spot_img
Home Blog Page 3561

ବୋରୱେଲକୁ ଖସିପଡ଼ିଲା ୬ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ହାପୁଡ: ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାରେ ୬ ବର୍ଷର ଶିଶୁ ୪୦ ଫୁଟ ଗଭୀର ବୋରୱେଲକୁ ଖସିପଡ଼ିଛି । ଖେଳିବା ସମୟରେ ବୋରୱେଲକୁ ଖସିପଡ଼ିଥିବା ସୂଚନା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପୋଲିସ ଏବଂ ଏନଡିଆରଏଫ ଟିମ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ବୋରୱେଲ ଭିତରୁ ଶିଶୁଟିର କାନ୍ଦିବାର ସ୍ୱର ଶୁଣାଯାଉଛି । ଶିଶୁକୁ ପାଇପ ଜରିଆରେ ଅକ୍ସିଜେନ ଏବଂ କ୍ଷୀର ପହଞ୍ଚାଯାଉଛି । ଘଟଣାଟି ହାପୁଡର କୋଟଲା ସାଦାତର ମୋହଲ୍ଲା ଫୁଲ ଗଢିରେ ଘଟିଛି । ମୋହସିନ ନାମକ ବ୍ୟକ୍ତିର ୬ ବର୍ଷୀୟ ଶିଶୁ ମାଭିୟା ମଙ୍ଗଳବାର ଘର ବାହାରେ ଖେଳୁଥିଲା ।

ଏହି ସମୟରେ ମଧ୍ୟାହ୍ନ ପ୍ରାୟ ୧୨ ଟା ୧୫ ସମୟରେ ଖେଳୁ ଖେଳୁ ନଳକୂପ ପାଖକୁ ଚାଲି ଯାଇଥିଲା ଏବଂ ଖୋଲା ପଡ଼ିଥିବା ବୋରୱେଲକୁ ଖସିପଡ଼ିଥିଲା । ଏହାପରେ ପରିବାର ଲୋକେ ବୋରୱେଲକୁ ଶିଶୁଟି ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଶିଶୁଟିର କାନ୍ଦ ବୋରୱେଲ ବାହାରକୁ ଶୁଣାଯାଉଛି । ଶିଶୁଟି ଅନ୍ଧାରକୁ ଡରି ଅଚେତ ନହୋଇଯାଉ ଏବଂ ଉଦ୍ଧାର କାର୍ଯ୍ୟରେ ସହଜ ହେଉ ସେଥିପାଇଁ ବୋରୱେଲ ଭିତରେ ଆଲୋକର ବ୍ୟବସ୍ଥା କରାଯାଇଛି । ବୋରୱେଲ ଭିତରକୁ କ୍ୟାମେରା ପଠାଯାଇ ପିଲାର ମୁଭମେଣ୍ଟକୁ ମନିଟର କରାଯାଉଛି ।

ସାବତ ଝିଅକୁ ମା’ ମାରି ପୋଡିଦେବା ଘଟଣା, ଅଭିଯୁକ୍ତ ବାପାର ହେବ ଡିଏନଏ ଟେଷ୍ଟ

ପୁରୀ: ପୁରୀ ଜିଲ୍ଲା ଗୋପ ଥାନା ବିଜିପୁର ଗାଁରେ ସାବତ ଝିଅକୁ ମା’ ମାରି ପୋଡିଦେବା ଘଟଣା । ଅଭିଯୁକ୍ତ ବାପାର ଡିଏନଏ ସାମ୍ପୁଲ ସଂଗ୍ରହ ପାଇଁ ପୁରୀ ପଠାଇଲା ଗୋପ ପୁଲିସ । ସେପଟେ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ପାଇଁ ମୃତ ମୋନାଲିଙ୍କ ବଡ ଭଉଣୀ ରଂଜିତା ଦାବି କରିଛନ୍ତି । ସାବତ ମା’ ନିଜ ବାପା ଓ ମାମୁ ଭଉଣୀ ମୋନାଲିକୁ ମାରି ପୋଡି ଦେଇଥିବା ବଡ଼ଝିଅ ରଂଜିତା ଗୋପ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶ୍ମଶାସନକୁ ଯାଇ ପାଉଁଶ ଓ ଅସ୍ଥି ଜବତ କରି ତଦନ୍ତ କରିଥିଲା ।

ବାପା ଦୁର୍ଗାଚରଣ ମହାରଣାକୁ ଗୋପ ପୁଲିସ କାଲିଠୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ଆଜି ତାର ଡିଏନଏ ଟେଷ୍ଟ ପାଇଁ ପୁରୀ ଚିକିତ୍ସାଳୟକୁ ପଠାଇଛି । ଅଭିଯୋଗ ଅନୁସାରେ ଦୁର୍ଗାଚରଣ ମହାରଣାଙ୍କଙ୍କ ପ୍ରଥମ ସ୍ତ୍ରୀଙ୍କର ୨୦୧୮ରେ ମୃତ୍ୟୁ ହୋଇଥିଲା । ବଡ଼ ଭଉଣୀ ରଶ୍ମିତା କୋଲକାତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବାବେଳେ ସାନ ଭଉଣୀ ମୋନାଲି ଗୋପ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟକରୁଥିଲେ ।

୨୦୨୦ ମସିହାରେ ବାପା ଦୁର୍ଗାଚରଣ ଦ୍ବିତୀୟ ବିବାହ କରିଥିଲେ । ଏହାପରେ ସାବତ ମାଆ ସବୁବେଳେ ମୋନାଲିଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଗତ ୭ ତାରିଖ ରାତିରେ ମୋନାଲିଙ୍କୁ ତାଙ୍କ ସାବତ ମା ମମତା ଓଝା ଓ ସାବତ ମାଙ୍କ ଭାଇ ହତ୍ୟା କରି ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବଡ଼ ଭଉଣୀଙ୍କୁ ଗାଁ ଲୋକ ଖବର ଦେବାପରେ ଥାନାରେ ଅଭିଯୋଗ କରିଥିଲେ ରଶ୍ମିତା ।

ନିର୍ମାଣଧୀନ ପାଚେରି ଭଙ୍ଗା ଘଟଣାରେ ଦେବଗଡ଼ ବିଜେପି ବିଧାୟକଙ୍କ ୩ ସହଯୋଗୀ ଗିରଫ

ଦେବଗଡ଼: ଗିରଫ ହେଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ୩ ସହଯୋଗୀ । ମିଶନ ଶକ୍ତି ଏସଏଚଜିଙ୍କ ନିର୍ମାଣାଧୀନ ପାଚେରି ଭଙ୍ଗା ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଭାଙ୍ଗୁଥିବା ବେଳର ଭିଡିଓ ଫୁଟେଜ ଆଧାରରେ ଗିରଫ କରିଛି ଦେବଗଡ଼ ଥାନା ପୋଲିସ । 120-B, 427, 506 ଆଇପିସି ଓ 3 ପିଡିପିପି ଆକ୍ଟରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

ଗିରଫ ୩ ଅଭିଯୁକ୍ତ ହେଲେ ରାଜକୁମାର ମୁଣ୍ଡା, ବଳିଆ ପାତ୍ର ଓ ସୁମନ୍ତ ଭୋଜ । ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଘଟଣାକୁ ଦୃଢ଼ ନିନ୍ଦା କରିଛି ଦେବଗଡ଼ ଜିଲ୍ଲା ବିଜେଡି । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ଏସଏଚଜି ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କାଙ୍ଗାଳ ହେବାରେ ଲାଗିଛନ୍ତି ଏଲନ ମସ୍କ, ସମ୍ପତ୍ତି ହ୍ରାସର ଗିନିଜ୍ ବିଶ୍ୱ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: କିଛି ଦିନ ତଳେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଯାଉଥିବା ଏଲନ ମସ୍କ ଏବେ କାଙ୍ଗାଳ ହେବାରେ ଲାଗିଛନ୍ତି । ଟେସ୍ଲା ଏବଂ ସ୍ପେଶ ଏକ୍ସର ସିଇଓ ଏଲନ ମସ୍କଙ୍କୁ ରେକର୍ଡ କ୍ଷତି ପହଞ୍ଚିଛି । ସମ୍ପତ୍ତି ହ୍ରାସ ପାଇବାର ନୂଆ ଗିନିଜ୍ ବିଶ୍ୱ ରେକର୍ଡ ମଧ୍ୟ ହୋଇଛି । ରିପୋର୍ଟ ମୁତାବିକ ନଭେମ୍ବର ୨୦୨୧ରୁ ଏପର୍ଯ୍ୟନ୍ତ ମସ୍କଙ୍କୁ ପ୍ରାୟ ୧୮୦ ବିଲିୟନ ଡଲାର (ପ୍ରାୟ ୧୪,୭୫୦ କୋଟି ଟଙ୍କା)ର କ୍ଷତି ପହଞ୍ଚିଛି । ଗିନିଜ ବିଶ୍ୱ ରେକର୍ଡ ଅନୁସାରେ, ସମ୍ପତ୍ତିର ଏହା ଏକ ଅନୁମାନିକ ସଂଖ୍ୟା ଅଟେ ।

ମସ୍କଙ୍କ ମୋଟ ହ୍ରାସ ୫୮.୬ ବିଲିୟନ ଡଲାରର ଗତ ରେକର୍ଡକୁ ଟପି ଯାଇଛି, ଯାହା ୨୦୦୦ରେ ଜାପାନୀଜ ଟେକନିକ୍ ନିବେଶକ ମାସାୟୋଶୀ ସୋନ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି । ଫୋବର୍ସ ପତ୍ରିକା ଅନୁସାରେ ଟେସ୍ଲାର ସେୟାରର ଖରାପ ପ୍ରଦର୍ଶନ କାରଣରୁ ମସ୍କଲଙ୍କ ମୋଟ ସମ୍ପତ୍ତି ୨୦୨୧ରେ ୩୨୦ ବିଲିୟନ ଡଲାର ଶୀର୍ଷରୁ ହ୍ରାସ ପାଇ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ୧୩୮ ବିଲିୟନ ଡଲାରରେ ପହଞ୍ଚିଛି । ଏହା ବ୍ୟତୀତ ମସ୍କ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମଧ୍ୟ ଆଉ ନାହାନ୍ତି ।

ଏବେ ମସ୍କଙ୍କ ସ୍ଥାନରେ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ (ଫ୍ରାନ୍ସ) ବିଶ୍ୱର ନମ୍ବର ୱାନ୍ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ଅବଶ୍ୟ ମସ୍କ ଇତିହାସରେ କୌଣସି ବି ବ୍ୟକ୍ତିଙ୍କଠାରୁ ଅଧିକ ପଇସା ହରାଇଛନ୍ତି, କିନ୍ତୁ ଏବେ ବି ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ସୂଚୀରେ ରହିଛନ୍ତି । ଟ୍ୱିଟରକୁ ନିଜ ଅକ୍ତିଆରକୁ ଆଣିବା ପରେ ମସ୍କ ବିବାଦରେ ରହିଆସିଛନ୍ତି । ଟ୍ୱିଟରର ମାଲିକାନା ନିଜ ପାଖରେ ରଖିବା ପାଇଁ ସେ ଅନେକ କ୍ଷତି ସହିଛନ୍ତି । ଏମିତିକି ଏବେ ଟ୍ୱିଟରକୁ ବଞ୍ଚାଇବାକୁ ଯାଇ ଟେସ୍ଲାର କିଛି ସେୟାର ବିକିବା ନେଇ ଚର୍ଚ୍ଚା ହେଉଛି । 

ଆଫଗାନିସ୍ତାନରେ ପୁଣି ସ୍କୁଲ ଯିବେ ଛାତ୍ରୀ

ତାଲିବାନ : ତାଲିବାନରେ ଝିଅଙ୍କୁ ପାଠ ପଢ଼ିବାକୁ ଅନୁମତି । ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛି ତାଲିବାନ ଶିକ୍ଷା ବିଭାଗ । ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ଶିକ୍ଷା ମନ୍ତ୍ରାଳୟ ନୋଟିସ ଜାରି କରିଛି ।

ଛାତ୍ରୀଙ୍କ ପାଠପଢ଼ା ବ୍ୟାନକୁ ନେଇ ତାଲିବାନକୁ ବିଭିନ୍ନ ଆଡୁ ସମାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପୂର୍ବରୁ ମହିଳାଙ୍କ ଶିକ୍ଷାକୁ ନେଇ ତାଲିବାନ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର କିଛି ମାସ ପରେ ମହିଳାଙ୍କ ଶିକ୍ଷା ବନ୍ଦ ପାଇଁ ତାଲିବାନ ସରକାର ନୋଟିସ ଜାରି କରିଥିଲେ । ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଏ ନେଇ ଚିଠି ଲେଖାଯାଇଥିଲା ।

ତେବେ G-7 ଗ୍ରୁପ ଓ ୟୁରୋପିଆନ ୟୁନିଅନ ଏହାକୁ ମାନବିକତାର ହତ୍ୟା କହି ତାଲିବାନକୁ ସମାଲୋଚନା କରିଥିଲେ । ଏହାଛଡ଼ା ତୁର୍କୀ, କତାର, ପାକିସ୍ତାନ ଭଳି ମୁସଲିମ ରାଷ୍ଟ୍ର ମଧ୍ୟ ତାଲିବାନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ । ଯହାପରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ତାଲିବାନ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ପାର୍କ, ଜିମ ଆଦି ସ୍ଥାନରେ ବି ମହିଳାଙ୍କ ଯିବା ଆସିବା ଉପରେ ତାଲିବାନ କଟକଣା ଲଗାଇଛି ।

ନବୀନଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା। କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି। ଏଥର ପ୍ରଥମଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି। ଏହା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡିଅମ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ମଧ୍ୟ ନିର୍ମିତ ହୋଇଛି। ସେଠାରେ ଖେଳାଯିବ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ।

ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଚଳିତ ଥର ବିଶ୍ବକପ୍‌ର ଆୟୋଜନ କରାଯାଇଥିବାରୁ ସାରା ସୁନ୍ଦରଗଡ ଉତ୍ସବ ମୁଖର ହୋଇଉଠିଛି । ବିଶେଷ କରି ଯୁବସମାଜ ମଧ୍ୟରେ ଦେଖାଦେଇଛି ଅପୂର୍ବ ଉତ୍ସାହ । ବିଶ୍ବକପ୍‌ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆଜି ଶହ ଶହ ଯୁବକ ସାଇକେଲ ଯୋଗେ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ରାଉରକେଲାରେ ବିଶ୍ବକପର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରତାପ ଜେନା ଓ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ସୁବ୍ରତ ତରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ଆସନ୍ତାକାଲି କଟକରେ ଆୟୋଜିତ ହେଉଛି ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ। ଐତିହ୍ୟ ସହର କଟକକୁ ବିଶ୍ବକପ୍‌ ହକି ଆୟୋଜନରେ ସିଧାସଳଖ ଯୋଡି ଥିବାରୁ ପୂର୍ବତନ ବିଧାୟକ ତଥା କଟକ ନଗର ଶାନ୍ତି କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ଆହୁରି ହକି ବିଶ୍ବକପ୍‌ ଉଦ୍‌ଘାଟନୀ ସମାରୋହ ସଫଳ ଭାବେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ କଟକ ସହରବାସୀଙ୍କ ସହଯୋଗ କାମନା କରିଥିଲେ।

 

AISA ସଦସ୍ୟା ସେହଲା ରସିଦଙ୍କ ନାଁରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : JNUର ପୂର୍ବତନ ଛାତ୍ର ସଂଗଠନ ଅଧ୍ୟକ୍ଷ ତଥା AISA ସଦସ୍ୟା ସେହଲା ରସିଦଙ୍କ ନାଁରେ ଚାଲିବ ଦେଶଦ୍ରୋହ ମାମଲା । ସେହଲାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ । କାଶ୍ମୀର ନିବାସୀ ସେହଲା ୨୦୧୯ରେ ଦୁଇଟି ବିବାଦୀୟ ଟୁଇଟ କରିଥିଲେ ।

ଭାରତୀୟ ସେନାକୁ ନେଇ ସେହଲା କରିଥିବା ଟୁଇଟର ଉତ୍ତର ରଖିବା ସହ ସେହଲାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲା NIA । ଏହାସହ ଟୁଇଟ ଯୋଗେ ଲୋକଙ୍କୁ ଉକୁସାଯାଉଛି ବୋଲି NIA ପକ୍ଷରୁ ଟୁଇଟ କରାଯାଇଥିଲା । ଆଡଭୋକେଟ ଆଲୋକ ଶ୍ରୀବାସ୍ତବଙ୍କ ପକ୍ଷରୁ ସେହଲାଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା । ଏଡାସହ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଦିଲ୍ଲୀ ଉପରାଜ୍ୟଙ୍କୁ ଅନୁମତି ମାଗିଥିଲା ଦିଲ୍ଲୀ ପୋଲିସ ।

ଓସ୍କାର ୨୦୨୩ରେ ଦ କାଶ୍ମୀର ଫାଇଲ୍ସର ଏଣ୍ଟ୍ରି, ବେଷ୍ଟ ଆକ୍ଟର ଶ୍ରେଣୀରେ ଅନୁପମ ସର୍ଟଲିଷ୍ଟ୍

ନୂଆଦିଲ୍ଲୀ : ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ଅନୁପମ ଖେରଙ୍କ ଦ୍ବାରା ଅଭିନୀତ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ଏବେ ଓସ୍କାର ଦୌଡରେ ସାମିଲ ହୋଇଛି । ଓସ୍କାର-୨୦୨୩ରେ ଭାରତରୁ ସର୍ଟଲିଷ୍ଟ ହୋଇଥିବା ୫ଟି ଫିଲ୍ମ ମଧ୍ୟରେ ଦ କାଶ୍ମୀର ଫାଇଲ୍ସ ସାମିଲ ହୋଇଛି ବୋଲି ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଗୁଡ୍ ନ୍ୟୁଜ୍ ବୋଲି କହି ଏହା ସେୟାର କରିଛନ୍ତି ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଦ କାଶ୍ମୀର ଫାଇଲ୍ସ ସହ ଜଡିତ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବେଷ୍ଟ ଆକ୍ଟର ଶ୍ରେଣୀରେ ଅନୁପମ ଖେରଙ୍କୁ ସର୍ଟଲିଷ୍ଟ କରାଯାଇଛି ।  କେବଳ ଏତିକି ନୁହେଁ ଦ କାଶ୍ମୀର ଫାଇଲ୍ସରେ ଅଭିନୟ କରିଥିବା ପଲ୍ଲବୀ ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାରଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ବର୍ଗରେ ସର୍ଟଲିଷ୍ଟ କରାଯାଇଛି । ଏହା ତ ଆରମ୍ଭ ମାତ୍ର,ଏବେ ତ ଆହୁରି ଆଗକୁ ଯିବାର ଅଛି ବୋଲି ବିବେକ ଅଗ୍ନିହୋତ୍ରୀ କହିଛନ୍ତି।

ବୋନସରେ ୪ ବର୍ଷର ଦରମା ଦେଉଛି କମ୍ପାନୀ, ଏକାଥରକେ ମିଳୁଛି ୫୩ଲକ୍ଷ ଟଙ୍କା !

ତାଇବାନ : କର୍ମଚାରୀଙ୍କୁ ମିଳୁଛି ବମ୍ବର ବୋନସ । ମାସେ କିମ୍ବା ଦୁଇମାସର ନୁହେଁ ଏକାଥରେ ୪ବର୍ଷର ଦରମା ବୋନସ ରୂପେ ପାଉଛନ୍ତି କର୍ମଚାରୀ । ବିଶ୍ବାସ ନହେଲେ ବି ଏହା ସତ । ଏ କମ୍ପାନୀ ହେଉଛି ତାଇବାନର ଏଭରଗ୍ରୀନ୍ ମରୀନ୍ କର୍ପୋରେସନ୍ । ଏହା ଏକ କଣ୍ଟେନର ଟ୍ରାନ୍ସପୋର୍ଟ ସିପିଙ୍ଗ କମ୍ପାନୀ । ଯେଉଁଠି କମ୍ପାନୀର କର୍ମଚାରୀ ମାନଙ୍କୁ ୫୦ମାସର ଦରମା ଏହାସହିତ ବୋନସ ରୂପରେ ଦିଆଯାଇଛି ।

ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁସାରେ, ଏହି କମ୍ପାନୀ ନିଜର କିଛି ବଛା ବଛା କର୍ମଚାରୀଙ୍କୁ ଏହି ବମ୍ପର ବୋନସ ଦେଇଛି । ଏହି ବୋନସ ଟଙ୍କା କର୍ମଚାରୀଙ୍କ କାମ ଏବଂ ଗ୍ରେଡ୍ ଅନୁସାରେ ଦିଆଯାଇଛି । ଏହା ସହିତ ଏହି ମେଗା ବୋନସ କେବଳ ସେହି କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କରାଯାଇଥିଲା ଯେଉଁ ମାନେ ତାଇବାନରେ ରହି କମ୍ପାନୀ ପାଇଁ କାମ କରୁଛନ୍ତି ।

ବୋନସରେ ୫୦ ମାସର ଦରମା ଦେବା ନେଇ ଏ ପର୍ଯ୍ୟନ୍ତ କମ୍ପାନୀ ତରଫରୁ ଅଫିସିଆଲ ବିବୃତ୍ତି ଆସିନାହିଁ । କିନ୍ତୁ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବର୍ଷ ଶେଷରେ ଦିଆଯାଇଥିବା ବୋନସ ବର୍ଷସାରା କମ୍ପାନୀର କାର୍ଯ୍ୟ ଉପରେ ନିର୍ଭର କରେ। କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କାର୍ଯ୍ୟ ଅନୁଯାୟୀ ବୋନସ୍ ସ୍ଥିର କରାଯାଇଛି  । କିନ୍ତୁ ବୋନସ ଉପରେ ଅଧିକ ବିବରଣୀ ଦେବାକୁ କମ୍ପାନୀ ମନା କରିଦେଇଛି।

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୁଣ୍ଡାଗିରିକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର : ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୁଣ୍ଡାଗିରିକୁ ନେଇ ବର୍ଷିଲା ବିଜେଡି। ଏସଏଚଜି ମା’ମାନେ ନିର୍ମାଣ କରିଥିବା ପାଚେରି ଭାଙ୍ଗିବା ଘଟଣାକୁ ନିନ୍ଦା କରିଛି । ଗତକାଲି ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ପାଚେରି ଭାଙ୍ଗିଥିଲେ । ବିଜେପି କର୍ମୀ ସେଠାରେ ପହଞ୍ଚି ଶାବଳ, ଗଇଁତି ଧରି ପାଚେରି ଭାଙ୍ଗିଥିଲେ। ମାଆମାନେ ଗୁହାରି କରିଥିଲେ ବି ଶୁଣିନଥିଲେ । ମାଆଙ୍କୁ ଅସମ୍ମାନ ସହ ସହର ବିକାଶରେ ବାଧା ବିଧାୟକ ଦେଉଛନ୍ତି।

ଘଟଣା ନେଇ ପୌରପାଳିକା ଓ ଏସଏଚଜି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏକାଧିକ ମାମଲାରେ ସଂପୃକ୍ତ ରହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ। ଗତବର୍ଷ ଜଣେ ବିଡିଓଙ୍କୁ ମାଡ ମାରିବା ଘଟଣାରେ ଗିରଫ ହୋଇଥିଲେ। ମା’ମାନଙ୍କୁ ଭୁଲ ମାଗିବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଗତକାଲି ଘଟଣାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସଏଚଜି ମା’ମାନେ ଆଜି ବିକ୍ଷୋଭ କରୁଛନ୍ତି। ବିଧାୟକଙ୍କ ଏଭଳି ଆଚରଣ ପାଇଁ ଓଡିଶାର ମା’ମାନେ ଜବାବ ଦେବେ ବୋଲି ବିଜେଡି କହିଛି ।