ସମ୍ବଲପୁର: ଗଞ୍ଜେଇ ଗାଡ଼ିରେ ବୋମା । ସମ୍ବଲପୁର ଜିଲ୍ଲା ଖିଣ୍ଡା ଛକରେ କାରରୁ ଗଞ୍ଜେଇ ସହିତ ବୋମା ଠାବ । ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବମ ସ୍କ୍ବାଡ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଛି । ତେବେ ଗାଡ଼ିଟି କେଉଁଠାରୁ କେଉଁଠିକୁ ଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ପୁଅ କାନ୍ଧରେ ଜଗା ଦର୍ଶନ, ଲୋକେ କହୁଛନ୍ତି ଏଯୁଗର ଶ୍ରବଣ କୁମାର…
ନନ୍ଦିଘୋଷ ବ୍ୟୁରୋ: ପୁଅର କାନ୍ଧରେ ପ୍ରାଣର ଠାକୁରକୁ ଦର୍ଶନ । କଥାରେ ଅଛି ଲକ୍ଷେ ଶିବ ପୂଜି ପାଇଛି ପୁଅ । ପୁଅ ତ ଶ୍ରବଣ କୁମାର ଭଳି ହେବା ଦରକାର । ପିତା-ମାତାଙ୍କ ବୃଦ୍ଧାବସ୍ଥାରେ ସେମାନଙ୍କ ଶେଷ ଇଛା ପୂରଣ କରିବାର କର୍ତ୍ତବ୍ୟ ନିଭାଇବା ଦରକାର । ସେ ଯେତେ କଷ୍ଟ ହେଉନା । ଆଉ ଏଭଳି ପୁଅକୁ ପାଇ ଶେଷ ସମୟରେ ବାପା-ମାଆ ବି ସାର୍ଥକ ଲାଭ କରୁଥିବେ । ଏ ଦୃଶ୍ୟ ତ ବର୍ତ୍ତମାନ ପିଢୀକୁ ଅଡୁଆ ଲାଗୁଥିବ । ଚାକଚକ୍ୟ ଜୀବନରେ ବୃଦ୍ଧ ପିତା-ମାତାଙ୍କୁ କିଏ ପଚାରେ ? କାଳେ ଘର ଅସନା କରିଦେବେ, ପିଲାଙ୍କୁ ପାଖରେ ରହିଲେ ଇଂଫେକ୍ସନ ହୋଇଯିବ । ସେବା କରିବାକୁ ସମୟ ଅଭାବ ପଡିବ । ସେଥିପାଇଁ ତ ଅନେକ ବୃଦ୍ଧ ପିତା-ମାତାଙ୍କ ଶେଷ ଠିକଣା ଏବେ ପାଲଟିଛି ଅନାଥ ଆଶ୍ରମ ।
ଏଯୁଗର ଶ୍ରବଣ କୁମାର । ମା’ର ଶେଷ ଇଛା ରଖିବାକୁ କାନ୍ଧରେ କଟକରୁ ପୁରୀ । ଭାର କରି ବହି ଆଣିଲା ପୁଅ । ପୂରଣ କଲା ବୃଦ୍ଧା ମାଆର ଶେଷ ଇଛା । ଶ୍ରୀମନ୍ଦିର ସିଂହଦ୍ଵାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ବୋଝରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମା ର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିବା ସାରଦା ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ। ତେବେ କାଳିଆର ଡୋରି ଆଜି ତାଙ୍କୁ ପୁରୀ ଟାଣି ଆଣିଥିଲା। ସବୁ କଷ୍ଟ ଭୁଲି ମା ଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ।
ସେଠାରେ କାର୍ଯ୍ୟରତ ଥିବା ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ୱାଇଁ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିବା ବେଳେ ଯୋଗେଶ ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମା ଙ୍କୁ ସିଂହଦ୍ଵାର ପାଖକୁ ନେଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀ ମାନେ ମଧ୍ୟ ବୃଦ୍ଧା ମା ଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ଜଗା ଦର୍ଶନ କରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି ସାରଦା କହିଥିଲେ। ତେବେ ଜଣେ ବୃଦ୍ଧ ମାଆଙ୍କୁ ପୁଅ କାନ୍ଧରେ ନେଉଥିବା ଦେଖି, ଭକ୍ତ କହୁଥିଲେ । ହେଇ ଦେଖ ଆସୁଛି ଏଯୁଗର ଶ୍ରବଣ କୁମାର…
ଆଦାନୀ-ହିଣ୍ଡେନବର୍ଗ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନନ୍ଦିଘୋଷ ବ୍ୟୁରୋ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଶୁକ୍ରବାର ନିବେଶକଙ୍କ କ୍ଷତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କେ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଣି କରୁଛନ୍ତି । ହିଣ୍ଡେନବର୍ଗ କମ୍ପାନୀର ରିପୋର୍ଟ ଯୋଗୁଁ ସ୍ୱଳ୍ପ ସମୟ ମଧ୍ୟରେ ବଜାରରେ ଖରାପ ପ୍ରଭାବ ପଡିଛି ।
ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶକଙ୍କର ବୁଡି ଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେବଳ ଧନୀ ମାନେ ନୁହେଁ ମଧ୍ୟବିତ୍ତ ବର୍ଗର ଲୋକ ମଧ୍ୟ ସେୟାର ବଜାରରେ ନିବେଶ କରନ୍ତି । ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ସେୟାର ବଜାରରେ ହ୍ରାସର କାରଣ ଏବଂ ସ୍ଥିତିରେ ସୁଧାର ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ କୋର୍ଟ ଜାଣିବାକୁ ଚାହିଁଛନ୍ତି ।
ଖଣ୍ଡପୀଠ ମାମଲାର ଶୁଣାଣିକୁ ଆଜିକୁ ଘୁଞ୍ଚାଇଦେଇଥିଲେ । ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରାଳୟ ଓ ସେବି ସହ ପରାମର୍ଶ କରିବାକୁ ସଲିସିଟର ଜେନେରାଲଙ୍କୁ କହିଛନ୍ତି । ଏଥିରେ ଜଣେ ପୂର୍ବତନ ବିଚାରପତି ମଧ୍ୟ ରହିବେ । ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟରେ ଆଦାନୀ ଗ୍ରୁପ୍ ସେୟାରରେ ହେରଫେର କରିଥିବା ନେଇ ଦାବି କରାଯାଇଥିଲା । କିନ୍ତୁ ଆଦାନୀ ଗ୍ରୁପ୍ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ।
ସନ୍ଧ୍ୟାରେ କ୍ୟାବିନେଟ, ୧୦ରୁ ଅଧିକ ପ୍ରସ୍ତାବରେ ବାଜିବ ମୋହର
ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ । ୧୦ରୁ ଅଧିକ ଏଜେଣ୍ଡା ଉପରେ କ୍ୟାବିନେଟରେ ଆଲୋଚନା ହେବ । ସମସ୍ତ ପ୍ରସ୍ତାବରେ ଫୋକସରେ ରହିବ ଭିତ୍ତିଭୂମି ନିର୍ମାଣ ।
ଏହାଛଡ଼ା ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ । ଆଗାମୀ ୨୧ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି କ୍ୟାବିନେଟ ବୈଠକ ବିଶେଷ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।
କେନ୍ଦୁଝରରେ ଲେଖାହେବ ନୂଆ କାହାଣୀ, ଆରମ୍ଭ ହେବ ସ୍ୱାସ୍ଥ୍ୟସେବାର ନୂଆ ଯୁଗ
ନନ୍ଦିଘୋଷ ବ୍ୟୁରୋ: ଆଜି କେନ୍ଦୁଝରରେ ଲେଖାହେବ ନୂଆ କାହାଣୀ । ଆରମ୍ଭ ହେବ ସମୃଦ୍ଧ ସ୍ବାସ୍ଥ୍ୟସେବାର ନୂଆ ଯୁଗ । ଉଦଘାଟିତ ହେବ ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ । କେନ୍ଦୁଝର ଯାଇ ଜିଲ୍ଲାବାସୀଙ୍କୁ ୪ହଜାର ୭ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଯାଇ ମଡିକାଲ କଲେଜର ଶୁଭ ଉଦଘାଟନ କରିବେ ।
୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡ଼ିକାଲ୍ କଲେଜ । ଏଥିରେ ପ୍ରଥମ ବର୍ଷରେ ୧୦୦ଟି MBBS ସିଟରେ ଆଡମିଶନ ହୋଇଛି । ୨୦୧୬ରେ ଧରଣୀ ଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା । ମେଡିକାଲ କଲେଜ ଉଦଘାଟନ ପରେ ଏସ ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
ପରେ ୧୨ଟା ୨୧ ମିନିଟରେ ଭୁବନେଶ୍ବର ଫେରିଆସିବା କାର୍ଯ୍ୟକ୍ରମ ରହିଛି । ଗତକାଲି କେନ୍ଦୁଝରକୁ ବିଶ୍ବବିଦ୍ୟାଳୟ ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।
ରାୟପୁର ବିମାନବନ୍ଦରରେ ପହଁଚିଲା ଗୋପାଳ, ଝାରସୁଗୁଡା ଆସୁଛି
ନନ୍ଦିଘୋଷ ବ୍ୟୁରୋ: ରାୟପୁର ବିମାନବନ୍ଦରରେ ପହଁଚିଲା ଗୋପାଳ ଦାସ । ରାସ୍ତାରେ ଝାରସୁଗୁଡା ଅଭିମୁଖେ ଆସୁଛି ହତ୍ୟାକାରୀ । ଗାନ୍ଧୀନଗରରେ ନାର୍କୋଟିକ ଟେଷ୍ଟ ପରେ ଫେରୁଛି ଅଭିଯୁକ୍ତ ଗୋପାଳ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକରି ରିମାଣ୍ଡରେ ଯାଇଛି ଗୋପାଳ । ସୋମବାର ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବାକୁ ଯାଉଛି ।
ବିଳମ୍ବିତ ରାତିରେ ଝାରସୁଗୁଡାରେ ଗୋପାଳ ପହଁଚିବା ନେଇ ସୂଚନା ରହିଛି । ଆଠ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳକୁ ରାସ୍ତାରେ ଆସୁଛନ୍ତି । ହତ୍ୟାର ପ୍ରକୃତ କାରଣ ଜାଣିବାକୁ ୧୫ଦିନ ଧରି ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ଘନଘନ ଯାଞ୍ଚ୍ ଆଉ ଘଣ୍ଟା ଘଣ୍ଟା ଜେରାକରି ଗୋପାଳ ମୁହଁରୁ ସତ ଆଦାୟ କରିବାକୁ କୌଣସି ଦିଗକୁ ହାତଛଡ଼ା କରିନି ତଦନ୍ତକାରୀ ଟିମ୍ ।
୩ଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡ ସହିତ ଅଭିଯୁକ୍ତର ଏଲଭିଏ, ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରି ମର୍ଡର ମିଷ୍ଟ୍ଟି ଖୋଲିବାକୁ ଉଦ୍ୟମ ହୋଇଛି। ହେଲେ ଗୋପାଳ ଆରମ୍ଭରୁ ଯାହା କହିଥିଲା ଏସବୁ ତଦନ୍ତ ପ୍ରକ୍ରିୟା ପରେ ବି ସେଥିରେ ଅଟଳ ଥିବା ଜଣାପଡ଼ିଛି । ଯଦିଓ କ୍ରାଇମବ୍ରାଞ୍ଚ ଏନେଇ କୌଣସି ସୂଚନା ଦେଇନି ତେବେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟରେ ଅଭିଯୁକ୍ତ ସମାନ କଥା ଦୋହରାଇଥିବା ଆଲୋଚନା ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଥମରୁ ମର୍ଡରର କେଉଁ ମୋଟିଭ କଥା କହିଥିଲା ଗୋପାଳ ?
ଉତ୍କଳ ବିଶ୍ୱବିଦ୍ୟାଳୟରେ JNU ପ୍ରଫେସରଙ୍କୁ ମାଡ଼, ନିନ୍ଦା କଲା ଛାତ୍ର ବିଜେଡି
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ସେମିନାର ବେଳେ ଅଶାନ୍ତି ଘଟଣା । ଘଟଣାକୁ ଦୃଢ ନିନ୍ଦା କରିଛି ଛାତ୍ର ବିଜେଡି । ବିଶ୍ବବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିବାବେଳେ ଜେଏନୟୁର ପ୍ରଫେସରଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ଏଭଳି ଆଚରଣ ଏବିଭିପି ପାଇଁ ନୂଆ ନୁହେଁ ବୋଲି ଛାତ୍ର ବିଜେଡି ପକ୍ଷରୁ କୁହାଯାଇଛି ।
ଅନେକ ଥର ଏବିଭିପିର କାର୍ଯ୍ୟକର୍ତ୍ତା ବିଶ୍ବବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ସ୍ଥିତି ସୃଷ୍ଟି କରୁଛନ୍ତି । ବାରମ୍ବାର ଏପରି ଘଟଣା ଘଟିବା ଦ୍ବାରା ଶିକ୍ଷାର ବାତାବରଣ ନଷ୍ଟ ହେଉଛି ।ଏଭଳି କରୁଛିବା ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି , ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । କ୍ୟାମ୍ପସର ବାତାବରଣକୁ ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ନଷ୍ଟ କରୁଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ପରାଜୟର ରାସ୍ତା ଦେଖାଇଲେ ଭାରତୀୟ ମହିଳା ଦଳ । କ୍ରିକେଟରେ ଚଖାଇଲେ ପରାଜୟର ସ୍ୱାଦ । ମହିଳା ଟି-୨୦ ବିଶ୍ବକପରେ ପାକିସ୍ତାନକୁ ଭାରତ ୭ ୱିକେଟରେ ପରାସ୍ତ କରିଛି । କେପ୍ଟାଉନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜେମିମା ରୋଡ୍ରିଗ୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜେମିମା ଅପରାଜିତ ରହି ୩୮ଟି ବଲ୍ ଖେଳି ୫୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଚୌକା ହାସଲ କରିଛନ୍ତି। ୧୫୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୧୭ ରନ୍, ସେଫାଲି ବର୍ମା ୩୩ ରନ୍ ଓ ଅଧିନାୟିକା ହରମନପ୍ରୀତ କୌର ୧୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।
୯୩ ରନ୍ ବେଳକୁ ଭାରତ ୩ଟି ମୂଲ୍ୟବାନ ୱିକେଟ୍ ହରାଇ ସାରିଥିଲା। ଜେମିମା ଓ ରିଚା ଘୋଷ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ । ପାକିସ୍ତାନ ଟିମ୍ ଭାରତ ବିପକ୍ଷରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଅଧିନାୟିକା ବିସମା ମାରୁଫଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲେ । ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଟାର୍ଗେଟକୁ ୧୯ ଓଭରରେ ପୂରଣ କରିନେଇଥିଲା ଭାରତ ।
ଜୟପୁରରେ ଚାଞ୍ଚଲ୍ୟ, ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର
ଜୟପୁର: ଜୟପୁରରେ ଚାଞ୍ଚଲ୍ୟ । ବନ୍ଦ ଘରୁ ୩ ଜଣଙ୍କର ମୃତଦେହ ଉଦ୍ଧାର । ଘରେ ପଡ଼ିଛି ସ୍ବାମୀସ୍ତ୍ରୀଙ୍କ ସହିତ ୨ବର୍ଷର ଶିଶୁ କନ୍ୟାର ମୃତଦେହ । କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ତୋୟାପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସ୍ବାମୀ ଲିଙ୍ଗରାଜ ବିଶୋଇ, ସ୍ତ୍ରୀ ଜ୍ୟୋସ୍ନାରାଣୀ ସାହୁ ଓ ୨ବର୍ଷର ଝିଅ ଇଶା ରାଣୀ । ସ୍ତ୍ରୀ ଓ ଝିଅର ମୃତଦେହ ଘର ଚଟାଣରେ ପଡ଼ିଥିବାବେଳେ ଝୁଲନ୍ତା ଅବସ୍ଥାରେ ସ୍ବାମୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁଥିପାଇଁ ଏପରି ବୀଭତ୍ସ ଘଟଣା ଘଟିଛି ତାହା ଅସ୍ପଷ୍ଟ ରହିଛି । ପାରିବାରିକ କଳହ, ଘରର ଆର୍ଥିକ ଅବସ୍ଥା ଆଦି ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଗାଁ ଦାଣ୍ଡରେ ଫୁଟିଲା ଗୁଳି, ଫାୟାରିଂରେ ୩ଜଣ ଗୁରୁତର
କଟକ: ଗାଁ ଦାଣ୍ଡରେ ଫୁଟିଲା ଗୁଳି । ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼ । ଫାୟାରିଂରେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ବାପାପୁଅ ଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ଫଟୋ ଛାଡ଼ିବାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।
ଫାୟାରିଂରେ ୩ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ । ଦୀନବନ୍ଧୁ ଓ ବଂଶୀଧର ନାୟକଙ୍କ ଦେହରେ 3ଟି ଲେଖାଏ ବାଜିଥିବାବେଳେ ଜିତେନ୍ଦ୍ରଙ୍କ ଦେହରେ 2ଟି ଗୁଳି ବାଜିଛି ।
ସମସ୍ତେ ଗାଁରେ ବସିଥିବାବେଳେ ସଦାନନ୍ଦ ଦାସ ନାମକ ବ୍ୟକ୍ତି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

