ସମ୍ବଲପୁର: ବାହାନଗା ଦୁର୍ଘଟଣା ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ରେଳ ବିଭାଗ । ସମ୍ବଲପୁରରୁ ଝାରସୁଗୁଡ଼ା ଟ୍ରେନରେ ଯଦି ଆପଣ ଯାତ୍ରା କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ସମ୍ବଲପୁର ଷ୍ଟେସନଠାରୁ ୫ କିମି ଦୂରରେ ଅନେକ ସ୍ଥାନରେ ଟ୍ରେନ ଲାଇନରେ ରହୁଥିବା ସ୍ଲିପର ଭାଂଗିଗଲାଣି । ଯାହା ଲାଇନକୁ ମଜବୁତ କରିବା ସହ ଟ୍ରେନ ଲାଇନକୁ ଜାବୁଡି ଧରି ରଖିଥାଏ । କିନ୍ତୁ ଏହି ସ୍ଲିପର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଗଲାଣି । ଯେକୌଣସି ସମୟରେ ଛିଣ୍ଡି ଯିବାର ସମ୍ଭାବନା ରହିଛି । ନିୟମ ହିସାବରେ ସ୍ଲିପର ପୁରୁଣା ହୋଇଗଲେ ତାକୁ ପରିବର୍ତ୍ତନ କରାଯିବା କଥା । ହେଲେ ଏହାକୁ ଏପର୍ଯ୍ୟନ୍ତ ବଦଳାଯାଇନାହିଁ ।
ବାହାନଗା ଟ୍ରେନ୍ ଟ୍ରାଜେଡି: ୬୬୧ ପରିବାରକୁ ସହାୟତା ରାଶି ପ୍ରଦାନ
ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳପ୍ରଚଳ ଚାଲିଛି । ବାହାନଗା ରେଳ ଧାରଣାରେ ମରାମତି ଚାଲିଥିବାରୁ କିଛି ଟ୍ରେନକୁ ବାତିଲ କରାଯାଇଛି । ଅଧିକାଂଶ ଟ୍ରେନ୍ ଚାଲୁଛି । ଖୁବଶୀଘ୍ର ସବୁ ଟ୍ରେନ୍ ଚଳପ୍ରଚଳ କରିବ ବୋଲି କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ।
ସେପଟେ ଏପର୍ଯ୍ୟନ୍ତ ମୃତକଙ୍କ ପରିବାର ଓ ଆହତଙ୍କୁ ମିଶାଇ କରମଣ୍ଡଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୬୬୧ ଜଣଙ୍କୁ କ୍ଷତିପୂରଣ ଦିଆସରିଲାଣି । ୩୩୧ ସାମାନ୍ୟ ଆହତ, ୧୫୦ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ୨୨.୬୬ କୋଟି ଟଙ୍କାର କ୍ଷତିପୂରଣ ରେଲୱେ ପକ୍ଷରୁ ଦିଆସରିଛି । ଗତ ୨ ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା ।
ଭାରତରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା, ଦେଶରେ ଶହେ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିସ୍
ନୂଆଦିଲ୍ଲୀ: ଭାରତରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଦେଶରେ ୧୦୦ ମିଲିୟନରୁ ଅଧିକ ଲୋକଙ୍କ ସମସ୍ୟା ଡାଇବେଟିସ୍ । ଆଇସିଏମଆରର ଗବେଷଣାରେ ଚମକେଇଲା ଭଳି ତଥ୍ୟ ପ୍ରକାଶ ପାଇଛି । ଏଥିସହ ଦେଶରେ ଡାଇବେଟିସର ପୂର୍ବସ୍ଥିତିରେ ୧୫ ପ୍ରତିଶତ ଲୋକ ଅଛନ୍ତି । ଯାହା ଆଗକୁ ସ୍ଥିତି ଗମ୍ଭୀର କରିପାରେ । ଗୋଆ, ପୁଡୁଚେରୀ, କେରଳରେ ଜାତୀୟ ହାରଠୁ ଅଧିକ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ରହିଛି । ଏହି ସଂଖ୍ୟା ଗତ ୪ ବର୍ଷରେ ୪୪ ପ୍ରତିଶତ ବଢିଛି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଯଦିଓ କମ ରହିଛି ତେବେ ଆଗକୁ କିଛି ବର୍ଷ ଭିତରେ ରୋଗୀଙ୍କ ସଂଖ୍ୟା ବଢିବ । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସୁଥିବାରୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମଧୁମେହ ଦେଖିବାକୁ ମିଳିଛି ।
ଅଣସର ଘରେ ଜ୍ବରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ
ପୁରୀ: ଆଜି ଆଷାଢ଼ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଗୃହରେ କ୍ଷୀଣ ଆଲୋକରେ ଦଇତାପତି ଓ ପତିମହାପାତ୍ର ସେବକଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ ଫୁଲୁରି ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧା ବିଗ୍ରହଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯିବ । ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷୀଣି ଘର ଭୋଗ ସମ୍ପନ୍ନ ପରେ ପତି ମହାପାତ୍ର ସେବକ ଏହାକୁ ସଂସ୍କାର କରି ଦଇତାପତିଙ୍କୁ ଯୋଗାଇବା ପରେ ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବେ । ମହାପ୍ରଭୁଙ୍କ ଗୁପ୍ତ ନିତୀ ମଧ୍ୟରେ ଫୁଲୁରି ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ ।
ଜମି ବିବାଦ ନେଇ ପାଚେରୀ ଭାଙ୍ଗିଲେ, କୂଅ ପୋତିଲେ ଓ ଘର ପୋଡ଼ିଦେଲେ
ଟାଙ୍ଗୀ: ଜମି ବିବାଦ ନେଇ ପାଚେରୀ ଭାଙ୍ଗିଲେ, କୂଅ ପୋତିଲେ ଓ ଘର ପୋଡ଼ିଦେଲେ । ଘଟଣା ଘଟିଛି ଟାଙ୍ଗୀ ଥାନା ଭୂଷଣ୍ଡପୁର ଗୋବର୍ଦ୍ଧନପୁରରେ । ଜଳନ୍ଧର ପ୍ରଧାନଙ୍କ ଘରେ କେହି ନିଆଁ ଲଗାଇଦେଇଥିବା ଅଭିଯୋଗ । ଦୀର୍ଘଦିନ ହେବ ସପରିବାର ଗୋବର୍ଦ୍ଧନପୁର କଲୋନୀରେ ରହୁଥିଲେ । ଝାନସିପାଟଣା ଗ୍ରାମବାସୀ ଏହି ଜାଗାକୁ ଶ୍ମଶାନ ଜମି ବୋଲି ଦାବି କରି ଆସୁଥିଲେ । ବିବାଦ ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ସାମ୍ନାରେ ବୁଝାମଣା ବି ହୋଇଥିଲା । ଜଳନ୍ଧରଙ୍କୁ ଜମି ଛାଡ଼ିବା ଦାବିରେ ଝାନସିପାଟଣା ଗ୍ରାମବାସୀ ସଂଘବଦ୍ଧ ଭାବେ ପାଚେରୀ ଭାଙ୍ଗି, କୂଅ ପୋତି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ଭୂଷଣ୍ଡପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସମସ୍ତ ଆସବାବପତ୍ର ପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇସାରିଥିଲା । ଜଳନ୍ଧର ତାଙ୍କ ଝିଅର ବାହାଘର ପାଇଁ ସୁନା, ରୂପା, ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ରଖିଥିବା ବେଳେ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗି ଜଳନ୍ଧରଙ୍କ ପୁଅ ଶମ୍ଭୁନାଥଙ୍କ ହାତ ପୋଡ଼ି ଯାଇଥିବା ଜଣାପଡ଼ିଛି । ସ୍ତ୍ରୀ ଓ ଝିଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ`, ଗତିବିଧି ଉପରେ ନଜର ରଖିଛି IMD
ମୁମ୍ବାଇ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’ । ବର୍ତ୍ତମାନ ଏହା ଗୋଆର ପଶ୍ଚିମ-ଦକ୍ଷିଣ-ପଶ୍ଚିମର ୮୪୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇଠାରୁ ୮୭୦ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଘନୀଭୂତ ହେଉଛି । ଆସନ୍ତା ୩୬ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟାରେ ପରିଣତ ହେବ । ଏନେଇ ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । ଗତକାଲି କେରଳ ଛୁଇଁଥିଲା ମୌସୁମୀ । ଦୁଇ ଦିନରେ ମୌସୁମୀ ସମ୍ପୂର୍ଣ୍ଣ କେରଳ ଛୁଇଁବ । ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । କେରଳ ତାମିଲନାଡୁରେ ବର୍ଷା ଜାରି ରହିଛି ।
ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ, ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ
ବାହାନଗା: କରମଣ୍ଡଳ ଟ୍ରାଜେଡି । ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ । ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ଯରେ ୨ ଜେସିବି ନିୟୋଜିତ । ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗାଯାଉଛି ଘର । ଗତ ୨ ତାରିଖରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ପରେ କୁଢ଼ କୁଢ଼ ମୃତଦେହକୁ ବୋହି ନେଇ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ତେଣୁ ସ୍କୁଲ ଘର ଭିତରେ ଶବ ରହିଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ କମିଟି ପକ୍ଷରୁ ବିଦ୍ୟାଳୟ ଭଙ୍ଗାଯିବା ପାଇଁ ଦାବି ହୋଇଥିଲା । ଗତକାଲି ଜିଲ୍ଲାପାଳ ପହଞ୍ଚି ସ୍କୁଲ କମିଟି ସହ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।
ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍, ବନମାଳିପୁରରେ ଠାବ
ବାଲିପାଟଣା: ଲଙ୍କା ଟ୍ରକ୍ ଲୁଟ୍ । ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍ । ବାଲିପାଟଣା ଥାନା ବନମାଳିପୁରରେ ଠାବ । ଲଙ୍କା ବେପାରୀ ଏବଂ ମଧ୍ୟପ୍ରଦେଶ ପୋଲିସ୍ ବନମାଳିପୁରରେ ପହଁଞ୍ଚି ଚୋରୀ ହୋଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି । ଘଟଣାରେ ସଂପୃକ୍ତ ଟ୍ରକ୍ ଡ୍ରାଇଭର ଏବଂ ଲଙ୍କା କିଣିଥିବା ବ୍ୟକ୍ତିଙ୍କର ପତ୍ତା ମିଳିପାରିନାହଁ । ମଧ୍ଯପ୍ରଦେଶର ବିଡିଆନ୍ ଅଂଚଳର ଜଣେ ଲଙ୍କା ବ୍ୟବସାୟୀ ଉତ୍ତର ପ୍ରଦେଶର ଜଣେ ବ୍ୟବସାୟୀଙ୍କ ନିକଟକୁ ଏକ ଲଙ୍କା ଟ୍ରକ୍ ପଠାଇଥିଲେ । ମାତ୍ର ଲଙ୍କା ଟ୍ରକଟି ନିର୍ଦ୍ଧାରିତ ସ୍ଥାନରେ ପହଁଞ୍ଚି ନଥିଲା ।
ଟ୍ରକରେ ଲଗା ଯାଇଥିବା ଜିପିଏସ୍ ଦ୍ଵାରା ଲଙ୍କା ଟ୍ରକ୍ ବାଲିପାଟଣା ଥାନା ବନମାଳିପୁର ବଜାରରେ ପହଁଞ୍ଚିଥିବା ଜଣାପଡ଼ିଥିଲା । ଡ୍ରାଇଭର କଲ ରେକର୍ଡରୁ ଡ୍ରାଇଭର ବନମାଳିପୁରର ଦିୱାନ ପାଟଣାଗ୍ରାମର ପ୍ରଶାନ୍ତ ସାହୁ ସହ ବାରମ୍ବାର ଯୋଗାଯୋଗରେ ଥିଲା । ଆଜି ସଂଧ୍ୟାରେ ପ୍ରଶାନ୍ତ ଗୋଦାମ ନିକଟରେ ଲଙ୍କା ବ୍ୟବସାୟୀ ଏବଂ ମଧ୍ୟ ପ୍ରଦେଶ ପୋଲିସ୍ ପହଁଞ୍ଚିବା ପରେ ସମସ୍ତ ଲୁଟ୍ ଲଙ୍କା ପ୍ରଶାନ୍ତ ଗୋଦାମରେ ରହିଥିବା ଜାଣିବାକୁ ପାଇଥିଲେ । ଏନେଇ ସଂପୃକ୍ତ ଲଙ୍କା ବେପାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରଶାନ୍ତ ଜଣେ ପେଷାଦାର ଠକ ବୋଲି ଜଣାପଡ଼ିଛି । ତାଙ୍କ ନାମରେ ପୂର୍ବରୁ ଅନେକ ମାମଲା ମଧ୍ୟ ରହିଛି ।
ବାବା ବେଶରେ ଆସିଲେ, ଶହ ଶହ ବର୍ଷ ତଳର ରାଧାକୃଷ୍ଣ ମୂର୍ତ୍ତିକୁ ଚୋରି କରିନେଲେ
ପାଟକୁରା: ବାବା ବେଶରେ ଆସିଥିଲେ । ଶ୍ଳୋକ ମନ୍ତ୍ର ପଢ଼ି ପୂଜକଙ୍କୁ ଭୂତାଇଥିଲେ । କୌଶଳ କ୍ରମେ ଠାକୁରଙ୍କ ଶହ ଶହ ବର୍ଷ ତଳର ରାଧା କୃଷ୍ଣ ମୂର୍ତ୍ତିକୁ ଚୋରି କରି ନେଇ ଚମ୍ପଟ ମାରୁଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଛେଚା ଖାଇ ପୋଲିସଙ୍କ ଦ୍ୱାରା ଗିରଫ ହେଲେ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗଦାଧର ପୀଠରେ ଦେଖବାକୁ ମିଳିଛି ଏହି ଘଟଣା । ପ୍ରସିଦ୍ଧ ଗଦାଧର ପୀଠରୁ ବାବା ଭେଷରେ ଆସି ଦୁଇ ଜଣ ଯୁବକ ଆଜି ପ୍ରଥମେ ପୀଠ ଭିତରେ ଥିବା ରାଧା କୃଷ୍ଣ ମନ୍ଦିରରେ ମନ୍ତ୍ର ଶ୍ଳୋକ ଆଦି ପାଠ କରିଥିଲେ । ସ୍ଥାନୀୟ ପୂଜକ ତାଙ୍କୁ ସାଧୁ ସଂଥ ବୋଲି ଭାବିଥିଲେ । କିନ୍ତୁ ସ୍ଥାନୀୟ ପୂଜକ ନୀତି କରିବାକୁ ରୋଷ ଘରକୁ ଯାଇଥିବା ବେଳେ ଯୁବକ ଦୁଇଜଣ ରାଧା କୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି ଉଠାଇ ଖସିଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଭିଯୁକ୍ତଙ୍କୁ ଦେଖି ପୂଜକ ଲୋକଙ୍କୁ ଡାକ ପକାଇଥିଲେ । ସ୍ଥାନୀୟ ଲୋକ ଦୁଇ ଚୋରଙ୍କୁ କାବୁ କରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ ।
ଆଜିଠୁ ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ, ସନ୍ଧ୍ୟାରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ମ୍ୟାଚ୍
ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳବ ଫୁଟବଲ ଫାଇଟ୍ । ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ । ସନ୍ଧ୍ୟା ସାଢେ ୭ଟାରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ରହିଛି ।
ଘରୋଇ ଗ୍ରାଉଣ୍ଡ ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ମଙ୍ଗୋଲିଆ ପାଇଁ ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜିଂ ହୋଇପାରେ । ବର୍ତ୍ତମାନ ସମୟରେ ତାଙ୍କ ଦେଶର ପାଣିପାଗ ଏବଂ ଭାରତର ପାଣିପାଗ ମଧ୍ୟରେ ବହୁତ ଅସମାନତା ରହିଛି । ମଙ୍ଗୋଲିଆରେ ଏବେ ପ୍ରବଳ ଶୀତ ଅନୁଭବ ହେଉଥିବା ବେଳେ ଏଠାରେ ଖରାରେ ଖେଳିବା ଦଳ ପାଇଁ ଚ୍ୟାଲେଞ୍ଜ ହେବ । ଅନ୍ୟପଟେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଅପରାହ୍ନ ୪.୩୦ ମିନିଟରେ ଖେଳାଯିବ ।

