ୱପୂର୍ଣ୍ଣ ପ୍ରକଳ୍ପ । ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ବେଳେ ଇତି ମଧ୍ୟରେ ପ୍ରି ଫିଜିବିଲିଟି ରିପୋର୍ଟ ପ୍ରଦାନ ସହିତ ଅବଷ୍ଟାକଲ ସର୍ଭେ ମଧ୍ୟ ସରିଛି । ବିମାନ ବନ୍ଦର ପାଇଁ ୧ ହଜାର ୧୪୨ ଏକର ଜମି ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୨୧ ଏକର ଜମି ଅଧିଗ୍ରହଣ ନେଇ ଜଣ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଆଜି ସିପ ସରୁବାଲି ମୌଜାର ୧୫୩ ଏକର ଜମି ଅଧିଗ୍ରହଣକୁ ନେଇ ଜଣ ଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ଭାଗ ନେଇ ମତାମତ ପ୍ରଦାନ କରିବା ସହ ବିମାନ ବନ୍ଦର ନିର୍ମାଣକୁ ସ୍ବାଗତ କରିଛନ୍ତି ଲୋକେ । ଆସନ୍ତାକାଲି  ଷଣ୍ଢପୁର ମୌଜାର ବାକି ଏକର ଜମିର ଜନ ଶୁଣାଣି ଅନୁଷ୍ଠିତ ହେବ।

ଏୟାରପୋର୍ଟ ପ୍ରତିଷ୍ଠା ହେଲେ ପର୍ଯ୍ୟଟନର ବିକାଶ ହେବା ସହ ଗମନାଗମନ ସୁବିଧା ହେବ । ବିଶ୍ବ ମାନଚିତ୍ରରେ ପୁରୀ ଏକ ବିକଶିତ ସହରର ମାନ୍ୟତା ପାଇବ । ରାଜ୍ୟ ସରକାରଙ୍କ ଏହି ଯୋଜନା ବିଶ୍ୱ ସହ ଶ୍ରୀକ୍ଷେତ୍ରକୁ ଯୋଡିବାରେ ସହଯୋଗ କରିବ । ତେଣୁ ଏପରି ବିକାଶକୁ ନେଇ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିବା ବେଳେ ଏହି ପ୍ରକଳ୍ପ ନେଇ ନିଜ ଭିଟାମାଟି ଦେଇଥିବାରୁ ଗର୍ବ ଅନୁଭବ କରିଛନ୍ତି । ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦିଗରେ ପ୍ରଶାସନିକ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରିରହିଥିବା ବେଳେବେଳେ ବିମାନବନ୍ଦର ନେଇ ଚିହ୍ନଟ ଜମିରେ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି ।

 

ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉନାହାନ୍ତି ଆଦିବାସୀ

ଗଜପତି: ଆଦିବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ମାଧ୍ୟମ ଜଙ୍ଗଲଜାତ ଦ୍ରବ୍ୟ । ବିଭିନ୍ନ ଫଳ, ଫୁଲ ସଂଗ୍ରହ ପାଇଁ କରିବାକୁ ପଡ଼େ ବହୁ ପରିଶ୍ରମ । ହେଲେ ମିଳେ ନାହିଁ ସମ ପରିମାଣର ଲାଭ । ଉଚିତ ବଜାର ବ୍ୟବସ୍ଥା ଅଭାବରୁ ସ୍ଥାନୀୟ ବ୍ୟବସାୟୀ ଉଠାଉଛନ୍ତି ଫାଇଦା । କମ୍ ଦାମରେ ସମସ୍ତ ଦ୍ରବ୍ୟ କିଣି ଅନ୍ୟ ସ୍ଥାନରେ ଉଚ୍ଚା ଦରରେ ବିକ୍ରି କରୁଛନ୍ତି । ବାହାର ରାଜ୍ୟର ବ୍ୟବସାୟୀଙ୍କୁ ସ୍ଥାନୀୟ ବ୍ୟବସାୟୀ ପୂରାଇ ଦେଉନଥିବା ଅଭିଯୋଗ କରିଛନ୍ତି ଗଜପତି ଜିଲ୍ଲା ଆଦିବାସୀ ସଂଘ ।

ପୂର୍ବରୁ ଟିଡିସିଏସ ଦ୍ବାରା ଜଙ୍ଗଲଜାତ ଦ୍ରବ୍ୟର ଦର ନିର୍ଧାରଣ କରାଯାଉଥିଲା । ପରବର୍ତ୍ତୀ ସମୟରେ ବ୍ୟବସାୟୀମାନେ ମନମୁଖୀ କାମ ଚଳାଇଛନ୍ତି । ସହରାଞ୍ଚଳରେ ନିୟନ୍ତ୍ରିତ ବଜାର କମିଟି ରହିଥିବା ବେଳେ ଗ୍ରାମାଞ୍ଚଳରେ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ । ତେବେ ସମ୍ପୃକ୍ତ ବିଭାଗ ଜଙ୍ଗଲ ଜାତ ଦ୍ରବ୍ୟ ତଥା ଆଦିବାସୀଙ୍କ ଉତ୍ପାଦିତ ସାମଗ୍ରୀ ଗୁଡିକର ଦର ସ୍ଥିରୀକୃତ କରିବାକୁ ଦାବି କରିଛନ୍ତି ଆଦିବାସୀ ।

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଲଲା ମିଶନ ଶକ୍ତି ଫିଟନେସ୍ ଓ ହାପିନେସ୍ କ୍ଲବ

ବୌଦ୍ଧ: ଫିଟ୍ ରହିବେ ସରକାରୀ କର୍ମଚାରୀ । ମିଶନ ଶକ୍ତି ମା’ ବି ହେବେ ସ୍ବାବଲମ୍ବୀ । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ପ୍ରୟାସ । ଜିମରେ ଓ୍ୱାର୍କ ଆଉଟ୍ କରୁଛନ୍ତି ସରକାରୀ କର୍ମଚାରୀ । କିଏ ଟ୍ରେଡମିଲ ତ କିଏ ସ୍ପିନ ବାଇକ ଆଉ କିଏ କାଡିଓ ଫିଟନେସ୍ ସାଇକେଲରେ ବ୍ୟାୟାମ କରୁଛନ୍ତି । ଏଠି ବ୍ୟାୟାମ ବିଭିନ୍ନ ଉପକରଣ ରଖାଯିବା ସହ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯାଉଛି  । ବୌଦ୍ଧ ଜିଲ୍ଲାପାଳଙ୍କ କାଯ୍ୟାଳୟରେ ଖୋଲାଯାଇଛି ଏହି ମିଶନ ଶକ୍ତି ଫିଟନେସ ଓ ହାପିନେସ କ୍ଲବ । ଏହାର ପରିଚାଳନା ଦାୟିତ୍ବ ଏସଏସଜି ମହିଳାଙ୍କୁ ହସ୍ତାନ୍ତର କରାଯାଇଛି । ଫଳରେ ସରକାରୀ କର୍ମଚାରୀ ସୁସ୍ଥ ରହିବା ସହ କର୍ମ ନିଯୁକ୍ତି ପାଇଛନ୍ତି ମିଶନ ଶକ୍ତି ମହିଳା ।

ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉଦ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତୃତୀୟ ମହଲାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ମିଶନ ଶକ୍ତି ଫିଟନେସ୍ ଓ ହାପିନେସ୍ କ୍ଲବ୍। ଜଣେ ପ୍ରଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଥିବା ବେଳେ ସକାଳେ ଓ ସଂଧ୍ୟାରେ ଏହି କ୍ଲବ ଖୋଲା ଯାଉଛି । ମାସିକ ଫି ୨ ଶହ ଟଙ୍କା ରଖାଯାଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଦିଆଯାଇଛି । ରାଜ୍ୟରେ ପ୍ରଥମ କରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଜିମ୍ ଖୋଲାଯାଇଥିବା ବେଳେ ସରକାରୀ କର୍ମଚାରୀ ଓ SHG ମହିଳାମାନେ ଉପକୃତ ହୋଇପାରୁଛନ୍ତି ।

ବ୍ରହ୍ମପୁର ଏସପିଙ୍କ ଦ୍ୱାରସ୍ଥ ହେଲେ ବିଜେପି କର୍ପୋରେଟର, ସପକ୍ଷରେ ବାହାରିଲେ ବିଜେଡି କର୍ପୋରେଟର ଓ ମେୟର

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପିରେ ବିବାଦ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ମହାନଗର ନିଗମର ୨୭ ନମ୍ବର ୱାର୍ଡ କର୍ପୋରେଟର ତଥା ବିଜେପି ନେତା ନୀଳକଣ୍ଠ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ବହୁ ନେତା ମାଡ଼ ମାରିବା ଅଭିଯୋଗ ନେଇ ଆଜି କର୍ପୋରେଟର ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ କର୍ପୋରେଟର ନୀଳକଣ୍ଠ ସାହୁ ବିଜେପି ନେତା ହୋଇଥିଲେ ମଧ୍ୟ ତାଙ୍କ ସହ କୌଣସି ବିଜେପି କର୍ପୋରେଟର ଏସପିଙ୍କ ଅଫିସକୁ ଯାଇନଥିଲେ । ଗତ ରବିବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗଣ୍ଡଗୋଳ ହୋଇଥିଲା । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କ ଉପରେ କାଳିମାଡ଼ ହୋଇଥିବା ବେଳେ ନିଜ ଦଳର କିଛି ନେତା ଓ କର୍ମୀ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ ଆକ୍ରମଣ କରିଥିବା ଥାନାରେ ଏତଲା ଦିଆଯାଇଛି ।

ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଏସପିଙ୍କ ନିକଟରେ ନୀଳକଣ୍ଠ ଓ ଅନ୍ୟ କର୍ପୋରେଟର ଦାବି କରିଛନ୍ତି । ବ୍ରହ୍ମପୁର ଏସପି ଡକ୍ଟର ଶ୍ରବଣ ବିବେକ ଏମ୍‌. କହିଛନ୍ତି, ଦୁଇଟି ମାମଲା ରୁଜୁ ହୋଇଛି । ଅତି ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାନଗର ନିଗମର ଜଣେ କର୍ପୋରେଟର ଆକ୍ରମଣର ଶିକାର ହୋଇଥିବାରୁ ସେ ବିଜେପିର ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡି କର୍ପୋରେଟରମାନେ ସହଯୋଗ କରିଥିଲେ । କିନ୍ତୁ ବିଜେପି କର୍ପୋରେଟର ନୀଳକଣ୍ଠଙ୍କ ସହ କୌଣସି ବିଜେପି କର୍ପୋରେଟର ଏସପିଙ୍କ ଅଫିସକୁ ଯାଇନଥିଲେ । ଏହି ଘଟଣା ପୁଣି ଥରେ ବିଜେପି କନ୍ଦଳକୁ ପଦାରେ ପକାଇଛି ।

 

ପୁରୀରେ ମାଲବାହି ଗାଡ଼ିରୁ ଡକାୟତି ଉଦ୍ୟମ ପଣ୍ଡ, ୬ ଜଣ ଗିରଫ

ପୁରୀ: ପୁରୀ ଦାମୋଦର ରୋଡ଼୍ ଅଞ୍ଚଳରେ ମାଲବାହି ଗାଡ଼ିରୁ ଡକାୟତି ଉଦ୍ୟମ ପଣ୍ଡ । ଡକାୟତି ଉଦ୍ୟମ କରୁଥିବାବେଳେ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଚକ୍ରକୋଟ ଲେନ୍ ନିକଟ କାଜୁ ଜଙ୍ଗଲରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୋଲିସ । ଅଭିଯୁକ୍ତମାନେ ଅଭ୍ୟାସ ଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନିକଟରୁ ୨ଟି ଖଣ୍ଡା, ଗୋଟିଏ ଲୁହା ରଡ୍‌ ଓ ମଦ ବୋତଲ ଜବତ କରାଯାଇଛି ।

ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ ୯ରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ କପ୍-୨୦୨୩ । ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଫୁଟବଲ ଫେଡେରେସନର ଜେନେରାଲ୍ ସେକ୍ରୋଟାରୀ ଡ. ସଜି ପ୍ରଭାକରନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି କ୍ୟାପଟେନ ସୁନିଲ ଛେତ୍ରୀ । ପ୍ରଥମ ଥର ଲାଗି ଓଡ଼ିଶା ଆନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ବହୁ ସଂଖ୍ୟାରେ ଫୁଟବଲପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ଆସନ୍ତା ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରରେ ଇଣ୍ଟରନ୍ୟାସନାଲ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିରେ ଭାରତ ସମେତ ଲେବାନନ୍, ମାଙ୍ଗୋଲିଆ ଏବଂ ଭାନୋଆଟୋର ଟିମ୍ ଭାଗ ନେବେ । ହକି ବିଶ୍ବକପର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା ଘଟଣା, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା ଘଟଣା । ଝାଡ଼ଖଣ୍ଡରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ବାଲେଶ୍ବର ଏସପି ସାଗରିକା ନାଥ ଏନେଇ ସ୍ପଷ୍ଟ କରିଛନ୍ତି । ଝାଡ଼ଖଣ୍ଡର ପୂର୍ବ-ସିଂହଭୂମ ଜିଲ୍ଲା ମୁଷାବଣୀ ଗାଁରେ ରେଡ୍ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ସମୟରେ ଦେଶୀ ବନ୍ଧୁକ, ଟାଙ୍ଗିଆ, ଧନୁତୀର, ଜାଲ, ସାଇକେଲ ବଲ୍, ବେରିଂ ଜବତ କରାଯାଇଛି ।

ଏହି ମାମଲାରେ ପୂର୍ବରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ୧୦ଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଏବେ ବି ଅନ୍ୟ ୧୯ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୨୨ ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ ୨୬ ଜଣ ଶିକାରୀ ଶିକାର କରି ଫେରୁଥିବାବେଳେ, ଫରେଷ୍ଟ ଗାର୍ଡ ବିମଳ ଜେନା ତାଙ୍କୁ ପ୍ରତିରୋଧ କରିଥିଲେ । ଏହି ସମୟରେ ଗଣ୍ଡଗୋଳ ହେବାରୁ ଶିକାରୀମାନେ ଗୁଳିକରି ତାଙ୍କୁ ହତ୍ୟା କରିଥିଲେ ।

ଅଗ୍ରସର ହେଲା ମୌସୁମୀ ବାୟୁ, ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଅଗ୍ରସର ହେଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଆହୁରି ଅନେକ ଅଂଶ, ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଛୁଇଁସାରିଛି ମୌସୁମୀ । ଆଗାମୀ ୨ରୁ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଆହୁରି କିଛି ଭାଗ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା ନେଇ ସୂଚନା ଦେଇଥିଲା ଆଇଏମଡି  । ତେବେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରାଯାଇନି ।

ଗଙ୍ଗାରେ ମେଡାଲ ଭସାଇବେ ରେସଲର, ଇଣ୍ଡିଆ ଗେଟ୍‌ ଆଗରେ ଅନଶନ କରିବେ କୁସ୍ତିଯାଦ୍ଧା

ନୂଆଦିଲ୍ଲୀ: ଗଙ୍ଗାରେ ମେଡାଲ ଭସାଇବେ ରେସଲର । ଇଣ୍ଡିଆ ଗେଟ୍ ଆଗରେ ଅନଶନରେ ବସିବାକୁ କୁସ୍ତିଯୋଦ୍ଧାଙ୍କ ନିଷ୍ପତ୍ତି । ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବାକୁ ଘୋଷଣା କରିଛନ୍ତି ରେସଲର । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା ।

ଦେଶ ପାଇଁ ମେଡାଲ ଜିତିବାକୁ ଅନେକ ପରିଶ୍ରମ କରିଛୁ । ସେହି ମେଡାଲକୁ ପବିତ୍ର ଗଙ୍ଗାନଦୀରେ ଭସାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ । ଆଜି ସନ୍ଧ୍ୟା ୬ଟାରେ ଗଙ୍ଗାରେ ମେଡାଲ ଭସାଇବାକୁ ଘୋଷଣା କରିଛନ୍ତି କୁସ୍ତିଯୋଦ୍ଧା । ଗତ ୨୮ ତାରିଖରେ ରେସଲରଙ୍କ ସଂସଦ ଭବନ ମାର୍ଚ୍ଚ ବେଳେ ଅନେକଙ୍କୁ ଗିରଫ କରିବା ସହ ଜନ୍ତରମନ୍ତରରେ ଧାରଣାସ୍ଥଳରୁ କୁସ୍ତିଯୋଦ୍ଧାଙ୍କ ଟେଣ୍ଟକୁ ପୋଲିସ କାଢ଼ି ନେଇଥିଲା । ଏହାପରେ ଜନ୍ତରମନ୍ତରରେ ଦିଲ୍ଲୀ ପୋଲିସ ୧୪୪ ଧାରା ଲାଗୁ କରିବା ଯୋଗୁ ରେସଲର ଇଣ୍ଡିଆ ଗେଟ ଆଗରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।