ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରକୁ ଡାକ୍ତର ଦିଆଯିବ ବୋଲି ଗୃହରେ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେହିପରି ବର୍ତ୍ତମାନ ରାଜ୍ୟରେ ପ୍ରତି ହଜାରେ ରୋଗୀରେ ୦.୭% ଶଯ୍ୟା ଅଛି । IPHS ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧ ପ୍ରତିଶତ ରହିବା କଥା । ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ପରୀକ୍ଷା ଦେଉଥିଲେ ମା’, ଝିଅର ଯତ୍ନ ନେଲେ ମହିଳା କନଷ୍ଟେବଲ୍
ମାଲକାନଗିରି: ଅସମୟରେ ମଣିଷ ପଣିଆ ଦେଖାଇବା ଆମେ ଅନେକ ଖବର ଦେଖିଛେ । ହେଲେ ମାଲକାନଗିରି ଜିଲ୍ଲାରୁ ଯେଉଁ ଖବର ଆସିଛି, ତାହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ପରୀକ୍ଷା ଦେବାକୁ ଯାଇଥିବା ଜଣେ ମା’ କୋଳରେ ଥିଲା ତା’ର ଛୋଟ ଶିଶୁ । ଛୁଆକୁ ସ୍ତନପାନ କରାଇବାକୁ ପରୀକ୍ଷା କେନ୍ଦ୍ରରେ ରହିଥିଲା ବ୍ୟବସ୍ଥା । ହେଲେ ପରୀକ୍ଷା ବେଳେ ଛୋଟ ଛୁଆକୁ କେମିତି ସମ୍ଭାଳିବେ ବୋଲି ଚିନ୍ତାରେ ଥିଲେ ମା’ ଜଣକ । ଏହି ସମୟରେ ଜଣେ ମହିଳା ପୋଲିସ ମାଆର ପରିସ୍ଥିତିକୁ ବୁଝି ପାରିଥିଲେ । ସହାୟତାର ହାତ ବଢ଼ାଇବା ସହ ଛୁଆକୁ ନିଜ କୋଳକୁ ନେଇଥିଲେ । ପରୀକ୍ଷା ସରିବା ଯାଏ ସମ୍ଭାଳିଥିଲେ କୁନି ଛୁଆକୁ । ଏହି ଘଟଣାକୁ ନେଇ ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଲିସ କର୍ମଚାରୀ ଜଣଙ୍କୁ ଭୂରି ଭୂରି ପ୍ରଶଂସା କରାଯାଉଛି ।
ସୂଚନା ଅନୁସାରେ, ପୋଲିସ ପଦବୀ ପାଇଁ ମାଲକାନଗିରି ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଆସିଥିଲେ ଚଞ୍ଚଳା ମଲ୍ଲିକ । କାଖରେ ଥିଲା ୪ ବର୍ଷର କୁନି ଝିଅ । କେନ୍ଦ୍ରରେ ପହଞ୍ଚିବା ବେଳକୁ ଛୁଆ କାନ୍ଦିବା ଆରମ୍ଭ କରିଥିଲା । ସ୍ତନ୍ୟପାନ କରାଇ ଛୁଆକୁ ଚୁପ୍ କରାଇଥିଲେ । ହେଲେ ପରୀକ୍ଷା କେମିତି ଦେବ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ଚଞ୍ଚଳା । ପରିବାର ପକ୍ଷରୁ ମଧ୍ୟ ପାଖରେ କେହି ନଥିଲେ । ମାଆର ଏଭଳି କରୁଣା ଅବସ୍ଥାକୁ ବୁଝି ପାରି ଥିଲେ ସେଠାରେ ଡ୍ୟୁଟିରେ ଥିବା ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ । ମହିଳା କନେଷ୍ଟବଳ ଜଣକ ଛୁଆକୁ ସମ୍ଭାଳିବା ପରେ ପରୀକ୍ଷା ଦେଇଥିଲେ ଚଞ୍ଚଳା । ପରୀକ୍ଷା ସରିବା ପରେ ମହିଳା କନେଷ୍ଟବଳଙ୍କୁ ପ୍ରଶଂସା କରି ଘରକୁ ଫେରିଥିଲେ ଚଞ୍ଚଳା ।
ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭାରତ ବର୍ଷର ଶେଷ ରାଣୀ ରାସମଞ୍ଜରୀ ଦେବୀଙ୍କ ପରଲୋକ। ତାଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ଶୋକପ୍ରସ୍ତାବକୁ ସମର୍ଥନ ଜଣାଇଲେ ବିରୋଧୀ । ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଛି ।
ସେ ୧୯୭୭ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ରାସମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨-୨୦୦୭ ପର୍ଯ୍ୟନ୍ତ ତିଗିରିଆ ୧୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟଭାବେ ନିର୍ବାଚନ ଲଢି କଟକ ଜିଲ୍ଲା ପରିଷଦର ଉପ ସଭାନେତ୍ରୀ ଥିଲେ । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତେବେ ରାସମଞ୍ଜରୀ ଦେବୀଙ୍କ ମୃତ୍ୟୁ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ବିଜୁ ପଟ୍ଟନାୟକ ଯେତେବେଳେ ନାରୀ ସଶକ୍ତିକରଣ ପାଇଁ ଚେଷ୍ଟିତ ଥିଲେ ସେତେବେଳେ ରାଣୀ ମା’ ସାଜିଥିଲେ ରୋଲ୍ ମଡେଲ। ଆଜି ସକାଳୁ ରାଣୀଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ନେଇ ତିଗିରିଆ ଗଡଜାତର ସମସ୍ତ ଗାଁ ପରିକ୍ରମା କରାଯାଇଛି । ପୋଲିସ ପକ୍ଷରୁ ତାଙ୍କୁ ସଲାମି ଦିଆଯାଇଛି ।
ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ତାତି, ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍ ଦର୍ଶାଉଛି । ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ । ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ତାପପାତ୍ରା ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହୁଛି । ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି । ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ବର ସମେତ ଅନୁଗୁଳ, ମାଲକାନଗିରି, ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି ।
ଦୁନିଆର ସବୁଠାରୁ ବଡ ପରିବାର, ୩୯ ଜଣ ସ୍ତ୍ରୀ, ୯୪ ଜଣ ପିଲା ଏବଂ ୩୩ ଜଣ ନାତିନାତୁଣି
ମିଜୋରାମ: ଦୁନିଆର ସବୁଠାରୁ ବଡ ପରିବାର ବିଷୟରେ ଆପଣ ଜାଣନ୍ତି କି ? କେବଳ ବାପା ମା ଛୁଆଙ୍କୁ ନେଇ ଏହି ପରିବାର। ଏହି ପରିବାରରେ ସଦସ୍ୟଙ୍କ ସଂଖ୍ୟା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ମୁଖିଆଙ୍କର ୩୯ଜଣ ପତ୍ନୀ ୯୪ ଜଣ ପିଲା ଏବଂ ୩୩ ନାତିନାତୁଣି ରହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଯେ, ଏହି ପରିବାରରେ ସମସ୍ତେ ଗୋଟିଏ ଛାତ ତଳେ ରହନ୍ତି। ଏବଂ ଏକାଠି ରହିବା ସହ ଏକାସାଙ୍ଗରେ ଖାଆନ୍ତି । ମିଜୋରାମର ବାଟୱାଙ୍ଗ ଗାଁରେ ଏହି ପରିବାର ବସବାସ କରନ୍ତି ।
ଏହି ପରିବାରକୁ ଜିୟୋନ-ଆ ବୋଲି କୁହାଯାଏ । ଜିୟୋନ-ଆ ପରିବାର ଦୁନିଆର ସବୁଠୁ ବଡ ପରିବାର ବୋଲି କୁହାଯାଏ । ଜିୟୋନ-ଆ ୪ ମହଲା ବିଶିଷ୍ଟ ଏକ ଘର ଯେଉଁଥିରେ ୧୦୦ଟି ବଖରା ରହିଛି । ଏହି ଘରର ପୁଅମାନେ ଚାଷ କରିବା ସହ ପଶୁପାଳନ କରିଥାନ୍ତି । ସେହିପରି ଘରର ମହିଳାମାନେ ଖାଇବା ପ୍ରସ୍ତୁତ କରିବା ସହ ଘର ସମ୍ଭାଳି ଥାନ୍ତି ।
ପରିବାରର ମୁଖିଆ ଜିୟୋଘାକା ୧୭ ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କର ଏକ ବଡ ପରିବାର ହେଉ ବୋଲି ସେ ଇଚ୍ଛା କରିଥିଲେ । ସୂଚନା ଅନୁଯାୟା, ସେ ଗୋଟିଏ ପରେ ଗୋଟିଏ ବିହାହ କରି ଏମିତି ୩୯ ଜଣଙ୍କୁ ବିବାହ କରିଥିଲେ । ଏହାସହ ୯୪ ସନ୍ତାନର ବାପା ମଧ୍ୟ ହୋଇଥିଲେ । ସେ ୯୪ ଜଣଙ୍କର ବାପା ହୋଇ ନିଜକୁ ବହୁତ ଭାଗ୍ୟଶାଳୀ ଭାବୁଥିଲେ । କାହିଁକି ନା ତାଙ୍କ ପାଖରେ ନିଜର ବହୁତ ବଡ ପରିବାର ରହିଥିଲା ତାଙ୍କର ଦେଖାଶୁଣା କରିବା ପାଇଁ ।
ଜିୟୋଘାକାଙ୍କ ଦେହ ଖରାପ ଯୋଗୁଁ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁରେ ମିଜୋରାମର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ।
ସୁନ୍ଦରଗଡ଼ ବଣାଇଁ ମାଲଦାରେ ଗୁଳିକାଣ୍ଡ, ବଚସା ପରେ ୪ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇଁ ମାଲଦାରେ ଗୁଳିକାଣ୍ଡ ଘଟଣା । ତିନିଜଣ ଦୁର୍ବୃତ୍ତ ଏକ ନମ୍ଵର ବିହିନ ପଲସରରେ ଆସିଥିଲେ । ଢାବା ମାଲିକ ସହ ବଚସା ପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ଢାବା ମାଲିକ ରମେଶ ଚାତମ୍ବଙ୍କର ମୃତ୍ୟୁ ହୋଇଛି । ଢାବା ମାଲିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ କର୍ମଚାରୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ଯୋଡ଼ା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

