spot_img
Home Blog Page 3275

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଚାଲିବନି ସୋସିଆଲ ମିଡିଆ

ସମ୍ବଲପୁର: ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପୋଲିସ ଉପରକୁ ପଥରମାଡ ଘଟଣା ପରେ ଶାନ୍ତି ଶୃଙ୍ଖଳା ଭଙ୍ଗ ପାଇଁ କିଛି ଗୋଷ୍ଠୀ ପ୍ରୟାସ କରୁଛନ୍ତି । ସୋସିଆଲ ମିଡିଆ ଦ୍ବାରା ଲୋକଙ୍କୁ ଉସକେଇବା ପାଇଁ ମେସେଜ ପଠାଯାଉଛି । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଇଣ୍ଟରନେଟ ବନ୍ଦ କରାଯାଇଛି ।

ହ୍ବାଟ୍ସଆପ୍‌, ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ, ସ୍ନାପଚାଟ ଭଳି ସୋସିଆଲ ମିଡିଆ ସାଇଟ ବ୍ୟାନ୍‌ କରାଯାଇଛି । ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ କରାଯାଇଛି । ଆଜି ସକାଳୁ ପଥରମାଡ଼କୁ ନେଇ ୨୫ ଜଣଙ୍କୁ ଉଠାଇ ନେଲା ପୋଲିସ । ପଥରମାଡରେ ୧୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ବର୍ତମାନ ସମ୍ବଲପୁରର ୬ ଥାନା ଅଂଚଳରେ ୧୪୪ ଧାରା ଜାରି ରହିଛି । ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି ।

ବିଶେଷକରି ରାମ ମନ୍ଦିର ହନୁମାନ ମନ୍ଦିର ଓ ବିଭିନ୍ନ ମସଜିଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏଲଓସିରେ ସନ୍ଦିଗ୍ଧ ଡ୍ରୋନ ଖସାଇଲା ସୁରକ୍ଷାବଳ, ଆଖପାଖ ଗାଁରେ ସର୍ଚ୍ଚ ଅପରେସନ

ଶ୍ରୀନଗର: ଏଲଓସିରେ ଉତ୍ତେଜନା ପାଇଁ ଚକ୍ରାନ୍ତ୍ର କରୁଛି ପାକ୍ । ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ବେରୀ ପଟନ ଓ ସିଓଟ ଅଞ୍ଚଳରେ ଉଡୁଥିବା ସନ୍ଦିଗ୍ଧ ଡ୍ରୋନକୁ ଖସାଇଛନ୍ତି ସୁରକ୍ଷାକର୍ମୀ । ଡ୍ରୋନରୁ ୫ଟି ଲୋଡେଡ ମାଗାଜିନ, ଟଙ୍କା ଓ କିଛି ପ୍ୟାକେଟ ଜବତ ହୋଇଛି । ସୀମାଞ୍ଚଳରେ କିଛି ସନ୍ଦିଗ୍ଧ ବସ୍ତୁ ଉଡୁଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଏବେବି ଆଖପାଖ ଗାଁରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବୋଲି ସେନା କହିଛି ।

ପଞ୍ଚୁଦଣ୍ଡ ମହାମିଳନରେ ହଜାର ହଜାର ଭକ୍ତଙ୍କ ସମାଗମ, ଧୂଳିଦଣ୍ଡ ପାଣିଦଣ୍ଡ ଦେଖିବାକୁ ଭିଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁଠୁ ସହର ସବୁଠି ମାନସିକ ଧାରୀଙ୍କ ଘର ଆଗରେ ଦଣ୍ଡଯାତ୍ରା ପାଇଁ ଉତ୍ସାହ । ଢୋଲ ଓ ମହୁରୀ ଶବ୍ଦରେ କମ୍ପି ଉଠୁଛି ସାରା ପରିବେଶ  । ଧୂଳିଦଣ୍ଡ ସାଙ୍ଗକୁ ପାଣିଦଣ୍ଡ ପରେ ରାତିରେ ବିଭିନ୍ନ ପୌରାଣିକ ନାଟକ ଓ ସାମାଜିକ ନାଟକ ପରିବେଷଣ ହେଉଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ଖାରିଆ ପଞ୍ଚାୟତର ସନ୍ଧି ନୂଆଁପଲି ଗାଁରେ ପଞ୍ଚୁଦଣ୍ଡ ମହାମିଳନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି  ।

ପଞ୍ଚୁଦଣ୍ଡରେ ଯିଏ ଯାହା ମାନସିକ କରନ୍ତି ତାହା ପୂରଣ ହୋଇ ଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଆସିଛି  । ପଞ୍ଚୁଦଣ୍ଡ ମହାମିଳନ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଆସିକା, କବିସୂର୍ଯ୍ୟନଗର, ଖୁକୁଣ୍ଡିଆ ଓ ଗୋଲିଆ ଗାଁର ଦଣ୍ଡୁଆ ମାନେ ଆସି ମାନସିକ ଧାରୀଙ୍କ ଘର ସମୁଖରେ ଦଣ୍ଡ ବିଧାନ କରିଛନ୍ତି  । ତତଲା ବାଲିରେ ଖାଲି ପାଦରେ ନିଷ୍ଠାର ସହ ଦଣ୍ଡୁଆ ମାନେ ଦଣ୍ଡ ବିଧାନ କରିଛନ୍ତି । ୧୩ରୁ ୧୪ ଦିନ ନିଷ୍ଠାର ସହ ଦଣ୍ଡ ନାଚରେ ସାମିଲ ହୋଇ ଦଣ୍ଡୁଆମାନେ ମାଆ କାଳୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି  ।

ବିଶେଷ କରି ପଞ୍ଚୁଦଣ୍ଡରେ ପାଞ୍ଚୋଟି ଦଣ୍ଡ ମହାମିଳନ ନିଆରା ପରିବେଶ ସୃଷ୍ଟି କରିଥାଏ । ଯାହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ  ।

ଆହୁରି ୧୨ ଦିନ ସଂକ୍ରମଣ ସଂଖ୍ୟା ବଢିବ, ଦିଲ୍ଲୀ ଏମ୍ସରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୧୫୮ ଜଣ ସଂକ୍ରମିତ ହୋଇଛନ୍ତି । ସକ୍ରିୟ ମାମଲା ରହିଛି ୪୪ ହଜାର ୯୯୮ । ଟେଷ୍ଟିଂ ବଢୁଥିବାରୁ ସଂଖ୍ୟା ବଢୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୧୦ରୁ ୧୨ ଦିନ ସଂକ୍ରମଣ ସଂଖ୍ୟା ଅଧିକ ରହିବ । ଏହାପରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମିବ । ଦେଶରେ କରୋନା ଏବେ ଶେଷ ପର୍ଯ୍ୟାୟରେ ରହିଛି ।

ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା କମିଛି । ଲୋକେ କେହି ଗୁରୁତର ହେଉନାହାନ୍ତି । କୋଭିଡ ନିୟମ ମାନି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ ଏମ୍ସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଓମିକ୍ରନର ସବଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି ।

ଏକତରଫା ପ୍ରେମରୁ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ

କଟକ: ଏକ ତରଫା ପ୍ରେମରୁ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ କଲା ବିଫଳ ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଓସ୍ତନାରାୟଣୀପୁର ଗ୍ରାମରେ। ସେହି ଗ୍ରାମର ପ୍ରତିସ୍ ପଟ୍ଟନାୟକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ନାବାଳିକା ଜଣଙ୍କ ରାତିରେ କୋଚିଂରୁ ଫେରୁଥିବା ସମୟରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ।

ନାବାଳିକା ମନା କରିଦେବାରୁ ଭୁଜାଲିରେ ଆକ୍ରମଣ କରିଛି ଯୁବକ। ଏନେଇ ନରସିଂହପୁର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ନରସିଂହପୁର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଯୁବକ ପେରାର ଥିବାରୁ ପୋଲିସ ତାକୁ ଖୋଜୁଛି ।

ବାଇକରେ ଆସି ଛେଳି ବ୍ୟବସାୟୀଙ୍କୁ ଗୁଳି, ଲୁଟି ନେଲେ ୯ ଲକ୍ଷ ଟଙ୍କା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଛଟେନପାଲି ନିକଟରେ ଲୁଟ ପାଇଁ ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା । ଵାଇକରେ ତିନି ଦୁର୍ବୃତ୍ତ ଆସି ଗୁଳି କରି ଛେଳି ଵ୍ୟଵସାୟୀ ପ୍ରଭାତ ନାୟକଙ୍କୁ ହତ୍ୟା କରିବା ପରେ ବ୍ୟବସାୟୀଙ୍କ ନିକଟରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ପରେ ଲେଫ୍ରିପଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

୩ ଲୁଟେରା ଫେରାର ଥିବା ବେଳେ ଟଙ୍କା ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ମୃତଦେହ ସୁନ୍ଦରଗଡ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି। ମୃତକ ଛେଳି ଵ୍ୟଵସାୟୀ ଜଣକ ହାଟକୁ ଛେଳି କିଣିବା ପାଇଁ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଛେଳି ବ୍ୟଵସାୟୀଙ୍କ ଉପରେ ଗୁଳିମାଡ଼ କରି ଟଙ୍କା ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଜନ୍ମଦିନରେ ରାଜଧାନୀକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି । ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ ।

ମୋଦି ସାଙ୍ଗିଆ ମାମଲାରେ ସୁରଟ ସେସନ କୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ପ୍ରସଙ୍ଗ । ଆଜି ସୁରଟ ସେସନ୍ସ କୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି । ଏହି ସମୟରେ ରାହୁଲ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି । ମେ ୩ରେ ଦଣ୍ଡାଦେଶ ବିରୋଧରେ ଆବେଦନର ଶୁଣାଣି କରିବେ କୋର୍ଟ । ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁରଟ ସେସନ୍ସ କୋର୍ଟ ପିଟିସନ ଦାଏର କରିଛନ୍ତି ରାହୁଲ ଗାନ୍ଧି ।

ଦଣ୍ଡାଦେଶର ୧୧ଦିନ ପରେ ଏପ୍ରିଲ ୩ତାରିଖରେ ସେସନ୍ସ କୋର୍ଟରେ ରାହୁଲ ଆବେଦନ କରିଥିଲେ । ୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା । ଗତ ମାର୍ଚ୍ଚ ୨୩ରେ ସୁରଟର ସିଜେଏମ କୋର୍ଟ ରାହୁଲଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି ।

ଟ୍ରଲି ସାଇଟ କରିବାକୁ କହିବାରୁ ସଫେଇ କର୍ମୀଙ୍କୁ ନିସ୍ତୁକ ମାଡ

ଭଦ୍ରକ: ମହିଳା ସଫେଇ କର୍ମୀଙ୍କୁ ମାଡ଼ ମାରିଲେ ଟ୍ରଲି ବେପାରୀ ।  ସାଇଟ ହେବାକୁ କହିବାରୁ ମହିଳା ସଫେଇ କର୍ମୀଙ୍କୁ ନିସ୍ତୁକ ମାଡ଼ ମାରିଲେ ଟ୍ରଲି ବେପାରୀ । ସମସ୍ତ ସଫେଇ କର୍ମୀ ରାସ୍ତାରେ ବସିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ଭଦ୍ରକ ସହରରେ ଅପର୍ତ୍ତିବିନ୍ଧା ଛକ ନିକଟରେ ସଫେଇ କର୍ମୀ ରାସ୍ତା ସଫା କରୁଥିଲେ । ଟ୍ରଲି ସାଇଟ କରିବା ପାଇଁ କହିବା ପରେ ଟ୍ରଲିରେ ବେପାର କରୁଥିବା କେତେକ ଟ୍ରଲି ବେପାରୀ ମହିଳା କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ରାସ୍ତା ରୋକ କରିଥିଲେ । ଉତ୍ତେଜନାକୁ ଦେଖି ପୋଲିସ ଲାଠି ଚାର୍ଜ କରିଛି । ଅପର୍ତ୍ତିବିନ୍ଧା ଛକରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଉତ୍ତେଜନାକୁ ନଜରରେ ରଖି ଦୋକାନ ବଜାର ବନ୍ଦ କରିବା ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳଙ୍କ ସହ ତହସିଲଦାର ପହଞ୍ଚିଛନ୍ତି ।

ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି, ପ୍ରତି ୱାର୍ଡରେ ହେବ ସେଲିବ୍ରେସନ

ଭୁବନେଶ୍ବର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ଆମ ରାଜଧାନୀ ।

ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ବରର ବିକାଶ । ପରେଡରେ ଓଡିଶା ପୋଲିସ ବ୍ୟାଣ୍ଡ ସହ ମୋଟ ୪୨ ଟ୍ରୁପ ଅଂଶ ଗ୍ରହଣ କରିବେ । ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଏନସିସି ଟ୍ରୁପ୍ସ, ସ୍କେଟିଂ, ଏବଂ ଡେୟାର ଡେଭିଲ ଟିମ ଭାଗନେବେ । ପ୍ରତି ଓ୍ବାର୍ଡରେ କାର୍ଯ୍ୟକ୍ରମ କରିବା ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।