spot_img
Home Blog Page 37

ବୈଧ ଅଗ୍ନିଶମ ଲାଇସେନ୍ସ ନଥିଲେ ମିଳିବ ଦଣ୍ଡ !

ନନ୍ଦିଘୋଷ ବ୍ୟୁରୋ: ବିନା ଫାୟାର ସେଫ୍ଟି ଲାଇସେନ୍ସରେ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇବା ଏଥର ପଡିବ ମହଙ୍ଗା । ବୈଧ ଅଗ୍ନିଶମ ଲାଇସେନ୍ସ ନଥିଲେ କାର୍ଯ୍ୟାନୁଷ୍ଠାନ । ୪ ହଜାର ୬ ଶହ ୫ ପ୍ରତିଷ୍ଠାନରେ କଡ଼ାକଡ଼ି ଯାଞ୍ଚ । ଖିଲାପି ୩ ହଜାର ୪ ଶହ ୪ ସଂସ୍ଥାକୁ ନୋଟିସ । ୨ଶହ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଓଡିଶାକୁ ୨୦୩୬ ସୁଦ୍ଧା ବିକଶିତ ତଥା ସମୃଦ୍ଧ ରାଜ୍ୟରେ ପରିଣତ ପାଇଁ ସୁରକ୍ଷିତ ଓଡିଶା, ବିକଶିତ ଓଡିଶା ନାଁ ରେ ଚାଲିଥିଲା ଅଭିଯାନ । ସେହି ଅଧୀନରେ ରାଜ୍ୟର ବିଭିନ୍ନ ଆବାସିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବ୍ୟବସାୟିକ ହବ୍ ଓ ଶିଳ୍ପାଞ୍ଚଳରେ ହୋଇଛି କଡାକଡି ଯାଞ୍ଚ । ବଢୁଥିବା ସହରିକରଣ ସହିତ ଉଚ୍ଚ ଅଟ୍ଟାଳିକାରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ବୈଧ ଲାଇସେନ୍ସ, ଅଗ୍ନି ସୁରକ୍ଷା ନିୟମ, ଆବଶ୍ୟକୀୟ ମାନଦଣ୍ଡର ଯାଞ୍ଚ କରାଯାଇଛି । ଅନୁମୋଦିତ ସ୍ୱତନ୍ତ୍ର ନକ୍ସାର ବ୍ୟତିକ୍ରମ କରିଥିବା ୨ ଶହ ପ୍ରତିଷ୍ଠାନକୁ ନୋଟିସ ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଲାଇସେନ୍ସ ଆବଶ୍ୟକ କରୁଥିବା ସମସ୍ତ ପ୍ରତିଷ୍ଠାନର ଏକ ନିର୍ଭରଯୋଗ୍ୟ ଡାଟା ବେସ୍ ପ୍ରସ୍ତୁତ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ଥ୍ରୀଡି ମ୍ୟାପ ଡାଟାବେସ୍ ପ୍ରସ୍ତୁତ କରାଯାଇଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଫାୟାର ସେଫ୍ଟି ସାର୍ଟିଫିକେଟ, ସୁପାରିଶ କିମ୍ବା ଏନଓସି ପାଇଁ 9237046977 ରେ ସାଧାରଣ ଲୋକେ ଏସଏମଏସ୍ କରିପାରିବେ । ସେପଟେ ଆଗାମୀ ଦୁର୍ଗାପୂଜା ଓ ଦଶହରାକୁ ସୁରକ୍ଷିତ ତଥା ଶାନ୍ତିଶୃଙ୍ଖଳାପୂର୍ଣ୍ଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟର ସମସ୍ତ ପୂଜା ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦମକଳ ଗାଡ଼ି, ୫ ହଜାର କର୍ମଚାରୀ ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ନିୟୋଜିତ କରାଯାଇଛି ।

ଅଗ୍ନି ସୁରକ୍ଷା ନିୟମାବଳୀର କଡା ପାଳନ ପାଇଁ ଗତ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିଲା ଏହି ସ୍ୱତନ୍ତ୍ର ଅଭିଯାନ । ଆଗକୁ ମଧ୍ୟ ସରପ୍ରାଇଜ୍ ଚେକିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛି ଅଗ୍ନିଶମ ବିଭାଗ  ।

ଦୁଇ ଗାଁର ନିଆରା ବନ୍ଧୁତା…

ନନ୍ଦିଘୋଷ ବ୍ୟୁରୋ: ଯେଉଁଠି ରକ୍ତ ସଂପର୍କ ଫିକା ପଡେ। ସେଠି ଗାଁ ପାଲଟିଛି ବିପଦ ବେଳର ସାଥୀ। ଆମେ କହୁଛୁ ୨ଟି ଗାଁର କଥା । ଯାହା ବନ୍ଧୁ ଗାଁ ନାମରେ ପରିଚିତ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଆଙ୍କୁଲା ଗାଁ ଓ ନବରଙ୍ଗପୁର ଜିଲ୍ଲା ଦୁଗଲାହାଣ୍ଡି ଗାଁ କାହାଣୀ । ବନ୍ୟା ଦ୍ୱାରା ସମାନ ଭାବେ ପ୍ରଭାବିତ ହୋଇଥିଲେ ଦୁଇ ଗାଁ। ବିପଦ ଉଭୟଙ୍କ ପାଇଁ ବି ସମାନ ଥିଲା । କିନ୍ତୁ  ନିଜେ ବିପଦରେ ରହି ମଧ୍ୟ ନିଜ ବନ୍ଧୁକୁ ଭୁଲି ନଥିଲେ ଉଭୟ ଗ୍ରାମବାସୀ। ବାଧକ ସାଜିଥିବା ଉଛଳା ନଦୀ ପାର କରି ବନ୍ଧୁ ଗାଁର ବିପଦରେ ଛିଡା ହୋଇ ସହଯୋଗର ହାତ ବଢ଼ାଇଥିଲେ । ଚାଉଳ, ଡାଲି, ପରିବା, ଚୁଡ଼ା, କଦଳୀ, ବିସ୍କୁଟ୍, ମିକ୍ସର, ପାଣି ବୋତଲ ଓ କମ୍ବଳ ଧରି ପହଞ୍ଚିଥିଲେ ଆଙ୍କୁଲା ଗ୍ରାମବାସୀ । ସେମାନଙ୍କ ଗୋଡ଼ ଧୋଇ, ମଥାରେ ଚନ୍ଦନ ଲଗାଇ ସ୍ବାଗତ କରିଥିଲେ ଦୁଗଲାହାଣ୍ଡି ଗ୍ରାମବାସୀ । ବଡ଼ମାନଙ୍କ ପାଦ ଛୁଇଁ ଛୋଟମାନେ ଜୁହାର ହୋଇଥିଲେ। କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଭାବବିହ୍ବଳ ପରିବେଶ ।

ଆଜିକାଲିର ଡିଜିଟାଲ୍ ଯୁଗରେ କିଏ କାହାକୁ ଛୋଟିଆ ସାହାଯ୍ୟଟିଏ କଲେ, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଛାଇ ଯାଉଛି। ହେଲେ ଏଠିକାର ଚିତ୍ର ସଂପୂର୍ଣ୍ଣ ଅଲଗା। ପୂର୍ବ ପୁରୁଷ ଅମଳରୁ ୨ ଗାଁ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯାନିଯାତ୍ରା ସୁଖ ଦୁଃଖରେ ସାମିଲ ହେଉଥିଲେ ଉଭୟ ଗ୍ରାମବାସୀ । ଯେଉଁ ପରମ୍ପରାକୁ ଆଜି ମଧ୍ୟ ବଜାୟ ରଖିଛନ୍ତି ଗ୍ରାମବାସୀ। ଦୁଇ ଗାଁରେ ହେଉଥିବା ଯାନିଯାତ୍ରା ସୁଖ ଦୁଖରେ ପରସ୍ପର ସାମିଲ ହେଉଛନ୍ତି । ଯାହା ସେମାନଙ୍କ ସଂପର୍କକୁ ଆହୁରି ନିବିଡ଼ କରିଛି।  ଯେଉଁଠି ପରିବାର ମଧ୍ୟରେ ତିକ୍ତତା  ଓ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ସେଇଠି ଏହି ଦୁଇ ଗାଁ ମଧ୍ୟରେ ଥିବା ବନ୍ଧୁତ୍ବ ପରମ୍ପରା ଅନ୍ୟଙ୍କ ପାଇଁ ଉଦାହରଣ ନିଶ୍ଚିତ।

ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ !

ନନ୍ଦିଘୋଷ ବ୍ୟୁରୋ: ଭଙ୍ଗା ଦଦରା ଝାଟିମାଟି ଘର ।  ଛପର କରିବାକୁ ଅଣ୍ଟାରେ ନାହିଁ ସମ୍ବଳ । ମୁଣ୍ଡ ଉପରେ ଛିଣ୍ଡା ପଲିଥିନ ।  ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି । ସାପ ବେଙ୍ଗ ପସିବାର  ଭୟ । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି  ଭଦ୍ରକ ବାସୁଦେବପୁର ବ୍ଲକ ବିଷ୍ଣୁବିନ୍ଧା ଗାଁର ବୃଦ୍ଧା ତୁଳସୀ ସିଂ  । ଚାଲିବାକୁ ବଳ ନାହିଁ । ବୟସ ସତୁରୀ  ଟପିଲାଣି  । ଆଶାବାଡ଼ି ସାଜିଛି ଖଣ୍ଡେ ପ୍ଲାଷ୍ଟିକ ଚେୟାର । ତାହାକୁ ଆଶ୍ରା କରି ଗୁରୁଣ୍ଡି ଗୁରୁଣ୍ଡି  ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ପହଞ୍ଚିଥିଲେ । ହେଲେ ପହଞ୍ଚିଲା ବେଳକୁ ଶୁଣାଣି ଶେଷ ହୋଇଥିଲା । ଜିଲ୍ଲାପାଳଙ୍କ ଦେଖା ନପାଇ ନିରାଶ ହୋଇ ଫେରିଥିଲେ ତୁଳସୀ ।

ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ମାଳ ମାଳ ଯୋଜନା  କାହା ପାଇଁ ? ତୁଳସୀଙ୍କୁ କାହିଁକି ମିଳୁନି ଘର ଖଣ୍ଡେ ?  ପ୍ରକୃତ ହିତାଧିକାରୀଙ୍କୁ ପକ୍କା ଘର ମିଳୁନଥିବା ବେଳେ ନିୟମର ଗଳାବାଟ ଦେଇ ଫାଇଦା ମାରି ନେଉଛନ୍ତି ଥିଲାବାଲା । ଆଉ ଗରିବଙ୍କ ପାଇଁ ଛିଣ୍ଡା ପଲିଥିନ୍ ପାଲଟିଛି ସାହା ଭରସା । ସେପଟେ PEO ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି,  ରିପୋର୍ଟ ଆସିଲେ ତୁଳସୀଙ୍କୁ ସମସ୍ତ ପ୍ରକାର ସରକାରୀ  ସହାୟତା ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି ।

ତେବେ ଏ ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଖବର ସାମ୍ନାକୁ ଆସି ସାରିଛି । ଆଉ ହୁଏତ ଆଗକୁ ମଧ୍ୟ ଆସିବ । କିନ୍ତୁ ଏମିତି କେତେ ଦିନ ? ଗରିବଙ୍କ ତଣ୍ଟି ଚିପି କେତେ ଦିନ ଏମିତି ତେଲିଆ ମୁଣ୍ଡରେ ତେଲ ଢାଲୁଥିବେ ସରକାର ? ତେଣୁ ଏ ଦିଗରେ ବିଶେଷ ଧ୍ୟାନ ଦେବା ନିହାତି ଦରକାର ।

ବୁଢାରଜାଙ୍କୁ ବାହା ହେଲେ ଦେବୀ ଦ୍ୱାରସେନୀ

ନନ୍ଦିଘୋଷ ବ୍ୟୁରୋ: ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପୁଛି ପରିବେଶ। ଭକ୍ତି ଓ ପରମ୍ପରାର ଅପୂର୍ବ ସଙ୍ଗମ। ବଲାଙ୍ଗୀର ସିନ୍ଧେକେଲାର ଇଷ୍ଟଦେବୀ ମାଁ ଦ୍ୱାରସେନୀଙ୍କ ଯାତ୍ରା ବା ଡେଙ୍ଗସରଗି  ଯାତ୍ରା ପାଳିତ ହୋଇଛି । ଇଚଗାଁର ଦେବୀ ଦ୍ୱାରସେନୀ ବୁଢାରଜାଙ୍କୁ ବାହା ହୋଇ ସିନ୍ଧେକେଲାକୁ ବୋହୂ ରୂପରେ ଗଲା ପରେ ଆରମ୍ଭ ହୋଇଛି ସିନ୍ଧେକେଲାରେ ଦଶହରା । ଏହି ବିବାହରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ପ୍ରଥମେ ଦେବୀ ସିନ୍ଧକେଲାର ଦ୍ୱାରସେନୀ ମନ୍ଦିରରେ ପୂଜାର୍ଚ୍ଚନା କରି ସାରିବା ପରେ ହଜାର ହଜାର ବରଯାତ୍ରୀଙ୍କ ଗହଣରେ ୯ କିଲୋମିଟର ଦୂର  ଇଚଗାଁକୁ  ଚାଲିଚାଲି ବାହାରିଥିଲେ । ଏହି ବରଯାତ୍ରୀରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ବିଶ୍ବାସ ରହିଛି ଭକ୍ତିର ସହ ଦେବୀଙ୍କ ନିକଟରେ ଯେ ଯାହା ମନାସେ ତାହା ଦେବୀ ପୂରଣ କରନ୍ତି ।

ଏହି ପରମ୍ପରା କାହିଁ କାହିଁ କେଉଁ କାଳରୁ ଚାଲି ଆସିଛି । ଦେବୀଙ୍କ ବିବାହ ବା ଡେଙ୍ଗସରଗି ଯାତ୍ରା ହୋଇସାରିବା ପରେ ଦେବୀ ସିନ୍ଧେକେଲାକୁ ଫେରନ୍ତି ଓ ଦଶମୀ ଦିନ ନଗର ଭ୍ରମଣ କରନ୍ତି । ଏହାକୁ ବଏଲ ଯାତ୍ରା ମଧ୍ୟ କୁହାଯାଏ । ଅପୁତ୍ରିକ ମାଁଙ୍କ ପାଖକୁ ଆସିଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି।

ମୁହଁ ଖୋଲିଲେ ଡିକେ ଶିବକୁମାର ! କହିଲେ, ରାହୁଲ ଗାନ୍ଧୀ ମୋର ଅପମାନ….

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ‘‘ମାର୍ଚ୍ଚ ଫର୍ ଡେମୋକ୍ରାସି’’ ସମୟରେ ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏକ ଭିଡିଓ ଏବେ ରାଜନୈତିକ ବିତର୍କ ସୃଷ୍ଟି କରିଛି । ଏହି ଭିଡିଓକୁ ନେଇ ରାହୁଲ ଗାନ୍ଧୀ ଡିକେ ଶିବକୁମାରଙ୍କୁ ଅପାମନିତ କରିଥିବା ଅଭିଯୋଗ କରିଛି ବିଜେପି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବେ ନିଜେ ଏହି ବିବାଦର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କେବଳ ତାଙ୍କ ସୁରକ୍ଷା ବିଷୟରେ ଚିନ୍ତା କରି ପ୍ରତିବାଦ ସମୟରେ ତାଙ୍କ ଗାଡିକୁ ଫେରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଏହି ପ୍ରସଙ୍ଗକୁ ଅଯଥା ରାଜନୀତିକରଣ କରାଯାଉଛି ।

ଦିଲ୍ଲୀରେ ‘‘ମାର୍ଚ୍ଚ ଫର୍ ଡେମୋକ୍ରାସି’’ ସମୟରେ ରାହୁଲ ଗାନ୍ଧୀ ତାଙ୍କୁ ଅପମାନିତ କରିଥିବା ଅଭିଯୋଗକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଖଣ୍ଡନ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରୟା ଦେଇ ଶିବକୁମାର କହିଛନ୍ତି ଯେ, ରାହୁଲ ଗାନ୍ଧୀ ହେଉଛନ୍ତି ସେହି ନେତା, ଯିଏ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ପାଖରେ ଅପାର ମାନବୀୟ କରୁଣା ଏବଂ ଶକ୍ତି ଅଛି । ସେ କେବଳ ମୋତେ ବସ୍ ରେ ବସିବାକୁ କହିଥିଲେ । ହେଲେ ବିଜେପି ଏହି ଛୋଟ ପ୍ରସଙ୍ଗକୁ ରାଜନୈତିକ ବିବାଦରେ ପରିଣତ କରିବାକୁ ଚେଷ୍ଟା କରୁଛି ।

କହିରଖୁଛୁ ଯେ, ବିଜେପି ବିଭିନ୍ନ ରାଜ୍ୟରେ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛି । ଯେଉଁଥିରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ରାଲି ସମୟରେ  ଡିକେ ଶିବକୁମାରଙ୍କ କୁର୍ତ୍ତା ଟାଣି ତାଙ୍କୁ ଭିଡ ଭିତରକୁ ଠେଲି ଦେଇଥିଲେ । ଯାହାକୁ କେବଳ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ରାଜ୍ୟବାସୀଙ୍କ ପ୍ରତି ମଧ୍ୟ ଅପମାନ ବୋଲି ଅଭିଯୋଗ କରିଛି ବିଜେପି । ଏହି ବିବାଦ ମୁଣ୍ଡ ଟେକିବା ପରେ ଡିକେ ଶିବକୁମାର ଅକ୍ଟୋବର ୧୩ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାର ଏକ ବିସ୍ତୃତ ବିବୃତ୍ତି ଜାରି କରିଥିଲେ । ସେ ଲେଖିଥିଲେ ଯେ, ଗଣତନ୍ତ୍ର ଏବଂ ଭୋଟ୍ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆୟୋଜିତ ପ୍ରତିବାଦରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ । ସେହି ସମୟରେ ତାଙ୍କ ସୁରକ୍ଷା ପାଇଁ ଚିନ୍ତିତ ରାହୁଲ ଗାନ୍ଧୀ ତାଙ୍କୁ ତାଙ୍କ ଗାଡିକୁ ଫେରିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଶିବକୁମାର କହିଥଲେ, ‘‘ ଆମର ଲଢେଇ ଗତଣନ୍ତ୍ର ପାଇଁ, ଧ୍ୟାନ ହଟାଇବା ପାଇଁ ନୁହେଁ । ଆମର ସମ୍ପର୍କ ବିଶ୍ବାସ , ସ୍ନେହ ଏବଂ ପାରିବାରିକ ଭାବନା ଉପରେ ଆଧାରିତ । ଏକ ୧୦ ସେକେଣ୍ଡର ଭିଡିଓ ପୂରା କାହାଣୀ କହିପାରିବ ନାହିଁ ।’’

 

 

 

କୋଟିଆରେ ଆନ୍ଧ୍ର ନିର୍ବାଚନ ଅଭିଯୋଗ, ନିଦା ବିଷ୍ଣୁ ସାଜିଛନ୍ତି ସରକାର

କୋଟିଆରେ ଆନ୍ଧ୍ର ନିର୍ବାଚନ ଅଭିଯୋଗ, ନିଦା ବିଷ୍ଣୁ ସାଜିଛନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଯାଉଥିବା ଅଭିଯୋଗ। ନିର୍ବାଚନ ନେଇ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିଛି।  ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ଯାହା କହିଥିଲା, ତାହା ମନେ ନାହିଁ। ସରକାର କେବଳ ନିଜ ଦଳର ଆତ୍ମ ପ୍ରଚାର କରିବାରେ ଲାଗିଛନ୍ତି। ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସେମାନଙ୍କର ମନେ ନାହିଁ। କୋଟିଆ ଉପରେ ଆନ୍ଧ୍ର ଏପରି ଅଧିକାର ଜାହିର କରିବାକୁ ଚାହୁଁଛି। କିନ୍ତୁ ସରକାର ନିଦା ବିଷ୍ଣୁ ହୋଇ ବସିଛନ୍ତି।

ଏନେଇ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଚିଠି ଲେଖି କହିଛନ୍ତି, ଆନ୍ଧ୍ର ସବୁବେଳେ କୋଟିଆରେ ହସ୍ତକ୍ଷେପ କରି ସେଠାର ପ୍ରାଶାସନିକ ବ୍ୟାପାରରେ ଗୋଳମାଳ କରୁଛି। କେନ୍ଦ୍ର ସରକାର ଓ ଆମ ରାଜ୍ୟ ସରକାର ଏହା ଉପରେ ହସ୍ତକ୍ଷେପ କରି ଦୃଢ ପଦକ୍ଷେପ ଦିଅନ୍ତୁ। ଆନ୍ଧ୍ରର ପଂଚାୟତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଓଡିଶା ସରକାର ପଦକ୍ଷେପ ନିଅନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ ବୋଲି ସୁରେଶ ପୂଜାରୀଙ୍କ ନିକଟରେ ଦାବି କରିଛନ୍ତି ରବି ବେହେରା। ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଆନ୍ଧ୍ର ସରକାର ଚଞ୍ଚକତା କରୁଛି। ଏହାକୁ ଓଡିଶା ବରଦାସ୍ତ କରିବ ନାହିଁ । କୋଟିଆରେ ପଂଚାୟତ ନିର୍ବାଚନ ଓଡିଶା ସରକାର କରାଇଦେବେ ନାହିଁ।

ଆଜିଠୁ ଭାରତ- ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍

ଆଜିଠୁ ଭାରତ- ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଆରମ୍ଭ ହେବ ଏକ ନୂଆ ଯୁଗ । ଯାହାକୁ ‘ସ୍ମୃତି ମନ୍ଧାନାଙ୍କ ଯୁଗ’ ବୋଲି କୁହାଯାଉଛି। ହରମନପ୍ରୀତ କୌର ଅଧିନାୟକ ପଦ ଛାଡ଼ିବା ପରେ ମନ୍ଧାନାଙ୍କୁ ଭାରତୀୟ ମହିଳା ଦଳର ଅଧିନାୟକ ଦାୟିତ୍ୱ ମିଳିଛି । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜିଠାରୁ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ କରିବ । ପ୍ରକାଶ ଥାଉ କି, ଏହା ପୂର୍ବରୁ ମନ୍ଧାନା ହରମନପ୍ରୀତଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି । ତେବେ ଦଳର ଫୁଲ ଟାଇମ୍ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ହୋଇଥିବାରୁ ସମସ୍ତ ନଜର ରହିବ । ଆଜି ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ତେବେ ପ୍ରଥମ ଥର ପାଇଁ ଉଭୟ ଦଳ ଦ୍ବିପାକ୍ଷିକ ସିରିଜରେ ପରସ୍ପରକୁ ଭେଟିବେ ।

ଏସୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତ ଅନ୍ତର୍ଜାତୀୟ ସ୍ତରରେ (ଟି-୨୦ କ୍ରିକେଟ୍)ରେ ପଛୁଆ ରହିଛି । ବାରମ୍ବାର ଟି-୨୦ ବିଶ୍ବକପ୍ ରୁ ଭାରତର ବିଦାୟ ଏହାର ଏକ ଜ୍ବଳନ୍ତ ଉଦାହରଣ । ତେବେ ଗତ ବର୍ଷ ନିଜ ଦେଶରେ ଆୟୋଜିତ ମହିଳା ଦିନିକିଆ ବିଶ୍ବକପ ହାତେଇଥିଲା ଦଳ । କିନ୍ତୁ ଫିଲ୍ଡିଂ ଦଳ ପାଇଁ ଚିନ୍ତା ବଢାଇଛି । ଦୁର୍ବଳ ଫିଲ୍ଡିଂ କାରଣରୁ ନିକଟ ଅତୀତରେ ବହୁ ମ୍ୟାଚ୍ ହାରିଛି ଭାରତ । ତେବେ ଏଥିରେ ଦଳକୁ ବିଶେଷ ଦୃଷ୍ଟି ଦେବାକୁ ହେବ । ସ୍ପିନ୍ ବିଭାଗରେ ଭାରତର ଶକ୍ତି ରହିଛି । ତେବେ ଟି-୨୦ ସିରିଜ ପରେ ଉଭୟ ଦଳ ମଧ୍ୟରେ ଭଦୋଦରାଠାରେ ୩ ମ୍ୟାଚ୍ ବିଶିଷ୍ଚ ଦିନିକିଆ ସିରିଜ ଖେଳାଯିବ ।

 

ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ସରକାରଙ୍କ ବଡ ଚାଲ୍ !

ନନ୍ଦିଘୋଷ ବ୍ୟୁରୋ: ସଂସଦର ସ୍ବତନ୍ତ୍ର ଅଧିବେଶନକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ମାସରେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହିତ ଜଡିତ ସାମ୍ବିଧାନିକ ସଂସୋଧନ ବିଲ୍ ପାସ୍ କରିବା ପାଇଁ ସରକାର ଏହି ଅଧିବେଶନ ଡାକିବାକୁ ଯୋଜନା କରିଛନ୍ତି କିନ୍ତୁ, ଏପର୍ଯ୍ୟନ୍ତ ମୌସୁମୀ ଅଧିବେଶନକୁ ସ୍ଥଗିତ ରଖିନାହାନ୍ତି ।

ଏହି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାସ୍ କରିବା ପାଇଁ ଶାସକ ଦଳ ପାଖରେ ଆବଶ୍ୟକ ସଂଖ୍ୟା ଥିବା ବିଶେଷ ସୂତ୍ରରୁ ଜଣାଡିଛି  । ତଥାପି ସୀମା ନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ପ୍ରସଙ୍ଗରେ ବ୍ୟାପକ ରାଜନୈତିକ ସହମତି ହାସଲ କରିବାକୁ କଳେ ବଳେ କୌଶଳେ ଚେଷ୍ଟା ଚଲାଇଛି ଶାସକ ଦଳ ।   କେବଳ କିଛି ସହଯୋଗୀ ଦଳ ନୁହେଁ ବରଂ ଅନ୍ୟ ଛୋଟ ଛୋଟ ବିରୋଧୀ ଦଳଗୁଡିକ ସହିତ ମଧ୍ୟ ସରକାର ଆଲୋଚନା କରୁଛନ୍ତି ।  ଲୋକସଭାରେ ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବାରେ ବିଫଳ ହେବାର ମାସକ ପରେ ଏବେ ବିଲ୍ ଗୁଡିକୁ ସଂସଦକୁ ଫେରାଇ ଆଣିବାକୁ ପୂର୍ବ ଅପେକ୍ଷା ବ୍ୟାପକ ରାଜନୈତିକ ସମର୍ଥନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଶାସକ ବିଜେପି  । ପୂର୍ବରୁ ସୀମା ନିର୍ଦ୍ଧାରଣ ଉପରେ ଅନେକ ଦଳ ଯେଉଁ ପ୍ରତିରୋଧ ପ୍ରକାଶ କରିଥିଲେ, ବିଶେଷକରି ଜନସଂଖ୍ୟା ଆଧାରିତ ଆସନ ପୁନଃବଣ୍ଟନ ଦକ୍ଷିଣ ରାଜ୍ୟଗୁଡିକର ରାଜେନୖତିକ ପ୍ରତିନିଧିତ୍ବକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ବଢିଛି ।

ଯେହେତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନକୁ ଆନୁଷ୍ଠାନିକ ଭାବରେ ସ୍ଥଗିତ ରଖି ନାହାନ୍ତି, ତେଣୁ ଏହି ସମ୍ଭାବନା ଏବେ ଅଧିକ ଦୃଢୀଭୂତ ହୋଇଯାଇଛି । ସଂସଦୀୟ ପ୍ରକ୍ରିୟାର ବିଶେଷଜ୍ଞମାନେ ଏହାକୁ ଏକ ସମ୍ଭାବ୍ୟ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତୁତିର ସଙ୍କେତ ଭାବରେ ଦେଖୁଛନ୍ତି । ସୂଚନା ଅନୁସାରେ, ଅକ୍ଟୋବର ୨୬-୨୭ ତାରିଖରେ ସମ୍ବିଧାନ ସଦନରେ ଆୟୋଜିତ ହେବାକୁ ଥିବା ଦ୍ବାଦଶ ବ୍ରିକ୍ସ ସଂସଦୀୟ ଫୋରମକୁ ଦୃଷ୍ଟିରେ ରଖି ସଂସଦର ଏହି ସ୍ବତନ୍ତ୍ର ଅଧିବେଶନର ତାରିଖ ନିର୍ଣ୍ଣୟ କରାଯାଇପାରେ । ତେବେ ଯଦି ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ନିଷ୍ପତ୍ତି ନିଆଯାଏ, ତାହା ହେଲେ ସାଂସଦମାନଙ୍କୁ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ନୋଟିସ ଜାରି କରାଯାଇପାରେ ।

ସିଜେପି ପାଇଁ ରାଜଧାନୀରେ ଲାଗିଲା ୧୬୩ ଧାରା !

ନନ୍ଦିଘୋଷ ବ୍ୟୁରୋ: ସିଜେପି ପାଇଁ ଥରହର ଦିଲ୍ଲୀ ପୋଲିସ । ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ବଡ ଧରଣର ପରିବର୍ତ୍ତନ  । ୨୧ ରୁଟ୍ ରେ ଗାଡି ଚଳାଚଳ ମନା ! ଶୁକ୍ରବାର ଦିଲ୍ଲୀ କନ୍ନଟ୍ ପ୍ଲେସ ନିକଟସ୍ଥ ସେଣ୍ଟ୍ରାଲ ପାର୍କରେ ଏକ ତ୍ରିରଙ୍ଗା ରାଲି ଆୟୋଜନ କରିଛି କକ୍ରୋଚ ଜନତା ପାର୍ଟି । ଯଦିଓ ଦିଲ୍ଳୀ ପୋଲିସ ଏଥିପାଇଁ ଅନୁମତି ଦେଇନାହିଁ, ତଥାପି ସୁରକ୍ଷା ଦୃଷ୍ଟିରୁ କନ୍ନଟ୍ ପ୍ଲେସରେ ୧୬୩ ଧାରା ଲାଗୁ କରାଯାଇଛି ।  ସେହିଭଳି ମେଟ୍ରୋ ଷ୍ଟେସନଗୁଡିକରେ ବି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଫଲରେ ଆଜି ଟ୍ରାଫିକ୍ ଉପରେ ବଡ ପ୍ରଭାବ ପଡିପାରେ ।   ଦିଲ୍ଳୀ ପୋଲିସ କର୍ମଚାରୀମାନେ ସକାଳଠାରୁ କନ୍ନଟ୍ ପ୍ଲେସରୁ ଜନପଥ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛି । ଏହାସହ ପ୍ରଦର୍ଶକାରୀଙ୍କୁ ପୋଲିସ ନିୟମ ପାଳନ କରିବାକୁ ନିବେଦନ କରିଛି ।

କନ୍ନଟ୍ ପ୍ଲେସର ସେଣ୍ଟ୍ରାଲ ପାର୍କ, ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ଏବଂ ମଣ୍ଡି ହାଉସ୍ ଷ୍ଟେସନରେ ନୂତନ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାସହିତ, ନୂଆଦିଲ୍ଲୀ ଏବଂ ତାର ଆଖପାଖ ଅଞ୍ଚଳରେ ୨୫,୦୦୦ ରୁ ଅଧିକ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିବା ସୁଚନା ମିଳିଛି । ସମଗ୍ର ଅଂଚଳରେ ଯେକୌଣସି ବଡ ଧରଣର ପ୍ରତିବାଦ, ସ୍ଲୋଗାନ କିମ୍ବା ପାଞ୍ଚ ଜଣରୁ ଅଧିକ ଲୋକଙ୍କ ସମାବେଶ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ସେହିପରି କନ୍ନଟ୍ ପ୍ଲେସ ନିକଟରେ ୬,୦୦୦ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରଯାଇଛି । କେବଳ ସେତିକି ନୁହେଁ, ସିଜେପି ପ୍ରତିବାଦ ପୂର୍ବରୁ ସୁରକ୍ଷା ଏବଂ ପ୍ରଶାସନିକ କାରଣ ଦର୍ଶାଇ କନ୍ନଟ ପ୍ଲେସର ମଧ୍ୟଭାଗରେ ଅବସ୍ଥିତ ସେଣ୍ଟ୍ରାଲ ପାର୍କକୁ ଅକ୍ଟୋବର ୧୬ ଏବଂ ୧୭ ତାରିଖ ଦୁଇ ଦିନ ବନ୍ଦ କରିବାକୁ ନୂଆଦିଲ୍ଲୀ ପୌର ପରିଷଦ ନିଷ୍ପତ୍ତି ନେଇଛି । ଆଜି ଏହା ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ପାର୍କର ଚାରିପାଖରେ ବ୍ୟାରିକେଡ୍ ମଧ୍ୟ ନିର୍ମାଣ କରାଯାଇଛି ।

ଏହି ପଦଯାତ୍ରା ପାଇଁ ପୋଲିସ ଆଲର୍ଟରେ ଥିବା ବେଳେ ଆଖପାଖ ଅଞ୍ଚଳରେ ଅପରାହ୍ନ ୩ଟାରୁ ପ୍ରବଳ ଟ୍ରାଫିକ ଜାମ୍ ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ୨୧ ଟି ରୁଟ୍ ପରିବର୍ତ୍ତନ ପାଇଁ ଯୋଜନା ରହିଛି । ଏହି ଅନୁସାରେ,ସଂସଦ ମାର୍ଗ, ବାବା ଖଡକ ସିଂହ ମାର୍ଗ, ମିଣ୍ଟୋ ରୋଡ୍, ବାରଖମ୍ବା ରୋଡ୍, ଜନପଥ, କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଡିଡିୟୁ ମାର୍ଗ ଭଳି ବ୍ୟସ୍ତବହୁଳ ରାସ୍ତାରେ ଟ୍ରାଫିକକୁ ପରିବର୍ତ୍ତନ କରାଯାଇପାରେ ।  ସେହିଭଳି ରାଜୀବ ଚୌକ, ପଟେଲ, ଜନପଥ ମଣ୍ଡୀ ହାଉସ୍ ସମେତ ନିକଟବର୍ତ୍ତୀ ମେଟ୍ରୋ ଷ୍ଟେସନଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେଣୁ ଅଫିସରୁ ଘରକୁ ଫେରୁଥିବା ଏବଂ ପଦଯାତ୍ରୀମାନଙ୍କୁ ଏହି ରାସ୍ତାରେ ଯିବାକୁ ବାରଣ କରିଛି ପୋଲିସ  । ଯଦି ଆବଶ୍ୟକ ହୁଏ, ତେବେ ଜାମ୍ କୁ ଏଡାଇବା ପାଇଁ ସଡକ ପରିବହନ ପରିବର୍ତ୍ତେ ମେଟ୍ରୋର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

 

 

୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତା ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି । କ୍ରମାଗତ ଭାବେ ୫ ଥର ନିର୍ବାଚିତ ହୋଇ ୨୦୦୦ରୁ ୨୦୨୪ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ ଏହି ନବୀନ।

ଜନ୍ମଦିନ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିନନ୍ଦନ ଜଣାଇବା ସହ ନବୀନଙ୍କ ନିରାମୟ ଓ ସୁଖମୟ ଜୀବନ କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ତେଣେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ନେଇ ନବୀନ ନିବାସରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।  ସେପଟେ ବ୍ରହ୍ମପୁର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା, ବରିଷ୍ଠ ନେତା, ବ୍ରହ୍ମପୁର ମେୟର, କର୍ପୋରେଟର ସହ ବିଜୁ ପରିବାର ତରଫରୁ ଦୀପ ଲଗାଯାଇଛି। ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଦୀପ ଲଗାଇ ସେମାନେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନ ପକ୍ଷରୁ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ପ୍ରଦର୍ଶିତ କରାଯିବା ସହ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରାଯାଇଛି।