spot_img
Home Blog Page 3300

GST ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ, ବିଭିନ୍ନ ବ୍ୟାଙ୍କରେ ଚାଲିଛି ଛାନବିନ୍

ପାରାଦୀପ: ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ । ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ୟାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ଏକ କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଠାବ କରିଛି ଭିଜିଲାନ୍ସ । କଟକ CDA ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସିନ୍ଧ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସର୍ଚ୍ଚ ଚଳାଇଛି ଭିଜିଲାନ୍ସ । ଜବତ ସୁନା ମଧ୍ୟରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଥିବା ସୂଚନା ରହିଛି ।

ଚିତରଞ୍ଜନ ଭିଜିଲାନ୍ସ ରିମାଣ୍ଡରେ ଏପ୍ରିଲ ୧୩ ଯାଏଁ ରହିଛନ୍ତି । ଏକ ବ୍ୟବସାୟୀକ ପ୍ରତିଷ୍ଠାନର ଜିଏସଟି ମାମଲା ରଫାଦଫା ଓ ଜବତ ହୋଇଥିବା ସାମଗ୍ରୀ ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଆଗରୁ ମଧ୍ୟ ଅନେକ ଅଭିଯୋଗ ଚିତ୍ତରଂଜନ ମହାନ୍ତିଙ୍କ ବିରୋଧରେ ରହିଥିଲା । କେନ୍ଦ୍ରାପଡ଼ାର ପୈତୃକ ଘର, କଟକର ନିଜ ଘର ଓ ପାରାଦୀପ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସର ତିନୋଟି ଟିମ୍ ।

ଆଜି ରାଜସ୍ଥାନକୁ ଭେଟିବ ପଞ୍ଜାବ, ନର୍ଥ ଇଷ୍ଟରେ ଖେଳାଯିବ ପ୍ରଥମ ମ୍ୟାଚ୍

ଗୌହାଟୀ: ଆଜି ଆଇପିଏଲର ଅଷ୍ଟମ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଆଜି ଗୌହାଟୀସ୍ଥିତ ବର୍ଷାପଡ଼ା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତିଛନ୍ତି । ଆଜିର ମ୍ୟାଚରେ ଉଭୟ ଦଳରେ ବହୁ ଦମଦାର ବ୍ୟାଟ୍ସମ୍ୟାନ ରହିଛିନ୍ତି । ତେଣୁ ଆଜିର ମ୍ୟାଚ ହାଇସ୍କୋରିଂ ହେବ ବୋଲି ଅନୁମାନ କରାଯାଉଛି ।

ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୭୨ ରନରେ ଜିତିଥିଲା । ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପଞ୍ଜାବ କିଙ୍ଗ୍ସ । ପଞ୍ଜାବ କିଙ୍ଗ୍ସ ଦଳକୁ କଗିସୋ ରାବଡା ଫେରିଥିବାରୁ ପଞ୍ଜାବ ଦଳର ବୋଲିଂ ଲାଇନ ଅଫ ବେଶ୍‌ ସୁଦୃଢ଼ ହୋଇଛି । କିନ୍ତୁ ପ୍ରଥମ ମ୍ୟାଚ ପରି ଆଜିର ମ୍ୟାଚରେ ମଧ୍ୟ ପଞ୍ଜାବ ଲିଭିଙ୍ଗଷ୍ଟୋନଙ୍କ ବିନା ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ଗୌହାଟୀ ବର୍ଷାପଡ଼ା ଗ୍ରାଉଣ୍ଡର ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ବେଶ୍‌ ସହାୟତା କରିବ ।

ବିଜନେସ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍ ଟୁ ଓ୍ବାନ୍, ନିବେଶକଙ୍କୁ ଓଡ଼ିଶା ନିମନ୍ତ୍ରଣ କଲେ ନବୀନ

ଟୋକିଓ: ଜାପାନରୁ ଆସିବ ୨୬ ହଜାର କୋଟି ଟଙ୍କାର ନିବେଶ । ଜାପାନରେ ବିଜନେସ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଆସିଛି ନିବେଶ ପ୍ରସ୍ତାବ । ଗ୍ରୀନ୍ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ଏନର୍ଜୀ, ଆଇଟି କ୍ଷେତ୍ରରେ ନିବେଶ ପାଇଁ ଏହି ପ୍ରସ୍ତାବ ଆସିଛି । ବିଜନେସ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି । TYK କର୍ପୋରେସନର ସଭାପତିଙ୍କ ସହ ଉତ୍ପାଦନଭିତ୍ତିକ ଶିଳ୍ପରେ ଥିବା ସମ୍ଭାବନା ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ଓ ବ୍ୟାବସାୟିକ ସମ୍ଭାବନା ରହିଛି । ଏଥିସହ କ୍ରୋସାକି ହରିମା କର୍ପୋରେସନ ନିର୍ଦ୍ଦେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଏସିଆ ପାସିଫିକ ଉପାଧ୍ୟକ୍ଷ କୋଇଚିରୋ କିମୁରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ICIJ ସଭାପତି ଜଗମୋହନ ଏସ ଚନ୍ଦ୍ରାଣୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ଇଜ୍ ଅଫ ଡୁଇଙ୍ଗ୍ ବିଜନେସ ଓ ଦକ୍ଷ ମାନବ ସମ୍ବଳ ସଂପର୍କରେ ଆଲୋଚନା କରିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସରକାର ସବୁ ସହଯୋଗ ଯୋଗାଉଛନ୍ତି । ଓଡ଼ିଶାରେ ଥିବା ସୁଯୋଗ ସମ୍ପର୍କରେ ଜାଣିବାକୁ ICIJକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି ।

ଏହି ଅବସରରେ ଜାପାନରେ ଥିବା ଭାରତୀୟ ଦୂତାବାସରେ ଅବସ୍ଥାପିତ ମୟଙ୍କ ଯୋଶୀ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରିଥିଲେ । ନିବେଶ ପାଇଁ ଓଡ଼ିଶା ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ । ଶିଳ୍ପ ସଚିବ ହେମନ୍ତ ଶର୍ମା, କହିଛନ୍ତି  ଯେ ରାଜ୍ୟରେ ସ୍ଥିର ସରକାର ଯୋଗୁଁ ନିବେଶକୁ ନେଇ ଥିବା ସମ୍ଭାବନା ଆହୁରି ଦୃଢିଭୂତ ହୋଇଛି । ଶିଳ୍ପପତିମାନେ ମଧ୍ୟ ବିନା କୌଣସି ସମସ୍ୟାରେ ସରକାରଙ୍କୁ ଠାରୁ ସୁବିଧା ପାଇପାରୁଛନ୍ତି । ଏଥିସହ ରାଜ୍ୟରେ ଥିବା ଦକ୍ଷ ମାନବ ସମ୍ବଳ ମଧ୍ୟ ନିବେଶ ପାଇଁ ବିଜନେସ ଟାଇକୁନଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଦେଇଛି । ଶିଳ୍ପପତିଙ୍କ ସହ ଆଲୋଚନା ବେଳେ ଭାରତରେ ଓଡ଼ିଶା ଦୃତ ବିକାଶଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜିର ଇଭେଣ୍ଟର ୨୦୦ଟି କମ୍ପାନୀର ଅଧିକାରୀମାନେ ଯୋଗ ଦେଇଥିଲେ । ସେମାନଙ୍କୁ ଓଡ଼ିଶା ନିମନ୍ତ୍ରଣ କରିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ରୂପାନ୍ତରଣର ଚିତ୍ର ଦେଖିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଆଜି ପ୍ରଦାନ କରାଯିବ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର, ଓଡ଼ିଶାରୁ ୩ ଜଣ ପାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯିବ ୨୦୨୩ର ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର । ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୬ ଜଣ ପଦ୍ମବିଭୂଷଣ, ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ପାଇବେ ପଦ୍ମଶ୍ରୀ ପୁରସ୍କାର । ସେହିପରି କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଛନ୍ତି।

ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ, ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ସମ୍ମାନ ପାଇବେ । ରଙ୍ଗବତୀ ଗୀତର ଗାୟିକା କ୍ରିଷ୍ଣା ପଟେଲ । ସେହିପରି କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ସମ୍ମାନ ପ୍ରଦାନ କରାଯିବ । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।

ଯୁବକଙ୍କୁ ଯୋଡ଼ିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରିବ ବିଜେଡି

ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଯାହା ଘରେ ଘରେ ଗ୍ରହଣୀୟ ହୋଇଛି । ଏବେ ଏହାକୁ ଆହୁରି ଗ୍ରହଣୀୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ନୀରିକ୍ଷଣ ପାଇଁ ଲୋକଙ୍କୁ ସୁଯୋଗ ଦେବ ବିଜେଡି । ବିଶ୍ବରେ ଯୁବକମାନଙ୍କ ସଂଖ୍ୟା ବଢୁଛି । ଏଥି ସହ ବଢୁଛି ନୂଆ ଭୋଟରଙ୍କ ସଂଖ୍ୟା । ସେମାନଙ୍କୁ ଅଧିକରୁ ଅଧିକ ଯୋଡ଼ିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବିଜେଡି ବ୍ୟବହାର କରିବ । କାରଣ ଯୁବ ପିଢ଼ି ଇନଷ୍ଟାଗ୍ରାମ ଓ ୟୁ-ଟ୍ୟୁବ ପରି ସାଇଟକୁ ଅଧିକ ବ୍ୟବହାର କରନ୍ତି । ଖାସ୍ କରି ସେମାନଙ୍କୁ ଗୋଟାଏ ଖସଡ଼ାରେ ଯୋଡ଼ି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଆଗକୁ ହେବାକୁ ଥିବା ବିକାଶ ଖସଡ଼ାକୁ ପୋଷ୍ଟିଂ କରିବାକୁ ଇନଷ୍ଟାଗ୍ରାମ ସାଜିବ ବଡ଼ ମାଧ୍ୟମ ।

ଦେଶରେ ୩ ମିଲିୟନ ଇନଷ୍ଟାଗ୍ରାମ ଫଲୋର୍ସ କ୍ଲବରେ ଅଛନ୍ତି ନବୀନ ପଟ୍ଟନାୟକ । ଯାହା ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଛି । କାରଣ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ବିକାଶକୁ ନବୀନ ସରକାରରେ ବିଶ୍ବ ଦେଖିଛି । ଏପରି ସ୍ଥିତିରେ ପ୍ରତି ନେତା ମାସେ ଭିତରେ ୧୦ ହଜାର ଇନଷ୍ଟାଗ୍ରାମ ଫଲୋର୍ସ କରିବା ଦିଗରେ ବି କାମ କରିବେ । ଦଳର ଫେସ୍ ପାଲଟିଛନ୍ତି ମୁଖପାତ୍ର ଓ ପ୍ୟାନେଲିଷ୍ଟ । ସେମାନଙ୍କୁ ଇନଷ୍ଟାଗ୍ରାମରେ ଅଧିକରୁ ଅଧିକ ସରକାରୀ ଉପଲବ୍ଧି ପୋଷ୍ଟ କରିବାର ଆହ୍ବାନ ରହିଛି ।

ଏହି ରେକର୍ଡ ପୂର୍ବରୁ BTSକୁ ଜାଣିନଥିଲେ କଣ୍ଠଶିଳ୍ପୀ ଅଲକା, ଝିଅକୁ ପଚାରିବାରୁ ସେ ହସିଥିଲା…

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଆଜିବି ଲୋକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କର ସୁମଧୁର ଗୀତ ଆଜିବି ଦର୍ଶକଙ୍କୁ ବାନ୍ଧି ରଖିଛି । ସେ ଅନେକ ସଫଳତା ପାଇଥିବା ବେଳେ ୟୁଟ୍ୟୁବରେ ୨୦୨୨ ବର୍ଷର ସବୁଠୁ ଅଧିକ ଷ୍ଟ୍ରିମ ହୋଇଥିବା ଆର୍ଟିଷ୍ଟ ବନିପାରିଛନ୍ତି । ସାରା ବିଶ୍ୱରେ ପପୁଲାର୍ ଥିବା BTS, ବ୍ଲାକପିଙ୍କ ଓ ଟେଲର ସ୍ୱିଫ୍ଟଙ୍କୁ ପଛରେ ପକାଇ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ସଫଳତା ମିଳିବା ଯାଏଁ ଅଲକା BTS ଙ୍କୁ ଜାଣିନଥିଲେ। ପରେ ତାଙ୍କ ଝିଅ ସ୍ୟେଶା ଠାରୁ ଜାଣିବାକୁ ପାଇଥିଲେ ଯେ, BTS ହେଉଛି ସାଉଥକୋରିଆର ପପୁଲାର kpop ବ୍ୟାଣ୍ଡ । ଏପରିକି ସେମାନେ ଗ୍ଲୋବାଲ୍ ଆଇକନ୍ ମଧ୍ୟ । ଅଲକା କୁହନ୍ତି, ଏହି ଆଚିଭମେଣ୍ଟ ସମ୍ପର୍କରେ ମୋ ଝିଅ କହିବା ପରେ ମୋର କିଛି ପ୍ରତିକ୍ରିୟା ନଥିଲା। ତା’ପରେ ଯାଇ ସ୍ୟେଶା ମୋତେ BTS ସମ୍ପର୍କରେ କହିଥିଲା । ଯାହା ପରେ ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗିଥିଲା ।

ଅଲକାଙ୍କ ଏଭଳି କଥାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି । କିଛି ୟୁଜର୍ସ କହିଛନ୍ତି, BTS ସାରା ଦୁନିଆରେ ପପୁଲାର ଥିବାବେବଳେ ଆପଣ ସେମାନଙ୍କୁ ଜାଣିନାହାଁନ୍ତି । ଆପଣଙ୍କ ଠାରୁ ଏଭଳି ଆଶା ନଥିଲା । ସେହିପରି ଆଉକିଛି ୟୁଜର୍ସ କହିଛନ୍ତି, ଆପଣଙ୍କ ଟେଷ୍ଟ ଖୁବ୍ ଖରାପ ମ୍ୟାଡାମ, ଆପଣଙ୍କ ମନ୍ତବ୍ୟ BTS ଫ୍ୟାନ୍ସଙ୍କୁ ପସନ୍ଦ ଆସିବନି।

ତେବେ ଅଲକା ଏବେ ରିଆଲିଟି ଶୋ’ରେ ଜଜ୍ ଭାବେ କାମ କରୁଛନ୍ତି । ଟେଲିଭିଜିନ ଇଣ୍ଡଷ୍ଟ୍ରିରେ ତାଙ୍କର ଫ୍ୟାନ ଫଲୋଇଂ ମଧ୍ୟ କିଛି କମ୍ ନୁହେଁ ।

ବ୍ୟାଙ୍କ ଋଣ ଖିଲାପ ଅଭିଯୋଗରେ ଆକ୍ସନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କ ହୋଟେଲ ସିଲ୍

ଖୋର୍ଦ୍ଧା: ବ୍ୟାଙ୍କ ଋଣ ଖିଲାପ ଅଭିଯୋଗ । ସିଲ୍ ହୋଇଛି ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ରଙ୍କ ସୂର୍ଯ୍ୟମୁଖୀ ହୋଟେଲ । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ଆଣିଥିଲେ । ମୂଳଧନ ସୁଧ ମିଶି ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ହେବ । ବାରମ୍ବାର ଋଣ ସୁଝିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟିସ୍ ପଠାଇ ବିଫଳ ହେବା ପରେ ଆଜି ହୋଟେଲକୁ ସିଲ୍ କରାଯାଇଛି । ଖୋର୍ଦ୍ଧା ଡେପୁଟି କଲେକ୍ଟର ଶରତ ଚନ୍ଦ୍ର ଦେହୁରୀଙ୍କ ଉପସ୍ଥିତିରେ ହୋଟେଲକୁ ସିଲ୍ କରାଯାଇଛି । ଖୋର୍ଦ୍ଧା ଥାନାର ୨ ଜଣ ଆଇଆଇସି ଓ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି । ବ୍ୟାଙ୍କ ତରଫରୁ ୧୦ ଜଣିଆ ଟିମ୍ ଏହି କାର୍ଯ୍ୟରେ ଅଛନ୍ତି ।

ତେବେ ଏହି ସୂର୍ଯ୍ୟମୁଖୀ ହୋଟେଲ ଭିତରେ ବିପୁଳ ପରିମାଣରେ ବିଜେପି ବ୍ୟାନର ଜବତ ହୋଇଛି । ଏହି ହୋଟେଲ ଭିତରେ ଏକ ମଦ ବାର ମଧ୍ୟ ଚାଲିଥିଲା ବୋଲି ଜଣାପଡ଼ିଛି ।

ପ୍ରତିମାସ ତୃତୀୟ ସପ୍ତାହରେ ବୈଠକ ମନା, ଗ୍ରାଉଣ୍ଡକୁ ଯିବେ ଅଧିକାରୀ

ଭୁବନେଶ୍ୱର: ଗ୍ରାଉଣ୍ଡକୁ ଯିବେ ଅଧିକାରୀ। ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କେତେଦୂର ସଫଳ ରୂପାୟନ ହେଉଛି, ସେନେଇ ତଦାରଖ ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଣିକି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରତିମାସ ତୃତୀୟ ସପ୍ତାହରେ ଆଉ ବିଭାଗୀୟ ସଚିବମାନେ ଲୋକସେବା ଭବନରେ ବୈଠକ କରିବେନି। କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଥିଲେ, ସଂପୃକ୍ତ ସଚିବ ମୁଖ୍ୟାଳୟରେ ଉପସ୍ଥିତ ରହିପାରିବେ। ତୃତୀୟ ସପ୍ତାହରେ କୌଣସି ବିଭାଗର କାର୍ଯ୍ୟସୂଚୀରେ ବୈଠକ ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ। ବିଭାଗୀୟ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି, ସେମାନେ ସଂପୃକ୍ତ ଜିଲା ଗସ୍ତ କରିବେ। ଏମିତିକି ଦୁର୍ଗମ ଅଞ୍ଚଳରେ ଲୋକେ କିଭଳି ଜୀବନ ଯାପନ କରୁଛନ୍ତି ଓ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ତଦାରଖ କରିବେ। ଆବଶ୍ୟକସ୍ଥଳେ ରାତିରେ ଦୁର୍ଗମ ଅଞ୍ଚଳରେ ରହଣୀ କରିବେ। ଏନେଇ ପ୍ରତିମାସ ତୃତୀୟ ସପ୍ତାହରେ ବିଭାଗୀୟ କାର୍ଯ୍ୟସୂଚୀରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏନେଇ ଉନ୍ନୟନ କମିଶନର ଅନୁ ଗର୍ଗ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଦକ୍ଷତା ବିକାଶ, ପୁଞ୍ଜିନିବେଶ ଭଳି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନିଆଯାଉଛି। ଏହାଦ୍ବାରା ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ। ଦୁର୍ଗମ ଅଞ୍ଚଳବାସୀଙ୍କୁ ସାମାଜିକ ସୁରକ୍ଷା ମିଳିବା ସହ ମହିଳା ସଶକ୍ତୀକରଣ, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ବିକାଶ ହୋଇପାରିବ। ସଚିବ ଓ ବରିଷ୍ଠ ଅଧିକାରୀ ଦାୟିତ୍ବ ବଣ୍ଟନ କରାଯାଇଥିବା ଅଞ୍ଚଳ ସହ ଆବଶ୍ୟକସ୍ଥଳେ ନିକଟସ୍ଥ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର ତଦାରଖ କରିପାରିବେ।

ମାଲାୟାଲମ ନ୍ୟୁଜ ଚ୍ୟାନେଲ ମିଡିଆ ଓ୍ବାନର ପ୍ରସାରଣ ଉପରେ ନିଷେଧାଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବଡ଼ ଧକ୍କା । ମାଲାୟାଲମ ନ୍ୟୁଜ ଚାନେଲ ମିଡିଆ ଓ୍ବାନର ପ୍ରସାରଣ ଉପରେ ଜାରି ରଖାଯାଇଥିବା ନିଷେଧାଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ କେନ୍ଦ୍ରର ନିର୍ଦ୍ଦେଶକୁ କାଏମ ରଖିଥିବା କେରଳ ହାଇକୋର୍ଟଙ୍କ ରାୟକୁ ବି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜାତୀୟ ନିରାପତ୍ତା କାରଣ ଦର୍ଶାଇ କେନ୍ଦ୍ର ସରକାର ଗତ ଜାନୁଆରୀ ୩୧ରେ ମିଡିଆ ଓ୍ବାନର ପ୍ରସାରଣ ଉପରେ ନିଷେଧାଦେଶ ଜାରି କରିଥିଲେ । କୋର୍ଟ କହିଛନ୍ତି- ସରକାରଙ୍କ ନୀତି ଓ କାର୍ଯ୍ୟକୁ ସମାଲୋଚନା କରିବା ଅର୍ଥ ଦେଶବିରୋଧୀ ନୁହେଁ । ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗି ଏକ ସ୍ବାଧୀନ ଗଣମାଧ୍ୟମ ଜରୁରୀ । ସିକ୍ୟୁରିଟି କ୍ଲିୟରାନ୍ସର ଆବଶ୍ୟକତା ଦର୍ଶାଇ ଚ୍ୟାନେଲର ବ୍ରଡକାଷ୍ଟ ଲାଇସେନ୍ସର ନବୀକରଣକୁ ଅଗ୍ରାହ୍ୟ କରିଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ମନ୍ତ୍ରାଳୟର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି- ଜାତୀୟ ନିରାପତ୍ତା କାରଣ ଦର୍ଶାଇ ଲୋକଙ୍କୁ ସେମାନଙ୍କ ଅଧିକାରରୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ । ମିଡିଆ ଓ୍ବାନର ବ୍ରଡକାଷ୍ଟ ନିଷେଧାଦେଶ ଲାଗି ସରକାରଙ୍କ ନିଷ୍ପତ୍ତି ପଛରେ କୌଣସି ବସ୍ତୁଗତ ତଥ୍ୟ ବା ପ୍ରମାଣ ଦାଖଲ କରିବାରେ କେନ୍ଦ୍ର ବିଫଳ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି । ଗତ ୨୦୨୦ ଫେବ୍ରୁଆରୀରେ ଦିଲ୍ଲୀ ଓ ଦେଶର ଅନ୍ୟାନ୍ୟ ଭାଗରେ ଚାଲିଥିବା CAA ବିରୋଧୀ ଆନ୍ଦୋଳନକୁ ଯେଉଁ କେତେକ ଚ୍ୟାନେଲ ନିରନ୍ତର ପ୍ରଦର୍ଶନ କରିଚାଲିଥିଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲା ମିଡିଆ ଓ୍ବାନ ଚ୍ୟାନେଲ । ଅଦାଲତ କହିଛନ୍ତି- ଚ୍ୟାନେଲ ସହ ଆତଙ୍କବାଦୀ ଲିଙ୍କ୍ ଥିବାର ପ୍ରମାଣ ନାହିଁ । ନାମକୁ ମାତ୍ର ଜାତୀୟ ନିରାପତ୍ତା ବିପଦ ନେଇ ଯୁକ୍ତି କରାଯାଇପାରିବ ନାହିଁ । ଜାତୀୟ ନିରାପତ୍ତ ବିରୋଧରେ କୌଣସି ପ୍ରକାର ବସ୍ତୁଗତ ପ୍ରମାଣ ନାହିଁ । କୋର୍ଟ ଆହୁରି କହିଛନ୍ତି- ସରକାରଙ୍କୁ ସର୍ବଦା ପ୍ରେସ୍ ସମର୍ଥନ କରୁ ବୋଲି ସରକାର ବିଚାର କରୁଥିବା ନୀତି ଅଯୌକ୍ତିକ ଏବଂ ଏଥିଲାଗି ସରକାରଙ୍କୁ ଅନୁମତି ଦିଆନଯାଉ ।

ତେଲାଙ୍ଗାନା ବିଜେପି ସାଂସଦ ବି. ସଂଜୟ କୁମାର ଗିରଫ

ହାଇଦ୍ରାବାଦ: ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ପେପର ଲିକ ମାମଲାରେ ତେଲାଙ୍ଗାନା ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବଣ୍ଡି ସଂଜୟ କୁମାର ଗିରଫ । ଗତ ଏପ୍ରିଲ ୪ ତାରିଖରେ ଓ୍ବାରାଙ୍ଗଲରେ ଏସଏସସି ପରୀକ୍ଷାର ହିନ୍ଦି ପ୍ରଶ୍ନପତ୍ର ଲିକ ହେବା ନେଇ ଅଭିଯୋଗ ହୋଇଥିଲା । ଲିକ୍ ହୋଇଥିବା ପ୍ରଶ୍ନପତ୍ରକୁ ବୁରାମ ପ୍ରଶାନ୍ତ ନାମକ ଜଣେ ସାମ୍ବାଦିକ ତଥା ବିଜେପି କର୍ମୀ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଲିକ୍ ଘଟଣାରେ ସଞ୍ଜୟଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିଜ ବାସଭବନ କରିମନଗରରେ ସଞ୍ଜୟ ଅଟକ ଥିଲେ । ଗିରଫ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଗିରଫ ପୂର୍ବରୁ ତାଙ୍କୁ ପାଲାକୁର୍ତ୍ତିସ୍ଥିତ ଏକ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଛି ।

ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗତକାଲି ରାତିରୁ ଅଟକ ରଖାଯାଇଥିଲା । ଗିରଫ ପରେ ତାଙ୍କୁ ନାଲାଗୁଣ୍ଡା ଜିଲ୍ଲାସ୍ଥିତ ବୋମାଲା ରାମାରମ ପୋଲିସ ଷ୍ଟେସନକୁ ନିଆଯାଇଛି । ସେପଟେ ଗିରଫଦାରୀ ବିରୋଧରେ ରାଜ୍ୟରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ବିଜେପି ।