spot_img
Home Blog Page 3747

ଏମସରେ ଟିକେଟ ଦଲାଲ କରୁଥିଲେ, ଉଠାଇ ଆଣିଲା ପୋଲିସ୍

ଭୁବନେଶ୍ବର: ଏମସରୁ ଗିରଫ ହେଲେ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୋଲିସ । ଦୀର୍ଘଦିନ ହେବ ଏମସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ।

ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ବେ ରୋଗୀ ହନ୍ତସନ୍ତ ହେଉଥିଲେ । ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ 4ରୁ 5 ହଜାର ଟଙ୍କାରେ ବିକୁଥିଲେ । ଏନେଇ ଖଣ୍ଡଗିରି ଥାନା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଛଢ଼ାଉ କରି 12 ଜଣକୁ ଗିରଫ କରିଛି । ଘଟଣାରେ ଧରପଗଡ଼ ଜାରି ରହିଥିବା ବେଳେ, ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି

ଆସିବ କରୋନା ଭାଇରସ ଓ ଇନଫ୍ଳୁଏଞ୍ଜାର ମିଳିତ ଟିକା

ନୂଆଦିଲ୍ଲୀ: ଟିକା ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଖୁବ୍ ଶୀଘ୍ର ଆସିପାରେ କରୋନା ଭାଇରସ ଓ ଇନଫ୍ଳୁଏଞ୍ଜାର ମିଳିତ ଟିକା । ଏନେଇ ଘୋଷଣା କରିଛି ଫାଇଜର-ବାୟୋଏନଟେକ ଫାର୍ମ ।

ଯଦି ଏହି ଟିକା ଆସିବ ତେବେ ଉଭୟ ରୋଗର ଶିକାର ହେଉଥିବା ରୋଗୀମାନଙ୍କ ଲାଗି ଏହା ମହୋଷଧି ସାବ୍ୟସ୍ତ ହେବ । ଆମେରିକାରେ ୧୮୦ ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ ଏମ-ଆରଏନଏ ଭିତ୍ତିକ ମିଳିତ ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ କରାଯାଉଛି ।

ଯଦି ଏହା ସଫଳ ହେବ ତେବେ ଖୁବ୍ ଶୀଘ୍ର ଟିକା ଉପଲବ୍ଧ ହେବ। ଫାଇଜର ଭାକସିନ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ମୁଖ୍ୟ ଆନାଲିସି ଆଣ୍ଡରସନ କହିଛନ୍ତି, ନିଶ୍ବାସ ପ୍ରଶ୍ବାସ ଜନିତ କୋଭିଡ ଓ ଇନଫ୍ଳୁଏଞ୍ଜାର ମିଳିତ ମୁକାବିଲା ଲାଗି ଏହି ଟିକା ସଫଳ ହେବା ଆଶା କରାଯାଉଛି ।

ପ୍ରତିବର୍ଷ କେବଳ ଭାରତ ନୁହେଁ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଇନଫ୍ଲୁଏଞ୍ଜା ପ୍ରମୁଖ ବିପଦର କାରଣ ହୋଇଥାଏ ଏବଂ ହଜାର ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସହ ମୃତ୍ୟୁର ଶିକାର ହୋଇଥାନ୍ତି ।

ପ୍ରବଳ ଜ୍ବର, ଝାଳ ପ୍ରବାହ, କମ୍ପିବା, କଫ, ନିଶ୍ବାସ ପ୍ରଶାସରେ କଷ୍ଟ, ମୁଣ୍ଡବ୍ୟଥା ଆଦି କାରଣ ଇନଫ୍ଳୁଏଞ୍ଜାର ଲକ୍ଷଣ ହୋଇଥାଏ ।  ଉଭୟ ଫାଇଜର ଓ ଜର୍ମାନ ଫାର୍ମ ବାୟୋଏନଟେକ ପକ୍ଷରୁ ପ୍ରସ୍ତୁତ ଟିକା କୋଭିଡ ମୁକାବିଲାରେ ସଫଳ ହୋଇଥିବା ବେଳେ କୋଭିଡ ଓ ଇନଫ୍ଳୁଏଞ୍ଜାର ମିଳିତ ମୁକାବିଲା ଦିଗରେ ବି କମ୍ପାନି ସଫଳ ହେବେ ବୋଲି ଆଶା ରଖାଯାଇଛି ।

ସେହିପରି କୋଭିଡ ଓ ଇନଫ୍ଳୁଏଞ୍ଜାର ମୁକାବିଲା ଲାଗି ମଡର୍ଣ୍ଣା ଓ ନୋଭାଭାକ୍ସ ବି ଅଭିଯାନ ରଖିଥିବା ସୂଚନା ମିଳିଛି ।

ଦୁଇ ପିଲାଙ୍କୁ ଦଳିଦେଲା ଦନ୍ତା, ପିଲାଙ୍କୁ ବଞ୍ଚାଇବାକୁ ଯାଇ ବାପା ମାଆ ଆହତ

ଝାରସୁଗୁଡ଼ା: ବାପା ମାଆଙ୍କ ଆଗରେ ଦୁଇ ପିଲାଙ୍କୁ ଦଳିଦେଲା ଦନ୍ତା । ଝାରସୁଗୁଡ଼ା କର୍ମିରା ବ୍ଲକ ଭଉଁରାଠାରେ ଘଟିଛି ଅଘଟଣ । ମାଆ ବାପାଙ୍କ ଆଗରେ ଦୁଇ ନାବାଳକ ପିଲାଙ୍କୁ ହାତୀ ଦଳି ଦେଇଛି ।

ମୃତ ନାବାଳକ ହେଲେ ଧନଞ୍ଜୟ ସନାତମୀ ଓ ଅଭୟ ସନାତମୀ । ପିଲାଙ୍କୁ ବଞ୍ଚାଇବାକୁ ଯାଇ ବାପା ମାଆ ଆହତ ହୋଇଛନ୍ତି । ମାଆ ଲେହେରାବାଇଙ୍କ ହାତ ଭାଙ୍ଗିଥିବା ବେଳେ ବାପା ଉମେଶ ରାମ ସାମାନ୍ୟ ଆହତ ହୋଇଛନ୍ତି ।

ଉଭୟଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ଇଟାଭାଟି କାମ କରିବାକୁ ଦୁଇ ଦିନ ତଳେ ଛତିଶଗଡ଼ରୁ ଆସିଥିଲେ ଉମେଶ ରାମଙ୍କ ପରିବାର ।

ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ

ଭୁବନେଶ୍ବର: ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ । ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ । ଏହି କମିଟି ଡ୍ରଗ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ଦେଶବ୍ୟାପୀ ଏହାର ମାର୍କେଟିଂ ଯାଏ ସବୁକିଛି ଅନୁଧ୍ୟାନ କରିବ ।

ପ୍ୟାନେଲରେ ରହିବେ ୭ଜଣ ସଦସ୍ୟ । ଏହି ପ୍ୟାନେଲ ଆସନ୍ତା ୩ ମାସ ମଧ୍ୟରେ ବିଭିନ୍ନ ସୁପାରିସ ସହ ଡାଟାବେସ ଦାଖଲ କରିବେ । ଦେଶରେ ଜାଲ୍ ମେଡିସିନର ପ୍ରସାର ବ୍ୟାପକ ହେଉଥିବାବେଳେ ଏହାକୁ ରୋକିବାରେ ସକ୍ଷମ ହେବ ଡାଟାବେସ ।

ବିକ୍ରି ହେଉଥିବା ସମସ୍ତ ଔଷଧର ତଥ୍ୟ ଏହି ଡାଟାବେସରେ ଉପଲବ୍ଧ ରହିବା ଫଳରେ ଖାଉଟିମାନେ ପ୍ରତ୍ୟେକ ଔଷଧ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଔଷଧର ଡୋଜ, ଏହାର କ୍ଷମତା, ପ୍ରସ୍ତୁତକର୍ତ୍ତା, ଡିଲର, ଆମଦାନିକାରୀ ସମ୍ପର୍କରେ ସବିଶେଷ ତଥ୍ୟ ଏହି ପ୍ୟାନେଲ ନିକଟରେ ରହିବ । ଭାରତର ଔଷଧ ମହାନିୟନ୍ତ୍ରକ ଭି.ଜି. ସୋମାନିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ୟାନେଲ କାର୍ଯ୍ୟ କରିବ । ସୋମାନି କହିଛନ୍ତି – ଏହି ନିଷ୍ପତ୍ତି ଦ୍ବାରା ଖାଉଟିମାନେ ନିଜ ଅଧିକାର ପାଇବେ ଏବଂ ମନିଟରିଂ ବ୍ୟବସ୍ଥା ଅଧିକ ସଶକ୍ତ ହେବ । ସାରା ଦେଶରେ ଏକକ ଡ୍ରଗ୍ସ ପ୍ରଶାସନ ବ୍ୟବସ୍ଥା ବି କାର୍ଯ୍ୟକାରୀ ହୋଇପାରିବ ।

କମିଟିର ସଦସ୍ୟ ରହିବେ- ଖାଦ୍ୟ ଓ ଔଷଧ ନିୟନ୍ତ୍ରଣ ପ୍ରଶାସନ ବା ଏଫଡିସିଏ କମିଶନର ଡାକ୍ତର ଏଚ.ଜି. କୋଶିଆ, ଏମସର ଡାକ୍ତର ପୂଜା ଗୁପ୍ତା, ଆଇସିଏମଆରର ବୈଜ୍ଞାନିକ ଡାକ୍ତର ଜେରିଆନ ଜୋସ ପ୍ରମୁଖ । ଭାରତର ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର ଏ.କେ. ପ୍ରଧାନ ରହିବେ ପ୍ୟାନେଲର ଆବାହକ ।

ଖୋଲୁଛି ନିହାରଙ୍କ ଗୁମର, ଆଜି ପତ୍ନୀଙ୍କୁ ଜେରା କରିବ ଭିଜିଲାନ୍ସ

ଭୁବନେଶ୍ବର: ରିମାଣ୍ଡରେ ଖୋଲୁଛି RWSSର ଭୁବନେଶ୍ବର ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କ ଗୁମର । ପ୍ରଥମ ଦିନରେ ଭିଜିଲାନ୍ସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆଜି ନିହାର ଓ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ଚଢ଼ାଉ ବେଳେ ୩୮ଟି କ୍ରିପ୍ଟୋ ଓ୍ବାଲେଟ ମିଳିଥିବା ବେଳେ, ଗତକାଲି ମିଳିଥିଲା ୫୦ଟି ଓ୍ବାଲେଟ୍ ।

ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟୋ କରେନ୍ସି ଏକ୍ସପର୍ଟ । ସ୍ତ୍ରୀଙ୍କ ନାଁରେ ରେକ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା ।

୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବାବୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ବାବୁଙ୍କର ଥିଲା ୮ଟି ପ୍ଲଟ, ଭୁବନେଶ୍ବରରେ ଥିଲା ଫ୍ଲାଟ । ଭିଜିଲାନ୍ସକୁ ଚକମା ଦେବାକୁ ଫୋପାଡ଼ି ଦେଇଥିଲେ ମୋବାଇଲ ।

ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ବରରେ ହୋଇଥିଲା ମାରାଥନ ରେଡ୍ । ସେହିପରି ପୁଅ ନାଁରେ ସେୟାର ମାର୍କେଟରେ ଟଙ୍କା ଲାଗିଥିବା ଭିଜିଲାନ୍ସ ପ୍ରମାଣ ପାଇଛି । କିଛି ସ୍କାନର ଓ ଓ୍ବେବସାଇଟ ଲିଙ୍କକୁ ନେଇ ଚାଲିଛି ଖୋଳତାଡ଼ ।

ଚରିତ୍ର ସନ୍ଦେହରେ ଗର୍ଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ମୟୂରଭଞ୍ଜ: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଚରିତ୍ର ସନ୍ଦେହରେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ । ଏପରି ଅଭାବନୀୟ ଘଟଣା ଘଟିଛି ବାଙ୍ଗିରିପୋଷି ବ୍ଲକ ବଡ଼ଗାଁ ପଞ୍ଚାୟତ ପଣସଡିହା ଗାଁରେ ।

ସେହି ଗାଁର କିଶାନ ସିଂ ସୁରୁ ସିଂ ନାମକ ଯୁବତୀଙ୍କୁ ବିବାହ କରିଥିଲେ । କିଶାନ ମାଛ ବେପାର ସାରି ରାତିରେ ଘରକୁ ଫେରି ସ୍ତ୍ରୀ ସୁରୁଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିଥିଲେ। କିଶାନଙ୍କୁ ଦେଖି ଯୁବକ ଜଣକ ସେଠାରୁ ଦୌଡ଼ି ଚାଲିଯାଇଥିଲେ।

ସ୍ତ୍ରୀ ସୁରୁର ଚରିତ୍ରକୁ ସନ୍ଦେହ କରି କିଶାନ ତାଙ୍କୁ ବାଡ଼ିରେ ଭିଷଣ ପିଟିଥିଲେ। ଫଳରେ ଗର୍ଭବତୀ ଥିବା ସୁରୁଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ଅଭିଯୁକ୍ତ ସ୍ବାମୀ ହତ୍ୟା କରିଥିବା ସ୍ବିକାର କରିଛି। ଆଜି ସାଇଣ୍ଟିଫିକ ଟିମ୍ ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କଲା ପରେ ଶବ ଵ୍ୟବଛେଦ ପାଇଁ ପଠାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ରହିଛି।

ଦର୍ଶନ ଦେଲେ ବାବା ଧବଳେଶ୍ବର, ସୁରକ୍ଷା ପାଇଁ ମୁତୟନ ୧୦ ପ୍ଲାଟୁନ ପୋଲିସ ଫୋର୍ସ

ଆଠଗଡ଼: ମହାପଞ୍ଚକ ପାଇଁ ଚଳଚଞ୍ଚଳ ଆଠଗଡ଼ର ଧବଳେଶ୍ବର ପୀଠ । ରାତି ୩ଟାରୁ ପହଡ଼ ଖୋଲାଯାଇ ସ୍ନାନ ପରେ ମଙ୍ଗଳ ଆଳତୀ କରାଯାଇଥିଲା । ଏହା ପରେ ଖେଚୁଡ଼ି ଭୋଗ ଲାଗି କରାଯାଇ ଦ୍ବାର ଫିଟାଯାଇଛି ।

ଝୁଲା ପୋଲ ବିପଦଜ୍ଜନକ ଅବସ୍ଥାରେ ରହିଥିବାରୁ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁ ଯିବା ଉପରେ କଟକଣା ଲଗାଯାଇଛି । ଫଳରେ ଚଳିତବର୍ଷ ଭକ୍ତଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଭର୍ଚ୍ଚୁଆଲରେ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟ ରାସ୍ତା ପାର୍ଶ୍ବର ଧବଳେଶ୍ଵରଙ୍କ ଫାଟକ ନିକଟରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୀଠରେ ୧୪୪ ଧାରା ଲାଗିଛି ।

୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୬ ଜଣ ଏସଡିପିଓ ଓ ୧୨ ଆଇଆଇସି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।

ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍କୁଲ ଛୁଟି, ଅନଲାଇନରେ ହେବ ପାଠପଢ଼ା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲଗାତାର ବଢୁଛି ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ଆଖି ଆଗରେ ରଖି ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନଲାଇନରେ କ୍ଲାସ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ଅନଲାଇନରେ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି । ଆଜି ସକାଳୁ ଗୁରଗ୍ରାମରେ AQI ୫୩୫  ପାର କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର ୫୬୦ ପାର କରିଛି ।

ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲୋକମାନଙ୍କୁ କମ୍ ଗାଡ଼ି ବ୍ୟବହାର କରିବା ସହ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଛି। ପଡୋଶୀ ରାଜ୍ୟମାନେ ନଡ଼ା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତ୍ତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି ।

ପୁଣି ପ୍ରଧାନମନ୍ତ୍ରୀ ହେବେ ବେଞ୍ଜାମିନ

ଇସ୍ରାଏଲ: ଇସ୍ରାଏଲରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବେଞ୍ଜାମିନ ନେତନ୍ୟାହୁ। ପଞ୍ଚମ ଥର ପ୍ରଧାନମନ୍ତ୍ରୀ ହେବାକୁ ବେଞ୍ଜାମିନ୍ ସଜବାଜ ହେଲେଣି । ଇସ୍ରାଏଲର ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇଥିବା ବେଳେ ବେଞ୍ଜାମିନଙ୍କର ବିପୁଳ ବିଜୟ ହୋଇଛି।

ବଡ଼ ବିଜୟ ପରେ ସେ ଗଠନବନ୍ଧନରେ ସରକାର ଗଠନ କରିବା ପାଇଁ ବିରୋଧୀଙ୍କ ସହ ଆଲୋଚନା କରୁଛନ୍ତି । ବେଞ୍ଜାମିନଙ୍କ ବିଜୟ ପରେ ପରାଜୟ ସ୍ବିକାର କରିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ବିରୋଧୀ ନେତା ୟେର ଲେପିଡ୍। ଭାରତ ସହ ବେଞ୍ଜାମିନଙ୍କର ଭଲ ସମ୍ପର୍କର ରେକର୍ଡ ଥିବାରୁ ଆଗକୁ ମଧ୍ୟ ସମ୍ପର୍କରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

ପୂର୍ବରୁ ବେଞ୍ଜାମିନ ନିର୍ବାଚନ ହାରିବା ପରେ ଅନେକ ପ୍ରତିରକ୍ଷା ଚୁକ୍ତିକୁ ସେତେବେଳର ସରକାର ବାତିଲ କରିଥିଲେ। ଏବେ ବେଞ୍ଜାମିନ କ୍ଷମତାକୁ ଆସିବା ପରେ ସେଗୁଡିକ ପୁଣି ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି।

ଆଜିଠୁ ମହାପଞ୍ଚକ ବ୍ରତ, ପୁରୀରେ ସ୍ବତନ୍ତ୍ର ନୀତିକାନ୍ତି, ଧବଳେଶ୍ବରରେ ଭର୍ଚ୍ଚୁଆଲ ଦର୍ଶନ

ପୁରୀ: ଆଜିଠୁ ମହାପଞ୍ଚକ ବ୍ରତ । ପଞ୍ଚକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଆଜି ପ୍ରଥମ ଦିନରେ ହରି ଉତ୍ଥାପନ ଏକାଦଶୀ ପାଇଁ ନୀତି କରାଯିବା ସହ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।

ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ । ପଞ୍ଚକ ତୃତୀୟ ଦିନରେ ଠାକୁରଙ୍କ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚମ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପଞ୍ଚକ ବ୍ରତଧାରୀଙ୍କୁ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ଅନ୍ୟପଟେ ଆଜିଠୁ ଭର୍ଚ୍ଚୁଆଲରେ ଧବଳେଶ୍ବର ଦର୍ଶନ କରିବେ ଭକ୍ତ । ଝୁଲା ପୋଲ ମରାମତି ପାଇଁ ଭକ୍ତଙ୍କୁ ମନ୍ଦିର ବାରଣ ହୋଇଛି । ଏଥିପାଇଁ ଭର୍ଚ୍ଚୁଆଲରେ ଦର୍ଶନ ବ୍ୟବସ୍ଥା କରାଯାଇଛି  । ମୁଖ୍ୟ ରାସ୍ତା କଡରେ ଥିବା ମନ୍ଦିର ଫାଟକ ନିକଟରେ ଲାଗିବ ପରଦା । ଏହି ପରଦାରେ ବାବା ଧବଳେଶ୍ବରଙ୍କ ଦର୍ଶନ କରିବେ ଭକ୍ତ । ଗତକାଲି ଆଠଗଡ଼ ଉପଜିଲ୍ଲାପାଳଙ୍କ ସହ ପୂଜକ ସମିତି, ପୋଲିସ ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବପରି ମୁଖ୍ୟରାସ୍ତା ଠାରୁ ଝୁଲା ପୋଲ ଓ ମନ୍ଦିର ବେଢ଼ା ପର୍ଯ୍ୟନ୍ତ  ୧୪୪ ଧାରା ଜାରି ରହିବ ।