spot_img
Home Blog Page 3330

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

ପଦ୍ମପୁର: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ସିଆରପିଏଫ ଯବାନ ପ୍ରସନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାତିରେ ସୁରକ୍ଷା ଟାଓ୍ବାର ଉପରେ ଡ୍ୟୁଟିରେ ଥିଲେ ପ୍ରସନ୍ନଜିତ । ମୄତ ଯବାନ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ CRPF ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ଆଜି ବିରଳ ମହାଜାଗତିକ ଅବସ୍ଥାନ, ଅତି ନିକଟତର ହେବେ ୫ ଗ୍ରହ

ନୂଆଦିଲ୍ଲୀ: ମହାଜାଗତିକ ସ୍ତରରେ ଆଜି ପରିଲକ୍ଷିତ ହେବ ବିରଳ ଦୃଶ୍ୟ । ପାଞ୍ଚଟି ଗ୍ରହ ପରସ୍ପରର ଅତି ନିକଟତର ହେବା ସହ ଆର୍କ ଆକାର ଅର୍ଥାତ ବକ୍ର ରେଖାରେ କରିବେ ଅବସ୍ଥାନ । ଏହି ପାଞ୍ଚଟି ଗ୍ରହ ହେଲେ ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ । ସୂର୍ଯ୍ୟାସ୍ତ ପରେ ପରେ ପଶ୍ଚିମ ଦିଗରେ ଏହି ବିରଳ ଦୃଶ୍ୟ ଦେଖାଯିବ । ଗ୍ରେଟ ପ୍ଲାନେଟାରୀ ଆଲାଏନମେଣ୍ଟ କୁହାଯାଉଥିବା ଏହି ଅବସ୍ଥାନରେ ୫ରୁ ୬ଟି ଗ୍ରହ ସୂର୍ଯ୍ୟର ନିକଟତର ହେବା ସହ ବକ୍ର ରେଖାରେ ଅବସ୍ଥାନ କରିବେ । ଗତ ୨୦୨୨ ଜୁନରେ ସମଧରଣର ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଏହି ବିରଳ ଅବସ୍ଥାନ ଖାଲି ଆଖିରେ ଦେଖାଯାଇପାରିବ । ବାଇନୋକୁଲାରରେ ଏହି ବିରଳ ଦୃଶ୍ୟ ଅତି ସ୍ପଷ୍ଟ ଭାବେ ଦେଖାଯାଇପାରିବ ।

ବୈଜ୍ଞାନିକ ତଥ୍ୟ ଅନୁସାରେ ପ୍ରାୟ ୪୬୦ କୋଟି ବର୍ଷ ତଳେ ସୌର ଜଗତର ସୃଷ୍ଟି ହୋଇଥିଲା । ଗ୍ୟାସ ଓ ଧୂଳିକଣାରୁ କାଳକ୍ରମେ ଗ୍ରହ ନକ୍ଷତ୍ରର ସୃଷ୍ଟି ହୋଇଥିଲା ଏବଂ ସୂର୍ଯ୍ୟକୁ କେନ୍ଦ୍ର କରି ଗ୍ରହମାନେ ଘୂରିବାକୁ ଲାଗିଥିଲେ । ଗତ କିଛି ଦିନ ଧରି ଏହି ୫ଟି ଗ୍ରହ ପରସ୍ପରର ପାଖାପାଖି ହୋଇଥିବା ବେଳେ ଆଜି ସେମାନେ ପରସ୍ପରର ନିକଟତର ହେବେ । ଆଜି ସନ୍ଧ୍ୟା ୫ଟା ୫୦ ମିନଟରେ ସୂର୍ଯ୍ୟାସ୍ତ ହେବ । ପରେ ୬ଟା ୩୫ରେ ବୃହସ୍ପତି ଓ ୬ଟା ୩୫ରେ ବୁଧ ଅସ୍ତ ଯିବେ । ସୂର୍ଯ୍ୟାସ୍ତ ପରେ ଶୁକ୍ର ଅତି ଉଜ୍ଜଳ ରହିବ ଏବଂ ରାତି ୮ଟା ୩୨ ଯାଏ ଦୃଶ୍ୟମାନ ହେବ । ରାତି ୮ଟା ୪୨ ମିନଟରେ ୟୁରାନସ ଅସ୍ତ ହେବ ।

ଉମେଶ ପାଲ ଅପହରଣ ଘଟଣା, ଆଜି ଗ୍ୟାଙ୍ଗଷ୍ଟାର ଆତିକ ଅହମ୍ମଦ ବିରୋଧରେ ହେବ ଦଣ୍ଡ ଘୋଷଣା

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଘଟଣା । ଆଜି ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦ ବିରୋଧରେ ଦଣ୍ଡ ଘୋଷଣା କରିବେ ଉତ୍ତରପ୍ରଦେଶ ପ୍ରୟାଗରାଜ କୋର୍ଟ । ଗୁଜରାଟର ସାବରମତୀ ଜେଲରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦକୁ ଅଣାଯାଇଥିଲା । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଘଟଣାରେ ଦଣ୍ଡ ଘୋଷଣା ହେବ । ଜେଲରେ ତା ଲାଗି ସ୍ବତନ୍ତ୍ର ବାରାକ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ଆତିକଙ୍କୁ ନିରାପତ୍ତା କାରଣରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨୦୧୯ ଜୁନରୁ ଗୁଜରାଟ ସାବରମତୀ ଜେଲରେ ରଖାଯାଇଥିବା ବେଳେ ତାକୁ ଗତକାଲି ପ୍ରୟାଗରାଜ ନିଆଯାଇଥିଲା ।

ବିଗତ ୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଆତିକ । ଏହା ସହ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ଘଟଣାର ମଧ୍ୟ ଅଭିଯୁକ୍ତ ଅଛି ଆତିକ । ଗତ ୨୦୦୫ରେ ଉମେଶ ପାଲଙ୍କୁ ଅପହରଣ ଘଟଣାରେ ଆତିକର ମୁଖ୍ୟ ଭୂମିକା ଥିଲା । ପରେ ଉମେଶଙ୍କୁ ଛାଡ଼ି ଦିଆଯାଇଥିଲା । ଅପହରଣ ମାମଲାର ଶୁଣାଣିର ଶେଷ ଦିନରେ ଅର୍ଥାତ ଗତ ଫେବ୍ରୁଆରୀ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ହତ୍ୟା କରାଯାଇଥିଲା । ଗତ ମାର୍ଚ୍ଚ ୧୪ ତାରିଖରେ ଉମେଶ ପାଲଙ୍କୁ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ବିଜୟ ଚୌଧୁରୀ ଓରଫ ଉସମାନ । ଆତିକ ଅହମ୍ମଦ ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏବଂ ସେ ୧୦୦ରୁ ଅଧିକ ମାମଲାରେ ଅଭିଯୁକ୍ତ । ଆତିକ ମଧ୍ୟ ରିୟଲ ଇଷ୍ଟେଟ ବ୍ୟବସାୟୀ ମୋହିତ ଜୈସଓ୍ବାଲ ଅପହରଣ ଘଟଣାରେ ଅଭିଯୁକ୍ତ ଅଛି ।

ପବିତ୍ର ଚୈତ୍ରମାସର ତୃତୀୟ ମଙ୍ଗଳବାର, ଲୋକାରଣ୍ୟ ଗଞ୍ଜାମର ମା’ ତାରାତାରିଣୀ ପୀଠ

ଗଞ୍ଜାମ: ଆଜି ପବିତ୍ର ଚୈତ୍ରମାସର ତୃତୀୟ ମଙ୍ଗଳବାର । ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ମାଆଙ୍କୁ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଗହଳି । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ।‌ ଏଥିପାଇଁ ସକାଳୁ ସକାଳୁ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ମାଆ ଆଜି ମହା ସରସ୍ଵତୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଆଙ୍କ ଦର୍ଶନ ସକାଳ ସାଢେ ତିନିଟାରୁ ଆରମ୍ଭ ହୋଇଥିଲା ।ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି ।

ସେପଟେ ମାଆଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ପହଞ୍ଚିଥିଲେ ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା ଆର କାର୍ତ୍ତିକେୟନ । ମା ତାରାତାରିଣୀ ମନ୍ଦିରରେ କେମିତି ରହିଚି ଭକ୍ତଙ୍କ ଭିଡ଼, କଣ ଚାଲିଛି ନୀତିକାନ୍ତି ସେନେଇ ଅଧିକ ସୂଚନା ଦେଉଛନ୍ତି ରିପୋର୍ଟର ଦେବହରି ବେହେରା ।

ଆଜିଠୁ କଡ଼ାକଡ଼ି ଯାଞ୍ଚ, ନିୟମ ଉଲ୍ଲଂଘନ କଲେ ୨୫ ହଜାର ଟଙ୍କା ଯାଏ ଫାଇନ

କଟକ: ନାବାଳକଙ୍କୁ ଗାଡ଼ି ଦେଉଥିଲେ ସାବଧାନ । ଆଜିଠୁ କଡ଼ାକଡ଼ି ହେବ ଯାଞ୍ଚ । ସ୍କୁଲ ଛାତ୍ରଛାତ୍ରୀ ଉପରେ ରହିବ କଡ଼ା ନଜର  । ମୋଟର ଆଇନ 19-A ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡ଼ିବ ଫାଇନ । ଏହାସହ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡ଼ିପାରେ ଜେଲ । ଏହା ସହିତ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଗାଡ଼ି ଲାଇସେନ୍ସ ।

ମୁଖ୍ୟତଃ ଗାଡ଼ି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତାରେ ଯେପରି ଦୁର୍ଘଟଣାରେ କାହାର ଜୀବନ ଯିବନି ସେଥିପ୍ରତି ସତର୍କ ହୋଇଛି ପରିବହନ ବିଭାଗ । ଜିରୋ କାଜୁଆଲିଟି ଉପରେ ଫୋକସ ଦିଆଯାଇଛି ।

ଆମେରିକାର ଘରୋଇ ପ୍ରାଥମିକ ସ୍କୁଲ ନଶଭିଲ୍ଲେରେ ଫୁଟିଲା ଗୁଳି, ୬ ମୃତ

ଓ୍ୱାଶିଂଟନ: ଆମେରିକାର ଘରୋଇ ପ୍ରାଥମିକ ସ୍କୁଲ ନଶଭିଲ୍ଲେରେ ଫୁଟିଲା ଗୁଳି । ୬ ମୃତ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଷ୍ଟାଫ୍ ଓ ୩ ଛାତ୍ର । ମୃତ ପିଲାଙ୍କ ବୟସ ଯଥାକ୍ରମେ ୮ ଓ ୯ ବର୍ଷ ଥିଲା । ସେହିପରି ୬୦ ଓ ୬୧ ବର୍ଷର ୩ ଜଣ ଷ୍ଟାଫଙ୍କ ମୃତ୍ୟୁ ହୋଇଛି । ସ୍କୁଲର ମୁଖ୍ୟ କ୍ୟାଥରିନଙ୍କ ଜୀବନ ଯାଇଛି । ରାଇଫଲ ନେଇ ସ୍କୁଲ ଭିତରେ ପଶିଥିଲା ଆକ୍ରମଣକାରୀ । ତେବେ ପାଲଟା ଆକ୍ରମଣରେ ପୋଲିସ ଗୁଳିରେ ୨୮ ବର୍ଷୀୟ ଆକ୍ରମଣକାରୀ ଅଡ୍ରେ ହାଲେର ମୃତ୍ୟୁ ହୋଇଛି । ଅଡ୍ରେ କେବଳ ସ୍କୁଲ ନୁହେଁ ବିଭିନ୍ନ ସ୍ଥାନରେ କରିଥାନ୍ତା ଗୁଳି ବର୍ଷା । ଏହି ପ୍ଲାନ୍‌କୁ ଭଣ୍ଡୁର କଲା ଆମେରିକା ପୋଲିସ ।

ଆକ୍ରମଣକାରୀ ଅଡ୍ରେ ଜଣେ ଟ୍ରାନ୍ସଜେଣ୍ଡର ହୋଇଥିବା ମେଡିକାଲ ଟେଷ୍ଟ ଜଣାପଡ଼ିଥିବା ପୋଲିସ ମୁଖ୍ୟ ଜନ୍ ଡ୍ରେକ୍ କହିଛନ୍ତି । ହାଲେ ହାତରେ ରାଇଫଲ ଓ ହ୍ୟାଣ୍ଡଗନ୍ ନେଇ କନଭେଣ୍ଟ ସ୍କୁଲରେ ପ୍ରବେଶ କରିଥିଲା । ତାପରେ କବାଟ ପଛରେ ରହି ଗୁଳି ବର୍ଷା କରିଥିଲା । ବିଲଡିଂ ଚଢ଼ି ଆଗକୁ ବଢ଼ିବା ବେଳେ ଫାୟାରିଂ କରିଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ଏଥିରେ ଦୁଃଖ ପ୍ରକାଶ କରିବା ସହ ଆତଙ୍କ ଆତ୍ମାକୁ କନ୍ଦାଉଛି ବୋଲି କହିଛନ୍ତି ।

ପଶ୍ଚିମା ଝଡ଼ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଭିଜୁଛି ଉପାନ୍ତରୁ ଉପକୂଳ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି । ସେହିପରି ଦୃଶ୍ୟମାନ କ୍ଷମତା ମଧ୍ୟ ହ୍ରାସ ପାଇଛି । ଅନ୍ୟପଟେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଲାଗି ରହିଛି ବର୍ଷା । ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ତାଣ୍ଡବ ରଚିବ କାଳବୈଶାଖୀ । ଗୋଟିଏ ପଶ୍ଚିମା ଝଡ଼ ଦୁର୍ବଳ ହେଉଥିବା ବେଳେ ଆସନ୍ତାକାଲି ଆସୁଛି ଆଉ ଏକ ପଶ୍ଚିମା ଝଡ଼। ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଅଧିକ ପ୍ରଭାବିତ ହେବ।

ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଆସନ୍ତାକାଲି ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୩୦ରେ ୧୪ଟି ଜିଲ୍ଲାରେ ବର୍ଷାପବନ ହେବ ବୋଲି ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ୩୧ ତାରିଖରେ ରହିବ। ଏଥିପାଇଁ ୩୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ପ୍ରଗତି ପଥରେ କେତେ ଆଗେଇଛି ମାଲକାନଗିରି, ଆଜିଠୁ ୨ ଦିନିଆ ମାଲକାନଗିରି ଗସ୍ତରେ ଯିବେ 5T ସଚିବ

ଭୁବନେଶ୍ୱର: କେତେବାଟ ଆଗେଇଛି ମାଲକାନଗିରିର ବିକାଶ । ସୀମାନ୍ତ ଅଞ୍ଚଳର ପ୍ରଗତି ପଥରେ କ’ଣ ରହିଛି ସମସ୍ୟା । କିଭଳି ଦ୍ରୁତ ଗତିରେ ଆଗକୁ ବଢ଼ିବ ସ୍ବାଭିମାନ ଅଞ୍ଚଳର ବିକାଶ । ଏଥିପାଇଁ ଆଜିଠୁ ଦୁଇଦିନିଆ ମାଲକାନଗିରିରେ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ । ମଧ୍ୟାହ୍ନ ୨ଟା ୫୦ ମିନିଟରେ ମାଥିଲିରେ ପହଞ୍ଚିବେ ପାଣ୍ଡିଆନ । ସେଠାରୁ ଶିବସାଗର ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିବେ । ସେଠାରେ ସପ୍ତଧାରା ଜଳସେଚନ ପ୍ରକଳ୍ପ ଏବଂ ଅଧାରେ ଅଟକିଥିବା ମାଲକାନଗିରି ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ ।

ସେଠାରୁ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ 5T ସଚିବ । ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ ପରେ ଲୋକଙ୍କ ସହ ଆଲୋଚନା କରିବେ 5T ସଚିବ । ଏହାପରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମଧ୍ୟ 5T ସଚିବ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବେ ।

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ସ୍କୁଲରେ ପଶି ଆଖିବୁଝା ଗୁଳିମାଡ଼ କଲା ବନ୍ଧୁକଧାରୀ, ୩ ଶିଶୁ ମୃତ

ୱାସିଂଟନ ଡିସି: ଆମେରିକାରେ ପୁଣି ଗୋଟେଥର ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ ଆକ୍ରମଣକାରୀ ଏଥର ଏକ ସ୍କୁଲରେ ଆଖିବୁଝା ଗୁଳିମାଡ଼ କରିଛି । ଏଥିରେ ତିନି ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । କୁହାଯାଉଛି ଯେ ପୋଲିସ ପାଲଟା ଜବାବରେ ବନ୍ଧୁକଧାରୀକୁ ନିହତ କରିଛି । ସୂଚନା ମୁତାବକ, ଆକ୍ରମଣକାରୀ ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଗୁଳିମାଡ଼ କରିଥିଲା । ପୋଲିସ ପହଞ୍ଚିବା ପୂର୍ବରୁ ଅନେକ ଲୋକ ଏହି ଗୁଳିମାଡ଼ର ଶିକାର ହୋଇଯାଇଥିଲେ ।

ନ୍ୟାଶଭିଲେ ପୋଲିସ ଟ୍ୱିଟ୍ କରି କହିଛି ଯେ କନଭେଣ୍ଟ ସ୍କୁଲ କୋଭେନେଣ୍ଟ ପ୍ରେସଭିଟେରିୟନ ଚର୍ଚ୍ଚରେ ଏକ ଗୁଳିମାଡ଼ର ଘଟଣା ଘଟିଛି । ଆକ୍ରମଣକାରୀକୁ ପୋଲିସ ଘେରିଯିବା ସହ ମାରି ଗଡ଼ାଇଛି । ତେବେ ଏହା ପୂର୍ବରୁ କାର୍ଲିଫୋନିଆ ସ୍ଥିତ ସାକ୍ରାମେଣ୍ଟୋ କାଉଣ୍ଟିରେ ରବିବାର ବିଳମ୍ବିତ ରାତିରେ ଏକ ଗୁରୁଦ୍ୱାରରେ ଫାୟାରିଙ୍ଗର ଖବର ସାମ୍ନାକୁ ଆସିଥିଲା । ଏଠାରେ ତିନି ଜଣଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା । ଦୁଇଜଣଙ୍କୁ ଗୁଳି ଲାଗିଥିଲା । ଏବେ ସେମାନଙ୍କ ସ୍ଥିତି ଗୁରୁତର ଅଛି ।

ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଋଷ ରାଷ୍ଟ୍ରପତିଙ୍କ ଘୋଷଣାକୁ ନାଟୋର ଜୋରଦାର ବିରୋଧ

ମସ୍କୋ: ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣାକୁ ନାଟୋର ଜୋରଦାର ବିରୋଧ । ଏହି ପଦକ୍ଷେପ ବିପଜ୍ଜନକ ଓ ଦାୟିତ୍ବହୀନତାର ପରିଚୟ ବୋଲି କହିଛି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ । ଆଣବିକ ଅସ୍ତ୍ର ମୁତୟନ ନେଇ ଋଷର ଘୋଷଣା ସମ୍ପୂର୍ଣ୍ଣ ଅଯଥାର୍ଥ । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ସଂକ୍ରାନ୍ତ ଅଙ୍ଗୀକାରକୁ ଋଷ ବାରମ୍ବାର ଭଙ୍ଗ କରୁଛି । ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଥିବା କହିଛନ୍ତି ନାଟୋ ମୁଖପାତ୍ର । ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଯଦି ଋଷ ଆଣବିକ ଅସ୍ତ୍ର ମୁତୟନ କରେ ତେବେ ଏହାକୁ ନେଇ ନାଟୋ ଉତକ୍ଷିପ୍ତ ହେବା ଆଶଙ୍କା ରହିଛି ।

ଗତ ଜାନୁଆରୀରେ ଋଷ ଓ ବେଲାଋଷର ମିଳିତ ସମରାଭ୍ୟାସକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ଉଦବେଗ ପ୍ରକାଶ କରିଥିଲେ । ସେପଟେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ସାମିଲ ହେବା ଲାଗି ଋଷରେ ପୁଣି ସୈନ୍ୟ ସଂଗ୍ରହ ପ୍ରକ୍ରିୟା ଜୋର ଧରିଛି । ଏଥିଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ 3 ଲକ୍ଷରୁ ଅଧିକ ରିଜର୍ଭ ସୈନ୍ୟ ସଂଗ୍ରହ ପରେ ପୁଣି ଥରେ ସୈନ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନେଇ ଋଷର ହଜାର ହଜାର ଯୁବକ ଦେଶଛାଡି ପଳାୟନ କରିଥିବା ସୂଚନା ମିଳିଛି ।