spot_img
Home Blog Page 3752

ଟି-୨୦ ବିଶ୍ୱକପରେ ସେମି ଟିକେଟ୍ ପାଇଁ ଲଢ଼େଇ : ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ

ଆଡିଲେଡ୍: ସେମି ଟିକେଟ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଛି କଡ଼ା ମୁକାବିଲା । ଆଡିଲେଡରେ ଚାଲିଥିବା ଏହି ହାଇଭୋଲ୍ଟେଜ ମ୍ୟାଚରେ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନ କ୍ରମେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ନିଜର ୬ ୱିକେଟ୍ ବିନିମୟରେ ୧୮୪ ରନ୍ ସଂଗ୍ରହ କରିଛି । ବାଂଲାଦେଶ ଆଗରେ ଏବେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି ।

ଭାରତୀୟ ପାଳିରେ କେଏଲ ରାହୁଲ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି । ଲଗାତର ଫ୍ଲପ ସାବ୍ୟସ୍ତ ହେଉଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଭଲ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା ଓ କେଏଲ ରାହୁଲ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରିଜକୁ ଓହ୍ଲାଇଥିଲେ । ୮ ଟି ବଲ୍ ଖେଳି ମାତ୍ର ୨ ରନ୍ କରି ରୋହିତ ପାଭେଲିଅନ୍ ଫେରିଯାଇଥିଲେ । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିରାଟ କୋହଲି ଆସିଥିଲେ ।

ବିରାଟ ଓ କେଏଲ ରାହୁଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ହେଲେ ରାହୁଲ ଦଳୀୟ ସ୍କୋର ୭୮ ଥିବା ବେଳେ ବ୍ୟକ୍ତିଗତ ୩୨ ଟି ବଲ୍ ଖେଳି ୫୦ ରନ୍ କରି ଶାକିବଙ୍କ ଓଭରରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ବିରାଟଙ୍କ ସାଥ୍ ଦେଇଥିଲେ । ୧୬ ଟି ବଲ୍ ଖେଳି ଦ୍ରୁତତାର ସହ ୩୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଜଣେ ପରେ ଜଣେ ଆଉଟ୍ ହୋଇଥିଲେ । ବାରିଟ କୋହଲି କିନ୍ତୁ ଏକାକୀ ଦଳକୁ ସମ୍ଭାଳିଥିଲେ । ଭାରତୀୟ ପାଳି ଶେଷ ହେଲାଯାଏଁ ବିରାଟ ୪୧ଟି ବଲ୍ ଖେଳି ୬୪ ରନ୍ କରି ଅପରାଜିତ ରହିଥିଲେ । ଅଶ୍ୱିନୀ ୬ ଟି ବଲରେ ୧୩ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ହସନ ମହମ୍ମଦ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶକିବ ଅଲ ହସନ ୨ ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ଟ୍ବିଟର ବ୍ଲୁ ଟିକ୍‌ ପାଇଁ ୬୬୦ ଟଙ୍କା: ମସ୍କ କହିଲେ ଅଭିଯୋଗ କର, ପଇସା ଦେବାକୁ ହେବ

ଏଣିକି ଟ୍ବିଟରରେ ବ୍ୱୁ ଟିକ୍‌ ପାଇଁ ଗଣିବାକୁ ପଡିବ ୮ ଡଲାର । ଭାରତୀୟ ମୂଲ୍ୟରେ ଟ୍ବିଟର ପାଇଁ ଦେବାକୁ ପଡିବ ପାଖାପାଖି ୬୦୦ ଟଙ୍କା । ଟ୍ବିଟର କିଣିବାର ୫ ଦିନ ପରେ ଏଭଳି ନୂଆ ନିୟମର ଘୋଷଣା କରିଛନ୍ତି ଏଲନ ମସ୍କ । ଦୁଇ ଦିନ ପୂର୍ବରୁ ଏନେଇ ବି ସଙ୍କେତ ଦେଇଥିଲେ ମସ୍କ ।

ନୂଆ ନିୟମ ଲାଗୁ ପରେ ସମଗ୍ର ବିଶ୍ବରୁ ଅଭିଯୋଗର ସ୍ବର ଉଠିଛି । ଯାହାର ଜବାବ ଦେଇ ମସ୍କ କହିଛନ୍ତି ଯେ ‘ଅଭିଯୋଗକାରୀ ଅଭିଯୋଗ ଜାରି ରଖ । ତଥାପି ତୁମକୁ ୮ ଡଲାର ଦେବାକୁ ହେବ ’ । କେବଳ ସେତିକି ନୁହେଁ ମସ୍କ ନିଜ ବାୟୋ ବଦଳାଇ ଲେଖିଛନ୍ତି ଯେ ‘ଟ୍ବିଟର କମ୍ପଲେନ ହଟଲାଇନ ଅପରେଟର’ । କେତେକ ମିଡିଆ ରିପୋର୍ଟ ଅନୁସାରେ ମସ୍କ ୨୦ ଡଲାର (ପାଖାପାଖି ୧୬୦୦ ଟଙ୍କା) ଆଦାୟ କରିବାର ଲକ୍ଷ୍ୟ ରଖିଛନ୍ତି ।

କେମିତି ମିଳେ ବ୍ଲୁ ଟିକ୍‌ ?

ଟ୍ବିଟର ୟୁଜରଙ୍କୁ ବର୍ତ୍ତମାନ ବ୍ଲୁ ଟିକ୍‌ ପାଇଁ କୌଣସି ଫିସ୍‌ ଦେବାକୁ ପଡୁନାହିଁ । କମ୍ପାନୀର ନିର୍ଦ୍ଧାରିତ ନିୟମ ପରେ ୟୁଜରଙ୍କୁ ବ୍ଲୁ ଟିକ୍‌ ମିଳିଥାଏ । ଯେଉଁ ୟୁଜରଙ୍କ ପ୍ରୋଫାଇଲରେ ଏହି ଟିକ୍‌ ରହିଥାଏ ଏହାର ଅର୍ଥ ହେଉଛି ସେହି ଆକାଉଣ୍ଟ ଭେରିଫାଏଡ୍‌ ଅଟେ ।

ଏବେ କଣ ବଦଳିବ ?

ନୂଆ ନିୟମ ଅନୁସାରେ ବ୍ଲୁ ଟିକ ପାଇଁ ୟୁଜରଙ୍କୁ ସବସ୍କ୍ରିପ୍ସନ ନେବାକୁ ପଡିବ । ଯେଉଁଥିପାଇଁ ପ୍ରତି ମାସରେ ୬୬୦ ଟଙ୍କା ଦେବାକୁ ହେବ । ତେବେ ପେଡ୍‌ ସର୍ଭିସ କେବେ ଠାରୁ ଲାଗୁ ହେବ ସେ ନେଇ ଧାର୍ଯ୍ୟ ହୋଇନାହିଁ ।

ସବୁ ଦେଶ ପାଇଁ ମୂଲ୍ୟ ଭିନ୍ନ !

ଭିନ୍ନ ଭିନ୍ନ ଦେଶରେ ପ୍ରୋସେସିଂ ଫି ଅଲଗା ରହିବା ନେଇ କହିଛନ୍ତି ଏଲନ ମସ୍କ । ଦେଶର ପର୍ଚ୍ଚେଜିଂ ପାୱାର ଓ କାପାସିଟି ଉପରେ ଏହା ନିର୍ଭର କରେ । କିନ୍ତୁ ଭାରତରେ ମୂଲ୍ୟ କେତେ ରହିବ ତାହା ଏଯାଏଁ ସ୍ଥିର ହୋଇନାହିଁ ।

ୟୁଜର୍ସଙ୍କୁ କଣ ମିଳିବ ଫାଇଦା

ପେଡ୍‌ ସବସ୍କ୍ରିପ୍ସନ ନେଉଥିବା ୟୁଜରଙ୍କୁ ୫ ପ୍ରକାରର ମିଳିବ ସୁବିଧା । ସର୍ଚ୍ଚ ଅପସନ୍‌ରେ ଦିଆଯିବ ପ୍ରାଥମିକତା । ଲମ୍ବା ଭିଡିଓ ଓ ଅଡିଓ ବି କରିପାରିବେ ସେମାନେ ପୋଷ୍ଟ । ନର୍ମାଲ ୟୁଜର୍ସଙ୍କ ମୁକାବିଲାରେ ଅଧା ବିଜ୍ଞାପନ ଦେଖିବାକୁ ମିଳିବ । ଏହି ଫିଚର ଯୋଗୁଁ ସ୍ପାମରେ ବି ଲାଗିବ ଲଗାମ । ଯଦି ପବ୍ଲିଶର ଟ୍ବିଟର ସହ କଣ୍ଟ୍ରାକ୍ଟ କରିବେ ତେବେ ବ୍ଲୁ ଟିକ ସବସ୍କ୍ରାଇବର ପେଡ୍‌ ଆର୍ଟିକଲ ବି ମାଗଣାରେ ପଢି ପାରିବେ ।

ଚର୍ଚ୍ଚିତ ତେହେରାଙ୍କ ପ୍ରଫାଇଲରେ ଲାଗିବ ଖାସ ସେକେଣ୍ଡରୀ ଟ୍ୟାଗ

ନେତା ଓ ଅଭିନେତା କି ଚର୍ଚ୍ଚିତ ତେହେରାଙ୍କ ପ୍ରଫାଇଲ ପାଇଁ ସେକେଣ୍ଡାରୀ ଟ୍ୟାଗ ମିଳିବ । ସେକେଣ୍ଡାରୀ ଟ୍ୟାଗ୍‌ ବର୍ତ୍ତମାନ କିଛି ଦେଶରେ ଲାଗୁ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟ୍ବିଟର ଆକାଉଣ୍ଟରେ ଏହି ଟ୍ୟାଗ୍‌ ଆପଣ ଦେଖିପାରିବେ । ତାଙ୍କ ପ୍ରଫାଇଲର ନାଁ ତଳେ ୟୁନାଇଟେଡ ଷ୍ଟେଟସ ଗଭର୍ଣ୍ଣମେଣ୍ଟ ଅଫିସିଆଲ ଲେଖା ରହିଛି । ଭାରତରେ ଏହି ଟ୍ୟାଗ୍‌ ସୁବିଧା ଏବେ ଉପଲବ୍ଧ ହୋଇନାହିଁ ।

ଗତବର୍ଷ ଜୁନରେ ଟ୍ବିଟର ବ୍ଲୁ ସର୍ଭିସ ନିଜର ପ୍ରଥମ ସବସ୍କ୍ରିପ୍ସନ ସେବା ଲଞ୍ଚ କରିଥିଲା । ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଓ ନ୍ୟୁଜିଲାଣ୍ଡରେ ପ୍ରଥମେ ଏହା ଲଞ୍ଚ୍‌ ହୋଇଥିଲା । ବ୍ଲୁ ଟିକ୍‌ ସେବା ପାଇଁ ଏହି ଦେଶ ମାନଙ୍କୁ ମାସିକ ୪.୯୯ ଡଲାର ବା ଭାରତୀୟ ମୂଲ୍ୟରେ ୪୪୦ ଟଙ୍କା ଦେବାକୁ ପଡିଥାଏ । ସବସ୍କ୍ରିପ୍ସନ ସେବାରେ ଭେରିଫିକେସନ ସୁବିଧା ମିଳେ ନାହିଁ । କିନ୍ତୁ ଏବେ ୟୁଜରଙ୍କୁ ଏହା ସହ ବ୍ଲୁ ଟିକ୍‌ ବି ମିଳିବ ।

ମଧ୍ୟରାତ୍ରିରେ ମନ୍ନତ ସାମନାରେ ପ୍ରବଳ ଭିଡ, ରିଟର୍ଣ୍ଣ ଗିଫ୍ଟ ଦେଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ଆଜି ବଲିଉଡର କିଙ୍ଗ ଖାନ୍‌ ଶାହରୁଖଙ୍କ ଜନ୍ମଦିନ । ୫୭ ବର୍ଷ ବୟସରେ ପାଦ ଦେଲେ ଶାହାରୁଖ । ମଧ୍ୟରାତ୍ରିରେ ଶାହରୁଖଙ୍କ ବାସଭବନ ମନ୍ନତ ସାମନାରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ୍‌  । ପ୍ରଶଂସକଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଛା ଜଣାଇଥିଲେ ବାଦଶାହା । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ବି ରୋମାଣ୍ଟିକ ଷ୍ଟାର ଭାବେ ଫ୍ୟାନଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଶାହରୁଖ। ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଆଜି ଜନ୍ମଦିନରେ ଶାହାରୁଖଙ୍କ ଅପକମିଂ ଫିଲ୍ମ ପଠାନର ଟିଜର ରିଲିଜ ହୋଇଛି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୨୫ ରେ  ବଡ ପରଦାରେ ରିଲିଜ ହେବ ।

ଦେଶରେ ପ୍ରଥମ, ୮୫ ସହରରେ ଶତ ପ୍ରତିଶତ ପାଇପ ଜଳ ବ୍ୟବସ୍ଥା କରିଛି ଓଡିଶା

ଭୁବନେଶ୍ବର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ସୁବ୍ୟବସ୍ଥିତ ଜଳ ଯୋଗାଣରେ ଜଳସାଥୀଙ୍କ ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ । ସମଗ୍ର ରାଜ୍ୟରେ ୯୭ପ୍ରତିଶତ ଘରୋଇ ଜଳଯୋଗାଣ ସଂଯୋଗ ସ୍ଥାପନ କରିବାରେ ଜଳସାଥୀଙ୍କର ନିଷ୍ଠାପର ଉଦ୍ୟମର ପ୍ରଂଶସା କରିଛନ୍ତି ନବୀନ ।

ଭୁବନେଶ୍ବର ମଳ ଉପଚାର କେନ୍ଦ୍ର ତଥା କଟକ ପାନୀୟ ଜଳ ଉପଚାର କେନ୍ଦ୍ରର ପରିଚାଳନାରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ ଟ୍ରାନ୍ସଜେଣ୍ଡର ଗୋଷ୍ଠୀଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership)ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି।

୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି ।

ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

 

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି । ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।
ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ।

 

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ।

ବିଶ୍ବବିଦ୍ୟାଳୟ ଉପରେ ଖପ୍ପା ୟୁଜିସି, ରଦ୍ଦ ହୋଇପାରେ ଫିଟନେସ୍‌ ଅନୁମତି

ଭୁବନେଶ୍ବର: ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ୟୁଜିସିର କଡ଼ା ଚେତାବନୀ । କାହିଁକି କୋରୋନା କାଳରେ ନେଇଥିବା ନାମଲେଖା ଫିସ୍ ଫେରାଇ ନାହାନ୍ତି ସେନେଇ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ୟୁଜିସି ଖପ୍ପା । କୋରୋନା ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ନାମ ଲେଖା ଓ ମାଇଗ୍ରେସନର ସମ୍ପୂର୍ଣ୍ଣ ଫି ଫେରାଇବାକୁ ୟୁଜିସି ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଭିନ୍ନ ସୂତ୍ରରୁ ଖବର ପାଇଁ ଅନେକ କଲେଜ ଖିଲାପ କରିଥିବା ଜାଣିବାକୁ ପାଇଛି ୟୁଜିସି।

ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼କର ଫିଟନେସ୍ ଅନୁମତି ରଦ୍ଦ କରାଯିବ । ଏଥିସହ ୟୁଜିସିର ଅନୁଦାନ ମଧ୍ୟ ସେହି କଲେଜକୁ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ସବୁ ବିଶ୍ବବିଦ୍ୟାଳୟ କୂଳପତି ଓ କଲେଜ ଅଧ୍ୟକ୍ଷକୁ ଚିଠି ଲେଖାଯାଇଛି । ନିର୍ଦ୍ଦେଶକୁ ଅବମାନନା କରିଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର କୌଣସି କାମରେ ସାମିଲ କରାଯିବନି । ଯଦି ଡିମ୍ଡ ୟୁନିଭର୍ସିଟି ହୋଇଥିବ, ତେବେ କେନ୍ଦ୍ର ସରକାରଙ୍କୁ ଅନୁମତି ହଟାଇବାକୁ ସୁପାରିଶ କରାଯିବ । ସେହିପରି ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଶ୍ବବିଦ୍ୟାଳୟର ଅନୁମତି ରଦ୍ଦ ପାଇଁ ଆବେଦନ କରାଯିବ ।

ଓଡିଆ ନୃତ୍ୟଗୀତରେ କମ୍ଫିଲା କାତାର, ମଜା ନେଲେ ୨୮୦ରୁ ଅଧିକ ପ୍ରବାସୀ

ଦୋହା: ଓଡିଆ ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମରେ କମ୍ପିଲା କାତାର । କାତାରରେ ରହୁଥିବା ଓଡିଆ ମାନଙ୍କୁ ନେଇ ଆଲୋକର ପର୍ବ ଦୀପାବଳି ଖୁବ୍ ଧୂମଧାମରେ ଦୋହାସ୍ଥିତ “ହଲିଡେ ଭିଲ୍ଲା” ହୋଟେଲରେ ପାଳିଛି ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ । ଆତ୍ମିୟତା ଓ ଆତିଥେୟତାର ଏହି ପର୍ବରେ ୨୮୦ ରୁ ଅଧିକ ପ୍ରବାସୀ ଓଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସଂଗଠନର କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ, ନୃତ୍ୟ, ନାଟକ ଓ ଅଭିନୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ପ୍ରବାସୀ ଓଡିଆ । ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରାଯିବା ସାଙ୍ଗକୁ ସଂଗଠନର ବାର୍ଷିକ କାର୍ଯ୍ୟସାରଣୀ ସଂପର୍କରେ ଅବଗତ କରାଯାଇଥିଲା। ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ସଂଗଠନର ଇତିହାସ ଓ ସଂଗଠନକୁ ସୁଦୃଢ କରିବାରେ ପୁରାତନ ସଭାପତି ମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିବା ସାଙ୍ଗକୁ ଭବିଷ୍ୟତର ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଉତ୍ସବରେ ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ସଂଗଠନର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ବିଭୂ ଆଚାର୍ଯ୍ୟ ତଥା ପରିଚାଳନା ସମିତି ର କାର୍ଯ୍ୟକର୍ତ୍ତା ଦୀପିକା ନାୟକ,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପୁନମ୍ ଜାନପ୍ପାରେଡ୍ଡି, ତୃପ୍ତି ପଟ୍ଟନାୟକ, ସାଗର ମହାନ୍ତି, ତୁଷାର ରଂଜନ ମିଶ୍ର, ପ୍ରିୟଦର୍ଶୀ ଦାଶ, ଚିନ୍ମୟ ପାତ୍ର,ଡା. ଶାରଦା ପ୍ରସାଦ ଡାକୁଆ, ସତ୍ୟଜିତ ସାମଲ,ପରମାନନ୍ଦ ରାଉତ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।’ଉତ୍କଳିକା କାତାର’ ର ଉପଦେଷ୍ଟା ସମୂହ ଖାରବେଳ ପାଣିଗ୍ରାହୀ, ଡା. ବିଦ୍ୟାଭୂଷଣ ମହାନ୍ତି, ସରୋଜ କୁମାର ପଣ୍ଡା, ଗୌତମ ମେହେର, ଦେବାଶିଷ ପରିଜା ଏବଂ କାଜଳ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଟ୍ରାଙ୍କୁଲାଇଜ ହେଲା ଦନ୍ତା, ଟ୍ରକରେ ଗଲା ଟାଙ୍ଗୀ

ଭୁବନେଶ୍ବର: ପାତ୍ରପଡ଼ା ଶନିମନ୍ଦିର ପଛପଟେ ଟ୍ରାଙ୍କୁଲାଇଜ ହେଲା ହାତୀ । ଟ୍ରକ୍‌ ଯୋଗେ ଟାଙ୍ଗି ଜଙ୍ଗଲକୁ ହାତୀକୁ ନିଆଯାଇଛି । ରାତି ତମାମ ରାଜଧାନୀରେ ଦନ୍ତା ବୁଲିବା ପରେ ହାତୀ କାବୁ କରିବାରେ ସକ୍ଷମ ହୋଇଛି ବନ ବିଭାଗ । ପିପିଲିରୁ ବାଲିପାଟଣା ଉତ୍ତରା ଶାସନ ନିକଟରେ ଏକ ହାତୀ ଧଉଳି ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଥିଲା ।

ବନବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀ ବୁଲିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଥିଲା । ଖୋର୍ଦ୍ଧା ସିଟି ଡିଭିଜନ ପୁରୀ ୱାଇଲଡ ଲାଇଫ ଡିଭିଜନ ଚନ୍ଦକା ବନ ଭିଭାଗ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଥିଲେ । ହାତୀ ଟ୍ରାଙ୍କୁଲାଇଜ ହୋଇଥିବା ବେଳେ ୬ଟି ରେଞ୍ଜର ଏସିଏଫ ହାତୀକୁ ଜଗିଥିଲେ ।

ଓଡ଼ିଆଣୀ ବେଶରେ ସଜେଇ ହେବେ ଶ୍ରୀରାଧା, ଚଳଚଞ୍ଚଳ ଶ୍ରୀଗୋପାଳଜୀଉଙ୍କ ପୀଠ

ପୁରୀ: ଆଜି ପବିତ୍ର ଅଁଳା ନବମୀ । ଉତ୍ସବମୁଖର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଗୋପାଳଜୀଉଙ୍କ ପୀଠ । ଓଡ଼ିଆଣୀ ବେଶରେ ସଜେଇ ହେବେ ଶ୍ରୀରାଧା । ନବମୀରେ ଶ୍ରଦ୍ଧାଳୁମାନେ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାପାଦ ଦର୍ଶନ କରିବେ ।

ଭୋର ୫ଟାରୁ ମଙ୍ଗଳା ଆରତୀ ସରିଥିବା ବେଳେ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନ ମୋହନ ଭୋଗ ନୀତି ହେବ । ଏହା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସାହାଣ ମେଳା ହେବ । ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା ହୋଇଥିବାବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ଆସନ୍ତା ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଆସନ୍ତା ୧୦ରେ ରାଷ୍ଟ୍ରପତି ଓଡିଶା ଆସିବେ । ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ରହଣିର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ସେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ବାହାରିବେ । ସେଠାରେ କାଳିଆ ଠାକୁରକୁ ଦର୍ଶନ କରି ୧୧ ତାରିଖରେ ଦିଲ୍ଲୀ ଫେରିଯିବେ ମହାମହିମ । ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ, ସେମି ଟିକେଟ ପାଇଁ ଆଡିଲେଡିରେ କସରତ

ସିଡନୀ: ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲଦେଶ । ଆଡିଲେଡରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ଦିନ ୧.୩୦ ମିନିଟରେ ଏହି ମ୍ୟାଚ ଖେଳାଯିବ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ସେମି ଫାଇନଲରେ ପହଞ୍ଚିବାକୁ ହେଲେ ଏହି ମ୍ୟାଚ୍ ଜିତିବାକୁ ହେବ । ପୂର୍ବରୁ ଭାରତ ଭଳି ଶକ୍ତିଶାଳୀ ଟିମକୁ ବାଂଲାଦେଶ ଚକମା ଦେବାର ନଜର ରହିଛି ।

୨୦୦୭ ଦିନିକିଆ ବିଶ୍ବକପରେ ବାଂଲଦେଶ ଟିମ ଭାରତୀୟ ଟିମ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା । ଭାରତ ଏବେ ଗ୍ରୁପ ୨ର ପଏଣ୍ଟ ଟେବୁଲରେ ୪ ଅଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି ।