spot_img
Home Blog Page 3216

ସରିଲା ମାଟ୍ରିକ ଖାତାଦେଖା, ଖୁବଶୀଘ୍ର ଆସିବ ରେଜଲ୍ଟ

ଭୁବନେଶ୍ୱର: ସରିଲା ମାଟ୍ରିକ ଖାତାଦେଖା। ମାଟ୍ରିକ ସମେଟିଭ୍-2, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି। ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ୫୫ଟି କେନ୍ଦ୍ର କରାଯାଇଥିଲା। ଖାତାଦେଖାରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିଲେ। ଖାତାଦେଖା ସରିବା ପରେ ଏବେ ଟାବୁଲେସନ ଉପରେ ଧ୍ୟାନ ଦିଆଯିବ।

ଭଲରେ ଖାତାଦେଖା ସରିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ଏଥି ସହିତ ଯେଉଁ ସେଟ୍‌ ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖାଦେଇଥିଲା ସେହି ଛାତ୍ରଛାତ୍ରୀଙ୍କୁ ବୋର୍ଡର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ। ସେମାନଙ୍କର କିଛି ବି ସମସ୍ୟା ହେବନି । ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି କହିଛନ୍ତି।

ଏଥର ରାଜ୍ୟର ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଅତିକ-ଅଶରଫ ହତ୍ୟା ଘଟଣା: ୩ ହତ୍ୟାକରୀଙ୍କ ବିଷୟରେ ଆସିଲା ବଡ଼ ତଥ୍ୟ

ପ୍ରୟାଗରାଜ: ଅତିକ୍ ଅହମ୍ମଦ ଏବଂ ଅଶରଫ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଉଭୟଙ୍କ ହତ୍ୟାରେ ଜଡିତ ତିନି ହତ୍ୟାକାରୀଙ୍କ ପ୍ରଫେସନ ଏବେ ସାମ୍ନାକୁ ଆସିଛି । ପୂର୍ବରୁ ସେମାନେ ବିଭିନ୍ନ ଜିଲ୍ଲାରୁ ଆସିବା ନେଇ ପ୍ରଶ୍ନ ଉଠିଥିଲା । ଅତିକ୍ ଅହମ୍ମଦଙ୍କୁ ଗୁଳି ବର୍ଷା କରିଥିବା ଲଭଲେଶ ତିୱାରୀ ବାନ୍ଦାର ବାସିନ୍ଦା । ସନ୍ନି ସିଂ ହମିରପୁର ଏବଂ ଅରୁଣ କସଗଞ୍ଜ ଜିଲ୍ଲାରେ ରୁହନ୍ତି । ହେଲେ ଏହି ତିନିଜଣ କିପରି ଏକାଠି ହେଲେ?

ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ଭାଇ ଅଶରଫକୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା ।

ଅତିକ୍-ଅଶରଫ ହତ୍ୟା ମାମଲାରେ ଦିଆଯାଉଥିବା ସୁପାରି ଖବର ସାମ୍ନାକୁ ଆସିବା ପରେ ଏ ନେଇ ଆହୁରି ଚର୍ଚ୍ଚା ବଢ଼ିଛି । ଏହି ହତ୍ୟାକାଣ୍ଡ ପାଇଁ ହତ୍ୟାକାରୀମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଥିଲା । ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ଅତିକ୍ ଅହମ୍ମଦ ଉପରକୁ ଗୁଳି ଚଳାଇଥିବା ସନ୍ନି ସିଂ, ଲାଭଲେଶ ତିୱାରୀ ଏବଂ ଅରୁଣର ପରିଚୟ ପୂର୍ବରୁ ଜଣାପଡ଼ିଥିଲା । ସନ୍ନି ସିଂ ଜଣେ ହିଷ୍ଟ୍ରିସିଟର । ତା’ ବିରୋଧରେ ୧୮ ମାମଲା ରୁଜୁ ହୋଇଛି। ଏହି ମାମଲାରେ ସେ ହମିରପୁର ଜେଲକୁ ଯାଇଥିବା ମଧ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚାପୁଡ଼ା ମାରିବା କାରଣରୁ ଲଭଲେଶ ତିୱାରୀ ମଧ୍ୟ ଜେଲ ଯାଇଥିଲା। କୁହାଯାଉଛି ଯେ, ହମିରପୁର ଜେଲରେ ସନ୍ନି ସିଂ ଏବଂ ଲଭଲେଶ ତିୱାରର ସାକ୍ଷାତ ହୋଇଥିଲା ।

ଅରୁଣ ସନ୍ନି ସିଂ ସହ ପୂର୍ବରୁ ସମ୍ପର୍କ ଥିଲା । ଦୁହେଁ ସାଙ୍ଗ ଥିଲେ । ଏମିତି ହୋଇ ତିନିଜଣ ଜଣେ ଅନ୍ୟ ଜଣଙ୍କ ସହ ପରିଚିତ ହୋଇଥିଲେ । ଏହି ୩ ଜଣଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା । କେବଳ ଏତିକି ନୁହେଁ ଏମାନଙ୍କୁ ଅସ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ତିନିଜଣ କେବଳ ହତ୍ୟା କରିବା ପାଇଁ ପ୍ରୟାଗରାଜ ଆସିଥିଲେ ।

 

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ; ୩୫ ଡିଗ୍ରୀ ଉପରେ ରହିଛି ୯ ସହରର ତାପମାତ୍ରା

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସତ୍ୱେ ଲାଗି ରହିଛି ତାତିର ଅଘୋଷିତ କର୍ଫ୍ୟୁ। ଦିନ ସାଢେ ୧୧ସୁଦ୍ଧା ୪୦.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା । ସେହିପରି ୩୫ ଡିଗ୍ରୀ ଉପରେ ରହିଛି ୯ସହରର ତାପମାତ୍ରା। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ଡିଗ୍ରୀ ଉପରେ ରହୁଛି ପାରଦ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ଲୋକ।

ଆଜି ରାଜ୍ୟର ୧୯ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି ହୋଇଥିବା ବେଳେ ମଧ୍ୟାହ୍ନରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ପ୍ରବଳ ଖରା ହୋଇଛି । ସକାଳ ସାଢେ ୮ସୁଦ୍ଧା ରାଜଧାନୀରେ ୩୧ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ।

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀରେ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଗ୍ୟାସ୍ ଲିକ୍

ପୁରୀ: ପୁରୀ ମାଳତୀପାଟପୁରରେ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଗ୍ୟାସ୍ ଲିକ୍ । 407 ଗାଡ଼ିରେ 3500 ୱାଟର ଲିଟର ଗ୍ୟାସ ଲୋଡ୍‌ ଥିଲା | ଭୁବନେଶ୍ବରରୁ ପୁରୀ ଅଭିମୁଖେ ଗଲା ବେଳେ ହଟାତ୍ ଗ୍ୟାସ ଲିକ ହେବାରୁ ଗାଡି ଚାଳକ ଓ ଅଞ୍ଚଳବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ଗ୍ୟାସ ଲିକକୁ ବନ୍ଦ କରିବାକୁ ଚଳାଇଛନ୍ତି  ଉଦ୍ୟମ । ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି।

ଜନ୍ମଦିନ ପାର୍ଟିରେ ଆଖିବୁଜା ଗୁଳିମାଡ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ୍: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ। ବର୍ଥ ଡେ ପାର୍ଟିରେ ଆଖିବୁଜା ଗୁଳିମାଡରେ ୪ମୃତ, ୨୮ ଆହତ । ଅଲବାମାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ଆତତାୟୀ ଗୁଳିଚାଳନା କରିଥିଲେ । ଏଥିରେ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିବା ବେଳେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଗୁଳିକାଣ୍ଡକୁ ୧୨ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଠିକ ସୂଚନା ମିଳିପାରିନାହିଁ । ସେପଟେ ଆମେରିକାରେ ବନ୍ଧୁକ ଆଇନ କଡ଼ାକଡ଼ି କରିବାକୁ କହିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ର ଭୂଷଣ ଆୱାର୍ଡ ସମାରୋହରେ ବଡ଼ ଅଘଟଣ, ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ନଭି ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆଓ୍ବାର୍ଡ ସମାରୋହରେ ବଡ଼ ଅଘଟଣ। ଅଂଶୁଘାତରେ ୧୧ଜଣଙ୍କ ମୃତ୍ୟୁ। ୧୨୦ରୁ ଊର୍ଦ୍ଧ୍ବ ହୃଦଘାତର ଶିକାର ହୋଇଛନ୍ତି। ସମାରୋହରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବା ବେଳେ ପ୍ରାୟ ୬ଶହ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ରବିବାର ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ହେଲେ ଲୋକଙ୍କ ବସିବା ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇ ନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲୋକମାନେ ସହ୍ୟ କରିପାରିନଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ୬ ଘଣ୍ଟା ଧରି ବସି ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଭଳି ଭିଭିଆଇପି ଯୋଗଦେଇଥିଲେ ବି ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ଏନସିପି ନେତା ଅଜିତ ପାୱାର ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଲୋକଙ୍କୁ ଭେଟିଛନ୍ତି । ସେପଟେ ମୃତକ ଓ ଆହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୪ଶହ ୫୦ ଲିଟର ଦେଶୀ ମଦ ସହ ଗାଡି ଜବତ, ଜଣେ ଗିରଫ

କାମାକ୍ଷାନଗର: ୪ଶହ ୫୦ ଲିଟର ଦେଶୀ ମଦ ସହ ଗାଡି ଜବତ, ମଦ ମାଫିଆ ଗିରଫ। କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଜଣେ ମଦ ମାଫିଆକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା ଆମ୍ବପଳାଶ ଗାଁର ସାହେବ ମହାପାତ୍ର । ତାଙ୍କ ଠାରୁ ୯ଟି ଜାରରେ ଭର୍ତ୍ତି ୪୫୦ ଲିଟର ଦେଶୀ ମଦ ଓ ଗୋଟିଏ କାର ଜବତ କରାଯାଇଛି ।

ସମ୍ପୃକ୍ତ ମଦ ମାଫିଆ ଜଣଙ୍କ କାରରେ ଭର୍ତ୍ତି ମଦ ନେଇ ଢେଙ୍କାନାଳ ଯାଉଥିବା ବେଳେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଚାନ୍ଦପୁର ଗାଁ ନିକଟରେ ମାଡି ବସିଥିଲା ଅବକାରୀ ଟିମ । ଖୁବଶୀଘ୍ର ପରଜଙ୍ଗ, କାମାକ୍ଷାନଗର, କଙ୍କଡାହାଡ଼ ଓ ଭୁବନ ଅଞ୍ଚଳରେ ମାରାଥନ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

କର୍ଣ୍ଣାଟକ ବିଜେପିକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର। କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସେଟ୍ଟର । ପିସିସି କାର୍ଯ୍ୟାଳୟରେ ସଭାପତି ଡିକେ ଶିବକୁମାର, ସିଦ୍ଧରମୈୟାଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି।

ବିଜେପି ଟିକେଟ ନଦେବାରୁ ସେଟ୍ଟର ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଥିଲେ ସେଟ୍ଟର। ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ବି ଟିକେଟ ପ୍ରତିଶ୍ରୁତି ନମିଳିବାରୁ ଗତକାଲି ସେ ଦଳ ଛାଡ଼ିଥିଲେ । ଆଜି ସେ କଂଗ୍ରେସ ଅଧ୍ୟକ୍ଷ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ଗତ ୬ମାସ ଧରି ବିଜେପିରେ ତାଙ୍କୁ ଅଣଦେଖା କରାଯାଉଥିବା ସେଟ୍ଟର କହିଛନ୍ତି। ସେଟ୍ଟର କଂଗ୍ରେସ ଟିକେଟରେ ହୁବାଲିରୁ ଲଢ଼ିବେ ବୋଲି ସୂଚନା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସେଟ୍ଟର ଲିଙ୍ଗାୟତ କମ୍ୟୁନିଟିର ଜଣେ ପ୍ରଭାବଶାଳୀ ନେତା। ସେଟ୍ଟର କଂଗ୍ରେସରେ ସାମିଲ ହେବା ପରେ ଲିଙ୍ଗାୟତ ସମୁଦାୟର ସମର୍ଥନ କଂଗ୍ରେସ ପ୍ରତି ରହିବ ବୋଲି କହିଛନ୍ତି ପିସିସି ସଭାପତି ଡିକେ ଶିବକୁମାର।

ରୋଗୀଙ୍କୁ ନଦେଇ ପୋଡ଼ିଦେଲେ ଲକ୍ଷାଧିକ ଟଙ୍କାର ଔଷଧ

ବାଲେଶ୍ୱର: ରୋଗୀଙ୍କୁ ନଦେଇ ପୋଡ଼ିଦେଲେ ଲକ୍ଷାଧିକ ଟଙ୍କାର ଔଷଧ। ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ରୋଗୀଙ୍କ ପାଇଁ ଆସିଥିବା ଔଷଧକୁ ବିତରଣ ନକରି ରାତି ଅଧିଆ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି।

ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ବିପୁଳ ଔଷଧ ପୋଡ଼ାଯାଇଥିବା ସୂଚନା ମିଳିଛି । ପୋଡିଯାଇଥିବା ଔଷଧ ଭିତରେ ଓଆରଏସ, ଆଣ୍ଟିବାୟୋଟିକ ଟାବଲେଟ୍, କପସିରଫ ଭଳି ଗୁରୁତ୍ବପୂର୍ଣ୍ଣ ଔଷଧ ରହିଛି । ଲୋକଙ୍କୁ ନଦେଇ ଔଷଧ ପୋଡ଼ିଦେବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ପରେ ତଦନ୍ତ ହେବ ବୋଲି କହିଛନ୍ତି ହସ୍ପିଟାଲ ଇନଚାର୍ଜ।

କଟକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

କଟକ: ବଢୁଛି ବିଜେଡି ବଳ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ପଂଚାୟତରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ମିଶିଛନ୍ତି ବିଭିନ୍ନ ଦଳର କର୍ମୀ । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ୧୫୦ ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡିରେ ମିଶିଥିବା ସେମାନେ କହିଛନ୍ତି । ଏଥିରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ପଞ୍ଚାୟତ ପର୍ଯ୍ୟବେକ୍ଷକ ପ୍ରିତମ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ମଉଦା ପଂଚାୟତରେ ବିଜେଡ଼ିର ଶକ୍ତି ବୃଦ୍ଧି ପାଇବା ସହ ଅଧିକ ଦଳ ସୁଦୃଢ଼ ହେବ ବୋଲି କହିଛନ୍ତି।