spot_img
Home Blog Page 3396

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଜବାବ: ’ଆପଣ ଓଡ଼ିଶାରେ ପହଞ୍ଚି ହିଂସାକାରୀଙ୍କୁ ଉତ୍ସାହିତ କରୁଛନ୍ତି’

ଭୁବନେଶ୍ୱର: ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  । ଟ୍ୱିଟରରେ ପ୍ରଣବ ଏକ ଭିଡିଓ ପୋଷ୍ଟ କରିଛନ୍ତି  । ଯେଉଁଥିରେ ଯୁବ ମୋର୍ଚ୍ଚାର କର୍ମୀ ପୋଲିସକୁ ଲହୁଲୁହାଣ କରୁଥିବା ଦୃଶ୍ୟମାନ  । ପ୍ରଣବ ଲେଖଛନ୍ତି, ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଆପଣ ନିଶ୍ଚୟ ଦେଖିଥିବେ।

ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ  । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି। ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ। ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ।

ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା। ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି। ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ। ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ପ୍ରଣବ ପ୍ରକାଶ  ।

୧୩ଟି ନଦୀ ଜଳ ପ୍ରଦୂଷଣ ମୁକ୍ତ ହୋଇପାରିଛି, ଆଗକୁ ଆଉ ୬ରେ ଆସିବ ସୁଧାର

ଭୁବନେଶ୍ୱର: ରାଜ୍ୟରେ ନଦୀଜଳ ପ୍ରଦୂଷଣ ସ୍ଥିତିରେ ଆସିଛି ଅନେକ ସୁଧାର । ୨୦୧୮ରେ ରାଜ୍ୟର ମୋଟ ୧୯ଟି ନଦୀରେ ପ୍ରଦୂଷଣ ଥିଲା । ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର କମିଟି ଗଠନ କରାଯାଇ ନିୟମିତ ତଦାରଖ ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଫଳରେ ୧୯ଟି ନଦୀ ମଧ୍ୟରୁ ୧୩ଟି ନଦୀର ଜଳ ପ୍ରଦୂଷଣ ମୁକ୍ତ ହୋଇପାରିଛି । ଅବଶିଷ୍ଟ ୬ଟି ନଦୀ ଗଙ୍ଗୁଆ, ଦୟା, କାଠଯୋଡି, ବ୍ରାହ୍ମଣୀ, ସେରୁଆ ଓ ମଙ୍ଗଳାରେ ନଦୀଜଳ ପ୍ରଦୂଷିତ ଥିଲେ ବି ଚିନ୍ତାଜନକ ନୁହେଁ ।

ତଥାପି ଏହାକୁ ରୋକିବା ପାଇଁ ଜଳସମ୍ପଦ ବିଭାଗ ଓ ନଗର ଉନ୍ନୟନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପଞ୍ଚାୟତିରାଜ ବିଭାଗ ଆଦିର ସମନ୍ବୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ମୁଖ୍ୟତଃ ସହରରୁ ନିର୍ଗତ ହେଉଥିବା ବର୍ଜ୍ୟକୁ ନଦୀରେ ଛଡା ଯାଉଥିବାରୁ ନଦୀଜଳ ପ୍ରଦୂଷିତ ହେଉଥିବା ଜଣାପଡିଛି । ଏଥିପାଇଁ ସହରର ବିଭିନ୍ନ ଶିଳ୍ପ ସଂସ୍ଥା ଓ ବର୍ଜ୍ୟଜଳକୁ ନଦୀ ଓ ନାଳରେ ନଛାଡିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ ନଦୀଜଳକୁ ସ୍ବଚ୍ଛ ରଖିବାକୁ ନିୟମିତ ବ୍ୟବଧାନରେ ନାଳରେ ପାଣି ଛାଡିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ନଦୀ କୂଳରେ ଥିବା ରାଉରକେଲା, ସମ୍ବଲପୁର, କଟକ ଓ ଭୁବନେଶ୍ବର ଆଦି ସହର ଗୁଡିକରେ ମଳ ଉପଚାର କେନ୍ଦ୍ର ପ୍ରତିଷ୍ଠା କରାଯିବା ପରେ ନଦୀରେ ପ୍ରଦୂଷଣ ହ୍ରାସ ପାଇଛି । ଯାହାକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ ସନ୍ତୋଷ ପ୍ରକାଶ କରିବା ସହ ଓଡିଶାକୁ ଏକ୍ଷେତ୍ରରେ ମଡେଲ ବୋଲି ଦର୍ଶାଇଛନ୍ତି । ଫଳରେ ଓଡିଶାର ଏହି ମଡେଲକୁ ଦେଖିବାକୁ ପୂର୍ବରୁ ପଞ୍ଜାବରୁ ସ୍ବତନ୍ତ୍ର ଟିମ ଆସି ଫେରିଥିବା ବେଳେ ବର୍ତ୍ତମାନ ମଳ ଉପଚାର ପ୍ରକଳ୍ପ ପରିଦର୍ଶନ କରିବାକୁ ଉତ୍ତର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରୁ ଟିମ୍ ଆସୁଛନ୍ତି ।

ଆବଶ୍ୟକ ପଦକ୍ଷେପ ଗ୍ରହଣ ପରେ ରାଜ୍ୟରେ ପ୍ରଦୂଷିତ ତାଲିକାରେ ଥିବା ସମସ୍ତ ୬ଟି ନଦୀର ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଡ. କେ. ମୁରୁଗେସନ । ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ ସର୍ବାଧିକ ୪ଗୁଣା ବୃଦ୍ଧି ପାଉଛି । ତୁଳନାତ୍ମକ ଭାବେ ଭୁବନେଶ୍ବରରେ ସାମାନ୍ୟ ବୃଦ୍ଧି ପାଉଥିଲେ ସୁଦ୍ଧା ତାହା ଚିନ୍ତାଜନକ ନଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କହିଛନ୍ତି ।

ସେବାୟତଙ୍କ ପାଇଁ ମନ୍ଦିରରେ ପଡିଥିଲା ତାଲା, ଆଜି ଖୋଲିଲା ମନ୍ଦିର

ଭୁବନେଶ୍ୱର: ଖୋଲିଲା କପିଳନାଥ ମନ୍ଦିର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା । ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ ଠାରୁ ବନ୍ଦ ରହିଥିଲା କପିଳନାଥ ମନ୍ଦିରର ମୁଖ୍ୟ ଦ୍ୱାର

ଦୀର୍ଘ 10ଦିନ ପରେ ଆଜି ଖୋଲିଲା କପିଳେଶ୍ବର ମନ୍ଦିର । ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ସୂଚନା ମିଳିଛି । ହାଣ୍ଡିଭଙ୍ଗା ଯାତ ଠାରୁ 10ଦିନ ଧରି ଠାକୁର ଥିଲେ ବିନା ନୀତିକାନ୍ତି ଓ ଭୋକ ଉପବାସରେ ଥିଲେ । ଚଳିତ ବର୍ଷ ମଧ୍ୟ ହୋଇପାରିନି କପିଳନାଥଙ୍କ ଯାତ୍ରା । ଦୁଇ ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ଅନେକ ଥର ଉଦ୍ୟମ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନଥିଲା ।

ଆଜି ମନ୍ଦିର ଦ୍ବାର ଖୋଲା ଯାଇଥିଲେ ବି ନିତିକାନ୍ତି କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁରୁଣା ଭୁବନେଶ୍ବର ସ୍ଥିତ କପିଳନାଥ ମନ୍ଦିର ନିକଟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଗାଁ ମୁଖିଆଙ୍କୁ ଇଂଜେକସନ ଦେଇ ମାରିଦେଲେ

ଅନୁଗୁଳ: ଚାଞ୍ଚଲ୍ୟ ଖେଳିଛି ସମଗ୍ର ଜିଲ୍ଲାରେ। ଗାଁ ସଭାପତିଙ୍କୁ ଭିନ୍ନ ଉପାୟରେ ହତ୍ୟା । ଜିଲ୍ଲା ସଦର ଥାନା ଆମ୍ବପାଳ ଗାଁର ସଭାପତି ଶୋଇଥିବା ବେଳେ ଇଂଜେକସନ ଦେଇ ତାଙ୍କୁ ହତ୍ୟା କରାଯାଇଛି । ଗାଁର ସଭାପତି ବାଳକୃଷ୍ଣ ନାୟକ ନିଜ ଘର ଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିଲେ । ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ବାଳକୃଷ୍ଣଙ୍କ ଶରୀରରେ ଇଞ୍ଜେକ୍ସନ ଫୋଡ଼ି ପଳାଇଯାଇଥିଲେ ।

ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ଆସି ବାନ୍ତି କରିଥିଲେ । ଅଚେତ୍ ଅବସ୍ଥାରେ ପରିବାର ଲୋକ ତାଙ୍କୁ ପ୍ରଥମେ ଅନୁଗୋଳ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ସ୍ଥାନାନ୍ତର କରିଥିଲେ । ହେଲେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

ଗାଁ ସଭାପତିଙ୍କ ସହ କାହାର ଶତ୍ରୁତା ରହିଥିଲା । ଏହାର କାରଣ ଖୋଜୁଛି ପୋଲିସ । ବାଳକୃଷ୍ଣ ଶୋଇଥିବା ଫାର୍ମରୁ ଏକ ହାତ ଲେଖା ବେନାମୀ ଚିଠି ଜବତ କରିଛି ପୋଲିସ । ଯାହାକି ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରୁଛି । ଅନୁଗୁଳ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗାଁ ଲୋକ ଓ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

ମିଳିଥିବା ଚିଠିରେ କିଛି ଏମିତି ଲେଖାଯାଇଛି । ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା । ଆଜି ପୁରଣ ହେଲା ବୋଲି ଚିଠିରେ ଲେଖାଯାଇଛି । ଏହି ଚିଠି ମିଳିବା ପରେ ହତ୍ୟାକାଣ୍ଡ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅନୁମାନ କରିଛି ପୋଲିସ । ପୂର୍ବ ରାଗ ରଖି ବାଳକୃଷ୍ଣଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ସ୍ଥାନରୁ ଦୁଇଟି ସିରିଞ୍ଜ, ଖାଲି ମଦ ବୋତଲ ମଧ୍ୟ ମିଳିଛି ।

ସରକାରୀ କ୍ୱାଟରରେ ପୁରୀରୁ ନିଖୋଜ ଯୁବତୀ

ଭୁବନେଶ୍ୱର: ରାଜମହଲ ଛକ ନିକଟ ସରକାରୀ କ୍ବାଟରରେ ହାଇଡ୍ରାମା । ପୁରୀରୁ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଯୁବତୀ ଜଣଙ୍କ କଥା କହିପାରୁନାହାନ୍ତି । କ୍ବାର୍ଟରରେ ଜଣେ ଦମ୍ପତିଙ୍କ ସହ ଜଣେ ଯୁବକ ଓ ଯୁବତୀ ଥିଲେ । ପୁରୀ ସଦରରେ ଯୁବତୀ ଜଣକ ନିଖୋଜ ନେଇ ଯୁବତୀଙ୍କ ଭାଇ ଏତଲା ଦେଇଥିଲେ ।

ଖବର ପାଇ ପୁରୀ ସଦର ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଯୁବତୀଜଣକ ମୂକ ହୋଇଥିବା ଜଣାପଡିଛି । ଯୁବତୀ ଯେଉଁ ଦମ୍ପତ୍ତିଙ୍କ ସହ ଥିଲେ ସେମାନେ ମଧ୍ୟ ମୂକ । ଏନେଇ ଅଧିକ ଖୋଲତାଡ ଜାରି ରହିଛି ।

ମହିଳାଙ୍କ ଜୀବନରେ ଆସିଛି ପରିବର୍ତ୍ତନ, ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ

ଭୁବନେଶ୍ୱର: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି । ନିରନ୍ତର ଆର୍ଥିକ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି ।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ । ଗତିଶୀଳତା ହେଉଛି ସଶକ୍ତିକରଣ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ପାଇଁ ବୈଦୁ୍ୟତିକ ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ ।

ଏହି ଯୋଜନା ଅଧିନରେ ଇଲେକ୍‌ଟି୍ରକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ
ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିଛନ୍ତି । ଇଣ୍ଡଷ୍ଟି୍ରଆଲ ପାର୍କ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି । ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସୁଧରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ  ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ଯେ ସ୍ୱୟଂ ସହୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି । ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଓ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍‌ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ । ଆସନ୍ତାପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥି ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି
କାର୍ତ୍ତିକେୟନ୍‌ କହିଛନ୍ତି ।  ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ୩୦ ଗୋଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି । ୩୩୮ ଗୋଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି । ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଓ ଗସ୍ତ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ସବୁ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିିକେୟନ୍‌ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରେ ବିଗ୍ ବସ୍ ୱିନର

ଭୁବନେଶ୍ୱର: ବିଗ୍ ବସ୍ 15 ବିଜେତା ତଥା ନାଗିନ 6ର ମୁଖ୍ୟ ନାୟିକା ତେଜସ୍ୱୀ ପ୍ରକାସ । ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ବାଇକ୍ ସ୍ପଲାସ ଓ୍ବାଟର ପାର୍କରେ ହେବାକୁ ଥିବା ହୋଲି ସେଲିବ୍ରେସନ କଯ୍ୟକ୍ରମରେ ଯୋଗ ଦେବେ ।

ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବ । ତେଜସ୍ବୀ ଗତ କିଛି ବର୍ଷ ହେଲା ହିନ୍ଦୀ ସିରିଏଲରେ ଅଭିନୟ କରି ଆଗ ଧାଡିରେ ଅଛନ୍ତି । ଗତ ବର୍ଷ ବିଗ ବସ୍ 15 ଟାଇଟଲ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ତେଜସ୍ବୀ । ଏବେ ସେ ନାଗିନ 6ରେ ମୁଖ୍ୟ ଅଭିନୟ କରୁଥିବା ବେଳେ ଧାରାବାହିକଟି ଲୋକପ୍ରିୟତା ପାଇଛି ।

ଯାଜପୁରରେ ହାତୀ ଆତଙ୍କ, ବହୁ ମୂଲ୍ୟବାନ ଗଛ ଭାଙ୍ଗିଥିବା ସୂଚନା

ଯାଜପୁର: ଜନବସତି ମୁହାଁ ହାତୀ । ଯାଜପୁର ବୈରୀ ରେଞ୍ଜରେ ଦନ୍ତା ହାତୀ ଆତଙ୍କ। ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇବା ସହ ବହୁ ମୂଲ୍ୟବାନ ଗଛ ଭାଙ୍ଗିଛି । ଚଣ୍ଡିଖୋଲ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବା ପରେ ହାତୀଟି ସଫା ଅଭୟପୁର ଜଙ୍ଗଲକୁ ଚାଲି ଯାଇଥିବା ସୂଚନା ମିଳିଛି।

ବିଭିନ୍ନ ସମୟରେ ବୈରୀ ରେଞ୍ଜ ଅଧୀନରେ ଜଙ୍ଗଲ ରୁ ବଣୁଆ ହାତୀ ଜନ ବସତି ମୁହାଁ ହେଉଥିବା ବେଳେ ବହୁ କ୍ଷୟକ୍ଷତି ମଧ୍ୟ କରୁଛି ଯାହାକୁ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଛନ୍ତି ।

ତିହାଡ ଜେଲରେ ରହିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଜେଲ ଗଲେ ସିସୋଦିଆ । ୭ଦିନ ରିମାଣ୍ଡ ପରେ ଜେଲ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ୨୦ ମାର୍ଚ୍ଚ ଯାଏଁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଲେ ରାଉଜ ଆବେନ୍ୟୁ କୋର୍ଟ । ଏବେ ତିହାଡ଼ ଜେଲରେ ରହିବେ ସିସୋଦିଆ । ଅନ୍ୟପଟେ ଆସନ୍ତା ୧୦ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଅଳ୍ପକେ ବର୍ତ୍ତିଲେ ପୂବର୍ତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦ୍ୟୁରପ୍ପା

କଲବୁର୍ଗି: କଲବୁର୍ଗିରେ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ପାଇଲଟର ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ପୂବର୍ତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା। କଲବୁର୍ଗିର ଜେବରଗିରେ ଏକ ଫାର୍ମ ହାଉସରେ ୟେଦ୍ୟୁରପ୍ପାଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ବ୍ୟବସ୍ଥା ହୋଇଥିଲା।

ହେଲେ ଲ୍ୟାଣ୍ଡିଂ କରିବାକୁ ଗଲାବେଳେ ହେଲିକପ୍ଟରର ବ୍ଲେଡ ପ୍ରଭାବରେ ତଳେ ଥିବା ପଲିଥିନ ଜରି ଓ କପଡ଼ା ଉଡିବାକୁ ଲାଗିଥିଲା  । ଏପରିକି କିଛି ଜରି ଉଡିଆସି ବ୍ଲେଡରେ ଲାଗିଯାଇଥିଲା  । ଏଥିରେ ହେଲିକପ୍ଟର ବିପଦଗ୍ରସ୍ତ ହେବା ସହ ବାରମ୍ବାର ଦୋହଲିଥିଲା  । ପରିସ୍ଥିତି ଏପରି ହୋଇଥିଲା କି ହେଲିକପ୍ଟରଟି କ୍ରାସ କରିବା ଅବସ୍ଥାକୁ ଆସିଯାଇଥିଲା।

ଅଧିକ କିଛି ଘଟିବା ପୂର୍ବରୁ ପାଇଲଟ ହେଲିକପ୍ଟରକୁ ଲ୍ୟାଣ୍ଡିଂ ନକରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଉକ୍ତ ସ୍ଥାନକୁ ସଫାସୁତରା କରାଯିବା ପରେ ହେଲିକପ୍ଟର ଓହ୍ଲାଇଥିଲା।