spot_img
Home Blog Page 38

୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତା ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି । କ୍ରମାଗତ ଭାବେ ୫ ଥର ନିର୍ବାଚିତ ହୋଇ ୨୦୦୦ରୁ ୨୦୨୪ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ ଏହି ନବୀନ।

ଜନ୍ମଦିନ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିନନ୍ଦନ ଜଣାଇବା ସହ ନବୀନଙ୍କ ନିରାମୟ ଓ ସୁଖମୟ ଜୀବନ କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ତେଣେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ନେଇ ନବୀନ ନିବାସରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।  ସେପଟେ ବ୍ରହ୍ମପୁର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା, ବରିଷ୍ଠ ନେତା, ବ୍ରହ୍ମପୁର ମେୟର, କର୍ପୋରେଟର ସହ ବିଜୁ ପରିବାର ତରଫରୁ ଦୀପ ଲଗାଯାଇଛି। ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଦୀପ ଲଗାଇ ସେମାନେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନ ପକ୍ଷରୁ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ପ୍ରଦର୍ଶିତ କରାଯିବା ସହ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରାଯାଇଛି।

ଆମେରିକା ସ୍କୁଲରେ ଗୁଳିକାଣ୍ତ, ୩ ଶିଶୁଙ୍କ ସମେତ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ସ୍କୁଲରେ ଗୁଳିକାଣ୍ତ । ଗୁରୁବାର ୱେଷ୍ଟ ଆମେରିକା ଓରେଗନ୍ ବେଣ୍ତ ସହର ସ୍ଥିତ ‘ସିଲଭର ରେଲ ଏଲିମେଣ୍ଟାରୀ ସ୍କୁଲ୍’ରେ ଗୁଳିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗୁଳିକାଣ୍ତରେ ୩ ଜଣ ନିରୀହ ଶିଶୁଙ୍କ ସମେତ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁମାନଙ୍କ ବୟସ ୫, ୮ ଓ ୧୧ ବର୍ଷ ବୋଲି ପୋଲିସ କହିଛି । ଏହା ସହ ଜଣେ ଶିଶୁ ଓ ଶିକ୍ଷକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଗୁଳିକାଣ୍ଡ ଘଟାଇଥିବା ଆକ୍ରମଣକାରୀକୁ ଜଣେ ସ୍ଥାନୀୟ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗୁଳିକାଣ୍ତ ପରେ ‘ସିଲଭର ରେଲ ଏଲିମେଣ୍ଟାରୀ ସ୍କୁଲ୍’ର କିଣ୍ଡରଗାର୍ଡେନ୍ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବସ୍‌ ଯୋଗେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପରିବାର ଲୋକଙ୍କ ନିକଟରେ ଛଡ଼ାଯାଇଥିଲା ।

ପୋଲିସର କହିବା ଅନୁଯାୟୀ, ଜଣେ ସ୍ଥାନୀୟ ବ୍ୟକ୍ତି ଆକ୍ରମଣକାରୀକୁ ସ୍କୁଲ ଭିତରକୁ ପ୍ରବେଶ କରୁଥିବା ଦେଖି ତା’ର ପିଛା କରିଥିଲେ। ପରେ ତାଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ସେହି ବ୍ୟକ୍ତିଙ୍କ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା। ଓରେଗନ୍ ଗଭର୍ଣ୍ଣର ଟିନା କୋଟେକ୍ ଏହି ବ୍ୟକ୍ତିଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଆକ୍ରମଣକାରୀର ପରିଚୟ, ସ୍କୁଲ ସହ ତା’ର କୌଣସି ସମ୍ପର୍କ ଥିଲା କି ନାହିଁ ଓ ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ପୋଲିସ ତଦନ୍ତ କରୁଛି । ଏଥିରେ ଆମେରିକାର ଫେଡେରାଲ୍ ତଦନ୍ତ ସଂସ୍ଥା FBI ମଧ୍ୟ ସହଯୋଗ କରୁଛି।

 

ନବରାତ୍ରୀର ଷଷ୍ଠ ଦିନ: ‘କାତ୍ୟାୟନୀ’ ବେଶରେ ଦର୍ଶନ ଦେବେ କାକଟପୁର ମଙ୍ଗଳା

ନବରାତ୍ରୀର ଷଷ୍ଠ ଦିନ: ‘କାତ୍ୟାୟନୀ’ ବେଶରେ ଦର୍ଶନ ଦେବେ କାକଟପୁର ମଙ୍ଗଳା

ନନ୍ଦିଘୋଷ ବ୍ୟୁରୋ: ଶକ୍ତି ଆରାଧନାର ମହାପର୍ବ ଶାରଦୀୟ ନବରାତ୍ରୀର ଆଜି ଷଷ୍ଠ ଦିନ। ଶକ୍ତିପୀଠ କାକଟପୁରରେ ଛୁଟିଛି ଭକ୍ତଙ୍କ ସୁଅ । ପ୍ରାଚୀତଟ ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ପ୍ରତିଦିନ ନୂଆ ବେଶ, ନୂଆ ରୂପରେ ଦର୍ଶନ ଦେଉଛନ୍ତି ମା’। ଗୁରୁବାର ପଞ୍ଚମ ଦିନରେ ବିଳମ୍ବିତ ରାତିରେ ମା’ ମଙ୍ଗଳା ତୀରକମାଣ ବେଶରେ ଦର୍ଶନ ଦେଇଥିଲେ। ଆଜି ବିଳମ୍ବିତ ରାତିରେ ଅନୁଷ୍ଠିତ ହେବ ମା’ ମଙ୍ଗଳାଙ୍କ କାର୍ତ୍ତିକ ଖର୍ପର ବେଶ। ଯାହାକୁ ସାଧାରଣରେ ‘କାତ୍ୟାୟନୀ’ ବେଶ ବୋଲି କୁହାଯାଏ।

ଶାରଦୀୟ ନବରାତ୍ରୀର ଷୋଡ଼ଶ ଉପଚାର ପୂଜାରେ କରାଯାଉଥିବା ବିଭିନ୍ନ ଦୁର୍ଲଭ ବେଶ ମଧ୍ୟରେ କାତ୍ୟାୟନୀ ରୂପ ଅନ୍ୟତମ ଓ ଅତି ବିଶେଷ। ବିଶ୍ୱାସ ରହିଛି ଯେ, ଖର୍ପର ଓ କାତି ଧାରଣ କରି ମା’ ଭକ୍ତମାନଙ୍କର ସମସ୍ତ ବିପଦ, ଅଶୁଭ ଶକ୍ତି ଓ ଦୁଃଖକୁ ନାଶ କରିଥାନ୍ତି। ଏହି ବେଶ ଦର୍ଶନ କଲେ ଶତ୍ରୁ ନାଶ ହୁଏ ଓ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ତେଣୁ ପ୍ରତିବର୍ଷ ଏହି ବେଶ ଦେଖିବାକୁ ରାତିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଆଜି ପ୍ରାତଃରୁ ମନ୍ଦିରରେ ମଙ୍ଗଳ ଆଳତି, ମଇଲମ୍, ଅବକାଶ, ବଲ୍ଲଭ ସହ ବିଭିନ୍ନ ନୀତିକାନ୍ତି ପରେ ଷଷ୍ଠ ଦିନର ପୂଜା ଆରମ୍ଭ ହୋଇଛି। ମା’ଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି।ଏ ନେଇ ମଙ୍ଗଳା ମନ୍ଦିର ସାମ୍ନାରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମାନସ ଖଣ୍ଡୁଆ

ଉତ୍ତର ଭାରତରେ ରାଜୁତି ଆରମ୍ଭ କଲାଣି ଶୀତ

ଉତ୍ତର ଭାରତରେ ରାଜୁତି ଆରମ୍ଭ କଲାଣି ଶୀତ

ନନ୍ଦିଘୋଷ ବ୍ୟୁରୋ: ରାଜୁତି ଆରମ୍ଭ କଲାଣି ଶୀତ। ଧବଳ ଚାଦର ତଳେ ଉତ୍ତର ଭାରତ । ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀରର ବହୁ ଅଞ୍ଚଳରେ ଆରମ୍ଭ ହେଲାଣି ତୁଷାରପାତ। ରାସ୍ତାରୁ ପାହାଡ଼, ଗାଁରୁ ସହର ହେଲାଣି ବରଫାବୃତ। ପ୍ରକୃତିର ମନୋରମ ପରିବେଶ ଉପଭୋଗ କରିବା ଲାଗି ବିଭିନ୍ନ ରାଜ୍ୟରୁ ଛୁଟୁଛନ୍ତି ପର୍ଯ୍ୟଟକ। ସେହିପରି ଜାମ୍ମୁ ଓ କାଶ୍ମୀରର କାଠୁଆ, ଭନ୍ଦେରବାହ ସମେତ ବହୁ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥିତି ଏପରି ହୋଇଛି ଯେ, ଅନେକ ସ୍ଥାନରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପାହାଡ଼ ଉପରେ ଢାଙ୍କିଛି ଧବଳ ଚାଦର। ପ୍ରବଳ ତୁଷାରପାତ ହେବାରୁ କିଛି ଅଞ୍ଚଳରେ ଘରୁ ବାହାରିବା ସମ୍ଭବ ହୋଇପାରିନାହିଁ।

ଆଜି ସିଜେପିର ‘ତ୍ରିରଙ୍ଗା ମାର୍ଚ୍ଚ’, ବନ୍ଦ ରହିବ ସେଣ୍ଟ୍ରାଲ ପାର୍କ

ଆଜି ସିଜେପିର ‘ତ୍ରିରଙ୍ଗା ମାର୍ଚ୍ଚ’, ବନ୍ଦ ରହିବ ସେଣ୍ଟ୍ରାଲ ପାର୍କ

ନନ୍ଦିଘୋଷ ବ୍ୟୁରୋ: ଆଜି ଦିଲ୍ଲୀ କନ୍ନଟ ପ୍ଲେସରେ ତ୍ରିରଙ୍ଗା ମାର୍ଚ୍ଚ କରିବ କକରୋଚ୍ ଜନତା ପାର୍ଟି l ତେବେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସେଣ୍ଟ୍ରାଲ ପାର୍କକୁ ବନ୍ଦ କରାଯାଇଛି। ଆନ୍ଦୋଳନଠାରୁ ଦୂରରେ ରହିବାକୁ ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛି ପୋଲିସ । ଏହା ସହ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଉପଯୁକ୍ତ ସ୍ଥାନରେ କେବଳ ୧୧ ଜଣଙ୍କୁ ସୁଯୋଗ ଦିଆଯିବ ବୋଲି ପୋଲିସ କହିଛି। ସିଜେପି ଆନ୍ଦୋଳନ ବନ୍ଦ ଲାଗି ଏକ ପିଟିସନର ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉପଯୁକ୍ତ ପଦକ୍ଷେପ ନେବାକୁ କୋର୍ଟର ନିର୍ଦ୍ଦେଶ ପରେ ପୋଲିସ ଏହି ନିଷ୍ପତ୍ତି ନେଇଛି । ବେଆଇନ ଗିରଫଦାରୀ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ଅଭିଯାନ ହେବ l ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହେବା ନେଇ ଅଭିଜିତ ଦୀପକେ ଆହ୍ବାନ ଦେଇଛନ୍ତି l

ପୂର୍ବରୁ ଯନ୍ତର ମନ୍ତରରେ ପତାକା ଉଡ଼ାଇବା ଘଟଣାରେ ଗିରଫ ହୋଇଥିଲେ ସିଜେପିର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା l ୫ ଦିନିଆ ବିଚାର ବିଭାଗୀୟ ହେପାଜତ ଅବଧି କ୍ରମେ ଉଭୟ ସୌରଭ ଓ ରାଙ୍କା ତିହାର ଜେଲରେ ଅଛନ୍ତି l ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଦୀପକେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବା ସହ ତ୍ରିରଙ୍ଗା ଉଡ଼ାଇବା ଅପରାଧ ନୁହେଁ ବୋଲି କହିଥିଲେ l ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏପଟେ ନୂଆଦିଲ୍ଲୀ ପୌର ପରିଷଦ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅକ୍ଟୋବର ୧୬ ରୁ ୧୭ ତାରିଖରେ ସାଧାରଣ ଜନତାଙ୍କ ପାଇଁ ସେଣ୍ଟ୍ରାଲ ପାର୍କ ବନ୍ଦ ରଖିବାକୁ ନୋଟିସ ଜାରି କରିଛି ।

ଆଜି ଷଷ୍ଠୀ, ‘କାତ୍ୟାୟନୀ’ ରୂପରେ ଜଗତଜନନୀ

ଆଜି ଷଷ୍ଠୀ, ‘କାତ୍ୟାୟନୀ’ ରୂପରେ ଜଗତଜନନୀ

ନନ୍ଦିଘୋଷ ବ୍ୟୁରୋ: ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ନଅଟି ସ୍ବରୂପରେ ପୂଜା ପାଇଥାଆନ୍ତି ଜଗତଜନନୀ ମାଆ ଦୁର୍ଗା । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ରୀ ବା ନବଦିନାତ୍ମକ ଶକ୍ତି ପୂଜା । ତେବେ ନବରାତ୍ରୀର ଷଷ୍ଠ ଦିନରେ ମାଆଙ୍କୁ ‘କାତ୍ୟାୟନୀ’ ରୂପରେ ଆବାହନ କରାଯାଇଥାଏ ।

ଆଦ୍ୟାଶକ୍ତିଙ୍କ ଷଷ୍ଠ ରୂପ ‘କାତ୍ୟାୟନୀ’ ଦେବୀ । ‘କାତ୍ୟାୟନୀ’ ଶଦ୍ଦ ଋଷି କାତ୍ୟାୟନଙ୍କ ନାମ ସହ ଜଡ଼ିତ । ପୁରାଣ ଅନୁଯାୟୀ, ଏକଦା ଋଷି କାତ୍ୟାୟନ ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କ ଘରେ କନ୍ୟା ରୂପେ ଆବିର୍ଭୂତ ହୋଇଥିଲେ । ସେହି କାରଣରୁ ମାଆ କାତ୍ୟାୟନୀ ନାମରେ ନାମିତ। ମା’ କାତ୍ୟାୟନୀ ଚତୁର୍ହସ୍ତା । ମା’ କାତ୍ୟାୟନୀ ଶକ୍ତି, ସାହସ ଓ ନ୍ୟାୟର ପ୍ରତୀକ। ତାଙ୍କ ଦୁଇ ହାତରେ ପଦ୍ମ ଓ ଖଡ଼ଗ ଶୋଭା ପାଉଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ । ବିଶ୍ବାସ ରହିଛି ଯେ, ମା’ କାତ୍ୟାୟନୀଙ୍କ ପୂଜା କରିବା ଦ୍ବାରା ଭକ୍ତଙ୍କ ମନରୁ ଭୟ ଦୂର ହୋଇଥାଏ । ଭାଗବତ ଅନୁଯାୟୀ, କାତ୍ୟାୟନୀ ରୂପରେ ମାଆ ଅନେକ ଅସୁର ସଂହାର କରିଥିଲେ । କାତ୍ୟାୟନୀଙ୍କ ଆରାଧନା ମଣିଷକୁ ଅନ୍ୟାୟ ବିରୋଧରେ ଲଢିବା ଓ ସତ୍ୟ ପଥରେ ଚାଲିବା ନେଇ ଶିକ୍ଷା ଦେଇଥାଏ । ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ କାତ୍ୟାୟନୀ ବ୍ରତ କରିଥିଲେ।

ପୁରାଣ ଅନୁଯାୟୀ, ମା’ କାତ୍ୟାୟନୀଙ୍କ ପୂଜା କରିବା ଦ୍ବାରା କୁମାରୀ କନ୍ୟା ମାନଙ୍କ ବିବାହ ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ନବରାତ୍ରୀର ୬ଷ୍ଠ ଦିନରେ ତାଙ୍କ ପୂଜା ବିଶେଷ ରୂପେ କରାଯାଏ।

‘ଓଡ଼ିଶାରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା : ବଢୁଛି ଅପରାଧ, ହେଉଛି ଯୋଜନାବଦ୍ଧ ଆକ୍ରମଣ’

ଭୁବନେଶ୍ବର : ରାଜରାସ୍ତାରେ ବୁଲୁଛି ଖଣ୍ଡା। କ୍ୟାମ୍ପସରେ ବୋମାମାଡ଼ ସହ ସରକାରୀ କାର୍ଯ୍ୟାଳୟରେ ହେଉଛି ଭଙ୍ଗାରୁଜା । ଯୋଜନାବଦ୍ଧ ଭାବେ କରାଯାଉଛି ଆକ୍ରମଣ। ଅପରାଧ କରି ଖୁଲମ ଖୁଲା ବୁଲୁଛନ୍ତି ଅପରାଧୀ। ଶାସକ ଦଳର ଛତ୍ର ଛାୟାରେ ବଳୀୟାନ ହେଉଛନ୍ତି ଅପରାଧୀ। ଯାହା ପୁରୀ ଜିଲ୍ଲାର ସତ୍ୟବାଦୀ ଘଟଣାରୁ ସ୍ପଷ୍ଟ ହେଉଛି। ଏହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଦିନଠୁ ଗଣତନ୍ତ୍ରର ହତ୍ୟା ହେଉଛି। କେହି ନ ଥିବା ବେଳେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷକଙ୍କ ଅଫିସରେ ଭଙ୍ଗାରୁଜା ହେଲା। ଦୁଇ ଦିନ ବିତିଥିଲେ ବି ପୋଲିସ ହାତ ଖାଲି। ବିଧାୟକଙ୍କ ଚାରି ପାଖରେ ବସୁଥିବା ଲୋକ ଏହି ଆକ୍ରମଣରେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ଦୋଷୀଙ୍କୁ ଗିରଫ କରା ନ ଗଲେ ବିରାଟ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ସିଧା ନିଶାନା କରିଛି।

କେବଳ ସରକାରୀ କାର୍ଯ୍ୟାଳୟ କି ସର୍ବସାଧାରଣ ସ୍ଥାନ ନୁହେଁ। ମହିଳାଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି ପୂର୍ବରୁ ଆଡଭାଇଜରୀ ଜାରି କରିଥିଲା ଆମେରିକା। ଯାହା ବିଦେଶରେ ଓଡ଼ିଶାର ଛବିକୁ ମଳିନ କରିଛି ବୋଲି ପଦଯାତ୍ରା ମାଧ୍ୟମରେ ଅଭିଯୋଗ କରିଛି ବିଜେଡି। ସେହିପରି ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ଓ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଜାଣିଶୁଣି ନାକଚ କରାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ହେବା ସହ କ୍ୟାମ୍ପସରେ ଅଶାନ୍ତ ପରିବେଶ ସୃଷ୍ଟି କରାଯାଇଛି। ଶାସକ ଦଳର ଇଙ୍ଗିତରେ ଗୁଣ୍ଡାରାଜ ଚାଲିଛି ବୋଲି କହିଛି କଂଗ୍ରେସ। ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ଘଟଣା ବିଷୟରେ ଅବଗତ ଅଛି।  ରାଜ୍ୟରେ ଦିନକୁ ଦିନ ବିଗିଡ଼ି ଗଲାଣି ଆଇନଶୃଙ୍ଖଳା। ଅସୁରକ୍ଷିତ ମଣିଲେଣି ମହିଳା। ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ବସିଥିବା ବେଳେ, ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ।

ସରିଲା ଛାତ୍ର ସଂସଦ ନିର୍ବାଚନ : ବିଭିନ୍ନ କଲେଜରେ ବିସିଜେଡି ପ୍ରାର୍ଥୀଙ୍କ ବାଜିମାତ୍

ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ବିଭିନ୍ନ କଲେଜରେ ବାଜିମାତ୍ କରିଛନ୍ତି ବିସିଜେଡି ସମର୍ଥିତ ପ୍ରାର୍ଥୀ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ବିସିଜେଡି ପ୍ରାର୍ଥୀ ସୋନାଲି ବେହେରା ବିଜୟୀ ହୋଇଛନ୍ତି। କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସମସ୍ତ ପଦରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ସଭାପତି ଭାବେ ବିଜୟୀ ହୋଇଛନ୍ତି। ବିଶ୍ବଜିତ ସାହୁ ସଭାପତି ଭାବେ ବାଜିମାତ୍ କରିଛନ୍ତି। ଭୁବନେଶ୍ବର ବିଜେବି କଲେଜ ଓ ରାଜଧାନୀ କଲେଜରେ ଏବିଭିପି ପ୍ରାର୍ଥୀ ସଭାପତି ପଦ ହାତେଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜରେ ବିଜୟ ଲାଭ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ସୁଦର୍ଶନ ସୁନା ଆଗରେ ଥିବା ବେଳେ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସ୍ୱାଧୀନ କୁମାର ଆଚାର୍ଯ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମହିଳା ମହାବିଦ୍ୟାଳୟରେ ସୁଜ୍ଞାନି ମହାକୁର ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜରେ ଏବିଭିପି ପ୍ରାର୍ଥୀ ଆୟୁଷ୍ମାନ ଦାସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସୁବର୍ଣ୍ଣପୁର ବୀରମହାରାଜପୁର ମହାବିଦ୍ୟାଳୟରେ ସଭାପତି ପଦରେ ବିଜୟୀ ହୋଇଛନ୍ତି ବିସିଜେଡି ପ୍ରାର୍ଥୀ ଶିବାଜୀ ବିଶ୍ୱାଳ। ପାଲଲହଡା ମାଲ୍ୟଗିରି ମହାବିଦ୍ୟାଳୟରେ ବିସିଜେଡିର ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଛନ୍ତି। ବିଞ୍ଝାରପୁର ଖରସ୍ରୋତା ମହାବିଦ୍ୟାଳୟରେ ସମସ୍ତ ପଦ ହାତେଇଛନ୍ତି ବିସିଜେଡି ପ୍ରାର୍ଥୀ। ସଭାପତି ଭାବେ ନିର୍ବାଚିତ ହେଇଛନ୍ତି ସୁହାସ ରଞ୍ଜନ ପଡିଆରୀ। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ରୁଦ୍ର ନାରାୟଣ ଦାଶ ସଭାପତି ଭାବେ ବିଜୟୀ ହୋଇଛନ୍ତି। ପଟାଙ୍ଗୀ ଗାଙ୍ଗେଶ୍ୱରୀ ମହାବିଦ୍ୟାଳୟରେ ସଭାପତି ପଦବୀରେ ବିସିଜେଡିର ମୁସରୀ ପାଙ୍ଗି ବିଜୟୀ ହୋଇଛନ୍ତି। ପାଟଣାଗଡ଼ ଜବାହାର କଲେଜ, ବେଳପଡା, ଘସିଏନ ଓ ଲରମ୍ଭାରେ ବସିଜେଡି ପ୍ରାର୍ଥୀ ବାଜିମାତ୍ କରିଛନ୍ତି। ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜରେ ସମସ୍ତ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ବିସିଜେଡି ପ୍ରାର୍ଥୀ ସୌଭାଗ୍ୟ ବେହେରା ବିଜୟୀ ହୋଇଛନ୍ତି। ସେପଟେ ଜୟପାଟଣା ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ କଲେଜରେ ବିସିଜେଡିର କ୍ଲିନ୍ ସୁଇପ୍ ହୋଇଛି। ନିର୍ବାଚନରେ ବିସିଜେଡିର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଅସୀମ ସାଗର ବିଜୟୀ ହୋଇଛନ୍ତି। କାମାକ୍ଷାନଗର କଲେଜରେ ସଭାପତି ଭାବେ କିରଣ କୁମାର ନାୟକ ଓ ସମ୍ପାଦକ ଭାବେ ଧନଞ୍ଜୟ ସାହୁ ନିର୍ବାଚିତ ହୋଇଛନ୍ତି। ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ସଭାପତି ଭାବେ ବିସିଜେଡି ପ୍ରାର୍ଥୀ ସୁଶ୍ରୀତା ପରିଡ଼ା ବିଜୟୀ ହୋଇଛନ୍ତି। ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ରାଉତ ସଭାପତି ଭାବେ ବିଜୟୀ ହୋଇଛନ୍ତି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ସଭାପତି ପଦ ହାତେଇଲେ ବିସିଜେଡି ପ୍ରାର୍ଥୀ କାର୍ତ୍ତିକ ମହାନ୍ତି। ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ସମସ୍ତ ପଦ ହାତେଇଲେ ବିସିଜେଡି ପ୍ରାର୍ଥୀ। ସୁବର୍ଣ୍ଣପୁର ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ଆୟୁଷ୍ମାନ ସାହୁ ସଭାପତି ଭାବେ ବିଜୟୀ ହୋଇଛନ୍ତି। ଦଶରଥପୁର ବ୍ଲକ ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ଦେବାଶିଷ ଦାସ ସଭାପତି ଭାବେ ବିଜୟୀ ହୋଇଛନ୍ତି। ଫୁଲବାଣୀରେ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ସୁମିତ କୁମାର ସଭାପତି ଭାବେ ବିଜୟୀ ହୋଇଛନ୍ତି।

ବିବାଦୀୟ ବୟାନରୁ ୟୁଟର୍ଣ୍ଣ ମାରିଲେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ….

ଭୁବନେଶ୍ବର : ଓଡିଶାରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ କାମ କରିବି । ଓଡିଶାର ନବ ନିଯୁକ୍ତି ରାଜ୍ୟପାଳଙ୍କ ଏପରି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ବିବାଦୀୟ ବୟାନକୁ ନେଇ ଟୁଇଟ  କହିଥିଲେ ଯେ ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡିଶାବାସୀ ଦେଖୁଛନ୍ତି । ସେହିପରି ବ୍ରଜ ମୋହନଙ୍କ ବୟାନକୁ ନେଇ  ଜାତୀୟ ସ୍ତରର ନେତା ପ୍ରଶାନ୍ତ ଭୂଷଣ, ପଓ୍ବନ ଖେଡା, ଶାମା ମହମ୍ମଦ,  ମହୁଆ ମୋଇତ୍ରା ପ୍ରମୁଖ ନେତା ଓ ନେତ୍ରୀମାନେ ଟୁଇଟ କରି ନୂଆ ରାଜ୍ୟପାଳଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି ।  ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ନୂଆ ରାଜ୍ୟପାଳ ଘୋଷଣା ପରେ ଦଳୀୟ କଥା କହିବା ଉଚିତ ନୁହେଁ। ରାଜ୍ୟପାଳ ପଦବୀ ସମ୍ବିଧାନିକ ପଦବୀ।  ଯେଉଁମାନେ କହୁଛନ୍ତି ସେ ଦାୟିତ୍ୱ ନେଇନାହାନ୍ତି ସେ କହିଵା ଠିଜ ନୁହେଁ।  ତାଙ୍କର ଏଭଳି ଆଭିମୁଖ୍ୟ ଠିକ ନୁହେଁ। ବୟାନ ପାଇଁ ସେ ଦୁଃଖ ପ୍ରକାଶ କରିବା କଥା।

କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ରାଜନୀତି ବୟାନକୁ ନେଇ ବର୍ଷିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସାମ୍ବିଧାନିକ ପଦବୀକୁ କଳଙ୍କିତ କରୁଛି ଶାସକ ଦଳ । ଦାୟିତ୍ବ  ନେବା ପୂର୍ବରୁ ନୂଆ ରାଜ୍ୟପାଳଙ୍କ  ଆଭିମୁଖ୍ୟ ଦୁର୍ଭାଗ୍ୟଜନକ । ଓଡିଶାବାସୀ କାହାଠାରୁ ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନୁଆ ରାଜ୍ୟପାଳଙ୍କ ବିବାଦୟ ବୟାଇନକୁ ନେଇ ଯୁକ୍ତି ବାଢ଼ିଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି- ରାଜ୍ୟପାଳଙ୍କ ପାଟିରୁ ଏପରି କଥା ବାହାରିଯାଇଛି । ଏହାକୁ ନେଇ ରାଜନୀତି କରିବାକୁ ଉଚିତ ନୁହେଁ । ବିଜେଡି ରାଜ୍ୟପାଳଙ୍କ ବୟାନକୁ କଟାକ୍ଷ କରିଛି । ଓଡିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ଦାୟିତ୍ବ ନେବା ପୂର୍ବରୁ ରାଜନୈତିକ ବୟାନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଜ୍ୟାପଳ କହିଛନ୍ତି  ସାମ୍ବିଧାନିକ ପରିଧି ଭିତରେ ରହି କାମ କରିବେ।

ରାଉରକେଲାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ପୂଜା କମିଟି ପକ୍ଷରୁ ବିଶେଷ ଆୟୋଜନ

ରାଉରକେଲା : ରାଉରକେଲାରେ ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ଦୁର୍ଗାପୂଜା । ମାଆଙ୍କୁ ଦର୍ଶନ ବେଳେ ଭକ୍ତଙ୍କୁ ହେବନି କୌଣସି ଅସୁବିଧା । ସୃଷ୍ଟି ହେବନି ଟ୍ରାଫିକ୍ ସମସ୍ୟା । ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କ ଉପରେ ରହିଛି ପୋଲିସର କଡ଼ା ନଜର । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସିଭିକ ସେଣ୍ଟର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ବ୍ରିଜେଶ କୁମାର ରାଏ ରାଉରକେଲା ଏସପି, ନିତେଶ ଓ୍ବାଧଓ୍ଵାନୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ସହ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ସମସ୍ତ ପୁଜା କମିଟିକୁ ଅନୁରୋଧ କରାଯାଇଛି । ରାଉରକେଲା ସହରରେ ଚଳିତ ବର୍ଷ ୧୦୯ ଟି ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷ ରାଉରକେଲା ସହରର ୨୨ ଟି ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇ ଥିବା ବେଳେ କୈଣସି ରାସ୍ତା ଉପରେ ଗାଡି ପାର୍କିଂ କରାଯିବ ନାହିଁ ବୋଲି ପୋଲିସ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ଦୁର୍ଗାପୂଜା ସମୟରେ ସୁନା ଅଳଙ୍କାର ଛିନତାଇ, ଘରୁ ଚୋରୀ ସମ୍ପୁର୍ଣ୍ଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସହରରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ ।

ମାଆ ଦୁର୍ଗାଙ୍କ ପୁଜା ବେଶ ଧୁମଧାମରେ ଓ ଯାକଜକମରେ ପାଳନ କରିବା ପାଇଁ ସମସ୍ତ ପୁଜା କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପୁଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ନିଷ୍ପତ୍ତି ହୋଇଛି। ରାଉରକେଲା ସହରର ସମସ୍ତ ପୁଜା ମଣ୍ଡପରେ ସୁଉଚ୍ଚ ତୋରଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଉଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ରାବଣପୋଡି ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।