spot_img
Home Blog Page 3395

ଅପେରା ଓ ମେଲୋଡି ପାଇଁ ଆସିଲା ଗାଇଡଲାଇନ୍, ଅଶ୍ଳୀଳତା ଉପରେ କଟକଣା ଲଗାଇଲା ସଂସ୍କୃତି ବିଭାଗ

ଭୁବନେଶ୍ୱର: ଅପେରା ଓ ମେଲୋଡିରେ ଅଶ୍ଳୀଳତା ଓ ଦ୍ବିଅର୍ଥ ବୋଧକ ସଂଳାପ ଉପରେ ଲାଗିଲା କଟକଣା । କଟକଣା ଜାରି କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଯାତ୍ରା ଓ ମେଲୋଡିରେ ଅଶ୍ଳୀଳ ଦୃଶ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରା ଓ ମେଲୋଡି ପାଇଁ ଅନୁମିତ ନେବାବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ କୁହାଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଏପରି ଚିଠି ଲେଖାଯାଇଛି ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ରାଜ୍ୟରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ । କିନ୍ତୁ ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱଅର୍ଥବୋଧକ ସଂଳାପ ଓ ଅଭିନୟ ଦ୍ୱାରା ପରିବାର ସହ ଏଭଳି ଯାତ୍ରା ଦେଖିବା ସମ୍ଭବ ହେଉନି । ଏହାଦ୍ୱାରା ଯୁବପିଢ଼ି ବିପଥଗାମୀ ହେଉଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସଂସ୍କୃତି ବିଭାଗର ଏଭଳି ନିର୍ଦ୍ଦେଶନମାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

 

ଖୋର୍ଦ୍ଧା ଭୁଷଣ୍ଡପୁରରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା, ଗଲାଣି ୫ ଜଣଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା  । ଭୟଙ୍କର ବିସ୍ଫୋରଣରେ ଗଲାଣି ୫ ଜଣଙ୍କ ଜୀବନ । ପ୍ରଥମେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଳଗୋବିନ୍ଦ ବେହେରା । ପୂର୍ବରୁ ନିରଞ୍ଜନ ବେହେରା, ବ୍ରଜ କିଶୋର ବେହେରା, ଶହଦେବ ବେହେରା, ବୃନ୍ଦାବନ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏବେ ଭୁବନେଶ୍ବର ଏମ୍ସରେ ଆଉ ୨ ଜଣ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଗତକାଲି ସକାଳ ୧୦ଟା ୪୫ ମିନିଟରେ ବାଣ ବିସ୍ଫୋରଣ ଘଟିଥିଲା । ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ହଠାତ ବିସ୍ଫୋରଣ ଘଟିଥିଲା  । ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାରଙ୍କ ସହିତ ପ୍ରମୁଖ ପ୍ରଶାସନିକ ଅଧିକାରୀ ବିସ୍ଫୋରଣ ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସରକାରୀ ଜାଗାରେ ବେଆଇନ ଭାବେ ବାଣ ଗୋଦାମ ଚାଲିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ସ୍ଥାନୀୟ ଲୋକ କହିଛନ୍ତି ଦୋଳ ଉତ୍ସବରେ ଦାରୁ ଭୋଗ ପାଇଁ ବାଣ ପ୍ରସ୍ତୁତ ହେଉଥିଲା । ବାଲିପାଟଣା ଓ ଭୁଷଣ୍ଡରପୁର ପଞ୍ଚାୟତର ସାମୁହିକ ଉଦ୍ୟମରେ ବାଣ ପ୍ରସ୍ତୁତ ହେଉଥିଲା । ସ୍ଥାନୀୟ ଲୋକଙ୍କ ସହିତ ଆଖପାଖର କାରିଗର ଏଥିରେ ନିୟୋଜିତ ହୋଇଥିଲେ । ଅନ୍ୟପଟେ କିଭଳି ବେଆଇନ ଭାବେ ବାଣ ପ୍ରସ୍ତୁତ ଚାଲିଥିଲା ସେନେଇ ପ୍ରଶ୍ନ ଉଠିଛି । ପ୍ରଶାସନ ଏ ସମ୍ପର୍କରେ ଜାଣିଥିଲା କି ନାହିଁ । ଯଦି ପ୍ରଶାସନ ନିକଟରେ ଏନେଇ ସୂଚନା ଥିଲା ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ପ୍ରଶ୍ନ ଉଠିଛି ।

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ମାମଲା, ଆସିଲା ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ରିପୋର୍ଟ

ବୁର୍ଲା: ବୁର୍ଲା ଭିସୁଟ ଇଞ୍ଜିନିୟରିଂ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା । ଆସିଲା ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ । ଏସଏଫଏସଏଲ ପକ୍ଷରୁ ସମ୍ବଲପୁର ଏସପିଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଦିଆଯାଇଛି । ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢ଼ିବ । ଆବଶ୍ୟକ ପଡ଼ିଲେ ଚିନ୍ମୟୀଙ୍କ ବୟଫ୍ରେଣ୍ଡ ପ୍ରୀତିମାନ ଓ ଅନ୍ୟ ଅଟକ ବନ୍ଧୁଙ୍କ ନାର୍କୋ ଟେଷ୍ଟ କରାଯିବ ବୋଲି ଏସପି କହିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ସିନ୍ ରିକ୍ରିଏସନ କରାଇଛି ପୋଲିସ । ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ନେଇ ସିନ୍ ରିକ୍ରିଏସନ୍ ହୋଇଛି । କେମିତି ହୋଇଥିଲା ଚିନ୍ମୟୀଙ୍କ ମୃତ୍ୟୁ ସେନେଇ ପିସି ବ୍ରିଜରେ ନିକଟରେ ଡେମୋ ଦେଖାଇଛି ପୁରୁଷ ବନ୍ଧୁ । ଫେବ୍ରୁଆରୀ ୨୮ ତାରିଖରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ବେଳେ, ମାର୍ଚ୍ଚ ୧ ତାରିଖରୁ ହତ୍ୟା ମାମଲା ରୁଜୁ କରି ଛାନବିନ୍ ଚଳାଇଛି ପୋଲିସ ।

ଆଜିଠୁ ତାତିରୁ ମିଳିବ ତ୍ରାହି, ୧୦ ତାରିଖ ଯାଏ ପଶ୍ଚିମା ଝଡ଼ ପ୍ରଭାବ

ଭୁବନେଶ୍ୱର: ଆଜିଠୁ ତାତିରୁ ମିଳିବ ତ୍ରାହି । ଅସହ୍ୟ ଗୁଳି ଗୁଳି ସହିତ ଅହେତୁକ ତାପମାତ୍ରାରୁ ମିଳିବ ଆଶ୍ବସ୍ତି । ରାଜ୍ୟରେ ୧୦ ତାରିଖ ଯାଏ ରହିବ ପଶ୍ଚିମା ଝଡ଼ ପ୍ରଭାବ । ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଉପକୂଳର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ କାଲି ହୋଲିରେ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୯ ତାରିଖରେ ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।  ୧୦ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ ରହିବ ।

ଭିଜିଲାନ୍ସ ଜାଲରେ ଏସିଏଫ୍, ଭୁବନେଶ୍ବର ଆସୁଥିବା ବେଳେ ସ୍ବତନ୍ତ୍ର ଟିମର ଚଢ଼ାଉ

କୋରାପୁଟ: ଭିଜିଲାନ୍ସ ଜାଲରେ ଏସିଏଫ୍ । ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ଲମତାପୁଟ ବନାଞ୍ଚଳ ଅଧିକାରୀ ସୁରଜିତ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୋରାପୁଟ ଭିଜିଲାନସ୍ ଡିଭିଜନ ଟିମ୍ ଗତକାଲି ବିପୁଳ ପରିମାଣର ଟଙ୍କା ସହ ଧରିଛି । ସୁରଜିତ ଗତକାଲି ବନାଞ୍ଚଳ ଅଧିକାରୀରୁ ଏସିଏଫ୍ ପଦକୁ ପଦୋନ୍ନତି ପାଇଥିଲେ । ଏବଂ ସହକର୍ମୀଙ୍କୁ ଭୁବନେଶ୍ବର ଯାଉଛି କହିଥିଲେ । ସେ ନିଜ ସହ ମୋଟା ଅଙ୍କର ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଭିଜିଲାନସ୍ ବିଭାଗର ଏକ ଟିମ୍ ପିଛା କରି କୋରାପୁଟରେ ତାଙ୍କୁ କାବୁ କରିଥିଲା । ୬ ଜଣିଆ ଭିଜିଲାନ୍ସ ଟିମ ଲମତାପୁଟରେ ପହଞ୍ଚି ସୁରଜିତଙ୍କ କାର୍ଯ୍ୟଳୟରେ କାଗଜ ପତ୍ର ଯାଞ୍ଚ କରିବା ସହ ତଦନ୍ତ କରୁଛନ୍ତି ।

 

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଉତ୍ସବ ମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା କରାଯିବ । ମହାପ୍ରଭୁଙ୍କୁ ନୂଆ ଲୁଗା ପରିଧାନ କରାଯିବା ସହ ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ ମଣି ବିମାନରେ ବିଜେ କରି ଦୋଳ ବେଦୀକୁ ଯିବେ । ସେଠାରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବା ସହ ଭକ୍ତଙ୍କ ସହ ମହାପ୍ରଭୁ ଅବିର ଖେଳିବେ ।

 

ଆଜିଠୁ ମେଘାଳୟ ଓ ନାଗାଲାଣ୍ଡରେ ନୂଆ ସରକାର, ଶପଥ ନେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ମେଘାଳୟ ଓ ନାଗାଲାଣ୍ଡରେ ଆରମ୍ଭ ହେବ ନୂଆ ସରକାର। ଶପଥ ନେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନ୍ୟାସନାଲ ପିପୁଲ୍ସ ପାର୍ଟିର ମୁଖ୍ୟ କେ. ସାଙ୍ଗମା । ନିର୍ବାଚନରେ ୨୬ଟି ଆସନ ଜିତି ନ୍ୟାସନାଲ ପିପୁଲ୍ସ ପାର୍ଟି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏନଡିପିପି ସୁପ୍ରିମୋ ନେଫିଉ ରିଓ । ଏସ୍ସି ଜମିରଙ୍କ ୩ ଥରର ରେକର୍ଡକୁ ଭାଙ୍ଗିଛନ୍ତି ନେଇଫିଉ ରିଓ । ଦିନ ଗୋଟାଏ ୪୫ ମିନିଟରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ନାଗାଲାଣ୍ଡର ମୋଟ ୬୦ ଆସନରୁ ଏନଡିପିପି-ବିଜେପି ମେଣ୍ଟ ୩୭ ଆସନରେ ବିଜୟ ଲାଭ କରି ସରକାର ଗଢ଼ୁଛି । ସେପଟେ ଆସନ୍ତାକାଲି ତ୍ରିପୁରାରେ ଶପଥ ନେବ ମାଣିକ ସରକାର । ୬୦ ଆସନରୁ ଆଇପିଫଟି-ବିଜେପି ମେଣ୍ଟ ୩୨ଟି ଆସନରେ ବିଜୟ ଲାଭ କରି ସରକାର ଗଢୁଛି । ତ୍ରିପୁରାରେ ପୁଣିଥରେ ମାଣିକ ଶାହା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆସନ୍ତାକାଲି ଦିନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ।

ପଶ୍ଚିମବଙ୍ଗରେ ଆଡେନୋ ଭାଇରସ ଆତଙ୍କ, ୯ ଦିନରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ୁଛି ଆଡେନୋ ଭାଇରସ ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୯ ଦିନ ମଧ୍ୟରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨ ସପ୍ତାହରେ ସର୍ବାଧିକ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଆଡେନୋ ଭାଇରସକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ସବୁ ଡାକ୍ତରଖାନାକୁ ସତର୍କ କରାଯାଇଛି । ଆଲର୍ଟରେ ରହିବାକୁ ଶିଶୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁମାନଙ୍କ କ୍ଷେତ୍ରରେ ଭାଇରସ ଘାତକ ହେଉଥିବାରୁ ଚିନ୍ତା ବଢ଼ିଛି ।

ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ଥଣ୍ଡା, ଜ୍ବର ସହିତ ଗଳାରେ ପୀଡ଼ା ଦରଜ ରହୁଛି । ନିଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେଉଛି । ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଖାନା ଆସି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଏହି ରୋଗ କାଶ କିମ୍ବା ଛିଙ୍କ ଦ୍ବାରା ମଧ୍ୟ ଅନ୍ୟକୁ ବ୍ୟାପିଥାଏ । ଏଣୁ ଶିଶୁମାନେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି  ।

ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣା: SCBରେ ଆଖି ବୁଜିଲେ ଆଉ ଜଣେ

ଖୋର୍ଦ୍ଧା:  ଭୁଷଣ୍ଡପୁରରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା । 5ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା । ପ୍ରଥମେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଳଗୋବିନ୍ଦ ବେହେରା । କଟକ ଏସସିବରେ କାଜୁଆଲଟି ଡ୍ରେସିଂ ପରେ ଆଇସିୟୁରେ ରଖାଯାଇଥିଲା । ପରେ ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।

ଭର୍ତ୍ତି କରିବାର 30 ମିନିଟି ପରେ ଦୋଳଗୋବିନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୂର୍ବରୁ ନିରଞ୍ଜନ ବେହେରା, ବ୍ରଜ କିଶୋର ବେହେରା, ଶହଦେବ ବେହେରା, ବୃନ୍ଦାବନ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏବେ ଭୁବନେଶ୍ବର ଏମ୍ସରେ ଆଉ ୨ଜଣ ଜୀବନ ସହିତ ସଂଘର୍ଷ କରୁଛନ୍ତି ।

ରାବରୀ ଦେବୀଙ୍କୁ ୪ଘଣ୍ଟା ପଚରାଉଚରା କଲା CBI

ପାଟନା: ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ସିବିଆଇର ଆକ୍ସନ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଘରେ ସିବିଆଇ ଟିମର ଯାଞ୍ଚ । ରେଲଓ୍ବେ ଗ୍ରୁପ-D ଚାକିରିରେ ଅନିମିତତା ମାମଲାରେ ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ୪ଘଣ୍ଟା ପଚରାଉଚରା କରିଛି ସିବିଆଇ ଟିମ୍ । IRCTCରେ ଚାକିରି ଦେବା ମାମଲାରେ ସିବିଆଇର ୧୨ଜଣିଆ ଟିମ୍ ପଚରାଉଚରା କରି ଫେରିଛନ୍ତି । ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିବା ବେଳେ ରେଲଓ୍ବେ ଚାକିରିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ଲାଲୁଙ୍କ ଦୁଇ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବିଧାୟକ ଭୋଲା ଯାଦବ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ଅଭିଯୁକ୍ତ ରହିଛନ୍ତି । ଗତ ଜୁଲାଇରେ ସିବିଆଇ ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିଥିଲା । ଏହି ମାମଲାରେ ଆସନ୍ତା ୧୫ ତାରିଖରେ ହାଜର ହେବାକୁ ଲାଲୁ ଓ ରାବରୀ ଦେବୀଙ୍କ ସମେତ ୧୪ଜଣଙ୍କୁ ସମନ କରିଥିଲା ରାଉଜ ଆବେନ୍ୟୁ କୋର୍ଟ ।