spot_img
Home Blog Page 319

ଭାରତ ହାତରେ ମାରିବାକୁ ଚାହୁଁଥିବା ମୁନିରଙ୍କ ପୁଅ କ’ଣ କରନ୍ତି ?

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦିୁର ପରେ ବିଳିବିଳେଇଲେଣି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର । ସେ ଆମେରିକା ଗସ୍ତରେ ଥିବା ବେଳେ ଭାରତକୁ ନେଇ ବଡ଼ କଥା କହିଛନ୍ତି । ତାଙ୍କର ବହିବା କଥାଏହି ଯୁଦ୍ଧ କେବେ ବନ୍ଦ ହେବ ନାହିଁ । ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ଆଉ ତା’ ପରେ ତାଙ୍କ ନାତି ଭାରତ ବିରୋଧରେ ଯୁଦ୍ଧ କରିବ । ତିନି ଛୁଆର ପିତା ୨୦୨୨ରେ ପାକିସ୍ତାନ ସେନା ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।

ଅପରେସନ ସିନ୍ଦୁର ପରେ ସେ ତାଙ୍କ ପରିବାର ଲୋକଙ୍କ ଦେଶ ବାହାରକୁ ପଠାଇଦେଇଛନ୍ତି । ଯେଉଁ ରାତିରେ ଭାରତ ରାଓ୍ବଲପିଣ୍ଡି ଉପରେ ଆକ୍ରମଣ କରିଥିଲେ, ସେହି ରାତିରେ ନିଜକୁ ବଞ୍ଚାଇବା ପାଇଁ ସେ ସେନା କାର୍ଯ୍ୟଳୟର ବଙ୍କର ଭିତରକୁ ଚାଲିଯାଇଥିଲେ ।

ଅସୀମ ମୁନିର ଇରମ ନକଭିଙ୍କୁ ବିବାହ କରିଛନ୍ତି । ସେମାନଙ୍କ ୩ଟି ଛୁଆ ଅଛି । ଦୁଇଟି ଝିଅ ଓ ଗୋଟିଏ ପୁଅ । ଦୁଇ ଜଣ ଝିଅ ବଡ । ସେମାନେ ଲଣ୍ଡନରେ ରହୁଛନ୍ତି । ପାକିସ୍ତାନର ବରିଷ୍ଠ ସାମ୍ବାଦିକ ଅହମ୍ମଦ ନୁରାନି ୨୦୨୨ ମସିହାରେ ମୁନିରଙ୍କ ସମ୍ପର୍କରେ ରିପୋର୍ଟ କରିଥିଲେ ।

ମୁନିଙ୍କ ବଡ଼ ଝିଅ ନାଁ ଖାଦିଜା ଅସୀମ । ଖାଜିଦାଙ୍କ ବିବାହ ଅସ୍ମାନ ସାଙ୍ଗରେ ହୋଇଛି । ଯିଏ ବ୍ରିଟେନରେ ସୁରକ୍ଷା ବିଭାଗରେ କାମ କରନ୍ତି । ନୁରାନିଙ୍କ ଅନୁସାରେ ମୁନିରଙ୍କ ଦ୍ବାତୀୟ ଝିଅ ନାଁ ସୁନ୍ଦାସ ଉଜୈର । ସୁନ୍ଦାସଙ୍କ ବିବାହ ଅଜୈର ଅଲ୍ଲି ଶାହଙ୍କ ସହିତ ହୋଇଛି । ଅଜୈର ପାକିସ୍ତାନର ବାସିନ୍ଦା ।

ମୁନିରଙ୍କ ପୁଅ ବ୍ରିଟେନରେ ହିଁ ଶିକ୍ଷା ସମାପ୍ତ କରିବା ପରେ ସେଡାରେ ସେ ମାଆଙ୍କ ସହ ରହୁଛନ୍ତି । ମୁନିଣଙ୍କ ପୁଅଙ୍କ ସମ୍ପର୍କରେ  ଏହା ଛଡା କିଛି ସର୍ବଜୀନନ ହୋଇନି ।

ମୁନିରଙ୍କ ଦୁଇ ଭାଇ ଅଛନ୍ତି । ଜଣେ ଭାଇ ଶିକ୍ଷକ ଥିଲେ ଏବେ ଅବସର ନେବା ପରେ ରାଓ୍ବଲପିଣ୍ଡିରେ ରହୁଛନ୍ତି । ଆଉ ଜଣେ ଭାଇ ଧର୍ମିକ କାମ କରୁଥିବା ବେଳେ ବାପା ଇମାମରେ କାମ କରୁଛନ୍ତି । ମୁନିରଙ୍କୁ ଛାଡିଦେଲେ ତାଙ୍କ ପରିବାରରେ କେହି ଜଣେ ମଧ୍ୟ ସଦସ୍ୟ ସେନାରେ କାର୍ଯ୍ୟ କରନ୍ତି ନାହିଁ ।

୧୯୮୬ ମସିହାରେ ମୁନିର ସେନାରେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ଆଇଏସଆଇର ମୁଖ୍ୟ ଭାବରେ ମଧ୍ୟ କାମ କରିଛନ୍ତି ।

ମୁନିର ହେଉଊଛନ୍ତି ପାକିସ୍ତାନର ଦ୍ବୀତିୟ ସେନା ମୁଖ୍ୟ । ସେ କାର୍ଯ୍ୟ କରିବା ସମୟରେ ଫିଲ୍ଡ ମାର୍ଶାଲ ଉପାଧି ପାଇଥିଲେ । ମୁନିରଙ୍କ ଉପରେ ପ୍ରାୟତଃ ପାକିସ୍ତାନରେ ପରଦା ପଛରେ ରହି ସରକାର ଚଳାଇବାର ଅଭିଯୋଗ ରହିଛି।

ଜଣା ପଡ଼ିଲା ସତ ! କେଉଁ ଖେଳାଳିଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଛାଡ଼ିବେ ସଞ୍ଜୁ ସାମସନ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚଳିତ ଆଇପିଏଲ ସିଜିନ ଖେଳିବେନି ସଞ୍ଜୁ ସାମସନ । ଏମିତି ଏକ ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା  । କୁହାଯାଉଛି କି, ସଞ୍ଜୁ ସାମସନ ନିଜେ ଚାହୁଁଛନ୍ତି କି, ତାଙ୍କ ରିଲିଜ୍ କରାଯାଉ । ତେବେ ଯେଉଁ ଦଳ ପାଇଁ ଏତେ ମାନ ସମ୍ମାନ ପାଇଲେ ଏବେ ପୁଣି କାହିଁକି ସେହି ଦଳ ଛାଡ଼ିବା ଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବାବେଳେ ଜଣେ ଖେଳାଳିଙ୍କ ପାଇଁ ସେ ରାଜସ୍ଥାନ ରୟାଲ୍ସ ଛାଡ଼ିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ତେବେ ସେହି ଖେଳାଳି ଜଣକ କିଏ ? କାହା ପାଇଁ ସାମସନ ରାଜସ୍ଥାନ ରୟାଲ୍ସ ଛାଡ଼ିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ଏଭଳି ଏକ ଚର୍ଚ୍ଚା ଭିତରେ କୁହାଯାଉଛି କି, ରିଆନ ପରାଗଙ୍କ ଲାଗି ରାଜସ୍ଥାନ ରୟାଲ୍ସ ଛାଡ଼ିବାକୁ ଯାଉଛନ୍ତି ।

ସିଏସକେ ପକ୍ଷରୁ ପୂର୍ବରୁ ଖେଳୁଥିବା ଏସ. ବଦ୍ରିନାଥ ନିଜ ୟ୍ୟୁଟୁବ ଚ୍ୟାନେଲରେ ଏଭଳି କହିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ପରାଗଙ୍କୁ ଅଧିନାୟକ ଦିଆଯାଇଥିବାବେଳେ ସିନିୟର ଖେଳାଳିଭାବେ ସାମସନଙ୍କ ଦଳରେ ରହିବା ଅଲୋଡ଼ା ପରି ହୋଇଛି । ୨୦୨୫ ସିଜିନରେ ସାମସନଙ୍କ ଆହତ କାରଣରୁ ଦଳର ଭାର ସମ୍ଭାଳିଥିଲେ ପରାଗ । କିନ୍ତୁ ପରେ ଫିଟ୍ ହୋଇ ଦଳକୁ ଫେରିବା ପରେ ମଧ୍ୟ ପରାଗ ଅଧିନାୟକ ପଦ ସମ୍ଭାଳିଥିଲେ । ତେବେ ପରାଗଙ୍କୁ ଅଧିନାୟକ ଦେବା କାରଣରୁ ସାମସନ ଏଭଳି ଏକ ନିଷ୍ପତ୍ତି ନେବାକୁ ଯାଇଥାଇପାରନ୍ତି ବୋଲି ବଦ୍ରିନାଥ କହିଛନ୍ତି ।

ସେପଟେ ଆମେ ଯଦି ସଞ୍ଜୁ ସାମସନଙ୍କ ସମ୍ପର୍କରେ କହିବା ତାହେଲେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସରେ ସ୍ଥାନ ମିଳିପାରେ । ଏମ.ଏସ ଧୋନୀଙ୍କ ପରେ ଦଳ ବିକଳ୍ପ ଭାବେ ତାଙ୍କୁ ନେଇପାରେ । ଏହାସହ ସେ ମଧ୍ୟ ପୂର୍ଣ୍ଣ କାଳିନ ଅଧିନାୟକ ପଦ ସମ୍ଭାଳି ପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଆୟୂଷ ମାତ୍ରେ, ଋତୁରାଜ ଗାଏକ୍ବାଡ ଏବଂ ବ୍ରାଭିସଙ୍କ ଭଳି ଖେଳାଳି ରହିଥିବାବେଳେ ଚତୁର୍ଥ ସ୍ଥାନରେ ବ୍ୟାଟିଂ ବିକଳ୍ପ ରହିପାରିବେ ସାମସନ ।

 

ନେତାନ୍ୟାହୁଙ୍କ ସେନା ଏବେ କାହିଁକି କୁମ୍ଭୀର ମାରୁଛନ୍ତି?

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲୀ ସେନା ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କର ଏକ ଅବୈଧ ବସତି ପେଟଜେଲ ନିକଟରେ ଏକ ଫାର୍ମରେ ୨୬୨ଟି କୁମ୍ଭୀରକୁ ମାରିଦେଇଛି ।  ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା କୁମ୍ଭୀରକୁ ମାରିଦେଇଛି । ଫାର୍ମରେ ୮୦୦ରୁ ଅଧିକ କୁମ୍ଭୀର ଥିଲେ । ଇସ୍ରରଏଲୀ ସେନା ପ୍ରଥମେ ଦ୍ରଦରୁ ପାଣି ବାହାର କରିବା ପରେ ଗୁଳିମାରି  କୁମ୍ଭୀରକୁ ମାରିଥିଲେ । ଏହା ପରେ ସାମାନଙ୍କୁ ଏକ ଟ୍ରକରେ ଭର୍ତ୍ତିକରି ନେଇଥିଲେ । ଏହି ଫାର୍ମଟି ଥରେ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଥିଲା ଏବଂ କୁମ୍ଭୀର ଚମଡ଼ାର ବ୍ୟବସାୟ ମଧ୍ୟ କରୁଥିଲା। ୨୦୦୦ ଦଶକରେ ପ୍ରାୟ ୩,୦୦୦ କୁମ୍ଭୀର ଏଠାକୁ ଅଣାଯାଇଥିଲା।

ପଶ୍ଚିମ କୂଳରେ ଇସ୍ରାଏଲୀ ସାମରିକ ବାହିନୀର ପ୍ରଶାସନିକ ଶାଖା ସିଭିଲ୍ ପ୍ରଶାସନ କହିଛି ଯେ କୁମ୍ଭୀରଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା । କାରଣ ଫାର୍ମଟିର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନଥିଲା। ନୀଳ କୁମ୍ଭୀର ୨୦୧୩ ମସିହାରୁ ଇସ୍ରାଏଲରେ ଏକ ସଂରକ୍ଷିତ ପ୍ରଜାତି ଅଟେ। ଫାର୍ମଟି ୧୯୯୦ ଦଶକରେ ନିର୍ମିତ ହୋଇଥିଲା ଏବଂ ୨୦୦୦-୨୦୦୫ ର ଦ୍ୱିତୀୟ ଇନ୍ତିଫାଦା ସମୟରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା।

ଗତ ସପ୍ତାହରେ ଯେତେବେଳେ ସେନା କୁମ୍ଭୀର ମାରିବାକୁ ଯାଇଥିଲେ, ସେମାନେ ସେଠାରେ ମଲା କୁମ୍ଭୀର ପାଇଥିଲେ। ସିଭିଲ ପ୍ରଶାସନ ଅନୁଯାୟୀ, ବିଶେଷଜ୍ଞମାନେ କହିଛନ୍ତି ଯେ କୁମ୍ଭୀରଗୁଡ଼ିକ ଖରାପ ଅବସ୍ଥାରେ ରହୁଥିଲେ ଓ ଖାଦ୍ୟ ଅଭାବରୁ ପରସ୍ପରକୁ ଆକ୍ରମଣ କରି ଖାଉଥିଲେ।

ଫାର୍ମର ମାଲିକ ବିଟାନ୍ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ମନା କରିଦେଇଥିଲେ, ଯାହାକୁ ସୁରକ୍ଷା ଅଧିକାରୀମାନେ ନିକଟସ୍ଥ ଜନବସତି ପାଇଁ ଏକ ଗମ୍ଭୀର ବିପଦ ବୋଲି କହିଥିଲେ। ସୂଚନା ଅନୁଯାୟୀ, ୨୦୧୩ରେ ନାଇଲ୍ କୁମ୍ଭୀରମାନଙ୍କୁ ସଂରକ୍ଷିତ ପ୍ରଜାତି ଘୋଷଣା କରାଯିବା ପୂର୍ବରୁ, ବିଟାନ୍ ଟଙ୍କା ପାଇଁ ସେମାନଙ୍କୁ ହତ୍ୟା କରୁଥିଲେ। ଆଇନ ପରିବର୍ତ୍ତନ ହେବା ପରେ, ଶହ ଶହ କୁମ୍ଭୀର ତାଙ୍କ ପାଖରେ ରହିଗଲେ। ଅଧିକାରୀମାନେ ଦାବି କରନ୍ତି ଯେ ଯେତେବେଳେ ବିଟାନ୍ ସେମାନଙ୍କଠାରୁ ଟଙ୍କା ରୋଜଗାର କରିବାର ଉପାୟ ପାଇଲେ ନାହିଁ, ସେ ସେମାନଙ୍କ ଯତ୍ନ ନେବା ବନ୍ଦ କରିଦେଲେ।

ବିଟାନ୍ କୁହନ୍ତି ଯେ ସିଭିଲ୍ ପ୍ରଶାସନ ସେମାନଙ୍କୁ ଅନ୍ୟ କୌଣସି ସମାଧାନ ଖୋଜିବାରେ ସାହାଯ୍ୟ କରିନଥିଲା। ସେମାନେ ମରକ୍କୋର ଏକ ପର୍ଯ୍ୟଟନ ପାର୍କକୁ କୁମ୍ଭୀର ପଠାଇବା ପାଇଁ ଏକ ଚୁକ୍ତି କରିଥିଲେ, କିନ୍ତୁ ଯୁଦ୍ଧ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା।  ଅନ୍ୟ ଏକ ଦେଶ ସହିତ ଆଲୋଚନା ଚାଲିଥିଲା, କିନ୍ତୁ ଚୁକ୍ତି ହେବା ପୂର୍ବରୁ, ସିଭିଲ୍ ପ୍ରଶାସନ ଫାର୍ମରେ ପଶି କୁମ୍ଭୀରମାନଙ୍କୁ ମାରି ଦେଇଥିଲା।

ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ

ଜଳେଶ୍ବର : ଅନଲାଇନ ଗେମ୍ ମାୟାରେ ଯୁବ ପିଢ଼ୀ। ମୋବାଇଲରେ ଅନଲାଇନ ଗେମ ଖେଳିବା ହେଲା କାଳ। ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର। ଅନଲାଇନ ଗେମ୍ ଖେଳିବା ପାଇଁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ନାବାଳକ। ମୃତ ନାବାଳକ ହେଲେ ଜଳେଶ୍ବର ସିଂଲା ଥାନା ଗୁହାଳିପଦା ଗାଁର ଜୟକୃଷ୍ଣ ଜେନା। ସେ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ। ଏନେଇ ପରିବାର ଲୋକେ ବାରମ୍ବାର ବାରଣ କରିବାରୁ ଆଜି ସକାଳେ ବାଥରୁମ ଭିତରେ ବେକର ଗାମୁଛା ଲଗାଇ ଜୟକୃଷ୍ଣ ଆତ୍ମହତ୍ଯା କରିଛନ୍ତି। ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ରାଜନଗରରେ ଲଜ୍ଜା : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ

ରାଜନଗର : କେନ୍ଦ୍ରାପଡ଼ା ରାଜନଗରରେ ଲଜ୍ଜା। ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରାଜନଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରାଖୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବକ ସାମିଲ ଅଛନ୍ତି। ରାଜନଗର ପୋଲିସ ମୋଟ ୫ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି।

ବରଗଡ଼ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣା, ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ବରଗଡ଼ ଗାଇସିଲେଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଛାତ୍ରୀଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ଆଶ୍ବାସନା ଦେବା ସହ ନବୀନ ରାଜ୍ୟ ବିଜେପି ସରକାରର ଚରମ ବିଫଳତାକୁ କଟୁ ସମାଲୋଚନା କରିଛନ୍ତି। ବିଜେପି ସରକାରର ନିଷ୍କ୍ରିୟତା ରାଜ୍ୟର ଝିଅମାନଙ୍କୁ ବିପଦକୁ ଠେଲି ଦେଇଛି। ଯୁବତୀମାନେ ଆତ୍ମାହୁତି ଦେବା କେବଳ ଗୋଟିଏ ଦୁଃଖଦ ଘଟଣା ନୁହେଁ। ପ୍ରତିଟି ଘଟଣା ସେମାନଙ୍କ ନ୍ୟାୟ ପାଇଁ ଆର୍ତ୍ତ ଚିତ୍କାରର ବିଫଳତାକୁ ପ୍ରତିଫଳିତ କରୁଛି। ବିଜେପି ସରକାର ଝିଅଙ୍କ କ୍ଷେତ୍ରରେ ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି। ଝିଅମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଯେଉଁଭଳି ଭାବେ ଝିଅମାନେ ନିଜକୁ ଜାଳି ଦେଉଛନ୍ତି, ଏହା ସମସ୍ତଙ୍କୁ ବିଚଳିତ କରୁଛି। ମାସକ ମଧ୍ୟରେ ୪ ଜଣ ଯୁବତୀ ନିଜକୁ ଜାଳି ଦେଇଛନ୍ତି। ପ୍ରତିଟି ଘଟଣା ଦର୍ଶାଉଛି ଯେ, ସେମାନେ ଅନ୍ୟ କୌଣସି ଉପାୟ ନପାଇ ନଜେ ନିଜର ଜୀବନ ନେବାକୁ ବାଧ୍ୟ ହେଉଛନ୍ତି। କେବଳ ଏହି ୪ଟି ଘଟଣା ନୁହେଁ, ଏଭଳି ଅନେକ ଘଟଣା ଘଟୁଛି, ଯେଉଁଥିରେ ଅନେକ ଝିଅ ଅପରାଧର ଶିକାର ହେଉଛନ୍ତି। କିନ୍ତୁ ନ୍ୟାୟ ନମିଳିବାରୁ ଆତ୍ମାହୁତି ଦେଉଛନ୍ତି। ଏଭଳି ହୃଦୟ ବିଦାରକ ଘଟଣାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଆଉ କେତେଦିନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ ; ମୁମ୍ବାଇରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ପେଶାରେ ଜଣେ ମେକଅପ୍ ଆର୍ଟିଷ୍ଟ ଥିଲେ। ଏହି ମାମଲା ଆରେ ପୋଲିସ ଷ୍ଟେସନର ଛୋଟା କାଶ୍ମୀର ଗାର୍ଡେନ୍ ଅଞ୍ଚଳରୁ ସାମ୍ନାକୁ ଆସିଛି। ଆରେ ପୋଲିସ ପତ୍ନୀ ରାଜଶ୍ରୀ ଓ ତାଙ୍କ ପ୍ରେମିକଙ୍କ ଭାଇ ରଙ୍ଗାକୁ ଗିରଫ କରିଥିବା ବେଳେ ପ୍ରେମିକ ଚନ୍ଦ୍ରଶେଖର ଫେରାର୍ ଅଛି। ମୃତକ ୪୦ ବର୍ଷୀୟ ଭାରତ ଆହିରେ। ଭାରତ ଫିଲ୍ମ ସିଟିରେ ମେକଅପ୍ ଆର୍ଟିଷ୍ଟ ଭାବରେ କାମ କରୁଥିଲେ।

ରାଜଶ୍ରୀ ତାଙ୍କ ପ୍ରେମିକ ଓ ତାଙ୍କ ଭାଇ ସହିତ ମିଶି ତାଙ୍କ ପ୍ରଥମ ସ୍ୱାମୀ ଭରତଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ, କିନ୍ତୁ ଭରତ ସେହି ସମୟରେ ଅଭିଯୁକ୍ତଙ୍କଠାରୁ ଖସି ପଳାଇ ତାଙ୍କ ଜୀବନ ବଞ୍ଚାଇ ଘରକୁ ଆସିଥିଲେ। ଘରକୁ ଫେରିବା ପରେ ରାଜଶ୍ରୀ ଭରତଙ୍କୁ ଧମକ ଦେଇ କହିଥିଲେ ଯେ ଯଦି ସେ କାହାକୁ କୁହନ୍ତି, ତେବେ ତୁମକୁ ମାରିଦିଆଯିବ  ।

ଯଦି ମୃତକଙ୍କ ମାଆଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଭରତଙ୍କ ସ୍ତ୍ରୀ ରାଜଶ୍ରୀଙ୍କ ପ୍ରେମ ସମ୍ପର୍କ ପ୍ରାୟ ଗୋଟିଏ ବର୍ଷ ଧରି ଚାଲିଥିଲା। ଅଭିଯୁକ୍ତ ଚନ୍ଦ୍ରଶେଖର ଏବଂ ରାଜଶ୍ରୀଙ୍କ ମଧ୍ୟରେ ଗୋଟିଏ ବର୍ଷ ଧରି ଗୁପ୍ତରେ ପ୍ରେମ ସମ୍ପର୍କ ଥିଲା। ରାଜଶ୍ରୀ ରାତିରେ ଗୁପ୍ତରେ କଥା ହେଉଥିଲେ। ଯେତେବେଳେ ତାଙ୍କ ସ୍ୱାମୀ ଏହା ଜାଣିବାକୁ ପାଇଲେ, ଭରତ ଏହାକୁ ବିରୋଧ କରିଥିଲେ। ତା’ପରେ ରାଜଶ୍ରୀ ଭରତଙ୍କୁ କହିଥିଲେ ଯେ ସେ ତାଙ୍କ ମୋବାଇଲରୁ ଚନ୍ଦ୍ରଶେଖରଙ୍କୁ ବ୍ଲକ୍ କରିଦେଇଛନ୍ତି , କିନ୍ତୁ ପରେ ଜଣାପଡିଲା ଯେ ରାଜଶ୍ରୀ ପ୍ରେମିକାଙ୍କ ମୋବାଇଲ ନମ୍ବର ପୂଜା ନାମରେ ସେଭ୍ କରିଥିଲେ।

ଜୁଲାଇ ୧୨ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ, ଯେତେବେଳେ ପ୍ରେମିକ ଚନ୍ଦ୍ରଶେଖରଙ୍କ ଫୋନ୍ ରାଜଶ୍ରୀଙ୍କ ଫୋନ୍‌ରେ ଆସିଲା, ସେତେବେଳେ ଭରତଙ୍କର ଏହି କଥାକୁ ନେଇ ତାଙ୍କ ସହିତ ଝଗଡ଼ା ହୋଇଥିଲା। ସେହି ସମୟରେ ଘରେ ଭରତର ବଡ଼ ଝିଅ ଏବଂ ଦୁଇ ସାନ ପୁଅ ଉପସ୍ଥିତ ଥିଲେ। ଝଗଡ଼ା ପରେ ପତ୍ନୀ ରାଜଶ୍ରୀ ତାଙ୍କ ପ୍ରେମିକଙ୍କୁ ଡାକି କହିଲେ, ଭରତଙ୍କୁ ବାହାରକୁ ଡାକି ପିଟ  । ଏମିତି ପିଟ ସେ ଯେମିତି କରିଯିବ ନାହିଁ ତ ସେଜରେ ପଡିରହିବ  ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଭରତଙ୍କ ଝିଅ ଶ୍ରେୟା ପୋଲିସକୁ କହିଛନ୍ତି ଯେ ଯେତେବେଳେ ମା ୧୨ ଜୁଲାଇରେ ଚନ୍ଦ୍ରଶେଖରଙ୍କୁ ଡାକିଥିଲେ, ସେତେବେଳେ ମା ବାପାଙ୍କ ସହିତ ବାହାରକୁ ଯାଇଥିଲେ  । ସେଠାରେ ଶୌଚାଳୟ ପାଖରେ ଚନ୍ଦ୍ରଶେଖର ଏବଂ ତାଙ୍କ ଭାଇ ରଙ୍ଗା ମିଶି ମୋ ବାପାଙ୍କୁ ଲାତ ଏବଂ ମୁଠା ମାରିଥିଲେ। ସେମାନେ ତାଙ୍କୁ ଏତେ ପିଟିଥିଲେ ଯେ ବାପାଙ୍କ ପେଟର ଶିରା ଫାଟି ଯାଇଥିଲା। ଛାତିର ହାଡ଼ ଭାଙ୍ଗି ଯାଇଥିଲା। ସେହି ସମୟରେ ମୋ ମାଆ ପାଖରେ ଠିଆ ହୋଇଥିଲେ ଏବଂ ତାଙ୍କୁ ଆହୁରି ମାଡ଼ ମାରିବାକୁ କହିଥିଲେ। ମୁଁ କିଛି ଦୂରରେ ଠିଆ ହୋଇଥିଲି। ଯେତେବେଳେ ମୁଁ ଶୁଣିଲି ଯେ ମୋ ମାଆ ବାପାଙ୍କୁ ବହୁତ ମାଡ଼ ମାରିବାକୁ କହୁଛନ୍ତି, ମୁଁ ଭୟଭୀତ ହୋଇ ଘରକୁ ଦୌଡ଼ିଗଲି। ଏହି ଘଟଣା ରାତି ପ୍ରାୟ ୧୧ଟାରେ ଘଟିଥିଲା।

ଝିଅକୁ ଭୟଭୀତ କରି ସେ ଚିକିତ୍ସା ନକରି ଭରତକୁ ୩ ଦିନ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲେ। ୩ଦିନ ପରେ ଭରତ ହଠାତ୍ ବାନ୍ତି କରି ଚେତାଶୂନ୍ୟ ହୋଇଗଲେ, ଯାହା ପରେ ଶ୍ରେୟା ତାଙ୍କ କାକାଙ୍କ ପୁଅକୁ ଏ ବିଷୟରେ ଜଣାଇଥିଲେ। କାକାଙ୍କ ପୁଅ ତାଙ୍କ ବାପାଙ୍କୁ କହିଥିଲେ। ଏହା ପରେ, ୧୬ ଜୁଲାଇରେ ଭରତଙ୍କୁ ଡିଏନଏ ସୁପର ସ୍ପେଶାଲିଟି ହସ୍ପିଟାଲ ପଠାଣୱାଡି ମଲାଡ ପୂର୍ବରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଭରତର ଚିକିତ୍ସା ଆରମ୍ଭ ହୋଇଥିଲା। ଚିକିତ୍ସା ସମୟରେ ୫ ଅଗଷ୍ଟ ସକାଳେ ଭରତ ଆହିରେଙ୍କ ମୃତ୍ୟୁ ହୋଇଥିଲା।

ମାଆ କହିଥିଲେ ଯେ ଯେତେବେଳେ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ମଧ୍ୟ ବୋହୂ ରାଜଶ୍ରୀ ହସ୍ପିଟାଲକୁ ଯାଇଥିଲେ ଏବଂ ଆଇସିୟୁରେ ଭାରତଙ୍କୁ କହିବାକୁ ବାଧ୍ୟ କରୁଥିଲେ ଯେ ସେ ବାଇକରୁ ପଡ଼ିଯାଇଛନ୍ତି। ମୋତେ କେହି ମାରି ନାହାନ୍ତି। ଯଦି ତୁମେ କାହାକୁ କୁହ ଯେ ଆମେ ତୁମକୁ ମାରି ଦେଇଛୁ, ତେବେ ମୁଁ ତୁମର ତିନି ପିଲାଙ୍କୁ ମାରିଦେବି। ପିଲାମାନଙ୍କ ଯୋଗୁଁ ଭରତ ଭୟଭୀତ ହୋଇଗଲା ଏବଂ କିଛି ଦିନ ପର୍ଯ୍ୟନ୍ତ ପୋଲିସ ଏବଂ ପରିବାରକୁ କିଛି କହିଲା ନାହିଁ, କିନ୍ତୁ କିଛି ଦିନ ପରେ ସେ ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟ ବିଷୟରେ ସମସ୍ତଙ୍କୁ କହିଲା। ଆରେ ପୋଲିସ ଏହି ମାମଲାରେ ହତ୍ୟା ଏବଂ ଷଡ଼ଯନ୍ତ୍ରର ମାମଲା ରୁଜୁ କରି ଫେରାର୍ ପତ୍ନୀଙ୍କୁ ଗିରଫ କରିଥିଲା। ତଥାପି, ତାଙ୍କ ପ୍ରେମିକ ଏପର୍ଯ୍ୟନ୍ତ ଫେରାର୍ ଅଛି।

୮ ବର୍ଷ ପୂର୍ବେ ନିଖୋଜ ହୋଇଗଲେ ନାବିକ, ଏବେ ତଦନ୍ତ କରିବ ସିବିଆଇ

ନନ୍ଦିଘୋଷ ବ୍ୟୁରୋ : କେରଳରୁ ନାବିକ ନିଖୋଜ ମାମଲାର ତଦନ୍ତ କରିବ ସିବିଆଇ । ଅଭିନନ୍ଦ ୟେସୁଦାସନଙ୍କ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଛି। ଅଭିନନ୍ଦ ଆଠ ବର୍ଷ ପୂର୍ବେ ଏକ ଜାହାଜରୁ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ, ଯେଉଁଠାରେ ସେ ପାଇପ୍ ଫିଟର ଭାବରେ କାମ କରୁଥିଲେ। କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଫେଡେରାଲ୍ ଏଜେନ୍ସି ତଦନ୍ତ ଦାୟିତ୍ୱ ନେଇଥିଲା, ଯାହା ନାବିକଙ୍କ ପିତା ୟେସୁଦାସନଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରୁଥିଲା। କେରଳର କୋଲ୍ଲମର ବାସିନ୍ଦା ଅଭିନନ୍ଦନ ୟୁଏଇର ଶାରଜାହସ୍ଥିତ ଏକ କମ୍ପାନୀ ଏରିଜ୍ ମାରିନ୍ସ ଏଲଏଲସିରେ ଚାକିରି କରୁଥିଲେ। ଚାକିରି ସମୟରେ, ସେ ୨୧ ମାର୍ଚ୍ଚ ୨୦୧୭ରେ ମିଶରରୁ ସାଉଦି ଆରବର ଜେଦ୍ଦାହ ଯାତ୍ରା କରୁଥିବା ସମୟରେ ଜାହାଜରୁ ନିଖୋଜ ହୋଇଯାଇଥିଲେ।

ତାଙ୍କ ବାପା ଅଭିଯୋଗରେ ରାଜ୍ୟ ପୋଲିସକୁ କହିଥିଲେ ଯେ ଅଭିନନ୍ଦ ମିଶର ଓ ତୁର୍କୀରୁ ଫୋନରେ ପରିବାର ସହିତ ଅନେକ ଥର ଯୋଗାଯୋଗ କରିଥିଲେ  । ସେ ବହୁତ ଖୁସି ଜଣାପଡୁଥିଲେ। ତାଙ୍କ ବାପା ଅଭିଯୋଗ କରିଥିଲେ ଯେ ୧୭ ମାର୍ଚ୍ଚ, ୨୦୧୭ରେ ସେ ପରିବାରକୁ କହିଥିଲେ ଯେ ତାଙ୍କର ଅନ୍ୟ ସହକର୍ମୀମାନେ ତାଙ୍କର କାର୍ଯ୍ୟ ଅଭିଜ୍ଞତା ଅଭାବରୁ ତାଙ୍କୁ ହଇରାଣ କରୁଛନ୍ତି। ଅଭିନନ୍ଦ ପରିବାରକୁ କହିଥିଲେ ଯେ ତାଙ୍କ ସୁପରଭାଇଜର ତାଙ୍କୁ ନିର୍ମମ ଭାବରେ ନିର୍ଯାତନା ଦେଉଛନ୍ତି  । ଏହା ତାଙ୍କର ଶେଷ କଥା ଥିଲା । ପାସପୋର୍ଟ ଯାଞ୍ଚର ସମୟ ହୋଇଗଲା ବୋଲି କହି ଅଭିନନ୍ଦ କଲ୍ କାଟି ଦେଇଥିବା  ତାଙ୍କ ବାପା କହିଛନ୍ତି।

ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ, କେରଳ ପୋଲିସ ଇଟାଲୀୟ ନୌସେନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଦ୍ଧୃତ କରି ଏକ ବିସ୍ତୃତ ତଦନ୍ତ କରିବାରେ ଏହାର ସୀମା ବୁଝାଇଛି। ସୁପ୍ରିମକୋର୍ଟ କହିଥିଲେ ଯେ ସ୍ଥଳଭାଗରୁ ୧୨ ନଟିକାଲ ମାଇଲ ବାହାରେ ଘଟିଥିବା ଅପରାଧର ତଦନ୍ତ କରିବା ପାଇଁ ରାଜ୍ୟ ପୋଲିସର କୌଣସି ଆଞ୍ଚଳିକ ଅଧିକାର ନାହିଁ।

ଏଥିରେ କୁହାଯାଇଛି ଯେ ଅଭିନନ୍ଦ ବାହାମାସର ପତାକା ତଳେ ଅନ୍ତର୍ଜାତୀୟ ଜଳସୀମାରେ ଥିବା ଏକ ଜାହାଜରୁ ନିଖୋଜ ହୋଇଯାଇଥିଲେ, ତେଣୁ ଜାହାଜରେ ଥିବା ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଅପରାଧ, ଯଦି କୌଣସି ଥାଏ, ତାହା କେବଳ ବାହାମାସ ଆଇନ ଅନୁଯାୟୀ ବିଚାର କରାଯିବା ଉଚିତ। ଯେହେତୁ ଭାରତ ସଂଘର ବାହାମାସ ସହିତ କୌଣସି ଏମଏଲଏଟି ନାହିଁ, ତେଣୁ ଏହି ମାମଲାରେ ଇଣ୍ଟରପୋଲର ସହାୟତା ନିଆଯାଇପାରିବ ନାହିଁ । ଡିଟେକ୍ଟିଭ୍ ଇନ୍ସପେକ୍ଟରଙ୍କ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି।

ଏଥିରେ କୁହାଯାଇଛି ଯେ ଇଣ୍ଟରପୋଲ୍ ଚ୍ୟାନେଲଗୁଡ଼ିକୁ ଯାଞ୍ଚ କରାଯାଇଥିଲା ଏବଂ ୟୁଏଇ ଏବଂ ସାଉଦି ଆରବର ନ୍ୟାସନାଲ୍ ସେଣ୍ଟ୍ରାଲ୍ ବ୍ୟୁରୋ ପୂର୍ବରୁ ଜଣାଇ ଦେଇଥିଲେ ଯେ ସେମାନଙ୍କ ପାଖରେ ଏହି ଘଟଣା ବିଷୟରେ କୌଣସି ସୂଚନା ନାହିଁ  । NCB କାଏରୋ ସୂଚନା ପାଇଁ ଏକ ଅନୁରୋଧ ପତ୍ର ମାଗିଛି। ପୋଲିସ କହିଛି ଯେ ଏହି ମାମଲାରେ ବାହାମାସର ବୟାନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।

ଜଷ୍ଟିସ୍ ପିଭି କୁନ୍ହିକ୍ରିଷ୍ଣନ୍ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ସମୟରେ ତାଙ୍କ ଆଦେଶରେ କହିଛନ୍ତି, ଯଦି ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଇପାରିବ ନାହିଁ । ତେବେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ ହେଉଛି ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଏହାର ନିଷ୍କର୍ଷରେ ପହଞ୍ଚିବା।

ବିଳିବିଳେଇଲେଣି ଅସୀମ ମୁନିର୍ : କହିଲେ, ପୁଅ ସହିଦ ହେଲେ ଭାରତ ବିରୁଦ୍ଧରେ ଲଢିବ ନାତି

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୁର ପରେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ବିଳିବିଳେଇଲେଣି । ସମସ୍ତ ଏୟାରବେସ ନଷ୍ଟ ହେବା ପରେ ମଧ୍ୟ ବିଶ୍ୱ ସମ୍ମୁଖରେ ତାଙ୍କର ସାହସିକତା ବଖାଣିଛନ୍ତି। ଯୁଦ୍ଧ ପରେ ସେ ଦୁଇଥର ଆମେରିକା ଗସ୍ତ କରିଛନ୍ତି  ।  ସେହି ସମୟରେ, ବ୍ରସେଲ୍ସରେ, ସେ ଏବେ ନିଜକୁ ଶାନ୍ତିର ଦୂତ ବୋଲି କହୁଛନ୍ତି  । ଏପରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପୁଅ ଭାରତ ସହିତ ଲଢ଼ିବ ଏବଂ ଯଦି ସେ ସହିଦ ହୁଅନ୍ତି, ତେବେ ତାଙ୍କ ନାତି ଲଢ଼ିବ। କେବଳ ଏତିକି ନୁହେଁ, ମୁନିର ପୁଣି ଥରେ କାଶ୍ମୀର ବିଷୟରେ କାନ୍ଦି ପକାଇଛନ୍ତି । ଏହାକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ବୋଲି କହିଛନ୍ତି।

ବ୍ରସେଲ୍ସ ରେ ପାକିସ୍ତାନୀମାନଙ୍କ ସହ କଥାବାର୍ତ୍ତା ସମୟରେ ଅସୀମ ମୁନିର ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ନେତା ହେବାରେ କୌଣସି ଆଗ୍ରହ ନାହିଁ। ପ୍ରକୃତରେ, ପାକିସ୍ତାନରେ ଏକ ଆଲୋଚନା ଚାଲିଛି ଯେ ମୁନିର ଦେଶରେ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଏହା ଦେଶରେ ଏକ ସାଧାରଣ କଥା। ଲୋକମାନେ ଭାବୁଛନ୍ତି ଯେ ସେ ଯେକୌଣସି ସମୟରେ ବିଦ୍ରୋହ କରି କ୍ଷମତା ଆସନରେ ବସିବେ ଏବଂ ଶାହବାଜ ସରିଫଙ୍କୁ ଚୌକିରୁ ହଟାଇବା ପାଇଁ ଅଧିକ ସମୟ ଲାଗିବ ନାହିଁ।

ମୁନିର ବ୍ରସେଲ୍ସରେ ମଧ୍ୟ ଟ୍ରମ୍ପଙ୍କୁ ପ୍ରଶଂସା କରି କହିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ଜଣେ ଶାନ୍ତି ସ୍ଥାପନକାରୀ ଏବଂ ଶାନ୍ତି ପ୍ରେମୀ। ପାକିସ୍ତାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି। ପ୍ରଥମ ଶ୍ରେୟ ପାକିସ୍ତାନକୁ ଯାଏ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ପାକିସ୍ତାନର ସେନାମୁଖ୍ୟ, ନିଜର ଜ୍ଞାନର ପ୍ରଦର୍ଶନ କରି ଦାବି କରିଛନ୍ତି ଯେ ବିଶ୍ୱରେ ଏକ ଜଙ୍ଗଲ ରାଜ ଚାଲିଛି।

ସେ କହିଥିଲେ ଯେ ବିଶ୍ୱରେ କୌଣସି ଆଇନ ନାହିଁ। ଜଙ୍ଗଲ ରାଜର ଆଇନ ପ୍ରଚଳିତ। ଯଦି ଆପଣଙ୍କ ପାଖରେ କ୍ଷମତା ଅଛି, ତେବେ ବିଶ୍ୱ ଆପଣଙ୍କୁ ସମ୍ମାନ କରିବ ଏବଂ ଗ୍ରହଣ କରିବ ଏବଂ ଆପଣଙ୍କୁ ଜାଣିବ। ଆମେ ଶାନ୍ତିରେ ବିଶ୍ୱାସ କରୁଥିବା ଲୋକ, କିନ୍ତୁ ଯଦି କେହି ଆମ ସହିତ ଲଢ଼େ, ତେବେ ଆମେ ତାଙ୍କୁ ଛାଡିବୁ ନାହିଁ। ମୁନିର କାଶ୍ମୀର ବିଷୟରେ କହିଥିଲେ, କାଶ୍ମୀର ଭାରତର ସମ୍ପତ୍ତି ନୁହେଁ, କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ନୁହେଁ, ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ। ସେ ଦାବି କରିଥିଲେ ଯେ ତାଙ୍କ ପୁଅ ଭାରତ ବିରୁଦ୍ଧରେ ଲଢ଼ିବ ଏବଂ ଯଦି ସେ ସହିଦ ହୁଅନ୍ତି, ତେବେ ତାଙ୍କ ନାତି ଲଢ଼ିବ। ଏହି ସମୟରେ, ବ୍ରସେଲ୍ସରେ ଅସୀମ ମୁନିରଙ୍କ ବିରୁଦ୍ଧରେ ମଧ୍ୟ ଏକ ଏଫଆଇଆର ରୁଜୁ ହୋଇଛି।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର : ଆସନ୍ତା କାଲି ଉତ୍ତର ପଶ୍ଚିମ ତଥା ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷାର ସମ୍ଭାବନା I ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା। ଆସନ୍ତାକାଲି ଉତ୍ତର ପଶ୍ଚିମ ତଥା ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷାର ସମ୍ଭାବନା ରହିଛି ।ଆସନ୍ତା ୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ଜାରି ହେଲା ୟେଲୋ ଆଲର୍ଟ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମୟୁରଭଂଜ, କେଉଁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ,ରାୟଗଡ଼ା।ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି ।  ଆଜିଠାରୁ ରାଜ୍ୟରେ ବଢିବ ବର୍ଷା ପରିମାଣ ଓ ବିସ୍ତୃତି  । ୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏପଟେ ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ  ୬୫୩.୬ ମିମୀ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା, ୪ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।