spot_img
Home Blog Page 3383

ମହାନଦୀ ଜଳ ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍; ଆଜି ସିହାୱାରୁ ସର୍ଭେ ଆରମ୍ଭ

ସମ୍ବଲପୁର : ରାୟପୁରରେ ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ୍ ଖାନୱିଲକରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ, ଉଭୟ ରାଜ୍ୟର ବିଶେଷଜ୍ଞ, ଆଇନ ବିଷାରଦ ଓ ଜଳ ସଂପଦ ଅଧିକାରୀ ମୋଟ ୫୦ ଜଣ ସାମିଲ ହୋଇଛନ୍ତି । ଆଜି ଏହି ଟିମ୍ ମହାନଦୀର ଉତ୍ପତ୍ତିସ୍ଥଳ ସିହାୱାରୁ ସର୍ଭେ କରିବେ । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ସର୍ଭେରେ ଉପରମୁଣ୍ଡର ରବିଶଙ୍କର, ବଙ୍ଗୋଡ୍ୟାମ୍ ସମେତ ମହାନଦୀ ବେସିନର ମିନିମାତା ଡିଭିଜନ ଯାଏ ସମସ୍ତ ବ୍ୟାରେଜର ଅନୁଧ୍ୟାନ କରାଯିବ ।

ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ , ୮ ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ

ଭୁବନେଶ୍ବର :  ଜଳୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାର ପ୍ରକୋପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । ଦିନର ତାପମାତ୍ରା ଯେତିକି ରହୁଛି ତାଠାରୁ ୬ରୁ ୭ଡିଗ୍ରୀ ତାପମାତ୍ରା ଅଧିକ ଅନୂଭୂତ ହେଉଛି ।

ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ଆସନ୍ତା କାଲି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

ଉପକୂଳ ଓଡିଶାରେ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି । ପିକ ଆୱାରରେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ୨୧ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୨୨ରୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଗତକାଲି ୪୪.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା ଓ ବାରିପଦା । ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ୧୭ ସହରର ପାରଦ ୪୨ ଓ ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ।

ଶ୍ରୀଜିଉଙ୍କର ହେବ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥି  । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ବନକଲାଗି ହେବେ ତିନିଠାକୁର  ।  ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହରିତାଳ, ହିଙ୍ଗୁଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବିଶେଷନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ  । ନୀତି ସମାପ୍ତ ପରେ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ ।

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ ; ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର

ଖୋର୍ଦ୍ଧା :  ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ । ଖୋର୍ଦ୍ଧା ଗୁରୁଜଙ୍ଗରେ ଉଦଘାଟିତ ହେବ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର । ଆଜି ଖୋର୍ଦ୍ଧା ଗସ୍ତରେ ଯାଇ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକ ଶିକ୍ଷା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢିଉଠିଛି  ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ ହେବ । ସେ ସଂପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ଚାଲିବ ।

ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ପରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ଓ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି  । ନବୀନଙ୍କ ଗସ୍ତକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଖୋର୍ଦ୍ଧାବାସୀ  । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ  ।

ଆଜି ସାରା ରାଜ୍ୟରେ ବିଜେଡିର ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ବର : ହିଂସାକୁ ଉସୁକାଇବାକୁ ରଣନୀତି କରୁଛି ବିଜେପି  । ସମ୍ବଲପୁରକୁ ଶାନ୍ତି ଫେରୁଥିବା ବେଳେ ବନ୍ଦ ଡାକରା ଦେଇ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛି । ପ୍ରତିବାଦରେ ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି  । ସବୁଠି ଶାନ୍ତିପୂର୍ଣ୍ଣ ଭାବରେ ବିଜେପିର ହୀନ ରାଜନୀତିର ପ୍ରତିବାଦ କରାଯିବ  ।

ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ହିଂସା ପାଇଁ ଉସୁକାଇବାକୁ ବିଜେପି ଉଦ୍ୟମ କରୁଛି । ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ରାଜନୀତି କରିବା ବିଜେପିର ଅଭ୍ୟାସ । ଓଡ଼ିଶା ବିରୋଧରେ ଓଡ଼ିଶା ବିଜେପି କରିଛି ସାଂଘାତିକ ଷଡ଼ଯନ୍ତ୍ର । ସମ୍ବଲପୁରରେ ଯେଉଁମାନେ ଗଣ୍ଡଗୋଳରେ ସଂପୃକ୍ତ ଥିଲେ ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  ।

ଏଭଳି ସ୍ଥିତିରେ ଷଡ଼ଯନ୍ତ୍ର କରି ସାଢେ ଚାରିକୋଟି ଓଡ଼ିଶାବାସୀ ଓ ଓଡ଼ିଶାକୁ ବଦନାମ କରୁଛି ବିଜେପି । ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷା ଦେଉଛନ୍ତି  । ଏଭଳି ସମୟରେ ବିଜେପି ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଚାହୁଁଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ବିଜେପିର ଏଭଳି ହୀନ ରାଜନୀତି ବିରୋଧରେ ଆଜି ସାରା ଓଡ଼ିଶାରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି  ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ; ଆଜି ଓ କାଲି ବନ୍ଦ ରହିବ ସମସ୍ତ ସ୍କୁଲ

ଭୁବନେଶ୍ବର :  ଖରା ପାଇଁ ପୁଣି ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆଜି ଓ କାଲି ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜି ଓ କାଲି ଦୁଇଦିନ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି ମଧ୍ୟ ବନ୍ଦ ରହିବ  । ପରବର୍ତ୍ତୀ ସମୟରେ ଖରାର ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିଲା । ୧୭ ତାରିଖରୁ ପୁଣି ଥରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା  । ମାତ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପୁଣିଥରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  ।

ଅନୈତିକ ସମ୍ପର୍କ ସନ୍ଦେହରେ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବୌଦ୍ଧ: ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ । ଅନୈତିକ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତ ବଡ଼ ଭୁର୍ତ୍ତା ଗ୍ରାମରେ । ଗାଁର ଅଭୟ ନାୟକ ତା ସ୍ତ୍ରୀ କୌମତିକୁ ଅତି ନିର୍ମମ ଭବେ ହତ୍ୟା କରିଛି । ସ୍ତ୍ରୀ ଘରେ ଥିବାବେଳେ ହଟାତ୍ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲା ଅଭୟ । ଚିତ୍କାର ଶୁଣି କୌମତିଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ ସ୍ଥାନୀୟ ଲୋକେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ହରଭଙ୍ଗା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀ ସ୍ବାମୀ ଅଭୟକୁ ଗିରଫ କରିଛି ।

ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପି ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରୁଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ବାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରି ଆସୁଛି, ସେତିକି ବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ।

ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ିନଥିଲା । ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବା ବେଳେ ଓଡ଼ିଶାରେ ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି ।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଶ୍ରୀ ବାବୁ ଆହୁରି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି ଏବଂ ସେମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିଛନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ ।

ଆଇଏନଏକ୍ସ ମନି ଲଣ୍ଡରିଂ ମାମଲା; କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟଙ୍କ ୧୧କୋଟିର ସମ୍ପତ୍ତି ଜବତ କଲା ଇଡି

ବେଙ୍ଗାଲୁରୁ: ଆଇଏନଏକ୍ସ ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ୧୧ କୋଟିର ସମ୍ପତ୍ତି ଜବତ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ, ଇଡି କର୍ଣ୍ଣାଟକରେ ୧୧.୦୪ କୋଟି ଟଙ୍କା ମୂଲ୍ୟର ଚାରି ସମ୍ପତ୍ତି (ତିନୋଟି ଚଳ ଏବଂ ଗୋଟିଏ ଅଚଳ ସମ୍ପତ୍ତି) ଜବତ କରିଛି, ଯାହା କାର୍ତ୍ତି ପି ଚିଦାମ୍ବରମ ଏବଂ ଅନ୍ୟଙ୍କ ସହ ସମ୍ବନ୍ଧିତ ଅଟେ । ଇଡି କହିଛି ଯେ ଜବତ କରାଯାଇଥିବା ଚାରି ସମ୍ପତ୍ତି ମଧ୍ୟରୁ ଗୋଟିଏ କର୍ଣ୍ଣାଟକର କୁର୍ଗ ଜିଲ୍ଲାରେ ଥିବା ଅଚଳ ସମ୍ପତ୍ତି ଅଟେ ।

ବୟାନରେ କୁହାଯାଇଛି ଯେ କାର୍ତ୍ତିଙ୍କ ବିରୋଧରେ ମନି ଲଣ୍ଡରିଂ ନିବାରଣ ଅଧିନିୟମ (ପିଏମଏଲଏ) ଆଧାରରେ ଏକ ଅସ୍ଥାୟୀ ଆଦେଶ ଜାରି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ ସାଂସଦ ଅଛନ୍ତି ଏବଂ ତାଙ୍କୁ ଆଇଏନଏକ୍ସ ମାମଲାରେ ସିବିଆଇ ଏବଂ ଇଡି ଉଭୟ ପୂର୍ବରୁ ଗିରଫ କରିଥିଲେ । ଇଡି ଆଇଏନଏକ୍ସ ମିଡିଆ ଗ୍ରୁପକୁ ବିଦେଶୀ ନିବେଶ ପ୍ରୋମସନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ଦେବାରେ କଥିତ ଅନିୟମିତତାର ଯାଞ୍ଚ ପାଇଁ ୨୦୧୭ରେ ପିଏମଏଲଏ ଆଧାରରେ ଅପରାଧିକ ମାମଲା ରୁଜୁ କରିଥିଲା ।

ଆଇଏନଏକ୍ସ ମିଡିଆକୁ ୨୦୦୭-୦୮ରେ ଏଫଆଇପିବି (ବିଦେଶ ନିବେଶ ପ୍ରୋମସନ ବୋର୍ଡ)ର ମଞ୍ଜୁରୀ ମିଳିଥିଲା, ସେବେ ପି ଚିଦାମ୍ବରମ ୟୁପିଏ ସରକାରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଥିଲେ । ଅଭିଯୋଗ ରହିଛି ଏହି ମଞ୍ଜୁରୀ ଆଇନ ନଥିଲା ଏବଂ ତଦନ୍ତକାରୀ ସଂସ୍ଥା ପି ଚିଦାମ୍ବରମଙ୍କ ଉପରେ ନିଜ ପୁଅ କାର୍ତ୍ତିଙ୍କ ମାଧ୍ୟମରେ ମିଡିଆ ଗ୍ରୁପର ପ୍ରମୋଟର ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀଙ୍କଠାରୁ ଲାଞ୍ଚ ନେଇ ଦୁର୍ନୀତି ଏବଂ ମନି ଲଣ୍ଡରିଂ କରିଥିବା ଆରୋପ ଲଗାଇଛି । ଏଫଆଇପିବିକୁ ମୋଦି ସରକାର ୨୦୧୭ରେ ସମାପ୍ତ କରିଦେଇଥିଲେ ।

ଗ୍ରୀଷ୍ମ ପ୍ରବାହ ପାଇଁ ଆସନ୍ତା ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ସାରା ରାଜ୍ୟରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସ୍କୁଲ । ୧୯ ଓ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ଼ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଦୁଇଦିନ ବନ୍ଦ ରହିବ । ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ପୂର୍ବରୁ ମଧ୍ୟ ସରକାର ଏପ୍ରିଲ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିଥିଲେ । ସୋମବାର ସ୍କୁଲ ଖୋଲିଥିଲା । ହେଲେ ରାଜ୍ୟରେ ଜାରି ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଛି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ସରକାର । ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ବୃଦ୍ଧି କରାଯିବ କି ନାହିଁ ତା ଉପରେ ବିଚାର କରାଯିବ ।