spot_img
Home Blog Page 3753

ଗୁରୁବାର ସକାଳ ସାତରୁ ଧାମନଗର ପାଇଁ ପଡିବ ଭୋଟ

ଧାମନଗର: କିଏ ଜିତିବ ଧାମନଗର ବ୍ୟାଟେଲ । ମତଦାନ ପାଇଁ ସଜବାଜ ହେଉଛନ୍ତି ଧାମନଗରବାସୀ । କାହାକୁ ସମର୍ଥନ କରିବେ ଭୋଟର । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ମୋଟ ୨ଲକ୍ଷ ୪୦ ହଜାର ୯୨ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୬ ହଜାର ୫୭୯ ମହିଳା ଓ ୧ଲକ୍ଷ ୨୪ ହଜାର ୯୨ଜଣ ପୁରୁଷ ଅଛନ୍ତି ।

ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥ ମଧ୍ୟରୁ ୬୦ଟି ଉତ୍ତେଜନାପ୍ରବଣ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି । କେବଳ ମହିଳାଙ୍କ ପାଇଁ ୫ଟି ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ଜଣ ପୋଲିଂ ଅଧିକାରୀ, ୩୦ଜଣ ସେକ୍ସନ ଅଫିସର ଓ ୨ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୪ କମ୍ପାନୀ ସିଆରପିଏଫ୍ ଓ ୨୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି । ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ୧୭୫ଟି ବୁଥର ୱେବକାଷ୍ଟିଂ କରାଯିବ ।

ଏନକାଉଣ୍ଟରରେ ଏଲଇଟି କମାଣ୍ଡର ମୁଖତାର ଭଟ୍ଟ ନିପାତ, ସେନା ଶିବିରରେ କରିଥାନ୍ତେ ବଡ ଧରଣର ଆକ୍ରମଣ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଅବନ୍ତୀପୋରାରେ ଏନକାଉଣ୍ଟରେ ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି । କାଶ୍ମୀର ପୋଲିସର କହିବା ଅନୁସାରେ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଇବାର କମାଣ୍ଡର ମୁଖତାର ଭଟ୍ଟ ଅଛି । ମୁଖତାର ଅନ୍ୟ ଆତଙ୍କବାଦୀଙ୍କ ସହ ମିଶି ସୁରକ୍ଷାକର୍ମୀଙ୍କ ଶିବିରରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଥିଲା । ସେନା ଏବଂ ପୋଲିସ ମିଳିତ ଭାବେ ଏକ ବଡ଼ ଅଘଟଣକୁ ଏଡାଇବାରେ ସଫଳ ହୋଇଛନ୍ତି ।

ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୫୬ ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି । ମୁଖତାର ଭଟ୍ଟ ଜଣେ ଏଏସଆଇ ଏବଂ ସିଆରପିଏଫ, ଆରପିଏଫ ଯବାନଙ୍କ ହତ୍ୟାରେ ସାମିଲ ଥିଲା । ଆତଙ୍କବାଦୀଙ୍କ ନିପାତ ପରେ ସୁରକ୍ଷାକର୍ମୀ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଆତଙ୍କବାଦୀ ଲୁଚି ରହିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ସେମାନେ ଲୁଚି ରହିଥିବା ଘରକୁ ଘେରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କୀମାନେ ଗୁଳି ମାଡ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି ।

ପ୍ରୋଜେକ୍ଟ ପାଚେରୀ ବାନ୍ଧି ରାଜଧାନୀ ଉପକଣ୍ଠରେ ପଶିଲା ହାତୀ, ହୋଇପାରେ ଟ୍ରାଙ୍କୁଲାଇଜ

ଭୁବନେଶ୍ବର: ରାଜଧାନୀରେ ବୁଲୁଛି ଦନ୍ତା। ପିପିଲିରୁ ବାଲିପାଟଣା ଉତ୍ତରା ଶାସନ ନିକଟରେ ଏକ ହାତୀ ଧଉଳି ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଛି । ବନବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି । ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଛି ।

ଖୋର୍ଦ୍ଧା ସିଟି ଡିଭିଜନ ପୁରୀ ୱାଇଲଡ ଲାଇଫ ଡିଭିଜନ ଚନ୍ଦକା ବନ ଭିଭାଗ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ କରାଯାଇପାରେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜର୍ମାନୀ କନସୁଲେଟ୍ ଜେନେରାଲ୍ ଓ ଜର୍ମାନ ସଂସଦର ପ୍ରତିନିଧି ଦଳ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଜର୍ମାନୀର କନସୁଲେଟ୍ ଜେନେରାଲ୍ ଏବଂ ଜର୍ମାନ ସଂସଦର ପ୍ରତିନିଧି ଦଳ । ନବୀନ ନିବାସରେ ଏହି ସାକ୍ଷାତ ସମୟରେ ବାଣିଜ୍ୟ, ନିବେଶ ଏବଂ ପାରସ୍ପରିକ ସମ୍ପର୍କକୁ ନେଇ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସାକ୍ଷାତ ସମୟରେ ସମସ୍ତଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ଖଣ୍ଡନ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ରାଜୀବ ଶ୍ରୀଚନ୍ଦନ । ତାଙ୍କ ଘର ଡୁମୁଡୁମା ଫେଜ-୨ ଅଞ୍ଚଳରେ । ରାଜୀବ ଟ୍ରେଜେରୀ ଅଫିସରେ ଚାକିରି କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ପିଟିପିଟି ମାରିଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଜୀବଙ୍କ ସାଙ୍ଗ  ଓ କଲୋନୀ ବାସିନ୍ଦା । ଗତ ୨୪ ତାରିଖରେ କୋଳଥିଆର ନିଷ୍ଠା ନିଶା ନିବାରଣ କେଦ୍ରରେ ଭର୍ତ୍ତି ହୋଇଥିଲେ ରାଜୀବ । ଆଜି ଅପରାହ୍ନରେ  ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିବା ନେଇ ତାଙ୍କ ସାଙ୍ଗଙ୍କୁ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା  । ରାଜୀବଙ୍କୁ ଅଟୋରେ କ୍ୟାପିଟାଲ ହସପିଟାଲ ନେଇଥିଲେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ । ସେଠାର ଡାକ୍ତର ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ନିଶାନିବାରଣ କେନ୍ଦ୍ରରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପରିବାର ଓ ସାଙ୍ଗ । ପାଖରେ ଦୁଇ ଦୁଇଟି ହସ୍ପିଟାଲ ଥାଇ ମଧ୍ୟ କାହିଁକି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଗଲା ବୋଲି ପ୍ରଶ୍ନ ଉଠିଛି । ଏହାଛଡ଼ା ଆମ୍ବୁଲାନ୍ସ ବଦଳରେ ଏକ ଅଟୋରେ ନେବା ମଧ୍ୟ କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଆଣିଛି । ମାମଲାର ତଦନ୍ତ କରି ନିଶା ନିବାରଣ କେନ୍ଦ୍ରର ପରିଚାଳକଙ୍କୁ ଗିରଫ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଆସନ୍ତାକାଲି ପୋଲିସ ନିଶା ନିବାରଣକୁ ଯାଇ ତଦନ୍ତ କରିବ । ସେପଟେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଶା ନିବାରଣ କର୍ତ୍ତୃପକ୍ଷ ।

ତୁମେ ଆଗକୁ ବଢ଼, ଆମେ ସାଥୀରେ ଅଛୁ

ଭୁବନେଶ୍ୱର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦ୍ୱାଦଶ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଆନନ୍ଦିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପିଲାମାନେ ତୁମମାନଙ୍କ ହସ ସମସ୍ତଙ୍କୁ ଖୁସି ଦେଇଥାଏ । ତୁମମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରୁଛୁ । ପାଠ, ଖେଳ, ନାଚ, ଗୀତ ତୁମମାନଙ୍କ ରୁଚି ଅନୁସାରେ ତୁମେମାନେ ଆଗକୁ ବଢ଼ । ଆମେ ସବୁବେଳେ ତୁମ ସାଥିରେ ଅଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଥିଲେ କି ପିଲାମାନେ ଆମ ସମାଜର ଭବିଷ୍ୟତ । ସେମାନେ ଆମର ସାମୂହିକ ଆଶା ଏବଂ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରନ୍ତି । ହସୁଥିବା ପିଲାମାନେ ଆମ ସମାଜକୁ ଅନେକ ରଙ୍ଗରେ ରଙ୍ଗୀନ କରନ୍ତି ଏବଂ ଏହାର ଜୀବନ୍ତତାକୁ ଚିତ୍ରଣ କରନ୍ତି । ଆମର ସମସ୍ତ ପ୍ରୟାସକୁ ଗୋଟିଏ ଲକ୍ଷ୍ୟରେ ନିର୍ଦ୍ଦେଶିତ କରାଯିବା ଉଚିତ- ପ୍ରତ୍ୟେକ ପିଲାଙ୍କ ମୁହଁରେ ହସ ଆଣିବା ।

ମୋ ସରକାର ପିଲାମାନଙ୍କ କଲ୍ୟାଣ ପାଇଁ ଆନ୍ତରିକ ଉଦ୍ୟମ ଜାରି ରଖିଛନ୍ତି । ଆମେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାପନ କରିଛୁ । କଟକ ଉତ୍କଳ ବାଳାଶ୍ରମ ବିଲଡିଂ ନିର୍ମାଣ ପାଇଁ ମୁଁ ୩ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁର କରି ଖୁସି ଅଟେ ବୋଲି ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ । ଶିଶୁମାନଙ୍କର ଅଧିକାରର ସୁରକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ OSPCR ଆନ୍ତରିକତାର ସହିତ କାର୍ଯ୍ୟ କରୁଛି । ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ନିରନ୍ତର ପ୍ରୟାସ କରୁଛି । ମୁଁ ଆଶା କରୁଛି ଏହା ଆମ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ପାଇଁ ପ୍ରୟାସ ଜାରି ରଖିବ ।

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ, ସକାଳ ୫ଟା ୪୫ରୁ ପାକତ୍ୟାଗ ଓ ଦେବନୀତି ନିଷେଧ

ପୁରୀ: ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ । ଶ୍ରୀଜିଉଙ୍କ ହେବ ସ୍ୱତନ୍ତ୍ର ରୀତିନୀତି । ୮ ତାରିଖ ମଧ୍ୟ ରାତ୍ରୀ ୧୨ଟାରେ ଦ୍ବାରଫିଟା ନୀତି । ପରେ ମଙ୍ଗଳ ଆଳତି, ମଇଲମ ଓ ଅବକାଶ ପୂଜା ହେବ । ସୁନାବେଶ ପରେ ଗୋପାଳବଲ୍ଲଭ ଭୋଗମଣ୍ଡପ ନୀତି ହେବ। ଏନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପାକତ୍ୟାଗ ଭୋର ୫ଟା ୪୫ ମିନିଟ ୫୩ ସେକେଣ୍ଡରେ କରାଯିବ । ପୂର୍ବରୁ ପାକତ୍ୟାଗ ସକଳା ୮ଟା ୨୯ରେ କରାଯିବା ନେଇ ନୀତିନିର୍ଘଣ୍ଟ ହୋଇଥିବା ବେଳେ ଏହାକୁ ଆଜିର ବୈଠକରେ ବଦଳା ଯାଇଛି । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ହେବ । ତେବେ ପଞ୍ଚୁକ ନୀତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ଲୋଡିଛି ପ୍ରଶାସନ । ଭକ୍ତ ସକାଳୁ ଦେବନୀତି ଓ ଡଙ୍ଗା ଭସା କାର୍ଯ୍ୟ ଭୋର ୫ଟା ୫୪ପୂର୍ବରୁ କରିବାକୁ ପରାମର୍ଶ ।

ଶୀତ ଦିନରେ କୁହୁଡ଼ି ଓ ଧୂଆଁ ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଶୀତ ଦିନରେ କୁହୁଡ଼ି ଓ ଧୂଆଁ ଯୋଗୁଁ ଦୃଶ୍ୟମାନ ହ୍ରାସ ପାଇଥାଏ । ଏଥିପାଇଁ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ନଭେମ୍ବରରୁ ଫେବ୍ରୁଆରୀରେ ଦୁର୍ଘଟଣା ଶତକଡା ୩୦ ଭାଗ ଅଧିକ ହେଉଥିବା ସମୀକ୍ଷାରୁ ଜଣାପଡ଼ିଛି । ରାଜ୍ୟରେ ଦୁର୍ଘଟଣା ଓ ଏହି ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ କରାଯାଇଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍ ଦୁଇ ମାସ ଧରି ନଭେମ୍ବର ଓ ଡିସେମ୍ବର ମାସ ତମାମ୍ ଚାଲିବ । ନଭେମ୍ବର ଓ ଡିସେମ୍ବର ମାସରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ଓ ମଦ୍ୟାପାନ କରି ଦ୍ରୁତ ଗାଡିଚାଳନା ଅଧିକ ହେଉଥିବାରୁ ସଡକ ଦୁର୍ଘଟଣା ବଢୁଥିବା ଲକ୍ଷ୍ୟ କରାଯାଇଛି । ଏନଫୋର୍ସମେଣ୍ଟ ସମୟରେ ହେଲମେଟ୍ ଓ ସିଟ ବେଲ୍ଟ ବିନା ଡ୍ରାଇଭିଂ, ମଦ୍ୟପାନ କରି ଡ୍ରାଇଭିଂ, ଦ୍ରୁତ ଗାଡି ଚାଳନା, ମୋବାଇଲ ଧରି ଗାଡି ଚଳାଇବା ଆଦି ସମସ୍ତ ବିଷୟ ଉପରେ ଧ୍ୟାନ ଦିଆଯିବ ବୋଲି ପରିବହନ ବିଭାଗ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି ।

ବିଜେପି ରାଲିରେ ଛୋଟ ପିଲା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ରାଲିରେ ଛୋଟପିଲାଙ୍କୁ ସାମିଲ କରିବା ଘଟଣାକୁ ନିନ୍ଦା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଫେରାଦ ହେଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ବିଜେପି ସମ୍ବେଦନଶୀଳ ଘଟଣାରେ ସବୁବେଳେ ହୀନ ରାଜିନୀତି କରୁଛି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାକୁ ନେଇ ମଧ୍ୟ ରାଜନୀତି କରୁଛି ବିଜେପି । ଏହାକୁ ନେଇ ରାଜନୀତି ନକରିବାକୁ ଧର୍ମେନ୍ଦ୍ରଙ୍କ ପରିବାର ଅନୁରୋଧ କରିଥିଲେ । ହେଲେ ଏହାକୁ ମଧ୍ୟ ବିଜେପି ହେୟଜ୍ଞାନ କରି ଗତକାଲି ରାଲି ପ୍ରଦର୍ଶନ କରିଥିଲା ।

କିନ୍ତୁ ବିଜେପି କରୁଥିବା ରାଲିକୁ ଲୋକଙ୍କ ସମର୍ଥନ ମିଳିନଥିଲା । ଶେଷରେ ନିରୁପାୟ ହୋଇ ଛୋଟଛୋଟ ପିଲାଙ୍କୁ ଦଳୀୟ ପତାକା ଧରାଇ ରାଲିରେ ସାମିଲ କରିଥିଲା ବିଜେପି । ବିଜେପିର ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ବିଜେଡି ଅଭିଯୋଗ କରିଛି । ପ୍ରମାଣ ମଧ୍ୟ ବିଜେଡି ପକ୍ଷରୁ ହସ୍ତାନ୍ତର କରାଯାଇଛି । ଆୟୋଗ ଅଧ୍ୟକ୍ଷା ଅଭିଯୋଗକୁ ଗ୍ରହଣ କରିଛନ୍ତି । ପିଲା ଦେଶ ଓ ରାଜ୍ୟର ଭବିଷ୍ୟତ । ପିଲାମାନକୁ ଏଭଳି  ବ୍ୟବହାର କରିବା ଠିକ ନୁହେଁ । ତଦନ୍ତ ପରେ ଗାଇଡ ଲାଇନ ଅନୁସାରେ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆୟୋଗ ଅଧ୍ୟକ୍ଷା କହିଛନ୍ତି ।

ବାତ୍ୟା ମୁକାବିଲା ପାଇଁ ନୂଆ ମାଷ୍ଟର ପ୍ଲାନ୍, ଆସନ୍ତା ଜାନୁଆରୀରୁ ନିର୍ମାଣ ହେବ ପ୍ରତିରୋଧକ ଲୁଣାବନ୍ଧ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ମାଷ୍ଟର ପ୍ଲାନ । ଆସନ୍ତା ଜାନୁଆରୀ ମାସରୁ ନିର୍ମାଣ ଆରମ୍ଭ ହେବ ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପ । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବାତ୍ୟା ମୁକାବିଲା ପାଇଁ ଗୋଟିକ ପରେ ଗୋଟିଏ ସଫଳ ପଦକ୍ଷେପ ନେଇ ଚାଲିଛି ଓଡ଼ିଶା । ଏହି ଯୋଜନାରେ ୩୬ଟି ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ୨୦୨୫ ସୁଦ୍ଧା ଖର୍ଚ୍ଚ ହେବ ୭୬୩.୪୮ କୋଟି ଟଙ୍କା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀର ଲୁଣା ବନ୍ଧଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିବାକୁ ୧୯୮.୮୧ କିଲୋମିଟର ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ପ୍ରଥମ ବର୍ଷ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଷ୍ଟିୟରିଂ କମିଟି ଗଠନ କରି କ୍ଷେତ୍ରାଞ୍ଚଳରେ ହିଁ ପ୍ରକଳ୍ପ ସମ୍ପର୍କିତ ସମସ୍ୟା ସମାଧାନ କରାଯିବ । ଚଳିତ ସପ୍ତାହରେ ବସିବ ଷ୍ଟିୟରିଂ କମିଟି ବୈଠକ ।

ଲୁଣାବନ୍ଧ, ଏହାର ପଥର ପ୍ୟାକିଂ, ହେନ୍ତାଳ ବଣ ଓ ଛୋଟ ଛୋଟ ଘାସ ବାତ୍ୟା ସମୟରେ ଲୁଣାପାଣି ମାଡ଼ ପ୍ରତିରୋଧ କରିବାରେ ସହାୟକ ହୁଅନ୍ତି । ବାତ୍ୟା ସମୟରେ ସମୁଦ୍ରର ଜୁଆର ୮ରୁ ୧୫ ଫୁଟ୍ ଉଚ୍ଚ ରହିବାର ଆଶଙ୍କା ରହୁଥିବାରୁ ୧୫ରୁ ୨୦ ଫୁଟ ଉଚ୍ଚ ବନ୍ଧ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ପ୍ରତି ତିନି ମାସରେ ଷ୍ଟିୟରିଂ କମିଟି ବୈଠକ ବସିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟର ସମୀକ୍ଷା କରିବେ । ଏନେଇ ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର ପରାମର୍ଶ ନିଆଯିବ ।