spot_img
Home Blog Page 3199

ସମ୍ପର୍କୀୟଙ୍କ ବାହାଘର ସାରି ଫେରୁଥିଲେ ସପରିବାର; ରାସ୍ତାରେ ଜଗିଥିଲା ମୃତ୍ୟୁ

ବଲାଙ୍ଗିର : ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେଇ ଫେରୁଥିଲେ ସପରିବାର । ରାସ୍ତାରେ ଜଗିଥିଲା ମୃତ୍ୟୁ । ବଲାଙ୍ଗୀର-ସମ୍ବଲପୁର NH୨୬ ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଶିଶୁ ରହିଛନ୍ତି  ।

ବଲାଙ୍ଗିର ସହର ଜଗନ୍ନାଥପଡାର ଆତ୍ମଜ ନାଏକ, ମା ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ , ଇପ୍ସିତାଙ୍କ ଝିଅ ରିଆ, ସଦାଇପାଲିର ଦିପ୍ତିରଞ୍ଜନ ସାଏ, ଦିପ୍ତିରଞ୍ଜନଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରିନିକା ସୀମନ୍ତିନୀ ସାଏ ମୋଟ୍ ୭ଜଣ ଆଗଲପୁର ବ୍ଲକ ଡୁଡୁକାରୁ ସମ୍ପର୍କୀୟ ବାହାଘର ସାରି ବଲାଙ୍ଗିର ଫେରୁଥିଲେ  ।

ରାତି ପ୍ରାୟ ୧୧ଟାରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା  । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ  । ଆତ୍ମଜ, ଇପ୍ସିତା, ଶ୍ରୀନିକା, ଦୀପ୍ତିରଞ୍ଜନ ଓ ରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତଙ୍କ ଅବସ୍ଥା ଗୁରୁତର ରହିଛି  । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।

ସ୍ୱାଭାବିକଠାରୁ ୬ରୁ ୮ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର :  ଜଳୁଛି ପଶ୍ଚିମ, ପୁଣି ତାତିବ ଉପକୂଳ । ସ୍ବାଭାବିକଠାରୁ ୬ରୁ ୮ଡିଗ୍ରୀ ଉପରେ ରହିବ ପାରଦ। ସିଭିୟର ହିଟଓ୍ବେଭ ପାଇଁ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବି ରାଜ କରିବ ତାତି । ୧୬ ତାରିଖରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ୯ ଜିଲ୍ଲାର ତାପମାତ୍ରା । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା ।

ଉପକୂଳ ଓଡ଼ିଶାରେ ଘାତକ ସାଜିବ ତାତି ସହ ଉଚ୍ଚ ଆର୍ଦ୍ରତା । ତେବେ ଉପକୂଳ ଓଡ଼ିଶାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆକାଶ ମେଘାଛନ୍ନ ରହିବା ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିଛି । ଉପକୂଳକୁ ଆଶ୍ବସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତିର ଅଘୋଷିତ କର୍ଫ୍ୟୁ ।

ଦିନ ୧୧ଟା ପରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ସିଭିୟର ହିଟ୍ଓ୍ବେଭ୍ ପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଏବଂ ସୁନ୍ଦରଗଡକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ବାଲେଶ୍ବର, ମୟୁରଭଞ୍ଜ ଏବଂ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ୭ଜିଲ୍ଲାକୁ ଅରେଞ୍ଜ ଏବଂ ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତାତିର ସର୍ବାଧିକ ପ୍ରଭାବ ୧୬ ଏବଂ ୧୭ ତାରିଖରେ ପଡିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ୧୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ଆସନ୍ତା ମାସ ୬ ତାରିଖରେ ହେବ ଭାରତୀୟ କୁସ୍ତି ସଂଘର ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫଆଇ)ର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ୬ ଜୁଲାଇରେ ସମସ୍ତ ପଦ ପାଇଁ ନିର୍ବାଚନ ହେବ । ଏହିଦିନ ହିଁ ଫଳାଫଳ ଘୋଷଣା ହେବ । ନିର୍ବାଚନ ସମୟରେ ସମସ୍ତଙ୍କ ନଜର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ସମ୍ପର୍କୀୟଙ୍କ ଉପରେ ରହିବ । ଯୌନ ନିର୍ଯାତନା ମାମଲାରେ ଫସିଥିବା ବ୍ରିଜଭୂଷଣ ଶରଣ ସିଂହ ନିର୍ବାଚନଠୁ ଦୂରେଇ ରହିବେ, କିନ୍ତୁ ତାଙ୍କ ସାଥିମାନେ ଏଥିରେ ଭାଗ ନେଇପାରନ୍ତି । ଭାରତର ଟପ୍ କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ କୁସ୍ତିସଂଘର ନିର୍ବାଚନ ପାଇଁ ଏବଂ ଅଧ୍ୟକ୍ଷ ବ୍ରିଜଭୂଷଣ ସମେତ ଅନ୍ୟ ପଦାଧିକାରୀଙ୍କୁ ହଟାଇବା ବିରୋଧରେ ଲଗାତାର ପ୍ରଦର୍ଶନ କରିଆସୁଥିଲେ । କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ସହିତ ଟିମର କିଛି କୋଚଙ୍କ ଉପରେ ଯୌନ ନିର୍ଯାତନାର ଆରୋପ ଲଗାଇଥିଲେ ।

ଦେଶର ଶୀର୍ଷ କୁସ୍ତିଯୋଦ୍ଧାମାନେ ୧୩୮ ଦିନ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରିଆସୁଥିଲେ । ନିକଟକରେ ସେମାନେ ୧୫ ଜୁନ ପର୍ଯ୍ୟନ୍ତ ଆନ୍ଦୋଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଖେଳମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ହୋଇଥିବା ବୈଠକରେ ମଧ୍ୟ ଏମାନେ କିଛି ଦାବି ରଖିଥିଲେ । ଏହି ଦାବି ଉପରେ ସହମତି ହେବା ପରେ ୧୫ ଜୁନ ପର୍ଯ୍ୟନ୍ତ ଧାରଣା ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । ଏହି ଦାବି ମଧ୍ୟରେ ବ୍ରିଜଭୂଷଣଙ୍କ ପରିବାରର କୌଣସି ସଦସ୍ୟ ବା ତାଙ୍କ ସହଯୋଗୀ ମହାସଂଘ ନିର୍ବାଚନ ଲଢିବେନାହିଁ ସାମିଲ ଅଛି । ତେବେ ଦେଖିବାକୁ ବାକି ରହିଲା ଯେ ନିର୍ବାଚନ ପାଇଁ ବ୍ରିଜଭୂଷଣଙ୍କ ସହ ସମ୍ବନ୍ଧିତ କେତେ ଲୋକ ନାମାଙ୍କନ ଭରୁଛନ୍ତି । ବ୍ରିଜଭୂଷଣଙ୍କ ପୁଅ କରଣଭୂଷଣ ସିଂହ କୁସ୍ତି ମହାସଂଘରେ ଉପାଧ୍ୟକ୍ଷ ଅଛନ୍ତି, ସେହିପରି ତାଙ୍କ ଜ୍ୱାଇଁ ବିଶାଲ ସିଂହ ବିହାର କୁସ୍ତି ସଂଘର ଅଧ୍ୟକ୍ଷ ଅଛନ୍ତି ।

ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ, ସ୍ୱୟଂଶକ୍ତି ତ୍ରିପାଠୀ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷା ଫଳ ଜାରି କରିଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡରଗ୍ରାଜୁଏଟ ମେଡିକାଲ କୋର୍ସରେ ଆଡମିଶନ ପାଇଁ ନିଟ୍ ୟୁଜିର ପ୍ରବେଶିକା ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀମାନେ ଏବେ ନିଟ୍ ୟୁଜିର ଅଫିସିଆଲ ୱେବସାଇଟ୍ neet.nta.nic.in ମାଧ୍ୟମରେ ନିଜର ସ୍କୋରକାର୍ଡ ଚେକ୍ ଏବଂ ଡାଉନଲୋଡ କରିପାରିବେ । ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି ।

ଉଭୟ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି । ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ପରୀକ୍ଷାର୍ଥୀ ରହିଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ସ୍ବୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି । ସେହିପରି ଟପ୍‌ ୨୦ ମହିଳା ପରୀକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି । ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ମଧ୍ୟ ମହିଳାଙ୍କ ମଧ୍ୟରେ ସେ ଟପ୍‌ ୨୦ରେ ରହିଛନ୍ତି । ଉତ୍ତର ପ୍ରଦେଶର ସର୍ବାଧିକ ପିଲା ନିଟ୍‌ ୟୁଜିରେ ପାସ୍‌ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟରେ ରାଜସ୍ଥାନ ରହିଛି । ଏନଟିଏ କହିଛି ଯେ ମୋଟ ୨୦.୩୮ ଲକ୍ଷ ପିଲାଙ୍କ ମଧ୍ୟରୁ ୧୧.୪୫ ଲକ୍ଷ ପିଲା ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି ।

ଉତ୍ତର ପ୍ରଦେଶରୁ ସର୍ବାଧିକ ୧.୩୯ ଲକ୍ଷ, ମହରାଷ୍ଟ୍ରରେ ୧.୩୧ ଲକ୍ଷ ଓ ରାଜସ୍ଥାନର ୧ ଲକ୍ଷରୁ ଅଧିକ ପିଲା ନିଟ୍‌-ୟୁଜି କ୍ୱାଲିଫାଏ କରିଛନ୍ତି । ନିଟରେ ଚଳିତ ବର୍ଷ ୫୬.୨୧ ପ୍ରତିଶତ ବିଦ୍ୟାର୍ଥୀ ପାସ୍ ହୋଇଛନ୍ତି । ନିଟ ୟୁଜିର କଟଅଫ୍ ଚଳିତଥର ୭୨୦-୧୩୭ ପର୍ଯ୍ୟନ୍ତ ପହଞ୍ଚିଛି । ଗତ ଥର ଏହି କଟଅଫ୍ ୭୧୫-୧୧୭ ଥିଲା । ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ୟୁଜି ୨୦୨୩ ଚଳିତଥର ଭାରତ ବାହାରେ ୧୪ ଟି ସହର ସମେତ ସାରା ଦେଶର ୪୯୯ ସହରରେ ଥିବା ୪୦୯୭ ବିଭିନ୍ନ କେନ୍ଦ୍ରରେ ଆୟୋଜିତ କରାଯାଇଥିଲା । ୭ ମଇରେ ଆୟୋଜିତ ହୋଇଥିବା ନିଟ୍ ୟୁଜି ପରୀକ୍ଷାରେ ୯୭.୭ ପ୍ରତିଶତ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ ।

ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ନୟାନ୍ତ କଲାଣି ଗ୍ୟାସ ଦର ବୃଦ୍ଧି । ଦର ହାସ ପାଇଁ ବାରମ୍ବାର ଦାବି କରାଗଲେ ସୁଦ୍ଧା କେନ୍ଦ୍ରସରକାର ନିରବ ରହୁଛନ୍ତି । ଏନେଇ ଆସନ୍ତା କାଲି ସକାଳ ୧୦ଟାରୁ ରାଜଭବନ ସମ୍ମୁଖରେ ବିଜୁଜନତା ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି । ୨୦୧୪ ମସିହାରେ ଯେଉଁ ରନ୍ଧନଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧ ଶହ ୩୦ ଟଙ୍କାରେ ପହଞ୍ଚିଛି । ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢିଗଲାଣି ।

ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି । ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମକରୁଥିବା ବିଜୁ ଜନତାଦଳ ତୁରନ୍ତ ଏଲ୍‍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବିକରି ଆସୁଛି । ହେଲେ କେନ୍ଦ୍ରସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏଭଳି ଦରବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ଆସନ୍ତା କାଲି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ । ଯଦି କେନ୍ଦ୍ରସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନକରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁସ୍ତରରେ କରିବ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

କୋଣଠେସା ବିଜେପି ନେତା ହତାଶିଆ ବିବୃତ୍ତି ଦେଉଛନ୍ତି: ବିଜେଡି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନିଜ ଦଳ ଦ୍ୱାରା କୋଣଠେସା ହୋଇଥିବା ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା କିଭଳି ଈର୍ଷାନ୍ୱିତ ଓ ନିରାଶ ହୋଇପଡିଛନ୍ତି ତାହା ଆଜି ସେ ଦେଇଥିବା ବିବୃତ୍ତିରୁ ଜଣାପଡି ଯାଉଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର ଟୁଇଟ୍‍ କରି ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ରାଜ୍ୟ ସରକାର ଭଲ କାମ କରୁଛନ୍ତି ଏବଂ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ସେତେବେଳେ ଏହି ନେତା ଜଣଙ୍କ କାହିଁକି ଭୟଭୀତ ହେଉଛନ୍ତି ଓ ଈର୍ଷା କରୁଛନ୍ତି? ଏହି ନେତା କହିପାରିବେ କି ଗତ କିଛି ବର୍ଷ ମଧ୍ୟରେ ଓଡିଶାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁସନ୍ ଅଫ୍ ଏମିନେନ୍ସ ପ୍ରତିଷ୍ଠା କରାଯାଇଛି? ଗତ ନଅ ବର୍ଷ ମଧ୍ୟରେ ସମ୍ବଲପୁରରୁ କଟକ ଏବଂ ଡୁବୁରୀରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି ।

ଏହି ଜାତୀୟ ରାଜପଥଗୁଡିକର ନିର୍ମାଣ ସାରିବା ପାଇଁ ଏହି ନେତା ଜଣଙ୍କ କ’ଣ କରିଛନ୍ତି? ଏହା ବଦଳରେ ଏହି ନେତା ଓଡ଼ିଶାର ଲୋକଙ୍କୁ ଆଇନହୀନ ବୋଲି କହି ଅପମାନିତ କରନ୍ତି ଏବଂ ଓଡିଶା ବିଜେପିରେ ଥିବା ତାଙ୍କରି ନେତାମାନେ ମିଶନ ଶକ୍ତିର ମହିଳା ଏସଏଚଜି ସଦସ୍ୟ ତଥା ସାଧାରଣ ଜୀବନରେ କାମ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଅପମାନିତ କରନ୍ତି । ତାଙ୍କ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କିଛି ଟୁଇଟ୍‍ ମଧ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ସେ ହୁଏତ ଜାଣି ନଥିବେ ଆଜି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ କ’ଣ ଟୁଇଟ୍‍ କରାଯାଇଛି । ଆମେ ଶୁଣୁଛୁ ଯେ ଏହି ଟୁଇଟ୍‍ର ହ୍ୟାଣ୍ଡେଲର ପାସୱାର୍ଡ ତାଙ୍କ ପାଖରେ ନାହିଁ ଏବଂ ଏହି ନେତାଙ୍କ ଦ୍ୱାରା ଯାହା ସ୍କ୍ରିପ୍ଟ ହେଉଛି ତାହା ଶ୍ରୀ ମହାନ୍ତିଙ୍କ ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରାଯାଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଓଡ଼ିଶା ମିଲେଟ୍‌ ମିଶନର ପୋଷଣୀୟ ଭବିଷ୍ୟତର ରୂପରେଖ ନେଇ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶା ମିଲେଟ୍‌ ମିଶନର ଉଦ୍ଦେଶ୍ୟ କେବଳ ମାଣ୍ଡିଆର ଉପକାରିତା ଓ ଲାଭ ନିମନ୍ତେ ଏହାକୁ ପ୍ରୋତ୍ସାହିତ କରିବା ନୁହେଁ । ବୃଷ୍ଟିପୁଷ୍ଟ ଉଚ୍ଚ ଜମିର ଚାଷୀମାନଙ୍କୁ ସମାନ ସୁଯୋଗ ଓ ନ୍ୟାୟ ପ୍ରଦାନ ନୀତିରେ ଓଡ଼ିଶା ମିଲେଟ୍‌ ମିଶନ କାର୍ଯ୍ୟକରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି । କୃଷି ଭବନଠାରେ ଓଡ଼ିଶା ମିଲେଟ୍‌ ମିଶନ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ସେଣ୍ଟର ଫର ସଷ୍ଟେନେବୁଲ୍‌ ଏଗ୍ରିକଲଚରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା ମିଲେଟ୍‌ ମିଶନର ପୋଷଣୀୟ ଭବିଷ୍ୟତର ରୂପରେଖ ପ୍ରଦାନ ସଂପର୍କିତ ଏକ କର୍ମଶାଳାରେ ଉଦ୍‌ବୋଧନ ଦେଇ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମିଲେଟ୍‌କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ ।

ବ୍ୟବସ୍ଥାର ରୂପାନ୍ତରଣ ଦିଗରେ ଓଡ଼ିଶା ମିଲେଟ୍‌ ମିଶନର ନେତୃତ୍ୱ ପ୍ରଦାନ ଓ ଚାଷୀମାନଙ୍କୁ ଭିତ୍ତିଭୂମିର ସହାୟତା ଯୋଗାଇଦେବା ସଂପର୍କରେ ଡ. ପାଢ଼ୀ ଆଲୋଚନା କରିଥିଲେ । ୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ସୋନାଲ ଚୌଧୁରୀ ଓ ସିଏସ୍‌ଏର ଡ. ରମଣ ଜାନେୟୁଲୁ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିବା ସହିତ କର୍ମଶାଳାରେ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ଉପସ୍ଥାପନ କରିଥିବାବେଳେ ଅଂଶୀଦାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ତର୍ଜମା କରାଯାଇ ମିଶନକୁ ଅଧିକ ଫଳପ୍ରଦ କରାଯିବ ବୋଲି ଡ. ପାଢ଼ୀ କହିଥିଲେ । କର୍ମଶାଳାରେ ଓଡ଼ିଶା ମିଲେଟ୍‌ ମିଶନ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ସଂପର୍କରେ ସମୀକ୍ଷା କରାଯାଇ ଏହାର ପୋଷଣୀୟ ପ୍ରଦର୍ଶନ ନିମନ୍ତେ ଉପଲବ୍ଧ ତଥ୍ୟର ବିଶ୍ଳେଷଣ, ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଯୋଗାଣ ଶୃଙ୍ଖଳ, ଉତ୍ତମ ପ୍ରଥାର ସମୀକ୍ଷା ଏବଂ ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ବ୍ୟବସାୟିକ ମଡେଲ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।

ଓଡ଼ିଶା ମିଲେଟ୍‌ ମିଶନ କାର୍ଯ୍ୟକାରୀ ହେବା ପୂର୍ବରୁ ମିଲେଟ୍‌ର ମୂଲ୍ୟଶୃଙ୍ଖଳର ବିଭିନ୍ନ ଦିଗ ଉପରେ କୌଣସି ଜନସଚେତନତା ନଥିଲା ଏବଂ ମାଣ୍ଡିଆର ଦର ମଧ୍ୟ କମ୍‌ ଥିଲା । ଏହା ଦ୍ୱାରା ଚାଷୀମାନଙ୍କ ମଧ୍ୟରେ ମିଲେଟ୍‌ ଚାଷ ନିମନ୍ତେ ଅନାଗ୍ରହ ପରିଲକ୍ଷିତ ହେଉଥିଲା । ମିଶନ କାର୍ଯ୍ୟକାରୀ ହେବା ପରେ ମିଲେଟ୍‌ର ସଂପର୍କରେ ବ୍ୟାପକ ଜନସଚେତନତା ବୃଦ୍ଧି ପାଇଛି ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ୍‌ ସଂଗ୍ରହ ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଇପାରୁଛନ୍ତି ଏବଂ ଲୋକଙ୍କର ଖାଦ୍ୟାଭ୍ୟାସର ମଧ୍ୟ ପରିବର୍ତ୍ତନ ଆସିଛି ବୋଲି କର୍ମଶାଳରେ ଯୋଗଦେଇଥିବା କୃଷକ ଉତ୍ପାଦକ ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶୀଦାରମାନେ ମତ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ରବି ଋତୁରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀମାନେ ପ୍ରସ୍ତାବ ଦେଇଥିଲେ ।

ଭିତ୍ତିଭୂମିର ବିକାଶ ବ୍ୟତୀତ ମାଣ୍ଡିଆର ପ୍ରକି୍ରୟାକରଣ ଦ୍ୱାରା ଏହାକୁ ଅଧିକ ମୂଲ୍ୟଯୁକ୍ତ କରିବା ଓ ହିସାବ ରକ୍ଷଣ ଦିଗରେ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ବୋଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧିମାନେ ମତ ଦେଇଥିଲେ । ଏହି କ୍ରମରେ ଗୋଷ୍ଠୀର ସଦସ୍ୟାମାନଙ୍କୁ ମାଣ୍ଡିଆ ସଂପର୍କରେ ଜ୍ଞାନ ଆହରଣ ନିମନ୍ତେ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ନେବା ଏବଂ ମଦର କିଚେନ୍‌ ସୁବିଧା ଯୋଗାଇଦେବା ପାଇଁ କହିଥିଲେ । ସ୍କୁଲ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ, ହସ୍‌ପିଟାଲ୍‌, ସେନା କ୍ୟାଣ୍ଟିନ୍‌, ରେଳବାଇ, ବିମାନବନ୍ଦର ଆଦି ସ୍ଥାନଗୁଡ଼ିକରେ ମିଲେଟ୍‌ସକୁ ଅନ୍ତର୍ଭୁକ୍ତ କରାଯାଇପାରିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଅଧିକ ବଜାର ସୃଷ୍ଟି ହୋଇପାରିବ ବୋଲି ପ୍ରତିନିଧିମାନେ କହିଥିଲେ ।

ସାଂପ୍ରତିକ ସମୟରେ ମାଣ୍ଡିଆ କ୍ଷେତ୍ରରେ ହେଉଥିବା ବିଭିନ୍ନ ଗବେଷଣା ଓ ଉନ୍ନତି ସଂପର୍କରେ କର୍ମଶାଳାରେ ଯୋଗଦେଇଥିବା ବୈଷୟିକ ବିଶେଷଜ୍ଞମାନେ ଆଲୋଚନା କରିବା ସହିତ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା କିଭଳି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେ ସଂପର୍କରେ ମତ ଦେଇଥିଲେ । ଏଥି ସହିତ ବେସରକାରୀ ରେଷ୍ଟୁରାଣ୍ଟ, କମ୍ପାନୀ ଓ କାଫେ, ଉଦ୍ୟୋଗ ଏବଂ ଉତ୍ପାଦ ନିମନ୍ତେ ଏକକ ମାନକ ସ୍ଥିର କରିବା, ଗ୍ରାମାଞ୍ଚଳରେ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ପାଇଁ ଇନ୍‌କୁ୍ୟବେସନ୍‌ କେନ୍ଦ୍ର ସ୍ଥାପନ, ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ଓ ପ୍ୟାକେଜିଂ ଦିଗରେ ଚାଷୀ ଓ କୃଷକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ପେଶାଦାର ଢଙ୍ଗରେ ବଜାର ପରିଚାଳନା, କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ ନିମନ୍ତେ ତାଲିମ ପ୍ରଦାନ, ମାଣ୍ଡିଆର ରପ୍ତାନୀର ଦୃଷ୍ଟିକୋଣରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବଜାର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ଏବଂ ମାଣ୍ଡିଆ ଚାଷର ସ୍ୱଦେଶୀ ଜ୍ଞାନକୌଶଳର ଡକୁମେଣ୍ଟେସନ୍‌ ଆଦିକୁ ମିଶନ ମୋଡରେ କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା ।

ପୂର୍ବାହ୍ନରେ କର୍ମଶାଳାକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଉଦ୍‌ଘାଟନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶୈଳେନ୍ଦ୍ର ମହାନ୍ତି ଓଡ଼ିଶା ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ମିଶନ ଶକ୍ତି, ଯୋଜନା ଓ ସଂଯୋଜନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଏମସ୍‌, ଓୟୁଏଟି, ଆଇସିଏଆର-ଏନ୍‌ଆର୍‌ଆର୍‌ଆଇ, ଆଇସିଏଆର-ଆଇଆଇଏମ୍‌ଆର୍‌, ଆଇସିଏଆରସିଆଇଡବ୍ଲୁ୍ୟଏ, ଓଡ଼ିଶା ଷ୍ଟେଟ୍‌ ବାୟୋଡାଇଭରସିଟି ବୋର୍ଡ, ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ, ଆଇଟିସିର ଏକ୍‌ଜିକୁ୍ୟଟିଭ୍‌ ସେଫ୍‌, ଚିଫ୍‌ ମାଇକେଲ୍‌, ବିଓସିସିଏ କାଫେ, ମିଲେଟ୍‌ ଫ୍ରେସ୍‌ ଏବଂ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ।

ଦ୍ରୁତ ଗତିରେ ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’, ମୁକାବିଲା ପାଇଁ ଏନଡିଆରଏଫ ମୁତୟନ

ନନ୍ଦିଘୋଷ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା । ୧୫ ତାରିଖରେ ତାଣ୍ଡବ ରଚିବ ବାତ୍ୟା ‘ବିପର୍ଯ୍ୟୟ’ । ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂରେ ମାଡ ହେବ ବାତ୍ୟା । ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆରବ ସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ଗୋଆ, କେରଳ, କର୍ଣ୍ଣାଟକରେ ବାତ୍ୟା ପ୍ରଭବ ଦେଖାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଲଗାଣ ବର୍ଷା ଜାରି ରହିଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି ।

ଗୁରୁବାର ମଧ୍ଯାହ୍ନ ସୁଦ୍ଧା ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ ବାତ୍ୟା। ଅତି ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ୧୪ ତାରିଖ ଲାଗି ଅରେଞ୍ଜ ଆଲର୍ଟ ଓ ୧୫ ତାରିଖ ଲାଗି ରେ଼ଡ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ୧୨ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବାବେଳେ ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ଏନଡିଆରଏଫ ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ଜାହାଜ ଓ ହେଲିକପ୍ଟର ନିୟୋଜିତ ହୋଇଛି ।

ତିନିବାହିନୀର ବିପର୍ଯ୍ୟୟ ରିଲିଫ ଟିମ୍ ଓ ମେଡିକାଲ ଟିମ ବି ସତର୍କ ରହିଛନ୍ତି । ଗୁଜରାଟ ଉପକୂଳରୁ 21ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କଛ, ଜାମନଗର, ମୋର୍ବି, ଗିର ସୋମନାଥ, ପୋରବନ୍ଦର, ଦେବଭୂମି ଦ୍ବାରକାରେ ବାତ୍ୟାର ପ୍ରଭାବ ବେଶୀ ପଡ଼ିବା ଆଶଙ୍କା ରହିଛି । ବାତ୍ୟା ଯୋଗୁ ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ ୬୭ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ଏକାଧିକ ବିମାନ ଉଡାଣ ବାତିଲ କରାଯାଇଛି ।

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ନିୟୋଜିତ ପାଚିକା-ସହାୟିକାଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ପାଚିକା ଓ ସହାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି । ଶାଢ଼ି ପାଇଁ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ୫୦୦ ଟଙ୍କା ଲେଖାଏଁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ୧୧୭.୭୩ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଶାଢ଼ି ପାଇଁ ୫ ଦଶମିକ ୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଉପକୃତ ହୋଇଛନ୍ତି ୧ ଲକ୍ଷ ୯ ହଜାର ପାଚିକା ଓ ସହାୟିକା । ମୁଖ୍ୟମନ୍ତ୍ରୀ କହିଛନ୍ତି ମାଆ ପରି ପିଲାମାନଙ୍କ ଖାଇବା ଦାୟିତ୍ୱ ସ୍କୁଲରେ ନେଉଛନ୍ତି ପାଚିକା ଓ ସହାୟିକା । ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ ।
            ରାଜ୍ୟର ୧ ଲକ୍ଷ ୯ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ଦଶମିକ ୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ୫୦ ହଜାର ରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି । ମାଆ ପରି ଦାୟିତ୍ବ ନେଇ ସମସ୍ତ ପିଲାମାନଙ୍କର ଖାଇବା ବୁଝୁଛନ୍ତି । ୪ ହଜାର ୭୩୦ ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି । ଅନ୍ୟାନ୍ୟ ସବୁ ଦାୟିତ୍ୱ ପରି ଏ ଦାୟିତ୍ୱ ମଧ୍ୟ ମାଆମାନେ ଭଲ ଭାବରେ ପାଳନ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ବଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି ।
              ମଧ୍ୟାହ୍ନ ଭୋଜନରେ ସ୍ବଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥି. ଏସ୍ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୫୦,୮୬୨ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ୪୭୩୦ ମିଶନ ଶକ୍ତି ଗୋଷ୍ଠୀର ୧.୦୯ ଲକ୍ଷ ପାଚିକା ଓ ସହାୟିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସାମିଲ ଅଛନ୍ତି । ପୂର୍ବରୁ ୨୦୧୭-୧୮ ମସିହାରେ ସେମାନଙ୍କ ପାଇଁ ଶାଢ଼ି ଭତ୍ତା ବାବଦରେ ଜଣକ ପିଛା ୨୫୦ ଟଙ୍କା ମଞ୍ଜୁର କରାଯାଇଥିଲା ।

ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ, ସୁରକ୍ଷାରେ ମୁତୟନ ହେବେ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟଳୟରେ ବରିଷ୍ଠ ପୋଲିସ ପଦାଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଭଳି ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କେମିତି ହୋଇପାରିବ ସେଦିଗରେ ଆଲୋଚନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଛି । ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଏଡିଜି ସଞ୍ଜୟ କୁମାର, ଅମିତାଭ ଠାକୁର, ଅମେତେନ୍ଦ୍ର ନାଥ ସିହ୍ନା, ଆଶିଷ ସିଂହ, ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।