ମୟୂରଭଞ୍ଜ: ଅସୁରକ୍ଷିତ ଶିମିଳିପାଳ । ପୁଣି ହାତୀ ଦାନ୍ତ ଜବତ, ୫ ଗିରଫ । ଯଶିପୁର ଜାମୁକେଶର ନିକଟରୁ ୫ ଜଣ ହାତୀଦାନ୍ତ ତସ୍କରୀଙ୍କୁ ଗିରଫ କରିଛି ବନ ବିଭାଗ । ଡିଲ୍ ପାଇଁ ଯୋଜନା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ଚଢ଼ାଉ କରିଥିଲା ବନବିଭାଗ। ଚଢ଼ାଉରେ ନର୍ଥ ଜୋନ, ସାଉଥ ଜୋନ ଏବଂ ରାଇରଙ୍ଗପୁର ଡିଭିଜନର ଅଧିକାରୀ ସାମିଲ ଥିଲେ । କେବେ ଶିକାରୀଙ୍କ ଶିକାର ହେଉଛନ୍ତି ବନ୍ୟଜନ୍ତୁ ତ କେବେ ଶିକାରୀକୁ ରୋକିବା ପାଇଁ ଯାଇ ବନ ବିଭାଗ ବାରମ୍ଵାର ମୁହାଁମୁହିଁ ହେଉଛନ୍ତି । ଆମନା ସାମ୍ନା ହେଲେ ଗୁଳି ଫୁଟାଇବାକୁ ବି ପଛାଉ ନାହାଁନ୍ତି ଶିକାରୀ। ଏଭଳି ସ୍ଥିତିରେ ଶିମିଳିପାଳର ସୁରକ୍ଷା ନେଇ ଚିନ୍ତା ଘାରିଛି ।
ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ, ବିଶାଳ ରାଲିରେ ପାଛୋଟି ନେଲେ ନେତା ଓ କର୍ମୀ
ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଲା ପରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ରେଢ଼ାଖୋଲରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ଯୁଯୁମରାରେ ଏକ ବିଶାଳ ବାଇକ ରାଲିରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ସାଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କ ସହ ହଜାର ହଜାର ସଂଖ୍ୟାରେ କର୍ମୀ ସାମିଲ ହୋଇଛନ୍ତି ।
ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ’ସାଗରିକା’ର ସଫଳ ପରୀକ୍ଷଣ
ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାଗରିକାର ସଫଳ ପରୀକ୍ଷଣ । ଶନିବାର ଧାମରାର ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୬ଟା ୫୫ରେ ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା । ଏହାର ଲକ୍ଷ୍ୟଭେଦ କ୍ଷମତା ୭୫୦ କିମି ରହିଛି । ଏହି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ସମୟରେ ଡିଆରଡିଓ, ଭାରତୀୟ ନୌସେନାର ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି କ୍ଷେପଣାସ୍ତ୍ର ସାଗରିକାକୁ ପ୍ରତିରକ୍ଷା ବିଭାଗ ନୌସେନାରୁ ବ୍ୟବହାର କରାଯାଇଥିଲା ।
ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା
ଭୁବନେଶ୍ୱର: ଆସୁଛି ଲଘୁଚାପ । ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲିଠୁ ୬ ତାରିଖରେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଜି ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛ । କାଲିଠୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ବର୍ଷା ସହ ପାଗରେ ଆସିବ ପରିବର୍ତ୍ତନ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁରୁ ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ କିଛି ଦିନ ହେବ ବର୍ଷାର ମାତ୍ରା କମ୍ ରହିଥିବା ବେଳେ ତାପମାତ୍ରାରେ ବି ବୃଦ୍ଧି ଘଟିଛି ।
ବୈତରଣୀକୁ ଧସିଲା ୨ ଶହ ଫୁଟର ନଦୀବନ୍ଧ
ଆରଡି: ବୈତରଣୀକୁ ଧସିଲା ୨ ଶହ ଫୁଟର ନଦୀବନ୍ଧ । ନିମ୍ନମାନର କାମ ଯୋଗୁ ନଦୀର ଜୁଆର ଢେଉରେ କୋଟିଏ ଟଙ୍କାର କାମ ୧୫ ଦିନରେ ଧୋଇ ଗଲାଣି । ଆତଙ୍କିତ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ । ଆଖଣ୍ଡଳମଣି ଯାଜପୁର ମୁଖ୍ଯ ଜାତୀୟ ରାଜପଥ ବିଛିନ୍ନ ହେବା ଆଶଙ୍କା ରହିଛି । ଭଦ୍ରକ ଜିଲା ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀକୁ ଗତକାଲି ରାତିରେ ପାଖାପାଖି ୨ଶହ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି । ବର୍ଷାଋତୁକୁ ଆଖି ଆଗରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ଯୟରେ ବନ୍ଧର ସ୍ଥାୟୀ ମରାମତି ପାଇଁ ମାଟି ପକାଯାଇଥିଲା । ଏହାସହ ମାଟି ଯେପରି ଜୁଆର ଓ ବନ୍ଯାପାଣିରେ ଧୋଇ ନଯିବ ସେଥିପାଈଁ ପଥର ପ୍ଯାକିଂ କରାଯାଇଥିଲା । ହେଲେ କାମ ହେବାର ୧୫ଦିନ ଯାଇନାହିଁ, ନଦୀ ମଧ୍ଯକୁ ପଥର ଧସିଯାଇଥିବା ବେଳେ ବନ୍ଧର ବଡବଡ ଫାଟ ସୃଷ୍ଟି ହୋଇଛି । ଫଳରେ ଷାଠିବାଙ୍କୁଡା ଗାଁ ସହ ପାଖ ବୋଡକ ଗାଁର ନଦୀକୂଳିଆବାସୀ ଏବେ ଭୟଭୀତ ହୋଇପଡିଛନ୍ତି ।
ଆସନ୍ତାକାଲି ପୂର୍ଣ୍ଣିମା ତିଥି ଥିବାରୁ ନଦୀରେ ଜୁଆର ଢେଉ ବୃଦ୍ଧି ପାଇବ । ଯଦି ବନ୍ଧ ସମ୍ପୂର୍ଣ୍ଣ ଧସିଯାଏ, ତାହାଲେ ବନ୍ଧକୁ ଲାଗି ଥିବା ଆଖଣ୍ଡଳମଣି ଯାଜପୁର ଜାତୀୟ ରାଜପଥ ପ୍ରଭାବିତ ହେବା ସହ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି ।

