spot_img
Home Blog Page 3226

ଜେଜେମାଆଙ୍କୁ ମାରିଦେଲା ନାତି, ୪ ଦିନ ପରେ ମାଟି ତଳୁ ମିଳିଲା ଗଳିତ ମୃତଦେହ

ନବରଙ୍ଗପୁର: ଜେଜେମାଆଙ୍କୁ ମାରିଦେଲା ନାତି । ନାତି ଓ ତା’ ମାଆ ମିଶି ମୃତଦେହକୁ ପୋତିଦେଲେ । ଚାରି ଦିନ ପରେ ମାଟି ତଳୁ ମିଳିଲା ଗଳିତ ମୃତଦେହ । ଘରୋଇ କଳିରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଖଣ୍ଡିଆଗୁଡ଼ା ଗାଁରେ ଗତ ୯ ତାରିଖରେ ସୋନାଇଁ ଜାନିଙ୍କ ପରିବାରରେ କୌଣସି କାରଣରୁ ବଚସା ହୋଇଥିଲା । ବଚସା ନେଇଥିଲା ଉଗ୍ରରୂପ । ଜେଜେମାଆ ସୋନାଇଁଙ୍କୁ ନାତି ଜଗବନ୍ଧୁ ଜାନି ଠେଲି ଦେବାରୁ ତଳେ ପଡ଼ି ଘଟଣାସ୍ଥଳରେ ହିଁ ସୋନାଇଁଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଜଗବନ୍ଧୁ ଏବଂ ତା’ ମାଆ କୁନି ଜାନି ମିଶି ମଧ୍ୟରାତ୍ରରେ ଘର ପାଖ ଏକ ନାଳ ନିକଟରେ ସୋନାଇଁଙ୍କ ଶବକୁ ପୋତି ଦେଇଥିଲେ ।

ମୃତ ସୋନାଇଁଙ୍କ ଭଣଜା ଲକିନାଥ ଜାନି ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶବ ପୋତାଯାଇଥିବା ସ୍ଥାନକୁ ଜଗବନ୍ଧୁକୁ ନେଇ ଶବ ଉଦ୍ଧାର କରାଯାଇଛି ଏବଂ ଘଟଣାସ୍ଥଳରେ ହିଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବ୍ୟବଚ୍ଛେଦ କରାଯାଇଛି । ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ମାମଲାର ତଦନ୍ତ କରୁଛନ୍ତି । ପୁଅ ଜଗବନ୍ଧୁ ଓ ତା’ ମାଆ କୁନି ଜାନିଙ୍କୁ ପୋଲିସ ଗିରଫ କରିଛି ।

ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ, ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା

କାନବେରା: ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ । ପୋର୍ଟ ହେଡଲ୍ୟାଣ୍ଡ ଓ ବେଡୋଟ ଦ୍ବୀପାଞ୍ଚଳରେ ମହାବାତ୍ୟା । ଘଣ୍ଟାପ୍ରତି ୨୧୮ କିଲୋମିଟର ବେଗରେ ବହିଛି ପବନ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଆଲର୍ଟ । ମହାବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଇଲସାର ଆଜି ସକାଳେ ପିଲବାରା ଉପକୂଳରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ରଚିଛି ତାଣ୍ଡବ । ବିଗତ ୨୦୦୭ରେ ଅଷ୍ଟ୍ରେଲିଆରେ ତାଣ୍ଡବ ରଚିଥିଲା ସାଇକ୍ଲୋନ ଜର୍ଜ । ଏହାର ଘଣ୍ଟାପ୍ରତି ବେଗ ଥିଲା ୧୯୪ କିଲୋମିଟର ।

ନକଲି ସାର୍ଟିଫିକେଟ ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ନକଲି ସାର୍ଟିଫିକେଟ ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏବେ ନୁହେଁ ବଲାଙ୍ଗୀର ପୋଷ୍ଟାଲ ନିଯୁକ୍ତିରେ ଫେକ୍ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିବା ପରଠାରୁ ସରକାର ଏ ନେଇ ସକ୍ରିୟ ଅଛନ୍ତି । ସରକାର ଗମ୍ଭୀରତାର ସହ ଖୋଳତାଡ଼ ଜାରି ରଖିଛନ୍ତି । ପାଖାପାଖି ୧୫୦ ଜଣ ବହିଷ୍କାର ହୋଇଛନ୍ତି । ଥାନାରେ ଏତଲା ଦିଆଯାଇଛି । ମୟୂରଭଞ୍ଜରେ କେସ୍ ଦାଖଲ ହୋଇ ଗିରଫ ମଧ୍ୟ ହୋଇଛନ୍ତି । BEO, DEO ମାନଙ୍କୁ ୭ ଦିନ ଭିତରେ ନିଜ ଅଂଚଳର ନକଲି ସାର୍ଟିଫିକେଟଧାରୀଙ୍କ ସମ୍ପର୍କରେ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅସଲି ନକଲି ନେଇ ଓଡ଼ିଶା ଓ ରାଜ୍ୟ ବାହାର ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଉଛି । ତେଣୁ ଖୋଳତାଡ଼ କରିବାକୁ ସମୟ ଲାଗୁଛି ।

ଗଣଶିକ୍ଷା ବିଭାଗରେ ପୂର୍ବରୁ ଖୋଳତାଡ଼ ଚାଲିଛି । ତେଣୁ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ କିଛି ଆବଶ୍ୟକତା ଆସିନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବଲାଙ୍ଗୀର ଲିଙ୍କ୍ କଥା କହିବା ଠିକ ହେବନି ବୋଲି କହିଛନ୍ତି ମନ୍ତ୍ରୀ । କାରଣ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସେମାନଙ୍କ ଯାହା ଦରକାର ପଡ଼ିବ ସେମାନେ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଖରାକୁ ଦେଖି ଏପ୍ରିଲ ୧୬ ପରେ ପୁଣି ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଖରାକୁ ଦେଖି ଏପ୍ରିଲ ୧୬ ପରେ ପୁଣି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ । ତାହା ସବୁ ବିଭାଗ ପାଇଁ ଲାଗୁ ହେବ । ରାଜ୍ୟ ସରକାର ଓ ରାଜସ୍ୱ ବିଭାଗ ଯାହା ନିଷ୍ପତ୍ତି ନେବ, ତାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ସମ୍ବେଦନଶୀଳ ଘଟଣାରେ ସଠିକ ନିଷ୍ପତ୍ତି ନିଅନ୍ତି । ଜାପାନରୁ ଫେରି ଖରା ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ । ଏହାସହ ସ୍ୱାସ୍ଥ୍ୟ ଜନିତ କଥାକୁ ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେଲେ । ସେହିପରି ଚୁକ୍ତିଭିତ୍ତିକ ଶିକ୍ଷକ ବି ଆନ୍ଦୋଳନରେ ବସିଥିଲେ । ସେମାନଙ୍କ ସମ୍ପର୍କରେ ବି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ ।

ଦିନ ସାଢେ ୧୧ ସୁଦ୍ଧା ସାତ ସହରରେ ପାରଦ ୩୫ ଡିଗ୍ରୀ ପାର୍‌

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଖରା । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଦିନ ୧୧.୩୦ ସୁଦ୍ଧା ୩୯.୮ ଡ଼ିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା ପାଲଟିଛି। କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ , ସମ୍ବଲପୁରରେ ୩୮.୪ ଡ଼ିଗ୍ରୀ, ହୀରାକୁଦରେ ୩୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଚାନ୍ଦବାଲିରେ ୩୮.୦ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୭.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୦ ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଗତକାଲି ବିଶ୍ବର ସବୁଠୁ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ଥିଲା ବାରିପଦା ।

ଏହାସହ ଅନୁଗୁଳ ଓ ଟିଟିଲାଗଡ଼ ମଧ୍ୟ ତତଲାଗଡ଼ ଭାବେ ତାଲିକାରେ ରହିଥିଲା । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ହିଟ୍ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟରେ ସ୍ବାଭାବିକ୍ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କର୍ଣ୍ଣାଟକରେ ବିଜେପି ଖେଳ ବିଗାଡ଼ିବେ ବିଦ୍ରୋହୀ, ଆଜି ପଦ୍ମ ଛାଡ଼ି ହାତ ଧରିବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ଖେଳ ବିଗାଡ଼ିବେ ବିଦ୍ରୋହୀ । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଚିନ୍ତାରେ ହାଇକମାଣ୍ଡ । କର୍ଣ୍ଣାଟକରୁ ଦିଲ୍ଲୀ ଯାଏଁ ଘମାସାନ । କଂଗ୍ରେସ ମୁହାଁ ଅସନ୍ତୁଷ୍ଟ ନେତା । ଆଜି ଅପରାହ୍ନରେ କଂଗ୍ରେସରେ ମିଶିବେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଡି । ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଘରେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପିସିସି ସଭାପତି ଡି କେ ଶିବକୁମାର । ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଆସି ସାରିଥିବା ବେଳେ ଦଳ ଭିତରେ ଉଗ୍ର ରୂପ ନେଇଛି ବିଦ୍ରୋହ। ଟିକେଟକୁ ନେଇ ଲଗାତାର ତିନିଦିନ ଧରି ଜାରି ରହିଛି ଇସ୍ତଫା ଶୋ’ । ବିଦ୍ରୋହୀ ନେତାଙ୍କୁ ବୁଝାଇବାକୁ କର୍ଣ୍ଣାଟକରୁ ଦିଲ୍ଲୀ ଯାଏଁ ହଲଚଲ ହେଉଥିବା ବେଳେ ଆଉ ତିନି ତୁଙ୍ଗ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଦଳ ଭିତରେ ଫାଟ ସୃଷ୍ଟି କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତାଲିକା ସେହି ଫାଟକୁ ବଡ଼ କରିଛି । ବିଧାୟକ ଏମ କୁମାରସ୍ବାମୀ, ନେହରୁ ଓଲେକାର, ଗୁଲିହାଟି ଶେଖର ବିଜେପିରୁ ଇସ୍ତଫା ଦେଇଛନ୍ତି ।

କୁମାରସ୍ବାମୀ ତିନି ଥର ବିଧାୟକ ହୋଇଥିବା ବେଳେ ଏଥର ଦଳ ତାଙ୍କୁ ଟିକେଟ ଦେଇନି । କୁମାରସ୍ବାମୀ ଜଣେ ଦଳିତ ହୋଇଥିବାରୁ ସେ ଜେଡିଏସରେ ଯୋଗଦେଇପାରନ୍ତି ନଚେତ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେପଟେ ଲିଙ୍ଗାୟତ ସମୁଦାୟ ଭୋଟ ବି ବିଜେପି ହାତକୁ ଖସିପାରେ ବୋଲି କୁହାଯାଉଛି । ବିଜେପିର ବିଦ୍ରୋହୀ ନେତାଙ୍କ ମଧ୍ୟରୁ ଅନେକ ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାରୁ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ସମ୍ପ୍ରଦାୟ ଭୋଟ ବେଶ୍ ପ୍ରଭାବଶାଳୀ । ଲିଙ୍ଗାୟତ ସମୁଦାୟ ହିଁ ରାଜ୍ୟରେ କିଏ ସରକାର ଗଢ଼ିବ ତା’ର ନିର୍ଣ୍ଣୟ କରିଥାନ୍ତି । ୬୭ ବର୍ଷର ଇତିହାସରେ ଗତ ଦୁଇ ଦଶନ୍ଧୀ ହେବ ବିଜେପି ଲିଙ୍ଗାୟତଙ୍କ ସହ ଯୋଡି ହୋଇଥିବା ବେଳେ ଏହାପୂର୍ବରୁ ୪୨ ବର୍ଷ ଧରି କଂଗ୍ରେସ ଓ ଜେଡିଏସ ଲିଙ୍ଗାୟତ ସମୁଦାୟ ସହ ରହିଆସିଛନ୍ତି । ଏବେ କର୍ଣ୍ଣାଟକ ଜନସଂଖ୍ୟାର ୧୮ ପ୍ରତିଶତ ଲିଙ୍ଗାୟତ ସମ୍ପ୍ରଦାୟ । ଏଥର ନିର୍ବାଚନରେ ବି ଲିଙ୍ଗାୟତ ଭୋଟ ବେଶତ ମହତ୍ତ୍ବପୂର୍ଣ୍ଣ । ବିଜେପିରେ ବିଦ୍ରୋହ ଯୋଗୁ କଂଗ୍ରେସ, ଜେଡିଏସ ଲିଙ୍ଗାୟତ ଭୋଟରଙ୍କୁ ମନେଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ଏସସିବିରେ ୪୦ ରୋଗୀଙ୍କ ଲାଇଭ ସର୍ଜରୀ ଦେଖିଲେ ୧୦୦ ଡାକ୍ତର

କଟକ: ଏସସିବି ମେଡିକାଲରେ ନୂଆ ଇତିହାସ । ପ୍ରଥମ ଥର ପାଇଁ ସଂକ୍ରମଣ ଓ ଜନ୍ମାବସ୍ଥାରୁ ସଂକୁଚିତ ପରିସ୍ରାନଳୀର ହୋଇଛି ସଫଳ ଅସ୍ତ୍ରୋପଚାର । ଲାଇଭ ଓଟି ସହିତ କର୍ମଶାଳା ଆୟୋଜନ କରାଯାଇଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୪୦ ଜଣ ଏପରି ରୋଗୀଙ୍କୁ ନେଇ ଲାଇଭ ସର୍ଜରୀ କରାଯାଇଛି ।

ଏଥିରେ ଏମ୍ସ ଡାକ୍ତରଙ୍କ ସମେତ ପୁନେ, ଜୟପୁର, କୋଲକତା ଓ ରାଞ୍ଚିରୁ ୧୬ ଜଣ ଡାକ୍ତର ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲରୁ ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର କର୍ମଶାଳାରେ ଭାଗନେଇଛନ୍ତି ।

ସତୀଶଙ୍କ ଜନ୍ମଦିନରେ ଝିଅ ଲେଖିଲେ ଇମୋସନାଲ ପୋଷ୍ଟ, କାନ୍ଦିପକାଇଲା ବଲିଉଡ

ମୁମ୍ବାଇ: ଦୁନିଆକୁ ଅଲବିଦା କହି ସାରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକ  । କିନ୍ତୁ ତାଙ୍କ ଜନ୍ମଦିନକୁ ବଡ ଧୂମଧାମରେ ସେଲିବ୍ରେଟ କରିଛି ବଲିଉଡ  । ସତୀଶଙ୍କ ଜନ୍ମଦିନ ସେଲିବ୍ରେସନର ମୁକସାକ୍ଷୀ ପାଲଟିଛି ଜୁହୁସ୍ଥିତ ଇସ୍କନ ଅଡିଟୋରିୟମ । ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜନ୍ମଦିନକୁ ସମାନ ଢଙ୍ଗରେ ପାଳିବାକୁ ମନ ବଳାଇଥିଲେ ବନ୍ଧୁ ତଥା ଅଭିନେତା ଅନୁପମ ଖୈର  । ସତୀଶଙ୍କ ଅନୁପସ୍ଥିତିରେ ଶୋକବ୍ୟକ୍ତ ନ କରି ତାଙ୍କ ଜୀବନକୁ ବଞ୍ଚିବା ଶୈଳୀରେ ସେଲିବ୍ରେଟ ପାଇଁ ସର୍ତ୍ତ ରଖିଥିଲେ ଅନୁପମ  ।

ଅଡିଟରିୟମରେ ଥିବା ଅତିଥିଙ୍କୁ ଅନୁପମ କହିଥିଲେ ସତୀଶଙ୍କ ଏହା ୬୭ତମ ଜନ୍ମଦିନ । ତାଙ୍କ ସହ ୪୭ ବର୍ଷ ବିତାଇଛି  । ମୁଁ ଚେଷ୍ଟା କରିବି ଆଜି ବିଲକୁଲ କାନ୍ଦିବିନି  । ହସିହସି ତାଙ୍କ ଜନ୍ମଦିନ ସେଲିବ୍ରେଟ କରିବି  । ଆପଣ ବି ତାଙ୍କ ଅନୁପସ୍ଥିତରେ ଶୋକ ପ୍ରକାଶ ନ କରି ତାଙ୍କ ଜୀବନକୁ ସେଲିବ୍ରେଟ କରନ୍ତୁ  । ସତୀଶଙ୍କ ଜୀବନ ଏବେ ବି ଜବରଦସ୍ତ ଓ ଡ୍ରାମାଟିକ ରହିଛି  ।

ଏସବୁ ମଧ୍ୟରେ ସତୀଶଙ୍କ ଝିଅ ଲେଖିଥିବା ଇମୋସନାଲ ପୋଷ୍ଟ ଅଡିଟରିୟମରେ ଥିବା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା  । ଅନୁପମଙ୍କ ସହ ଷ୍ଟେଜରେ ଛିଡା ହୋଇ ଝିଅ ବଂଶିକା ସତୀଶଙ୍କ ପାଇଁ ଲେଖିଥିବା ନୋଟ୍‌ ଟିକୁ ପଢିଥିଲେ  । ସେ ଲେଖିଥିଲେ ‘ହାଲୋ ପାପା, ମୁଁ ଜାଣିଛି ତୁମେ ଏହି ଦୁନିଆରୁ ଚାଲିଯାଇଛ  । ହେଲେ ମୁଁ ତୁମ ପାଇଁ ସବୁବେଳେ ଅଛି  । ତୁମ ବନ୍ଧୁ ମାନେ ମୋତେ ଷ୍ଟ୍ରଙ୍ଗ ହେବା ପାଇଁ ସାହାସ ଦେଉଛନ୍ତି  । କିନ୍ତୁ ତୁମ ବିନା କେମିତି ସମ୍ଭବ ? ତୁମେ ବହୁତ ମନେ ପଡୁଛ  । ଯଦି ମୁଁ ଜାଣିଥାନ୍ତି ତୁମେ ଏତେ ଶୀଘ୍ର ଦୁନିଆ ଛାଡିଦେବ ମୁଁ ତୁମ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ସ୍କୁଲ ଯାଇନଥାନ୍ତି  । ମୁଁ ତୁମକୁ ଥରେ ଆଲିଙ୍ଗନ କରିପାରିଥାନ୍ତି କି ?  କିନ୍ତୁ ଏବେ ତୁମେ କୁଆଡେ ପଳେଇଛ ? ଫିଲ୍ମ ଭଳି କିଛି ଯାଦୁ ହୋଇଯାଆନ୍ତା କି ? ତୁମେ ପୁଣି ଥରେ ମୋ ପାଖକୁ ଫେରି ଆସନ୍ତ  । ହୋମୱାର୍କ ନ କଲେ ମମିଙ୍କ ଗାଳିରୁ କିଏ ବଞ୍ଚାଇବ ? ସାଙ୍ଗମାନେ ସ୍କୁଲରେ ମଜାକ୍‌ ଉଡାଇଲେ କଣ ଉତ୍ତର ଦେବି ?

‘ତୁମେ ସବୁବେଳେ ମନେ ପଡୁଛ  । ମୁଁ ତୁମ ପାଇଁ ପୂଜା କରିଛି  । ତୁମେ ସ୍ବର୍ଗରେ ରୁହ ଆଉ ଖୁସିରେ ରୁହ  । ବଡ ବଙ୍ଗଳାରେ ରୁହ ଆଉ ଫରାରୀ ଭଳି ଦାମୀ ଗାଡିରେ ବୁଲ  । ସ୍ବାଦିଷ୍ଟ ଖାଦ୍ୟ ଖାଅ  । କିଛି କଥା ନାହିଁ ଆମେ ୯୦ ବର୍ଷ ପରେ ପୁଣି ଭେଟିବା  । ପୁଣିଥରେ ଜନ୍ମ ନିଅନି । ଆମେ ଏକାଥରେ ସେଠି ଦେଖାହେବା  । ପ୍ଲିଜ ମୋତେ ମନେ ରଖିଥିବ । ମୁଁ ଆଖି ବୁଜିଲେ ବି ତୁମକୁ ଦେଖୁଛି । ମୁଁ ତୁମକୁ ବହୁତ ଭଲ ପାଏ  । ମୋତେ ଦୁନିଆର ବେଷ୍ଟ ପାପା ମିଳିଥିଲେ  ’।

ଅସଦ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ, ମିଳୁନି ବାଇକ ଚାବି, ବାଇକରେ ଲାଗିନି କିଛି ବି ଦାଗ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦକୁ ଏସଟିଏଫ ଏନକାଉଣ୍ଟର କରିଛି । ଅସଦର ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏକାଉଣ୍ଟରରେ ନିହତ ହୋଇଛି । ବହୁ ଚର୍ଚ୍ଚିତ ଉମେସ ପାଲ ହତ୍ୟା ମାମଲାରେ ପୋଲିସ ତାଙ୍କୁ ଖୋଜୁଥିଲା । ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ବି ଥିଲା । ଏବେ ଦୁହିଁଙ୍କ ଏକାଉଣ୍ଟରକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି ।

ଝାନସୀର ପରିଛା ଡ୍ୟାମ ଅଞ୍ଚଳରେ ଉଭୟଙ୍କୁ ଏନକାଉଣ୍ଟର କରାଯାଇଥିଲା । ଯେଉଁ ଯାଗାରେ କି ଆଗକୁ ରାସ୍ତା ବନ୍ଦ ଥିଲା । ଯେତେବେଳେ ସେମାନେ ଯାଉଥିଲେ ପଛପଟୁ ଗୁଳି ଚଳାଯାଇଥିଲା । ବାଇକଟି ରାସ୍ତା କଡରେ ଯାଇ ପଡ଼ିଥିଲା । କିନ୍ତୁ ବାଇକରେ କୌଣସି ଦାଗ ଥିବା ଦେଖାଯାଇ ନଥିଲା । ଯେତେବେଳେ ମିଡିଆ ସେହି ସ୍ଥାନରେ ପହଞ୍ଚିଥିଲା ସେତେବେଳେ ବାଇକର ଚାବି ନଥିଲା । ଏହାକୁ ନେଇ ଏବେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି ।

ୟୁପି ଏସଟିଏଫର କହିବା ଅନୁସାରେ, ଅସଦ ଏବଂ ଗୁଲାମ ପାଖରେ ବାଇକ ଥିଲା । ଯାହା ସେହି ସ୍ଥାନରେ ପଡ଼ିଥିଲା । ସେଠାରେ ୧୦ରୁ ୨୧ ପୋଲିସକର୍ମୀ ବି ଥିଲେ । ବାଇକରୁ ପ୍ରାୟ ୫୦ ମିଟର ଦୂରରେ ପୋଲିସ ଗାଡ଼ି ଥିଲା । ଗାଡ଼ିର କୌଣସି ପାର୍ଟ ଭାଙ୍ଗି ନଥିଲା କି କୌରଣି ଦାଗ ଲାଗିଥିଲା । ଏହାକୁ ନେଇ ବି ଏବେ ପ୍ରଶ୍ନ ଉଠୁଛି ଯେ, ବାଇକ ଯଦି ତଳେ ପଡ଼ିଲା ତାହାଲେ କିପରି କିଛି ଦାଗ ହେଲାନି ।

ଏନକାଣ୍ଟର ପରେ ଲୋକାଲ ପୋଲିସ ଆସିବା ପୂର୍ବରୁ ମିଡିଆ ସେଠାରେ ପହଞ୍ଚିଥିଲା । ହେଲେ ମିଡିଆ ଆସିବା ପୂର୍ବରୁ ବାଇକର ଚାବି ବି ନ ଥିଲା । ବାଇକ ପୁରୁଣା ଥିବାକୁ ଢିଲା ହୋଇ ଚାବି କେଉଁଠି ଗଳି ପଡ଼ିଥିବା ମଧ୍ୟ କୁହାଗଲା, କିନ୍ତୁ ଖୋଜାଖୋଜି କଲା ପରେ ଚାବି ମିଳି ନଥିଲା ।

ବାଇକରେ ନମ୍ବର ପ୍ଲେଟ ଏବଂ ଚେସିସି ନମ୍ବର ବି ନଥିଲା । ଏହାକୁ ନେଇ ଅନୁମାନ କରାଯାଉଛି ଯେ, ବାଇକ ଚୋରିର ହେଇଥାଇପାରେ । ବାଇକ ବିଷୟରେ ଅଧିକ ଜାଣିବାକୁ ପୋଲିସ ବାଇକକୁ ଜବତ କରିଛି ।

ଅସଦ ଏବଂ ଗୁଲାମ ପାଖରେ କୌଣସି ହେଲମେଟ ନଥିଲା । ୟୁପି ପୋଲିସର କହିବା ଅନୁସାରେ ଅସଦ ଏବଂ ଗୁଲାମ ୪୫ ଦିନରୁ ଗାଏବ ଥିଲେ । ଯଦି ସେମାନେ ଅଲଗା ଅଲଗା ବୁଲୁଥିଲେ ତାହାଲେ ବିନା ହେଲମେଟରେ କିପରି ବୁଲୁଥିଲେ । ସେ ନିଜ ଚେହେରା ଦେଖାଉ ନଥିଲେ କାରଣ ତାଙ୍କ ଉପରେ ୫ ଲକ୍ଷର ପୁରସ୍କାର ଥିଲା । ତେଣୁ ତାଙ୍କୁ ବିନା ହେଲମେଟରେ କେମିତି କେହି ଦେଖି ପାରିଲେ ନାହିଁ ।

ତାଙ୍କୁ ଯେଉଁ ରାସ୍ତାରେ ପିଛା କରାଯାଉଥିଲା ସେହି ରାସ୍ତା କଚା ରାସ୍ତା ଥିଲା । ପଥର ଗୋଡି ଥିବା ରାସ୍ତାରେ ୧୦ରୁ ୨୦ କିମି ପ୍ରତି ଘଣ୍ଟାରୁ କେହି ଅଧିକା ଚଳାଇ ପାରିବେନି । ତେଣୁ ସେମାନେ ଏତେ ଦୂର କିପରି ଗଲେ ତାକୁ ନେଇ ବି ପ୍ରଶ୍ନ ଉଠୁଛି ।

ମନୀଷ ସିସୋଦିଆଙ୍କୁ ବଦନାମ କରିଛି ବିଜେପି, ନ୍ୟାୟାଳୟରେ ମିଛ ରିପୋର୍ଟ ଦେଇ ଭୁଆଁ ବୁଲାଉଛି ଇଡି

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ବଦନାମ କରିଛି ବିଜେପି । ତଦନ୍ତର ମଜାକ ବନାଉଛି କେନ୍ଦ୍ରୀୟ ଏଜେନ୍ସି । ନ୍ୟାୟାଳୟରେ ମିଛ ରିପୋର୍ଟ ଦେଇ ଭୁଆଁ ବୁଲାଉଛି ଇଡି । ବିରୋଧୀଙ୍କ ବିରୋଧରେ ବିଜେପିର ହୀନ ଚକ୍ରାନ୍ତ ଓ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗକୁ ନେଇ ପ୍ରେସମିଟ୍ କରି ବର୍ଷିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀର ବିବାଦୀୟ ଅବକାରୀ ନୀତିକୁ ନେଇ ଦିଲ୍ଲୀର ପୂର୍ବତନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏକାଧିକବାର ସିସୋଦିଆଙ୍କ ଘର, ଅଫିସ, ବ୍ୟାଙ୍କ ଲକର ଯାଞ୍ଚରେ ଟଙ୍କାଟିଏର ଦୁର୍ନୀତି ବାବଦରେ ସୁରାକ ମିଳି ନଥିବା ବେଳେ ପ୍ରମାଣ ନଷ୍ଟ ଓ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ତଦନ୍ତ ବେଳେ ସିସୋଦିଆ ୧୪ଟି ଫୋନ ନଷ୍ଟ କରିଥିବା ଇଡି କୋର୍ଟରେ ରିପୋର୍ଟ ଦାଖଲ କରିଥିବା ବେଳେ ଲିଷ୍ଟରେ ଥିବା ସବୁ ଫୋନ ଏବେ ବି ବ୍ୟବହାର ଯୋଗ୍ୟ ବୋଲି କହିଛନ୍ତି ଆପ୍ ସାଂସଦ । ଇଡି ଦାଖଲ କରିଥିବା ଫୋନର IMEIର ନମ୍ବରଗୁଡ଼ିକରୁ ୫ଟି ଇଡି ସିଜ୍ କରିଥିବା ବେଳେ ଅନ୍ୟ ୯ଟି ଏବେ ବି ଠିକ୍ ଥିବା ସେ ଦାବି କରିଛନ୍ତି । କୋର୍ଟ ଓ ଗଣମାଧ୍ୟମକୁ ମିଛ କହିଥିବା ଇଡି ଅଧିକାରୀଙ୍କ ବିରୋଧରେ  ଅପରାଧିକ ଷଡ଼ଯନ୍ତ୍ର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପ୍ ଦାବି କରିଛି । ବିଜେପି ଆକ୍ରୋଶମୂଳକ ଭାବେ ବିରୋଧୀ ନେତାଙ୍କୁ ଜେଲରେ ପୁରାଇବାକୁ ମିଛ ମାମଲା, ମିଛ ତଦନ୍ତ ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରୁଛି ବୋଲି ସଞ୍ଜୟ ସିଂ କହିଛନ୍ତି ।