spot_img
Home Blog Page 3317

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇଛି ସଚିବ ସ୍ତରୀୟ କମିଟିର ଫିଲଡ୍ ଭିଜିଟ । 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଭୋର ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ ବରିଷ୍ଠ ଅଧିକାରୀମାନେ ।

ରାସ୍ତାରେ ବିଭିନ୍ନ ସ୍ଥାନରେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ୍ ସଦସ୍ୟ । ଦୈତ ନଗରୀ ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ରହିବ ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ। ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ୍ ସହ ଆଲୋଚନା କରାଯାଇଛି । ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ସାମିଲ ହୋଇଥିଲେ। ପରେ ଟିମ୍ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ । ମଧୁସୂଦନ ଦାସଙ୍କ ଜନ୍ମପୀଠରେ ମାଲ୍ୟାର୍ପଣ କରିବା ସହ ପୀଠ ସମ୍ପର୍କରେ ବୁଝିଲେ । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ ସଚିବଙ୍କ ସହ ଆଲୋଚନା କରିଥିଲେ । କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

IPL 2023: ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ହରାଇ ଅଭିଯାନ ଆରମ୍ଭ କଲା ଗୁଜରାଟ

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ଆଇପିଏଲ୍ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା । ଏହି ରୋମାଞ୍ଚକଭରା ମ୍ୟାଚ ଟିକୁ ଜିତିନେଇଛି ଡିଫେଣ୍ଡିଂ ଚମ୍ପିଆନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ୧୭୯ରନର ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୫ୱିକେଟ୍ ବିନିମୟରେ ହାସଲ କରିନେଇଛି ଗୁଜରାଟ । ପ୍ରଥମ ମ୍ୟାଚରେ ବିଜୟ ସହ ଆଇପିଏଲ୍ ଅଭିଯାନ ଆରମ୍ଭ କରିଛି ଗୁଜରାଟ ଟାଇଟନ୍ସ ।

ଆଜାର ମ୍ୟାଚରେ ଟସ୍ ହାରି ବ୍ୟାଟିଂ ପାଇଁ କ୍ରୀଜକୁ ଓହ୍ଲାଇଥିବା ଚେନ୍ନାଇ ସୁପରକିଙ୍ଗସର ଆରମ୍ଭ ଖରାପ ରହିଥିଲା । ଡେଭୋନ କନୱେ ତୃତୀୟ ଓଭରରେ ହିଁ ମହମ୍ମଦ ସାମୀଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ପରେ ମୋଇନ ଅଲୀ ଟିମକୁ ଭଲ ଆରମ୍ଭ ଦେଇଥିଲେ । ୧୭ ଟିଲରେ ସେ ୨୩ ରନ୍ ସଂଗ୍ରହ କରିଥିଲେ । ପାୱାର ପ୍ଲେର ଶେଷ ଓଭରରେ ମୋଇନ ଅଲୀ ରଶିଦ ଖାନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ଦଳ ୬ ଓଭରରେ ୨ ୱିକେଟ ବିନିମୟରେ ୫୧ ରନ୍ ସଂଗ୍ରହ କରଥିଲା । ହେଲେ ଋତୁରାଜ ଗାୟକ୍ୱାଡ ବିସ୍ଫୋରକ ପାରି ଜାରି ରଖିଥିଲେ । ୫୦ ଟି ବଲ୍ ଖେଳି ଗାୟକ୍ୱାଡ ଦ୍ରୁତତମ ୯୨ ରନ୍ ସଂଗ୍ରହ କରିଥିଲେ । ଅଲଜାରିଙ୍କ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ୧୨ ରନ୍ ଏବଂ ଶିଭମ ଦୁବେ ୧୯ ରନ୍ କରିଥିଲେ । ଶେଷରେ ଧୋନୀ ୭ ଟି ବଲରେ ୧୪ ରନ୍ କରି ଅପରାଜିତ ରହିଥିଲେ ।

୧୭୯ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହା ଏବଂ ଶୁଭମନ ଗିଲ୍ ପ୍ରାରମ୍ଭିକ ବ୍ୟାଟର ଭାବେ କ୍ରୀଜକୁ ଓହ୍ଲାଇଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ୧୬ ଟି ବଲରେ ୨୫ ରନ୍ କରି ଶାହା ରାଜବର୍ଦ୍ଧନଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଆସି ଗିଲଙ୍କ ସହ କିଛି ସମୟ ପାଇଁ ପାର୍ଟନସିପ୍ କରିଥିଲେ । ୧୭ ଟି ବଲ୍ ଖେଳି ସେ ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶୁଭମନ ଗିଲ୍ କିନ୍ତୁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥଲେ । ୩୬ ଟି ବଲରେ ସେ ଦ୍ରୁତତମ ୬୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୧ ଟି ବଲରେ ୨୭ ରନ୍ କରିଥଲେ । ଶେଷ ଭାଗରେ ରାହୁଲ ତେୱାଟିଆ ଏବଂ ରଶିଦ୍ ଖାନ ଚମତ୍କାର ପାର୍ଟନରସିପ୍ କରି ଦଳକୁ ବିଜୟୀ କରାଇଥିଲେ । ରାହୁଲ ତେୱାଟିଆ ୧୪ ଟି ବଲରେ ୧୫ ରନ୍ ଏବଂ ରଶିଦ ଖାନ୍ ୩ ଟି ବଲରେ ୧୦ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଏପ୍ରିଲ ୧ରୁ ୭ ତାରିଖ ଯାଏଁ ପାଳନ ହେବ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ସଚେତନତାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଶୂନ ମୃତାହତ ସଂଖ୍ୟା ସପ୍ତାହ (ଜିରୋ ଫାଟାଲିଟି ଉଇକ) ପାଳନ କରୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହି ସପ୍ତାହ ପାଳନ  ପରିପ୍ରେକ୍ଷୀରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ପାଳନ ସଂପର୍କରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ତରଫରୁ ଏକ ଏସ୍‌ଓପି ପ୍ରସ୍ତୁତ କରି ସବୁ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡେପୁଟି ପୁଲିସ କମିଶନରଙ୍କ ନିକଟକୁ ପତ୍ର, ପ୍ରେରଣ କରାଯାଇଛି ।

ବୈଠକରୁ ଜଣାପଡିଛି ଯେ ୨୦୨୨ ବର୍ଷରେ ଓଡ଼ିଶାରେ ୧୧,୬୬୩ ଟି ସଡ଼କ ଦୁର୍ଘଟଣା ହୋଇ ଏଥିରେ ୫,୪୬୭ ଜଣ ମୃତ୍ୟୁବରଣ କରିଥିଲେ । ୨୦୨୧କୁ  ତୁଳନା କଲେ ଏ ବର୍ଷ ମୃତ୍ୟୁହାର ସଂଖ୍ୟାରେ ୭.୬୦ ପ୍ରତିଶତ ବୃଦ୍ଧି ଘଟିଛି । ଦୁର୍ଘଟଣା ବେଳେ ଠିକ୍‌ ସମୟରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁର୍ଘଟଣାଗ୍ରସ୍ତଙ୍କୁ ପହଞ୍ଚାଯାଇ ପାରିଥିଲେ ଏଥିରୁ ଅନେକଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିଥାନ୍ତା । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ବ୍ୟବହାରିକ ପରିବର୍ତ୍ତନ ଆମକୁ ଶୂନ ମୃତାହତ ଆଣି ଦେଇପାରିବ । ଏ ଦିଗ​‌ରେ ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ଗାଡି ଚଳାଇବା ପାଇଁ ଶପଥ କରାଇବାର ଆବଶ୍ୟକତା ରହିଛି । ଜିଲ୍ଳା ପରିଦେ, ପଂଚାୟତ ସମିତି ଓ ଗ୍ରାମ ପଂଚାୟତ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।

ସାମାଜିକ  ଗଣମାଧ୍ୟମରେ ଏ ସଂପର୍କରେ  ବହୁଳ ପ୍ରଚାର ପ୍ରସାର, ନିଶାଯୁକ୍ତ ହୋଇ ଗାଡି ଚଳାଉଥିବା  ଗାଡି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏ ଦିଗରେ ସଚେତନତା ନେଇ  ବ୍ୟାପକ ପ୍ରଚାର ପ୍ରସାର ଆମକୁ  ଅଧିକ ସଫଳତା ଆଣିଦେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ । ବୈଠକରେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ  ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବା ରାଜ୍ୟ ପାଇଁ ବଡ ଆହ୍ୱାନ ରହିଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସଡ଼କ ସୁରକ୍ଷା ରାଜ୍ୟ ସରକାର ପ୍ରମୁଖ ପ୍ରାଥମିକତା ରହିଛି ଓ ସଡ଼କ ଦୁର୍ଘଟଣା  କମାଇବା ପାଇଁ ବିଭାଗ ତରଫରୁ ଅନେକ ଗୁଡିଏ ପଦ​‌କ୍ଷେପ ନିଆଯାଇଛି ।

 ଶିକ୍ଷା, ସଡ଼କ ନିର୍ମାଣ ବେଳେ ଯାନ୍ତ୍ରିକ ଯୋଜନାର ସଠିକ ଉପଯୋଗ, କଡାକଡି ଚଢ଼ଉ ଓ ଦୁର୍ଘଟଣା ସମୟରେ ପୀଡିତଙ୍କୁ ସହାୟତା ମୃତାହତ ସଂଖ୍ୟାକୁ ଶୂନକୁ ଆଣିପାରିବ । ସେହି ପରି ଗୃହ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ମୃତାହତ ସଂଖ୍ୟା ଶୂନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଆବଶ୍ୟକ ସମୟରେ ରକ୍ତ ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ବିଭାଗ ସହ ଯୋଗାଯୋଗରେ ରହୁଥିବା ସଂପୃକ୍ତ ଗ୍ରୁପକୁ ସଜାଗ ରହିବାକୁ କୁହାଯାଇଛି । ଟ୍ରାମା କେୟାର ସେଣ୍ଟକୁ ୨୪ ଘଣ୍ଟା ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳ ଓ ଜାତୀୟ ରାଜପଥରେ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କୁ ଆମ୍ବୁଲାନ୍ସ ମୁତୟନ  ବ୍ୟବସ୍ଥା କରିବାକୁ  କୁହାଯାଇଛି । ପୂର୍ତ୍ତ ବିଭାଗ ତଥା ସଂପୃକ୍ତ ସଡ଼କ କର୍ତୃପକ୍ଷଙ୍କୁ ଯଥେଷ୍ଟ ସଂଖ୍ୟକ ସଂକେତ (ସାଇନେଜ୍‌) ଲଗାଇବା, ଆବଶ୍ୟକ ସ୍ଥାନରେ ଖାଲଖମା ମରାମତି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମୀଣ ଓ ସହରାଞ୍ଚଳକୁ ଯୋଗାଯୋଗ କରୁଥିବା ରାସ୍ତାରେ ଟ୍ରାଫିକରୁ ୫୦୦ ମିଟର ପୂର୍ବରୁ ଯାତାୟତ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂକେତ  ରଖିବାକୁ କୁହାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ରାସ୍ତାରେ ଗାଇଗୋରୁ ଚଳାଚଳକୁ ନିଷେଧ କରିବା ଓ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗାଡିଗୁଡିକର ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଂଚଳିକ ସଡ଼କ ପରିବହନ ଅଧିକାରୀ, ପୋଲିସ କର୍ମଚାରୀଙ୍କ ସହ ସପ୍ତାହ ବ୍ୟାପି ଚଢ଼ାଉକୁ କଡାକଡି କରିବେ ।  ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ସଡକ ପରିବହନ ବିଭାଗ, ବ୍ୟବସାୟିକ ସଂଘ ଓ ଟ୍ରକ ମାଲିକ ସଂଘ, ରିକ୍ସା ମାଲିକ ସଂଘମାନଙ୍କୁ ଡ୍ରାଇଭରମାନଙ୍କୁ ଠିକ ଭାବେ ଗାଡି ଚଳାଇବା  କାର୍ଯ୍ୟ ସହ ରାଜ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ  ବ୍ୟକ୍ତିଙ୍କୁ ଦେଖିଲେ  ତୁରନ୍ତ ସେମାନଙ୍କୁ  ସହାୟତା କରିବାକୁ  ସଚେତନ କରାଯାଇଛି । ଏହି ଶୂନ ମୃତାହତ ମିଶନରେ ସ୍ୱେଚ୍ଛାସେବୀ  ଓ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଗ୍ରୁପ “ରକ୍ଷକ” ମାନଙ୍କୁ ଏହି ମିଶନକୁ  ସଫଳ କରିବାକୁ ଅନୁରୋଧ କରାଯାଇଛି ।

ଜନସାଧାରଣଙ୍କ ଯୋଗାଯୋଗ ଓ ସଂପୃକ୍ତ ସହଯୋଗୀ ଅନୁଷ୍ଠାନମାନଙ୍କର ଭାଗିଦାରିତାରେ  ଆମେ ମୃତାହତ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଇ ଦେଇ ପାରିବୁ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ସୁନିଲ କୁମାର ବଂଶଲ,ରାଜ୍ୟ ପରିବହନ କମିଶନର ଅରୁଣ ବୋର୍ଥ୍ରା, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରି​‌ଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ମତ ରଖିଥିଲେ ।

IPL 2023: ଋତୁରାଜଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟକୁ ୧୭୯ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

ଅହମ୍ମଦାବାଦ: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପରକିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗସ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ବିନିମୟରେ ୧୭୮ ରନ୍ ସଂଗ୍ରହ କରିଛି । ଚେନ୍ନାଇ ପାଇଁ ଓପନର ଋତୁରାଜ ଗାୟକ୍ୱାଡ ସବୁଠୁ ଅଧିକ ୯୨ ରନ୍ କରିଛନ୍ତି । ମୋଇନ ଅଲୀ ୨୩ ରନ୍ କରିଥିଲେ । ସେହିପରି ଗୁଜରାଟ ଟାଇଟନ୍ସ ପକ୍ଷରୁ ମହମ୍ମଦ ସାମୀ, ରଶିଦ ଖାନ ଏବଂ ଅଲଜାରି ଜୋଶେଫ ୨ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।

ଟସ୍ ହାରି ବ୍ୟାଟିଂ ପାଇଁ କ୍ରୀଜକୁ ଓହ୍ଲାଇଥିବା ଚେନ୍ନାଇ ସୁପରକିଙ୍ଗସର ଆରମ୍ଭ ଖରାପ ରହିଥିଲା । ଡେଭୋନ କନୱେ ତୃତୀୟ ଓଭରରେ ହିଁ ମହମ୍ମଦ ସାମୀଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ତାଙ୍କ ପରେ ମୋଇନ ଅଲୀ ଟିମକୁ ଭଲ ଆରମ୍ଭ ଦେଇଥିଲେ । ୧୭ ଟିଲରେ ସେ ୨୩ ରନ୍ ସଂଗ୍ରହ କରିଥିଲେ । ପାୱାର ପ୍ଲେର ଶେଷ ଓଭରରେ ମୋଇନ ଅଲୀ ରଶିଦ ଖାନଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ଦଳ ୬ ଓଭରରେ ୨ ୱିକେଟ ବିନିମୟରେ ୫୧ ରନ୍ ସଂଗ୍ରହ କରଥିଲା । ହେଲେ ଋତୁରାଜ ଗାୟକ୍ୱାଡ ବିସ୍ଫୋରକ ପାରି ଜାରି ରଖିଥିଲେ ।

୫୦ ଟି ବଲ୍ ଖେଳି ଗାୟକ୍ୱାଡ ଦ୍ରୁତତମ ୯୨ ରନ୍ ସଂଗ୍ରହ କରିଥିଲେ । ଅଲଜାରିଙ୍କ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ୧୨ ରନ୍ ଏବଂ ଶିଭମ ଦୁବେ ୧୯ ରନ୍ କରିଥିଲେ । ଇନିଂସ ଶେଷ ବେଳକୁ ମହେନ୍ଦ୍ର ସିଂ ଧୋନୀ ଏବଂ ମିଚେଲ ସାଣ୍ଟନର କ୍ରୀଜରେ ଦଣ୍ଡାୟମାନ ଥିଲେ । ଧୋନୀ ୭ ଟି ବଲରେ ୧୪ ରନ୍ କରି ଅପରାଜିତ ରହିଥିଲେ । ଏବେ ଗୁଜୁରାଟ ଟାଇଟନ୍ସକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଙକକେ ୧୭୯ ରନ୍ ସଂଗ୍ରହ କରିବାକୁ ହେବ ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଡ଼ିଶା ଖଣି ନିଗମ ଦେଲା ୧୦୦ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଓଡ଼ିଶା ମାଇନିଂ କର୍ପୋରେସନ । ମହାପ୍ରୟାଣ ଯୋଜନା ଓ ହରିଶଚନ୍ଦ୍ର ଯୋଜନାରେ ଏହି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ହରିଶଚନ୍ଦ୍ର ଯୋଜନାରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି । ସେହିଭଳି ମହାପ୍ରୟାଣ ଯୋଜନାରେ ଅନେକ ମୃତଦେହ ପରିବାର ନିକଟକୁ ପଠାଯାଇ ପାରୁଛି ।

ଓଏମସି ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଟଙ୍କା ଏବେ ଗରିବ ଲୋକଙ୍କ ପାଇଁ ରାଜ୍ୟସରକାର ନେଇଥିବା ଉତ୍ତମ ପଦକ୍ଷେପରେ ସହାୟତା ଯୋଗାଇବ । ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ଉପସ୍ଥିତିରେ ଓଏମସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ଏହି ରାଶି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ 5ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ ।

ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ସାରା ଓଡ଼ିଶା

ଭୁବନେଶ୍ୱର: ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ହେଉଛି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶା । ଆସନ୍ତା କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ପବନ ପାଇଁ ଅଧା ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାଗୁଡିକରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ସେହିଭଳି ୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ନେଇ ଉପକୁଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨ ତାରିଖ ପରଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ସେହିଦିନ ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପୁଣି ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି । ସେପଟେ କାଳବୈଶାଖୀର ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତାକାଲି ଜେଲରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକୁଳିବେ। ୧୯୮୮ ମସିହାର ରୋଡ୍‌ ରେଜ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ। କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିଲେ । ୨୦୨୨ ମେ ୨୦ରୁ ପାତିଆଲା ଜେଲରେ ଅଛନ୍ତି ନବଜୋତ ସିଂ ସିଦ୍ଧୁ । ଆସନ୍ତାକାଲି ସେ ଖଲାସ ହେବାକୁ ଯାଉଛନ୍ତି। ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ଏପରି ଟ୍ୱିଟ କରାଯାଇଛି। ସେହିପରି ତାଙ୍କ ଓକିଲ ଏଚପିଏସ୍‌ ବର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ “ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକୁଳିବେ। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ”୨୦୨୨ ମେ ୨୦ରୁ ପାତିଆଲା ଜେଲରେ ଅଛନ୍ତି ନବଜୋତ ସିଂ ସିଦ୍ଧୁ ।

 

IPL 2023: ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ କରୁଛି ଗୁଜୁରାଟ ଟାଇଟନ୍ସ

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ଆଇପିଏଲ୍ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଏବଂ ଚାରିଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଉଛି । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୭ ଟା ୩୦ରେ ଖେଳ ଆରମ୍ଭ ହୋଇଛି । ଆଜିର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ । ସେହିପରି ଆହ୍ୱାନକ୍ରମେ ବ୍ୟାଟିଂ କରୁଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ । ଚେନ୍ନାଇ ପକ୍ଷରୁ ଦେଭନ କନୱେ ଏବଂ ଋତୁରାଜ ଗାୟକ୍ୱାଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ବ୍ୟାଟିଂ କରୁଛନ୍ତି । ଆଇପିଏଲରେ ଚାରି ବର୍ଷ ପରେ ଓପନିଂ ସେରେମନୀ ହୋଇଛି । ୩ ବର୍ଷ ପରେ ଟୁର୍ଣ୍ଣାମେଣ୍ଟ ହୋମ ଏବଂ ଅଭେ ଫର୍ମାଟରେ ଖେଳାଯାଉଛି । ଅର୍ଥାତ ଦଳଗୁଡ଼ିକ ୭ଟି ଲିଗ୍ ମ୍ୟାଚ୍ ନିଜ ଘରୋଇ ଗ୍ରାଉଣ୍ଡ ଏବଂ ବାକି ଲିଗ୍ ମ୍ୟାଚ୍ ବିପକ୍ଷ ଦଳର ଘରୋଇ ଗ୍ରାଉଣ୍ଡରେ ଖେଳିବେ।

ଚେନ୍ନାଇ ସୁପରକିଙ୍ଗସ: ଋତୁରାଜ ଗାୟକ୍ୱାଡ, ଦେଭନ କନୱେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ବେନ ଷ୍ଟୋକ୍ସ, ଶିଭମ ଦୁବେ, ରବିନ୍ଦ୍ର ଜାଡେଜା, ଏମ୍ ଏସ୍ ଧୋନୀ (ଅଧିନାୟକ/ୱିକେଟକିପର), ମିଚେଲ ସାଣ୍ଟନର, ଦୀପକ ଚହର, ରାଜଭର୍ଦ୍ଦନ ହଙ୍ଗାରଗେକର ।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ଶାହା (ୱିକେଟକିପର), ଶୁଭମନ ଗିଲ୍, କେନ୍ ୱିଲିୟମସନ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ରାହୁଲ ତେୱାଟିଆ, ରଶିଦ ଖାନ, ମହମ୍ମଦ ଶାମି, ଜୋଶୁଆ ଲିଟିଲ, ୟଶ ଦୟାଲ, ଅଲଜାରି ଜୋଶେଫ ।

ଆଇପିଏଲ ଓପନିଂ ସେରେମନୀ; ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲା ଅହମ୍ମଦାବାଦ ଷ୍ଟାଡିୟମ

ଅହମ୍ମଦାବାଦ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୬ତମ ସିଜିନ୍ । ମ୍ୟାଚ୍ ପୂର୍ବରୁ ଆଇପିଏଲ ଓପନିଂ ସେରେମନୀ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିଲା । ସେରେମନୀ ଦେଖିବା ପାଇଁ ଲକ୍ଷେ ୨୫ ହଜାର ଦର୍ଶକ ଷ୍ଟାଡିୟମରେ ପହଞ୍ଚିଥିଲେ । ମନ୍ଦିରା ବେଦୀ ପ୍ରାୟ ୫୫ ମିନିଟ ଚାଲିଥିବା ଓପନିଂ ସେରେମନୀର ହୋଷ୍ଟ କରିଥିଲେ । ବଲିଉଡ ସିଙ୍ଗର ଅରିଜିତ ସିଂ, ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧନା ଧମାକାଦାର ପରଫର୍ମାନ୍ସ କରିଥିଲେ । ବଲିଉଡ ସିଙ୍ଗର ଅରିଜିତ ସିଂଙ୍କ ପରଫର୍ମାନ୍ସ ସହ ଓପନିଂ ସେରେମନୀ ଆରମ୍ଭ ହୋଇଥିଲା ।

ସେ କେସରିୟା, ଲେହରା ଦୋ, ଅପନା ବନା ଲୋ, ଝୁମେ ଜୋ ପଠାନ, ରାବତା, ଶିବାୟ, ଜିତେଗା ଜିତେଗା, ଚଢେୟା ଡାନ୍ସ କା ଭୁତ , ଶୁଭାନଲ୍ଲାହ ଭଳି ଗୀତରେ ପରଫର୍ମାନ୍ସ କରିଥିଲେ । ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ନିଜ ଗୀତ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଅରିଜିତ । ଦକ୍ଷିଣୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶ୍ରୀବଲ୍ଲୀ, ନାଟୁ-ନାଟୁ ଏବଂ ଢୋଲିଆ ଭଳି ଗୀତରେ ନାଚିଥିଲେ । ସେହିପରି ଅଭିନେତ୍ରୀ ତମନ୍ନା ଭାଟିଆ ୫ ମିନିଟ ପର୍ଯ୍ୟନ୍ତ ତୁନେ ମାରି ଏଣ୍ଟ୍ରି ଏବଂ ଚୌଗାଡା ତେରା ଭଳି ଗୀତରେ ନାଚି ଦର୍ଶକଙ୍କୁ ବିମୋହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।

୪ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ୍‌ । ମୋଟ ୨ ଲକ୍ଷ ୩୯ ହଜାର ୩୫୩ କୋଟି ୪୮ ଲକ୍ଷ ୩୩ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ଗୃହର ଅନୁମୋଦନ ଲାଭ କରିଛି । ଏହାସହିତ ୪ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ । ୨୩ ଦିନ ଧରି ଚାଲିଥିବା ବଜେଟ୍‌ ଅଧିବେଶନରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିବେଶନ ଆରମ୍ଭରୁ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟାକୁ ନେଇ ବିରୋଧୀ ପ୍ରସଙ୍ଗ ଉଠାଇଥିଲେ ।

ଏ ନେଇ ବିରୋଧୀଙ୍କ ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆରମ୍ଭରୁ ବିରୋଧୀ ଗୃହ କାର୍ଯ୍ୟରେ ସହଯୋଗ କରିନଥିଲେ । ଏପରିକି ଫେବ୍ରୁଆରୀ ୨୧ ତାରିଖରେ ବଜେଟ୍‌ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣରେ ବିରୋଧୀ ଗୃହରେ ଉପସ୍ଥିତ ରହିଲେନି । ଜଙ୍ଗଲ ନିଆଁ, ସ୍ବାସ୍ଥ୍ୟ, ୫ଟି ସ୍କୁଲ, ଗୋବିନ୍ଦ ସାହୁ ମୃତ୍ୟୁ, ବିଦ୍ୟୁତ ବଣ୍ଟନ କମ୍ପାନୀ ଟାଟା ପାଓ୍ବାର ଉପରେ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ସରକାର ଗୃହରେ ସକରାତ୍ମକ ଭାବେ ଆଲୋଚନା କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଫେବ୍ରୁଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗୃହରେ ଆଗତ କରିଥିଲେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ । ମାର୍ଚ୍ଚ ୧୩ ତାରିଖରୁ ୨୯ ତାରିଖ ଯାଏଁ ମୋଟ ୪୪ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା । ୨୦ଟି ଖର୍ଚ୍ଚଦାବି ଆଲୋଚନା ଜରିଆରେ ଗୃହୀତ ହୋଇଥିବାବେଳେ ଗିଲୋଟିନ୍‌ ଜରିଆରେ ପାରିତ ହୋଇଥିଲା ୨୪ଟି ବିଭାଗର ଖର୍ଚ୍ଚଦାବି । ପୂର୍ବରୁ ଆଗତ ହୋଇଥିବା ୩ଟି ବିଲ୍‌କୁ ସରକାର ପ୍ରତ୍ୟାହର କରିଛନ୍ତି ।

ଯେଉଁଥିରେ ସାମିଲ ଅଛି, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩, ଓବିସି କମିସନ ସଂଶୋଧନ ବିଲ୍‌-୨୦୨୩ ଓ ଜମି ଅଧିଗ୍ରହଣ ନେଇ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍‌ ୨୦୨୩ ବିଲ । ଏହାସହିତ ନୂଆ ଷ୍ଟାଣ୍ଡିଂ କମିଟି ଗଠନ ନେଇ ଘୋଷଣା କରାଯାଇଛି । ତେବେ ଆରମ୍ଭରୁ ହିଁ ବିରୋଧି ବିଧାନସଭାର ସୁପରିଚାଳନା ନେଇ ସହଯୋଗ କରୁନାହାଁନ୍ତି । ଗୋଟିଏ ଗୋଟିଏ ପ୍ରସଙ୍ଗକୁ ବାରମ୍ବାର ଉତ୍ଥାପନ କରି ଅଯଥା ଗୃହର ମୁଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠିଲେ ଗୃହରେ ହଟ୍ଟଗୋଳ କରୁଥିବା ଅଭିଯୋଗ କରିଛି ବିଜେଡି