ଭୁବନେଶ୍ୱର: ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ । ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଅଜନ୍ତା ସର୍କସ ଆରମ୍ଭ ହେବ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଏହି ସର୍କସ ଆସିଛି । ଆଜି ଉଦଘାଟନୀ ସନ୍ଧ୍ୟା ୭ଟାରେ ଖେଳାଯିବ ପ୍ରଥମ ତଥା ଗୋଟିଏ ଖେଳ । ଏଥିରେ ଇଥିଓପିଆ ଓ ନାଇଜେରିଆର ବିଦେଶିନୀ ଦେଖାଇବେ ଜିମ୍ନାଷ୍ଟିକ ଖେଳ । ଭୁବନେଶ୍ବରରେ ୪୦ ଦିନ ଧରି ଚାଲିବ ଅଜନ୍ତା ସର୍କସ ।
ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।
୨୦୨୨ ମେ ମାସରେ ଏମପିସିର ଜରୁରୀ ବୈଠକରେ ରେପୋରେଟ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । କ୍ରମାଗତ ଭାବେ ଚାରି ମାସରେ ୬ ଥର ରେପୋ ରେଟ ବଢ଼ାଇଥିଲା ରିଜର୍ଭ ବ୍ୟାଙ୍କ । ଖୁଚୁରା ମୁଦ୍ରାସ୍ଫୀତି ଓ ଆର୍ଥିକ ବୃଦ୍ଧିକୁ ଧ୍ୟାନରେ ରଖି ରେପୋରେଟ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯାଇଥାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଜିଡିପି ବୃଦ୍ଧି ହାର ୮ ପ୍ରତିଶତ, ଦ୍ବିତୀୟ ତୈମାସିକରେ ୬.୫ ପ୍ରତିଶତ, ତୃତୀୟ ତୈମାସିକରେ ୬ ପ୍ରତିଶତ ଓ ଚତୁର୍ଥ ତୈମାସିକରେ ୫.୭ ପ୍ରତିଶତ ରହିପାରେ ବୋଲି ଆରବିଆଇ ଅନୁମାନ କରିଛି ।
୨୦୨୩-୨୪ ଆର୍ଥକ ବର୍ଷରେ ଖୁଚୁରା ମୁଦାସ୍ଫୀତି ୫.୨ ପ୍ରତିଶତରୁ କମାଇ ୫.୧ ପ୍ରତିଶତ ରହିବା ଅନୁମାନ କରିଛି । ମୁଦ୍ରାସ୍ଫୀତି କାବୁ କରିବାକୁ ଆରବିଆଇ ରେପୋରେଟ ବୃଦ୍ଧି କରିଥିବା ବେଳେ ଏଥିରେ ସଫଳତା ମିଳିଛି ବୋଲି ବିଶେଷଜ୍ଞ କହିଛନ୍ତି । ଆଗାମୀ ଦିନରେ ଯଦି ଏହିଭଳି ସ୍ଥିତି ରୁହେ, ରେପୋରେଟ କମାଇବାକୁ ଆରବିଆଇ ନିଷ୍ପତ୍ତି ନେଇପାରେ ବୋଲି ଭଏସ ଅଫ ବ୍ୟାଙ୍କିଂର ଫାଉଣ୍ଡର ଅଶ୍ବନୀ ରାଣା କହିଛନ୍ତି ।
ଡ଼ୁବୁରୀ ଛକରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଯାଜପୁର: କଳିଙ୍ଗନଗର ଥାନା ଡ଼ୁବୁରୀ ଛକରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ଟି ଦୋକାନ। ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜଳଖିଆ ଦୋକାନ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୮ଟା ସମୟରେ ହଠାତ୍ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଥିଲା। ଜଳଖିଆ ଦୋକାନୀ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ।
ପରେ ଏହି ନିଆଁ ପାଖରେ ଥିବା ଅନ୍ୟ ୨ଟି ଦୋକାନକୁ ବ୍ୟାପି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଜଳଖିଆ ଦୋକାନ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

