spot_img
Home Blog Page 3746

ଘନାଉଛି କୋରିଆ ବିବାଦ, ସୀମାରେ ଠୁଳ ହେଲେଣି ୧୮୦ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଘନୀଭୂତ ହେବାରେ ଲାଗିଛି କୋରିଆ ବିବାଦ । ଦକ୍ଷିଣ କୋରିଆ ସୀମା ନିକଟରେ ୧୮୦ରୁ ଅଧିକ ଉତ୍ତରକୋରିଆ ଯୁଦ୍ଧବିମାନ ଦୃଶ୍ୟମାନ ହୋଇଛି ବୋଲି ଅଭିଯୋଗ କରିଛି ଦକ୍ଷିଣକୋରିଆ ।

ଦକ୍ଷିଣ କୋରିଆକୁ ଉତ୍ତରକୋରିଆ ବିଭିନ୍ନ କ୍ଷେତ୍ରରେ ଟାର୍ଗେଟ କରିଚାଲିଥିବାବେଳେ ମିସାଇଲ ପରୀକ୍ଷା ଓ ଯୁଦ୍ଧ ବିମାନ ଉଡାଣ ଏହି ସମସ୍ୟାକୁ ବହୁଗୁଣିତ କରିଛି ।

ଆଜି ଆମେରିକା ଓ ଦକ୍ଷିଣ କୋରିଆର ମିଲିଟାରୀ ଡ୍ରିଲର ଶେଷ ଦିନ ହୋଇଥିବାବେଳେ ଗତକାଲି ଉତ୍ତରକୋରିଆ ପରୀକ୍ଷା କରିଥିଲା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ବା ଆଇସିବିଏମ । ଗତ ୨ ତାରିଖରେ ଉତ୍ତରକୋରିଆ ଲଗାତାର ୨୩ଟି ମିସାଇଲ ପରୀକ୍ଷା ପରେ ବଢିଥିଲା ଟେନସନ ।

ଛଟେଇ ହେଉଛନ୍ତି ଟ୍ବିଟର କର୍ମଚାରୀ, ଆସୁଛି ବ୍ୟକ୍ତିଗତ ମେଲ୍

ନୂଆଦିଲ୍ଲୀ: ପୁଣି ଡାଉନ ହେଲା ଟ୍ବିଟର । ସମସ୍ୟା ଭୋଗିଲେ ୟୁଜର୍ । ଅନେକ ୟୁଜର୍ସ ଏନେଇ ଅଭିଯୋଗ କରିଛିନ୍ତି । ଟୁଇଟରରେ ସମସ୍ୟା ଯୋଗୁ କିଛି ଉପଭୋକ୍ତାଙ୍କ ଆକାଉଣ୍ଟ ଲଗଇନ୍ ହେଇପାରିନଥିଲା ।

ତେବେ କିଛି ସମୟ ପରେ ଏହି ତ୍ରୁଟି ସୁଧୁରିଥିବା ସୂଚନା ମିଳିଛି । ଭୋର୍ ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଟୁଇଟରରେ ଏହି ସମସ୍ୟା ଉପୁଜିଥିଲା । ସେପଟେ ଆଜିଠାରୁ ଆରମ୍ଭ ହୋଇଛି ଟୁଇଟର କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ।

କର୍ମଚାରୀଙ୍କ ନିକଟକୁ ଏନେଇ ଇ-ମେଲ ଆସୁଥିବା ସୂଚନା ମିଳିଛି । ବ୍ୟକ୍ତିଗତ ଭାବେ ଇମେଲରେ ମେସେଜ ଆସୁଥିବାବେଳେ ସେମାନଙ୍କୁ ରଖାଯିବ କି ଛଟେଇ କରାଯିବ ତାହାର ସୂଚନା ଦିଆଯାଉଛି ।

ଖସୁଛି ଚୀନ ରକେଟ, ଯେ କୌଣସି ସ୍ଥାନରେ ପଡ଼ିପାରେ

ନୂଆଦିଲ୍ଲୀ: ଖସୁଛି ଚୀନ ନିର୍ମିତ ରକେଟ । ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ । ବାୟୁମଣ୍ଡଳରେ ଏହା ଘୂରିବା ସହ କୌଣସି ମୁହୂର୍ତ୍ତରେ ଏହା ଖସିବା ଆଶଙ୍କା ରହିଛି ।

ଗତ ୨ ବର୍ଷ ମଧ୍ଯରେ ଚତୁର୍ଥ ଥର ଲାଗି ଏହି ଧରଣର ଘଟଣା ଘଟିବାକୁ ଯାଉଛି । ଏହି ରକେଟ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ରକେଟ ଖସିପଡ଼ିବା ଘଟଣାରେ ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ଓ ୟୁରୋପ ।

ରକେଟ ଖସିପଡିବା ଘଟଣା ପ୍ରତି ୧୦ ହଜାରରେ ଗୋଟିଏ ହୋଇଥିବାବେଳେ ଚୀନ କ୍ଷେତ୍ରରେ ଏହା କାହିଁକି ଘଟୁଛି ବୋଲି ଦୁଇ ରାଷ୍ଟ୍ର ପ୍ରଶ୍ନ କରିଛନ୍ତି । ଲଙ୍ଗ ମାର୍ଚ୍ଚ ୫-ବି ରକେଟକୁ ଗତ ଅକ୍ବୋବର ୩୧ ତାରିଖରେ ଲଞ୍ଚ କରାଯାଇଥିଲା । ଚୀନର ସ୍ପେସ୍ ଷ୍ଟେସନ ତିଆଙ୍ଗଗଙ୍ଗରେ ଏହା ରହିବାର ଥିଲା । ମାତ୍ର ଲଞ୍ଚ ହେବା ପରେ ପରେ ଏହା କକ୍ଷଚ୍ୟୁତ ହୋଇଥିଲା ।

ଗୁଜରାଟରେ କିଏ ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ?

ଗୁଜରାଟ: ଗୁଜରାଟରେ କିଏ ହେବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ନାୟକ ଇସୁଦାନ ଗାଧ୍ବୀ ନା ପଟିଦାର ଗୋପାଳ ଇଟାଲିଆ ? ଆମ୍ ଆଦ୍‌ମୀ ପାର୍ଟି ତା’ର ପଞ୍ଜାବ ନୀତି ଗୁଜରାଟରେ ଆପଣାଇଛି।

ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ଏ ନେଇ ଆପ୍ ଜନସାଧାରଣଙ୍କ ମତ ଲୋଡ଼ିଛି । ଦଳର ଆଭିମୁଖ୍ୟ ଯାହା ବି ହେଉନା କାହିଁକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲଢ଼େଇ ବର୍ତ୍ତମାନ ଦୁଇଜଣଙ୍କ ଭିତରେ ହେଉଛି।

ସେମାନେ ହେଉଛନ୍ତି, ଦଳର ଜାତୀୟ ଯୁଗ୍ମ ସଚିବ ଇସୁଦାନ ଗାଧ୍ବୀ ଏବଂ ରାଜ୍ୟ ସଭାପତି ଗୋପାଳ ଇଟାଲିଆ। ଏକ ତୃତୀୟ ବିକଳ୍ପ ମଧ୍ୟ ଦଳ ଖୋଲା ରହିଛି, ଯଦି କୌଣସି ତୃତୀୟ ବ୍ୟକ୍ତିଙ୍କ ସପକ୍ଷରେ ଅଧିକ ଜନମତ ମିଳେ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ।

ତେବେ ତା’ର ସମ୍ଭାବନା ବହୁତ କମ୍। ସେପଟେ ଆଜି କଂଗ୍ରେସ ମଧ୍ୟ ଆଜି ଗୁଜରାଟରେ ସିଏମ୍‌ ପ୍ରାର୍ଥୀ ଘୋଷଣା କରିପାରେ । ଗତକାଲି ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରଜନୀତି ପାଣିପାଗ ସରଗରମ ହୋଇଛି ।

ଦିଲ୍ଲୀରେ ସ୍କୁଲ ବନ୍ଦ, ପ୍ରଦୂଷଣ ପାଇଁ ନିଜକୁ ଦାୟୀ କଲେ କେଜ୍ରିଓ୍ବାଲ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଦୂଷଣ ମାମଲା । ପ୍ରଦୂଷଣକୁ ନେଇ ଦାଏର ପିଟିସନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ । ସେପଟେ ଦିଲ୍ଲୀରେ ଲଗାତାର ବଢୁଛି ବାୟୁ ପ୍ରଦୂଷଣ । ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନଲାଇନରେ କ୍ଲାସ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ଅନଲାଇନରେ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଏହି ପ୍ରଦୂଷଣ ଲାଗି ନିଜକୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେହିପରି ପଞ୍ଜାବରେ ଲାଗିଥିବା ଫାର୍ମ ନିଆଁ ଲାଗି ଆପ୍ ସରକାର ନିଜକୁ ଦାୟୀ କରିଛନ୍ତି । ନଡ଼ା ଓ କୁଟା ପୋଡି଼ବାକୁ କ୍ରମଶଃ ନିୟନ୍ତ୍ରଣ କରାଯିବ ଏବଂ ଆସନ୍ତାବର୍ଷ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି ।

ଆଜି ସକାଳୁ ଗୁରଗ୍ରାମରେ AQI ୫୩୫  ପାର କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର ୫୬୦ ପାର କରିଛି । ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲୋକମାନଙ୍କୁ କମ ଗାଡ଼ି ବ୍ୟବହାର କରିବା ସହ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି ।

ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡ଼ା ପୋଡ଼ିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତ୍ତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି ।

ଅଜଣା ଜନ୍ତୁ ଆତଙ୍କ: ଗୋଟିଏ ରାତିରେ ୬୩ ଛେଳି, ମଣ୍ଢାଙ୍କ ମୃତ୍ୟୁ

ଗଜପତି: କାଶୀନଗର ବ୍ଲକ କିଡିଗାଁ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ଗୋଟିଏ ରାତିରେ ୬୩ ଛେଳି, ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଛେଳି ଗୁରୁତର ହୋଇଛନ୍ତି ।

ସବୁ ଛେଳି, ମେଣ୍ଡା ସେହି ଗ୍ରାମର ବୀରା କ୍ରିଷ୍ଣା ଓ ବୀରା ରାମୁଙ୍କର ବୋଲି ଜଣାପଡିଛି। ଖବରପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ବଣିକାନ୍ତ ଖଟୁଆ ପହଞ୍ଚିଛନ୍ତି ।

ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତର ଛେଳି ମେଣ୍ଡାଗୁଡିକର ଚିକିତ୍ସା ବ୍ୟବସ୍ଥା କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ଛେଳି, ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

ଫେଲ ମାରିଲା ଅପରେସନ ଲୋଟସ, ୪ ବିଧାୟକଙ୍କୁ ୨୫୦ କୋଟି ଦେବାକୁ ହୋଇଥିଲା ଡିଲ

ତେଲେଙ୍ଗାନା: ତେଲେଙ୍ଗାନାରେ ବିଜେପିର ଅପରେସନ ଲୋଟସକୁ ନେଇ ହୋଇଥିଲା ଗୁପ୍ତ ରାଜିନାମା । ଜଣେ ପ୍ରମୁଖ ଟିଆରଏସ୍ ନେତାଙ୍କୁ ଶହେ କୋଟି ଓ ଅନ୍ୟ ବିଧାୟକଙ୍କୁ ଜଣ ପିଛା ୫୦ କୋଟି ଲେଖାଏଁ ଦେବାକୁ ହୋଇଥିଲା ଡିଲ୍‌ ।

ସପ୍ତାହେ ଧରି ବିଜେପିର ଘୋଡା ବେପାର ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ପ୍ରମାଣ ସ୍ବରୂପ ଏକ ଭିଡିଓ ଉପସ୍ଥାପନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର । ଯାହାକୁ ନେଇ ଆହୁରି ସରଗରମ ହୋଇଛି ରାଜନୀତି । ଯେଉଁ ଫାର୍ମ ହାଉସରେ ଡିଲ ହୋଇଥିଲା, ସେଠାକାର ମାଲିକ ରୋହତ ରେଡ୍ଡୀ ଏ ନେଇ ପୂର୍ବରୁ ଥାନାରେ ଏତଲା ଦେଇଥିବା ବେଳେ FIRରେ ଦସ୍ତଖତ ମଧ୍ୟ କରିଛନ୍ତି ।

ଟେବୁଲ ଉପରେ ଚାରିଜଣ ବିଧାୟକଙ୍କ ପାଇଁ ୨୫୦ କୋଟି ଟଙ୍କା ଥୁଆ ହୋଇଥିବା ସେ ଦେଖିଛନ୍ତି ବୋଲି ଦାବି କରିଛନ୍ତି । ବିଜେପିରେ ଯୋଗ ନ ଦେଲେ କେନ୍ଦ୍ରୀୟ ତଦନ୍ତର ଧମକ ଦିଆଯାଇଥିବା ମଧ୍ୟ ରେଡ୍ଡୀ ଅଭିଯୋଗ କରିଛନ୍ତି।

ପୁଲିସ ଏ ବାବଦରେ ଏକ ମାମଲା ରୁଜୁ କରି ତିନିଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏମାନଙ୍କର ବିଜେପି ସହ ସମ୍ପର୍କ ଅଛି ବୋଲି ପୋଲିସ ଦାବି କରିଛି। ସେପଟେ ଟିଆରଏସର ତମାମ ଅଭିଯୋଗକୁ ପ୍ରହସନ ଓ ବିଭ୍ରାନ୍ତୀକର ବୋଲି ରାଜ୍ୟ ବିଜେପି କହିଛି ।

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ବର: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଗାମୀ ୧୦ ତାରିଖରେ ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ଦ୍ବିତୀୟ ଦିନରେ ଭୁବନେଶ୍ବର ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲିବେ । ଉଭୟ ବିଦ୍ୟାଳୟରେ ୧୦ମିନିଟ ଲେଖାଏଁ ରହିବା କାର୍ଯ୍ୟକ୍ରମ ରହିଛି । ଏନେଇ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଗତକାଲି ଗଣଶିକ୍ଷା ସଚିବ ସହ ବିଭିନ୍ନ ବିଭାଗ ଅଧିକାରୀମାନେ ଦୁଇ ସ୍କୁଲ ପରିଦର୍ଶନ କରିଥିଲେ। ଆଜି ଭୁବନେଶ୍ୱର ମେୟର ଓ ବିଏମସିର ବରିଷ୍ଠ ଅଧିକାରୀ ଉଭୟ ସ୍କୁଲ ପରିଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ପିଲାମାନେ ମଧ୍ୟ ନିଜ ନିଜ ତରଫରୁ ଉପହାର ଦେବା ଲାଗି ପ୍ରସ୍ତୁତି ଚଳାଇଛନ୍ତି ।

କିଏ ହାତ ତିଆରି ପେଣ୍ଟିଂ ପ୍ରସ୍ତୁତ କରୁଛି ତ ଆଉ କିଏ ଫୁଲ ତୋଡା ଦେବାକୁ ଯୋଜନା ଚଳାଇଛନ୍ତି। ଦୁଇ ଦିନିଆ ଗସ୍ତ ସାରି ୧୧ତାରିଖ ଅପରାହ୍ନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଇଭିଏମରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ

ଧାମନଗର: ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୬ ତାରିଖରେ ଜଣାପଡ଼ିବ କିଏ ପିନ୍ଧିବ ଧାମନଗର ମୁକୁଟ । ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଗତକାଲି ଶାନ୍ତି ଶୃଙ୍ଖଳାରେ ମତଦାନ ସରିଛି । ମୋଟ୍ 69 ଦଶମିକ 04 ପ୍ରତିଶତ ଭୋଟିଂ ହୋଇଥିବା ଜିଲ୍ଲା ପ୍ରଶାସନ କହିଛି ।

85 ହଜାର ମହିଳା ଭୋଟ ଦେଇଥିବା ବେଳେ,  78 ହଜାର ପୁରୁଷ ଭୋଟ ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମ କରାଯାଇଛି । ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ରଖାଯାଇଛି ।

ସିଆରପିଏଫର ଗୋଟିଏ ପ୍ଲାଟୁନ ଫୋର୍ସ ଇନର କର୍ଡନ ଜଗିଥିବା ବେଳେ ମିଡିଲ କର୍ଡନକୁ ଜଗିଛନ୍ତି ଷ୍ଟେଟ ଆର୍ମଡ୍ ଫୋର୍ସ । ସେହିପରି ବାହ୍ୟ ବଳୟରେ ରହିଛନ୍ତି ଜିଲ୍ଲା ପୋଲିସର ଏକ ପ୍ଲାଟୁନ୍ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦରୋ । ୨୦୧୯ ସାଧାରଣ ନିର୍ବାଚନରେ ୭୨ ଦଶମିକ ୦୧ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଚଳିତ ବର୍ଷ ତାଠୁ ଅଳ୍ପ ପ୍ରତିଶତ ଭୋଟିଂ ହେଇଛି ।

ଏକା ସାଙ୍ଗରେ ୨ ସଂସ୍ଥାରେ ଚାକିରି ଏବେ ପଢ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିଲେ ବି ଅନ୍ୟ ସଂସ୍ଥା ଲାଗି କାର୍ଯ୍ୟ କରିବା ଏଣିକି ପଡିପାରେ ମହଙ୍ଗା । ଏଥିଲାଗି ଦାଖଲ କରିବାକୁ ପଡ଼ିପାରେ ଅତିରିକ୍ତ ଆୟକର ।

ଏନେଇ ସତର୍କ କରାଇଛି ଆୟକର ବିଭାଗ । ତାମିଲନାଡୁ, ପୁଦୁଚେରୀ ଓ କେରଳର ପ୍ରିନ୍ସିପାଲ ଆଇଟି କମିଶନ ଆର. ରବିଚନ୍ଦ୍ରନ କହିଛନ୍ତି- କୌଣସି କମ୍ପାନି ବା କୌଣସି ବ୍ୟକ୍ତିବିଶେଷ ଯଦି ଜଣେ କର୍ମଚାରୀଙ୍କୁ ଏକ ଚାକିରି ଲାଗି ମାସିକ ୩୦ ହଜାର ଟଙ୍କାରୁ ତଦୁର୍ଦ୍ଧ ଦେଉଛନ୍ତି ତେବେ ସେହି ଅର୍ଥ ଉପରେ ଉପଯୁକ୍ତ ପରିମାଣ ଟିଡିଏସ ଲାଗୁ ହୋଇପାରିବ ।

ଆୟକର ଆଇନର ଧାରା 194-ଗ ଅନୁସାରେ ଏହି ନିୟମ ଲାଗୁ ହେବ । କର୍ମଚାରୀଙ୍କୁ ଚେକ୍, ଡ୍ରାଫ୍ଟ ବା ଅନ୍ୟ କୌଣସି ଉପାୟରେ ଦରମା ପ୍ରଦାନ କରାଯାଉଥିବାବେଳେ ଟିଡିଏସ ଲାଗୁ କରାଯାଇପାରିବ ।

ଏକ ଆର୍ଥିକ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ଆୟ ହେଉଥିଲେ ସେହି ପରିମାଣ ଅନୁସାରେ ଟିଡିଏସ ଲାଗୁ ବ୍ୟବସ୍ଥା ରହିଛି । ରୟାଲଟି, ପ୍ରଫେସନାଲ ସର୍ଭିସ ଫି, ଟେକନିକାଲ ସର୍ଭିସ ଫି ଆଦି ବାବଦରେ ପ୍ରଦାନ କରାଯାଉଥିବା ପ୍ରାପ୍ୟ ଆୟକର ଆଇନର ଧାର 28-5-କ ଅନୁସାରେ ଟିଡିଏସ ଲାଗି ପ୍ରଯୁଜ୍ୟ ହେବ । ଟାକ୍ସ ରିଟର୍ଣ୍ଣସରେ ନିଜର ଅତିରିକ୍ତ ଆୟ ସମ୍ପର୍କରେ ଉଲ୍ଲେଖ କରିବା ଲାଗି କର୍ମଚାରୀମାନଙ୍କୁ ଆୟକର ବିଭାଗ ନିର୍ଦ୍ଦେଶ ଦେଇଛି । ଏହାର ଉଲ୍ଲଂଘନ କଲେ ଆୟକର ଆଇନର ଧାରା 148-କ ଅନୁସାରେ ଆର୍ଥିକ ଜୋରିମନା ଲାଗୁ ହେବ ବୋଲି କୁହାଯାଇଛି ।