spot_img
Home Blog Page 3724

ଅଙ୍ଗନବାଡ଼ିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

0

କଟକ: ଅଙ୍ଗନବାଡ଼ି ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଅଙ୍ଗନବାଡ଼ି କେନ୍ଦ୍ର- ୨ର ରୋଷେଇ ଘରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ନିଆଁ ଲାଗି ଯାଇଥିଲା । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୦ ଜଣ ଛାତ୍ରଛାତ୍ରୀ । କେନ୍ଦ୍ରର ସହାୟିକା ବାହାରେ ବସି ସିଝାଅଣ୍ଡା ଛଡ଼ାଉ ଥିବା ବେଳେ, ହଠାତ୍ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ଯାଇଛି । ସେହିପରି ଛାତ୍ରଛାତ୍ରୀମାନେ ସୁରକ୍ଷିତ ଥିବା ବେଳେ, ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିଥିଲେ ।

ଓଡ଼ିଆ ଭାଷାରେ ଇଂଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ଗସ୍ତର ଦିତ୍ୱୀୟ ଦିନରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ମାତୃଭାଷାରେ ଶିକ୍ଷା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି।

ଅନ୍ୟପଟେ ରାଜ୍ୟରେ ଇଂଜିନିୟରିଂ ପାଠପଢ଼ାର ଓଡିଆ ମାଧ୍ୟମକୁ ଏଆଇସିଟିଇ ଓ ସିଏସଟିଟିର ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷଠାରୁ ରାଜ୍ୟରେ ଓଡ଼ିଆରେ ଇଂଜିନିୟରିଂ ପାଠପଢ଼ା ହେବାକୁ ଯାଉଥିବାବେଳେ ଏଆଇସିଟିଇ ଓ ସିଏସଟିଟିର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଥମ ବର୍ଷ ବି-ଟେକ ଓ ଡିପ୍ଲୋମା ଲାଗି ପୁସ୍ତକ ପ୍ରକାଶ କରିଛନ୍ତି।

ଏହା ଓଡ଼ିଆ ଶିକ୍ଷା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ-ଏଆଇସିଟିଇର ଓଡ଼ିଆରେ ଇଞ୍ଜିନିୟରିଂ ବହିର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩ଟି ଭଲ୍ୟୁମର ପୁସ୍ତକରେ ପ୍ରାୟ ୫୦ ହଜାର ଟର୍ମିନୋଲଜିର ପରିପ୍ରକାଶ କରିଥିବା ‘କମିଶନ ଫର ସାଇଣ୍ଟିଫିକ ଆଣ୍ଡ ଟେକ୍ନିକାଲ ଟର୍ମିନୋଲଜି’ (ସିଏସଟିଟି)କୁ ଧନ୍ୟବାଦ ଦେଇଛନ୍ତି ନବୀନ। ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ ମଧ୍ୟ ସାରାଦେଶର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ରାଜ୍ୟ ସରକାର ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ମାତୃଭାଷାରେ ସିଭିଲ ସର୍ଭିସ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସ୍କୁଲ ଓ କଲେଜର ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବୃତ୍ତି ପ୍ରଦାନ ଲାଗି ପଦକ୍ଷେପ ନିଆଯାଇଛି । ଯାହା ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ଦିଗରେ ବିଶେଷ ସହାୟକ ହେବ ବୋଲି ନବୀନ ଆଶା କରିଛନ୍ତି ।

ଭାଉଜ ପ୍ରେମରେ ପଡ଼ି ବିଷ ପିଇଲା ଦିଅର

0

ଖୋର୍ଦ୍ଧା:  ଭାଉଜ ପ୍ରେମରେ ପଡ଼ି ବିଷ ପିଇଲା ଦିଅର। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ସମ୍ପୃକ୍ତ ଭାଉଜଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗୀ ଚଣ୍ଡେଶ୍ବର ଗାଁରେ । ଚଣ୍ଡେଶ୍ୱର ଗାଁର ୨୮ ବର୍ଷୀୟ ଚିତ୍ତରଂଜନ ଜେନା ୪ବର୍ଷ ତଳେ ବିବାହ କରିଥିଲେ । ବିବାହର ୨ବର୍ଷ ପରେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା । ଚିତ୍ତ ରଂଜନଙ୍କ ବଡ଼ ଭାଇ ସୂଦୁର ଦୁବାଇରେ ରହୁଥିବାରୁ ଭାଉଜ ଓ ଦିଅର ମଧ୍ୟ୍ୟରେ ପ୍ରେମ ସଂପର୍କ ଗଢି଼ ଉଠିଥିଲା ।

ମହିଳାଙ୍କର ୨ଜଣ ବଡ଼ ପୁଅ ଅଛନ୍ତି। ଉଭୟଙ୍କ ସମ୍ପର୍କ ନେଇ ବାହାରେ ପ୍ରଘଟ ହେବାରୁ ମହିଳା ଜଣକ ଦୁଇ ପିଲାଙ୍କ ସହ ଚଣ୍ଡେଶ୍ୱର ଘର ଛାଡି କୁହୁଡି ଚୁଆ ଟାଙ୍ଗୀରେ ଘର ଭଡ଼ା ନେଇ ରହି ଆସୁଥିଲେ । ଫଳରେ ଘରେ କେହି ନଥିବାରୁ ଦିଅର ଚିତ୍ତରଂଜନ ଭାଉଜଙ୍କ ଘରକୁ ଯିବା ଆସିବା ସହଜ ହେଉଥିଲା । ଚିତ୍ତରଂଜନ ନିଜ ଭାଉଜ ପ୍ରେମରେ ପଡ଼ି ପତ୍ନୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।  କିଛି ଦିନ ତଳେ ଦିଅର ଭାଉଜଙ୍କ ପ୍ରେମାଳାପର ଏକ ଅଡିଓ ରେକଡିଂ ସ୍ତ୍ରୀଙ୍କ ହାତରେ ଲାଗିଥିଲା।

ସ୍ବାମୀଙ୍କୁ ତାଗିଦ୍ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଅନ୍ୟ ଉପାୟ ନପାଇ ପୋଲିସକୁ ଜଣାଇଥିଲେ ସ୍ତ୍ରୀ । ପୋଲିସ ଉଭୟଙ୍କୁ ଥାନାକୁ ଡ଼କାଇଥିଲେ । ଥାନାକୁ ଆସିଥିବା ବେଳେ ଦିଅର ଚିତ୍ତରଂଜନ ହଠାତ୍ ଅଚେତ୍ ହୋଇପଡିଥିଲେ। ପୋଲିସ୍ ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ପଚରାଉଚୁରାରୁ ଚିତ୍ତ ବିଷ ଖାଇଥିବା ସ୍ୱୀକାର କରିଥିଲା । ଭାଉଜକୁ ଥାନାରେ ଅଟକ ରଖି ପଚରାଉଚରା କୁରଛି ପୋଲିସ ।

ନିଜ ସ୍କୁଲରେ ପହଞ୍ଚି ପୁରୁଣା ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି, ସୃଷ୍ଟି ହେଲା ଭାବବିହ୍ବଳ ପରିବେଶ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ସକାଳୁ ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ ମହାମହିମ । ପିଲାଙ୍କ ସହ କଥା ହେବା ସହ ସ୍କୁଲ ଜୀବନର ଅନୁଭୂତି ବାଣ୍ଟିଥିଲେ । ପିଲାଙ୍କୁ ଭଲ ପାଠ ପଢ଼ିବାକୁ ଦେଇଥିଲେ ପରାମର୍ଶ । ପରେ ୟୁନିଟ୍‌ ୨ରେ ଥିବା ସରକାରୀ ଗାର୍ଲ୍ସ ହାଇସ୍କୁଲ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହି ହାଇସ୍କୁଲରେ ନିଜେ ପଢିଛନ୍ତି ଦ୍ରୌପଦୀ । ତେଣୁ ସେଠାରେ ଥିବା ସମସ୍ତ ସ୍ମୃତି ଯେମିତି ମାନସ ପଟରେ ଉଙ୍କି ମାରିଥିଲା । ସବୁ ଛାତ୍ରୀଙ୍କୁ ଭେଟିବା ସହ ପୁରୁଣା ସ୍ମୃତି ସାଉଣ୍ଟିଥିଲେ ମହାମହିମ।

ପିଲାବେଳର ସାଙ୍ଗମାନଙ୍କୁ ସାକ୍ଷାତ କରିଥିଲେ । ବିଦ୍ୟାଳୟ ପରିସରରେ ସହପାଠୀଙ୍କ ସହ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ସେହି ସମୟରେ ସହପାଠୀଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ ମହାମହିମ । ହାଇସ୍କୁଲ ପରିସରରେ ଗଛ ଲଗାଇବା ସହ ପିଲାଙ୍କ ସହ କଥା ହେବା ସାଙ୍ଗକୁ ନାଚ ଗୀତରେ ନିଜେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇଥିଲେ ମହାମହିମ ।

କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବା ପରେ ରାଜଭବନ ଫେରିଯାଇଥିଲେ ରାଷ୍ଟ୍ରପତି । ପୁରୁଣ ସ୍ମୃତିକୁ ଫଟୋ ଫ୍ରେମରେ ସଜ୍ଜିତ କରାଯାଇ ରାଷ୍ଟ୍ରପତିକୁ ପ୍ରଦାନ କରାଯାଇଥିଲା । ୧୧ଟା ୪୦ରେ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧ଟା ୧୫ରେ ଦିଲ୍ଲୀ ରାଇସିନା ହିଲ୍ସ ଫେରିଯିବେ ରାଷ୍ଟପତି ଦୌପଦି ମୁର୍ମୁ ।

ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ନିର୍ମମ ନିର୍ଯାତନା, ଭାଇରାଲ ହେଲା ଭିଡିଓ

କନ୍ଧମାଳ: ଦାରିଙ୍ଗବାଡି ଗ୍ରିନ୍ ବାଡିରେ ଥିବା ଉଚ୍ଚ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଘଟଣା । ହଷ୍ଟେଲରେ ୪ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀର ୪ ଜଣ ଛାତ୍ର ନିର୍ମମ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅମାନୁଷିକ ଭାବେ ମାଡ଼ ମାରିବା ସହ ଭିଡିଓ ରେକର୍ଡିଂ କରିଛନ୍ତି ଦଶମ ଶ୍ରେଣୀର ୪ ଛାତ୍ର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ଘଟଣା ପରେ ମାଡ଼ ମାରିଥିବା ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ସ୍କୁଲରୁ ବିଦା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଆଜି ଉଭୟ ପକ୍ଷ ଅଭିଭାବକଙ୍କୁ ନେଇ କାଉନସେଲିଂ କରାଯିବ । ସେହିପରି ମାଡ଼ ଖାଇଥିବା ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ମାଡ ମରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏକ ଦାୟିତ୍ବବାନ୍ ଗଣମାଧ୍ୟମ ହିସାବରେ ଆମେ ଏହି ଭିଡିଓକୁ ଦେଖାଇ ପାରିବୁ ନାହିଁ । ଦୁଇ ଜଣ ମାଡ଼ ମାରୁଥିବା ବେଳେ ଅନ୍ୟ ୨ ଜଣ ସହଯୋଗ କରିବା ସହ ଭିଡିଓ ରେକର୍ଡିଂ କରିଥିଲେ । ଅନ୍ୟପଟେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା, ହଷ୍ଟେଲରେ ଦଶମ ଶ୍ରେଣୀର ଛାତ୍ର ମାନେ ବିସ୍କୁଟ ନେଉଥିବା ସପ୍ତମ ଶ୍ରେଣୀ ଛାତ୍ର ମାନେ ଦେଖିଥିଲେ । ହେଲେ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ଚମକ ଦେବା ସହ ମାଡ଼ ମାରିଥିଲେ ଦଶମ ଶ୍ରେଣୀର ଛାତ୍ର । ଭାଇରାଲ ହୋଇଥିବା ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ମଙ୍ଗଳବାରର ବୋଲି ଜଣାପଡିଛି ।

ଟ୍ରକକୁ ପିଟିଲା ଯାତ୍ରୀ ବାହୀ ବସ୍; ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ସମ୍ବଲପୁର: ସମ୍ବଲପୁର ଠେଲକୋଲଇ ଥାନା ଖିଣ୍ଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ପିଟିଲା ଯାତ୍ରୀ ବାହୀ ବସ୍ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ ।

କମୁଛି ପାରଦ, ବଢୁଛି ଶୀତ; ଆସନ୍ତା ୧୨ରୁ ଆହୁରି କମିବ ତାପମାତ୍ରା

ଭୁବନେଶ୍ୱର: ଧିରେ ଧିରେ କମୁଛି ପାରଦ। ବଢୁଛି ଶୀତ। ରାତିରେ ତାମପାତ୍ରା ହ୍ରାସ ପାଇବାରୁ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୧୨ ତାରିଖରୁ ଆହୁରି ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ, କେତେକ ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବ।

ଅନୁଗୁଳ, ବଲାଙ୍ଗୀର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପାମତ୍ରା ହ୍ରାସ ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ବୌଦ୍ଧରେ ୧୪ ଡିଗ୍ରି ଥିବା ବେଳେ, ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୫.୫, କେନ୍ଦୁଝରଗଡ଼ରେ ୧୬, ଭବାନୀପାଟଣାରେ ୧୬.୨ ଡିଗ୍ରି ରେକର୍ଡ ହୋଇଥିଲା।

ଆଜି ଜ୍ଞାନବାପୀର ସୁପ୍ରିମ ଶୁଣାଣୀ, ଖଣ୍ଡପୀଠ ଗଠନ କରିବେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା ଆରମ୍ଭ କରିବା ପାଇଁ ଅନୁମତି ଦେବା, ସମଗ୍ର ଜ୍ଞାନବାପୀ ମସଜିଦ ପରିସରକୁ ହିନ୍ଦୁ ପକ୍ଷଙ୍କୁ ଦେବା ଏବଂ ମସଜିଦ ପରିସରରେ ମୁସଲିମଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତରେ ୩ଟି ଦାବି ହୋଇଥିଲା।

ତେବେ ଏହି ୩ଟି ଦାବି ଉପରେ ଆଜି ରାୟ ଦେଇପାରନ୍ତି ସୁପ୍ରିମ କୋର୍ଟ। ତେବେ ଜ୍ଞାନବାପୀ ମସଜିଦ ପରିସରରେ ଏବେ ମୁସଲିମ ପକ୍ଷଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଅଛି। ପୂର୍ବ ଶୁଣାଣି ସମୟରେ ବାରଣାସୀ କୋର୍ଟ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଅନୁଧ୍ୟାନ ପାଇଁ ମନା କରି ଦେଇଥିଲେ। ହିନ୍ଦୁ ପକ୍ଷ ଏହି ନିର୍ମାଣର କାର୍ବନ ଡେଟିଂ ପାଇଁ ଦାବି କରିଥିଲେ । ହିନ୍ଦୁ ପକ୍ଷ କହିଛନ୍ତି ଯେ, ଶିବଲିଙ୍ଗ କାର୍ବନ ଡେଟିଂ ସଂକ୍ରାନ୍ତ ବାରଣାସୀ କୋର୍ଟଙ୍କ ରାୟକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବେ । ସେପ୍ଟେମ୍ବର ୨୯ ଶୁଣାଣିରେ ହିନ୍ଦୁ ପକ୍ଷ ଏଏସ୍ଆଇ ଦ୍ବାରା ଶିବଲିଙ୍ଗର ବୈଜ୍ଞାନିକ ତଦନ୍ତ ପାଇଁ ଦାବି କରିଥିଲେ।

ଆଜି ରାଷ୍ଟ୍ରୀୟ ଶିକ୍ଷା ଦିବସ, ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଅବୁଲ କାଲାମ ଆଜାଦଙ୍କୁ ମନେପକାଉଛି ଦେଶ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ଶିକ୍ଷା ଦିବସ । ଆଜିର ଦିନକୁ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଅବୁଲ କାଲାମ ଆଜାଦଙ୍କୁ ସମର୍ପିତ କରାଯାଇଛି । ଦେଶର ମହାନ ସ୍ବାଧିନତା ସଂଗ୍ରାମୀଙ୍କ ସହ ଜଣେ ବିଦ୍ବାନ ଓ ଶିକ୍ଷାବିତ୍ ଭାବେ ଅବୁଲ କାଲାମ ଆଜାଦଙ୍କୁ ସାରା ଦେଶ ଜାଣିଛି। ତାଙ୍କର ଜନ୍ମ ଜୟନ୍ତୀଙ୍କୁ ସାରା ଦେଶରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଏ । ସ୍ବାଧିନତା ପରେ ଦେଶର ବିକାଶ ପାଇଁ ଶିକ୍ଷା କେତେ ଜରୁରୀ ତାହାର ଭଲ ଭାବେ ଅନୁଶୀଳନ କରିଥିଲେ ଆଜାଦ । ସେଥିପାଇଁ ଆଧୁନିକ ଶିକ୍ଷା ପଦ୍ଧତିକୁ ଦେଶରେ ଲାଗୁ କରିବା ପାଇଁ ସେ ଅନେକ ନୀତି କରିଥିଲେ।

ଆଜିର ଦିନରେ ଦେଶର ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ତାଙ୍କ ଜନ୍ମଜୟନ୍ତୀ ପାଳନ କରାଯାଏ । ୨୦୦୮ରେ ଆଜିର ଦିନକୁ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ କରିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୧୮୮୮ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅବୁଲ କାଲାମ ଆଜାଦ ।

ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଦିନ, ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ମହାମହିମ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦ୍ୱିତୀୟ ଦିନରେ ରହିଛି ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମ। ସକାଳ ୯ଟାରେ ଭୁବନେଶ୍ବର ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି। ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହି ହାଇସ୍କୁଲରେ ନିଜେ ପଢ଼ିଛନ୍ତି ଦ୍ରୌପଦୀ । ଏଠାରେ ସମସ୍ତ ଛାତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ପରେ ଯୁନିଟ୍ ୨ରେ ଥିବା କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସକାଳ ୧୦ଟାରେ ରାଜଭବନ ଫେରିବେ ମହାମହିମ । ୧୧ଟା ୪୦ରେ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧ଟା ୧୫ରେ ଦିଲ୍ଲୀ ରାଇସିନା ହିଲ୍ସ ଫେରିଯିବେ ରାଷ୍ଟପତି ଦୌପଦି ମୁର୍ମୁ ।