spot_img
Home Blog Page 3295

୯ ଯାଏଁ କାଳବୈଶାଖୀ ତାଣ୍ଡବ, ଦକ୍ଷିଣ ଓଡିଶାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ଦିନରେ ପ୍ରବଳ ଖରା ଆଉ ଅପରାହ୍ନରେ ପ୍ରବଳ ବର୍ଷା । ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟକୁ କଲବଲ କରୁଛି କାଳବୈଶାଖୀ ବର୍ଷା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବାକୁ ଥିବାବେଳେ ଆଜି ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ଏଥିପାଇଁ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳରେ ବର୍ଷା ସାଙ୍ଗକୁ ଝଡ ପବନ ଓ ଘଡଘଡି ବିଜୁଳି ନେଇ ୟଲୋ ଆଲର୍ଟ ଜାରି ହୋଇଛି ।

ବର୍ଷା ସମୟରେ ୪୦ ରୁ ୫୦ କିମି ବେଗରେ ବହିବ ପବନ । ଆସନ୍ତାକାଲି ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ବର୍ଷା ପାଇଁ ସହାୟକ ହେଉଛି । ୧୦ ତାରିଖ ପରେ ପରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବ ନାହିଁ । ଫଳରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ବର୍ଷା କମିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଚୀନକୁ ମଧ୍ୟସ୍ଥତା କରିବାକୁ ଫ୍ରାନ୍ସର ନିବେଦନ

ବେଜିଂ: ଋଷ-ୟୁକ୍ରେନ ଯୁଦ୍ଧରେ ଅନ୍ତ ଲାଗି ହାତ ବଢ଼ାଇଲେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଏନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅନୁରୋଧ କରିଛନ୍ତି ମାକ୍ରନ । ବେଜିଂ ଗସ୍ତରେ ଥିବା ମାକ୍ରନ କହିଛନ୍ତି- ଯଦି ଋଷ-ୟୁକ୍ରେନ ଯୁଦ୍ଧରେ ପରିସମାପ୍ତି ଲାଗି ଜିନପିଙ୍ଗ ଉଦ୍ୟମ କରିବେ ତେବେ ସେ ଏଥିରେ ସହାୟତା କରିବେ । ତେଣେ ବିଶ୍ବଶାନ୍ତି ପ୍ରତି ଦୁଇରାଷ୍ଟ୍ରର ସକ୍ଷମତା ଓ ଦାୟିତ୍ବବୋଧ ରହିଛି ବୋଲି କହିଛନ୍ତି ଜିନପିଙ୍ଗ ।

ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ଚୀନ ପ୍ରସ୍ତୁତ କରିଥିବା ଏକ ୧୨ ସୂତ୍ରୀ ପ୍ରସ୍ତାବ ସମ୍ପର୍କରେ ବି ହୋଇଛି ଆଲୋଚନା । ଦୁଇ ନେତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକ ବି ଅନୁଷ୍ଠିତ ହୋଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବର୍ତ୍ତମାନ ସୁଦ୍ଧା ନିନ୍ଦା କରି ନଥିବା ମାକ୍ରନଙ୍କ ବେଜିଂ ଗସ୍ତ କାଳରେ ଯୁଦ୍ଧର ଅବସାନ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ବେଜିଂ ଗସ୍ତ କାଳରେ ମାକ୍ରନ ଯୁଦ୍ଧ ସମେତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ପାଶ୍ଚାତ୍ୟ ରାଷ୍ଟ୍ର ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ମାକ୍ରନଙ୍କ ଏହି ଗସ୍ତକୁ ନେଇ ଆମେରିକା ସତର୍କ ଦୃଷ୍ଟି ରଖିଛି । ତେଣେ ବେଜିଂରେ ମାକ୍ରନଙ୍କୁ ଭରପୂର ସାମରିକ ସମ୍ବର୍ଦ୍ଧନା ବି ଦିଆଯାଇଛି ।

ଜଳିଗଲା ତିନି ମହଲା କୋଠା, ଶୋଇଥିବାବେଳେ ଜଳିଗଲେ ୪ ଶିଶୁ

ଡେରାଡୁନ: ଉତ୍ତରାଖଣ୍ଡ ଡେରାଡୁନରେ ବଡ଼ ଧରଣର ଅଘଟଣ । ଅଗ୍ନିକାଣ୍ଡରେ ୪ ଶିଶୁ ଜୀବନ୍ତ ଦଗ୍ଧ । ଡେରାଡୁନ ଅନ୍ତର୍ଗତ ତିଉନି ଅଞ୍ଚଳରେ ଥିବା ଏକ ତିନି ମହଲାରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରରେ କୋଠାରେ କୌଣସି କାରଣରୁ ନିଆଁ ଲାଗିଥିଲା ।

ଅଘଟଣରେ ପ୍ରାଣ ହରାଇଥିବା ସମସ୍ତ ଶିଶୁଙ୍କ ବୟସ ୩ରୁ ୧୦ ବର୍ଷ ମଧ୍ୟରେ ହେବ । ନିଆଁ ଲାଗିବାବେଳେ ଶିଶୁମାନେ ଶୋଇଥିବାରୁ ସେମାନେ ବାହାରକୁ ବାହାରି ପାରି ନଥିଲେ । ଘରର ମାଲିକ ସୁରତରାମ ଯୋଶୀ ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳବାହିନୀ ଟିମ୍ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

ତେବେ ଦମକଳ ଗାଡିରେ ପାଣି ନଥିବାରୁ ଘଟଣାସ୍ଥଳରେ ଗାଡି ପହଞ୍ଚିବା ଯଥେଷ୍ଟ ବିଳମ୍ବ ହୋଇଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଲପିଜି ସିଲିଣ୍ଡରରୁ ନିଆଁ ବାହାରିଥିବା କୁହାଯାଇଛି ।

ଟ୍ରାକ୍ ପାର ବେଳେ ଟ୍ରେନ ଧକ୍କାରେ ହାତୀ ମୃତ

ଅନୁଗୁଳ: ଟ୍ରେନ ଧକ୍କାରେ ହାତୀ ମୃତ । ଅନୁଗୁଳ- ସମ୍ବଲପୁର ରେଳ ଲାଇନ ଜରପଡା ଗାଁ ନିକଟରେ ଟ୍ରେନ ଧକ୍କାରେ ଏକ ଦନ୍ତାର ମୃତ୍ୟୁ ହୋଇଛି । ରେଳ ଲାଇନ ପାର ହେବା ସମୟରେ ହାତୀଟିକୁ ଧକ୍କା ଦେଇଥିଲା ଶାଲିମାର ଏକ୍ସପ୍ରେସ । ଦୁର୍ଘଟଣା ପରେ ୧୦୦ମିଟର ଦୂରରେ ଛିଟକି ପଡ଼ିଥିଲା ହାତୀ ।

ବିଭିନ୍ନ ସ୍ଥାନରେ ହାତୀ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ପଡିରହିଛି । ସ୍ଥାନୀୟ ଲୋକ ରକ୍ତାକ୍ତ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଓ ରେଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମୋବାଇଲ୍‌ ଆପ୍‌ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଠକେ

ବାଲେଶ୍ୱର: ମୋବାଇଲ୍‌ ଆପ୍‌ ମାଧ୍ୟମରେ କୋଟିଏରୁ ଅଧିକ ଟଙ୍କା ଠକେଇ । ବାଲେଶ୍ବର ଅଙ୍ଗାରଗଡ଼ିଆରୁ ଅଭିଯୁକ୍ତ ନିଲେଶ କୁମାର କରକୁ ଗିରଫକରି କୋର୍ଟ ଚାଲାଣ କରିଛି କ୍ରାଇମ୍‌ବ୍ରାଞ୍ଚ । ନିଲେଶର ଘର ଉପରେ ଚଡ଼ାଉ କରି ଏକାଧିକ ମୋବାଇଲ ସହିତ କାଗଜପତ୍ର ଜବତ କରିଛି ଟିମ୍ । ପଚରା ଉଚରା ପରେ ତାକୁ ସ୍ବତନ୍ତ୍ର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ।

ମୋବାଇଲ ଆପ୍‌ ଡ଼ାଉନ୍‌ଲୋଡ କରି ସେହି ଆପ୍‌ ମାଧ୍ୟମରେ ଟଙ୍କା ଲଗାଇବା ଓ ଲାଭ ପାଇବା ନେଇ ଅଭିଯୁକ୍ତ ନିଲେଶ ପ୍ରଚାର କରିଥିଲା । ଲୋକେ ଆପ୍‌ ଡ଼ାଉନ୍‌ଲୋଡ କରି ଠକାମିର ଶିକାର ହୋଇଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଅଭିଯୁକ୍ତକୁ ଗିରଫ କରିଛି ।

ଜାତୀୟ ଦଳ ମାନ୍ୟତା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆପ୍

ବେଙ୍ଗାଲୁରୁ: ଗୁଜରାଟ ସାଧାରଣ ନିର୍ବାଚନ ପରେ ଆମ୍ ଆଦମୀ ପାର୍ଟି ଦାବି କରିଥିଲା କି ଆପ୍ ଜାତୀୟ ଦଳ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ତରଫରୁ ଜାତୀୟ ଦଳ ମାନ୍ୟତା ଦିଆଯାଇନାହିଁ । ଯାହା ଫଳରେ ଆପ୍ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଆପ୍ ।

AAP କର୍ଣ୍ଣାଟକର ସଂଯୋଜକ ପୃଥ୍ୱୀ ରେଡ୍ଡୀଙ୍କ ତରଫରୁ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ୍ ଦାଖଲ କରାଯାଇଛି । ଏହି ପିଟିସନରେ କୁହାଯାଇଛି କି ଆମ୍ ଆଦମୀ ପାର୍ଟି ଜାତୀୟ ଦଳ ହେବା ପାଇଁ ସବୁ ସର୍ତ୍ତ ପୂରଣ କରୁଛି । କିନ୍ତୁ ଏହି ସବୁ ସତ୍ତ୍ୱେ ଜାତୀୟ ଦଳ ମାନ୍ୟତା ମିଳିବା ବିଳମ୍ବ ହେଉଛି । ତେବେ ଏହି ମାମଲାରେ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୧୩ ତାରିଖ ସୁଦ୍ଧା ଏନେଇ ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି ହାଇକୋର୍ଟ ।

ନିର୍ବାଚନ ଚିହ୍ନ ନିର୍ଦ୍ଦେଶ ୧୯୬୮ର ଧାରା ୬ ବି ଅନୁସାରେ ଯେ କୌଣସି ପାର୍ଟି ୪ରୁ ଅଧିକ ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ ସେୟାର ରହିଥିବା, ସେହି ଦଳ ଜାତୀୟ ଦଳର ମାନ୍ୟତା ପାଇପାରିବ । ଆମ୍ ଆଦମୀ ପାର୍ଟି ଗତବର୍ଷ ଗୁଜରାଟ ନିର୍ବାଚନରେ ୧୪ ପ୍ରତିଶତ ଭୋଟି ପାଇବା ପରେ ଏହି ଯୋଗ୍ୟତା ହାସଲ କରିସାରିଛି । ତେଣୁ ଆପକୁ ନିଶ୍ଚିତ ଭାବରେ ଜାତୀୟ ଦଳ ମାନ୍ୟତା ମିଳିବ ବୋଲି କହିଛନ୍ତି ଆପ୍ ନେତା ବ୍ରିଜେସ୍ କଲପ୍ପା ।

ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ, ନଚେତ୍ ଲାଇସେନ୍ସ ହେବ ରଦ୍ଦ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏପର୍ଯ୍ୟନ୍ତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମଫଳକ ଲେଖାଯାଇଛି । କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୋଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଛି ।

ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡ଼ାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି । ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଚଳିତ ମାସଠାରୁ ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଓ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

 

ଝାରସୁଗୁଡା ଜିଲ୍ଲାପାଳ ହେଲେ ଆବୋଲି ସୁନୀଲ ନରଭଣେ

ଭୁବନେଶ୍ୱର: ବଦଳିଲେ ଝାରସୁଗୁଡା ଜିଲ୍ଲାପାଳ । ନୂଆ ଜିଲ୍ଲାପାଳ ହେଲେ ଆବୋଲି ସୁନୀଲ ନରଭଣେ । ସୋନପୁର ଜିଲ୍ଲାପାଳ ଥିଲେ ଆବୋଲି ସୁନୀଲ ନରଭଣେ । ଝାରସୁଗୁଡା ଜିଲ୍ଲାପାଳ ଥିଲେ ସରୋଜ କୁମାର ସାମଲ । ନରଭଣେଙ୍କ ବଦଳି ପରେ ସୋନପୁର ଜିଲ୍ଲାପାଳ ଦାୟିତ୍ୱରେ ରହିବେ ADM ।

ଆଧୁନିକ ଯୁଗର ଶ୍ରବଣ କୁମାର, ଚାକିରି ଛାଡ଼ି ମା’ଙ୍କୁ ନେଇ ତୀର୍ଥ ଭ୍ରମଣ କରୁଛନ୍ତି କର୍ଣ୍ଣାଟକର କ୍ରିଷ୍ଣକୁମାର

ମହୀଶୂର: ପୁରାଣର ଶ୍ରବଣ କୁମାରଙ୍କ କଥା ସମସ୍ତେ ଜାଣିଥିବେ । ନିଜର ଦୃଷ୍ଟିହୀନ ପିତାମାତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରିବା ଘଟଣା ସର୍ବଜନବିଦିତ । ଆଜିକାଲି ଦୁନିଆରେ ଏହା ଏକ ସ୍ବପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ କର୍ଣ୍ଣାଟକର ଏପରି ଜଣେ ଯୁବକଙ୍କ କଥା କୁହାଯାଉଛି, ଯିଏକି ସେପରି ଭୂମିକା ନିର୍ବାହ କରିଛନ୍ତି ଏବଂ ନିଜର ବୟସ୍କା ମା’ଙ୍କୁ ତୀର୍ଥଯାତ୍ରାରେ ନେଇଛନ୍ତି । ସେ ହେଉଛନ୍ତି କ୍ରିଷ୍ଣକୁମାର । ୨୦ ବର୍ଷର ପୁରୁଣା ସ୍କୁଟରରେ ସେ କରୁଛନ୍ତି ତୀର୍ଥଭ୍ରମଣ । ବର୍ତ୍ତମାନ ସୁଦ୍ଧା ଅତିକ୍ରମ କଲେଣି ପ୍ରାୟ ୬୭ ହଜାର କିଲୋମିଟର । କେଉଁଠି ଗାଡ଼ି ଷ୍ଟାର୍ଟ ନହେବାରୁ ଲୋକ ଗାଡ଼ିକୁ ଠେଲୁଛନ୍ତି ତ କେଉଁଠି ନିଜେ କ୍ରିଷ୍ଣକୁମାର ଠେଲି ଠେଲି ଗାଡ଼ି କରୁଛନ୍ତି ଷ୍ଟାର୍ଟ । ପ୍ରତିବନ୍ଧକ ଆଗରେ ହାରିନାହାନ୍ତି କ୍ରିଷ୍ଣକୁମାର । ସେ କହିଛନ୍ତି, ତାଙ୍କ ମା’ ଚୂଡ଼ାରଥମା ସାରାଦିନ ଘରକାମ କରିଥାନ୍ତି । କେବେ ବି ସେ ଘରୁ ପଦାକୁ ବାହାରି ପାରିନଥିଲେ ।

କ୍ରିଷ୍ଣକୁମାର ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଦିନେ ସେ ମା’ଙ୍କୁ ପଚାରିଥିଲେ ଠାକୁର ଦର୍ଶନ କଥା । ମାତ୍ର ମାଆ କହିଥିଲେ ଆଜି ଯାଏ ସେ ନିକଟସ୍ଥ ବେଲୁର ମନ୍ଦିରକୁ ବି ଯାଇପାରିନାହାନ୍ତି । ଏହା ଶୁଣି କ୍ରିଷ୍ଣକୁମାର ଚମକି ପଡ଼ିଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ମା’ଙ୍କୁ ସାରା ଭାରତ ବୁଲାଇବେ । ପରେ ପରେ ସେ ୨୦୧୮ରେ ଚାକିରିରୁ ଇସ୍ତଫା ଦେଇ ପରଲୋକଗତ ବାପା ବ୍ୟବହାର କରୁଥିବା ପୁରୁଣା ସ୍କୁଟରରେ ବାହାରିଥିଲେ । କେବଳ ଭାରତ ନୁହେଁ, ପଡ଼ୋଶୀ ନେପାଳ, ଭୁଟାନ, ମ୍ୟାଁମାର ବି ବୁଲିସାରିଲେଣି କ୍ରିଷ୍ଣକୁମାର । ଶହ ଶହ ତୀର୍ଥକ୍ଷେତ୍ର ପରିଭ୍ରମଣ କରିବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ନେଉଛନ୍ତି ମା-ପୁଅ । ବର୍ତ୍ତମାନ ସେମାନେ ଉତ୍ତରପ୍ରଦେଶ ଚିତ୍ରକୂଟରେ ପରିଭ୍ରମଣ କରୁଥିବା ସୂଚନା ମିଳିଛି । ମା’ଙ୍କ ଆଶା ପୂରଣ ହେଉଥିବାବେଳେ ତୀର୍ଥକ୍ଷେତ୍ର ଦର୍ଶନ କରି ଅପାର ସନ୍ତୋଷ ଲାଭ କରୁଛନ୍ତି କ୍ରିଷ୍ଣକୁମାର ।

ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର । ମଜୁରୀରେ ୧୨ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।

ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ରୁ ୪୩୫ଟଙ୍କାକୁ ବୃଦ୍ଧି ପାଇଛି । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ୪୮୩ରୁ ୪୯୫ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୧ଏପ୍ରିଲ ୨୦୨୩ରୁ ଏହା ଲାଗୁ କରାଯାଇଛି ।