spot_img
Home Blog Page 3806

ବିଧାନସଭା ନିର୍ବାଚନ କାଉଣ୍ଟଡାଉନ, ଆଜି ଘୋଷଣା ହୋଇପାରେ ଗୁଜରାଟ, ହିମାଚଳ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ତାରିଖ । ଅପରାହ୍ନ ୩ଟାରେ ପ୍ରେସ କନଫରେନ୍ସ କରିବେ ନିର୍ବାଚନ ଆୟୋଗ । ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରେସ କନଫରେନ୍ସ ଡକାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବରରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଡିସେମ୍ବରର ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଶେଷ ହେବ ।

୨୦୧୭ ନିର୍ବାଚନରେ ଗୁଜରାଟରେ ବିଜେପି ୯୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୭୭ ସିଟ୍ ମିଳିଥିଲା । ସେହିପରି ହିମାଚଳରେ ବି ମୋଟ ୬୮ ସିଟରୁ ୪୪ ସିଟରେ ବିଜୟୀ ହୋଇଥିଲା ବିଜେପି ।

ଆଜି କଳିଙ୍ଗରେ କମାଲ କରିବ ଟିମ୍ ଇଣ୍ଡିଆ, ସନ୍ଧ୍ୟାରେ ମରକ୍କୋକୁ ଭେଟିବ ଭାରତ

ଭୁବନେଶ୍ୱର: ଆଜି କଳିଙ୍ଗରେ କମାଲ କରିବ ଟିମ୍ ଇଣ୍ଡିଆ । ଆଜି ରାତି ୮ଟାରେ ଭାରତୀୟ ମହିଳା ଫୁଟବଲ ଟିମ୍ ଦେବ ଶ୍ରେଷ୍ଠ ପ୍ରଦର୍ଶନ । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ଆଜି ମରକ୍କୋ ଟିମକୁ ଟକ୍କର ଦେବ ଭାରତ । ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ବଡ଼ ମ୍ୟାଚ ପୂର୍ବରୁ ଗତକାଲି ସପ୍ତମ ବାଟାଲିୟନ ପଡ଼ିଆରେ ଭାରତୀୟ ଦଳ ଜୋରଦାର ଅଭ୍ୟାସ କରିଛି । କୋଚ ଡି. ଥୋମାସଙ୍କ ତତ୍ତ୍ୱାବଧାନରେ ଭାରତୀୟ ଖେଳାଳି ଅଭ୍ୟାସ କରିଛନ୍ତି ।

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଡେଙ୍ଗୁ ଆକ୍ରାନ୍ତ କ୍ଷେତ୍ରରେ ରେଡ୍ ଜୋନରେ ଖୋର୍ଦ୍ଧା

ଭୁବନେଶ୍ୱର: ଚିନ୍ତା ବଢାଉଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଲଟିଛି ହଟସ୍ପଟ୍ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସହିତ ଦୈନିକ ଟେଷ୍ଟିଂ ପଜିଟିଭ ହାର ମଧ୍ୟ କମ୍ ଅଛି । ତଥାପି ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ନିୟମିତ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିନ୍ତା ପ୍ରକଟ କରିଛି । ଖୋର୍ଦ୍ଧା ଜିଲ୍ଲାପାଳ, ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ୨୬୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୪୬୪ ଜଣ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର । ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ମାସରେ ୭୬୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ୧୩୧୦ ଓ ଅକ୍ଟୋବର ୧୩ ତାରିଖ ସୁଦ୍ଧା ୧୯୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି ।

ଭୁବନେଶ୍ୱରରେ ନୀଳାଦ୍ରିବିହାରରୁ ସର୍ବାଧିକ ୩୪୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୫୪, ଆଇଆରସି ଭିଲେଜରୁ ୨୩୦, ୟୁନିଟ-୩ରୁ ୧୪୪ ଏବଂ ସାଲିଆ ସାହିରୁ ୧୯୪ଜଣ ରୋଗୀ ସରକାରୀ ଭାବେ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁକୁ ରୋକିବାକୁ ଯାଇ ବିଏମସି ପକ୍ଷରୁ ସାପ୍ତାହିକ ଦୁଇଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ତ୍ବ ଦିଆଯାଇଛି । ନିୟମିତ ବୁଦା କାଟି ସଫା କରିବା ସହ ମଶା ଧୂଆଁ ଛଡାଯାଉଛି।

ସେପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଟେଷ୍ଟିଂକୁ ବ୍ୟାପକ କରାଯିବା ସହ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରରାଯାଇଛି । ଡେଙ୍ଗୁ ରୋଗୀଙ୍କ କ୍ଷେତ୍ରରେ ରକ୍ତରୁ ପ୍ଲେଟଲେଟ କମିଯିବାର ସମ୍ଭାବନା ଥିବାରୁ ରକ୍ତ ଭଣ୍ଡାରରେ ରକ୍ତ ୟୁନିଟ ଗଚ୍ଛିତ ରଖାଯାଇଛି ।

ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବ, ଭୟଭୀତ ଯାତ୍ରୀ

ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବକୁ ନେଇ ଆତଙ୍କ । ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡ କଲା ଫ୍ଲାଇଟ SU-23 । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏୟାରପୋର୍ଟରେ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଥିଲେ । ବୋମା ନିରୋଧକ ଟିମ୍ ସହ ରେସ୍କ୍ୟୁ ଟିମ୍ ବିମାନବନ୍ଦରରେ ପହଞ୍ଚିଥିଲେ । ରନ୍ ଓ୍ୱେ ୨୯ରେ ଅବତରଣ କରିବା ପରେ ବିମାନର ଚେକିଂ କରାଯାଇଥିଲା । ସବୁ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଫ୍ଲାଇଟରେ ବମ୍‌ ମିଳି ନଥିଲା । ବିମାନରେ  ୩୮୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ମେମ୍ବର୍ସ ଥିଲେ।

ସୂଚନା ଅନୁସାରେ ଗତକାଲି ରାତି ୧୧ଟା ୧୫ରେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ SU 232ରେ ବୋମା ରହିଛି ବୋଲି ଏକ ଫୋନ୍ କଲ ଆସିଥିଲା । ଏହି ଫୋନ୍ କଲ ଆସିବା ପରେ ବିମାନଟି ରାତି ୩ଟା୨୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ବିମାନ ରନ୍ ୱେ ୨୯ରେ ଲ୍ୟାଣ୍ଡ୍ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହା ସହ ବିମାନ ଭିତରେ ଭଲ ଭାବରେ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା।

 

ଭିଜିଲାନ୍ସ ଜାଲରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ରାୟଗଡ଼ା କସ୍ତୁରିନଗରରେ ଥିବା ପୈତୃକ ଘର, ବିଶାଖାପଟ୍ଟନମ୍ ଚିନ୍ନାଗଡ଼ିଲିରେ ଥିବା ହିଲ୍‌ ଭ୍ୟୁ ଫ୍ଲାଟ୍, ଭୁବନେଶ୍ବର ସୁନ୍ଦରପଦା ମାଧିପୁର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ମୟୂରଭଞ୍ଜ ମୂର୍ଗାବାଡି ବାରିପଦାରେ ଏଲଆଇସି କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ ଓ ବାଲେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ । ଏହି ରେଡରେ ୩ ଡିଏସପି, ୧୨ ଇନସ୍ପେକ୍ଟର, ୨ ସବଇନସ୍ପେକ୍ଟର, ୫ ଏଏସଆଇ ସାମିଲ ଅଛନ୍ତି ।

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ: ପୁରୀରେ 5-T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ପରେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ 5T ସଚିବ । ଏଥିସହ ଶ୍ରୀମନ୍ଦିରର ଆଉ କ’ଣ କ’ଣ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ, ସେନେଇ ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

ବିଶ୍ୱରେ ଥମୁନି ମଙ୍କିପକ୍ସ ଆତଙ୍କ, ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ପରାମର୍ଶ

ନୂଆଦିଲ୍ଲୀ: ବିଶ୍ୱରେ ଥମୁନି ମଙ୍କିପକ୍ସ ଆତଙ୍କ । ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଁ ୭୦ ହଜାରରେ ପହଞ୍ଚିଛି । ସେହିପରି ମଙ୍କିପକ୍ସରେ ଏପର୍ଯ୍ୟନ୍ତ ୨୬ ଜଣ ମୃତ୍ୟୁବରଣ କରିଛନ୍ତି । ଦିନକୁ ଦିନ ଏହି ସଂଖ୍ୟା ବଢୁଥିବାରୁ ଉଦବେଗ ପ୍ରକାଶ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଆମେରିକା ସମେତ ଅନ୍ୟାନ୍ୟ ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଯଦି ଏହି ଧାରା ଲାଗିରହେ ତେବେ ଆଗକୁ ଅଧିକ ବିପଦ ଆସିବ ବୋଲି ସୂଚନା ଦେଇଛନ୍ତି ସଂଗଠନ ମୁଖ୍ୟ ଅଧନମ ଘେବ୍ରେସିୟସ ।

ବର୍ତ୍ତମାନ ସୁଦ୍ଧା ୨୧ଟି ରାଷ୍ଟ୍ରରେ ମଙ୍କିପକ୍ସ ବ୍ୟାପିଲାଣି ଏବଂ ସେଥିରୁ ୯୦ ପ୍ରତିଶତ ସଂକ୍ରମିତ ରହିଛନ୍ତି ଆମେରିକାର । ସଂକ୍ରମଣ ରୋକିବା ଲାଗି ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା ଜାରି ରହିଛି ଏବଂ ଟେଷ୍ଟିଂ କାପାସିଟି ବଢ଼ାଇବା ଲାଗି ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । କେବଳ ଆମେରିକାରେ ୪୨ ହଜାର ଓ ୟୁରୋପରେ ୨୫ ହଜାର ସଂକ୍ରମିତ ଥିବା ସୂଚନା ମିଳିଛି ।

୧୭ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ୨୨ରୁ ୨୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୧୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ । ୨୨ରୁ ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସ୍ୱାଭାବିକଠାରୁ ଅଧିକ ବର୍ଷା ପରେ ମୌସୁମୀ ଫେରିଯିବ । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପାଇଁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ଚଳିତବର୍ଷ ମୌସୁମୀ ଋତୁରେ ୪ଟି ଅବପାତ ଏବଂ ୩ଟି ଲଘୁଚାପ ସୃଷ୍ଟି ହୋଇଛି । IMDର ଆକଳନ ଅନୁସାରେ ଅକ୍ଟୋବରରେ ସିରିଜ୍ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଗତ ଦୁଇ ସପ୍ତାହରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ସମସ୍ତଙ୍କ ନଜର ରହିଛି ।

କମ୍ପୁଛି ଧାମନଗର ମୈଦାନ, ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଧାମନଗର: କମ୍ପୁଛି ଧାମନଗର ମୈଦାନ । ଉପନିର୍ବାଚନରେ ବିଜୟ ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି । ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ବିରାଟ ଶୋଭାଯାତ୍ରାରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ବଡ଼ ବିଜୟର ବାଟ ସହଜ କରିଛି । ବିଜେଡି ଲୋକଙ୍କ ଦଳ ହୋଇଥିବାରୁ ଅଧିକ ବ୍ୟବଧାନରେ ଜିତିବାକୁ ପ୍ରୟାସ କରୁଛନ୍ତି ନେତା ଓ କର୍ମୀ ।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛନ୍ତି । ବିଜେପି ପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ବୁଥ୍ ଏବଂ ଓ୍ୱାର୍ଡ ସ୍ତରରେ ବିଜେପି ଜୋରଦାର ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛି ।

ଜମୁଛି ଏଆଇସିସି ସଭାପତି ନିର୍ବାଚନ ପ୍ରଚାର, ଆଜି ଓଡ଼ିଶା ଆସିବେ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେ

ଭୁବନେଶ୍ୱର: ଜମୁଛି ଏଆଇସିସି ସଭାପତି ନିର୍ବାଚନ ପ୍ରଚାର । ଆଜି ଓଡ଼ିଶା ଆସିବେ ପ୍ରମୁଖ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେ । ଅପରାହ୍ଣ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଖଡଗେ ଯୋଗଦେବେ । ସେପଟେ ଦୁଇ ହେଭିଓ୍ୱେଟ ସାରା ଦେଶରେ ଜାରି ରଖିଛନ୍ତି ପ୍ରଚାର ଅଭିଯାନ । ଖାଡଗେଙ୍କ ପଲା ଭାରିଥିବା ବେଳେ ଏକ ବୃହତ ପରିବର୍ତ୍ତନ ଆଣିବା ଲାଗି ମଇଦାନରେ ଜୋରଦାର ଅଭିଯାନ ଚଳାଇଛନ୍ତି ଶଶୀ । ଖଡଗେ କହିଛନ୍ତି, ଦଳକୁ ଶକ୍ତିଶାଳୀ କରିବା ଲାଗି ସେ ଉଦ୍ୟମ କରିବେ । ତାଙ୍କୁ ପ୍ରାର୍ଥୀ କରିବା ମୂଳରେ ବହୁ ସମର୍ଥକ ରହିଛନ୍ତି । ତେଣେ ଥରୁର କହିଛନ୍ତି ସେ ଇତି ମଧ୍ୟରେ କିଛି ରାଜ୍ୟ ଗସ୍ତ କରିଛନ୍ତି । ଆହୁରି କିଛି ରାଜ୍ୟ ବି ସେ ଗସ୍ତ କରିବେ ।

ସେପଟେ ଦଳର ବରିଷ୍ଠ ନେତା ମନୀଷ ତିଓ୍ୱାରି କହିଛନ୍ତି ନିର୍ବାଚନରେ ଖଡଗେଙ୍କ ବିଜୟ ଆଶା ଉଜ୍ଜ୍ୱଳ । ସେ ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ରହିଛନ୍ତି ଏବଂ ତାଙ୍କ ପ୍ରତି ଦଳର ବହୁ ନେତା ଓ କର୍ମୀଙ୍କ ସମର୍ଥନ ରହିଛି । ଆସନ୍ତା ୧୬ରେ ପ୍ରଚାର ଅଭିଯାନ ଶେଷ ହେବା ପରେ ୧୭ରେ ସମସ୍ତ ରାଜ୍ୟରେ ହେବ ଭୋଟ । ୧୯ରେ ଆସିବ ଫଳାଫଳ ।