spot_img
Home Blog Page 3477

ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ନେଇ ବୈଠକ, ସହଯୋଗ ପାଇଁ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ-୨୦୨୩ ଆୟୋଜନ ପାଇଁ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଆସନ୍ତା ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ଉପରେ ଏକ ପ୍ରାକ୍ ଉପସ୍ଥାପନା ପ୍ରଦାନ କରିଥିଲେ ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୁପକ୍ଷ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ ସ୍କିଲ୍ଡ ଇନ୍ ଓଡ଼ିଶାର ମିଶନ୍, ଭିଜନ୍ ଏବଂ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖି ସ୍କିଲ୍ ଇକୋସିଷ୍ଟମର ପ୍ରତ୍ୟେକଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ପାଇଁ କ୍ୟାରିୟର ପରାମର୍ଶ, ସରକାରୀ ତଥା ପଲିଟେକ୍ନିକରେ ଶିକ୍ଷାର ଗୁଣବତ୍ତା ପରିବର୍ତ୍ତନ, ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ କରି ସେମାନଙ୍କୁ ରୋଲ୍‌ ମଡେଲ୍‌ ରୂପେ ପ୍ରସ୍ତୁତ କରିବା, କୃଷି କ୍ଷେତ୍ରରେ ଦକ୍ଷତା ବିକାଶ, ମିଶନ୍‌ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀ ଦକ୍ଷତାରେ ସଶକ୍ତ କରିବା, ଓଡ଼ିଶା ସ୍କିଲ କନକ୍ଲେଭକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ି ତୋଳିବାକୁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଥିଲେ । ରାଜ୍ୟର ୬ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ସରକାରଙ୍କ ଉଦ୍ଦେଶ୍ୟ । ସେମାନଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରି ପ୍ରତିଯୋଗିତାରେ ଭାଗନେବା ପାଇଁ ସକ୍ଷମ କରିବା, ସମସ୍ତ କ୍ଷେତ୍ର ଏବଂ ସ୍ରୋତ ମଧ୍ୟରେ ସ୍ୱଳ୍ପମିଆଦି ପାଠ୍ୟକ୍ରମର ପ୍ରଚଳନ, ଉଚ୍ଚମାନର ନିଯୁକ୍ତିଦାତାଙ୍କ ସହ ସହଯୋଗ କରିବା ଏବଂ ପାରମ୍ପରିକ ଦକ୍ଷତାକୁ ଅତିକ୍ରମ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ଦିଗରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦୃଢ଼ ଆଶାବାଦୀ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅଧ୍ୟକ୍ଷତା କରିବା ସହ କହିଥିଲେ କି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ । ସ୍କିଲ୍‌ ଇନ୍‌ ଓଡ଼ିଶା ମିଶନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିଶନ ଭାବେ ବିକଶିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ । ଏକ ବିଶାଳ ଓଡିଶା ସ୍କିଲ୍‌ କନ୍‌କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ ।

ରାଜ୍ୟରେ ଚାଲିଛି ବାର୍ ଆସୋସିଏସନ ନିର୍ବାଚନ, ଆଜି ଘୋଷଣା ହେବ ନିର୍ବାଚିତ କର୍ମକର୍ତ୍ତାଙ୍କ ନାଁ

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ମୋଟ ୧୫୩ଟି ବାର୍ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେଉଛି । ୱାନ ବାର୍ ୱାନ ଭୋଟ ନିୟମ ଅନୁଯାୟୀ ଏହି ନିର୍ବାଚନ ପରିଚାଳନା କରାଯାଉଛି । ରାଜ୍ୟବ୍ୟାପୀ ମୋଟ ୩୩ ହଜାର ୪୩୪ ଜଣ ଆଇନଜୀବୀ ନିଜ ନିଜ ବାର ଆସୋସିଏସନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ । ଆଜି ସକାଳ ୮ଟାଠାରୁ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି । ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଗଣତି ଶେଷ ପରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ଆସନ୍ତା ଏପ୍ରିଲ ୧୫ ତାରିଖରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଓକିଲଙ୍କ ନିର୍ବାଚନ ପାଇଁ ଯୋଗ୍ୟ ଭୋଟରଙ୍କ ତାଲିକା ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି ।

ପୁଣି ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ

ଚାନ୍ଦବାଲି: ପୁଣି ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ । ଚାନ୍ଦବାଲି ବ୍ଲକ୍‌ ଆରଡ଼ି ଶୀତଳପୁର ଗାଁ ନିକଟରେ ୧୦୦ ଫୁଟର ସୁରକ୍ଷାବନ୍ଧ ଧସିଛି । ଫଳରେ ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଜୁଆର ପାଣି । ଭୟରେ ଜୀବନ ବିତାଉଛନ୍ତି ୨୦ ପରିବାର । ୫ଟି ଘର ସହ ଗୁହାଳ ଘର ନଦୀକୁ ଢଳି ପଡ଼ିଛି । କୋଟି କୋଟି ଟଙ୍କା କାର୍ଯ୍ଯର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

ଗତ କିଛିମାସ ହେବ ଶୀତଳପୁର ଗାଁକୁ ସୁରକ୍ଷା ଦେବା ପାଇଁ ସାଳନ୍ଦୀ ନଦୀ ବନ୍ଧର ସ୍ଥାୟୀ ମରାମତି କାର୍ଯ୍ଯ ଚାଲିଥିଲେ ମଧ୍ଯ ବାରମ୍ବାର ନଦୀଗର୍ଭକୁ ଧସିବାରେ ଲାଗିଛି। ଫଳରେ ନଦୀକୂଳରେ ବସବାସ କରୁଥିବା ୨୦ ପରିବାର ଭୟରେ ଜୀବନଯାପନ କରୁଛନ୍ତି । କୁମ୍ଭୀର ଭୟ ମଧ୍ୟ ଲୋକଙ୍କ ନିଦ ହଜେଇ ଦେଇଛି ।

ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପରେ ବିଜେପି ବିରୋଧରେ ରଣହୁଙ୍କାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ବିଜେପି ବିରୋଧରେ କଂଗ୍ରେସର ରଣହୁଙ୍କାର । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ଦେଶରେ ଗଣତନ୍ତ୍ର ବଞ୍ଚାଅ ଅଭିଯାନ କରାଯିବ । ଗତକାଲି ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଥିଲେ । ଗୁରୁବାର ସୁରଟ କୋର୍ଟ ତାଙ୍କୁ ମାନହାନୀ ମାମଲାରେ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କଂଗ୍ରେସ ଏହାକୁ ଗଣତନ୍ତ୍ର ହତ୍ୟା କହି କେନ୍ଦ୍ର ଓ ବିଜେପି ଉପରେ ବର୍ଷିଛି । ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଗତକାଲି ସନ୍ଧ୍ୟାରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି ଚିଦାମ୍ବରମଙ୍କ ସମେତ ବରିଷ୍ଠ ନେତା ଓ ସାଂସଦମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ କଂଗ୍ରେସ ସମଗ୍ର ଦେଶରେ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ନେଇ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା କରିଛୁ । ଆଇନଗତ ରଣନୀତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଆଗାମୀ ଦିନରେ ପୂରା ଦେଶରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ବିରୋଧୀ କଂଗ୍ରେସକୁ ସମର୍ଥନ କରିଥିବାରୁ ଏହାକୁ ଦଳ ସ୍ୱାଗତ କରିଛି । ରାହୁଲ ଗାନ୍ଧୀଙ୍କୁ ସମସ୍ତ କଂଗ୍ରେସ ସାଂସଦ ଓ ବିଧାୟକଙ୍କ ସମେତ ଆଞ୍ଚଳିକ ଦଳର ନେତାମାନେ ସମର୍ଥନ କରିଛନ୍ତି । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେ, ଏମକେ ଷ୍ଟାଲିନ, କେସିଆର ଓ ଅଖିଳେଶ ଯାଦବଙ୍କ ଭଳି ନେତାମାନେ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି । ବିଜେପି ସରକାର ଏକଛତ୍ରବାଦୀ ଶାସନ ଚଳାଇଥିବା ସେମାନେ କହିଛନ୍ତି ।

ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃ୍ତ୍ୟୁ

ଗଞ୍ଜାମ: ଇଣ୍ଟରଭ୍ୟୁ ବେଳେ ଚାଲିଗଲା ଜୀବନ । ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃ୍ତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ । ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଶ୍ୟାମସୁନ୍ଦର ଦାସ ଚାଲିଥିବା ଇଣ୍ଟରଭ୍ୟୁରେ ୧୬୦୦ ମିଟର ଦୌଡିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇଛି । ଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଣି ଅଶାନ୍ତ ସିରିୟା, ଆମେରିକାର ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ପୁଣି ଅଶାନ୍ତ ସିରିୟା । ସିରିୟାରେ ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆମେରିକା ପକ୍ଷରୁ ସିରିୟାରେ ରହିଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଛି । ଷ୍ଟ୍ରାଇକ ପୂର୍ବରୁ ଇରାନ ସମର୍ଥିତ ଗ୍ରୁପ ଆମେରିକା କ୍ୟାମ୍ପ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏଥିରେ ଜଣେ ଆମେରିକା କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ଓ ଆଉ ଜଣେ କଣ୍ଟ୍ରାକ୍ଟର ଆହତ ହୋଇଥିଲେ । ଆକ୍ରମଣର କିଛି ଘଣ୍ଟା ପରେ ହିଁ ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି ।

ଆକ୍ରମଣ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ପୂର୍ବ ସିରିୟାର ହାସାକାହ ନିକଟରେ ଥିବା ଆମେରିକା ବେସ୍‌ କ୍ୟାମ୍ପ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ଇରାନରେ ନିର୍ମିତ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା ।

ଆସୁଛି ଆଉ ଏକ ପଶ୍ଚିମାଝଡ଼, ଆଗାମୀ ୪ ଦିନ ଯାଏ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠୁ ଓଡ଼ିଶାରେ ପଶ୍ଚିମାଝଡ଼ର ପ୍ରଭାବ ଦେଖିବାକୁ ମିଳିବ । କାଲି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡ଼ିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀ ସମେତ ପାର୍ଶ୍ବବର୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

ତେବେ ୨୭ ତାରିଖରୁ ବଢ଼ିବ ବର୍ଷାର ବିସ୍ତୃତି ଓ ପରିମାଣ । ୨୭ରେ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ସଲଗ୍ନ ଜିଲ୍ଲା ଗୁଡ଼ିକର ମଧ୍ୟ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପୂର୍ବର ପଶ୍ଚିମାଝଡ଼ ଅପେକ୍ଷା ଏହାର ପ୍ରଭାବ କମ୍ ରହିବ । ଏପଟେ ଟ୍ରପଲାଇନ ପ୍ରଭାବରେ ଉପକୂଳ ଓଡ଼ିଶାରେ କାଳବୈଶାଖି ବର୍ଷା ଜାରି ରହିଛି । ଟୁଇନ ସିଟିରେ ଆକାଶ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

 

ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ହେବ ନିବେଶକ ସମ୍ମିଳନୀ, ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି ଗତିଶୀଳ ହେବ ଶିଳ୍ପାୟନ । ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜାପାନରୁ ଆସିବ ପୁଞ୍ଜି । ନିବେଶକ ସମ୍ମିଳନୀରେ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ଦୁବାଇ ଆଦିରେ ହୋଇଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ତେଣୁ ଜାପାନ ସମ୍ମିଳନୀରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଡିସେମ୍ବରରେ ଭୁବନେଶ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀର ମୁଖ୍ୟ ଓ ନିବେଶକ ଯୋଗଦେଇଥିଲେ । କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାଣିଜ୍ୟିକ ସମ୍ପର୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପର୍ଯ୍ୟଟନ, ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଜାପାନ ପୁଞ୍ଜିନିବେଶ କରିବା ସମ୍ଭାବନା ରହିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି । ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ ନିବେଶ ପାଇଁ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ନିବେଶ ପାଇଁ ମେକ୍ ଇନ୍ ଓଡ଼ିଶା ପ୍ରମୁଖ ମାଧ୍ୟମ ।

ଦେଶରୁ ଯାଇନି କରୋନା, ଏବେ ବି ସକ୍ରିୟ ଓମିକ୍ରନ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶରୁ ନାଶ ପାଇନି କରୋନା । ଏବେ ବି ସକ୍ରିୟ ରହିଛି ଓମିକ୍ରନ୍ ଭାରିଆଣ୍ଟ । ଟେଷ୍ଟିଂ ବୃଦ୍ଧି ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଫେବ୍ରୁଆରୀ ମାସରେ ପଜିଟିଭ ହାର ୦.୦୯ ପ୍ରତିଶତ ଥିବାବେଳେ ଚଳିତ ମାସରେ ଏହା ଏକ ପ୍ରତିଶତକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଦିଲ୍ଲୀ, ରାଜସ୍ଥାନ ଆଦି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ହଠାତ୍ କରୋନା ଗ୍ରାଫ ବୃଦ୍ଧିକୁ ନେଇ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ ।

ଆସନ୍ତା ସୋମବାର ଏନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ବିଭିନ୍ନ ରାଜ୍ୟରେ କରୋନାର ସ୍ଥିତି ଓ ମୁକାବିଲା ପ୍ଲାନକୁ ନେଇ ଆଲୋଚନା ହେବ । ଏପଟେ ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଭିକାରୀ ମୁକ୍ତ ହେବ ଭୁବନେଶ୍ବର, ରାଜ୍ୟ ସରକାର ଓ ପତିତ ଉଦ୍ଧାର ସମିତି ପକ୍ଷରୁ ପ୍ରୟାସ

ଭୁବନେଶ୍ୱର: ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ବର । ଏନେଇ ରାଜ୍ୟ ସରକାର ଓ ଓଡ଼ିଶା ପତିତ ଉଦ୍ଧାର ସମିତି ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଭରତପୁର ରାସ୍ତା କଡ଼ରୁ ୪ ଜଣ ମାନସିକ ବିକାରଗ୍ରସ୍ତ ଓ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ଉଦ୍ଧାର କରି ସେଲଟର ହୋମକୁ ପଠାଯାଇଛି । ଓଡ଼ିଶା ପତିତ ଉଦ୍ଧାର ସମିତିର ଏକାମ୍ର ନିଳୟରେ ବର୍ତ୍ତମାନ ୧୦୦ରୁ ଉର୍ଦ୍ଧ୍ବ ଭିକାରୀ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ରହିବା ଖାଇବା ଯୋଗାଇବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ସେମାନେ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ଏନେଇ ଟ୍ରେନିଂ ମଧ୍ୟ ଦିଆଯାଉଛି । ଫିନାଇଲ ପ୍ରସ୍ତୁତି, ପାପଛ, କପଡ଼ାରେ ତିଆରି ସାମଗ୍ରୀ ଆଦି ପ୍ରସ୍ତୁତ କରି ସେମାନଙ୍କ ସାମଗ୍ରୀ ବଜାର ବିକ୍ରି କରାଯାଇ ପ୍ରଦାନ କରାଯାଉଛି । ସେଲଟର ହୋମରେ ପୂର୍ବରୁ ଅନେକ ଭିକାରୀ ଓ ମାନସିକ ବିକାରଗ୍ରସ୍ତଙ୍କୁ ସୁସ୍ଥ କରିବା ସହ ତାଲିମ ଦେଇ ଘରେ ପହଞ୍ଚାଇଛି ସମିତି ।