spot_img
Home Blog Page 3462

ପରୀକ୍ଷା ଚାଲିଥିବା ବେଳେ ଝୁଲିପଡିଲେ ରମାଦେବୀ ଛାତ୍ରୀ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି  । ମୃତ ଛାତ୍ରୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ବୋଲି ଜଣାପଡିଛି  । ତାଙ୍କ ଘର ରାୟଗଡା ଜିଲ୍ଲାରେ ହୋଇଥିବା ଜଣାପଡିଛି  । ପରୀକ୍ଷା ଚାଲିଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି  । ୨ଟି ପେପର ଖରାପ ହୋଇଥିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ହଷ୍ଟେଲରୁ ପୋଲିସକୁ ସୁଇସାଇଡ ନୋଟ ମିଳିଛି  । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି  ।

ମାଲକାନଗିରିରେ 5T ସଚିବଙ୍କ ମାରାଥନ ଅନୁଧ୍ୟାନ, ଗ୍ରାଉଣ୍ଡ ଜିରୋରେ ହେବ ବିକାଶ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ 5T ସଚିବଙ୍କ ମାରାଥନ ଅନୁଧ୍ୟାନ । ଆଜି ଗ୍ରାଉଣ୍ଡ ଜିରୋରେ କରୁଛନ୍ତି ବିକାଶର ଅନୁଧ୍ୟାନ । ଗୁରୁପ୍ରିୟା ସେତୁ ଉପରେ ବଡପଦାକୁ ସବଷ୍ଟେସନକୁ ଆସୁଥିବା ୩୩କେଭି ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ମାଲାକାନକିରି କୋଟେଲଗୁଡାରେ ଏୟାରଷ୍ଟ୍ରିପ ଟର୍ମିନାଲ ବିଲଡିଂ ଓ ଗେଷ୍ଟହାଉସର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।

ସେଠାରୁ ଚିତ୍ରୋକୋଣ୍ଡା ମିଶନ ଶକ୍ତି କାଫେକୁ ଆସି ମାଆ ଓ ପରେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲର ଲାଇବ୍ରେରୀ, ସ୍କାର୍ଟ କ୍ଲାସରୁମରେ କିଭଳି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି, ସେ ସମ୍ପର୍କରେ ବୁଲି ଦେଖିଛନ୍ତି । ପରେ ମାଲକାନଗିରିର ମାଳିକେଶ୍ବର ମନ୍ଦିରକୁ ଯାଇ ଏହାର ଉନ୍ନତିକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ସତିଗୁଡ଼ା ଇକୋପାର୍କରେ ବିକାଶର ସମୀକ୍ଷା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ବିଭିନ୍ନ ବ୍ଲକକୁ ଯାଇ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପରିଦର୍ଶନ କରିବା ସହ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲାପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟାବାଦ ଅର୍ପଣ କରିଥିଲେ ପାଣ୍ଡିଆନ୍ । ଗତକାଲି ବଣ୍ଡାଘାଟିରେ ପହଞ୍ଚିଥିଲେ ଫାଇଭ-ଟି ସଚିବ ।

ଲୋକଙ୍କ ସମସ୍ୟା ଶୁଣିବା ସହ ବଣ୍ଡାଘାଟିକୁ ବସ୍ ଓ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବଦପଡା କମ୍ପ୍ଲେକ୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ରାତ୍ରି ଭୋଜନ କରିଥିଲେ । ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ହକି ଗ୍ରାଉଣ୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୦୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ଗୁରୁପ୍ରିୟା ସେତୁକୁ ଯାଇ ବୁଲି ଦେଖିଥିଲେ ଫାଇଭ-ଟି ସଚିବ ।

ପିକ୍‌ଅପ୍‌ ଭ୍ୟାନ୍‌ ପିଟିଲା ପରେ ଜଳିଗଲା ବାଇକ୍‌, ୨ ମୃତ

ବାଲେଶ୍ବର: ସହଦେବ ଖୁଣ୍ଟା ଥାନା କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳିଗଲା ବାଇକ୍ । ଆଜି ଅପରାହ୍ନରେ ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଧିନ କଣ୍ଟାବଣିଆ ନିକଟରେ ଏକ ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ ସହ ଏକ ବାଇକର ଦୁର୍ଘଟଣା ହୋଇଥିଲା । ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପିକ୍ ଅପ୍ ଭ୍ୟାନର ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ସହଦେବ ଖୁଣ୍ଟା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ସେମାନେ ସିଂଲା ଥାନା ଅଞ୍ଚଳର ବୋଲି କୁହାଯାଉଛି ।

ରଥଯାତ୍ରା ନେଇ ପ୍ରସ୍ତୁତି, ସ୍ୱତନ୍ତ୍ର ସର୍କିଟ ହାଉସରେ ବସିଛି ପ୍ରଥମ ବୈଠକ

ପୁରୀ: ଆସନ୍ତା ଜୁନ୍ ୨୦ ତାରିଖରେ ପବିତ୍ର ଘୋଷଯାତ୍ରା । ଚଳିତବର୍ଷ ରଥଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେ ନେଇ ଆଜି ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ରଥଯାତ୍ରା ସମନ୍ୱୟ କମିଟି ପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇଛି । ସ୍ବତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ରଥଯାତ୍ରାକୁ ନେଇ ସେମାନଙ୍କର ପ୍ରସ୍ତୁତି କିପରି କରାଯିବ ତା’ ଉପରେ ଆଲୋଚନା ହୋଇଛି । ବୈଠକରେ ସବୁ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ବୈଠକ ପରେ ପରବର୍ତ୍ତୀ ସମୟରେ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା ଓ ଶ୍ରୀଗୁଣ୍ଡିଚା ଯାତ୍ରା ନେଇ ସବିଶେଷ ଆଲୋଚନା ହୋଇଛି ।

କୁନୋରୁ ଆସିଲା ଖୁସି ଖବର, ୪ ଛୁଆ ଜନ୍ମ ଦେଲା ନାମିବ୍ୟା ଚିତା

ଭୋପାଳ: ବଢ଼ିଲା ଚିତାଙ୍କ ବଂଶ । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି ।

ଗତବର୍ଷ ସେପ୍ଟେମ୍ବର ୧୭ରେ ଚିତା ପ୍ରୋଜେକ୍ଟ ଜରିଆରେ ୮ଟି ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ୫ଟି ମାଈ ଓ ୩ଟି ଅଣ୍ଡିରା । ପାର୍କର ପ୍ରିନିସିପାଲ ଚିଫ କଞ୍ଜରଭେଟର ଜେ.ଏସ. ଚୌହ୍ବାନ କହିଛନ୍ତି ୮ଟି ଚିତା ମଧ୍ୟରୁ ଜଣକର ମୃତ୍ୟୁ ହେବା ପରେ ରହିଥିବା ଅନ୍ୟ ୭ଟି ଚିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତମାସରେ ଦ୍ବିତୀୟ ପର୍ଯ୍ୟାୟରେ ସାଉଥ ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ଟି ଚିତା ଥିବା ଠିକଠାକ୍ ଥିବା ସୂଚନା ମିଳିଛି ।

ନୂଆ ଅବତାରରେ କ୍ୟାପଟେନ୍ କୁଲ୍, IPL ପୂର୍ବରୁ ସିଟରେ ରଙ୍ଗ ଦେଉଛନ୍ତି ଧୋନୀ

ଚେନ୍ନାଇ: ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାକୁମ୍ଭ IPL । IPLର ନୂଆ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ସବୁ ଫ୍ରାଞ୍ଚାଇଜ୍ । CSK ମଧ୍ୟ ଆଇପିଏଲର ନୂଆ ସିଜିନ୍ ପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛି । ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । କିନ୍ତୁ ଏବେ ବି କମିନି ମାହିଙ୍କ କ୍ରେଜ୍ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଭ୍ୟାସ କରୁଛି ଧୋନୀଙ୍କ ନେତୃତ୍ୱାଧିନ CSK । ଚେନ୍ନାଇର MA ଚିଦାମ୍ବରମ ଷ୍ଟାଡିୟମରେ ଝାଳ ବୁହାଉଛନ୍ତି ଧୋନୀଙ୍କ ସମେତ ସମସ୍ତ ଖେଳାଳି । ତେବେ ଏହାରି ମଧ୍ୟରେ ଚେପକ୍ ଷ୍ଟାଡିୟମରୁ ଆସିଛି ଏକ ରୋଚକ ଦୃଶ୍ୟ । ଚେପକ୍ ଷ୍ଟାଡିୟମରେ ନୂଆ ରୂପରେ ନଜର ଆସିଛନ୍ତି ମାହି । ଧୋନୀଙ୍କ ଏହି ନୂଆ ଅବତାରକୁ ବେଶ୍‌ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ ।

ସୋସିଆଲ ମିଡିଆରେ ମାହିଙ୍କ ଏହି ନୂଆ ଭିଡିଓକୁ ପୋଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଯେଉଁଥିରେ ଧୋନୀ ଷ୍ଟାଡିୟମରେ ଥିବା ସିଟକୁ ରଙ୍ଗ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଧୋନୀ ଏକ ସ୍ପ୍ରେ ପେଣ୍ଟ୍ ଧରି ଗୋଟିଏ ପରେ ଗୋଟିଏ ସିଟକୁ ରଙ୍ଗ ଦେଉଛନ୍ତି । ତେବେ ଧୋନୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଧୋନୀଙ୍କ ଏହି ନୂଆ ଅବତାରକୁ ଭରପୂର ପ୍ରଶଂସା କରୁଛନ୍ତି ପ୍ରଶଂସକ । ଏମିତିକି ତାଙ୍କ ରଙ୍ଗ ଦିଆ ଉଚ୍ଚ କୋଟିର ବୋଲି କହିଛନ୍ତି ପ୍ରଶଂସକ ।

ସୂଚନା ଅନୁସାରେ ୨୦୧୯ ପରେ ପ୍ରଥମ ଥର ପାଇଁ ଚେପକରେ ଖେଳିବାକୁ ଯାଉଛି CSK । କରୋନା ମହାମାରୀ ପରେ ୩ ବର୍ଷ ହେବ IPL ଦୁବାଇ କିମ୍ବା ଭାରତର କିଛି ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜିତ ହେଉଥିଲା । ଯାହା ଫଳରେ ଚେପକରେ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେଉଥିଲେ ଦର୍ଶକ । ତେଣୁ ୩ ବର୍ଷ ପରେ ପୁଣି ଥରେ ଚେନ୍ନାଇ ତା’ର ହୋମ ଗ୍ରାଉଣ୍ଡରେ ଖେଳିବାକୁ ଯାଉଥିବାରୁ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି ।

 

ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ୍, ୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଏକ୍ସଟ୍ରା ଚାର୍ଜ !

ନୂଆଦିଲ୍ଲୀ: ଆପଣ UPIରେ ଟ୍ରାଞ୍ଜାକ୍ସନ କରୁଛନ୍ତି କି ? UPI ଟ୍ରାଞ୍ଜାକ୍ସନକୁ ନେଇ ଆସିଛି ବଡ଼ ଖବର । ଏବେ ଆଉ ମାଗଣାରେ ହୋଇପାରିବନି UPI ଟ୍ରାଞ୍ଜାକ୍ସନ। UPI ପେମେଣ୍ଟ ପାଇଁ ଏବେ ଟଙ୍କା ଗଣିବେ ୟୁଜର୍ସ । ଏହା UPI କମ୍ପାନୀଙ୍କ ପାଇଁ ଖୁସି ଖବର ହୋଇଥିବା ବେଳେ ଲୋକଙ୍କ ପାଇଁ ଖରାପ ଖବର । କାହିଁକି ନା ଏବେ ପ୍ରତ୍ୟେକ ଲୋକ UPI ବ୍ୟବହାର କରୁଛନ୍ତି । କିନ୍ତୁ ଏହି ନୂଆ ନିୟମ ଫଳରେ UPI ଟ୍ରାଞ୍ଜାକ୍ସନ ଏବେ ଲୋକଙ୍କ ପକେଟକୁ ବାଧିବ ।

ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହ ମହଙ୍ଗା ହେବାକୁ ଯାଉଛି UPI ଟ୍ରାଞ୍ଜାକ୍ସନ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ ଇଣ୍ଡିଆ UPI ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ଏହି ସର୍କୁଲାରରେ ଏପ୍ରିଲ ୧ରୁ UPIରେ ହେଉଥିବା ବ୍ୟବସାୟିକ ପେମେଣ୍ଟରେ PPI ଚାର୍ଜ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । PPI ଚାର୍ଜ ହେଉଛି ଏକ ପ୍ରକାର ଅତିରିକ୍ତ ଚାର୍ଜ । ଯାହା UPI ପେମେଣ୍ଟ ବେଳେ ୟୁଜର୍ସଙ୍କୁ ଦେବାକୁ ପଡ଼ିବ ।

ମଙ୍ଗଳବାର ଜାରି କରାଯାଇଥିବା ଏହି ସର୍କୁଲାର ଅନୁସାରେ NPCI, ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ PPI ଚାର୍ଜ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ୨ ହଜାର ଟଙ୍କାରୁ ଅଧିକ ଟଙ୍କାର ପେମେଣ୍ଟ କରୁଥିଲେ ଏହି ଚାର୍ଜ ଦେବାକୁ ପଡ଼ିବ । ଏହି ଚାର୍ଜ ବ୍ୟବସାୟିକ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ହିଁ କେବଳ ଦେବାକୁ ପଡ଼ିବ । ରିପୋର୍ଟ ଅନୁସାରେ ପାଖାପାଖି ୭୦ ପ୍ରତିଶତ ଲୋକ UPIରେ Person to Merchantରେ ୨ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କରୁଛନ୍ତି । ଏହି ଟ୍ରାଞ୍ଜାକ୍ସନ ଉପରେ PPI ଚାର୍ଜ ଲଗାଇବାକୁ ଯୋଜନା କରୁଛି NPCI ।

NPCI ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଭିନ୍ନ ଭିନ୍ନ ଇଣ୍ଟରଚେଞ୍ଜ ଫି’ ନିର୍ଦ୍ଧାରିତ କରାଯାଇଛି । ଫାର୍ମିଂ ଓ ଟେଲିକମ୍ କ୍ଷେତ୍ରରେ ସବୁଠାରୁ କମ୍ ଇଣ୍ଟରଚେଞ୍ଜ ଫି’ ଲାଗୁ କରାଯିବ । ଏହି ଇଣ୍ଟରଚେଞ୍ଜ ଫି’ ବ୍ୟବସାୟିକ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ । ସୂଚନା ଅନୁସାରେ ବର୍ତ୍ତମାନ UPI ପେମେଣ୍ଟ କଲେ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁନି । କିନ୍ତୁ ବିଗତ କିଛି ବର୍ଷ ହେବ UPI କର୍ମ୍ପାନୀ ଅଧିକ ଟ୍ରାଞ୍ଜାକ୍ସନ ଉପରେ PPI ଚାର୍ଜ ଲଗାଇବାକୁ ଦାବି କରିଆସୁଥିଲେ । PPI ଚାର୍ଜ ନ ଲାଗିଲେ କମ୍ପାନୀଙ୍କ ରାଜସ୍ୱ ହାନୀ ହେଉଥିବା ଅଭିଯୋଗ କରୁଥିଲେ । ତେବେ UPI ପେମେଣ୍ଟ ଉପରେ PPI ଚାର୍ଜ ଲାଗିବା ଖବର ପେମେଣ୍ଟ କମ୍ପାନୀଙ୍କ ପାଇଁ ଆଣିଛି ଆଶ୍ୱସ୍ତି ।

ସାଂସଦ ପଦ ଫେରିପାଇଲେ ମହମ୍ମଦ ଫୈଜଲ, କିନ୍ତୁ ରାହୁଲ…

ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଏନସିପି ସାଂସଦ ମହମ୍ମଦ ଫୈଜଲ ଫେରିପାଇଲେ ଲୋକସଭା ସଦସ୍ୟତା। କେରଳ ହାଇକୋର୍ଟ ତାଙ୍କ ବିରୋଧରେ ଲାଗିଥିବା ଆରୋପ ଖାରଜ କରିବା ପରେ ସଦସ୍ୟତା ପୁନର୍ବାହାଲ କରିବାକୁ ସେ ଆବେଦନ କରିଥିଲେ । ଏନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାପରେ ତାଙ୍କ ଲୋକସଭା ସଦସ୍ୟତାକୁ ପୁନର୍ବାହାଲ କରଯାଇଛି । ଏ ନେଇ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରିକରିଛି । ଏହାସହ ଉପନିର୍ବାଚନ ଘୋଷଣାକୁ ମଧ୍ୟ ରଦ୍ଦ କରାଯାଇଛି । ଏହାକୁ ଉଦାହରଣ ଭାବେ ଦର୍ଶାଇ ଆଇନଗତ ଲଢ଼େଇ ଲଢିପାରନ୍ତି ରାହୁଲ ଗାନ୍ଧୀ।

ଆରୋପ ଖାରଜ ସହ ଲୋକସଭା ସଦସ୍ୟତା ପୁନର୍ବାହାଲ ପାଇଁ ଉଦ୍ୟମ କରିବ ରାହୁଲଙ୍କ ଲିଗାଲ୍ ଟିମ୍। ରାହୁଲ ଗାନ୍ଧୀ ଓ୍ବାଏନାଡରୁ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ। ଲୋକସଭା ସଦସ୍ୟତା ଯିବା ପରଠୁ ଓ୍ବାଏନାଡ୍ ଆସନ ଖାଲି ରହିଛି। ତେବେ ଲାକ୍ଷାଦ୍ବୀପ ସାଂସଦ ମହମ୍ମଦ ଫୈଜଲ ପୁଣି ସଦସ୍ୟତା ଫେରି ପାଇଥିବାରୁ ଏହି ଆଧାରରେ ରାହୁଲ ବି ସଂସଦ ପଦ ଫେରି ପାଇବା ନେଇ ଆଶା ବଢିଛି। ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ।

ରାୟକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟ ଯାଇଥିଲେ ଫୈଜଲ। ତେବେ ଜାନୁଆରୀ ୧୩ରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ୧୮ଜାନୁଆରୀରେ ଲାକ୍ଷାଦ୍ବୀପରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଫୈଜଲ । କେରଳ ହାଇକୋର୍ଟ ତାଙ୍କ ଆରୋପ ଖାରଜ ପରେ ଜାନୁଆରୀ ୨୭ରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ନିର୍ବାଚନ କମିଶନ। ଗତକାଲି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ତାଙ୍କ ଲୋକସଭା ସଦସ୍ୟତା ପୁନର୍ବାହାଲ କରାଯାଇଛି ।

ଫରେଷ୍ଟ ଗାର୍ଡ୍ ପରୀକ୍ଷାରେ କଇଁଛ-ଠେକୁଆ କାହାଣୀ, ସଭା ଆଗରେ ଥିବା ପରୀକ୍ଷାର୍ଥୀ ଆରମ କରୁକରୁ ଶୋଇ ପଡ଼ିଲେ

ଭୋପାଳ: ପରୀକ୍ଷା ଦେବାକୁ ଆସିଥିଲେ ହେଲେ ଆରାମ କରୁ କରୁ ଶୋଇପଡିଲେ ପରୀକ୍ଷାର୍ଥୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଫରେଷ୍ଟ ଗାର୍ଡ ପରୀକ୍ଷାରେ । ଫିଜିକାଲ୍ ଟେଷ୍ଟ ଚାଲିଥିବା ବେଳେ ସମ୍ପୃକ୍ତ ପରୀକ୍ଷାର୍ଥୀ ସବୁଠୁ ଆଗରେ ଥିବା ସତ୍ୱେ ଫେଲ୍ ହୋଇଗଲେ । ପରୀକ୍ଷାର୍ଥୀ ଜଣକ ଟିକେ ଆରାମ କରିବା ପାଇଁ ରାସ୍ତାକଡ଼ରେ ବସିଯାଇଥିଲେ । ପରେପରେ ସେଠି ହିଁ ଶୋଇପଡିଥିଲେ ଆଉ ଆଖି ଖୋଲିଲା ବେଳକୁ ସବୁ କିଛଇ ଓଲଟପାଲଟ ହୋଇଯାଇଥିଲା । ପଛରେ ଥିବା ପରୀକ୍ଷାର୍ଥୀ ମାନେ ଟେଷ୍ଟରେ ଜିତିସାରିଛନ୍ତି । ଘଟଣା ସମ୍ପର୍କରେ ଜାଣି ସେ ପଶ୍ଚାତାପ କରୁଥିବା ବେଳେ ଲୋକମାନେ କଇଁଛ-ଠେକୁଆର କାହାଣୀକୁ ମନେ ପକାଇଛନ୍ତି ।

ରିପୋର୍ଟ ଅନୁସାରେ ଗୋୱାଲିୟରର ୨୧ ବର୍ଷୀୟ ଯୁବକ ପହାଡ ସିଂ ୨୮ ମାର୍ଚ୍ଚରେ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବାକୁ ଆସିଥିଲା । ପରୀକ୍ଷାରେ ମୋଟ୍ ୬୧ ଜଣ ପରୀକ୍ଷାର୍ଥୀ ଥିଲେ । ଯେଉଁଥିରେ ୯ ଝିଅ ଓ ୫୨ ପୁଅ ଥିଲେ ।

ତେବେ ପରୀକ୍ଷାରେ ସମସ୍ତଙ୍କୁ ୪ ଘଣ୍ଟା ମଧ୍ୟରେ ୨୪ କିମି. ଚାଲିବାକୁ ଥିଲା । ସକାଳ ୬ଟାରୁ ଖଣ୍ଡୱାର ହରସୁଦ୍ ରୁ ବାହାରୁଥିବା ଏହି ପଦଯାତ୍ରା ଦିନ ୧୦ଟା ବେଳକୁ ପୁଣି ସ୍ଥାନରେ ସରିବାର ଥିଲା ।  ଏହି ଟେଷ୍ଟରେ ପହାଡ ସିଂହ ସମସ୍ତଙ୍କୁ ପଛରେ ପକାଇ ଆଗରେ ଥିବା ବେଳେ ଲାଷ୍ଟ ଚେକ୍ ପଏଣ୍ଟରେ ତା’ର ଦେଖାନଥିଲା । ପହାଡ ସିଂହଙ୍କ ପତ୍ତା ନମିଳିବାରୁ ତାଙ୍କୁ ଖୋଜିବା ପାଇଁ ଫରେଷ୍ଟ ଅଧିକାରୀ ମାନେ ବାହାରି ପଡିଲେ । ଲାଷ୍ଟ ପଏଣ୍ଟ ଠାରୁ ଅନତି ଦୂରରେ ଥିବା ଏକ ଗଛ ମୂଳେ ସେ ଶୋଇଥିବା ନଜର ଆସିଥିଲା । ଟିମ୍ ସଦସ୍ୟ ତାକୁ ଉଠାଇବା ପରେ ସେ ଉଠିଥିଲା । ହେଲେ ସେତେବେଳକୁ ସବୁ ସାରିଯାଇଥିଲା । ଏମିତିକି ସେ ସିଲେକ୍ଟ ମଧ୍ୟ ହୋଇପାରିନଥିଲା ।

ଏନେଇ ସେ ପଶ୍ଚାତାପ କରିବା ସହ କହିଛି, ପାଦରେ ଫୋଟକା ହୋଇଯାଇଥିଲା, ଟିକା ଥକା ମେଣ୍ଟାଇବା ପାଇଁ ବସିପଡିଥିଲା । ହେଲେ କେତେବେଳେ ଆଖି ଲାଗିଗଲା ଜାଣିପାରିଲି ନାହିଁ । ଏହି ଚାକିରୀ ପାଇଁ ବର୍ଷବର୍ଷ ଧରି ପରିଶ୍ରମ କରିଥିଲି କିନ୍ତୁ ସାମାନ୍ୟ ଭୁଲ୍ ପାଇଁ ସରକାରୀ ଚାକିରୀ ହାତରୁ ପଳାଇଲା ।

ମୃତ୍ୟୁକୁ ଠିକ୍ ୨ ମାସ, ଘୋଷଣା ହେଲା ଉପ-ନିର୍ବାଚନ ତାରିଖ

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୨୯  । ସେଦିନ ଥିଲା ନବ ଦାସଙ୍କ ପାଇଁ କାଳ ସମୟ  । ଲୋକଙ୍କ ସହ ମିଶୁଥିଲେ ଲୋକଙ୍କ ନେତା  । କିନ୍ତୁ ନିଜ ରକ୍ଷାକାରୀ ସାଜିଲା ହତ୍ୟାକାରୀ  । ଆଉ ଆଜି ସମାନ ତାରିଖ  । ମୃତ୍ୟୁକୁ ବିତିଛି ଠିକ ୨ ମାସ  । ଆଜିର ଦିନରେ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି  ଉପ-ନିର୍ବାଚନ ତାରିଖ  । ମେ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡିବ ଭୋଟ୍  । ମେ ୧୩ରେ ହେହ ଭୋଟ ଗଣତି  । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର  ।

ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ନବଦାସଙ୍କ ଝିଅ ଦିପାଳୀ ଦାସ  । ସେ କହିଛନ୍ତି, ଆଜି ଦିନ ଆମ ପରିବାର ପାଇଁ ସ୍ୱତନ୍ତ୍ର  । ଆଜିର ଦିନରେ ଆଖି ବୁଜିଥିଲେ ପିତା  । ଆଉ ଆଜିର ଦିନରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇଛି  । ଝାରସୁଗୁଡା ପାଇଁ ସ୍ୱର୍ଗତ ନବ ଦାସଙ୍କ ଅବଦାନ ଥିଲା ଅତୁଳନୀୟ  । ଝାରସୁଗୁଡାବାସୀଙ୍କ ପାଇଁ ଅହରହ ସ୍ୱପ୍ନ ଦେଖୁଥିଲେ, ସାଥିରେ ଥିଲେ  । ତେଣୁ ଆଗାମୀ ଦିନରେ ଯିଏ ବି ଝାରସୁଗୁଡା ପାଇଁ ବିଜୁ ଜନତା ଦଳ ରତଫରୁ ପ୍ରାର୍ଥୀ ହେବ, ସେ କାମ କରିବ  ।

ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନିଷ୍ପତ୍ତି ନେବେ  । ଆମେ ଲୋକଙ୍କ ସହ ଅଛୁ, ଲୋକଙ୍କ ପାଇଁ କାମ କରିବୁ  । ଯାହାକୁ ଦଳ ବିଚାର କରିବୁ ସେ ବିଜୟୀ ହେବା ନିଶ୍ଚିତ  । ଝାରସୁଗୁଡାବାସୀଙ୍କ ଭଲପାଇବା, ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ତାଙ୍କ ପରିବାର ଉପରେ ଥିବା କହିଛନ୍ତି ଦିପାଳୀ ଦାସ  । ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ନିର୍ବାଚନ ମଣ୍ଡଳୀ  । ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍କଣ୍ଠା  ।