spot_img
Home Blog Page 3776

ବ୍ରିଟେନରେ ସୁନକ ଶାସନ ଆରମ୍ଭ; କହିଲେ ଏବେ ଦେଶ ସମସ୍ୟାରେ ଅଛି, ଏହାକୁ ସୁଧାରିବି

ଲଣ୍ଡନ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିଙ୍ଗ ଚାର୍ଲସ ତାଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । କିଙ୍ଗ ଚାର୍ଲସଙ୍କୁ ଭେଟିବା ପାଇଁ ନିଜର ବ୍ୟକ୍ତିଗତ କାରରେ ବକଂହାମ ପାଲେସରେ ପହଞ୍ଚିଥିଲେ ସୁନକ । ଏହାପରେ କିଙ୍ଗ ଚାର୍ଲସ ତାଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତର କରିଥିଲେ । କିଙ୍ଗ ଏବଂ ସୁନକଙ୍କ ଭେଟଘାଟ ବକିଂହାମ ପାଲେସର ରୁମ ନଂ ୧୮୪୪ରେ ହୋଇଥିଲା । ଏହିଠାରେ ହିଁ ଚାର୍ଲସ ଋଷିଙ୍କୁ ନୂଆ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି, ତାଙ୍କୁ ଆପଏଣ୍ଟମେଣ୍ଟ ଲେଟର ହସ୍ତାନ୍ତର କରିଥିଲେ। ଏହାପରେ ଋଷି ସୁନକ ପ୍ରାଇମ ମିନିଷ୍ଟରର ଅଫିସିଆଲ କାରରେ ଅଫିସିଆଲ ରେସିଡେନ୍ସ ୧୦ ଡାଉନିଂଷ୍ଟ୍ରିଟ ପହଞ୍ଚିଥିଲେ ।

ପ୍ରଧାନମନ୍ତ୍ରୀ ଭାବରେ ଦେଶକୁ ସମ୍ବୋଧନ କରିଛନ୍ତି । ନିଜ ସମ୍ବୋଧନରେ ସୁନକ କହିଛନ୍ତି, ଦେଶର ଆର୍ଥିକ ସ୍ଥିତି ଖୁବ ଶୀଘ୍ର ସୁଧୁରିବ । ଶିକ୍ଷା ଓ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କାମ କରିବି । ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା କରିବା ମୋର ବଡ଼ ଦାୟିତ୍ୱ । ରୁଷ୍-ୟୁକ୍ରେନ ଯୁଦ୍ଧ ଦ୍ୱାରା ଦେଶର ଅର୍ଥନୀତି ଆହୁରି ଖରାପ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ସ୍ଥିତି ସୁଧାରିବାକୁ ଚାହୁଁଥିଲେ, ସେ ବିନା ଥକି କାମ କରିଥିଲେ, କିନ୍ତୁ ତାଙ୍କଦ୍ୱାରା ମଧ୍ୟ ଭୁଲ ହୋଇଛି । ଏବେ ସେ ଭୁଲକୁ ସୁଧାରିବାର ସମୟ ଆସିଛି । ପୁଣିଥରେ ଦେଶକୁ ଏକଜୁଟ କରିବି । କେବଳ ଏହା କଥା ନୁହେଁ ଏହା ମୁଁ ପୂରଣ କରି ଦେଖାଇବି ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ବକିଂହାମ ପ୍ୟାଲେସ ପହଞ୍ଚିଥିଲେ ଏବଂ କିଙ୍ଗ ଚାର୍ଲସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ । ବକିଂହାମ ପ୍ୟାଲେସ ପହଞ୍ଚିବା ପୂର୍ବରୁ ଲିଜ ଟ୍ରସ୍ ମଧ୍ୟାହ୍ନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସେ ଦେଶକୁ ପ୍ରଧାନମନ୍ତ୍ରୀ ଭାବରେ ବିଦାୟୀ ଭାଷଣ ଦେଇଥିଲେ ।

ଏହି ଅବସରରେ ସେ କହିଥିଲେ, ଆମ ସରକାର ରାଜନୈତିକ ସଙ୍କଟ ମଧ୍ୟରେ ଲୋକଙ୍କ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛି । ସୂଚନାଥାଉକି, ଋଷି ସୁନକ ବ୍ରିଟେନର ପ୍ରଥମ ହିନ୍ଦୁ ଏବଂ ଅଣ ଗୋରା ପ୍ରଧାନମନ୍ତ୍ରୀ ଅଟନ୍ତି । ଭାରତୀୟ ସଫ୍ଟୱେୟାର କମ୍ପାନୀ ଇନଫୋସିସର କୋ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ସୁନକ । ସେ ପ୍ରଧାନମନ୍ତ୍ରୀ ହେବା ପରେ ମୂର୍ତ୍ତି କହିଛନ୍ତି, ଋଷିଙ୍କୁ ଶୁଭେଚ୍ଛା ।

ଆମେ ତାଙ୍କୁ ନେଇ ଗର୍ବିତ ଏବଂ ତାଙ୍କ ସଫଳତାର କାମନା କରୁଛୁ । ଆମକୁ ବିଶ୍ୱାସ ରହିଛି ଯେ ବ୍ରିଟେନର ଲୋକମାନଙ୍କ ପାଇଁ ସେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ । ତେବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ସୁନକଙ୍କ ସମ୍ନାରେ ଅନେକ ଚ୍ୟାଲେଞ୍ଜ ରହିବ । ସବୁଠୁ ମୁସ୍କିଲ ଚ୍ୟାଲେଞ୍ଜ ହେଉଛି ବ୍ରିଟେନର ଅର୍ଥନୀତିକୁ ସୁଧାରିବା ।

୧୩ ଶହ ବର୍ଷ ପରେ ଏମିତି ସୂର୍ଯ୍ୟପରାଗ, ଭାରତର ଏହି ସ୍ଥାନର ଲୋକ ରୁହନ୍ତୁ ସତର୍କ !

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟ ପରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବ । ତେବେ ଏହି ସୂର୍ଯ୍ୟ ଗ୍ରହଣ ତୁଳା ରାଶିରେ ଲାଗିବ । ଏହି ସୂର୍ଯ୍ୟପରାଗରେ ୧୩୦୦ ବର୍ଷ ପରେ ଏକ ବହୁତ ଦୁର୍ଲଭ ସଂଯୋଗ ବନୁଛି । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ସୂର୍ଯ୍ୟପରାଗ ସମୟରେ ଚାରି ପ୍ରମୁଖ ଗ୍ରହ ବୁଦ୍ଧ, ଗୁରୁ, ଶୁକ୍ର ଏବଂ ଶନି ସ୍ୱରାଶିରେ ବିରାଜମାନ ରହିବେ । ସୂର୍ଯ ଗ୍ରହଣ ସମୟରେ ବୁଧ କନ୍ୟା ରାଶିରେ, ଗୁରୁ ମୀନ ରାଶିରେ, ଶୁକ୍ର ତୁଳା ରାଶିରେ ଏବଂ ଶନି ମକର ରାଶିରେ ରହିବେ ।

ଦୀପାବଳିର ଆଗାମୀ ଦିନ ଏହି ଚାରି ଗ୍ରହର ଯୋଗରେ ୧୩୦୦ ବର୍ଷ ପରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ବର୍ଷର ସେଷ ସୂର୍ଯ୍ୟପରାଗ ଅପରାହ୍ନ ୨ ଟା ବାଜି ୨୯ ମିନିଟରୁ ଆଇସଲ୍ୟାଣ୍ଡରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଟା ୨୦ ମିନିଟରରେ ଆରବ ସାଗରରେ ସମାପ୍ତ ହେବ । ଭାରତରେ ଏହି ସୂର୍ଯ୍ୟ ପରାଗ ଅପରାହ୍ନ ୪ ଟା ୨୯ରୁ ସନ୍ଧ୍ୟା ୬ ଟା ୯ ମିନିଟ ପର୍ଯ୍ୟନ୍ତ ଦେଖାଯିବ । ଅର୍ଥାତ ଭାରତରେ ପରାଗ ଦେଖିବାକୁ ମୋଟ ଅବଧି ପ୍ରାୟ ୧ ଘଣ୍ଟା ୪୦ ମିନିଟ ରହିବ । ଏହା ଭାରତରେ ଦେଖାଯିବାକୁ ଥିବା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅଟେ ।

ବର୍ଷର ଶେଷ ସୂର୍ଯ୍ୟ ପରାଗ ରାଜଧାନୀ ଦିଲ୍ଲୀଠୁ ନେଇ କୋଲକାତା, ମୁମ୍ବାଇ, ଚେନ୍ନାଇ, ପାଟନା, ଜୟପୁର, ଲକ୍ଷ୍ନୌ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ, ପୁଣେ, ନାଗପୁର, ଭୋପାଳ, ଚଣ୍ଡିଗଡ଼, ମଥୁରା, ଲେହ, ଲଦାଖ, ଜମ୍ମୁ କାଶ୍ମୀର, ଶ୍ରୀନଗର, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦେଖାଯିବ । ସୂର୍ଯ୍ୟପରାଗ ଅବଧିରେ ଏହି ସ୍ଥାନରେ ରହୁଥିବା ଲୋକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ । ଏହି ସୂର୍ଯ୍ୟଗ୍ରହଣ ଭାରତର ଉତ୍ତର-ପୂର୍ବ  ରାଜ୍ୟଗୁଡ଼ିକରେ ଦେଖାଯିବ ନାହିଁ ।

ଆସାମ, ଅରୁଣାଚଳପ୍ରଦେଶ, ମଣିପୁର ଏବଂ ନାଗାଲାଣ୍ଡ ଭଳି ରାଜ୍ୟରେ ଦେଖାଯିବନି । ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଏବଂ ଆକ୍ରାନ୍ତ ଲୋକଙ୍କୁ ବିଶେଷ ଭାବେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ସୂର୍ଯ୍ୟ ପରାଗ ସମୟରେ ରାହୁ କେତୁ ଏବଂ ସୂର୍ଯ୍ୟର ପ୍ରଭାବ ଅଧିକ ହୋଇଯାଇଥାଏ, ଏଥିପାଇଁ ଗର୍ଭରେ ବଢ଼ୁଥିବା ଶିଶୁର କୁଣ୍ଡଳୀରେ ଏହି ଗ୍ରହ ସହ ସମ୍ବନ୍ଧିତ ଦୋଷ ଆସିବାର ସମ୍ଭାବନା ଥାଏ ।

ପରାଗ ପୂର୍ବରୁ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇ ଦେବା ଉଚିତ । ଏପରି କରିବା ଦ୍ୱାରା ଗ୍ରହଣର ନକରାତ୍ମକ କିରଣର ପ୍ରଭାବ ଖାଇବା ପିଇବା ଜିନିଷ ଉପରେ ପଡ଼ିନଥାଏ । ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିବା କ୍ଷତିକାରକ ବୋଲି କୁହାଯାଇଥାଏ । ଏଥିପାଇଁ ସାଧାରଣ ଚଷମାର ବ୍ୟବହାର କରନ୍ତୁ । ଟେଲିସ୍କୋପ ଜରିଆରେ ମଧ୍ୟ ସୂର୍ଯ୍ୟପରାଗ ନଦେଖିବା ଉଚିତ । ସବୁଠୁ ଭଲ ହେବ ଯେ ଏହି ସମୟରେ ବାହାରକୁ ନଯିବା । ସୂର୍ଯ୍ୟପରାଗ ସମୟରେ ନଖ, ଚୁଟି ଓ ଦାଢ଼ି କାଟନ୍ତୁନାହିଁ । ଗ୍ରହଣ ଅବଧିରେ କିଛି ନଖାଇବା ଉଚିତ । ପରାଗ ଅବଧି ସରିବା ପରେ ସ୍ନାନ କରିସାରି ଖାଇପାରିବେ ।

ସ୍ୱାଭାବିକ ହେଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ପ୍ରାୟ ୨ ଘଣ୍ଟା ପରେ ସ୍ୱାଭାବିକ ହେଲା ହ୍ୱାଟ୍ସଆପ୍ । ସାରା ଦେଶରେ ପାଖାପାଖି ୧୨ଟା ୩୦ମି. ବେଳକୁ ହ୍ୱାଟ୍ସଆପରେ ମେସେଜ ଓ କଲିଂରେ ସମସ୍ୟା ଦେଖାଯାଇଥିଲା । ପରେପରେ ଡାଉନ୍ ହୋଇଯାଇଥିଲା ଏହି ମେସେଜିଂ ଆପ୍ । ସିଷ୍ଟମ୍ ଡାଉନ୍ ଥିବା ନେଇ ମେଟା ପକ୍ଷରୁ ସ୍ପଷ୍ଟ ମଧ୍ୟ କରାଯାଇଥିଲା ।

ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ ସେବା ଠପ୍ ହୋଇଯାଇଥିବା ନେଇ ପାଖାପାଖି ୧୧ ହଜାରରୁ ଅଧିକ ୟୁଜର୍ସ ସୋସିଆଲ୍ ମିଡିଆଣେ ଅଭିଯୋଗ କରିସାରିଛନ୍ତି । ସେବା ଠପ୍ ଯୋଗୁଁ ୟୁଜର୍ସ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏନେଇ ମେଟା କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ହ୍ୱାଟ୍ସଆପକୁ ସ୍ୱାଭାବିକ କରିବା ଲାଗି ପ୍ରୟାସ ଚାଲିଛି । ଟିମ୍ ମେମ୍ବର ଏହା ଉପରେ କାର୍ଯ୍ୟ କରୁଛନ୍ତି ।

ଅରୁଣାଚଳପ୍ରଦେଶ ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ

ଇଟାନଗର: ଅରୁଣାଚଳପ୍ରଦେଶ ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ। ନଗରଲାଗୁନ ଓ ଇଟାନଗରର ପ୍ରାୟ ୧୩ କିଲୋମିଟର ଅଞ୍ଚଳରେ ଥିବା ଡେଲି ମାର୍କେଟରେ ନିଆଁ ଲାଗି ପ୍ରାୟ ୭ଶହ ଦୋକାନ ଜଳିଯାଇଛି। ଆଜି ଭୋରରୁ ପ୍ରାୟ ଦୁଇଟି ଦୋକାନରେ ନିଆଁ ଲାଗିଯାଇଥିଲା ।

ଏହାପରେ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ଭୋରରୁ ନିଆଁ ଲାଗିଥିବାରୁ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ଧାମନଗର ଉପନିର୍ବାଚନକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ଟିମ୍ । ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି ।

ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେଡି । ଏହାସହ ଭୋଟ ହାତେଇବା ପାଇଁ ଟଙ୍କା ଦିଆଯାଉଥିବା ଅଭିଯୋଗ କରିଛି ବିଜେଡି । ଅନ୍ୟପଟେ ଆସନ୍ତା ୩୧ ତାରିଖରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଡାଉନ ହେଲା ହ୍ୱାଟ୍ସଆପ୍, ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ଅଧା ଘଣ୍ଟା ଧରି ଡାଉନ୍ ରହିଛି ହ୍ବାଟ୍ସ ଆପ୍ । ନା ମେସେଜ୍ ଯାଉଛି, ନା ଆସିପାରୁଛି । ଗ୍ରୁପ ଏବଂ ବ୍ୟକ୍ତିଗତ ମେସେଜ୍ ସେବା ଠପ୍ । ହ୍ବାଟ୍ସ ଆପ୍ ସର୍ଭର ଠପ୍, ସିଷ୍ଟମ ମଧ୍ୟ କ୍ରାସ୍ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଭାରତରେ ଅଧା ଘଣ୍ଟା ଧରି ଡାଉନ୍ ରହିଛି ହ୍ବାଟ୍ସ ଆପ୍  ଓ ଫେସବୁକ୍ ଭଳି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ।ସେପଟେ ମେସେଜିଂ ଆପ୍ ଡାଉନ ନେଇ ସ୍ପଷ୍ଟୀକରଣ ରଖିଛି ମୂଳ କମ୍ପାନୀ ମେଟା । କମ୍ପାନୀ ପକ୍ଷରୁ ସିଷ୍ଟମ କ୍ରାସର କାରଣ କୁହାଯାଇ ନଥିବା ବେଳେ ୟୁଜର୍ସ ସାମନା କରୁଥିବା ସମସ୍ୟା ସମ୍ପର୍କରେ ଅବଗତ ଅଛୁ ବୋଲି କୁହାଯାଇଛି । ଯଥାଶୀଘ୍ର ସମସ୍ୟା ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ମେଟା କହିଛି । ସିଷ୍ଟମରେ ବି ହ୍ବାଟସଆପ୍ କ୍ୟୁ-ଆର କୋର୍ଡ ସ୍କାନ ହେଉ ନଥିବା ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି । ହ୍ବଟସଆପ୍ କାମ କରୁନଥିବା ଖବର ଟ୍ବିଟରରେ ଟ୍ରେଣ୍ଡ କରୁଛି ।

ଦୁର୍ବଳ ହେଉଛି ବାତ୍ୟା ସି-ତ୍ରଙ୍ଗ

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ସି-ତ୍ରଙ୍ଗ। ଉପକୂଳ ବାଂଲାଦେଶ ଉପରେ ବାତ୍ୟା ସି ତ୍ରଙ୍ଗ ଦୂରେଇ ଯାଉଛି । ଏହା ଏକ ଗଭୀର ଅବପାତର ଋପ ନେଇ ଦୁର୍ବଳ ହୋଇଛି । ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ । ପରବର୍ତ୍ତୀ ୬ଘଣ୍ଟା ମଧ୍ୟରେ ଏକ ସଦୃଶ ଚିହ୍ନିତ ନିମ୍ନ ଚାପ ଅଞ୍ଚଳରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି ।

ଓଡିଶା ଉପରେ ବାତ୍ୟା ସି ତ୍ରାଙ୍ଗର କୌଣସି ପ୍ରଭାବ ପଡିନାହିଁ । ତେବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ସ୍ବାଭାବିକ ରହିଛି । ସେପଟେ ମୌସୁମୀ ସମଗ୍ର ଦେଶରୁ ଫେରି ଯାଇଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଗତକାଲି ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା । ଏହାର ପ୍ରଭାବରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ବସରେ ଦୀପ ଜାଳିଥିଲେ, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର ଓ କଣ୍ଡକ୍ଟର

ରାଞ୍ଚି: ରାଞ୍ଚି ଲୋଅର ବଜାର ଥାନା ସ୍ଥିତ ଖାଦଗଢା ବସଷ୍ଟାଣ୍ଡରେ ଜଣେ ଡ୍ରାଇଭର ଓ କଣ୍ଟକ୍ଟରଙ୍କ ମୃତ୍ୟୁ ହୋଇଛି । ଦୀପାବଳି ରାତିରେ ବସରେ ଦୀପ ଜଳାଇବା ଯୋଗୁଁ ଦୁହେଁ ଜୀନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଦୖେନନ୍ଦିନ ପରି ଦୀପାବଳି ଦିନ ମଧ୍ୟ ସମସ୍ତ କାର୍ଯ୍ୟ ସାରି ଗନ୍ତବ୍ୟ ପଥକୁ ଯିବାର ଥିଲା । ଯାହା ଫଳରେ ଡ୍ରାଇଭର ଓ କଣ୍ଡକ୍ଟର ଦୀପାବଳି ପାଇଁ ଗାଡ଼ି ଭିତରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଠାକୁରଙ୍କ ସାମ୍ନାରେ ଦୀପ ଜଳାଇଥିଲେ । ପରେ ଖାଇପିଇ ଦୁହେଁ ଶୋଇ ପଡିଥିଲେ ।

କିନ୍ତୁ ଦୁର୍ଭାଗ୍ୟବଶତଃ ଦୀପର ନିଆଁ ଲାଗି ଜଳିଯାଇଥିଲା ପୂରା ବସ୍ । ଦେଖୁଦେଖୁ ନିଆଁ ମାଡ଼ିଯାଇଥିଲା ଏବଂ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟର । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ସରିଯାଇଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମଟର୍ମ ପାଇଁ ପଠାଇଛି ।

 

କମ୍ପିବ କଳିଙ୍ଗ ଷ୍ଟାଡିୟମ; ୨୮ରୁ ଆରମ୍ଭ ହେବ ହକି ମହାକୁମ୍ଭ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । FIH ହକି ପ୍ରୋ ଲିଗ ୨୦୨୨-୨୩ରେ ଅଂଶଗ୍ରହଣ କରିବେ ଭାରତ ସମେତ ସ୍ପେନ ଓ ନ୍ୟୁଜଲାଣ୍ଡ ଟିମ । ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆଜି ସ୍ପେନର ୨୬ ଜଣିଆ ଟିମ ପହଞ୍ଚିଛି । ସ୍ପେନ ଟିମ ବିମାନ ବନ୍ଦରରେ ପହଁଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ ବୋଲି ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି । କଳିଙ୍ଗ ଷ୍ଟାଡିୟମର ପଡିଆ ଖୁବ ଭଲ, ଏହା ସହିତ ରାଉରକେଲାରେ ମଧ୍ୟ ବିଶ୍ୱକପ ହେବାକୁ ଥିବାରୁ ସେଠାକୁ ଯାଇ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରୋ ଲିଗ ପାଇଁ ଆଜି ରାତିରୁ ଟିମ ଅଭ୍ୟାସ ଆରମ୍ଭ କରିବ। ସ୍ପେନ ଟିମ ଭଲ ପ୍ରଦର୍ଶ କରିବେ ବୋଲି ଆଶା ରଖିଛନ୍ତି ସ୍ପେନ ହକି ଟିମର କୋଚ ।

ଅପରପକ୍ଷେ ଅପରାହ୍ନ ସାଢେ ୧ଟା ସମୟରେ ନ୍ୟୁଜଲାଣ୍ଡ ଟିମ୍‌ ଭୁବନେଶ୍ବର ବିମାନବନ୍ଦରରେ ପହଁଚିବାର କାର୍ଯ୍ୟକ୍ରମ ରହିଛି ।

ଋଷିଙ୍କୁ ନେଇ କ’ଣ କହିଲେ ଶ୍ୱଶୁର ନାରାୟଣ ମୁର୍ତ୍ତି ?

ନୂଆଦିଲ୍ଲୀ: ଭାରତୀୟ ବଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନ ସମେତ ଭାରତରେ ଉତ୍ସାହର ମାହୋଲ୍ ଦେଖାଦେଇଛି । କାରଣ ଜଣେ ଭାରତୀୟ ବଶୋଦ୍ଭବ ଭାବେ ସୁନକ ପ୍ରଥମ ଥର ପାଇଁ  ବ୍ରିଟେନ୍ ସରକାରରେ ସବୁଠୁ ବଡ଼ ପଦ ସମ୍ଭାଳିବେ । ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସବୁଠୁ ବଡ଼ ଟେକ୍ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ସୁନକଙ୍କ ଶ୍ୱଶୁର ଏନ.ଆର ନାରାୟଣ ମୁର୍ତ୍ତି ପ୍ରଥମ ଥର ପାଇଁ ବୟାନ ଦେଇଛନ୍ତି ।

ନାରାୟଣ ମୁର୍ତ୍ତି ଜ୍ୱାଇଁଙ୍କ ସଫଳତାରେ କହିଛନ୍ତି- ଆମେ ଗର୍ବିତ । ମୁଁ ତାଙ୍କର ଆହୁରି ଉନ୍ନତି କାମନା କରୁଛି । ୟୁନାଇଟେଡ୍ କିଙ୍ଗଡମର ଲୋକଙ୍କ ପାଇଁ ସେ ସବୁଠୁ ଭଲ କାମ କରିବେ ବୋଲି ଆମର ବିଶ୍ୱାସ ରହିଛି ।

ଇନଫୋସିସର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି ଋଷି ସୁନିକ । କୁହାଯାଏ ଦୁଇ ଜଣଙ୍କ ସାକ୍ଷାତ ଷ୍ଟେନଫୋର୍ଡରେ ଏମବିଏ କୋର୍ସ କରୁଥିବା ବେଳେ ହୋଇଛି । ଏହି ବନ୍ଧୁତ୍ୱ ପରବର୍ତ୍ତୀ ସମୟରେ ବିବାହରେ ପରିଣତ ହୋଇଥିଲା । ଦୁହିଁଙ୍କର କୃଷ୍ଣା ଓ ଅନୁଷ୍କା ନାମକ ଦୁଇ ଝିଅ ରହିଛନ୍ତି ।

ସୁନକଙ୍କ ଭାରତ କନେକ୍ସନ-

ଋଷି ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ରେ ବ୍ରିଟେନର ସାଉଥମ୍ପଟନରେ ହୋଇଥିଲା । ତାଙ୍କ ମାଆଙ୍କ ନାଁ ଉଷା ସୁନକ ଏବଂ ପିତାଙ୍କ ନାଁ ଯଶବୀର ସୁନକ । ସେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଅଟନ୍ତି । ତାଙ୍କ ଜେଜେ ବାପା ଓ ଜେଜେ ମାଆ ପଞ୍ଜାବର ବାସିନ୍ଦା ଥିଲା । ୧୯୬୦ରେ ସେ ନିଜ ପିଲାଙ୍କ ସହ ପୂର୍ବ ଆଫ୍ରିକା ଚାଲିଯାଇଥିଲେ ।

ସୂଚନାନୁଯାୟୀ, ଋଷି ସୁନକ ୨୮ ଅକ୍ଟୋବରରେ ଶପଥ ନେଇପାରନ୍ତି । ୨୯ରେ ବ୍ରିଟିସ କ୍ୟାବିନେଟର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ । ସୂଚନାଥାଉକି ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଏଥିରେ ଋଷି ମଜବୁତ ପ୍ରାର୍ଥୀ ଜଣାଯାଉଥିଲେ ।  ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡର ନିଜକୁ ଅଲଗା କରିଦେଇଥିଲେ । ଯାହାପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଋଷି ହିଁ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।