ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ, ସୁରକ୍ଷାରେ ମୁତୟନ ହେବେ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର: ରଥଯାତ୍ରା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟଳୟରେ ବରିଷ୍ଠ ପୋଲିସ ପଦାଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଭଳି ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କେମିତି ହୋଇପାରିବ ସେଦିଗରେ ଆଲୋଚନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଛି । ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପିଙ୍କ ସୁରକ୍ଷା ପାଇଁ ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଏଡିଜି ସଞ୍ଜୟ କୁମାର, ଅମିତାଭ ଠାକୁର, ଅମେତେନ୍ଦ୍ର ନାଥ ସିହ୍ନା, ଆଶିଷ ସିଂହ, ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ନନ୍ଦନକାନନରେ ଅଘଟଣ, ରୋପୱେ’ର ଟ୍ରାନ୍ସଫରମର ମିଟର ଫାଟି ୩ ଗୁରୁତର
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଭାବେ ନିର୍ମିତ ହେଉଥିବା ରୋପୱେ ପାଖରେ ଅଘଟଣ ଘଟିଛି । ରୋପୱେ ସ୍ଥଳରେ ନବ ନିର୍ମିତ ବିଦ୍ୟୁତ୍ ଟ୍ରାନ୍ସଫରମର ମିଟର ୟୁନିଟ ଫାଟିବାରୁ ୩ ଜଣ ଅତି ଗୁରୁତର ହୋଇଛନ୍ତି । ଗରୁତର ୩ ଜଣଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାର ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା । ଆହତଙ୍କ ମଧ୍ୟରେ ଜଣେ ନନ୍ଦନକାନନର ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ଶିବରାମ ସାହୁ ହୋଇଥିବା ବେଳେ ୨ଜଣ ପଶ୍ଚିମବଙ୍ଗର ରୋପୱେର କର୍ମଚାରୀ ସୋମୁ ବାନାର୍ଜୀ ଓ ସୌମ୍ୟ ବାନାର୍ଜୀ ବୋଲି ଜଣାପଡ଼ିଛି । ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷନଙ୍କ ସହ ଯୋଗାଯୋଗ ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଅସାବଧାନତା ଯୋଗୁ ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଚାଲିଛି ବୋଲି ମୁଖ୍ୟ ଇଲେକଟ୍ରିକ ଇଞ୍ଜିନିୟର ସୂଚନା ଦେଇଛନ୍ତି ।
ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ ତେଲ ଟ୍ୟାଙ୍କରରେ ଭୀଷଣ ଅଗ୍ନିକାଣ୍ଡ, ୪ ମୃତ
ମୁମ୍ବାଇ: ପୁଣେ-ମୁମ୍ବାଇ ଏକ୍ସପ୍ରେସୱେରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ତୈଳ ଟ୍ୟାଙ୍କରରେ ନିଆଁ ଲାଗିଯିବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୩ଜଣ ଆହତ ହୋଇଛନ୍ତି । ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଲୋନାୱାଲା ଏବଂ ଖଣ୍ଡାଲା ମଧ୍ୟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ କୌଣସି ରସାୟନିକ ପଦାର୍ଥ ଥିବା କୁହାଯାଇଛି । ସେ କହିଛନ୍ତି ଯେ ଦୁର୍ଘଟଣା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା ଏବଂ ରସାୟନରେ ବିସ୍ପୋରଣ ହେବା କାରଣରୁ ଏଥିରୁ ଅଙ୍ଗାର ଏଣେ ତେଣେ ଛିଟିକି ପଡ଼ିଥିଲା ।
ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମଧ୍ୟ ନିଆଁ ଅଙ୍ଗାର ପଡ଼ିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ଆସିଥିବା ଲୋକଙ୍କୁ ରକ୍ଷା ପାଇବାକୁ ସୁଯୋଗ ମିଳିନଥିଲା । ଲୋନାୱାଲା ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ରାସ୍ତାରେ ଯାଉଥିବା ୩ ଗାଡ଼ି ଚାଳକ ଏଥିରେ ଆହତ ହୋଇଛନ୍ତି ଏବଂ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେ କହିଛନ୍ତି ମୃତକଙ୍କ ମଧ୍ୟରେ ଜଣେ ଲୋକ ଟ୍ୟାଙ୍କରର କର୍ମଚାରୀ ଥିଲେ । ସେହିପରି ଟ୍ୟାଙ୍କରର ଅନ୍ୟ ଦୁଇଜଣ ଲୋକ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଆହତଙ୍କୁ ହସ୍ପିଟାଲ ପଠାଯାଇଛି ଏବଂ ନିଆଁକୁ ଆୟତ୍ତ କରାଯାଇଛି ।
ଢେଙ୍କାନାଳ ଟାଟା ଷ୍ଟିଲରେ ଭୟଙ୍କର ଦୁର୍ଘଟଣା, ବ୍ଲାଷ୍ଟ ଫର୍ଣ୍ଣେସ ପାଓ୍ବାର ପ୍ଲାଣ୍ଟ-୨ରେ ପାଇପ ଫାଟି ୧୯ ଶ୍ରମିକ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଟାଟା ଷ୍ଟିଲରେ ଭୟଙ୍କର ଦୁର୍ଘଟଣା । କଣ୍ଟାବଣିଆ ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ କାରଖାନାରେ ଘଟିଛି ଦୁର୍ଘଟଣା । ବ୍ଲାଷ୍ଟ ଫର୍ଣ୍ଣେସ ପାଓ୍ବାର ପ୍ଲାଣ୍ଟ-2ରେ ପାଇପ ଫାଟି ୧୯ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । କାରଖାନା ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କମ୍ପାନୀ ପକ୍ଷରୁ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନକୁ ଦୁର୍ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ଟାଟା ଷ୍ଟିଲ ପକ୍ଷରୁ ସୂଚନା ଦିଆଯାଇଛି ।
ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ, ଗିରଫ ହେଲେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ
କଟକ: ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ଗିରଫ ହେଲେ କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ । ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କଲା ଭିଜିଲାନ୍ସ । ବାବୁଙ୍କ ୧୮୩ % ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲିଠାରୁ ବାବୁଙ୍କ ଘରେ ଛାପା ମାରୁଥିଲା ଭିଜିଲାନ୍ସ । ଟୁଇନସିଟିର ୭ଟି ସ୍ଥାନରେ ମୂଲ୍ୟବାନ ପ୍ଲଟ ସହ ସୌଭାଗ୍ୟ ନଗରରେ ବିକାଶଙ୍କ ରହିଛି ବହୁତଳ ପ୍ରାସାଦ । ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଅଳଙ୍କାର ଜବତ ହୋଇଛି । ସଉକ ପାଇଁ କିଣୁଥିଲେ ହୀରା ହାର, ସୁନା ବିସ୍କୁଟ । ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି କୋଟିଏରୁ ଉର୍ଦ୍ଧ ଟଙ୍କା । ଘର ଭିତରୁ ମିଳିଥିଲା ନଗଦ ୧୧ ଲକ୍ଷ ୭୩ ହଜାର ଟଙ୍କା । ୧୩.୪୦ ଲକ୍ଷର ଚାରି ଚକିଆ ଓ ୩ଟି ଦୁଇଚକିଆ ଗାଡ଼ି ଠାବ ହୋଇଛି ।
ଡ୍ରାଇଭରଙ୍କ କଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଡ୍ରାଇଭର ମହାସଂଘ
ଭୁବନେଶ୍ୱର: ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଡ୍ରାଇଭରଙ୍କ ମନରେ ଖୁସିର ଲହରୀ । କଥା ଦେଇ କଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଡ୍ରାଇଭର । ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁମୋଦିତ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କସ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ମହାସଂଘ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ବ୍ୟାପକ ଭାବେ ଉପକୃତ ହେବେ। କାମ କରୁଥିବା ବେଳେ ଡ୍ରାଇଭର ଓ କର୍ମଚାରୀଙ୍କର ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା। ଅତିଗଭୀର ଆଘାତ କ୍ଷେତ୍ରରେ ୮୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ ଲକ୍ଷ ଟଙ୍କା ସହାୟତା ମିଳିବ ।
ସେହିପରି ସାଧାରଣ ମୃତ୍ୟୁ ମାମଲାରେ ୨ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ସୁବିଧା । ଯୋଗ୍ୟତା ଅନୁସାରେ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହାଦ୍ବାରା ୫ ଲକ୍ଷରୁ ଅଧିକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ । କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର ରହିବେ । କର୍ମଚାରୀମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବା ବ୍ୟବସ୍ଥା ରହିଛି । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁକ୍ଳ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ। ଗତ ମାର୍ଚ୍ଚ ମାସରେ ଆନ୍ଦୋଳନକୁ ଓହ୍ଲାଇଥିଲା ଡ୍ରାଇଭର ମହାସଂଘ। ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ୩ମାସର ମହଲତ ମାଗିଥିଲେ। ୩ ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟ ସରକାର।
ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓହ୍ଲାଇଲେ ନବ ବଧୂ
କନ୍ଧମାଳ: ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓହ୍ଲାଇଲେ ନବ ବଧୂ । ବର ବାଇକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲିଦେଇ ବାପା ଘରକୁ ଫେରିଗଲା ନବ ବିବାହିତା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା ସୁରୁପଦରର ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ପରେ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସମସ୍ତଙ୍କ ଆଗରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିଲେ । ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତା’ର ସାହସକୁ ନେଇ ଏବେ ଚର୍ଚ୍ଚାରେ ଜୋର ଧରିଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଆମ ବୋହୂ ଦରକାର ବୋଲି କହିଛନ୍ତି ।
ଟ୍ୱିଟରର ପୂର୍ବତନ ସିଇଓଙ୍କ ବଡ଼ ବୟାନ, ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର
ନୂଆଦିଲ୍ଲୀ: ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର । ଟ୍ୱିଟର ବ୍ୟାନ କରିବାକୁ ଧମକ ଦିଆଯାଇଥିଲା । କମ୍ପାନୀ ଅଧିକାରୀଙ୍କ ଘରେ ରେଡ୍ କରିବାକୁ ଭାରତ ସରକାର ଧମକାଇଥିଲେ । କେନ୍ଦ୍ର ବିରୋଧରେ ସଂଗୀନ ଅଭିଯୋଗ ଲଗାଇଛନ୍ତି ସ୍ମଲ ବ୍ଲଗିଂ ସାଇଟ ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ ଡର୍ସି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ କେତେକ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଚାପ ପକାଇଥିଲେ। କିଷାନ ଆନ୍ଦୋଳନ କଭର କରୁଥିବା ସାଇଟଗୁଡ଼ିକୁ ବ୍ଲକ କରିବାକୁ ଭାରତ ସରକାର ଚାପ ପକାଇଥିଲେ । ନଚେତ କମ୍ପାନୀ କର୍ମଚାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିଲା । ୟୁଟ୍ୟୁବ ଚ୍ୟାନେଲ ବ୍ରେକିଂ ପଏଣ୍ଟସକୁ ଏକ ଇଣ୍ଟରଭ୍ୟୁ ଦେଇ ଏହି ଖୁଲାସା କରିଛନ୍ତି ଜ୍ୟାକ୍ ।
ଚାଷୀ ଆନ୍ଦୋଳନ ବେଳେ ଅନେକ ଆକାଉଣ୍ଟ ବ୍ଲକ୍ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ବିଶେଷକରି ସରକାରଙ୍କ ଆଲୋଚନା କରୁଥିବା ସାମ୍ବାଦିକଙ୍କ ଆକାଉଣ୍ଟ ବନ୍ଦ କରିବାକୁ କୁହାଯାଇଥିଲା । ନଚେତ ଦେଶରେ ଟ୍ବିଟର ବନ୍ଦ କରିବା ସହ ଅଧିକାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିଲା । ଭାରତକୁ ତୁର୍କୀ ସହ ତୁଳନା କରିବା ସହ ତୁର୍କୀରେ ବି ସମାନ ଧରଣର ଧମକ ମିଳିଥିଲା ବୋଲି ଜ୍ୟାକ କହିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହେଉଛି ଗଣମାଧ୍ୟମ । ମାତ୍ର କେନ୍ଦ୍ର ସରକାର ଗଣମାଧ୍ୟମର ଗଳା ରୁଦ୍ଧ କରିବାକୁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ।

