spot_img
Home Blog Page 3125

ବର୍ଷେ ଭିତରେ ସାରା ରାଜ୍ୟରେ ଯୋଗାଇ ଦିଆଯିବ 4G ସେବା

ଭୁବନେଶ୍ୱର: ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି ୧୫ହଜାର ସରକାରୀ କର୍ମଚାରୀ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୫ହଜାରରୁ ଅଧିକ ଗାଁରେ ଟେଲିକମ ସେବା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ସବୁଠି ଟାଓ୍ବାର ଲାଗିବ, ଏଥିପାଇଁ ୨ହଜାର ବର୍ଗଫୁଟ ଜାଗା ମାଗଣାରେ ଦେଉଛନ୍ତି ରାଜ୍ୟ ସରକାର। ବର୍ଷେ ଭିତରେ ସାରା ରାଜ୍ୟରେ 4G ସେବା ଯୋଗାଇ ଦିଆଯିବ। ଚଳିତ ବର୍ଷ ସବୁ ବ୍ଲକରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏହା ଜିଲ୍ଲା ହେଡକ୍ୱାର୍ଟର ସହ ଯୋଗାଯୋଗରେ ରହିବ।

ଚଳିତ ବର୍ଷ ୧୭ଟି ବିଶ୍ୱବିଦ୍ୟାଳୟର ୭ଲକ୍ଷ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃଦ୍ଧି ପାଇଁ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟକୁ ୱାଇଫାଇ ସଂଯୋଗ କରାଯିବ। ୩ହଜାର ସ୍କୁଲରେ ହେବ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା। ଭୁବନେଶ୍ବରରେ ଆରବିଆଇର ଡାଟା ସେଣ୍ଟର ହେବ।

ସବୁ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ 5T ସୁବିଧା ଯୋଗାଇ ଦିଆଯିବ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ରହିଛି ୧୭୩୫ଟି ସ୍କୁଲ। ଅଷ୍ଟମ ଶ୍ରେଣୀ ସହ ଏହି ବିଭାଗ ଅଧୀନରେ ଥିବା ସବୁ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ସମସ୍ତ 5T ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ଏନେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇରୁ ଆରମ୍ଭ ହେବାକୁ ଥିବା ଅଭିଭାବକ ବି ଅଂଶୀଦାର କାର୍ଯ୍ୟକ୍ରମରେ ୪ଲକ୍ଷ ଅଭିଭାବକ ଭାଗ ନେବେ।

ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଛି। ଅଭିଭାବକ ବି ସ୍କୁଲ ଓ ସ୍କୁଲ ବାହାରେ ପିଲାଙ୍କ ପ୍ରଦର୍ଶନ ଜାଣିପାରିବେ। ସେମାନଙ୍କ ମତାମତ ନେଇ କାର୍ଯ୍ୟକ୍ରମ କରାଯିବ, ସେମାନେ ଅଂଶୀଦାର ହେବେ। ଗତ ୨୦ବର୍ଷରେ ବିଭାଗ ଅଧୀନରେ ହାଇସ୍କୁଲ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି।

ସେହିପରି ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ MLE ନୀତି ଅଧୀନରେ ୨୧ଟି ଦ୍ବିଭାଷୀ ଓ ତ୍ରିଭାଷୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି। ବହୁ ଶିକ୍ଷା ପ୍ରଦାନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ମୋଟ୍ ୪.୨ଲକ୍ଷ ପରିବାରର ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୧୭୩୫ ସ୍କୁଲରେ ପଢୁଛନ୍ତି। CBSE, ICSE ପାଠ୍ୟକ୍ରମରେ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୱେଷା ଯୋଜନାରେ ୧୭ଟି ଜିଲ୍ଲାରେ ୮୦ଟି କାର୍ଯ୍ୟକ୍ରମରେ ହଷ୍ଟେଲ ଖୋଲାଯାଇଛି। ୧୭୨ ବ୍ଲକରେ SDC ଖୋଲିଛି। ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡ଼ିଶା ଆଗରେ। ମୋ ଜଙ୍ଗଲ ଜମି ଯୋଜନା ଏବର୍ଷ ଆରମ୍ଭ ହୋଇଛି। ନିର୍ବାଚନୀ ଇସ୍ତାହାରରେ ଥିବା SDC ସମ୍ପ୍ରସାରଣ, ବର୍ଦ୍ଧିତ ମେଧାବୃତ୍ତି ପୂରଣ କରାଯାଇଛି।

ରାଜ୍ୟରେ ବୃଦ୍ଧି ହେବ ଯୁକ୍ତ ଦୁଇ ସିଟ ସଂଖ୍ୟା

ଭୁବନେଶ୍ୱର: ମାଟ୍ରିକରେ ଏଥର ବମ୍ପର ରେଜଲ୍ଟ ହୋଇଛି। ସେଥିପାଇଁ ଯୁକ୍ତ ଦୁଇ ସିଟ ସଂଖ୍ୟାରେ ବୃଦ୍ଧି ହେବ ବୋଲି କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଯୁକ୍ତ ଦୁଇରେ ୧୩ ହଜାର ସିଟ ବୃଦ୍ଧି ହେବ ନେଇ ମନ୍ତ୍ରୀ କହିଛନ୍ତି । ୨୦୨୩-୨୪ ଶିକ୍ଷା ବର୍ଷରୁ ୧୦୬ ନୂଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବ।

ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ହୋଇଛି। ସବୁ ୧୧୪ ପୌରାଞ୍ଚଳ ଓ ଏନଏନସିରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ଅଛି । ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲରେ ଆଇଟି ଲ୍ୟାବ ଉପଲବ୍ଧ ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ବ୍ରେକଅପ କରିବା ଯୋଗୁ ପ୍ରେମିକାକୁ ବୀଭତ୍ସ ହତ୍ୟା

ନୂଆଦିଲ୍ଲୀ: ବ୍ରେକଅପ ଯୋଗୁ ବୀଭତ୍ସ ହତ୍ୟା । ଦିଲ୍ଲୀ ଶାହାବାଦରେ ନାବାଳିକା ହତ୍ୟାକାଣ୍ଡରେ ସାଂଘାତିକ ଖୁଲାସା କରିଛି ପୋଲିସ। ସାହିଲ ସହ ସମ୍ପର୍କ ଚାହୁଁ ନଥିଲେ ସାକ୍ଷୀ । ସମ୍ପର୍କ ତୁଟାଇବାରୁ ହତ୍ୟା କରିଛି ବୋଲି ପୋଲିସ ଆଗରେ କହିଛି ଅଭିଯୁକ୍ତ ସାହିଲ । ପୂର୍ବତନ ପ୍ରେମିକ ସହ ପୁଣି ଥରେ ସମ୍ପର୍କ ବଢ଼ିବା ଯୋଗୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ସାକ୍ଷୀଙ୍କୁ ହତ୍ୟା କରିବାକୁ ପୂର୍ବରୁ ଧମକ ମଧ୍ୟ ଦେଇଥିଲା ସାହିଲ ।

୨୦୨୧ ମସିହାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ହେଲେ ଗତ କିଛିଦିନ ହେବ ସାହିଲ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ସାକ୍ଷୀ । ଗତ ୧୫ ଦିନ ହେବ ସାକ୍ଷୀ ତାଙ୍କ ବନ୍ଧୁ ନିତୁଙ୍କ ଘରେ ରହୁଥିଲେ । ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନିତୁ ପୋଲିସକୁ କହିଛନ୍ତି। ବିଚ୍ ରାସ୍ତାରେ ଗର୍ଲଫ୍ରେଣ୍ଡକୁ ନୃଶଂସ ଭାବେ ହତ୍ୟା କରିଥିବା ସାହିଲକୁ ଆଜି ମେଡିକାଲ ଟେଷ୍ଟ ପାଇଁ ପଠାଇଛି ପୋଲିସ ।

ସେପଟେ ସାକ୍ଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ସାକ୍ଷୀଙ୍କ ଶରୀର ଓ ମୁଣ୍ଡରେ ୩୬ଟି କ୍ଷତ ଚିହ୍ନ ରହିଛି । ସାକ୍ଷୀଙ୍କ ହାତରେ ପ୍ରବୀଣ ନାଁରେ ଏକ ଟାଟୁ ମଧ୍ୟ ରହିଛି । ଯାହାକୁ ନେଇ ସାକ୍ଷୀ ଓ ସାହିଲ ମଧ୍ୟରେ ଝଗଡ଼ା ହୋଇଥିବା ପୋଲିସ ସନ୍ଦେହ କରୁଛି । ଦିଲ୍ଲୀ ଶାହାବାଦର ଏକ ଜନଗହଳିପୂର୍ଣ୍ଣ ଗଳି ଭିତରେ ସାକ୍ଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସାହିଲ। ୨୨ ଥର ଛୁରାମାଡ଼ ଓ ପରେ ପଥରରେ ମୁଣ୍ଡକୁ ଛେଚି ଦେବା ଯୋଗୁ ଘଟଣାସ୍ଥଳରେ ହିଁ ସାକ୍ଷୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ରାଜଧାନୀରେ ବାରମ୍ବାର ଏଭଳି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସିପିଆଇଏମ ନେତ୍ରୀ ସୁବାଷିନୀ ଅଲ୍ଲୀ। ସେ କହିଛନ୍ତି, ଦିଲ୍ଲୀର ଆଇନଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ୨୮ ତାରିଖରେ ହତ୍ୟାକାଣ୍ଡ ଘଟିଥିବା ବେଳେ ସେଦିନ ଦିଲ୍ଲୀ ପୋଲିସ ରେସଲରଙ୍କୁ ଗିରଫ କରିବାର ବ୍ୟସ୍ତ ଥିଲା। ଅଧା ପୋଲିସ ଦିଲ୍ଲୀ ସୀମାରେ ରେସଲରଙ୍କ ସମର୍ଥକଙ୍କୁ ଅଟକାଉଥିବା ବେଳେ ଅଧା ପୋଲିସ ନୂଆ ସଂସଦ ଭବନ ସୁରକ୍ଷାରେ ମୁତୟନ ହୋଇଥିଲେ। ଦିଲ୍ଲୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ନଦେଇ ନ୍ୟାୟ ମାଗୁଥିବା ରେସଲରଙ୍କୁ ଗିରଫ କରିବାପାଇଁ ପୂରା ପୋଲିସ ଫୋର୍ସ ଲାଗି ପଡ଼ିଥିଲା ବୋଲି କହିଛନ୍ତି ସୁବାଷିନୀ ଅଲ୍ଲୀ ।

ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ; ଡିଜିଟାଲ ମୋଡରେ ଲାଞ୍ଚ କାରବାର ଅଭିଯୋଗ

ଭୁବନେଶ୍ୱର: ଲାଞ୍ଚ ନେବାର ନୂଆ ତରିକା । ଡିଜିଟାଲ ମୋଡରେ ଲାଞ୍ଚ ନେଉଥିବା ୩ଟି କେସ୍ ସାମ୍ନାକୁ ଆସିବା ପରେ ସତର୍କ କରାଇଛି ଭିଜିଲାନ୍ସ। କରଞ୍ଜିଆ ତହସିଲଦାର ୨ଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ନେଇଥିଲେ । ଗିରଫ କରି କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜମି କ୍ଷତିପୂରଣ ବାବଦ ୫୧ଲକ୍ଷ ୭୫ହଜାର ୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ । ୧୨ଲକ୍ଷ ଟଙ୍କା ଚେକରେ ନେଇଥିବା ହୋଇଥିଲା ଅଭିଯୋଗ ।

ଏହି ଅଭିଯୋଗ ପରେ ଗତକାଲି ୪ଟି ସ୍ଥାନରେ ଚାଲିଥିଲା ଭିଜିଲାନ୍ସ ରେଡ୍। ସେପଟେ ଟାଟା ପାୱାରର ୨ କର୍ମଚାରୀ ତରୁଣ ନାୟକ ଓ ସହଯୋଗୀ ଶୈଳଜା ମୁଦୁଲି ଫୋନ ପେ’ରେ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ।

ସେହିପରି ବ୍ରହ୍ମପୁରର କ୍ଷୁତ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ ଏଷ୍ଟିମେଟର ଧୀରେନେଦ୍ର ପଣ୍ଡା ଓ ଖଲାସି ଅଜୟ ପାତ୍ର ଗିରଫ ହୋଇଛନ୍ତି । କୁକୁଡାଖଣ୍ଡି ବନ୍ଧ କାମର ଚୁକ୍ତିନାମା ପତ୍ର ପ୍ରଦାନ ପାଇଁ ୧୦ହଜାର ଫୋନ୍ ପେ ରେ ନେଇଥିବା ବେଲେ ଧରିଛି ଭିଜିଲାନ୍ସ । ଲାଞ୍ଚ ନେବାର ନୂଆ ତରିକା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା । ତେଣୁ ଡିଜିଟାଲ ପେମେଣ୍ଟ ଲାଞ୍ଚୁଆଙ୍କୁ ସତର୍କ କରାଇଛି ଭିଜିଲାନ୍ସ ।

ପୁଟିନଙ୍କୁ ଭେଟିବା ପରେ ବେଲାଋଷ ରାଷ୍ଟ୍ରପତି ଅସୁସ୍ଥ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭେଟଘାଟ ପରେ ପରେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ ହୋଇଛନ୍ତି ଗୁରତର । ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ପ୍ରକାଶ ପାଇଛି । ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠତା ଥିବାବେଳେ କାହିଁକି ଲୁକାସେଙ୍କୋ ଅସୁସ୍ଥ ହେଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ।

ବେଲାଋଷ ବିରୋଧୀ ଦଳ ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଭାଲେରି ସେପାକାଲୋ କହିଛନ୍ତି- ପୁଟିନଙ୍କ ସହ ଲୁକାସେଙ୍କୋ ରୁଦ୍ଧଦ୍ବାର ବୈଠକରେ ଉପନୀତ ହୋଇଥିଲେ । ତେବେ ଅକସ୍ମାତ ଲୁକାସେଙ୍କୋ ଅସୁସ୍ଥ ହେବାରୁ ତାଙ୍କୁ ମସ୍କୋସ୍ଥିତ ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ବିଷ ଦେବା କ୍ଷେତ୍ରରେ କ୍ରେମଲିନର ହାତ ଥିବା ଅଭିଯୋଗକୁ ଖଣ୍ଡନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସେପଟେ ୟୁକ୍ରେନକୁ ଏଟିଏସିଏମଏସ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇବା ଲାଗି ଆମେରିକା ଯୋଜନା କରୁଥିବା ସୂଚନା ମିଳିଛି । ୟୁକ୍ରେନ ଯଦି ଏହି ଶକ୍ତିଶାଳୀ ଅସ୍ତ୍ର ପାଇବ ତେବେ ଋଷ ଲାଗି ଏହା କ୍ଷତିକର ସାବ୍ୟସ୍ତ ହେବ ବୋଲି ଆଶଙ୍କା କରାଯାଇଛି । ପୂର୍ବରୁ ୟୁକ୍ରେନକୁ ଆମେରିକା ଏଫ-16 ଯୋଗାଇବାକୁ ଘୋଷଣା କରିଥିବାବେଳେ ଏବେ ଏଟିଏସିଏମଏସ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇବାକୁ ଚିନ୍ତା କରୁଛି ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି। ସଂଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଖଟ ଉପରକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯାଇଥାଏ। ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ।

ପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ। ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିଲେ, ଟ୍ରକ୍ ଧକ୍କାରେ ମା-ଝିଅ ମୃତ

ଜଗତସିଂହପୁର: ଝିଅ ଦେହ ଖରାପ ଥିବାରୁ ମେଡିକାଲ ଯାଉଥିଲେ। ହେଲେ ରାସ୍ତାରେ ଜଗି ରହିଥିଲା ମୃତ୍ୟୁ । ଟ୍ରକ୍ ଚାପାରେ ମାଆ ଝିଅଙ୍କ ଯାଇଛି ଜୀବନ। ଘଟଣା ଘଟିଛି ଜଗତସିଂହପୁର ଚଷାପଡ଼ା ଡିହସାହିରେ।

ସୂଚନା ଅନୁସାରେ, କନକପୁର ମୁଲିସିଂହ ଗାଁର ମୁକ୍ତାର ଖାଁ ତାଙ୍କ ବୋହୂ କଲିମ ବିବି ଓ ଦୁଇ ନାତୁଣୀ ଆଲିଆ ଖାତୁନ, ଆଲିସା ଖାତୁନ ଏକ ସ୍କୁଟିରେ ବାଲିକୁଦା ମେଡିକାଲ ଯାଉଥିଲେ। ହଠାତ ଦ୍ରୁତ ଗତିରେ ଆସୁଥିବା ୧୬ ଚକିଆ ଟ୍ରକ୍ ମାଡି ଆସିଥିଲା । ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ମାଆ କଲିମ ବିବି ଓ ୭ମାସର ଝିଅ ଆଲିଆ ଖାତୁନଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ବଶୁର ଓ ଅନ୍ୟଜଣେ ଛୁଆ।  ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ ହୋଇଛି । ଘଟଣାସ୍ଥଳରେ ନିଆଁ ଜାଳି କଟରା ଓ ଢ଼ିଅସାହି ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ମୃତଦେହକୁ ଉଦ୍ଧାର କରି ପୋଲିସ ତଦନ୍ତ ଜାରି ରଖିଛି। ବାଲିକୁଦା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତିପୂରଣ ଦାବିରେ କରିଛନ୍ତି ଗ୍ରାମବାସୀ।

ଆସାମ ଯିବ କଳାବତୀ ଚାଉଳ, ଗବେଷଣା କରାଯିବ

ଭୁବନେଶ୍ୱର: ଆସାମ ଯିବ କଳାବତୀ ଚାଉଳ। କୋରାପୁଟର ବିରଳ କିସମର କଳାବତୀ ଚାଉଳ ଏବେ ଆସାମ ଯିବା ନେଇ ସୂଚନା ମିଳିଛି। କୋରାପୁଟରେ ଉତ୍ପାଦିତ ହେଉଥିବା କଳାବତି ଧାନ ଗବେଷଣା ପାଇଁ  ଆସାମ ଯିବ। କଳାବତି ଧାନ ଅତ୍ୟନ୍ତ ବିରଳ କିସମର ଚାଉଳ। ଆସାମ କୃଷି ବିଶ୍ବ ବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ କୋରାପୁଟ ଜୈବିକ ଶ୍ରୀ ଫାର୍ମସ୍ ପ୍ରଡ୍ୟୁସର୍ସ କମ୍ପାନୀକୁ ଚିଠି ଲେଖି ୫ ହଜାର ୧୯୦ କିଲୋ କଳାବତୀ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

ତେବେ ଏହା ୩୦ କିଲୋ ପ୍ୟାକେଟରେ ୧୭୩ଟି ପ୍ୟାକେଟ କରି ଦେବାକୁ କୁହାଯାଇଛି। ଆଜି ଏକ ସ୍ବତନ୍ତ୍ର ମିନି ଟ୍ରକରେ ଆସାମ ଯିବାକୁ ଥିବା ବେଳେ ଆସାମ କୃଷି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୧୦ ଗୋଟି କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ବିତରଣ କରାଯିବ ବୋଲି ଜଣାପଡିଛି। ଜିଲ୍ଲାପାଳ ଅବଦଲ୍ ଏମ୍ ଅଖତର ଏହି ଯାତ୍ରାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

ଆସନ୍ତା ୩ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ତେଲେଙ୍ଗାନା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ଗାଙ୍ଗେୟ ଉପତ୍ୟକା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଖେଳ ଜାରି ରହିଛି ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ୧୪ ଜିଲ୍ଲା, ଜୁନ୍ ୧ ତାରିଖରେ ୪ଟି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

ସେପଟେ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନଥିବା ବେଳେ ବିଭିନ୍ନ ସ୍ଥାନରେ ୪୨ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିବା ସମ୍ଭାବନା ରହିଛି। ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ନିକୋବର ଦ୍ବିପପୁଞ୍ଜରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୁଳ ରହିଛି।