spot_img
Home Blog Page 3855

ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ କାର୍ଯ୍ୟ ଯୋଜନା ଅନୁମୋଦିତ

ଭୁବନେଶ୍ୱର: ରାଜ୍ୟରେ ଅଧିକ ଶିଳ୍ପାୟନ ବିକାଶ ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ରାଜ୍ୟ ଲଜିଷ୍ଟିକ୍ କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ଷମତା ସଂପନ୍ନ କମିଟି ବୈଠକରେ ଅନୁମୋଦନ ଦିଆଯାଇଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ  ଅନୁଷ୍ଠିତ ଏହି ବୈଠକରେ  ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦ୍ୱୀପ, ଝାରସୁଗୁଡ଼ା ଓ ରାୟଗଡ଼ା ଶିଳ୍ପାଞ୍ଚଳରୁ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ  ନେଇ ଗୋଟିଏ ବୈଷୟିକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦୮.୬୭ କୋଟି ଟଙ୍କା ଆକଳନରେ  ୧୮ଟି ପ୍ରକଳ୍ପ ସୁପାରିଶ କରିଛନ୍ତି ।

ସୁପାରିଶ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଡ଼କ ଯୋଗାଯୋଗ, ବାହ୍ୟ ଜଳଯୋଗାଣ ଏବଂ ଭଣ୍ଡାର ଘର ନିର୍ମାଣ ଆଦି ପ୍ରକଳ୍ପକୁ ବୈଠକରେ ଅନୁମୋଦନ କରାଯାଇଥିଲା । ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ଇଡକୋର ୩୦୨.୯୫ କୋଟି ଟଙ୍କା ଆକଳନରେ ୧୨ ଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୩୮୬.୬୪ କୋଟି ଟଙ୍କା ଆକଳନରେ ୪ଟି ପ୍ରକଳ୍ପ, ଏବଂ ଓଡ଼ିଶା ରାଜ୍ୟ ଓୟାର ହାଉସିଂ ନିଗମର ୧୯.୦୮ ଆକଳନରେ ୨ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ କଳାହାଣ୍ଡି, ଯାଜପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନବରଙ୍ଗପୁର, ଢେଙ୍କାନାଳ, ପୁରୀ ଆଦି ଜିଲ୍ଲା ସହ ରାଜ୍ୟ ଓୟାର ହାଉସିଂ ନିଗମର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବ ।

ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକୁ ବିଚାର କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ହୋଇଥିବାରୁ ପୁଞ୍ଜି ନିବେଶ ନିମନ୍ତେ ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବ । ଏଥିନିମନ୍ତେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି-ଶକ୍ତି ପୋର୍ଟାଲରେ ଅପଲୋଡ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ  ଅଂଶଗ୍ରହଣ କରିଥିଲେ ।

ବିଏମସିରେ ଭତ୍ତା ଘୋଟାଲାର ହେବ ଖୋଳତାଡ଼, ଯୋଗ୍ୟ ହିତାଧିକାରୀ ପାଇବେ ସହାୟତା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ଚିହ୍ନଟ ହୋଇଛନ୍ତି ଶହଶହ ମୃତ ଓ ଭୂତ ହିତାଧିକାରୀ । ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ  ରହିଛି ଅନେକ ସମସ୍ୟା । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଘଟଣାକୁ ନେଇ ବିଏମସିରେ ସୃଷ୍ଟି ହୋଇଛି ଭୂକମ୍ପ । ଗ୍ରାଉଣ୍ଡ ଜିରୋରେ ସମସ୍ୟାର ସମାଧାନ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଓ୍ବାର୍ଡ-ଓ୍ବାରୀ ଜନଶୁଣାଣି । ସମସ୍ୟାର ସମାଧାନ ହେବ ଅନ୍ ଦି ସ୍ପଟ୍ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ଟ୍ରାନ୍ସଜେଣ୍ଡର ଆଦି ବର୍ଗରେ ଚିହ୍ନଟ ହେଉଛନ୍ତି ହିତାଧିକାରୀ । ତାଲିକାଭୁକ୍ତଙ୍କୁ ଯୋଗାଇ ଦିଆଯାଉଛି ମାସିକ ଭତ୍ତା । ପୂର୍ବରୁ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯାଉଥିଲା । ମାତ୍ର ସେଥିରେ ହେରଫେର ଅଭିଯୋଗ ପରେ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ସହାୟତା । ହେଲେ ନିୟମିତ ଭତ୍ତା ଅର୍ଥ ମିଳିବାରେ ରହିଛି ସମସ୍ୟା ।

ସେପଟେ ନିରକ୍ଷରତା ଓ ସଚେତନତା ଅଭାବରୁ ହିତାଧିକାରୀଙ୍କ କାର୍ଡରେ ରହିଛି ତ୍ରୁଟି । ବର୍ଷ ବର୍ଷ ଧରି ଆବେଦନ କରି ମଧ୍ୟ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରୁନାହାନ୍ତି । ମୃତ ଓ ଭୂତ ହିତାଧିକାରୀଙ୍କ ନାଁରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କା । ସମସ୍ୟାର ସମାଧାନ ପାଇଁ ବିଏମସି କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ହିତାଧିକାରୀ। ସେପଟେ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ବହୁ ଯୋଗ୍ୟ ହିତାଧିକାରୀ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଓ୍ୱାର୍ଡ-ଓ୍ୱାରୀ ଜନଶୁଣାଣି । ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସମସ୍ୟା ଜଣାପଡିବା ପରେ ତାହାକୁ ସୁଧାରିବା ବ୍ୟବସ୍ଥା କରାଯାଉଛି । ଗତ ୯ ତାରିଖଠାରୁ ଆରମ୍ଭ ହୋଇଥିବା ଜନଶୁଣାଣି ମାସ ତମାମ ଚାଲିବ ।

ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ, ୫ଟି ବ୍ଲକର ଚାଷୀ ହେବେ ଉପକୃତ

କେନ୍ଦୁଝର: ଅଧିକ ଜମିକୁ ମାଡ଼ିବ ପାଣି । ଶସ୍ୟ ଶାମଳା ହେବେ କ୍ଷେତ । ନଦୀ ବନ୍ଧର ବି ବଢ଼ିବ ସ୍ଥାୟିତ୍ବ  । ଅତିଶୀଘ୍ର ସମ୍ପୂର୍ଣ୍ଣ ହେବ କେନ୍ଦୁଝର ଜିଲ୍ଲାର କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ । ବୈତରଣୀ ନଦୀ ଉପରେ ଚାଲିଛି ଏହି ପ୍ରକଳ୍ପ କାମ । ଗୋଟିଏ ପଟେ ରିଭର୍ ଗ୍ୟାପ୍ କ୍ଲୋଜିଙ୍ଗ୍ ଚାଲିଥିବା ବେଳେ, ଅନ୍ୟପଟେ ନଦୀବନ୍ଧକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ଲାଷ୍ଟିକ୍ କଂକ୍ରିଟ୍ ବିଛାଇବା କାମ ଜାରି ରହିଛି । 5T  ସଚିବଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ପ୍ରକଳ୍ପର କାମ ଜାରି ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫ଟି ବ୍ଲକର ୧ ଲକ୍ଷ ୪୪ ହଜାର ୮୮୮ ଜଣ ଚାଷୀ ଉପକୃତ ହେବା ସହ ସମୁଦାୟ ୪୪ ହଜାର ହେକ୍ଟର୍ ଚାଷଜମିରେ ପାଣି ମାଡ଼ିବ । ୨୦୨୩ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।

୨୦୦୬ ମହିହାରୁ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ କର୍ଯ୍ୟ । ହେଲେ ବିସ୍ଥାପିତଙ୍କୁ ଥଇଥାନ, ଜାତୀୟ ରାଜପଥ ଉପରେ ପୋଲ ନିର୍ମାଣ, କେନାଲ୍ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କାର୍ଯ୍ୟ ଧିମା ପଡ଼ିଥିଲା । ଏନେଇ ଗତ ଏପ୍ରିଲ୍ ମାସ ୨୨ ତାରିଖରେ ପ୍ରକଳ୍ପର ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ମାଣସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏବେ ସମସ୍ୟାର ସମାଧାନ ସହ ନଦୀବନ୍ଧ ନିର୍ମାଣ ସାଙ୍ଗକୁ ଏହାର କେନାଲ୍ ନିର୍ମାଣ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ରବି ଋତୁରେ ଧାନ ସହିତ ଅନ୍ୟ ପନିପରିବା ଚାଷ କରି ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରି ପାରିବେ ବୋଲି ଚାଷୀ କହିଛନ୍ତି ।

ଚାଷୀ ପ୍ରସଙ୍ଗରେ ବିଜେପିର ନାଟକବାଜିକୁ ଦେଖୁଛନ୍ତି ଓଡ଼ିଶାବାସୀ: ବିଜେଡି

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଓ ନକଲି କାରବାରକୁ ଦେଖୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ HDFCକୁ ମନୋନୀତ କରିଛନ୍ତି ? ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ HDFCକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି । ପିଏମଏଫବିଓ୍ୱାଇ ପାଇଁ ବୀମା ଏଜେନ୍ସିଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । HDFC କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ । କେନ୍ଦ୍ରମନ୍ତ୍ରୀ ଏହାକୁ ଅସ୍ୱୀକାର କରିପାରିବେ କି ?  ରାଜ୍ୟଗୁଡ଼ିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀଗୁଡ଼ିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ ହୋଇଥାଏ । ଓଡ଼ିଶାରେ ମଧ୍ୟ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି । ପିଏମଏଫବିଓ୍ୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାର ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେ ସମୟରେ କେନ୍ଦ୍ର ସରକାର ହେଉଛନ୍ତି ’ ଆପିଲେଟ ଅଥରିଟୀ’ ।

ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରଧୀନ ଅଛି । ଯଦି କେନ୍ଦ୍ରମନ୍ତ୍ରୀଙ୍କର କୃଷକଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି । ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡ଼ିଶାରେ କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ କଥା ହେବା ଉଚିତ୍ ।

ବାସ୍ତବରେ ଆମ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି । ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡ଼ିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

କେନ୍ଦ୍ର ସରକାରଙ୍କ କୃଷକ ମାରଣାନୀତି ବିରୋଧରେ ଗର୍ଜିଲେ କୃଷକ

ପୁରୀ: ପୁରୀ ବ୍ରହ୍ମଗିରି ବସଷ୍ଟାଣ୍ଡରେ ଓଡ଼ିଶା କୃଷକ ସଭାର ୨୪ ତମ ରାଜ୍ୟ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଚାଷୀ ନେତା । କେନ୍ଦ୍ର ସରକାରଙ୍କ କୃଷକ ମାରାଣନୀତି ବିରୋଧରେ କୃଷକ ନେତା ଗର୍ଜନ କରିଛନ୍ତି । କେନ୍ଦ୍ର ସରକାର କୃଷକଙ୍କ ସ୍ୱାର୍ଥରେ ନାହାନ୍ତି । କୃଷକଙ୍କ ବିରୋଧରେ ତିନୋଟି କୃଷି ଆଇନ ଆଣିଥିଲା କେନ୍ଦ୍ର । ପରେ ୭୦୦ କୃଷକଙ୍କ ବଳିଦାନ ପରେ ଆଇନ ପ୍ରତ୍ୟାହାର କରାଯାଇଥିଲା । ଯାହାକୁ ଘୋର ନିନ୍ଦା କରିଛନ୍ତି କୃଷକ ନେତା ।

ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କୃଷକମାନେ ଯୋଗଦେଇଥିଲେ । ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ସମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ସାମ୍ବିଧାନିକ ସୁରକ୍ଷା ଦାବି କରାଯାଇଥିଲା । ଐତିହାସିକ କୃଷକ ଆନ୍ଦୋଳନର ମୁଖ୍ୟ ଅଶୋକ ଧାଓ୍ୱଏଲ, ବିଜୁ କ୍ରିଷ୍ଣା ଓଡ଼ିଶା କୃଷକ ସଭା ସଭାପତି ଜମ୍ବେଶ୍ୱର ସାମନ୍ତରା, ସମ୍ପାଦକ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉକ୍ତ ସଭାରେ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ବର୍ଷିଥିଲେ ।

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେବି କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପଦମପୁର ଉପ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ବିଜେବି କଲେଜର ପୂର୍ବତନ ଛାତ୍ରୀ ବର୍ଷା ସିଂ ବରିହା । ବର୍ଷା ସିଂ ବରିହାଙ୍କୁ ଟିକେଟ ପ୍ରଦାନ କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେବି କଲେଜ ବିଜୁ ଛାତ୍ର ଜନତା ଦଳ କ୍ୟାମ୍ପସ ୟୁନିଟ୍ । ବାପା ତଥା ପଦମପୁରର ପୂର୍ବତନ ବିଧାୟକ ବିଜୟ ରଂଜନ ସିଂ ବାରିହାଙ୍କ ଦେହାନ୍ତ ପରେ ତାଙ୍କ ସୁକନ୍ୟା ବର୍ଷାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିଜେଡିର ବିଜୟ ସୁନିଶ୍ଚିତ ହେବ ବୋଲି ସେମାନେ କହିଛନ୍ତି । ବର୍ଷାଙ୍କ ସପକ୍ଷରେ ପ୍ରଚାର ପାଇଁ ମଧ୍ୟ ବିଜେବି କଲେଜର ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ପଦମପୁର ଯାଇ ଡୋର ଟୁ ଡୋର ପ୍ରଚାର କରିବେ ବୋଲି ସେମାନେ କହିଛନ୍ତି ।

ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା, ବୁଧବାର ପରିବର୍ତ୍ତେ ଗୁରୁବାର ହେବ ଶେଷ  

କଟକ: ବଢ଼ିଲା ବାଲିଯାତ୍ରା ଅବଧି । ବୁଧବାର ପରିବର୍ତ୍ତେ ଗୁରୁବାର ଶେଷ ହେବ ବିଶ୍ୱ ପ୍ରସିଦ୍ଧ କଟକର ଐତିହାସିକ ବାଲିଯାତ୍ରା । ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଅତିରିକ୍ତ ଗୋଟିଏ ଦିନ ପାଇଁ ବ୍ୟବସାୟୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ସୂଚନା ଅନୁସାରେ ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥାନ୍ତା କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ତେବେ କଟକ ବାଲିଯାତ୍ରା ସାଧାରଣତଃ ୮ ଦିନ ଚାଲିଥାଏ କିନ୍ତୁ ଚଳିତ ଥର ୯ ଦିନ ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ଏବେ ଆଉ ଏକ ଦିନ ବୃଦ୍ଧି କରାଯାଇ ଏହାକୁ ୧୦ ଦିନ କରାଯାଇଛି ।

 

ଆସନ୍ତାକାଲି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପହଞ୍ଚିଲା ମହାପ୍ରଭୁଙ୍କ ପୋଢ଼ୁଆଁ ଭାର

ପୁରୀ: ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି ।

ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ଛତିଶା ନିଯୋଗ ସେବାୟତ ଓ ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନରେ ଶ୍ରୀଗୁଣ୍ତିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ । ସେବକ ଓ ଭକ୍ତମାନଙ୍କ ପତାକା ଓ ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ପାଇକ ଆଖଡ଼ା, ରାମତାଳି, ଲଉଡ଼ି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଏହି ପୋଢୁଆଁ ଭାର ଗୁଡିକୁ ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ ଜିମା ଦିଆଯାଇଥିଲା ।

ନିଯୁକ୍ତି ଜାଲିଆତିରେ ଦୁଇ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ନିଯୁକ୍ତି ଜାଲିଆତିରେ ଦୁଇ ଠକଙ୍କୁ ଗିରଫ କଲା EOW । ରାଜସ୍ଥାନ ପୋଲିସ ସହାୟତାରେ ଗିରଫ ପରେ ଉଭୟଙ୍କୁ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣୁଛି EOW । ରାଜସ୍ଥାନ ରାମଗଡ଼ ଥାନାଞ୍ଚଳରୁ ଦୁଇ ଠକଙ୍କୁ ଗିରଫ କଲା EOW । ଗିରଫ ଅଭିଯୁକ୍ତ ମହମ୍ମଦ ଖାନ ଓ ମୁଫେଦ ଖାନ । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଆସାମରେ ଏମାନେ ପ୍ରଭାବ ବିସ୍ତାର କରିଥିଲେ ।

ଏହାଛଡ଼ା ମୟୂରଭଞ୍ଜ ବଇସିଂଙ୍ଗାରୁ ଜଣେ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଇଛି । ଏହି ଠକଙ୍କୁ ସିମ୍ ସପ୍ଲାଏ କରୁଥିଲା ଅନୀଲ ଖିଲର । ତାକୁ ଗିରଫ କରାଯାଇଛି । ଓଏଲଏକ୍ସ ଫ୍ରଡ୍, ନିଯୁକ୍ତି ଜାଲିଆତି, ଦାଦାବଟି ଆଦାୟ, ଫେକ୍ ବିଲିଂରେ ସମ୍ପୃକ୍ତ ଥିଲେ ।

ଗୁଜରାଟ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣା, ନଗର ନିଗମ ଉପରେ ବର୍ଷିଲେ ହାଇକୋର୍ଟ

ଗାନ୍ଧିନଗର: ଗୁଜରାଟ ମୋରବି ଝୁଲାପୋଲ ଦୁର୍ଘଟଣା ମାମଲା । ପୋଲ ଦୁର୍ଘଟଣାର ସତ କହିବାକୁ ମୋରବି ନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ମାମଲାର ଶୁଣାଣି କରି ଠିକା ସଂସ୍ଥାକୁ କାମ ଦିଆଯିବା ପ୍ରକ୍ରିୟା ଉପରେ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କାହିକିଁ ପୋଲ ମରାମତି କାମ ପାଇଁ କରାଯାଇନଥିଲା ଟେଣ୍ଡର ? କାହିଁକି ଟେଣ୍ଡରଧାରୀଙ୍କୁ ଏଥିରେ ସାମିଲ କରାଯାଇ ନଥିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ରିପୋର୍ଟ ତଲବ କରିଛନ୍ତି । ଆସନ୍ତାକାଲି ପୁଣି ମାମଲାର ଶୁଣାଣି କରାଯିବ ।

ମୋରବି ନଗର ନିଗମ ପକ୍ଷରୁ ଓରେଭା ଗ୍ରୁପକୁ ୧୫ ବର୍ଷ ପାଇଁ ଟେଣ୍ଡର ଦିଆଯାଇଥିଲା । ବିନା ଟେଣ୍ଡରରେ ଏକ ଘଣ୍ଟା ନିର୍ମାଣକାରୀ କମ୍ପାନୀକୁ କିପରି ପୋଲ ମରାମତି ଦାୟିତ୍ୱ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ବ୍ରିଟିଶ ଅମଳର ଏହି ପୋଲ ମରାମତି ପାଇଁ କିପରି ଦେଢ଼ ପୃଷ୍ଠାରେ ଏଗ୍ରିମେଣ୍ଟ ଶେଷ ହେଲା ସେ ନେଇ ମଧ୍ୟ କୋର୍ଟ ଉତ୍ତର ମାଗିଛନ୍ତି । ମୋରବି ପୋଲ ଭୁଶୁଡ଼ିବା ଘଟଣାକୁ ୧୫ ଦିନ ବିତିଛି । ଦୁର୍ଘଟଣାରେ ୧୩୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଖାପାଖି ୫୦ଜଣ ଶିଶୁ ସାମିଲ ଥିଲେ ।