spot_img
Home Blog Page 3651

ବିମାନବନ୍ଦରରେ ୫୫ ଯାତ୍ରୀଙ୍କୁ ଛାଡି ଏୟାରଲାଇନ୍ସକୁ ଉଡାଣ ଭରିବା ପଡିଲା ମହଙ୍ଗା

ବେଙ୍ଗାଳୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିବା ଗୋ ଫାଷ୍ଟ ଏୟାରଲାଇନ୍ସକୁ ମହଙ୍ଗା ପଡିଛି । ଚଳିତ ମାସ ୯ ତାରିଖରେ ଗୋ ଫାଷ୍ଟ ଏୟାରଲାଇନ୍ସ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିଥିଲା । ବେଙ୍ଗାଳୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ଏହି ବିମାନ ଉପରେ ଜୋରିମାନା ଲଗାଇଛି ଡିଜିସିଏ । ଯାତ୍ରୀଙ୍କୁ ଛାଡିଯିବା ଘଟଣାରେ ଏୟାରଲାଇନ୍ସ କ୍ଷମା ମାଗିବା ସହ ଏକ ଘୋଷଣା ମଧ୍ୟ କରିଥିଲା । ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଆଗାମୀ ୧୨ ମାସ ମଧ୍ୟରେ ଦେଶର ଯେକୌଣସି ସ୍ଥାନକୁ ଯିବାକୁ ମାଗଣା ଟିକେଟ ଦିଆଯିବ। ଏହାସତ୍ତ୍ୱେ ଏୟାରଲାଇନ୍ସ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିସିଏ ।

ଏହି ଘଟଣାକୁ ନେଇ ଯାତ୍ରୀମାନେ କହିଛନ୍ତି ଯେ, ରନୱେରେ ଯାତ୍ରୀଙ୍କୁ ଛାଡି ବିମାନଟି ତାଙ୍କର ସାମଗ୍ରୀ ନେଇଯାଇଥିଲା । ଏ ବାବଦରେ ଯାତ୍ରୀଙ୍କୁ ଜଣାନଥିଲା । ଦୀର୍ଘ ସମୟ ଧରି ଯାତ୍ରୀମାନେ ସାମଗ୍ରୀ ପାଇଁ ଅପେକ୍ଷା କରିଥିଲେ । ଏନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଯାତ୍ରୀ । ତେବେ ଅନ୍ୟ ବିମାନ ଯୋଗେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ଏନେଇ ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆଜିଠୁ ଖଣ୍ଡଗିରି ମାଘ ମେଳା, ଜମିଲାଣି ବାବାଙ୍କ ମେଳି

ଭୁବନେଶ୍ବର: ଆଜିଠୁ ଖଣ୍ଡଗିରି ମାଘ ମେଳା । ଜମିଲାଣି ବାବାଙ୍କ ମେଳି । ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭ କରିବେ । କରୋନା କଟକଣା ନଥିବାରୁ ଏଥର ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟି ପାଇଁ ଅନୁମତି ମିଳିଛି । ଯାତ୍ରାଜଗତର ସମସ୍ତ ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳିବ । ଚଳିତ ବର୍ଷ ଯାତ୍ରା ପେଣ୍ଡାଲରେ ଅଧିକ ଦର୍ଶକ ଯାତ୍ରା ଉପଭୋଗ କରିବେ ବୋଲି ଆଶା କରାଯାଉଛି । କୌଣସି ଯାତ୍ରାପାର୍ଟି ଅଶ୍ଳିଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ । ଏହା ଉପରେ କଟକଣା ଲାଗାଇଛି ବିଏମସି।

ଚଳିତ ବର୍ଷ ମେଳାରେ ପରିମଳ ଏବଂ ସାନିଟେସନକୁ ବେଶ ଗୁରୁତ୍ବ ଦେଇଛି ବିଏମସି । ମେଳାରେ ବ୍ୟବସାୟୀଙ୍କ ଭଳିକି ଭଳି ପସରା ସବୁ ମେଲିଛି । ଦୋକାନ, ବଜାରଠାରୁ ଆରମ୍ଭ କରି ମୀନାବଜାର ପର୍ଯ୍ୟନ୍ତ ସବୁ ଦୋକାନ ମେଳାରେ ଦେଖିବାକୁ ମିଳିଛି। ବିଭିନ୍ନ ଅଞ୍ଚଳର ଖାଦ୍ୟ, ଘର ସାଜସଜ୍ଜା ଉପକରଣ ଓ ଛୋଟ ପିଲାମାନଙ୍କ ପାଇଁ ଦୋଳି ଆଦି ଦୋକାନ ଖୋଲିଛି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ସମ୍ଭବ ମିଶ୍ରଙ୍କୁ ସମ୍ବର୍ଦ୍ଧନା

କଟକ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା କଟକର ସମ୍ଭବ ମିଶ୍ରଙ୍କୁ ସମ୍ବର୍ଦ୍ଧନା । ଏହି ସଫଳତା ପାଇଁ ସେ ନିଜ ସ୍କୁଲ ଏଲଆରଡିଏଭିକୁ ଶ୍ରେୟ ଦେଇଛନ୍ତି । ଗତ 24 ତାରିଖ ଦିନ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନନଜନକ ରାଷ୍ଟ୍ରୀୟ ବାଲ ପୁରସ୍କାର ଗ୍ରହଣ କରିଥିଲେ ସମ୍ଭବ ମିଶ୍ର । ପୂର୍ବରୁ କେନ୍ଦ୍ର ସରକାରଙ୍କ 6 ଟି ବଡ଼ ଯୋଜନାକୁ ନେଇ ଏକ ବହି ଲେଖିଥିଲେ । ଯାହାର ନାମ ବିଜୟୀ ଭଵ ଭାରତ । ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ଓ ଶୁଭେଚ୍ଛା ମିଳିଥିଲା । ଏହାଛଡ଼ା ସମ୍ଭବ ଫ୍ରାସ ଉପାଧି ମଧ୍ୟ ପାଇଛନ୍ତି । ଅନ୍ୟପଟେ ସେହି ସ୍କୁଲ ର 5 ଶ୍ରେଣୀ ପଢ଼ୁଥିବା ଦିବ୍ୟାନ୍ସି ଦାସଙ୍କୁ ମଧ୍ୟ ସମ୍ଭର୍ଦ୍ଧିତ କରାଯାଇଥିଲା ।

2022 ର ବୀରଗାଥା ପ୍ରତିଯୋଗିତାରେ ଦେଶର 25 ଜଣଙ୍କ ମଧ୍ୟରେ ପାଇଥିଲେ ବିରଗାଥା ପୁରସ୍କାର । ଗଲବାନ ଘାଟିର ବୀର ବି ସନ୍ତୋଷ ବାବୁଙ୍କ ଚିତ୍ରପଟ ପ୍ରସ୍ତୁତ କରି ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 11 ଜଣ ପିଲାଙ୍କୁ ଚଳିତବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 4ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 11 ଜଣଙ୍କୁ ମେଡାଲ, ମାନପତ୍ର ସହ 1 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି । ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ 6 ଜଣ ପୁଅ ଓ 5 ଜଣ ଝିଅ ଥିଲେ ।

ଚଳନ୍ତି ବସରୁ ବାହାରିଗଲା ଚକ, ମେଡିକାଲରେ ଆହତ

ଭଦ୍ରକ: ଭାରସ୍ୟାମ ହରାଇ ଓଲଟିଲା ଯାତ୍ରୀବାହୀ ବସ । 12 ରୁ ଅଧିକ ଯାତ୍ରୀ ଆହତ । ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି । ଭଦ୍ରକ କୁଲଣା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଅମ୍ରିତ ନାମକ ଯାତ୍ରୀବାହି ବସ ପ୍ରାୟ 35 ଜଣ ଯାତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ଼ ଅଭିମୁଖେ ଯାଉଥିଲା । ହେଲେ କୁଲଣା ଛକ ନିକଟ ରେ ବସର ପତି ଭାଙ୍ଗିବା ସହ ଷ୍ଟିୟରିଂ ଫେଲ ହୋଇଥିଲା । ପରେ ଚକ ବାହାରି ଯାଇଥିବାରୁ ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା ।

ମିଳିଥିବା ସୂଚନା ମୁତାବକ ସମସ୍ତ ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ଧାର ହୋଇଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ଗାଡିରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେସିଆରଙ୍କ ପାର୍ଟିରେ ବିଧିବଦ୍ଧ ମିଶିଲେ ଗିରିଧର ଓ ଶିଶିର

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ ଦଳ ଛାଡ଼ିବା ପରେ ଆଜି ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହୋଇଛନ୍ତି । ହାଇଦ୍ରାବାଦରେ ମିଶ୍ରଣ ପର୍ବରେ ଯୋଗଦାନ ପୂର୍ବରୁ ଭୁବନେଶ୍ବରରେ ୨୦୨୪ ନିର୍ବାଚନକୁ ନେଇ ବିଜେପି ଦିବାସ୍ବପ୍ନ ଦେଖୁଛି ବୋଲି କହି ଶିଶିର ଗମାଙ୍ଗ ଦଳର ଗୁମର ଖୋଲିଛନ୍ତି । ଅନ୍ୟପଟେ ଓଡ଼ିଶାରେ ବିଆରଏସର କିଏ ମଙ୍ଗୁଆଳ ହେବ ତାକୁ ନେଇ ସସପେନସ ଜାରି ରହିଛି । ଏହାରି ଭିତରେ ଓଡ଼ିଶାରେ ବିକଳ୍ପ ରାଜନୀତି କରିବାକୁ ବିଆରଏସରେ କିଛି ପୂର୍ବତନ ବିଧାୟକ ଓ ସାଂସଦ ଅଣ୍ଟା ଭିଡ଼ିଛନ୍ତି ।

ଦିବା ସ୍ବପ୍ନ ଦେଖୁଛି ରାଜ୍ୟ ବିଜେପି । ୨୦୧୯ରେ ଯେଉଁ ସ୍ୱପ୍ନ ଦେଖିଥିଲା ତାର ରିପିଟ ଚିନ୍ତା କରୁଛି ଦଳ । ଯାହା ପୁଣିଥରେ ସ୍ୱପ୍ନରେ ରହିଯିବ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ବିଜେପି ଛାଡ଼ି ବିଆରଏସରେ ସାମିଲ ହେବା ପରେ ଏପରି କହିଛନ୍ତି ଶିଶିର । ଏହାସହ ପୁଣିଥରେ ରାଜ୍ୟ ବିଜେପିର ଗୁମର ଖୋଲିଛନ୍ତି । ଓଡ଼ିଶା ଦଖଲ କରିବା ପାଇଁ ବିଜେପି କେବଳ ସ୍ବପ୍ନ ଦେଖେ ବୋଲି ଶିଶିରଙ୍କ ସହ ସ୍ବର ମିଳାଇଛନ୍ତି ମାଆ ହେମା ଗମାଙ୍ଗ । ଆଗକୁ ଓଡ଼ିଶାରେ ବିଆରଏସ ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିକଳ୍ପ ଭାବେ ରାଜ୍ୟବାସୀଙ୍କ ପାଖରେ ଛିଡ଼ାହେବ । ଓଡ଼ିଶାର ଇତିହାସ ଓ ଭୂଗୋଳରେ ପରିବର୍ତ୍ତନ ହେବ ବୋଲି ଉଭୟ ମା ଓ ପୁଆ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟ ବିଜେପିରେ ହ୍ୟୁମିଲିଏସନ ସହି ନପାରି ବିଜେପିରୁ ଇସ୍ତଫା ଦେଇଥିଲେ ଗିରିଧର ଓ ଶିଶିର ଗମାଙ୍ଗ । ଏହାପୂର୍ବରୁ ଉଭୟ ବାପାପୁଅ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ଭେଟି ଆଲୋଚନା କରି କରିଥିଲେ । ଓଡ଼ିଶାର କିଛି ପୂର୍ବତନ ବିଧାୟକ, ସାଂସଦ, ବିଭିନ୍ନ ସଂଗଠନର ନେତାଙ୍କୁ ନେଇ ଆଜି ହାଇଦ୍ରାବଦ ଗସ୍ତ କରି ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହୋଇଛନ୍ତି । ଆଗକୁ ବିଆରଏସରେ ରାଜ୍ୟ ମୁଖିଆ କିଏ ହେବ ତାହା ସ୍ଥିର ହୋଇନଥିଲେ ମଧ୍ୟ ଦଳ ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଗିରିଧର କହିଛନ୍ତି ।

୨୦୨୪ରେ ବିଆରଏସ ଓଡିଶା ରାଜନୀତିରେ ପୁରା ଦମରେ ଏଣ୍ଟ୍ରି ମାରିବାକୁ ସଜବାଜ ଆରମ୍ଭ କରିଛନ୍ତି । ହେଲ ଘରେ ନପୁଶୁଣୁରୁ ମୁଣ୍ଡରେ ଚାଳ ବାଜିଲା ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କିଏ ଧରିବେ ମଙ୍ଗ ତାହାକୁ ନେଇ ପରସ୍ବର ମଧ୍ୟରେ ଟଣାଓଟରା ଲାଗିଲାଣି । ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଦୀନଭଞ୍ଜନଙ୍କ ସହ ଚିନ୍ମୟ ମହାପାତ୍ର, ନନ୍ଦିଘୋଷ ଟିଭି ।

ବିଜେଡି ଲୋକଙ୍କ ସହ ଅଛି, ବିଜେପି ନିଜ ଦଳ କଥା ଚିନ୍ତା କରୁ

ଭୁବନେଶ୍ୱର: ନିର୍ବାଚନ ଆସିଲେ ଅନେକ ନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହୁଅନ୍ତି । ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ନିର୍ବାଚନ ସମୟରେ ବହୁ ନେତା ଆମ ଦଳରେ ବି ସାମିଲ ହୁଅନ୍ତି । ବିଜେଡି ଗ୍ରାଉଣ୍ଡରେ ରହିଛି । ଲୋକଙ୍କ ସହିତ ରହିଛି । 2024ରେ ଓଡିଶାବାସୀ ମନସ୍ତ କରିଛନ୍ତି କାହାକୁ ଭୋଟ ଦେବେ । ବିଜେପି ଆମ ଦଳ କଥା ନଚିନ୍ତା କରି ନିଜ ଦଳ କଥା ଚିନ୍ତା କରୁ । ବିଜେପି ଦଳ ଛାଡି ବହୁ ନେତା ବିଆରଏସରେ ସାମିଲ ହେଲେ । ବିଜେପି ନେତାମାନେ ନିଜ ଦଳ କଥା ଚିନ୍ତା କରନ୍ତୁ । ଏହା କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ମିଶ୍ରଣ ପର୍ବ, ଦଳ ଛାଡିବା ଗୋଟିଏ ଲେଖାଏଁ ଗତାନୁଗତିକ ପ୍ରକ୍ରିୟା । ଯାହାକୁ ଯେଉଁଠି ଭଲ ଲାଗିବ ସେ ଯିବେ । ସେଠାରେ ରାଜନୈତିକ କ୍ୟାରିଅର କରିବେ । ୨୫ ବର୍ଷ ହେଲା ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ସହ ଜଡିତ ଅଛନ୍ତି । ୨୦୨୪ରେ ମଧ୍ୟ ରାଜ୍ୟବାସୀ ବିଜେଡିକୁ ସମର୍ଥନ କରିବେ ବୋଲି ମନସ୍ଥ କରିସାରିଛନ୍ତି । ବିଜେପି ଛାଡି ବିଆରଏସରେ ଗମାଙ୍ଗ ପରିବାରର ଯୋଗଦାନ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ବିଜେଡିର ଫୋକସ ହେଉଛି ଲୋକଙ୍କ ପାଖରେ ପହଞ୍ଚିବା । ସେଇଟା ବିଜେଡିର ପ୍ରଧାନ କର୍ତ୍ତବ୍ୟ । ବିଜେପି ଅଭିଯୋଗ କରୁଛି ଯେ, ବିଜେଡିର କିଛି ନେତା ତାଙ୍କ ଦଳ ସହ ଯୋଗାଯୋଗରେ ଅଛନ୍ତି । ଏଠାରେ ତେଣୁ କହିଦେଉଛି ଯେ, ସେମାନେ ତାଙ୍କ କଥା ଚିନ୍ତା କରନ୍ତୁ । ବିଜେଡି କେମିତି ଚାଲିବ ସେକଥା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି । ତାଙ୍କ ଦଳ ଛାଡି କିଛି ନେତା ବିଆରଏସରେ ମିଶୁଛନ୍ତି । ୨୦୨୪ରେ ଲୋକ କାହାକୁ ଭୋଟ ଦେବେ ମନସ୍ଥ କରିସାରିଛନ୍ତି । ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି କହିଛନ୍ତି ପ୍ରଣବ ।

ହକି ବିଶ୍ୱକପ ଫାଇନାଲରେ ଟିମ୍ ଜର୍ମାନୀ

ଭୁବନେଶ୍ୱର: ହକି ବିଶ୍ୱକପ ଫାଇନାଲରେ ପ୍ରବେଶ କଲା ଟିମ୍ ଜର୍ମାନୀ । ୪-୩ଗୋଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମକୁ ପରାଜୟ କରି ଫାଇନାଲରେ ପହଁଚିଛି ଜର୍ମାନୀ l ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ ।

ହକି ବିଶ୍ବକପରେ ଆଜିଠାରୁ ଆରମ୍ଭ ହୋଇଯାଇଛି ସେମିଫାଇନାଲ ଟକ୍କର । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇଥିଲେ ୪ଟି ଟିମ୍ । ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ହରାଇ ବାଜି ମାରିଛି ଜର୍ମାନୀ। ସେହିପରି ସନ୍ଧ୍ୟା ୭ଟାରେ ଦ୍ବିତୀୟ ସେମିରେ ଗତଥର ଚାମ୍ପିଅନ ବେଲଜିୟମ ଓ ନେଦାରଲ୍ୟାଣ୍ଡସ ମଧ୍ୟରେ ହେବ ଟକ୍କର ।

କ୍ରିକେଟକୁ ଅଲବିଦା କହିଲେ ବସନ୍ତ ମହାନ୍ତି

ଭୁବନେଶ୍ୱର: କ୍ରିକେଟରୁ ସନ୍ନ୍ୟାସ ନେଲେ ବସନ୍ତ ମହାନ୍ତି । ୨୦୦୭-୦୮ରେ ବେଙ୍ଗଲ ବିପକ୍ଷରୁ ପ୍ରଥମ ଶ୍ରେଣୀରେ ପଦାର୍ପଣ କରିଥିବା ବସନ୍ତ ଶେଷରେ କ୍ରିକେଟକୁ ଅଲବିଦା କହିଛନ୍ତି । ବସନ୍ତ ତାଙ୍କ ଜୀବନର ଶେଷ ମ୍ୟାଚ ମଧ୍ୟ ବେଙ୍ଗଲ ବିପକ୍ଷରେ ଖେଳିଛନ୍ତି । ସଂଯୋଗ ବସତଃ ବସନ୍ତ ମହାନ୍ତି ତାଙ୍କ ଜୀବନର ପ୍ରଥମ ମ୍ୟାଚ ବେଙ୍ଗଲ ବିପକ୍ଷରେ ଖେଳିଥିବା ବେଳେ ମନୋଜ ତିଓ୍ୱାରିଙ୍କୁ ଆଉଟ୍ କରିଥିଲେ । ଜିଏକି ବେଙ୍ଗଲ ସରକାରଙ୍କ ଏବେ ମନ୍ତ୍ରୀ ରହିଛନ୍ତି ।

ସେହି ମନୋଜ ତିଓ୍ବାରିଙ୍କୁ ଏବେ ନିଜ ଶେଷ ମ୍ୟାଚରେ ମଧ୍ୟ ଆଉଟ କରିଛନ୍ତି ବସନ୍ତ ମହାନ୍ତି । ଦୀର୍ଘ ୨୦ ବର୍ଷ ହେଲା ଓଡ଼ିଶା ପାଇଁ କ୍ରିକେଟ ଖେଳି ଆସୁଥିବା ଦ୍ରୁତ ବୋଲର ବସନ୍ତ ମହାନ୍ତି ମଧ୍ୟ ନିଜର ଶେଷ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଶେଷ ମ୍ୟାଚର ବସନ୍ତ ବୋଲିଂ ସହ ବ୍ୟାଟିରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ବେଙ୍ଗଲକୁ ଓଡ଼ିଶା ଫଲୋଅନ ଦେବା ସହ ଓଡ଼ିଶା ୭ ୱିକେଟରେ ବିଜୟ ହାସଲ କରିଛି । ବସନ୍ତ ଓଡ଼ିଶା ପାଇଁ ୧୦୫ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ବେଳେ ୪୦୩ଟି ଓ୍ୱିକେଟ ହାସଲ କରିଛନ୍ତି । ଏହାସହ ଟି ଟ୍ୱେଣ୍ଟିର ମଧ୍ୟ ବସନ୍ତ ୨୧ଟି ମ୍ୟାଚ ଖେଳି ୨୦ଟି ଓ୍ୱିକେଟ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୩ଥର ୧୦ ଓ୍ବିକେଟ୍ ଏବଂ ୨୩ ଥର ୫ ଓ୍ବିକେଟ୍ ହାସଲ କରିଛନ୍ତି ।

କଳିଙ୍ଗରେ ଆଜିଠୁ ସେମିଫାଇନାଲ ଟକ୍କର

ଭୁବନେଶ୍ୱର:  ହକି ବିଶ୍ବକପରେ ଆଜିଠାରୁ ଆରମ୍ଭ ହୋଇଛି ସେମିଫାଇନାଲ ଟକ୍କର । କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇଛନ୍ତି 4ଟି ଟିମ୍ । ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ଭେଟିଛି ଜର୍ମାନୀ । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ ସହ ବିଶ୍ବକପରେ ଦଳ ଅପରାଜେୟ ରହିଛି । ତେଣୁ ଏହି ଧାରା ଜାରି କରିବା ଲକ୍ଷ୍ୟରେ କଙ୍ଗାରୁ ଦଳ । ସେହିପରି ସନ୍ଧ୍ୟା ୭ଟାରେ ଦ୍ବିତୀୟ ସେମିରେ ଗତଥର ଚାମ୍ପିଅନ ବେଲଜିୟମ ଓ ନେଦାରଲ୍ୟାଣ୍ଡସ ମଧ୍ୟରେ ହେବ ଟକ୍କର ।

ବିଶ୍ବର 4 ଟି ଶ୍ରେଷ୍ଠ ଟିମ ସେମିରେ ପ୍ରବେଶ କରିଛନ୍ତି । ଯେଉଁ ଟିମ ଶ୍ରେଷ୍ଠ ପ୍ରଦର୍ଶନ କରିବ ସେହି ଟିମ ଫାଇନାଲକୁ ଯିବ । ଚଳିତ ବିଶ୍ବକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦାରଲ୍ୟାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ ଫାଇନାଲ ଯିବାର ସମ୍ଭାମନା ଅଧିକ ରହିଛି ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ନବୀନ ନମ୍ବର ଓ୍ବାନ୍

ଭୁବନେଶ୍ବର: ସେଇ ଚମକ, ସେଇ ଲୋକପ୍ରିୟତା । ଏକ୍ ନବୀନ ସବକା ପ୍ୟାରା । ନବୀନ ନମ୍ବର ଓ୍ବାନ୍ । ‘ଇଣ୍ଡିଆ ଟୁଡେ’ ର ମୁଡ ଅଫ ଦ ନେସନ ପୋଲରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଢେର ପଛରେ ପକାଇ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

ଦୀର୍ଘବର୍ଷ କାଳ ଶାସନ କ୍ଷମତାରେ ରହି ମଧ୍ୟ ନବୀନଙ୍କୁ ଭଲପାଇବାରେ ଓଡ଼ିଶାବାସୀ ସାମାନ୍ୟ ଉଣା କରିନାହାନ୍ତି । ତାଙ୍କ ଶାସନରେ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । କଥା ନୁହେଁ କଠିନ ପରିଶ୍ରମରେ ବିଶ୍ବାସ କରୁଥିବା ନବୀନ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କର ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ ।

ମାଗାଜିନ୍ ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ ଦ ନେସନ’ ପୋଲରେ ନବୀନଙ୍କୁ ଅଧିକ ରେଟିଂ ମିଳିଛି । ସେ ୭୩.୨% ଲୋକଙ୍କ ମନ ଜିତି ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ (୬୯.୨%) । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଟପ ଟେନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଥାକ୍ରମେ ଅଛନ୍ତି ଭୂପେଶ ବାଘେଲ (ଛତିଶଗଡ଼), ଶିବରାଜ ସିଂହ ଚୌହ୍ବାନ (ମଧ୍ୟପ୍ରଦେଶ), ପୁଷ୍କର ଧାମୀ (ଉତ୍ତରାଖଣ୍ଡ), ଯୋଗୀ ଆଦିତ୍ୟନାଥ (ଉତ୍ତରପ୍ରଦେଶ), ଏମ କେ ଷ୍ଟାଲିନ (ତାମିଲନାଡୁ), ଭୁପେନ୍ଦ୍ର ପଟେଲ (ଗୁଜୁରାଟ) ଓ ଜଗନ ମୋହନ ରେଡ୍ଡି (ଆନ୍ଧ୍ରପ୍ରଦେଶ) ।

ଇଣ୍ଡିଆ ଟୁଡେର ସର୍ଭେ ହେଉ ଅବା ମୁଡ୍ ଅଫ ଦ ନେସନ, ଅନ୍ୟ ପ୍ରତିଷ୍ଠିତ ମାଗାଜିନ ଓ ସଂସ୍ଥାର ଜନମତ ସର୍ଭେରେ ନବୀନ ସବୁବେଳେ ଶୀର୍ଷରେ ରହି ଆସିଛନ୍ତି । ଓଡ଼ିଶାର ବିକାଶକୁ ମୁଖ୍ୟ ଏଜେଣ୍ଡା ଭାବେ ନେଇ ନବୀନ ଶାସନ ଓ ପ୍ରଶାସନକୁ ଲୋକାଭିମୁଖୀ କରି ସମଗ୍ର ଦେଶ ପାଇଁ ପାଲଟିଛନ୍ତି ରୋଲ ମଡେଲ ।